diff --git a/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_galpa_27 b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_galpa_27 new file mode 100644 index 0000000000000000000000000000000000000000..efdf4e647dd6fc79e1b81746fe9ed267353bca83 --- /dev/null +++ b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_galpa_27 @@ -0,0 +1,141 @@ +ଝୁମା +ଲକ୍ଷ୍ମୀଧର ମହାନ୍ତି +ତା: ଏପ୍ରିଲ୍ ୬, ୨୦୧୧ +ମୂଳ ପୃଷ୍ଠା → ଗଳ୍ପ → ଆଧୁନିକ → +ଦିନେ ଦିନେ ରାତି ଅଧରେ ସେପଟ ଅଗଣା ମଝିରେ ଠିଆ ହୋଇ ସେ ବଡ଼ ପାଟିରେ ଡାକ ଛାଡ଼େ “ଝୁମା ! ଆଲୋ ହେ ଝୁମା ! ଆଲୋ କୁଆଡ଼େ ଚାଲିଗଲୁ ଅଲକ୍ଷଣୀ, ଆଲୋ ବାରବୁଲି । +କେଉଁଠି ଅଛୁ ଘରକୁ ଆ । +ଆରେ-ଏ, ମୋତେ ଟିକିଏ ଛାଇ ନିଦ ନାଗିଛି କି ନାହିଁ ବାରବୁଲି ଖସିଗଲା ମୋ କୋଳରୁ । + କେତେ ଆକଟ କରିବି ତାକୁ?” +ଟିକିଏ ରହି ସେ ଚାରିଆଡ଼କୁ ଆଖି ପକାଏ । +ପାଉଁଶିଆ ଜହ୍ନ ଆଲୁଅ ଭିତରେ ସବୁ ଝାପ୍ସା ଦେଖାଯାଏ । +ସାନବାବୁ ଘର ସେଇ ଇଟା ପାଚେରୀ କୋଣ ଖଣ୍ଡେ ଭାଙ୍ଗି ଯାଇଛି କୋଉଦିନରୁ । +ସେଇ ଭଙ୍ଗା କାନ୍ଥି ଉପରେ କୁଦା ମାରି ସେ ହୁଏତ ଚାଲିଯାଇଥିବ ଆରପଟକୁ । +ଝାପ୍‌ସା ଦେଖାଯାଉଛି ସେଇ ଅଧା କାନ୍ଥ ଉପରେ କିଏ ଗୋଟିଏ ବସିଲା ପରି । +ଲମ୍ବା ଲମ୍ବା ଶାଗୁଆ ନଡ଼ିଆ ବରଡ଼ା ଉପରୁ ଜହ୍ନ ଆଲୁଅ ଖସିଆସୁଛି ତଳକୁ । +ତରଳ ରୂପା ବହିଯିବା ଭଳି । +ପୁଣି ପାଟି କରି ମନକୁମନ ବଜରବଜର ହୁଏ ବୁଢ଼ୀ । +ଗୁଡ଼ାଏ ଗାଳି ବର୍ଷଣ ହୋଇଯାଏ ସାନ ବାବୁ ଘର ସେଇ ଭୂଆ ବିଲେଇ ଉପରେ, “ସେ ଖଣ୍ଡକ ତ କମ୍‌ ନୁହେଁ । +ସତେ ଯେମିତି ଏ ଗାଁର ଆଉ କେଉଁଠି ବିଲେଇ ନାହାନ୍ତି । +ମୋ’ରି ଝୁମା ଉପରେ ତା’ର ଆଖି ଲାଗିଛି । +ସବୁବେଳେ ରାତି ଅଧରେ ମ୍ୟାଉଁ ମ୍ୟାଉଁ ଡାକ ଛାଡୁଛି । +ସେ ଡାକ ଶୁଣିବା ସଙ୍ଗେ ସଙ୍ଗେ ଏ ବାରବୁଲି ଛତରଖାଇ ଶ୍ରୀକୃଷ୍ଣଙ୍କର ବଂଶୀ ଶବଦ ଶୁଣିଲା ଭଳି ନୁଙ୍ଗୁନୁଙ୍ଗୁ ହୋଇ ଚାଲିଯାଇଛି ନାଁ ପକେଇବାକୁ । +ଆଜି ଆ ତୁ, ଦେଖିବୁ କ’ଣ କରିବି ।” +‘ଝୁମା’ କେଉଁଠି ଥାଏ କେଜାଣି ନୁଙ୍ଗୁନୁଙ୍ଗୁ ହୋଇ ଧୀର ପାଦରେ ଆସି ଅଖାରୀ ବୁଢ଼ୀର ପାଦ ପାଖରେ ଲଟରପଟର ହୋଇ ଘସିହୋଇଯାଏ । +ବୁଢ଼ୀର ଲୁଗା ପଣତଟାକୁ କାମୁଡ଼ି ଧରି ତା’ ଚାରିପଟେ ବୁଲିଆସେ ଥରେ ଦି’ଥର । +ଅଖାରୀ ବୁଢ଼ୀ ଡିଆସିଲି ମାରି ଡିବି ଲଗାଏ । +ଡିବି ଆଲୁଅରେ ‘ଝୁମା’ର ସାରା ଦେହଟାକୁ ଅଣ୍ଡାଳିପକାଏ । +ପାଦରୁ ମଥା ପର୍ଯ୍ୟନ୍ତ ତା’ର ଲୋମଶ ଶରୀରରୁ ଉଙ୍କୁଣି ବାଛିଲା ପରି ଟିକିନିଖି ପରୀକ୍ଷା କରିନିଏ । +ଛତରଖାଇ ! ଛତରକୁ ଯାଇଥିଲୁ ନା ? ହଉ ଯାହା ତ କଲୁ କଲୁ । +ଆ’ ଶୋଇପଡ଼େ- ଆ । +ନିହାତି ବାଧ୍ୟ ଶିଶୁଟି ପରି ଝୁମା ପଶିଯାଏ ଅଖାରୀ ବୁଢ଼ୀ କୋଳରେ । +ଅଖାରୀ ତା ମଇଳା ଅସନା ପଣତ କାନିଟାକୁ ଝୁମା ଉପରେ ଢାଙ୍କିଦିଏ । +ଦୁହିଙ୍କର ଆଖିରେ ଭରିଯାଏ ପାହାନ୍ତି ନିଦ । +-‘ନାଁ ସବୁ ଠିକ୍‌ ଅଛି । +ପାଦରେ ଅଳତା ମାଖିଥିଲି ଠିକ୍‌ ଅଛି । +ପୋଡ଼ାମୁହିଁ । +ପଙ୍କ କାଦୁଅରେ ପଶିନି । +ମଥା ଉପରେ ଯେଉଁ ନାଲି ଟିକିଲିଟା ମାଖିଥିଲି ସେଇଟା ମଧ୍ୟ ଖସିନି । +ବେକରେ ବନ୍ଧା ହୋଇଥିବା ପିତଳ ତିଆରି ଘୁଙ୍ଗୁର ପାଞ୍ଚଟାରୁ କିଛି ଖସିନି, ତେବେ ? ଆଲୋ ! ତୋ ମୁଣ୍ଡରେ ଖଣ୍ଡିଆ ଦାଗ ଆସିଲା କୁଆଡ଼ୁ ? ପୋଡ଼ପାଡ଼ି ମରୁନୁ ତୁ ! ମୁହଁ ସାରା ଖାଲି ନଖ ଆଞ୍ଚୁଡ଼ା ଦାଗ । +ଛତରଖାଇ ! ଛତରକୁ ଯାଇଥିଲୁ ନା ? ହଉ ଯାହା ତ କଲୁ କଲୁ । +ଆ’ ଶୋଇପଡ଼େ- ଆ । +ନିହାତି ବାଧ୍ୟ ଶିଶୁଟି ପରି ଝୁମା ପଶିଯାଏ ଅଖାରୀ ବୁଢ଼ୀ କୋଳରେ । +ଅଖାରୀ ତା ମଇଳା ଅସନା ପଣତ କାନିଟାକୁ ଝୁମା ଉପରେ ଢାଙ୍କିଦିଏ । +ଦୁହିଙ୍କର ଆଖିରେ ଭରିଯାଏ ପାହାନ୍ତି ନିଦ । +ଅଖାରୀ ବୁଢ଼ୀର ଏଇ ହେଲା ନିତିଦିନିଆ ଜୀବନ । +ସବୁ ମଣିଷମାନଙ୍କଠାରୁ ସେ ଆସ୍ଥା ହରାଇବା ପରେ ଶେଷ ଜୀବନରେ ଝୁମାକୁ ହିଁ ଆଦରି ନେଇଛି । +ନିଜର ନିଃସନ୍ତାନ ଜୀବନର ଏକମାତ୍ର ସନ୍ତାନ ଭଳି, ଅଖାରୀ ବୁଢ଼ୀ କହୁ କହୁ ଥରେ ଥରେ କହିପକାଏ- “ପଥରକୁ ଡାକିଲେ ପଥର ଓ କରିବ, ମାତ୍ର ମଣିଷକୁ ଡାକିଲେ ମଣିଷ ମୁହଁ ଆଡ଼େଇଦେବ ।” +ସେ ଦୃଷ୍ଟିରୁ ଝୁମା ତା’କୁ ଛାଡ଼ି କୁଆଡ଼େ ଯାଏନା, ବିଛଣା ପାଖରେ ବସି ଲୁହ ଗଡ଼ାଏ । +ଅଖାରୀ ବୁଢ଼ୀର ବାପଘରେ କେହି ନାହାଁନ୍ତି କି ଶାଶୁଘରେ କେହି ନାହାଁନ୍ତି । +ସମସ୍ତେ ମରି ହଜିଗଲେଣି । +ଧର୍ମକୁ ସାକ୍ଷୀ ରଖି ଯାହାର ହାତ ସେ ଧରିଥିଲା, ବାହା ହେବାର ଦୁଇ ବର୍ଷ ପରେ ତା’ର କାଳ ହୋଇଗଲା । +ଏଥିପାଇଁ ଅଖାରୀ ବୁଢ଼ୀ ଗାଁ ଗୋଟାକରେ ଘୃଣ୍ୟ । +ସେ କୁଆଡ଼େ ଗୋଟେ ଅଲକ୍ଷଣୀ । +ତା’ ମୁହଁ ଚାହିଁଲେ ପାପ । +ବାହା ହଉ ହଉ ଯିଏ ଶାଶୁ, ଶ୍ବଶୁର, ଗେରସ୍ତଙ୍କୁ ଖାଇଲା, ସେ ଅଲକ୍ଷଣୀ ନୁହେଁ ତ ଆଉ କ’ଣ ? ଖାଲି ଅଲକ୍ଷଣୀ କ’ଣ, କେହି କେହି ତା’କୁ ପିତାଶୁଣି ବୋଲି ମଧ୍ୟ ଡାକନ୍ତି । +ବିଚାରୀ ଏକଘରିକିଆ ହେଲା ଭଳି କେମିତି ତା’ର ସମୟ କଟାଇବ ? କେତେଥର ବିଷ ଖାଇବାକୁ ଯାଇଛି, ଅଥଚ଼ ଖାଇପାରିନି । +ଏଇ ଝୁମା ହିଁ ପରୋକ୍ଷରେ ତା’କୁ ବାରଣ କରିଛି । +-“ମୁଁ ମରିଗଲେ ଝୁମା ମୋ’ର ଅନାଥିନୀ ହୋଇଯିବ । +ଝୁମାକୁ ଆଉଁସୁ ଆଉଁସୁ ଅଖାରୀ ବୁଢ଼ୀ ପିଲାଙ୍କ ଭଳି ଭେଁ ଭେଁ ହୋଇ କାନ୍ଦିଉଠେ । +ଓଃ, ବଡ଼ ଦୁର୍ବିସହ ଏ ଜୀବନ । +ରାତି ପାହିଲେ ବୁଢ଼ୀ ଚିନ୍ତା କରିବସେ କେମିତି ବିତିବ ଆଜିର ଦିନଟା । +ସକାଳ, ଖରାବେଳ, ସଞ୍ଜ ଓ ରାତି । +ଅତି ଦୀର୍ଘ ଏ ସମୟର ଚକ । +କଳ୍ପନା କରେ ଅଖାରୀ ବୁଢ଼ୀ- ସେ ମରିଯାଇଛି । +ତା’ର ଶବ ପଡ଼ିରହିଛି ଘର ଭିତରେ । +ଗାଁ ଲୋକେ କେହି ଆସୁନାହାନ୍ତି ଶବ ପାଖକୁ । +ଶବ ଉଠାଇବା କଥା ଭିନ୍ନ ମାତ୍ର ପାଖକୁ ଆସିବାକୁ କ’ଣ ପାପ ଲାଗି ଯାଉଛି ! ପାଖରେ ଜଗିରହିଛି ଝୁମା । +ଆଖିରୁ ତା’ର ଧାର ଧାର ଲୁହ ବୋହି ଯାଉଛି । +କିଏ ତା’ର ଶବ ଉଠାଇବ ? କିଏ ତା’ର ଶୁଦ୍ଧିକ୍ରିୟା କରିବ ? କିଏ ବ୍ରାହ୍ମଣ ଖୁଆଇବ ? ଅଖାରୀର ମୁଣ୍ଡଟା ଝାଇଁ ଝାଇଁ କରେ । +ପାଖରେ ଶୋଇଥିବା ଝୁମାକୁ ସେ କୋଳେଇ ନିଏ । +ତା’ ପିଠିରେ ଆଙ୍ଗୁଳି ଚଳାଉ ଚଳାଉ କହେ- ହଁ ଲୋ ଝୁମା ! ମୁଁ ଆଗ ନ ମରି ତୁ ଯଦି ମରିଯାଉ ନା, ତେବେ ତୋତେ ନେଇ ବାରିପଟ ଖତଗଦା ସେପଟେ ସମାଧି ଦେବି । +ତୋର ଦଶାହକୁ ଦଶଜଣ ବ୍ରାହ୍ମଣ ଖୁଆଇବି । +ବାରପତ୍ର ପକାଇ ସାଇ ଲୋକଙ୍କୁ ଖାଇବାକୁ ଦେବି । +ଦାଣ୍ଡପିଣ୍ଡାରେ ଏକୁଟିଆ ବସି ବସି ତାକୁ ବିଜାର ଲାଗେ । +ଏମିତି ଗୁଡ଼ାଏ ଚିନ୍ତା ତା’ମୁଣ୍ଡ ଭିତରେ ପଶି ମୁଣ୍ଡଟା ତା’ର ଖରାପ ହୋଇଯାଏ । +ଦିନଦିନ ମାସମାସ ବର୍ଷବର୍ଷ ଏମିତି ଚିନ୍ତା ସବୁ ତା’ ଶେଥା ମୁହଁର ରେଖାଗୁଡ଼ିକୁ ବିକୃତ କରିପକାନ୍ତି । +କେବେ ସାବୁନ୍‌ ମରା ହୋଇନଥିବା ତେଲ ଚିକିଟା ଗାମୁଛାଖଣ୍ଡକରେ ପରସ୍ତ ପରସ୍ତ ମଇଳା ଆସ୍ତରଣ ବସିଯିବା ପରେ ଆଉ ସଫା ନ ଫିଟିଲା ଭଳି ଅଖାରୀ ବୁଢ଼ୀର ମୁଖମଣ୍ଡଳରେ ବିଷାଦ ଲେପିହୋଇଯାଏ । +ଶୁଖିଲା ମୁହଁ ଓ ଶୁଖିଲା ଓଠ ଉପରେ କେବେ କେମିତି ହସ ଉକୁଟିଲେ ତାହା ମଧ୍ୟ ଶୁଖିଲା ଦେଖାଯାଏ । +ସେ ହସରେ ନଥାଏ ଆନ୍ତରିକତା, ନଥାଏ ସରସତା ବରଂ ଭରି ରହିଥାଏ ତା’ର ନିଃସଙ୍ଗତା, ଅସହାୟତା ଓ ଦାରିଦ୍ର୍ଯର କେତେ ଅକୁହା କାହାଣୀ । +ଅଖାରୀ ବୁଢ଼ୀର ହସ ଲୋଭନୀୟ ହୋଇଯାଏ, ଗାଁକୁ ଶୁଖୁଆବାଲା ଆସିଲେ । +ନିଜେ ବୈଧବ୍ୟ ବ୍ରତ ପାଳନ କରି ଆଇଁଷ ଛୁଏନାଁ, ମାତ୍ର ଝୁମା ପାଇଁ ପଚାଶେ କି ଶହେ ଚିଙ୍ଗୁଡି ବା ତାମ୍ପେଡ଼ା ଶୁଖୁଆ କିଣିବା ପାଇଁ ଧାଇଁଯାଏ, ଗାଁ ଦାଣ୍ଡରେ ଡାକ ଛାଡୁଥିବା ଶୁଖୁଆ ବିକାଳୀ ପାଖକୁ । +ପ୍ରତି ମଙ୍ଗଳବାର ଯଦି ଶୁଖୁଆବାଲା ନ ଆସେ ତେବେ ବୁଢ଼ୀର ଭାଳେଣି ପଡ଼ିଯାଏ । +ଆଉ କ’ଣ ଦେଲେ ତ ସେ ଖାଇବନି । +ପାଖରେ ପଇସା ଥିଲେ ଅବା ସେ ଦୁଇଶ ଅଢ଼େଇଶ ଶୁଖୁଆ କିଣି ରଖନ୍ତା, ମାତ୍ର ପଚାଶେ ଶହେ କିଣିବାକୁ ବି ପଇସା ନିଅଣ୍ଟ ହୁଏ । +ଆରପାଳିକୁ ବାକି ରହେ ପୁଣି ଶୁଝିବାକୁ । +ଶୁଖୁଆ କିଣିଲାବେଳେ ସେ ଝୁମାକୁ ସାଙ୍ଗରେ ନିଏ । +ଝୁମା ଶୁଖୁଆ ବୋଝ ଚାରିପାଖରେ ମ୍ୟାଉଁ ମ୍ୟାଉଁ ବୋବାଏ । +ଅଖାରୀ ବୁଢ଼ୀ ଶୁଖୁଆ କିଣିସାରି କହି ପକାଏ, -ଦଉନୁ ମୋ ଝିଅକୁ ଦି ଚାରିଟା ଶୁଖୁଆ । + ଲାଭ ଦବୁନି କି ? +ଗାଁ ମୁଣ୍ଡ ମଣ୍ଡପ କରରେ ଷ୍ଟକ୍‌ମ୍ୟାନ ସେଣ୍ଟର । +ଷ୍ଟକ୍ମ୍ୟାନ ସ୍ବାଇଁବାବୁ । +ଅଖାରୀ ବୁଢ଼ୀ ସ୍ବାଇଁବାବୁଙ୍କ ପାଖରେ ପହଞ୍ଚିଯାଏ, ଯେତେବେଳେ ଝୁମାକୁ ଝାଡ଼ା ହୁଏ ବା ଜ୍ବର । +ଏମିତି ଆପଦବିପଦ ବେଳେ ସ୍ବାଇଁବାବୁ ଔଷଧ ଦେଇ ଝୁମାକୁ ଭଲ କରି ଦିଅନ୍ତି । +ଅଖାରୀ ମୁହଁରେ ସେତିକିବେଳେ ହସ ଫୁଟିଉଠେ । +ସେଦିନ ପଶୁ ଡାକ୍ତରଖାନା ଖୋଲିବା ପୂର୍ବରୁ ଅଖାରୀ ବୁଢ଼ୀ ହାଜର ହୋଇଗଲା । +ସ୍ବାଇଁବାବୁଙ୍କ ଆସିବା ବାଟକୁ ଚାହିଁରହି ସେ ଖାଲି ଏପଟ ସେପଟ ହେଉଥାଏ । +ଆଖିରେ ଲୁହ । +ଡାକ୍ତରଖାନା ବାରଣ୍ଡା ତଳେ ବସିରହି ସେ କେବଳ ଭୂଇଁ ସାଉଁଟିବାରେ ଲାଗିପଡ଼ିଥାଏ । +ମଝିରେ ମଝିରେ ତା’ର ହାତ ଦୁଇଟାକୁ ନିଜ ଛାତି ଉପରେ ବାଡ଼େଇ ବାହୁନା ପକାଉଥାଏ । +ସ୍ବାଇଁବାବୁ ଆସିବା ମାତ୍ରେ ସେ ତାଙ୍କର ଗୋଡ଼ ଦୁଇଟାକୁ ଜାବୁଡ଼ିଧରି ବଡ଼ ପାଟିରେ ବାହୁନା ପକାଇଲା । +“ମୁଁ କ’ଣ କରିବି ଡାକ୍ତରବାବୁ । +ମୋ ଝୁମାର କ’ଣ ହୋଇଯାଇଛି । +ସେ ଆଖି ଖୋଲୁନି । +ବାନ୍ତି କରି ଭୂଇଁରେ ଲୋଟିପଡ଼ିଛି । +ମୁଁ ତା’ଉପରେ ଖଣ୍ଡିଆ ଛାଞ୍ଚୁଣୀ ଘୋଡ଼େଇଦେଇ ଆସିଛି । +ତମେ ଟିକିଏ ଆସ ଡାକ୍ତର ବାବୁ, ତମ ଯନ୍ତ୍ର ଲଗାଇ ତା’କୁ ଟିକିଏ ଦେଖ ଡାକ୍ତର ବାବୁ । +ତା’କୁ ବଞ୍ଚାଅ- ନ ହେଲେ ଏଇଠି ତୁମ ଆଗରେ ମୁଁ ଜୀବନ ହାରିଦେବି ।” +ଏତିକି କହି ବୁଢ଼ୀ ସ୍ବାଇଁବାବୁଙ୍କ ପାଦ ଦୁଇଟାକୁ ଧରି ଲମ୍ବ ହୋଇ ଭୂଇଁରେ ଲୋଟିଗଲା । +କି ବିକଳ ସେ ପ୍ରାର୍ଥନା ! ରାସ୍ତାରେ ଯାଉଥିବା ଲୋକେ ବୁଢ଼ୀର କାନ୍ଦଣା ଶୁଣି ଠୁଳ ହୋଇଗଲେ । +ସମସ୍ତେ ଭାବିଲେ ଝୁମା ବୋଧହୁଏ ବୁଢ଼ୀର ଝିଅ କି ବୋହୂ ହୋଇଥିବ । +ସ୍ବାଇଁବାବୁ କିନ୍ତୁ ଅବିଚଳିତ । +ସମସ୍ତେ ସ୍ବାଇଁବାବୁଙ୍କୁ ପଚାରିବାରେ ବ୍ୟସ୍ତ । +ବୁଢ଼ୀ ତା’ ଝୁମା ପାଇଁ ପି.ଏଚ୍.ସି. ଡାକ୍ତରଙ୍କ ପାଖକୁ ନ ଯାଇ ଏ ପଶୁ ଡାକ୍ତରଙ୍କ ପାଖକୁ ଆସି ମୁଣ୍ଡ ପିଟୁଛି କାହିଁକି ? +ଯେତେବେଳେ ସମସ୍ତେ ଜାଣିବାକୁ ପାଇଲେ ଯେ ଝୁମା ବୁଢ଼ୀର ଝିଅ ନୁହେଁ କି ବୋହୂ ନୁହେଁ, ଛାର ବିଲେଇଟାଏ, ସେତେବେଳେ ସମସ୍ତେ ହସି ହସି ମୁହଁ ମୋଡ଼ିଦେଲେ ବୁଢ଼ୀକୁ ଅନାଇ । +ଅଖାରୀ ସେମାନଙ୍କ ମୁହଁମୋଡ଼ାରେ ରାଗିଯାଇ ଷ୍ଟକ୍ମ୍ୟାନଙ୍କ ହାତ ଧରି ଟାଣି ଟାଣି ନେଇଗଲା ତା’ ଘରକୁ । +ସ୍ବାଇଁବାବୁ ଝୁମା ପାଖରେ ପହଞ୍ଚିଲା ବେଳକୁ ଝୁମାର ଶେଷ ଅବସ୍ଥା । +ଗୁଡ଼ାଏ କଳା ବାନ୍ତି କରି ଝୁମା ନିର୍ଜୀବ ହୋଇ ପଡ଼ିରହିଥିଲା । +ସ୍ବାଇଁବାବୁ ତା’ ଉପରେ ପୁଣି ଛାଞ୍ଚୁଣିଟାକୁ ଘୋଡ଼ାଇ ଦେଇ କହିଲେ, “ଆଉ ଲାଭ ନାହିଁ । +ପଏଜନ୍‌ କେଶ୍‌ । +କିଏ ତା’କୁ ବିଷ ଦେଇ ମାରିଦେଇଛି । +ଏତିକି ଶୁଣିବା ପରେ ଅଖାରୀ ବୁଢ଼ୀ ତା’ ମୁଣ୍ଡଟାକୁ ଢୋ କରି ବାଡ଼େଇ ଦେଲା ଦୁଆର ବନ୍ଧ ଉପରେ । +ଝରଝର ହୋଇ ରକ୍ତ ବୋହିଲା ତା’ ମଥାରୁ । +ବୁଢ଼ୀ ବଡ଼ ପାଟିରେ ଗର୍ଜିଉଠିଲା । +ମଣିଷକୁ ଲାଗି ଲାଗି ପାରିଲନି, ଶେଷକୁ ପଶୁଟା ଉପରେ ଦାଉ ସାଧିଲା ସବୁ ରାଗ ତମର, ସେଇଠି ସୁଝାଇଲ ? ହଉ ହେ ଧର୍ମଦେବତା ! ତମେ ବୁଝିବ । +ହାତ ସାରା ରକ୍ତ ଆଉଟୁପାଉଟୁ ହୋଇ ଅଖାରୀ ବୁଢ଼ୀ ବାହୁନା ପକାଇଲା ଝୁମା ଆଡ଼କୁ ଚାହିଁ- କୋଉ ଚଣ୍ଡାଳୁଣୀ ଏକଥା କଲା ଲୋ, ବାୟାଣୀ ମୋର ; କେମିତି ତାହାର ହାତ ଚାଲିଲା ଲୋ, ବାୟାଣୀ ମୋର ; ଝୁମା ଡାକି ଦେଲେ ଯେଉଁଠି ଥିବୁ ଲୋ, ବାୟାଣୀ ମୋର ; ଝୁମୁଝୁମୁ ହୋଇ କୋଳେ ପଶିବୁ ଲୋ, ବାୟାଣୀ ମୋର । +ସେଇ ଲୋକ ଗହଳି ଭିତରୁ ଜଣେ କିଏ ଚିପାଗଳାରେ ଟୁପୁଟୁପୁ ହେବାର ଶୁଣାଗଲା । + କିଏ ଏକଥା କଲା କ’ଣ ଅଛପା ଅଛି କି ? କାଲି ସଞ୍ଜ ବେଳେ ଯୋଉ ଲୋକର କୁକୁଡ଼ା ଛୁଆକୁ ଝୁମା ଗୋଡ଼େଇଥିଲା ଖାଇବ ବୋଲି- ସେଇ ଏମିତି କରିଥିବ ତ, ଆଉ କିଏ ? +ଅଖାରୀ ବୁଢ଼ୀର ହଂସା ଉଡ଼ିଗଲା । +ସେ ଗଛ କାଟିଲା ପରି ଭୁଇଁ ଉପରେ ଲୋଟିପଡ଼ିଲା । +ଦାନ୍ତ ପଡ଼ିଗଲା, ଆଖି ତରାଟିହୋଇଗଲା । +ମଥାରେ ଯେତେ ପାଣି ମାରିଲେ ମଧ୍ୟ ବୁଢ଼ୀ ଆଉ ଉଠିଲା ନାହିଁ । +ଝୁମାର ଶବ ଭିତରୁ ତା’ର ଜୁଳୁଜୁଳୁ ଆଖି ଦିଇଟା ଚାହିଁରହିଥିଲା ଅଖାରୀ ବୁଢ଼ୀର ମୁହଁକୁ । +ଗାଁ ଲୋକେ ଜଳଜଳ କରି ଚାହିଁରହି ସେ ଦୃଶ୍ୟକୁ ଉପଭୋଗ କରୁଥିଲେ କେବଳ । +ଜଣେ କିଏ କହିପକାଇଲା ଖଟିଆଟାଏ ଆଣ, ବୁଢ଼ୀକୁ ସେଥିରେ ପକାଇ ଡାକ୍ତରଖାନା ନେଇଯିବା । +ଏତକ ଶୁଣିବା ପରେ ଲୋକ ଗହଳି ଧୀରେ ଧୀରେ କମିବାରେ ଲାଗିଲା । + ବୁଢ଼ୀ ଅଗଣାରେ କେହି ରହିଲେ ସିନା, ଖଟିଆ ଆଣି ବୁଢ଼ୀକୁ ସେଥିରେ କାନ୍ଧେଇବା ପାଇଁ କିଏ କହିବ ? +ସେତେବେଳକୁ ଛାଇ ଗଡ଼ିଯାଇଥିଲା । +ଖାଇବାବେଳ ବି ଗଡ଼ିଯାଇଥାଏ । +ବୁଢ଼ୀ ମରିଛି କି ନାହିଁ ସେ ପର୍ଯ୍ୟନ୍ତ ଜଣା ନାହିଁ, ତା’ ପୂର୍ବରୁ ଗାଁ ସାରା ଭାତ ଗଣ୍ଡାଏ ଗଣ୍ଡାଏ ପେଟରେ ପକାଇ ଦେବା ପାଇଁ ବ୍ୟଗ୍ର ହୋଇ ଉଠିଲେ ସମସ୍ତେ । +ମରିବା ଖବରଟା ପ୍ରଘଟ ହୋଇଗଲେ ଶବ ପଡ଼ିଥିଲା ପର୍ଯ୍ୟନ୍ତ ଆଉ ଖାଇ ହେବନି ଯେ ! +ଜଣ ଜଣ ହୋଇ ବୁଢ଼ୀର ଅଗଣାରୁ ଖସିଯିବା ପାଇଁ ଚେଷ୍ଟା କରୁଥିଲେ ସମସ୍ତେ । +ଉଦୁଉଦିଆ ସୂର୍ଯ୍ୟ କିରଣ କ୍ରମେ ମଳିନ ପଡ଼ିଆସୁଥିଲା ।