diff --git a/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_66 b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_66 new file mode 100644 index 0000000000000000000000000000000000000000..b4683c100bd9d571d5adaa4a5375ecf07e14ac4d --- /dev/null +++ b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_66 @@ -0,0 +1,125 @@ +ଆଙ୍ଗୁଠି +- ସଚ୍ଚି ରାଉତରାୟ +ତା: ମାର୍ଚ୍ଚ୍ ୫, ୨୦୧୧ +ମୂଳ ପୃଷ୍ଠା → ସ୍ମରଣୀୟ ଲେଖା → ଗଳ୍ପ → +ବଡିଭୋର । +କଣ୍ଟା-ନଟିର ସାବଜା ପତ୍ର ପରେ ଜହ୍ନ ଆଲୁଅ ଶେତା ଦେଖାଗଲାଣି । +ପଠାଣ ସାହିର ଗୋଟାଏ ଚାଳ ଉପରେ ବସି ତୋମିଜ୍‌ ମିଆଁର ଗଞ୍ଜାଟା ଚୁଳ ଝାଡି ଡାକ ଛାଡିଛି – ଚ-କ-ଅ-ଧ-ର-ର-ଖ-ଅ-ଅ… । +ଓଦାମାଟିର ସୁରାକ ପାଇ କାନଶିରି ଗଛର ଅରମା ଭିତରୁ ଗୋଟାଏ ଝିଣ୍ଟିକା ବି ଚିଁ ଚିଁ ହୋଇ ଡାକ ପାରିଛି ତା ସାଥିରେ… । +ମାଗୁଣୀ ଖାଁ ବହାରିଲା ହଳକୁ । +କାଲି ଅସରାଏ ବର୍ଷା ହୋଇ ଛାଡି ଯାଇଛି; ନୁଖୁରା ବିଲ ମାଟିରେ ଗାର ଦେବା ପାଇଁ ଉତ୍ତମ ସୁଯୋଗ । +ଗାମୁଛାଟାକୁ ଭଲକରି ମୁଣ୍ଡରେ ଗୁଡେଇ ଦେଇ ସେ ବାଡିପାଖ କନିଅର ଗଛରୁ ହାତ ବଢାଇ ଖଣ୍ଡେ ଡାଳ ଭାଙ୍ଗିଲା । +ତା’ପରେ ବଟୁଆରୁ ଗୁଆକାତିଟା କାଢି ସେଥିରୁ ଗଣ୍ଠିପତ୍ରତକ ଭଲକରି ମାରିଦେଇ ଖଣ୍ଡେ ଦେଢହାତ ଲମ୍ବର ପାଞ୍ଚଣ ତିଆରି କଲା । +ତହିଁଉତ୍ତାରୁ ମାମୁଲି ଅଭ୍ୟାସ ମୁତାବାକ ଗୋଟାଏ ଦରପାଶୋରା ହିନ୍ଦୁଆନୀ ଶଗଡିଆ ଗୀତରୁ ପଦେ ଗାଇ ଗାଇ ସେ ଜମି ଆଡକୁ ମୁହାଁଇଲା । +“ରାମ ଯେ ଲଇକ୍ଷଣ ହୋ ଗଲେ ମୃଗମାରି ।” +ଗାଁ ତୋଟାର ଗଛର ଗହଳ ଭିତରେ କଣ୍ଠର ଆବାଜ୍‌ ତାର ପ୍ରତିଧ୍ବନିତ ହୋଇ ମରିଗଲା ନିଜଛାଏଁ । +କିଛିଦୂର ଯାଇ ଯେ ମୁଣ୍ଡଉପରେ ଆମ୍ବଗଛରୁ ଖଣ୍ଡେ ଡାଳ ଭାଙ୍ଗି ଦାନ୍ତକାଠି ତିଆରି କଲା ଏବଂ ଦାନ୍ତକାଠି ଖଣ୍ଡିକ ଚୋବାଇ ଚୋବାଇ ଆଗକୁ ମାଡି ଚାଲିଲା । +ଗାଁମୁଣ୍ଡରେ ଗୋଟାଏ ବଡ ଅନ୍ଧାରଗଦାପରି ଯେଉଁ ଝାମ୍ପୁରା ବରଗଛଟା ଛିଡା ହୋଇଛି, ତାରି ମୂଳରେ ଗ୍ରାମଦେବତୀ ବାଉତୀ ଠାକୁରାଣୀଙ୍କର ଆସ୍ଥାନବେଦୀ । +ଅଳ୍ପଦୂରରେ ମଶାଣି । +କାଲିରାତିର ଗୋଟାଏ ଦରପୋଡା ମୁରୁଦାରକୁ ବୁକୁରେ ଧରି ଜୁଇ ନିଆଁ ଦୁକୁଦୁକୁ ହୋଇ ଜଳୁଛି । +ହିନ୍ଦୁ ଦିଅଁ ଦେବତାଙ୍କ ଉପରେ ହଜାର ବିଶ୍ବାସ ନଥିଲେ କଣ ହେବ, ସେଇ ଗଛମୂଳରେ ପହଞ୍ଚିଲାକ୍ଷଣି ମାଗୁଣୀ ଖାଁର ଛାତିଟା କେଜାଣି କାହିଁକି ଭାରି ଜୋର୍‌ରେ ଦକ ଦକ ହୋଇ ପଡିବାକୁ ଲାଗିଲା । +ବାଟରେ ଜନପ୍ରାଣୀର ସୋର-ଶବଦ ନାହିଁ । +ଚାରିଆଡେ ନିଛାଟିଆ, ଅଜ୍ଞାତସାରରେ ମାଗୁଣୀ ଖାଁର ହାତ ପାପୁଲିଟା ଡାହାଣ ପଟ ବଳଦ ଲାଙ୍ଗୁଡକୁ ମୁଠେଇ ଧରିଲା । +ହଠାତ୍‌ ଏପରି ସମୟରେ ଦେଖାଗଲା, ସେଇ ବରଓହଳ ତଳେ ଦୁଇଟି ମଣିଷର ଛାଇ । +ମାଗୁଣୀ ଖାଁର ଦିହରୁ ଗୋଟାଏ ଘମାଘୋଟିଆ ଝାଳ ନିଗିଡି ଗଲା । +ପାଟି ତାର ଅଠା ଅଠା ହୋଇ ଆସିଲା । +ଠିକ୍‌ ଏତିକିବେଳେ ତାର ମନେପଡିଗଲା ଯେ ଆଜି ଶନିବାର । +ଏ ଯାତ୍ରାରୁ ଭଲରେ ଭଲରେ ରକ୍ଷା ପାଇଲେ ଠାକୁରାଣୀଙ୍କୁ ଜାଆଁଳା କୁକୁଡା ଦେବ ବୋଲି ମନାସିଲା । +ହିନ୍ଦୁ-ମୁସଲମାନ ଉଭୟ ଧର୍ମର ଶତାଧିକ ଦିଅଁ ଦେବତାଙ୍କ ନାମ ସେ ମନେ ମନେ ଉଚ୍ଚାରଣ କରିଗଲା ଏବଂ ସମସ୍ତଙ୍କୁ ନାନାରକମର ପ୍ରଲୋଭନ ଦେଖାଇ ଏ ମହାବିପଦରୁ ତାକୁ ରକ୍ଷା କରିବାପାଇଁ ଅନୁରୋଧ କଲା । +କ୍ରମେ ଛାଇ ଦୁଇଟା ଦୂରକୁ ଦୂରକୁ ଘୁଞ୍ଚିଗଲେ । +ମାଗୁଣୀ ଖାଁର ବୋଧହୁଏ ଚେତା ବୁଡିଯାଇଥାନ୍ତା ଆଉ ଟିକିଏ ଯାଇଥିଲେ; କିନ୍ତୁ ଠିକ୍‌ ଏତିକିବେଳେ ସେ ସେହି ଛାଇ ଦୁଇଟାର କଥାବାର୍ତ୍ତା ଶୁଣି ପାରିଲେ । +ଟିକିଏ ଦମ୍ଭ ଆସିଲା ତାର । +ଭାବିଲା ସତରେ ମଣିଷ ହେବେ ପରା!! ସେ କାନ ଦୁଇଟାକୁ ଟେକି ଖୁବ୍‌ ତନ୍ମୟ ହୋଇ ଶୁଣିବାକୁ ଲାଗିଲା । + ପ୍ରଥମ ଛାଇ କହୁଛି – +“କାଣି ଆଙ୍ଗୁଠିର ଦାମ୍‌ କେତେ ?” +ଦ୍ବିତୀୟ କଣ୍ଠରୁ ଉତ୍ତର ଆସିଲା – “ଆଜ୍ଞା ଅମୂଲ ମୂଲ ହାଙ୍କୁଛି । +କହୁଛି ଦେଢଶ’ ଟଙ୍କାରୁ ଗୋଟାଏ ପାହୁଲା ଉଣା ହେଲେ ସେ ଦନ ନାହିଁ ।” +“ବୁଢା ଆଙ୍ଗୁଠି କେତେନେଲେ ଦବ ?” +“ଆଜ୍ଞା, ପାଞ୍ଚଶହ ।” +“ଧେତ୍‌ !” +“ଆଜ୍ଞା, ହଁ , ହଜୁର ମା ବାପ, ମୁଁ କଣ ମିଛ କହୁଛି ?” +“ବଡ ଚଢା ଦାମ୍‌ ! ଦବାନବା କଥା କହ ।” +“ନାଇଁ ଆଜ୍ଞା ସେ ଏକା ରେଣ୍ଟି ଧରିଛି – ଦେଢଶ’ ଟଙ୍କା ନଗଦ ନହେଲେ ସେ କାଣି ଆଙ୍ଗୁଠିଟି ଦବ ନାହିଁ, ମୁଣ୍ଡଛିଡିଗଲେ ବି ନୁହେଁ ।” +ନିସ୍ତବ୍‌ଧତା – ଛାଇ ଦୁଇଟା ଚୁପ୍‌ଚାପ୍‌ । + କିଛିକ୍ଷଣ ପରେ ପ୍ରଥମ କଣ୍ଠରୁ ଉତ୍ତର ଆସିଲା – +“ଆଚ୍ଛା, ଦିଆଯିବ । +ଏଇ ଆଗତୁରା କୋଡିଏ ଟଙ୍କା ନିଅ । +ଗଣ, ଧର, ବାନ୍ଧ । +ହଁ ସବୁକଥା ଯିମିତି ମନେ ରହେ । +ବୁଝିଲୁ ? ହୁସିଆର୍‌ !!!ମାଗୁଣୀ ଖାଁ ଟଙ୍କା ଝଣ ଝଣ ଶବ୍ଦ ଶୁଣି ପାରିଲା । +ତାପରେ ସେ ଦେଖିଲା, ଛାଇ ଦୁଇଟି ବିପରୀତ ଦିଗରେ ଅନ୍ତର୍ହିତ ହୋଇଗଲେ । +ମାଗୁଣୀ ଖାଁ ଦଣ୍ଡେ ଥକ୍‌କା ହୋଇ ଛିଡା ହୋଇଗଲା । +ସେ ଭାବିଲା ନିଶ୍ଚୟ ଭୂତପ୍ରେତ ହେବେ ପରା । +ନୋହିଲେ କାଣି ଅନ୍ଧାରରୁ ମଣିଷ ଆଙ୍ଗୁଠି କିଣାବିକା ଲାଗନ୍ତା କିଆଁ ? ବୋଧହୁଏ ମଣିଷ ଆଙ୍ଗୁଠିରେ କୂର୍ମା ତିଆରି କରି ସଇତାନ ସବୁ ଆଜି ସାଓଗାତ୍‌ କରିବେ ନା କଣ ? କିନ୍ତୁ ପରକ୍ଷଣରେ ତାର ମନେ ପଡିଲା – ସେ ପ୍ରଥମ ବ୍ୟକ୍ତିର କଣ୍ଠସ୍ବର ଏଥିପୂର୍ବରୁ କୋଉଠି ଯେମିତି ଶୁଣିଛି । +ସେ ସ୍ଥିର ହୋଇ ଟିକିଏ ହେଜିଲା । +ଅନେକ ସମୟ ପରେ ତାହାର ମନେ ପଡିଲା ଯେ ସେ କଣ୍ଠସ୍ବର ତାଙ୍କ ଗାଁ ଜମିଦାର ବାବୁଙ୍କର । +ଥରେ ଖଜଣା ଦେବାକୁ ଦୁଇଦିନ ଡେରି ହୋଇଯାଇଥିଲା ବୋଲି ଯେଉଁ କଣ୍ଠର ଆଦଶରେ ତାକୁ ଗୋଟାଏ ଅନ୍ଧାରଘରେ ବନ୍ଦ କରିଦେଇ ଲଙ୍କାମରିଚ ଧୂଅଁ ଦିଆଯାଇଥିଲା, ସେ କଣ୍ଠ କଣ ତାକୁ ଏତେ ଜଲ୍‌ଦି ପ୍ରତାରିତ କରିପାରେ ? +କିନ୍ତୁ ବ୍ୟାପାର କଣ, ସେ ଜମା କିଛି ଠଉରାଇ ପାରିଲା ନାହିଁ । +ତା ମୁଣ୍ଡ ଭିତରେ ସବୁ ଗୋଳମାଳ ହୋଇଗଲା । +ସେଇଠୁ ହଳ ଲେଉଟାଇ ସେ ଘରକୁ ବାହୁଡି ଅଇଲା । +ତାର ଭୟ ସଂପୂର୍ଣ୍ଣରୂପେ ଛାଡି ନଥିଲା; ସେ ସଙ୍ଗେ ସଙ୍ଗେ ଘରେ ପହଞ୍ଚି ଜଣେ ଭଲ ଓଝାଙ୍କଠାରୁ ନିଜକୁ ଅଧିକତର ନିରାପଦ ରଖିବା ଉଦ୍ଦେଶ୍ୟରେ ଗୋଡଠୁ ମୁଣ୍ଡ ପର୍ଯ୍ୟନ୍ତ ଝଡାଇ ଆଣିଲା ଏବଂ ଗୋଟାଏ ଭଲ ଡେଉଁରିଆ ଆଣି ମଝି ହାତରେ ସେଇଦିନ ଘୋଡାବାଳରେ ବାନ୍ଧିପକାଇଲା । +ଆଜି ଗାଁରେ ଖୁବ୍‌ ବଡ ସଭା । +ଆଗରୁ ଧେଣ୍ଡୁରା ଦିଆଯାଇଥିଲା । +ବକ୍ତୃତା ଦେବାପାଇଁ କଟକରୁ କେତଜଣ ସ୍ବନାମଧନ୍ୟ ଦେଶକର୍ମୀ ଆସିଛନ୍ତି । +ସଭାସ୍ଥଳ ଲୋକରେ ଲୋକାରଣ୍ୟ । +ସଞ୍ଜ ନ ବୁଡୁଣୁ ମାଗୁଣୀ ଖାଁ ସଭାରେ ଆସି ଉପସ୍ଥିତ ହେଲା । +ସମସ୍ତଙ୍କ ପଛରେ ସେ ଯାଇ ବସିଲା ଚୁପ୍‌ଚାପ୍‌ ହୋଇ । +ମୁହଁରେ ତାର ଆଗ୍ରହ ଫୁଟିଉଠୁଥିଲା । +ଗାଁରେ ଥରକୁ ଥର ବନ୍ଦୋବସ୍ତ କରି ଖଜଣା ବଢାଇବା ଫଳରେ ଗାଁର ରୟତ ଓ ଚାଷୀକୂଳ କିପରି ସର୍ବସ୍ବାନ୍ତ ହେଉଛନ୍ତି ଏବଂ ନିରନ୍ନ ଜନସାଧାରଣଙ୍କର ଝାଳବୁହା ଖଟଣୀର ସୁଯୋଗନେଇ ଦଳେ ମୁଷ୍ଟିମେୟ ଜମିଦାର କିପରି ପୁଞ୍ଜି ମୁଠି ମୁଠି କରୁଛନ୍ତି, ତାର ସବିଶେଷ ବର୍ଣ୍ଣନା କରି ସରକାରଙ୍କଠାରେ ପ୍ରଜାକୂଳଙ୍କ ଆପତ୍ତି ଜଣାଇବା ହିଁ ଆଜି ଏ ସଭାର ମୁଖ୍ୟ ଉଦ୍ଦେଶ୍ୟ । +ଗାଁ ଜମିଦାରଙ୍କର ଅମାନୁଷିକ ଅତ୍ୟାଚାର ଓ ଶୋଷଣ ନୀତିର ପ୍ରତିବାଦ କରିବାପାଇଁ ଏ ବିରାଟ ଜନସଭା ଆହୂତ ହୋଇଛି । +ଘନ ଘନ କରତାଳି ମଧ୍ୟରେ ସଭାକାର୍ଯ୍ୟ ଆରମ୍ଭ ହେଲା । +ଚାରିଆଡେ ସୁତୀବ୍ର ଉତ୍ତେଜନା । +ଜନତା ଆଖିରେ ଆଜି ଶ୍ରେଣୀ-ଚୈତନ୍ୟର ପ୍ରଥମ ସୂଚନା ପ୍ରତିଭାତ ହେଉଛି । +ଆଲୋକର ଆଜି ନୂତନ ସଙ୍କେତ । +“ଶୁଣ ଭାଇମାନେ, ଶୁଣ ନିରନ୍ନ, ନିଃଶୋଷିତ କୃଷକକୂଳ, ଆଜି ଆମର ସର୍ବସ୍ବ ଲେହନ କରି ପୁଞ୍ଜିବାଦର ନିଷ୍ଠୁର ଜିହ୍ବା ଅଗ୍ରସର ହେଉଛି । +ନିଜ ଦେହରେ ହାଡ ଓ ମାଉଁଶ ଛଡା ଆଜି ଆମର ନିଜର ବୋଲି ଦାବୀ କରିବାର ଜିନିଷ ସାରା ପୃଥୀବୀରେ କିଛି ନାହିଁ । +ଆମର ସବୁ ଯାଇଛି, ଅଛି କେବଳ ଭଙ୍ଗା – ଦଦରା ଜୀବନ । +ଆହୁରି ଅଛି ଗୋଟାଏ ରୁଗ୍‌ଣ, ମୁମୂର୍ଷୁ ଏବଂ ଜୀଣ୍ଣ ଦଳିତ ଅସ୍ତିତ୍ବ । + ଭାଇ ସର୍ବହରା, ଏକଜୁଟ ହୁଅ; ଏହି ଅମାନୁଷିକ ଶୋଷଣର ପ୍ରତିଶୋଧ ନିଅ – ” +ବକ୍ତୃତା ଚାଲିଲା, ଠିକ୍‌ ଯେପରି ଝଡର ଶିଙ୍ଗା । +ଜନତାର ସମୁଦ୍ର ବିହ୍ବଳିତ ହୋଇ ଉଠିଲା । +ସ୍ପନ୍ଦନ ! “ଜାଗ, ଜାଗ ମଣିଷ ଭାଇ, ତମର ସମସ୍ତ ହତିଆର ଏକତ୍ର କର, ଏକତ୍ର ହୁଅ । +ମନେରଖ ନିଜକୁ ଶୋଷିତ ହେବାକୁ ଦେବା ସବୁଠାରୁ ବଡ ପାପ । +ସେ ପାପର ଅଭିଶାପରେ ମଣିଷ ଜାତି ପଙ୍ଗୁ ହୋଇଯିବ ।”… +ଜନତା ପ୍ରତ୍ୟୁତ୍ତର ଦେଲା – “ଶୋଷଣବାଦ ଲୋପ ହେଉ, ପୁଞ୍ଜିବାଦ ଲୋପ ପାଉ ।” +ପୁଣି ବକ୍ତୃତା ଚାଲିଲା – “ଉଠ ରୟତ ଭାଇ, ତମର ହାଡଭଙ୍ଗା ପରିଶ୍ରମ ଫଳରେ ଯେଉଁ ପଡିଆ ଭୂଇଁ ଶସ୍ୟଶ୍ୟାମଳା ଭୂମିରେ ପରିଣତ ହେଲା, ତାର ସ୍ବତ୍ବ ଆଜି ଜମିଦାର ତମଠାରୁ ହରଣ କରିନେଇଛି । +ତମେ ତମର ହକ୍‌ ଦାବି ବୁଝ । +ତାକୁ ଆଦାୟ କରିବା ପାଇଁ ପ୍ରାଣପଣ କରି ଚେଇଁ ଉଠ । +ଅଗ୍ରସର ହୁଅ । +ଗାଁରେ ରୟତ ସଙ୍ଘ ଗଢ ।” +ଜନତାର ବିରାଟ ସାଗର ମଝିରୁ ପ୍ରତିଧ୍ବନୀ ଶୁଣାଗଲା – “ଜମିଦାରୀ ପ୍ରଥା ଧ୍ବଂସ ହେଉ, ରୟତ ଜାତିର ଜୟ ହେଉ ।” +ଠିକ୍‌ ଏହିପରି ସମୟରେ ସଭା ମଝିରେ ଜଣେ ଶୀର୍ଣ୍ଣକାୟ ଲୋକ ଛିଡା ହେବାର ଦେଖାଗଲା । + ସେ ସମସ୍ତଙ୍କୁ ନମସ୍କାର କରି ଜଣାଇଲା – +“ଭାଇମାନେ, ଆମ୍ଭେମାନେ ସମସ୍ତେ ମୂର୍ଖ । +ଟିକିଏ ଗରମ କଥାରେ ଭାସିଯିବା ଆମ ପକ୍ଷରେ ସ୍ବାଭାବିକ । +କିନ୍ତୁ ଭାଇ ଅନ୍ୟଦ୍ବାରା ନିଜକୁ ପ୍ରତାରିତ ହେବାକୁ ଦେବା ଉଚିତ ନୁହେଁ । +ଆମର ପୂର୍ବପୁରୁଷମାନଙ୍କର ଚିନ୍ତନ ପଥରୁ ବିଚ୍ୟୁତ ହୁଅ ନାହିଁ । +‘ମହାଜନୋ ଯେନ ଗତ୍ବା ସଃ ପନ୍ଥା ।’ +ଭାଇ ଏ କଅଁଳ କୁହାଙ୍କ କଥାରେ ନିଜର ବାଟଭୂଲ ନାହିଁ । +ଭାଇ, ରାଜା, ଜମିଦାର ଏମାନେ ଭଗବାନଙ୍କ ଭିଆଣ । +ତାଙ୍କୁ ଦୂର କରିଦେବା ମଣିଷ ହାତର କଥା ନୁହେଁ । +ତାଙ୍କୁ ସମ୍ମାନ ଦେଖାଇବା ହିଁ ମଣିଷଜାତିର କର୍ତ୍ତବ୍ୟ । +ଏମାନେ ଯେଉଁ ରୟତ ସଙ୍ଘ ଗଢିବା କଥା ଇଲାଗେ କହିଲେ, ତାର ଭିତିରି ଉଦ୍ଦେଶ୍ୟ କ’ଣ ଜାଣ ? ତାର ଉଦ୍ଦେଶ୍ୟ ହେଉଛି ତୁମଠାରୁ ଚାନ୍ଦା ଅସୁଲ କରି ଆତ୍ମସାତ୍‌ କରିବା… ।” +ଜନତା ଆଖିରେ ସନ୍ଦେହ ଦେଖାଗଲା । +ସେମାନେ ଜିଜ୍ଞାସୁ ଦୃଷ୍ଟିରେ ପରସ୍ପର ଆଡକୁ ଅନାଇଲେ । +ଜଣେ ଦୁଇଜଣ ମଧ୍ୟ ବକ୍ତୃତାକାରୀଙ୍କୁ ସମର୍ଥନ ସୂଚକ ଶବ୍ଦ ପ୍ରକାଶ କରି ଉତ୍ସାହିତ କଲେ – “ହଁ ଠିକ୍‌ ଠିକ୍‌ ।” +ବକ୍ତୃତାକାରୀ ପୂର୍ବାପେକ୍ଷା ଅଧିକତର ଉଚ୍ଚସ୍ବରରେ ଏଥର ଆରମ୍ଭ କଲା – “ଭାଇମାନେ, କମିଦାର ନଥିଲେ ଆଜି ଆମର ମାନ୍‌ ଇଜ୍ଜତ, ଧନ ସମ୍ପତ୍ତି ସବୁ ଚୋରତସ୍କରଙ୍କ ଦ୍ବାରା ଅବଲୁଣ୍ଠିତ ହେଉଥାନ୍ତା । +ଭାଇ, ସେ ଆମର ପ୍ରକୃତ ରକ୍ଷକ । + ତାଙ୍କର ସୁଶାସନର ପ୍ରତିଦାନ ସ୍ବରୂପ ଆମେ ଯେଉଁ ଯତ୍‌କିଞ୍ଚିତ ଖଜଣା ଦେଉଥାଇଁ ତାହା ଆମର ସାମାନ୍ୟ କୃତଜ୍ଞତାର ଚିହ୍ନ ସିନା !” +ଜନତା ଅନୁମୋଦନ ସ୍ବରରେ କହି ଉଠିଲା -“ଠିକ୍‌ କଥା ! ଠିକ୍‌ କଥା !” +ବକ୍ତୃତାକାରୀ ଆନନ୍ଦିତ ହୋଇ ପୁଣି କହିଲେ – “ ଭାଇ, ଏହି କଅଁଳ କୁହା ରୟତସଙ୍ଘବାଲାଙ୍କୁ ବିଶ୍ବାସ କଲେ ମହାବିପଦରେ ପଡିବ । +ମୁଁ ଏମାନଙ୍କ ସହିତ ଅନେକ ଦିନ ଏକତ୍ର କାମ କରିଥିଲି, ମାତ୍ର ଏମାନଙ୍କ ସଦୁଦ୍ଦେଶ୍ୟରେ ସନ୍ଦିହାନ ହୋଇ ମୁଁ ଅଗତ୍ୟା ସେମାନଙ୍କର ସଂସର୍ଗ ତ୍ୟାଗ କରିବାକୁ ବାଧ୍ୟ ହେଲି । +ତମେ ଯଦି ଏମାନଙ୍କ କଥା ଶୁଣିବ ତେବେ ଭଗବାନଙ୍କ ଠାରେ ଦ୍ରୋହୀ ହେବ । +କାରଣ ଭଗବାନଙ୍କ ଅଂଶରୁ ରାଜାଙ୍କର ଜନ୍ମ । +ଆମ ଗ୍ରାମ ଦେବତୀ ବାଉତୀ ଠାକୁରାଣୀ ମଧ୍ୟ ଆମ୍ଭମାନଙ୍କୁ ଅଭିଶାପ ଦେବେ । +ଗାଁରେ ନାନା ବିତ୍‌ପାତ୍‌ ପଡିବ । +ତମମାନଙ୍କର ବୋଧହୁଏ ସ୍ମରଣ ଥିବ, ଏମାନେ ଠାକୁରାଣୀଙ୍କ ଠାରେ ଗଲାବର୍ଷ ବୋଦା ପକାଇଲା ବେଳେ ନାନା ବିଘ୍ନ ଘଟାଇଥିଲେ; ପିକେଟିଂ କରିଥିଲେ… । +ଏମାନଙ୍କର ଭୂତପୂର୍ବ ସହକର୍ମୀ ଭାବରେ ମୁଁ ପୂର୍ବେ ଯେଉଁ ପାପ କରିଛି, ତାର ପ୍ରାୟଶ୍ଚିତ ମୁଁ ବର୍ତ୍ତମାନ ଆପଣମାନଙ୍କ ସମ୍ମୁଖରେ କରିବି, ଅପେକ୍ଷା କରନ୍ତୁ ।” +ଆବାଳବୃଦ୍ଧବନିତା ସମସ୍ତେ ସମସ୍ବରରେ କହିଉଠିଲେ – “ଠାକୁରାଣୀ ଏ ଧର୍ମଛଡାଗୁଡାଙ୍କୁ ଖାଇଯିବେ, ଖାଇଯିବେ…” +ବକ୍ତୃତା ପୁଣି ହେଲା – “ଏମାନେ ଠାକୁରାଣୀଙ୍କ ଶତ୍ରୁ । +କାଲି ମୋତେ ବାଉତୀ ଠାକୁରାଣୀ ସ୍ବପ୍ନରେ କହିଲ, ଗାଁବାଲାଙ୍କୁ ହୁସିଆର୍ କରିଦିଅ, ଏମାନଙ୍କୁ ଦୂର୍ ମାର୍ ମାର୍ କରନ୍ତୁ । +ନୋହିଲେ ଏ ବର୍ଷ ଘରେପାଡି ହେବ…..ଝାଡାବାନ୍ତି ହେବ । +ମୋ ସାନଭଉଣୀ ବସନ୍ତେଇ ମଧ୍ୟ ବ୍ୟାପିଯିବ । +ମୋ ମଝିଆ ଭଉଣୀ ହାଡଫୁଟି ମଧ୍ୟ ଆସିବ…. ।’ +ସଭାଲୋକେ ଭୟରେ କମ୍ପି ଉଠିଲେ । + ସମସ୍ତଙ୍କ