From 22309e96d8785b13419828744c84c7a32689b508 Mon Sep 17 00:00:00 2001 From: Nayan Ranjan Paul Date: Sat, 17 Sep 2022 12:33:19 +0530 Subject: [PATCH] Upload New File --- .../odiasahitya.com/sent_odiasahitya_galpa_28 | 183 ++++++++++++++++++ 1 file changed, 183 insertions(+) create mode 100644 Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_galpa_28 diff --git a/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_galpa_28 b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_galpa_28 new file mode 100644 index 0000000..b91122c --- /dev/null +++ b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_galpa_28 @@ -0,0 +1,183 @@ +ଚୁନୁର ପାପ +ମୋନାଲିସା ମିଶ୍ର +ତା: ମାର୍ଚ୍ଚ୍ ୧୫, ୨୦୧୧ +ମୂଳ ପୃଷ୍ଠା → ଗଳ୍ପ → ଆଧୁନିକ → +ମମ୍, ହାଏ +ମୁଁ ଜାଣିପାରୁଛି ତମେ ଏବେ କଣ କରୁଥିବ । +ଆଜି ତ ଟିଭି ସିରିଏଲରେ ତମ ମନ ଆଦୌ ନଥିବ । +ତମେ ଖାଲି ଘରକୁ ବାହାର ହେଉଥିବ । +ରିଲାକ୍ସ ମମ୍, ରିଲାକ୍ସ । +କାରଣ ଆଗକୁ ଆହୁରି ଅନେକ ଅଛି, ଯେଉଁଥିରେ ତମ ଛାତି ଥରିଯିବ କି ପାଦତଳୁ ଭୂମି ଖସିଯିବ । +ତମେ ମତେ କେତେ ଘଣ୍ଟା ଖୋଜିଲଣି? ଦୁଇ ଘଣ୍ଟା! ନା, ଆଠ? ଖୋଜ କେତେ ଖୋଜୁଛ । +ମତେ କିଛି ଫରକ୍ ପଡିବନି, ଡଜ୍ ନଟ୍ ମ୍ୟାଟର ଟୁ ମି । +ମମ୍, ୟାର୍, ମୁଁ ତୋ ପଞ୍ଜୁରୀରେ ସଜା ହୋଇରହିଥିବା ମିଟୁ ଟିଏ ନୁହେଁ । +ଏମିତି ବି ପକ୍ଷୀ ମାନଙ୍କର କିଛି ସ୍ବାଧୀନତା ଅଛି, ମନ ହେଲେ ଖାଇବେ, ନହେଲେ ଟିକ୍ ଟିକ୍ କରି କାଟିକି ଫିଙ୍ଗିବେ, ଉଡିବେ । +ହେଲେ ମତେ! ତୋ ତୁଳସୀ ପତ୍ର ରସ, ପୋଦିନା ଚଟଣୀ, ତୋର ସେ ଚୁଡା, ଛତୁଆ ସବୁକୁ ଗିଳିବାକୁ ହୁଏ । +ଏବେ ମୁଁ ଜାଣି ଗଲିଣି କେମିତି ନିଜ ଇଚ୍ଛାରେ ଚଳିବାକୁ ହୁଏ । +ମୋର ଗୋଟିଏ ସିକ୍ରେଟ ଅଛି । +ଟିକେ ସ୍ଥିର ହେଇ ଶୁଣ୍ । +ମତେ ଗୋଟେ ସୁନ୍ଦର ଗାର୍ଲଫ୍ରେଣ୍ଡ ମିଳି ଯାଇଛି । +ଅଫ୍‌କୋର୍ସ, ଏବେ କେବଳ ଜଣେ ଅଛି । +ଆଉ ଗୋଟେ ସିକ୍ରେଟ୍ । +ତମେ ମୋ ପାଇଁ ବାଇକ୍ ନ କିଣିଲେ କଣ ହେଲା ? ଦେଖ, ମୋର ଫ୍ରେଣ୍ଡ୍‌ସମାନଙ୍କୁ, କେତେ କେୟାରିଙ୍ଗ୍ । +ମୋ ସାଙ୍ଗ ରିଜୁ ଅଗ୍ରୱାଲ୍, କିଛିଦିନ ପାଇଁ ତା ବାଇକ୍ ମତେ ଦେଇଛି, ତିନି ମାସ ପାଇଁ ସେ ଗାଡି ମୋର । +ପାପା, ସେଦିନ ୫୦୦୦ ଡ୍ର କରିଥିଲେ ନା ! +ସେ ଟଙ୍କା ମୁଁ ନେଇଛି, ରିଜୁକୁ ଦେଇଛି । +ଆଉ ବାଇକ୍‌ରେ କି ମଜ୍ଜା । +ଆମେ ଲଙ୍ଗ୍ ଡ୍ରାଇଭ୍‌ରେ ଯାଇଥିଲୁ । + ନ୍ୟାସ୍‌ନାଲ ହାଇୱେରେ ଜାଣ, ଉଡିଲୁ, ଉଡିଲୁ ତ ଆମେ, ମାନେ କିଏ ଭାବୁଛ? +ମୁଁ ଆଉ ତମନ୍ନା । +ଭେରି କ୍ୟୁଟ୍ ଗାର୍ଲ ମମ୍ । +ୱାଃ…. ଭେରି ଲଭ୍‌ଲି । +କି ଗାଲମ! ଯେମିତି ବଟର୍ ମେଲ୍ଟ୍ ହେଇ ଅଜାଡି ପଡିଛି । +ସେ ପଛରୁ ମୋ ଅଣ୍ଟାକୁ ଯେମିତି କୁଣ୍ଢେଇ ଧରିଛି, ମତେ ତ ନିଜକୁ ସୁପର୍ ମ୍ୟାନ୍ ପରି ଲାଗିଲା । +ମୁଁ ତମମାନଙ୍କ ସଙ୍ଗେ ଏତେଦିନ କାହିଁକି ବୁଲୁଥିଲି । +ମନସ୍ତାପ କଲି । +ମମ୍, ତମେ ଭାବୁଛ କି ମତେ ଲାଜ କେମିତି ଲାଗୁନି? କମ୍ ଅନ୍, ବି ସ୍ମାର୍ଟ୍ । +ଯୁଗ କେତେ ବାଟ ଗଲାଣି ଜାଣିଛ? ମୁମ୍ବାଇର କିଛି ପ୍ୟାରେଣ୍ଟସ୍ ଏମିତି ଅଛନ୍ତି, ଯେଉଁମାନେ ତାଙ୍କ ପୁଅର ଗାର୍ଲଫ୍ରେଣ୍ଡକୁ ଘରକୁ ଡାକି, ଗୋଟେ ରୁମ୍ ଛାଡିଦେଇ କବାଟ ବନ୍ଦ କରିଦେଉଛନ୍ତି । +ନୋ କମ୍ପ୍ଲେନ୍ । +ହେଲେ, ତମେମାନେ ଯୋଉ ଗଁୱାର କୁ ସେଇ ଗଁୱାର । +ମୁଁ ଏବେ ଗୋଟେ ନାଇଟ୍ କ୍ଲବ୍‌ରେ ମେମ୍ବର୍ ହୋଇଛି । +କିଛି ଯଦି ଲଫଡା କରିବ ତ ଦେଖିବ । +ମତେ ସେ ତମ ନରସିଂହପୁର ଗ୍ରାମର ମନମୋହନ ମିଶ୍ର ପଣ୍ଡିତ ମହାଶୟଙ୍କ ପୁତ୍ର ହରମୋହନ ମିଶ୍ରଙ୍କର ପୁତ୍ର ମାସୁମ୍ ମିଶ୍ର କରି ରଖିଥିବ କି? +ମୁଣ୍ଡର ଏ ତେଲ, ଧଳା ଚେକ୍‌ର ସାର୍ଟ ଖଣ୍ଡେ, ହଜାରେ ପୂଜା ପାଠ ଶିଖେଇ ତମ ମନ ଲାଖି କଣ୍ଡେଇଟିଏ ବୋଲି ଭାବିଲ କି? +ଆଇ ଆମ୍ ଫ୍ରି । +ଗାଁକୁ ଯିବାର ନାଁ ଧରିବ ତ, ଘରେ ନିଆଁ ଲଗେଇଦେବି । +ଆଉ ବାଇକ୍ କଥାଟା ଶୀତଳ ଭଣ୍ଡାରକୁ ପଳେଇଛି ବୋଧେ, ନିକାଲୋ, ନିକାଲୋ, ନହେଲେ ଘରେ ରଖେଇ ଦେବିନି । +“ଏଇ ଶୁଣୁଛ, ସେଠି ଠିଆ ହେଇ କଣ ପଢୁଛ? ନା ମୂର୍ତ୍ତି ବନି ଯାଇଛ! ଏମିତି ବଡ ବଡ ଆଖି କରି କଣ ଦେଖୁଛ?” +ପତ୍ନୀଙ୍କ କଥା ପରେ ସେ ଜାଣି ପାରିଲେ ଯେ, ତାଙ୍କ ହାତ ଥରୁଛି । +ଗୋଡ ବି ସଳଖ ହେଇ ରହିପାରୁନି । +ପେଟ ଘାଣ୍ଟି ହେଇଯାଉଛି । + “ଇଏ କି ଚିଠି!” +“ଜାଣିଲଣି, ପଟ୍ଟନାୟକ ବାବୁଙ୍କ ଝିଅ ୯୨.୫%, ସିନୁ ୯୮.୪% ଆଉ ପ୍ରଧାନ ବାବୁଙ୍କ ପୁଅ ଟିକେ କମିଗଲା ୮୯% ବୋଲି କନ୍ଦାକଟା କରୁଛି । + ଆଉ ଆମ ଗୁଣମନ୍ତ!” +ନା, ତମେ କିଛି ଶୁଣନି । +ଖାଲି ପତ୍ରିକା ପଢ, ଅଫିସ୍ ଫାଇଲ୍‌ରେ ମୁଣ୍ଡଟା ଝୁଙ୍କେଇ ବସିଥାଅ । +ପୁଅ ପାଇଁ କିଛି ସ୍ବପ୍ନ ଅଛି କି ନାହିଁ, ନା ତମରି ପରି ସରକାରୀ ଅଫିସରଟିଏ ହେଇ ଯୋଉ କାମ କହିଲେ ପଇସା ନାହିଁ, ପଇସା ନାହିଁ ହେଉଥିବ ।” +ହରମୋହନ ଆଉ ଠିଆ ହେଇ ପାରିଲେନି । +ମୁଣ୍ଡ ବୁଲେଇ ଯାଉଛି, ଚିଠି ତ ଆହୁରି ଫର୍ଦ୍ଦେ ଅଛି । +ଡର ଲାଗିଲା, ଆହୁରି ପୁଣି କଣ ଲେଖିଥିବ! ଇଏ ତାଙ୍କ ଗେଲବସର ପୁଅ ଚୁନୁର ହାତଲେଖା ତ! +ଡରି ଡରି ଚିଠିର ତଳ ଭାଗ ଆଡେ ଆଖି ପକେଇଲେ ହରମୋହନ “ମମ୍, ତମେ ଗୋଟେ ଜିନିଷ ବିଷୟରେ ଜାଣିଛ! +ଧଳା ଧଳା, ଗୁଣ୍ଡ ଗୁଣ୍ଡ ପାଉଡର୍ ପରି । +ମତେ ସେଇଟା ରିଜୁର ବଡ ଭାଇ ଥରେ ଚଖେଇ ଦେଇଥିଲା| ୱାଃ…..ୱାଃ…. ଫେଣ୍ଟାଷ୍ଟିକ୍ । +ସ୍ବପ୍ନ ରାଇଜଟା ତ ପୂରା ଓହ୍ଲେଇ ଆସିଲା । +ମତୁଆଲା… ଝୁମିଲା ଭଳିଆ ଅବସ୍ଥା । +ସେଥିରେ ଲିସୁ, ଜେନି, ସମସ୍ତେ ନାଚୁଥିଲେ । +ଡୋଣ୍ଟ୍ ୱରି ମୁଁ ହୋସ୍‌ରେ ଥାଏ, ଜେନିଟା ଉପରେ ପଡୁଥାଏ, ତାର ଛାତିକୁ ଆଣି ବାରମ୍ବାର ମୋ ପିଠିରେ ଘଷେ । +ୱାଃ…. କ୍ୟା ବାତ୍ ହେ , ତମେ ବ୍ୟସ୍ତ ହୁଅନି, ମୁଁ ସେକ୍ସ ବିଷୟରେ ଅନେକ କିଛି ଜାଣେ । +କିଛି ଅସୁବିଧା ନାହିଁ । +ମୁଁ ଜେନିକୁ ବୁଝେଇ ଦେଇଛି । +କିଛି ଖଟ୍କା ହେଲେ ସାଫ୍ କରିଦେବା ।” +ଆଉ ପଢି ପାରିଲେନି ହରମୋହନ । +ଗୋଟେ ଜଗ୍ ପାଣି ପିଇଦେଲେ । +ମୁହଁରେ ଟିକେ ପାଣି ଛାଟିଦେଲା ପରେ ହିଁ ଲାଗିଲା, ତାଙ୍କର ଜୀବନ ରହିଲା । +ଚୁନୁ ପୁଣି ଏମିତି ଚିଠି ଲେଖିଛି । +ହେଲେ ସେ ଗଲା କୁଆଡେ? ଆଜି ତ ଖାଇଲା ବେଳେ ତାକୁ ଦେଖିନି । +ତା ମାଆର ତ ସୋମବାର, ତେଣୁ ସେ ଭାତ ଖାଇନି । +“ରିତା, ରିତା ଚୁନୁ କାଇଁ?” +“ସେଇ କଥା ମୁଁ ତୁମକୁ ତିନିଥର ପଚାରିଲିଣି, ସ୍କୁଲ୍‌ରୁ ତ ଏ ଯାଏଁ ଫେରିନି ।” +“ଫେରିନି, ମାନେ! ଚାରିଟା ଉପରେ ହେଲାଣି ବୋଲି ଜାଣିଛ ତ!” +“ହଁ ମୋ ମନକୁ ପାପ ଛୁଇଁଲାଣି, ଗୋଟାଏ ରେ ଘରେ ପହଞ୍ଚିଯିବା କଥା । +ବେଳେ ବେଳେ ଡେରି କରେ ଯେ, ଆଜି ମଣିମାଙ୍କର ରେଜଲ୍ଟ ବାହାରିବାର ଥିଲା ।” +“ରେଜଲ୍ଟ ବାହାରିବାର ଥିଲା?” +ତମକୁ ଏତିକି ଜଣାନାହିଁ ଟି, ତମ ମୁଣ୍ଡରେ ଯେତେ ଯାହା ପଶେଇଲେ କଣ କିଛି ପଶେ! ପିଲା କେତେ କଣ କରୁଛନ୍ତି । +ସେଦିନ ଟି.ଭି.ରେ ଦେଖଉଥିଲା, ଏଡିକିଟିଏ ପିଲା ପାଞ୍ଚ କି ଛଅ ବର୍ଷର ହୋଇଥିବ, ଛୋଟିଆ ପିଲାଟିଏ ତମ ରଫି ସାହେବ୍ଙ୍କ ପାଞ୍ଚଗୁଣ । +ଆଉ ଷ୍ଟାର୍ ପ୍ଲସ୍‌ରେ କୁଇଜ୍ ସୋ ଦେଉଛି, ସେଠିତ ଜଣେ କ୍ଲାସ୍ ସେଭେନ୍‌ ପିଲା, ଇଃଲୋ, ବୋପାଲୋ, ସୁପର୍ କମ୍ପ୍ୟୁଟର, ପ୍ରଶ୍ନ ପଚାରୁ ପଚାରୁ ସାଙ୍ଗେ ସାଙ୍ଗେ ସୁଇଚ୍ ଟିପି ଦେଉଥାଏ । +ବାପ୍‌ରେ, କି ବ୍ରେନ୍ ଦେଇ ପଠେଇଇଛନ୍ତି ଭଗବାନ୍ । + ଏମିତି ଏମିତି କେତେ………. +ପତ୍ନୀଙ୍କ କଥାରେ ବିରକ୍ତ ହୋଇପଡି ଘର କମ୍ପେଇଲା ସ୍ବରରେ ପାଟି କଲେ ହରମୋହନ । +“ଚୁନୁ କାହିଁକି ଏ ଯାଏଁ ଫେରିନି?” +“ସେଇତ ମୁଁ ତାକୁ ଚାହିଁକି ବସିଛି । +ଦୁନିଆ ଫୋନ୍ ଲଗେଇ ସାରିଲିଣି” । +“ଅଜା ଘରକୁ ଫୋନ୍ ଲଗେଇଛ?” +“ନାଇଁ ସେଠି ନାହିଁ । +ସବୁ ସାଙ୍ଗମାନଙ୍କୁ ଫୋନ୍ କରିସାରିଛି । +ମୁଁ ଭାବୁଛି, ସେ ତା ଗୀତ ସାର୍ ଘରକୁ ପଳେଇଥିବ । +କେବେ କେବେ ଯାଏ । +ତାଙ୍କ ଘରେ ତ ଫୋନ୍ ନାହିଁ । +ମୋବାଇଲ୍ ଗୋଟେ ଯେ, ସେଇଟା ସାର୍ ଧରି ବୁଲନ୍ତି । +କି ଗୀତ ସେ ଶିଖେଇଲେ କେଜାଣି ମୋ ପୁଅକୁ ଗୁଣି କରିଦେଲା ପରି ଲାଗୁଛି ।” +ହରମୋହନ ଚିନ୍ତାରେ ପଡିଗଲେ ଏଇ ଆଶାୟୀ ମାଆକୁ କଣ କହିବେ, ଚିଠିଟି ତାଙ୍କ ହାତକୁ ବଢେଇ ଦେଇ, ନିଜେ ମୁଣ୍ଡରେ ହାତ ଦେଇ ବସିଗଲେ । +ରୀତା ଡରି ଡରି କାଗଜଟି ଧରିଲେ । + କଣ ଏଇଟା! ଚୁନୁର ହାତ ଲେଖା! ସେ ପୁଣି ଅଧା ଓଡିଆ, ଅଧା ଇଂରାଜୀରେ! +ଚୁନୁ ଚିଠି ଲେଖିଛି କାହିଁକି? +ହରମୋହନଙ୍କ ମୁହଁକୁ ଥରେ, ଚିଠିକୁ ଥରେ ଚାହିଁ ଡରି ଡରି ଚିଠି ଉପରେ ଆଖି ବୁଲେଇଲେ ରୀତା । +“ମମ୍, ତମେ ଭାବୁଥିବ ଇଏ କଣ କହୁଛି, ଗଲା ତିନି କୂଳରୁ ଗଲା, ନୋ ମମ୍ ୟୁ ଆର୍ ଓଲ୍ଡ୍ ଫ୍ୟାସନ୍ଡ୍ । +ସେଦିନ ଦେଖୁଥିଲ ନା! ଦାଉଦ୍‌ର ଇଣ୍ଟର୍‌ଭିଉ? ଆରେ, ବଡ ବଡ ଟେରରିଷ୍ଟମାନଙ୍କର ଯେଉଁ ଖାତିର୍ ନା, କେଉଁ ନେତାର ବି ସେତିକି ନାହିଁ । +ପଇସା ପ୍ରଚୁର ଆଉ ପପୁଲାରିଟି ବି । +ବଡ ବଡ ହିରୋଇନ୍, କି ମଡେଲ୍‌ମାନେ ତାଙ୍କ ଗୋଡ ତଳେ, କଙ୍କି କି ପ୍ରଜାପତି ପରି ଫଡ୍ ଫଡ୍ ହେଉଥାନ୍ତି । +ସେଇ ଲାଇନ୍ ଆପଣେଇଲେ କ୍ଷତି କଣ? +ମୁଁ ମୋର କ୍ୟାରିୟର୍ ନେଇ ଆଉ ଚିନ୍ତା କରୁନି? +ମୁଁ ଜାଣିଛି ମୋ ରାସ୍ତା କେଉଁ ଆଡେ, ଯେଉଁ ଆଡେ ମୁଁ ଚାହିଁବି, ଉଡିବି, ବୁଲିବି, ଲୁଟିବି, ମଉଜ୍ କରିବି, ଦୁନିଆକୁ ଅଙ୍ଗୁଳିରେ ନଚେଇବି ।” +ଫାଷ୍ଟ୍ ଚୋରିକଲି ଅଜା ଘରୁ । +ଗୋଟିଏ ଛୋଟ ଚୋରି, ଜଷ୍ଟ୍ ୫୦୦ ଟଙ୍କା । +ପରୀକ୍ଷା କରୁଥିଲି ଚୋରି କରିପାରୁଛି କି ନାହିଁ । +ସଫଳ ହେଲି ମଧ୍ୟ । +ତେଣୁ ମୋର ଚିନ୍ତା କଣ, କୌଣସି ସଙ୍ଗଠନରେ ଜଏନ୍ କରିଦେବି । +ସେମିତି ଜୀବନରେ ମଜ୍ଜା ଅଛି ।” +ରିତାଙ୍କର ଆଙ୍ଗୁଠି ଗୁଡାକ କାଠ ଖଣ୍ଡ ପରି ଟାଣ ହେଇଗଲା । +ଦେହ ଥଣ୍ଡା ହୋଇଯାଉଛି କି? ଜାବୁଡି ଧରିଲେ ସ୍ବାମୀଙ୍କୁ । +ଏମିତି କେମିତି ଚୁନୁ ଲେଖିପାରିଲା । +ଲୁହରେ ଜୁଡୁବୁଡୁ ରୀତା, ଥମ୍ ହେଇ ବସିପଡିଲେ । +ତା ପରେ ହାଉଳି ଖାଇଲା ପରି ପାଟି କଲେ । +“ଇଃଲୋ, ମୋ ପୁଅ କୁଆଡେ ଯାଇଥିବ । +କାହିଁକି ଏମିତି ଚିଠି ଲେଖିଛି । +ଖୋଜ, ଖୋଜ ମୋ ପୁଅକୁ । +ଫୋନ୍ ଲଗାଅ । +କିଏ ଶିଖେଇଲା ତାକୁ ଏସବୁ! ଏତେ ଖରାପ କାମ ସେ କେମିତି କରିପାରିବ! +ହରମୋହନଙ୍କର ପାଟି ଫିଟୁ ନଥିଲା । +ଆଉ କାହାକୁ କାହାକୁ ଫୋନ୍ ଲଗେଇବେ ଚିନ୍ତା କରୁଥିଲେ । +ରୀତା ପାଗଳଖାନାର ରୋଗୀଟେ ପରି ଚିତ୍କାର କଲେ । +କେତେବେଳେ ଦାଣ୍ଡପଟ ଗ୍ରିଲ୍‌କୁ ବାଡେଇ ଆସିଲେଣି ତ, କେତେବେଳେ ବାଡିପଟ କବାଟକୁ ପିଟି ଆସିଲେଣି । +ଫୋନ୍ କଚାଡି ପକାଉଛନ୍ତି ତ, ନିଜ ଚୁଟି, ଭିଡି ପକାଉଛନ୍ତି । +“କୁଆଡେ ପଳେଇଯିବ ମ ପୁଅ । +ମୋ ସ୍ବପ୍ନ, ମୋର ଜୀବନ । +ମୋର ତ ସବୁ ସିଏ ହିଁ । +ଆଜିଯାଏଁ ପୁଅ ଛଡା ମୁଁ ଆଉ କିଛି ଜାଣିନି । +ତାର ପାଠ, ତାର ଖାଇବା, ସେଇଥିରେ ତ ମୋର ଚବିଶ ଘଣ୍ଟା ଯାଏ । +ପୁଅ ପାଠ ପଢିବ ବୋଲି, ଗାଁରୁ ଶାଶୁ ଶ୍ବଶୁରଙ୍କୁ ଆଣୁନି । +ଭଣଜା, ଝିଆରୀ, ଦିଅର କାହା ମୁହଁ ଚାହିଁନି । +ଏଇ ବର୍ଷଟା ସାଙ୍ଗସାଥୀଙ୍କୁ ବି ମନା କରିଦେଇଛି ଯେ, ମୋ ଘରକୁ ଆସିବେନି । +ଚୁନୁର ଫାଇନାଲ୍ ପରୀକ୍ଷା ସରିଲେ ଆସିବେ । +ଚୁନୁ ତୁ ଏଇୟା କଲୁ । +ଆମ ନାକ କଟେଇଲୁ । + ଆମେ ରାସ୍ତାରେ ମୁଣ୍ଡ ଟେକି ଚାଲିପାରିବୁ ତ? +ରୀତାକୁ ସାନ୍ତ୍ବନା ଦେବା ପାଇଁ ହରମୋହନ ଶବ୍ଦ ଖୋଜି ହେଲେ । +ରୀତା ଧୈର୍ଯ୍ୟ ଧର, ଦେଖିବା କିଛି କରିବା ।” +“କଣ କରିବ । +ଆଉ କଣ କରିଥାନ୍ତୁ । +ପାଞ୍ଚଟା ଟିଉସନ୍ ତ ଖଞ୍ଜିଲୁ । +ଦୁଇ ବର୍ଷ ବୟସରୁ ସେ ପାଠ ପଢିଛି । +ତା ଲାଗି ପର୍ବପର୍ବାଣି ବି ଛାଡି ଦେଇଛି, ସେ ବଡ ମଣିଷ ହେଉ । +ପାଞ୍ଚ ଲୋକଙ୍କ ଭିତରେ ଟିକେ ଅଲଗା ହେଇ ବାରି ପଡୁ । + ସେଇଥିପାଇଁ ଏତେ ଲାଗିଛି, ଆଉ ସେ ଶେଷରେ ଏମିତି କଲା” +ହରମୋହନଙ୍କ ପାଖରେ ଶବ୍ଦ ନଥିଲା, କଣ କହି ଏ ପାଗେଳୀ ପରି ହେଉଥିବା ମାଆକୁ ବୁଝେଇବେ! +କହିପାରିବେକି ଏତିକି, ତା ପିଛା ଲାଗିବାଟା ହିଁ ଭୁଲ୍ ହେଲା, କାହିଁ ଅଧିକ ଆଶା ରଖି ଆମେ ତାର ନିଜତ୍ବକୁ ବଳି ଦେଇନୁ ତ! +ନହେଲେ, ଚୁନୁ, ଏତେ ନିରୀହ! ଫୁଲ ବି ତା ଠାରୁ ରୁକ୍ଷ ହେବ ବୋଧେ । +ବୟସ ଷୋହଳ ହେଇନାହିଁ, ଏତେ ବଡ ବଡ କଥା ଲେଖିଛି । +ଏତେ ଶାନ୍ତ , ଧୀର ପିଲା । +ଟିକେ ଜୋର୍‌ରେ ଦୌଡି ବି ପାରିବନି । +କୁଆଡେ ଯିବ! ପୋଲିସ୍‌କୁ ଖବର ଦେବାକୁ ପଡିବ । +ଛାତିକୁ ପଥର କରି ହରମୋହନ ପୋଲିସ୍ ଷ୍ଟେସନ୍ ବାହାରିଲା ବେଳକୁ ପଛରୁ ରୀତା ଡାକ ଛାଡିଲେ । +କଣ ହେଲା ବୋଲି ଚମକି ପଡି ହରମୋହନ ଭିତରକୁ ଆସିଲେ । +ରୀତା ହାତରେ କାଗଜ ଖଣ୍ଡେ ଧରି ଠାକୁର ଘରୁ ଡାକ ଛାଡୁଥିଲେ । + କଣ ଲେଖା ହେଇଛି ଏ କାଗଜରେ! +“ମା, ମୁଁ ଜାଣିଛି ତମେ ମତେ ବାହାରକୁ ଖୋଜିବାକୁ ଯିବା ଆଗରୁ ନିଶ୍ଚେ ଠାକୁର ଘରକୁ ଆସିବ । +ନାଇଁ, ମା, ମୁହଁରୁ ଝାଳ ପୋଛି ଦିଅ । +ବାପା ବି ବ୍ୟସ୍ତ ହେଇପଡିଥିବେ, ଦୁହେଁ ଟିକେ ସ୍ଥିର ହେଇ ବସିଯାଅ । +କେବେଠୁ ଠାକୁର ଘରେ ଏକାଠି ହେଇ ବସିନଥିବ । +ମୁଁ ତୁମ ପୁଅ ମାସୁମ୍ । + ଯଦି ଚିଠିରେ ବର୍ଣ୍ଣିତ ମାସୁମ୍ ହେଇଥାନ୍ତି କେମିତି ହେଇଥାନ୍ତା! +ମୁଁ ଭବିଷ୍ୟତରେ କଣ ହେବି କହିପାରୁନି, କିନ୍ତୁ ଉତ୍ତମ ମଣିଷଟିଏ ନିଶ୍ଚୟ ହେବି । +ନିଜ ଗାଁ, ମାଟି, ସମାଜର ଦାୟିତ୍ବ ମୁଣ୍ଡେଇ ପାରୁଥିବା ସାମାଜିକ ସମ୍ମାନ ଥିବା ବ୍ୟକ୍ତିଟିଏ ନିଶ୍ଚୟ ହେବି । +ତମର ସେବା କରିବା ପାଇଁ ମୋ ପାଖରେ ମନ ଓ ସମୟ ଉଭୟ ଥିବ । +ବହୁତ ପଇସା କମେଇ ପାରେକି ନପାରେ, କିନ୍ତୁ ତୁମର କୌଣସି ଅଭାବ କରେଇ ଦେବି ନାହିଁ । +ଏତେ ଉପରକୁ ବି ଉଠିଯିବିନି କି, ତୁମେ ପୁଅ ବୋଲି ଧରିପାରିବନି । + ଚଳିବ? +ଏମିତି ପୁଅ ଯଦି ଚଳିବ, ତେବେ ମୋ ରେଜଲ୍ଟ୍ କାର୍ଡ ଟା ଠାକୁରଙ୍କ ଭୋଗଥାଳି ଚଳେ ଅଛି । +ମୁଁ ନାଇନ୍ଟି ପର୍ସେଣ୍ଟ୍ ରଖିପାରିନି । +ମୁଁ, ଲୁଚିଛି, ଆଈ ଘରର ଠାକୁର ଖଟୁଲି ପଛପଟେ ।” +ମା, ବାପା ଦୁଇ ଜଣ ପରସ୍ପରକୁ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଲେ । +ଏଇ ମାତ୍ର ପ୍ରଚଣ୍ଡ ଭୁମିକମ୍ପରେ ଦୋହଲିଗଲା ପରି ଲାଗୁଥିବା ଘରଟା ଧୀରେ ଧୀରେ ସ୍ଥିର ହେଉଥିଲା । +ରୀତା, ଛାତିରେ ହାତ ମାରି ନିଜ ଦ୍ରୁତ ନିଃଶ୍ବାସକୁ ଧୀରେ ଧୀରେ କମେଇଲେ । + ପଣତରେ ଝାଳ ପୋଛୁ ପୋଛୁ ସାମ୍ନାରେ ଥିବା ନଟ ଖଟିଆ କୃଷ୍ଣଙ୍କର ଫଟୋକୁ ଦେଖି କହିଲେ ଆଜି କୃଷ୍ଣଙ୍କର ହସ ଟିକେ ଭିନ୍ନ ପ୍ରକାର ଦିଶୁଛି କି? -- GitLab