diff --git a/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_5 b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_5 new file mode 100644 index 0000000000000000000000000000000000000000..5f9e819ea0169de15c287da982347bf6d4246bdd --- /dev/null +++ b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_5 @@ -0,0 +1,102 @@ +ଦେବଲୋକରେ ପରୀକ୍ଷା ପାଲା +ହରେକୃଷ୍ଣ ଦାସ +ତା: ମେ ୧, ୨୦୧୯ +ମୂଳ ପୃଷ୍ଠା → ସ୍ମରଣୀୟ ଲେଖା → ଗଳ୍ପ → +ଦେବଲୋକରେ ଅଫିସରମାନେ ନୂଆ ନୂଆ ଆଇନ୍‌କାନୁନ୍‌ ବିଷୟରେ କିଛି ଖବର ରଖିଲେ ନାହିଁ । +ସେହି ମାନ୍‌ଧାତା ଅମଳର ଆଇନ୍‌କୁ ଧରି ଦେଶ ଶାସନ କଲେ । +ଫଳରେ ଦେବଲୋକରେ ବିକାଶମୂଳକ କାର୍ଯ୍ୟର ଅଗ୍ରଗତି ହେଲାନାହିଁ । +ଏକଥା ଅନୁଭବ କଲା ପରେ-ରାଷ୍ଟ୍ରପତି ବିଷ୍ଣୁ ଉପାୟ ଚିନ୍ତା କଲେ । +ଗଣେଶ ତାଙ୍କୁ ପରାମର୍ଶ ଦେଇ କହିଲେ-“ଅଫିସରମାନଙ୍କର ଆଇନ-ଜ୍ଞାନ ପରୀକ୍ଷା କରିବା ପାଇଁ, ଥରେ ବିଭାଗୀୟ ପରୀକ୍ଷା ହେଉ । +ପରୀକ୍ଷାରେ ଯେଉଁମାନେ ଶତକଡ଼ା ଷାଠିଏ ନମ୍ବରରୁ କମ୍‌ ରଖିବେ, ସେମାନଙ୍କୁ ଚାକିରିରୁ ବାହାର କରିଦିଆଯାଉ ।” +ଏକଥା ରାଷ୍ଟ୍ରପତିଙ୍କ ମନପସନ୍ଦ ହେଲା । +ସେ ସଙ୍ଗେ ସଙ୍ଗେ ପରୀକ୍ଷାର ଦିନବାର ସ୍ଥିର କରି ଇସ୍ତାହାର ପ୍ରକାଶ କଲେ । +ପରୀକ୍ଷା ଦେବା କଥା ଶୁଣୁଶୁଣୁ ଅଫିସରମାନଙ୍କର ପିଚା ପରାସ ହେଲା । +ଅବକାରୀ କମିଶନର ମହାଦେବ କହିଲେ-“ ମୁଁ ସିଲେକ୍‌ସନ୍‌ ଗ୍ରେଡ୍‌ ପାଇସାରିଲିଣି । +ମୋର କେତେ କାମ କରିବାକୁ ଅଛି । +କେଉଁଠି ଗଞ୍ଜେଇ ଚାରା ଲଗାଯିବ, କେଉଁ ଶିଳରେ କେତେ ମସଲା ଦେଇ ଭାଙ୍ଗ ବାଟିଲେ, ଠିକ୍‌ ନିଶା ଧରିବ, କେଉଁ ଡିଜାଇନ୍‌ରେ ଚିଲମ ତିଆରି ହେଲେ ଧୂଆଁ ଠିକ୍‌ ବାହାରିବ, ଏସବୁ ଗବେଷଣା କରିବାକୁ ମୋର ବେଳ ଅଣ୍ଟୁ ନାହିଁ । +ମୁଁ ପୁଣି ପରୀକ୍ଷା ଦେବି କେତେବେଳେ ? କମାଣ୍ଡର-ଇନ୍-ଚିଫ୍‌ କାର୍ତ୍ତିକେୟ ରାଗିଉଠିଲେ-ଶାଲା ଗଣେଶ, ମୋ ଭାଇ ହେଲେ କ’ଣ ହେବ ? ପରମ ଖୋସାମଦିଆ । +ଏସବୁ ତାରି କାଣ୍ଡ । +ତାକୁ ସୁବିଧା ପାଇଲେ ଅନ୍ଧାରିଆ ଉତ୍ତମ-ମଧ୍ୟମ ଦେବି ।” +ପୁଲିସ କମିଶନର ଚିତ୍ରସେନ କହିଲେ- “ଦେଖ୍‌ ଲେଙ୍ଗେ-ଶାଲା ଥନ୍ତଲପେଟାକୁ-ବାଟରେ ପାଇଲେ ତା’ ନାଁରେ ପାଞ୍ଚ ଆଇନ୍‌ କେସ୍‌ ଠୁଙ୍କି ଦେବି । +ନହେଲେ ଚୋର ପଠେଇ ତା’ଘରେ କଳାକନା ବୁଲେଇ ଦେବି ।” +ଟ୍ରେଜେରି ଅଫିସର କୁବେର ଧମକ ଦେଲେ-ଏହି ମାସରୁ ଗଣେଶାର ଦରମା ବନ୍ଦ କରିଦେବି । +ତା’ର ଯେତେ ଗସ୍ତ ଖର୍ଚ୍ଚା ବିଲ୍‌ ଟ୍ରେଜେରିରେ ପଡ଼ିରହିଛି, ସେ ସବୁକୁ ନର୍ଦ୍ଦମାରେ ଫିଙ୍ଗିଦେବି । +ଜେଲ୍‌ଖାନା ସମୂହର ଡାଇରେକ୍ଟର ଯମରାଜ କହିଲେ-“ମୁଁ ଧର୍ମରାଜ । +ମୋ ହେଡ୍‌କିରାନି ଚିତ୍ରଗୁପ୍ତ ଯାହା ଲେଖିଦିଏ, ମୁଁ ସେଥିରେ ଆଖିବୁଜି ସନ୍ତକ କରେ । + ମୋର ପରୀକ୍ଷା ଦେବା କି ଦରକାର ? +ଚିଫ୍‌ ଫାୟାର ଅଫିସର ଅଗ୍ନିଦେବ କହିଲେ-“ମୁଁ ପୋଡ଼ିବା ଜାଳିବା କାମ ଜାଣେ । +କଲମ ସହିତ ପରୀକ୍ଷା ଖାତା ଜାଳିଦେବି ।” +ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଅଶ୍ୱିନୀ କୁମାର କହିଲେ- “ ଧନ୍ୱନ୍ତରୀଠାରୁ ଆରମ୍ଭ କରି ଚରକ ଶୁଶ୍ରୁତ ମୋ’ଠାରୁ ଡାକ୍ତରୀ ପାଠ ଶିଖିଛନ୍ତି । + ମୋ ପାଇଁ ଗୋଟିଏ କି ପରୀକ୍ଷା ଦରକାର ? ” +ଏହା ପରେ ଚିଫ୍‌ ଇଞ୍ଜିନିୟର(ସିଭିଲ୍‌) ବିଶ୍ୱକର୍ମା ଓ ଚିଫ୍‌ ଇଞ୍ଜିନିୟର(ଟେକ୍‌ନିକାଲ୍‌) ମୟଦୈତ୍ୟ, ଜଳସମ୍ପଦ ନିର୍ଦ୍ଦେଶକ ‘ବରୁଣଦେବ’ ଆକାଶପଥ ଓ ପରିବହନ ନିର୍ଦ୍ଦେଶକ ‘ମରୁତ’ ପ୍ରଭୃତି ଅଫିସରମାନେ ପରୀକ୍ଷା ଦେବାକୁ ନାପସନ୍ଦ କଲେ ଓ ପ୍ରତିବାଦ କଲେ । +ଶେଷରେ ମୁଖ୍ୟ ଶାସନ ସଚିବ ଇନ୍ଦ୍ରଦେବ କହିଲେ-‘ମୋ ପକ୍ଷରେ ପରିକ୍ଷା ହଲରେ ବସିବା ଲଜ୍ଜାକର ବ୍ୟାପାର ।” +ପରୀକ୍ଷା ପାଇଁ ବେଦବ୍ରହ୍ମାଙ୍କୁ କୁଳପତି ରୂପେ ବଛାଗଲା । +ସେ ପରୀକ୍ଷାର ସିଲାବସ୍‌ ସ୍ଥିର କଲେ । +ଦେବୀ ସରସ୍ୱତୀ, ଦେବଗୁରୁ ବୃହସ୍ପତି, ଦୈତ୍ୟଗୁରୁ ଶୁକ୍ରାଚାର୍ଯ୍ୟ ପ୍ରଭୃତି ପ୍ରଶ୍ନପତ୍ର ତିଆରି କରିବାର ଦାୟିତ୍ୱ ନେଲେ । +ଧ୍ରୁବଲୋକରୁ ଧ୍ରୁବଙ୍କୁ ଅଣାଯାଇ ସେଣ୍ଟର ସୁପରିଣ୍ଟେଣ୍ଡେଣ୍ଟ କରାଗଲା ।” +ସପ୍ତର୍ଷିମଣ୍ଡଳରୁ କ୍ରତୁ, ପୁଲହ, ପୁଲସ୍ତ୍ୟ, ଅତ୍ରୀ, ଅଙ୍ଗିରା, ବଶିଷ୍ଟ ଓ ମରିଚଙ୍କୁ ପରୀକ୍ଷକ କରାଗଲା । +ମହାମୁନି ବିଶ୍ୱାମିତ୍ର ମୁଖ୍ୟ ପରୀକ୍ଷକ ହେଲେ । +ରମ୍ଭା, ମେନକା, ଉର୍ବଶୀ ପ୍ରଭୃତି ଅପ୍‌ସରାମାନେ ଇନ୍‌ଭିଜିଲେଟର ହେଲେ । +ଦେବସଭା ହଲ୍‌କୁ ପରୀକ୍ଷା ହଲ୍‌ କରାଗଲା । +ପ୍ରଶ୍ନପତ୍ର ସବୁ ଗୋପନରେ ତିଆରି ହେଲା ପରେ, ସେ ସବୁକୁ ଗଣେଶ ଜଂଘତଳେ ମାଡ଼ି ବସିଲେ । +ଅଫିସରମାନେ ଭାବିଥିଲେ-ପ୍ରଶ୍ନପତ୍ର ସବୁ ଆଗତୁରା ପାଇଥିଲେ, ଦେଖିଲା କାମ କରିଥାନ୍ତେ । +କିନ୍ତୁ ଗଣେଶ ପ୍ରଶ୍ନପତ୍ର ସବୁ ଜଂଘତଳେ ମାଡ଼ି ବସିବାରୁ କିଛି ସୁବିଧା ହେଲା ନାହିଁ । +ସେଥିପାଇଁ ସମସ୍ତେ ଚିନ୍ତାରେ ପଡ଼ିଗଲେ । +ଦେବର୍ଷି ନାରଦ ଦେବଲୋକରେ ଲୋକସମ୍ପର୍କ ଅଫିସର । +ସେ ବୁଦ୍ଧି ଦେଲେ “ ଗଣେଶଙ୍କ ବାହନ ମୂଷିକ ମହାରାଜଙ୍କୁ ଧର, ସବୁ ସୁବିଧା ହୋଇଯିବ ।” +କିନ୍ତୁ ମୂଷିକ ମହାରାଜଙ୍କୁ ଧରିବା ଏତେ ସହଜ ହେଲାନାହିଁ । +ବଡ଼ଲୋକର ଡ୍ରାଇଭର ହେବାରୁ ତା’ର ଲାଙ୍ଗୁଳ ମୋଟା ହୋଇଯାଇଛି । +ସେଇଠୁ ମୂଷିକରାଜକୁ କିଏ ଧରିପାରେ ସେମିତି ଲୋକ ଖୋଜା ପଡ଼ିଲା । +ଖୋଜୁ ଖୋଜୁ ମୂଷିକରାଜର ଶଳଭାଉଜକୁ ଦେଖା ମିଳିଲା । +ତାକୁ ବହୁ ଟଙ୍କା ଓ ଗହଣା ଉପହାର ଦେବା ପରେ, ସେ ମୂଷିକରାଜକୁ ହାତ କରିବାକୁ ରାଜିହେଲା । +ସୁନ୍ଦରୀ ଶଳାଭାଉଜର ପାଲରେ ପଡ଼ି, ଶେଷକୁ ମୂଷିକରାଜ ପ୍ରଶ୍ନପତ୍ର ଚୋରି କଲା । +ଅଫିସରମାନେ ଆଗତୁରା ପ୍ରଶ୍ନସବୁ ଜାଣି ଖୁସି ହେଲେ । +କିନ୍ତୁ ପ୍ରଶ୍ନ ସବୁର ଉତ୍ତର ଜାଣି ପରୀକ୍ଷା ଖାତାରେ ସଠିକ ଉତ୍ତର ଲେଖିବା କାହାରି ଦ୍ୱାରା ହେଲା ନାହିଁ । +ତେଣୁ ପରୀକ୍ଷାରେ ନିସ୍ତୁକ କପି କରିବାକୁ ସମସ୍ତେ ମିଳିମିଶି ସ୍ଥିର କଲେ । +ପରୀକ୍ଷା ଦିନ ସମସ୍ତେ ହାତଟେକି ବସିଛନ୍ତି । +କପିକାଗଜ ଏ ପର୍ଯ୍ୟନ୍ତ କାହାରି ପାଖରେ ପହଞ୍ଚି ନାହିଁ । +ବାହାରେ କଡ଼ାକଡ଼ି ବ୍ୟବସ୍ଥା । +ତଥାପି ଅପ୍‌ସରାମାନେ ବ୍ଲାଉଜ୍‌ ଭିତରେ କପି ଲୁଚାଇ ଅଫିସରମାନଙ୍କୁ ଦେଇଗଲେ । +ଦେଲାବେଳେ କେହି ଖିଆଲ କଲେ ନାହିଁ ଯେ-କାହାକୁ କେଉଁ ଉତ୍ତରଟିମାନ ଦିଆଯିବ । +ଫଳରେ ଅଶ୍ୱିନୀକୁମାର ମେଡିସିନ୍‌ ବଦଳରେ ଇଞ୍ଜିନିୟରିଂ ଉତ୍ତର ପାଇଲେ । +କୁବେର ଟ୍ରେଜେରିକୋଡ୍‌ ବଦଳରେ ମେଡିସିନର ଉତ୍ତର ପାଇଲେ । +ଯମରାଜ ଜେଲ୍‌କୋଡ୍‌ ବଦଳରେ ଟ୍ରେଜେରି କୋଡ୍‌ର ଉତ୍ତର ପାଇଲେ । +ଇତ୍ୟାଦି ଇତ୍ୟାଦି । +ସବୁଗୁଡ଼ାକ ତ ଭୁସ୍‌ ପଣ୍ଡିତ । +କିଛି ନ ବୁଝି ଆଖି ବୁଜି ଖାତାରେ ଟିପି ପକେଇଲେ । +ଭୁଲ୍‌ ବୁଝିଲା ବେଳକୁ ପରୀକ୍ଷା ଶେଷ ହୋଇ, ଖାତା ସବୁ ଷ୍ଟ୍ରଙ୍ଗ୍‌ ରୁମ୍‌ରେ ରହିଗଲାଣି । +ନାରଦ କହିଲେ-“ କିଛି ପରବାୟ ନାହିଁ । +ସେଣ୍ଟ୍ରାଲ୍‌ ଭାଲ୍ୟୁଏସନ୍‌ ହେବାବେଳେ ପରୀକ୍ଷକମାନଙ୍କୁ ଧରିନିଅ ।” +କିନ୍ତୁ ସେଣ୍ଟ୍ରାଲ୍‌ ଭାଲ୍ୟୁଏସନ୍‌ ବେଳେ କୁଳପତି ବ୍ରହ୍ମା କୁଳବୁଡ଼ା କାମ କଲେ । +କେତେଜଣ ଅର୍ବାଚୀନ ମୁନିଙ୍କୁ ଧରି ଆଣି ପରୀକ୍ଷକ କରିଦେଲେ । +ଏଥିରେ ମୁଖ୍ୟ ପରୀକ୍ଷକ ଟିକିଏ ଆପତ୍ତି କଲେ । +କିନ୍ତୁ ଆଗନ୍ତୁକ ଅର୍ବାଚୀନ ପରୀକ୍ଷକମାନେ କହିଲେ-“ ବଶିଷ୍ଠ ମେଡିସିନ୍‌ ବିଷୟରେ କିଛି ଜାଣନ୍ତି ନାହିଁ, ଅଥଚ ସେ ମେଡିସିନ୍‌ ପେପର୍‌ ଦେଖୁଛନ୍ତି । +ଅତ୍ରୀ ଇଞ୍ଜିନିୟରିଂର ଆଦ୍ୟ ଅକ୍ଷର ନ ଜାଣି ମଧ୍ୟ, ଇଞ୍ଜିନିୟରିଂ ପେପର୍‌ ଦେଖୁଛନ୍ତି । +ଅଙ୍ଗିରା ଜେଲ୍‌କୋଡ୍‌ ଜୀବନରେ ଦେଖିନାହାନ୍ତି, ଅଥଚ ଜେଲ୍‌କୋଡ୍‌ର ସେ ପରୀ କ୍ଷକ । +ଏ ସ୍ଥଳରେ ସେମାନେ( ଅର୍ବାଚୀନ ଆଗନ୍ତୁକମାନେ) କାହିଁକି ଖାତା ଦେଖିବେ ନାହିଁ ? ମୁଖ୍ୟ ପରୀକ୍ଷକ ବିଶ୍ୱାମିତ୍ର ଏବେ କେଉଁ ଭଲ ଲୋକକି ? ତାଙ୍କ ଚରିତ୍ର ଖରାପ ବୋଲି ରେକର୍ଡ ଅଛି ।” +ଦେଖୁ ଦେଖୁ ଖାତା ଦେଖା ସରିଗଲା । +ନାରଦ ଗୋପନରେ ଖବର ନେଇ ଜାଣିଲେ ଯେ- ଅଫିସରମାନେ ସବୁ ଫେଲ୍‌ ହୋଇଛନ୍ତି । +ତେଣୁ ସେ ଅଫିସରମାନଙ୍କୁ କହିଲେ-“ପାରିବ ଯଦି ଟାବୁଲେଟରମାନଙ୍କୁ ଧର । +ସେମାନେ ଚାହିଁଲେ-ଏପାଖ ସେପାଖ କରିଦେବେ ।” +କିନ୍ତୁ ଟାବୁଲେଟର ହେଲେ ଦୁର୍ବାସା ଓ ଧର୍ମରାଜ ଯୁଧିଷ୍ଠିର । +ଏମାନଙ୍କ ପାଖରେ ହେର୍‌ଫେର୍‌ ଚଳିଲା ନାହିଁ । +ନାରଦ କହିଲେ-“ ଦେଖ ଏଥର ଆଉ ଗୋଟିଏ ବୁଦ୍ଧି କାଢ଼ିବାକୁ ହେବ ।” +ନାରଦଙ୍କ ଯୋଜନା ଅନୁସାରେ ଦେବଲୋକରେ ଗୋଟିଏ ନାଚଗୀତର ବ୍ୟବସ୍ଥା ହେଲା । +ମହାଦେବ ‘ଡିସ୍‌କୋ’ ଢଙ୍ଗରେ ତାଣ୍ଡବ ନାଚିଲେ । +ତାଙ୍କ ସହିତ ସବୁ ଦେବାଦେବୀ ନାଚିଲେ । +ଏହି ସୁଯୋଗରେ ନାରଦ ମାୟାବଳରେ ଚୁଟିଆ ମୂଷା ରୂପ ହେଲେ । +ସୁଯୋଗ ଉଣ୍ଡି, ମହାଦେବଙ୍କର ଜଟାରୁ ପୁଳାଏ କାଟି ଦେଲେ । +ଜଟା ଭିତରୁ ଗଙ୍ଗାଦେବୀ କୁଦାମାରି ତଳକୁ ଡେଇଁ ପଡ଼ିଲେ । +ପାଣି ହାବୁକାରେ ନାରଦ ଛିଟିକିପଡ଼ି ଅଣ୍ଟା ଜଖମ କଲେ । +ଦେଖୁ ଦେଖୁ ଦେବଲୋକ ଜଳାର୍ଣ୍ଣବ ହେଲା । +ପାଣିରେ ପରୀକ୍ଷା ଖାତା, ମାର୍କସିଟ୍‌ ସବୁ ଭାସିଗଲା । +ମହାଦେବ ଆସି ଗଙ୍ଗାକୁ ଜଟା ଭିତରକୁ ଫେରେଇ ନେବା ପୂର୍ବରୁ ଗଙ୍ଗାଦେବୀ ବହୁତ କିଛି ଉତ୍ପାତ କରି ସାରିଥିଲେ । +ପରୀକ୍ଷା ଖାତା ସବୁ କିମିତି ପାଣିରେ ଡୁବିଲା, ସେ ବିଷୟରେ କୁଳପତି ତଦନ୍ତ କମିଶନ ବସେଇଲେ । +ପୂରା ଏକ ବରଷ ପରେ, ତଦନ୍ତ କମିଶନ ରିପୋର୍ଟ ଦେଲେ-“ମହାଦେବଙ୍କ ଜଟା ପୁରୁଣା ହୋଇ ଆପଣାଛାଏଁ ଛିଡ଼ିଗଲା । +ତେଣୁ ପାଣି ସେହି ବାଟେ ଲିକ୍‌ କରି, ଖାତାପତ୍ର ଭସେଇ ନେଲା । +ଦୁର୍ଘଟଣା ନିତାନ୍ତ ଆକସ୍ମିକ । +ଏଥିରେ କାହାରି ଦୋଷ ନାହିଁ ।” +ଏ ରିପୋର୍ଟ ପାଇଲା ପରେ କୁଳପତି ସବୁ ଅଫିସରମାନଙ୍କୁ ପାସ୍‌ ବୋଲି ଘୋଷଣା କଲେ । +ଏକଥା ଶୁଣି, ଦେବଲୋକର ଅଫିସରମାନେ ନାରଦଙ୍କ ବୁଦ୍ଧିକୁ ଧନ୍ୟ ଧନ୍ୟ କଲେ । +ସେହି ଦିନଠାରୁ ଦେବଲୋକରେ ଆଉ ପରୀକ୍ଷା ପାଲା ହୋଇ ନାହିଁ । +(ଏହି ଗଳ୍ପଟି ବେଶ୍‌ କିଛିବର୍ଷ ପୂର୍ବେ ଲେଖାଯାଇଥିଲେ ମଧ୍ୟ ଲିଖିତ ପ୍ରସଙ୍ଗଟି ଆଜି ମଧ୍ୟ ପ୍ରାସଙ୍ଗିକ)