diff --git a/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_40 b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_40 new file mode 100644 index 0000000000000000000000000000000000000000..f15f084888d9d206b4b6abcc6fd315c8899b2afe --- /dev/null +++ b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_40 @@ -0,0 +1,218 @@ +ଆକର୍ଷଣ +ଦୟାନିଧି ମିଶ୍ର +ତା: ନଭେମ୍ବର୍ ୨୯, ୨୦୧୨ +ମୂଳ ପୃଷ୍ଠା → ସ୍ମରଣୀୟ ଲେଖା → ଗଳ୍ପ → +(ସତ୍ୟ ଘଟଣା ମୂଳକ ଗଳ୍ପ) +ଏକ +ଆଜି ପିଲାକାଳ କଥା ମନେ ପଡ଼ିଲେ କେତେବେଳେ ସୁଖ ହୁଏ କେତେବେଳେ ବା ଦୁଃଖ ହୁଏ । +ଯେତେବେଳେ କାମଦାମ କିଛି ନ ଥାଏ, ମଣିଷ ନିଶ୍ଚିନ୍ତ ହୋଇ ଘଡ଼ିଏ ବସିବାକୁ ଅବସର ପାଏ । +ପିଲାଦିନର କେତେ ପୁରୁଣା କଥା ଆସି ମନେପଡ଼େ । +ସେ ସବୁ ଭୁଲିବାକୁ ଯେତେ ଚେଷ୍ଟା କଲେ ସୁଦ୍ଧା ଭୁଲି ହୁଏ ନାହିଁ । +‘ସ୍ମୃତି ତ କଦାପି ନୁହେଁ ଫିଙ୍ଗିବାର +ଫିଙ୍ଗି ପାରିଲେ ସେ ଲଭନ୍ତା ନିସ୍ତାର ।’ +କମଳା ଘର ଆମ ଘର ବେଶୀ ଦୂର ନୁହେଁ । +ଆମ ଘରେ ଥାଇ ତାକୁ ଡାକିଲେ ସେ ଶୁଣି ପାରିବ । +କମଳା ସବୁବେଳେ ଆମ ଘରେ ଥାଏ । +ମା’ ତାକୁ କେତେ ଗେଲ କରନ୍ତି-କେତେ ଚିଜ ଖାଇବାକୁ ଦିଅନ୍ତି । +ମୁଁ ମଧ୍ୟ ତାଙ୍କ ଘରକୁ ଯାଏ । +ସେଠାରେ ଖାଏ, ପିଏ, କେତେ ହସ କଉତୁକ କରେ । +କମଳାର ମା’ ମୋତେ କେତେ ଆଦର କରନ୍ତି । +ସେ ଯେତେବେଳେ ମୋତେ ‘ବାବା’ ବୋଲି ଡାକନ୍ତି କମଳା ମୁରୁକି ମୁରୁକି ହସି କେତେ ଖୁସି ହୁଏ । +ସେ ମତେ ଏତେ ଭଲ ପାଏ । +କମଳା ଆଉ ମୁଁ ଏକା ସାଙ୍ଗରେ ଖେଳୁ । +ଦାଣ୍ଡ ଦୁଆରେ ବସି କେତେ ବାଲିଘର ଗଢ଼ୁ । +ସେତେବେଳେ ମନ ସବୁବେଳେ ପ୍ରଫୁଲ୍ଲ – ଖେଳିବା ପାଇଁ ଭାରି ଆଗ୍ରହ । +ବିଧାତାଙ୍କ ଚବିଶ ଘଣ୍ଟିଆ ଦିନ ମନକୁ ଆସେ ନାହିଁ । +ଓଃ, ବିଧାତାଙ୍କ ଦିନଗୁଡ଼ାକ ଏତେ ଲମ୍ବ ! କେତେବେଳେ ସରେ ନାହିଁ । +ସେଥିପାଇଁ ଆମ ମନକୁ ଆମେ ସାନ ସାନ ଦିନ ସୃଷ୍ଟି କରୁ । +ସୂର୍ଯ୍ୟଙ୍କ ଉଦୟ ଅସ୍ତ ସଙ୍ଗେ ଆମ ଦିନର କୌଣସି ସମ୍ବନ୍ଧ ନ ଥାଏ । +ସୂର୍ଯ୍ୟ ଆକାଶରେ ଥିଲେ ମଧ୍ୟ ଆମ ଦିନ-ରାତି ହୁଏ । +ବାଲିଘର ବନାଇ ଖେଳିଲା ବେଳେ ଆମେ ଦିନକ ମଧ୍ୟରେ କେତେ ଦିନରାତି କଟାଉ । +ଆଉ ସେ କଥା କାହିଁ ? ସେ ସ୍ବପ୍ନମୟ ରାଜ୍ୟ ଖୋଜିଲେ ଆଉ କାହୁଁ ମିଳିବ । +ବଡ଼ି ଭୋର୍‌ରୁ ଉଠି ଦିହେଁଯାକ ଆମ ବଗିଚାରୁ ଫୁଲ ତୋଳିବାକୁ ଯାଉ । +ଆମ ବଗିଚାରେ ଗୋଟାଏ ଚମ୍ପାଗଛ ଅଛି । +ବାପା ଗଛଟିକୁ କଟକରୁ କିଣିଆଣି ବଗିଚାରେ ଲଗାଇଥିଲେ । +ସେଥିରେ କେତେ ଫୁଲ ଫୁଟେ । +ସେ ଫୁଲ ଦେଖିଲେ ତୋଳିବା ପାଇଁ ଇଚ୍ଛା ହୁଏ ନାହିଁ । +ଫୁଲଗୁଡ଼ିକ ସବୁ ସତେଜ; ଯେପରି ସୂର୍ଯ୍ୟ, ପବନ ଓ ପାଣି ତିନିହେଁ ମିଶି ସେ ସବୁକୁ ସତେଜ କରୁଛନ୍ତି । +ଏପରି ଫୁଲ ତୋଳିବାକୁ କାହା ମନ ବଳିବ ? ଫୁଲକୁ ଛିଣ୍ଡାଇ ପକାଇଲେ ଫୁଲ ମନରେ କଷ୍ଟ ହେବ ଯେ ! ତା ଦେହରୁ କେତେ ରକ୍ତ ବାହାରିବ ! ହସିଲା ଫୁଲଟି କାନ୍ଦି ପକାଇବ । +ନା, ନା, ଦିଅଁ ଘେନିବେ ପରା ! ଦିଅଁଙ୍କ ପାଇଁ ସେ କାମ କରିବାକୁ ହେବ । +କମଳା ଓ ମୁଁ ଚମ୍ପାଗଛ ଉପରକୁ ଉଠି ଗୀତ ଗାଇ ଗାଇ ଫୁଲ ତୋଳୁ । +ଫୁଲ ନେଇ ଘରେ ମାଳ ଗୁନ୍ଥୁ । +କମଳା ମୋଠାରୁ ଭଲ ମାଳ ଗୁନ୍ଥି ଜାଣେ । +ତା’ ଫୁଲମାଳଟିକି ମତେ ଦିଏ । +ମୋ’ ଫୁଲମାଳଟିକୁ ମୁଁ ତାକୁ ଦିଏ । +ଫୁଲମାଳ ଧରି ଦୁହେଁଯାକ ଆମ ଗାଁ ଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିରକୁ ଯାଉ । +ଠାକୁରଙ୍କୁ ମାଳପିନ୍ଧାଇ ହସି ହସି ଘରକୁ ବାହୁଡ଼ି ଆସୁ । +ଦିନେ ଆମ ଚମ୍ପାଗଛରୁ ଫୁଲ ତୋଳି ଆସୁଥିଲୁ । +ପଞ୍ଝାଏ ଟୋକା ଆସି କହିଲେ- ‘କାଲି ଦେଖିବ; ସବୁ ଆମେ ନେଇଯାଇଥିବୁ । +ତୁମେ ଆସିଲାବେଳକୁ ଗଛରେ ଗୋଟାଏ ହେଲେ ଫୁଲ ନ ଥିବ ।’ +ସେମାନଙ୍କ କଥାଶୁଣି ମୋ’ ମନରେ ଭାରି କଷ୍ଟ ହେଲା । +କମଳା ମୁହଁକୁ ଶୁଖେଇ ଦେଇ ମୋ’ ମୁହଁକୁ ଅନେଇଲା । +କମଳାର କଷ୍ଟ ଦେଖି ମୋ’ ମନରେ ଟକିଏ ରାଗହେଲା । +ଆଚ୍ଛା ଦେଖିବା ସେମାନେ କିମିତି ଆସି ଫୁଲ ନେଇଯିବେ ! ଦୁହେଁ ପ୍ରତିଜ୍ଞା କଲୁ ଯେ ଆରଦିନ ରାତି ଚାରିଟାବେଳେ ଆସି ଫୁଲତକ ନେଇଯିବା । +ସେଦିନ ରାତିରେ ମୋ’ ଆଖିରେ ଆଉ ନିଦ ନାହିଁ-କେତେବେଳେ ଚାରିଟା ବାଜିବ ? +ପିଲାଏ ଆସି ବଗିଚାରୁ ଫୁଲ ନେଇଯିବେ ପରା ? +ତାହାହେଲେ ଆମେ କ’ଣ ତୋଳିବୁ ? +ଦିଅଁ କ’ଣ ଆମ ହାତରେ ଫୁଲ ପିନ୍ଧିବେ ନାହିଁ ? +ଆମେ କି ଦୋଷ କଲୁ ? +ବାର ବର୍ଷର ତପସ୍ୟା କଅଣ ଶୁଖୁଆ ପୋଡ଼ାରେ ଚାଲିଯିବ ? +ଏହିପରି ଭାବି ଭାବି ମନ ଆକୁଳ ହୋଇଗଲା । +ଆଖିରେ ଆଉ ଜମା କଷା ପଡ଼ିଲା ନାହିଁ । +ଖଟ ଉପରେ ଏକଡ଼ ସେକଡ଼ ହୋଇ ଛଟପଟ ହେଉଥାଏ । +ଯିମିତି ଚାରିଟା ବାଜିଲା ମୋ’ ଶୋଇବା ଘର କବାଟଟି ଖୁଡ଼୍‌ କରି ଶବ୍ଦ ହେଲା । +ଦ୍ବାର ଖୋଲି ଦେଖେ ଯେ କମଳା ! ତାକୁ ସେପରି ଭାବରେ ରାତିରେ ଆସିବାର ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଗଲି । +ତେବେ କ’ଣ କମଳା ମଧ୍ୟ ମୋ’ ପରି ରାତିଯାକ ଶୋଇନାହିଁ ? ଫୁଲ ତୋଳିବା ପାଇଁ ତା’ର ଏତେ ଆଗ୍ରହ ? ମୁଁ ତାକୁ କିଛି ନ କହି ଚାଦର ଖଣ୍ଡି ଘୋଡ଼େଇ ହୋଇ ତା’ ସାଙ୍ଗରେ ବଗିଚାକୁ ଗଲି । +ସେତେବେଳକୁ ଆକାଶରେ ଚନ୍ଦ୍ର ଥିଲେ । +ତାରାଗୁଡ଼ିକ ହୀରାଫୁଲ ଫୁଟିଲା ପରି ଆକାଶରେ ଜୁଳୁ ଜୁଳୁ ଦିଶୁଥାନ୍ତି । +ପାହାନ୍ତିଆ ପବନ ଫୁଲରେଣୁ ଉଡାଇ, ବଗିଚାଯାକ ମହକାଇ, ସୁଲୁସୁଲୁ ବହୁଥିଲା । +ଚମ୍ପା ଫୁଲଗୁଡ଼ିକ ବୃନ୍ତାସନରେ ବସି ପବନ ଦୋଳାରେ ଦୋଳୁଥିଲେ । +ବଗିଚାର ଚାରିଆଡ଼େ ଚନ୍ଦ୍ରକିରଣ ହସୁଥିଲା । +ଫୁଲ ଉପରେ ଚନ୍ଦ୍ରକିରଣ, ପତ୍ର ଉପରେ ଚନ୍ଦ୍ରକିରଣ ସବୁଠେଇଁ ଚନ୍ଦ୍ରକିରଣ । +ଯେଉଁଠି ଚନ୍ଦ୍ରକିରଣ ପଡ଼ୁଥିଲା ନିଜେ ହସି ପରକୁ ହସାଉଥିଲା । + ବଗିଚାଟି ଯେପରି ଚନ୍ଦ୍ରର ରାଜ୍ୟ ! +କିନ୍ତୁ ଏ ସବୁ ଦେଖିବା ପାଇଁ ଆମର ଆଖି ନାହିଁ ? ଆମ ମନ ରହିଲା ଫୁଲ ତୋଳିବା ଉପରେ । +କାଳେ ଟୋକାଏ ଆସି ଫୁଲ ନେଇ ଯାଇଥିବେ ! ବଗିଚାରେ ପହଞ୍ଚିଲାକ୍ଷଣି ଦୁହେଁଯାକ ମାଙ୍କଡ଼ ପରି ଗଛ ଉପରକୁ ଚଢ଼ିଗଲୁ । +କମଳା ଗୋଟିଏ ଜାଗାରେ ବସି ଫୁଲ ତୋଳିଲା । +ମୁଁ ଆଉ ଗୋଟିଏ ଜାଗାରେ ବସି ଫୁଲ ତୋଳିବାକୁ ଲାଗିଲି । +ମୋ ପାଖରେ ଫୁଲତକ ତୋଳିସାରି କମଳା ଯେଉଁ ଡାଳରେ ବସି ଫୁଲ ତୋଳୁଥିଲା ସେଠିକି ଗଲି । +ସେଠିକି ଯାଇ ଦେଖିଲି ଯେ, ଆଗ ଡାଳର ଫୁଲଗୁଡ଼ାକ କମଳା ତୋଳିପାରୁ ନାହିଁ । +ମୋତେ ଦେଖି ସେ ଘୁଞ୍ଚିଗଲା ଓ କହିଲା- ‘ତୁମେ ସେଠାକୁ ଯାଅନା, ସରୁ ଡାଳ ଭାଙ୍ଗିଯିବ ।’ +ମୁଁ କିନ୍ତୁ ତା କଥା ଶୁଣିଲି ନାହିଁ । +ଆଜି ବଗିଚାରେ ଗୋଟାଏ ସୁଦ୍ଧା ଫୁଲ ରଖିବାକୁ ଦେବି ନାହିଁ । +ଆଜି ଫୁଲଯାକ ଦିଅଁ ପିନ୍ଧିବେ- ଆଉ କେହି ନେଇ ପାରିବେ ନାହିଁ । +ସେଥିପାଇଁ କମଳା କଥା ନ ଶୁଣି ଡାଳ ଉପରକୁ ଉଠିଲି । +ଖୁବ୍‌ ସାବଧାନ ହୋଇ ଫୁଲ ସବୁ ତୋଳିଲି; ଗୋଟାଏ ଫୁଲ ରହିଗଲା । +ଯେତେ ଚେଷ୍ଟା କଲେ ସୁଦ୍ଧା ସେ ଫୁଲଟି ତୋଳି ପାରିଲି ନାହିଁ । +ଆଉ ଟିକିଏ ଉପରକୁ ଉଠିଲି । +ଯେଉଁ ଡାଳରେ ଫୁଲଟି ଥିଲା ହାତ ଲମ୍ବାଇ ସେ ଡାଳଟି ଧଇଲି । +ଡାଳ ଉପରେ ହାତ ଦେଇ ଧୀରେ ଧୀରେ ଫୁଲ ନିକଟକୁ ହାତ ନେବାପାଇଁ ଚେଷ୍ଟା କଲି । +ଫୁଲଟି ଠିକ୍‌ ଛୁଇଁବାକୁ ଯାଉଛି, ଡାଳଟି ଭାଙ୍ଗିଗଲା । +ଡାଳ ଭାଙ୍ଗିବା ସଙ୍ଗେ ସଙ୍ଗେ ମୁଁ ଯେଉଁ ଡାଳଟି ହାତରେ ଧରିଥିଲି ସେ ଡାଳ ମଧ୍ୟ ଭାଗିଗଲା । +ଆଉ ଆଶ୍ରୟ ନାହିଁ । +ଭୂମି ଉପରେ ଦୁମ୍‌ କରି କଚାଡ଼ି ପଡ଼ିଲି । +ଦେହ ମୁଣ୍ଡ ସବୁ ଖଣ୍ଡିଆ ହୋଇଗଲା । +ପ୍ରାୟ ଦୁଇ ମିନିଟ୍‌ ପରେ ଅଚେତ ହୋଇଗଲି । +ତା’ ପରେ ଆଉ କ’ଣ ହେଲା ଜାଣେ ନାହିଁ । +ଦୁଇ +ଯେତେବେଳେ ମୋର ଚେତନା ଆସିଲା ଦେଖିଲି ଯେ ମୁଁ ଗୋଟିଏ କୋଠାରୀରେ ଖଟ ଉପରେ ଶୋଇଛି ଓ ମୋ ପାଖରେ ଜଣେ ସାହେବ ଚଉକି ଉପରେ ବସିଛନ୍ତି । +ବାପା ମଧ୍ୟ ଆଉ ଗୋଟିଏ ଚଉକିରେ ସାହେବ ପାଖରେ ବସିଛନ୍ତି । +ମୁଁ ଯିମିତି ଆଖି ମେଲି ଚାହିଁଲି, ସାହେବ ଇଂରାଜୀରେ କଟର ମଟର ବାପାଙ୍କୁ କ’ଣ କହିଲେ । +ବାପା ମଧ୍ୟ ସାହେବଙ୍କୁ ଇଂରାଜୀରେ ଜବାବ ଦେଲେ । +ପରେ ସାହେବ ବାପାଙ୍କୁ ଆଉ କ’ଣ କହି ଧୀରେ ଧୀରେ ଚାଲିଗଲେ । +ସାହେବ ଚାଲିଗଲା ପରେ ମା’ ଓ ବହୂ ଦୁହେଁଯାକ କୋଠରୀ ଭିତରକୁ ଆସିଲେ । +ଘା’ ମୁଣ୍ଡ ଆଉଁସିବାକୁ ଲାଗିଲେ । +ବହୁ ପିଠି ପାଖରେ ବସି ପିଠି ଆଉଁସିଲେ । +ଆଜି ମା’ ବହୂ ଦୁହିଁଙ୍କ ଆଖିରେ ଲୁହ । +ବାପା ମଧ୍ୟ କାନ୍ଦୁଛନ୍ତି । +ମୁଁ ଏଥିର କାରଣ କିଛି ବୁଝି ପାରିଲି ନାହିଁ । +ମୁଁ କେଉଁଠି ଅଛି । +ସେଠାକୁ କିପରି ଆସିଲି ଏ ସବୁ ଜାଣିବା ପାଇଁ ମୋର ଭାରି ଆଗ୍ରହ ହେଲା; କିନ୍ତୁ ଯେତେ ଚେଷ୍ଟା କଲେ ସୁଦ୍ଧା ଜାଣି ପାରିଲି ନାହିଁ । +ମା’ଙ୍କୁ କ’ଣ କରିବାକୁ ଆଦେଶ ଦେଇ ବାପା କୋଠରୀରୁ ଚାଲିଗଲେ । +ବହୂ ଏକା ମୋ ପାଖରେ ରହିଲେ । +ତାଙ୍କ ଆଖିରୁ ଝର ଝର ଲୁହ ଗଡ଼ୁଛି । +ସବୁବେଳେ ମୋ ଦେହକୁ ଆଉଁସୁଛନ୍ତି । + ବାପା ମା’ ଚାଲିଯିବାରୁ ବହୂଙ୍କୁ ପଚାରିଲି- ‘ବହୂ, ଏଠିକି କାହିଁକି ଆସିଛେ ? ଏଠିକି ଆମକୁ କିଏ ଆଣିଲା ? +ମୋ କଥା ଶୁଣି ବହୂ ଆହୁରି କାନ୍ଦିଲେ । +ପଣତରେ ଲୁହ ପୋଛି କହିଲେ- ‘ଡାକ୍ତର ମନା କରିଛନ୍ତି ।’ +ସତକୁ ସତ ବୋହୂଙ୍କ ମୁହଁରୁ କଥା ନ ସରୁଣୁ ମୋ ଦେହଯାକ ଭାରି ପୋଡ଼ିବାକୁ ଲାଗିଲା । +ଘା’ରୁ ରକ୍ତ ବାହାରିବାକୁ ଲାଗିଲା । +ମୁଁ ପୁଣି ଅଚେତ ହୋଇପଡ଼ିଲି । +ଏପରି କେତେବେଳଯାଏ ମୁଁ ଅଚେତ୍‌ ହୋଇପଡ଼ିଲି ଭଗବାନ ଜାଣନ୍ତି; କିନ୍ତୁ କେଜାଣି କାହିଁକି ମୋତେ ସେ ଅବସ୍ଥାଟି ଭଲ ଲାଗିଲା । +ଈଶ୍ବରଙ୍କ ରାଜ୍ୟରେ ପ୍ରତ୍ୟେକ ପଦାର୍ଥର ଉପକାରିତା ଅଛି । +ମୂର୍ଚ୍ଛାମରଣ ସଙ୍ଗେ ସମାନ ହେଲେ ସୁଦ୍ଧା କ୍ଷଣକ ପାଇଁ ମନୁଷ୍ୟକୁ ସଂସାରର ଦୁଃଖ ସୁଖରୁ ଅନେକ ଦୂରକୁ ନେଇଯାଏ । +ଯେଉଁ ବିଷ ମନ୍ୟୁଷର ପ୍ରାଣ ନିଏ, ସେହି ବିଷ ପୁଣି ଔଷଧ ରୂପେ ମନୁଷ୍ୟକୁ ରକ୍ଷା କରେ । +ଭଗବାନଙ୍କ ଲୀଳା କିଏ ବୁଝି ପାରିବ ? ମୁଁ ଯେତେବେଳ ଯାଏଁ ମୂର୍ଚ୍ଛିତ ଅବସ୍ଥାରେ ଥିଲି ମୋର ଦୁଃଖ ସୁଖ ଜ୍ଞାନ ନ ଥିଲା । +ସେତେବେଳେ ମୁଁ କେଉଁ ରାଜ୍ୟରେ ବୁଲୁଥିଲି, ଭଗବାନ ଜାଣନ୍ତି । +କିନ୍ତୁ ବେଶିବେଳଯାଏ ଏ ସୁଖ ଭୋଗ କରି ପାରିଲି ନାହିଁ । +ପୁଣି ଶୀଘ୍ର ମୋର ଚେତନା ହେଲା । +ଆଖି ଖୋଲି ଦେଖିଲି ଯେ ମା’ ଘା’ ସବୁ ଧୋଇକରି ସେଥିରେ ମଲମ ଲଗାଉଛନ୍ତି । +ବୋଉ ପଙ୍ଖା ଧରି ବିଞ୍ଚୁଛନ୍ତି । +ଏପରି ମୂର୍ଚ୍ଛା ଓ ଚେତନାର କେତେ ଅଭିନୟ ହେଲା, ଲେଖିବାକୁ ଶକ୍ତି ନାହିଁ । +ସେ କଥା ଆଜି ମନେ ପଡ଼ିଲେ ଲେଖନୀ ଥରି ଯାଉଛି, ହୃଦୟ ଅବସନ୍ନ ହୋଇ ଯାଉଛି, ଆଖିରୁ ଅବିଶ୍ରାନ୍ତ ଲୁହ ଗଡ଼ୁଛି । + ଓଃ ଦୁଃଖର ସମୟ ଏତେ କଠିନ-ଏତେ ନିଷ୍ଠୁର ! ଭଗବାନ ଏ ଦୁଃଖ ମଧ୍ୟରେ କି କି ସୁଖ ନିହିତ କରିଅଛନ୍ତି, କିଏ କହିପାରେ ? +ମନୁଷ୍ୟର ଅବସ୍ଥା ଚିରଦିନ ସମାନ ନ ଥାଏ । +ଦୁଃଖ ପରେ ସୁଖ-ସୁଖ ପରେ ଦୁଃଖ ଲାଗିଛି । +‘ଚକ୍ରବତ୍‌ ପରିବର୍ତ୍ତନ୍ତେ ଦୁଃଖାନି ଚ ସୁଖାନି ଚ ।’ +ମୋର ଦୁଃଖ ମଧ୍ୟ ବେଶିଦିନ ରହି ନ ଥିଲା । +ଭଗବାନଙ୍କ କୃପାରୁ ଶୀଘ୍ର ଆରୋଗ୍ୟ ଲାଭ କଲି । +ସେ ଆଜି ଅନେକ ଦିନର କଥା । +ଏଥିମଧ୍ୟରେ ଅନେକ ପରିବର୍ତ୍ତନ ହୋଇ ଗଲାଣି । +ବାପା ମତେ ଆଉ ଗାଁକୁ ଛାଡ଼ୁ ନାହାନ୍ତି । +ତାଙ୍କ ପାଖେ ରହି କଟକରେ ପାଠ ପଢୁଛି । +ମା’ ହେରିକା ମୋ ଦେହ ଭଲ ହେଲାରୁ ଗାଁକୁ ଚାଲିଗଲେ । +ବାପା କଟକରେ ଓକିଲାତି କରନ୍ତି । +ଗାଁରେ ଜମିଦାରୀ ବୁଝିବା ପାଇଁ କେହି ନ ଥିବାରୁ ମା’ କଟକକୁ ଆସି ପାରନ୍ତି ନାହିଁ । +ଭାଇ ଏ ବର୍ଷ ବି.ଏ. ପାସ୍‌ କରି କଲିକତାରେ ଏମ୍‌.ଏ. ପଢ଼ୁଛନ୍ତି । +ମୁଁ ମାଟ୍ରିକୁଲେସନ୍‌ ପାସ୍‌ କରି କଟକ କଲେଜରେ ପଢ଼ୁଛି । +ମୁଁ ଚମ୍ପା ଗଛରୁ କି ଲଗ୍ନରେ ପଡ଼ିଲି କେଜାଣି ପିଲାକାଳ କଥା ଆଉ ଜମା ମନେ ନାହିଁ । +ଗାଁକୁ ଯିବା ପାଇଁ ଆଉ ଜମା ଇଚ୍ଛା ହେଉ ନାହିଁ । +ବାପା ମଧ୍ୟ ମତେ ଆଉ ଗାଁକୁ ଛାଡ଼ି ଦେଉ ନାହାନ୍ତି । +ମା’ ଯେତେ ଲେଖିଲେ ସୁଦ୍ଧା ବାପା ମାନୁନାହାନ୍ତି । +ତାଙ୍କ ଇଚ୍ଛା, ପଢ଼ା ଶେଷ ହେବାଯାଏଁ ମୁଁ କଟକରେ ରହିବି । +ମୋର ମଧ୍ୟ ସେହି ଇଚ୍ଛା । +ବାପା କଟକରେ କାହାରି ସଙ୍ଗେ ମୋତେ ମିଶିବାକୁ ଦିଅନ୍ତି ନାହିଁ । +ସେ କହନ୍ତି, ‘କଟକ ସହର କଳିର ରାଜଧାନୀ । +ଏପରି ସ୍ଥାନରେ ପିଲାମାନଙ୍କୁ ଆକଟ କରି ରଖିବା ଉଚିତ୍‌ ।’ +ମା’ ମଧ୍ୟ ଦିନେ କହୁଥିଲେ- ‘କଟକ ସହର, ଦେଖିକରି ଚାଲିବ । +ସେଠେଇଁ ମାଟି ପଥର ମଧ୍ୟ କଥା କହନ୍ତି ।’ +ତେବେ କଟକରେ ସମସ୍ତେ ଯେ ଖରାପ ଏ କଥା କିଏ କହିବ ? +ସେ ଯାହାହେଉ, ବାପାଙ୍କ କଥା ମାନିବା ହିଁ ମୋର କାର୍ଯ୍ୟ । +ଦିନେ ମୁଁ ଘରେ ବସି ପଢ଼ୁଛି । +ଡାକବାଲା ଆସି ମୋ ହାତରେ ଚିଠି ଖଣ୍ଡିଏ ଦେଇଗଲା । +ଚିଠି ଖୋଲି ପଢ଼ିଲି; କିନ୍ତୁ ତହିଁର ଅର୍ଥ ବୁଝି ପାରିଲି ନାହିଁ । +ହସ୍ତାକ୍ଷର ଯେପରି ମୁଁ କେବେ ଦେଖିଛି ! କି ସୁନ୍ଦର ମୁକ୍ତାପରି ଅକ୍ଷର ! ଅତୀତର ଗର୍ଭ ତନ୍ନ ତନ୍ନ କରି ଖୋଜିଲି; କିନ୍ତୁ କୌଣସିଠାରେ କିଛି ପାଇଲି ନାହିଁ । +ଚିଠି କିଏ ଲେଖିଛି ? ମୋ ଠାକୁ କାହିଁକି ଲେଖିଛି ? ମୋ ସଙ୍ଗେ ତା’ର କି ସମ୍ପର୍କ ? ଏ ସବୁ ଜାଣିବା ପାଇଁ ଅନେକ ଚେଷ୍ଟା କଲି; କିନ୍ତୁ କିଛି ଠିକ୍‌ କରି ପାରିଲି ନାହିଁ । + ପୁଣି ଚିଠି ଖୋଲି ପଢ଼ିଲି- +‘ବିନୋଦ ବାବୁ, +ମୋର ପରିଚୟର ଭୂମିକା ଅନାବଶ୍ୟକ । +ବର୍ତ୍ତମାନ ମୋର ଅନ୍ତିମକାଳ ଉପସ୍ଥିତ । +ତୁମକୁ ଦେଖିବା ପାଇଁ ମୋ ମନ ଅତିଶୟ ବ୍ୟାକୁଳ । +ଯଦି ପୂର୍ବ ପରିଚୟର ଆଦର ଥାଏ, ଶୀଘ୍ର ଆସି ମୋର ଉତ୍କଣ୍ଠା ଦୂର କରିବ । +ଇତି । +ତୁମର +କ-’ +ଚିଠି ପଢ଼ି ମୋ ମନ ବ୍ୟାକୁଳ ହେବାକୁ ଲାଗିଲା । +ମୁଁ ଯେପରି ଅନ୍ଧକାର ମଧ୍ୟରେ ଆଲୋକ ଦେଖିବାକୁ ପାଇଲି । +କିଏ ଯେପରି ମୋ ନିକଟକୁ ଆସି କାଳେ କହିଲା- ‘ଯାଅ, ବିଚାରୀ ତୁମ ପାଇଁ କେତେ କଷ୍ଟ ପାଉଛି ।’ +କିନ୍ତୁ ବିଚାରୀ କିଏ ? ସେ ମୋ ପାଇଁ କାହିଁକି କଷ୍ଟ ପାଉଛି ? +ଏ କେତେ ଦିନ ମୋ ହୃଦୟ ଯନ୍ତ୍ରର ତାର ଛିଣ୍ଡି ଯାଇଥିଲା । +ଯନ୍ତ୍ର ଲୟ ବିଶିଷ୍ଟ କରିବା ପାଇଁ କେତେ ଚେଷ୍ଟା କରିଥିଲି; କିନ୍ତୁ ମୋର ସକଳ ଚେଷ୍ଟା ବିଫଳ ହୋଇଗଲା । +ଏ ଚିଠି ପଢ଼ିଲାକ୍ଷଣି ଛିନ୍ନ ତାରଗୁଡ଼ିକ ପୁଣି ଯୋଡ଼ି ହୋଇଗଲା । +ହୃଦୟ ଯନ୍ତ୍ର ପୁଣି ଲୟ ବିଶିଷ୍ଟ ହେଲା । +କେଉଁ ଅଜ୍ଞାତ ରାଜ୍ୟର ଛବି ମୋର ସ୍ମୃତିପଟରେ ଅଙ୍କିତ ହେଲା । +ଏ ମୂର୍ତ୍ତି ମୁଁ ଅନେକଥର ଦେଖିଛି । +ତା’ ସଙ୍ଗେ କେତେ ଖେଳିଛି । +ଶୟନରେ, ଜାଗରଣରେ ତାହାର ମୂର୍ତ୍ତିକୁ ଧ୍ୟାନ କରି କେତେ ସୁଖ ପାଇଛି । +ଛି ମୁଁ ଏତେ କୃତଘ୍ନ ! ଆଜି ଏ ସ୍ନେହମୟୀ ମୂର୍ତ୍ତି ମୋ ସ୍ମୃତି ପଟରୁ ଲୁପ୍ତ ! ମୋତେ ଦେଖିବା ପାଇଁ ସେ ଏତେ ବ୍ୟାକୁଳ; କିନ୍ତୁ ମୁଁ ତ ତା’ କଥା ଘଡ଼ିଏ ହେଲେ ଭାବୁ ନାହିଁ । + କବି ଯଥାର୍ଥ କହିଛନ୍ତି- +କମଳା ! ସ୍ନେହମୟୀ କମଳା ! ତୋର ବାଲ୍ୟ ସହଚରକୁ ତୁ ଏତେ ଭଲ ପାଉ ! ତା’ ପାଇଁ ତୋର ଏତେ ଉତ୍କଣ୍ଠା ! କିନ୍ତୁ ତୋର ସେ ସୁନ୍ଦର ମୁଖ ଆଉ ଦେଖି ପାରିବି କି ? ତୁ ସ୍ବର୍ଗର ଜୀବ । + ତୋର ଚତୁର୍ଦ୍ଦିଗରେ ଦେବତାମାନେ ! ସେ ରାଜ୍ୟକୁ ଯିବାକୁ ମୋର ଅଧିକାର ଅଛି କି ? +ଆଉ ଭାବି ପାରିଲି ନାହିଁ । +ହୃଦୟ କମଳାମୟ ହୋଇଗଲା । +ଯେଉଁଠାରେ ଅନାଇଲି ସେହିଠାରେ କମଳା । +ଆକର୍ଷଣ ପ୍ରଭାବରେ ଭଗବାନ ଟଳିଯାନ୍ତି, ମନୁଷ୍ୟ ଛାର କେତେ ମାତ୍ର ! ବାପାଙ୍କୁ କହି ସେଦିନ ଟ୍ରେନ୍‌ରେ ଗାଁକୁ ବାହାରିଗଲି । +ଗାଁକୁ ଗଲାବେଳକୁ ପ୍ରଭାତ ହେବାକୁ ଅନେକ ବାକି ଅଛି । +ଗାଁରେ କୌଣସିଠାରେ କିଛି ଶବ୍ଦ ନାହିଁ । +ଚତୁର୍ଦ୍ଦିଗ ନିସ୍ତବ୍ଧ, କିନ୍ତୁ କମଳା ଘର ନିକଟକୁ ଯାଇ ଦେଖେ, ଯେ କାନ୍ଦ ବୋବାଳି ଲାଗିଛି । +ସେ କ୍ରନ୍ଦନ ଶୁଣି ମୋର ହୃଦୟ ଚମକି ଉଠିଲା । +ମୁଁ ଉନ୍ମତ୍ତପ୍ରାୟ ଘର ଭିତରେ ପ୍ରବେଶ କଲି । +ଘର ଭିତରକୁ ଯାଇ ଦେଖେ, ଅଗଣାରେ ଅନେକ ଲୋକ ଜମା ହୋଇଛନ୍ତି । +କମଳାର ପ୍ରଶାନ୍ତ ମୂର୍ତ୍ତି ଗୋଟିଏ ଖଟ ଉପରେ ସ୍ଥାପିତ ହୋଇଅଛି । +ଓଃ, କି ଭୀଷଣ ଦୃଶ୍ୟ ! ମୁଁ ଆଉ ରହି ପାରିଲି ନାହିଁ । +କମଳା ନିକଟକୁ ଯାଇ ତାକୁ ଆଲିଙ୍ଗନ କରି କମ୍ପିତ କଣ୍ଠରେ କହିଲି- ‘କମଳା ! କମଳା !’ ଆଉ କହି ପାରିଲି ନାହିଁ । +ମୋର ବାକ୍ୟ ରୁଦ୍ଧ ହୋଇଗଲା । +ମୋ କଥା ଶୁଣି କମଳାର ଯନ୍ତ୍ରଣା-କାତର ଓ ବିଷର୍ଣ୍ଣ ମୁଖରେ ଏକ ଅପୂର୍ବ ଜ୍ୟୋତି ଫୁଟି ଉଠିଲା । +ନିମୀଳିତ ନେତ୍ର ଦ୍ବୟ ଉନ୍ନୀଳିତ ହେଲା; କିନ୍ତୁ ପୁଣି ଘୋର ଅନ୍ଧକାର । +କମଳାର ପିଣ୍ଡ ଛାଡ଼ି ପ୍ରାଣ ଚାଲିଗଲା । +କମଳାର ପ୍ରାଣହୀନ ଦେହ ନିଶ୍ଚଳ ହେଲା । +ମୋର ସକଳ ଆଶା ଭରସା ବିଲୁପ୍ତ ହେଲା । +ଚତୁର୍ଦ୍ଦିଗ ଅନ୍ଧାକର ଦିଶିଲା । +କମଳାର ଶୀତଳ ଦେହକୁ କ୍ରୋଡ଼ରେ ରଖି କାନ୍ଦିବାର ଲାଗିଲି । +ସେ ଦେହରେ ସ୍ବର୍ଗୀୟ କାନ୍ତି ଝଲସି ଉଠୁଥିଲା । + ଲାବଣ୍ୟମୟ ଓ ମହିମାମଣ୍ଡିତ ମୁଖ ମଣ୍ଡଳ ଅବିକୃତ, ଜ୍ୟୋତିର୍ମୟ ! +ପ୍ରଭାତ ତରୁଣ ଅରୁଣାଲୋକ କମଳାର ମୃତ୍ୟୁ-ମଣ୍ଡିତ ବଦନ ମଣ୍ଡଳରେ ଆସି ପଡ଼ିଲା । +ସ୍ନିଗ୍‌ଧ ପ୍ରଭାତ ସମୀର ତା’ର ନିତମ୍ବସ୍ପର୍ଶୀ କେଶ ଦାମ ସଙ୍ଗେ କ୍ରୀଡ଼ା କରିବାକୁ ଲାଗିଲା । +ସ୍ବର୍ଗର ଜୀବ ସ୍ବର୍ଗକୁ ଚାଲିଗଲା । +କିନ୍ତୁ….. ! ଆଜି ଜାଣିଲି ବାପା କାହିଁକି ମୋତେ ଗାଁକୁ ଛାଡ଼ି ଦେଉ ନ ଥିଲେ । + କିନ୍ତୁ ଆଉ କାହିଁକି ! ସବୁ ଶେଷ !!