diff --git a/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_galpa_19 b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_galpa_19 new file mode 100644 index 0000000000000000000000000000000000000000..39ae00022127ab2f6bb1a2ffe307aa09a95f89ad --- /dev/null +++ b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_galpa_19 @@ -0,0 +1,285 @@ +ଫୁଲମଣି କୁଜୁର ଓ ଗପ + ପ୍ରଦୀପ ନାୟକ +ତା: ସେପ୍ଟେମ୍ବର୍ ୨୯, ୨୦୧୧ +ମୂଳ ପୃଷ୍ଠା → ଗଳ୍ପ → ଆଧୁନିକ → +ହ୍ୟାଲୋ-ଓ-ଓ ମୀନୁ । +ମୁଁ ଆଜି ଏପିସୋଡ଼୍ଟା ମିସ୍ କରିଗଲିରେ । +ହଁ ଶୁଣ, ଆଜି ମାନସୀର କଣ ହେଲା ? +କଣ କହିଲ ପ୍ରେଗ୍‌ନାଣ୍ଟ!! ହାଓ କ୍ୟାନ୍ ଇଟ୍ ବି ପସିବଲ୍! +ତାହେଲେ ବିଚାରୀ ପ୍ରିୟା ର କଣ ହବ? +ଟାଉନବସ୍‌ର ଭିଡ଼ ଭିତରୁ ଲୋକଟା ବଡ଼ ପାଟିରେ ଟେଲିଫୋନ୍ କରୁଚି । +ସେ ଶଦ୍ଦରେ ଭିଡ଼ଟା ଫାଟି ଫାଟି ଯିବ କି! ସବୁ ଯାତ୍ରୀ ଘୁରି ଘୁରି ସେଇ ଅଧାବୟସର ଲୋକଟାକୁ ଦେଖୁଛନ୍ତି, ଯିଏ ଇଟିଭିର ଗୋଟେ ଲୋକପ୍ରିୟ ସିରିଏଲ୍ ବିଷୟରେ କଥା ହଉଚି । +ପୋଷାକପତ୍ରରେ ଲୋକଟା ଯେତିକି ସମ୍ଭ୍ରାନ୍ତ ଦିଶୁଚି, କଥାବାର୍ତ୍ତାରେ ସେତିକି ଉଦ୍‌ଭ୍ରାନ୍ତ । +କଉ ଗୋଟେ ଭାବବିନ୍ଦୁ ଏ ଭିତରେ ଅନେକଥର ମନକୁ ଆସିଚି, ପୁଣି ଗାଏବ୍ । +କେଜାଣି କାହିଁକି ଏଇ ଲୋକଟାର କଥାରେ ପୁଣି ବିନା ତିଥି, ନିମନ୍ତ୍ରଣରେ ଆସି ହାଜର । +ଟିହାଉଚି- କଣ ଏବେ ଲେଖା ହବ ତ? +ଗଳ୍ପ କହିଲା- କଣଟେ ଲେଖା? କଣ ଏମିତି ହେଲା କି? +କଣ ନ ହେଇଚି କହ । +ମାନସୀ ଏବେ ପ୍ରେଗ୍‌ନାଣ୍ଟ । +ନାୟକ ପାଖରୁ ନାୟିକା, ମାନେ ପ୍ରିୟ ପାଖରୁ ପ୍ରିୟା ନିଶ୍ଚୟ ଅଲଗା ହେବ । +ନାୟକର ପୁରୁଷପଣିଆର ସାର୍ଟିଫିକେଟ ଏବେ ମାନସୀ, ମାନେ ପାର୍ଶ୍ବନାୟିକା ପେଟରେ । +ଏହା ଠୁଁ ଆଉ ଅଧିକ କ’ଣଟେ ଗପ ପାଇଁ ଲୋଡା ଯେ ! ସବୁବେଳେ ତ କୁହ କାହାଣୀ ନାହିଁ । + ୟା‌ଠୁ ଭଲ ଥିମ୍‌ଟେ ମିଳିବ କି? +ହେଲା ଯେ, ଅବଶ୍ୟ ଥିମ୍‌ଟା ମନ୍ଦ ନୁହଁ । +ଲେଖାକୁ ଗତିଶୀଳ କରାଇ ପାରେ । +ତେବେ…..ସବୁର ଗୋଟେ ଆରମ୍ଭ ଦର୍କାର…ଶେଷ ବି ଦର୍କାର ନା । +ଶେଷପଦ କଥା ଗଳ୍ପ ପାଟିରେ ଖୁବ୍ ଅସ୍ପଷ୍ଟ ଶୁଭିଲା । +ନିଜକୁ ନିଜେ ଶୁଣିଲା ପରି କହିଲା- ଛେନା ଗୁଡ଼ଟେ ହବ । +ଏତିକିରେ ଭାବବିନ୍ଦୁ ତ ଶେଷ୍‌ । +ନା- ଆଗକୁ, ନା-ପଛକୁ, ହୁଁ । +ଏମିତି କେତେ ପ୍ଲଟ ରାସ୍ତାଘାଟ, ଦୈନିକ ଖବରକାଗଜରେ ପଡ଼ିଚି । +ଏଇ ତ, ଯେବେଠୁ ବାହାରୁଚି ତିୱାରୀ ସାହେବ କଥା, ଯେ ଏବେ କିଏ ଗୋଟେ ଦାବି କରୁଚି ତାଙ୍କ ଝିଅ ବୋଲି । +ତିୱାରୀଙ୍କ ବୟସ ପ୍ରାୟ ସତୁରୀ ପାଖାପାଖି । +ଘରେ ପୁଅ ଝିଅ ବାହା ହେଲେଣି । +ଅଥଚ ଏଇ କଥାକୁ ନେଇ କେତେ ତର୍କ ଚାଲିଛି ସଂସଦରେ । +ବିରୋଧୀ ହାଲ୍ଲା କରୁଛନ୍ତି । +ତଦନ୍ତ ଚାଲିଛି । +କେଶ୍ ସୁପ୍ରିମ କୋର୍ଟରେ । +ମାମଲା ଡି.ଏନ୍.ଏ. ଟେଷ୍ଟ ଯାଏ ଗଲାଣି । +ତଥାପି କଣ ହଉଚି? ଝିଅଟା ନିଜ ଦାବି ହାସଲ କରିବାକୁ କେତେ ଦଉଡ଼ିବ ଦଉଡ଼ୁ । +ପୃଥୀବୀଟା ଛୋଟ ପଡ଼ିଯିବ ସିନା ଦଉଡ଼ିବା ଲାଗିଥିବ । +ଫୁଲ ଫୁଟିବନି କି ଗଛ ମରିବନି । +ଗଳ୍ପ ଝିଅଟାର ପିଛା କରିଚି । +ତାକୁ ଭଉଣୀ ଭଉଣୀ କହି ଫୁସୁଲେଇଚି- ତୁ’ ତୋ’ ମାକୁ ନେଇ ଆ କୋର୍ଟକୁ । +ସିଏ କହିବ ତୋ ମଂଜିଟା କେମିତି ପଡ଼ିଲା । +ଝିଅଟା ମୁହଁ ଛିଞ୍ଚାଡି କହିଚି- ମା’, ସିଏ ତ’ ମୋ ସାଙ୍ଗରେ କଥା ହଉନି । +ଏଇ କଥା ସିନା କୌଣସି ପ୍ରକାରେ ମୁଁ ଜାଣି ପାରିଲି, ଏବେ ସିଏ ଆଉ ହୁଙ୍କୁନି । +ସେ ଯାହା ବି ହେଇଯାଉ, ମା କିଛି ବି ନ କହୁ । +ମୁଁ ତ ସତ ନା, ମୋ ରକ୍ତ ବି ସତ, କେତେଦିନ କ୍ଷମତା ଓ ପ୍ରତିପତ୍ତି ବଳରେ ସତକୁ ଘୋଡ଼େଇବେ । +ଗଳ୍ପ କହିଲା…. ସେ ସତ ଫତ ଆଉ ନାହିଁରେ! ଆଜି କାଲି ମତେ ଏ ଗୁଡ଼ା ଅସମ୍ଭବ ଲାଗୁଚି । + ବରଂ…. +ଝିଅଟା ମୁହଁ ଛିଞ୍ଚାଡି କହିଚି- ମା’, ସିଏ ତ’ ମୋ ସାଙ୍ଗରେ କଥା ହଉନି । +ଏଇ କଥା ସିନା କୌଣସି ପ୍ରକାରେ ମୁଁ ଜାଣି ପାରିଲି, ଏବେ ସିଏ ଆଉ ହୁଙ୍କୁନି । +ସେ ଯାହା ବି ହେଇଯାଉ, ମା କିଛି ବି ନ କହୁ । +ମୁଁ ତ ସତ ନା, ମୋ ରକ୍ତ ବି ସତ, କେତେଦିନ କ୍ଷମତା ଓ ପ୍ରତିପତ୍ତି ବଳରେ ସତକୁ ଘୋଡ଼େଇବେ । +ଗଳ୍ପ କହିଲା…. ସେ ସତ ଫତ ଆଉ ନାହିଁରେ! ଆଜି କାଲି ମତେ ଏ ଗୁଡ଼ା ଅସମ୍ଭବ ଲାଗୁଚି । + ବରଂ…. +ହଇଓ, ତମେ କିଏ ? ତୁମକୁ ମୁଁ ଚିହ୍ନିନି କି ଜାଣିନି, ଉପରେ ପଡ଼ି ଏମିତି ପରାମର୍ଶ ଦେଇ ମୋତେ ଦୁର୍ବଳ କରିବାକୁ ଚାହୁଁନ ତ? ତମେ ମୋ ବାପାଙ୍କର କେହି ସେଟ୍ଅପ୍ ଲୋକ ନୁହଁ ତ? +: ନା-ନା ଭଉଣୀ ସେମିତି କିଛି ନୁହଁ । + ମତେ ଦେଖୁନୁ ମୁଁ ସେମିତି ଦିଶୁଚି କି? +ତାହାଲେ ତମେ କିଏ? ଝିଅଟାର ତୀବ୍ର ଦୃଷ୍ଟି ଗଳ୍ପ ଉପରେ । +ଓଃ, ଏଇଠି ଗଳ୍ପର ଅବସ୍ଥା ବା’ର । +ଭାବିଲା ଆଜି କାଲିକା ପାଠ ପଢୁଆ ପିଲା ଏମାନେ, ସାହିତ୍ୟ ଫାହିତ୍ୟ କେତେ ବୁଝନ୍ତି । +ଏମାନଙ୍କୁ ମୋ ପରିଚୟ ଦେଇ କାହିଁକି ଉପହସିତ ହେବି । +ଏମିତିରେ ଝିଅଟା ସତକୁ ସତ ସନ୍ଦେହ କରିବା ଆରମ୍ଭ କରିଚି । +ତେବେ କାହାଣୀ କେବଳ ସତରେତ ଚାଲିବନି, କିଛି ଖାଦ୍ ମାନେ କଳ୍ପନାକୁ ମିଶେଇବାକୁ ପଡିବ । +ମନ କଥା ମନରେ ରଖି ଗଳ୍ପ କହିଲା । +ହେଁ- ହେଁ – ହେଁ, ଭଉଣୀ ତୋର ଏଇ ମାମଲା ଚାଲିବା ଦିନରୁ ମୁଁ ତୋ ପାଖେ ପାଖେ ଅଛି । +ସବୁ ଦେଖୁଚି, ଶୁଣିଚି । +ଏ ବୟସରେ ଏତେ ଧନ୍ଦି ହବା ଅପେକ୍ଷା ଏମିତି କିଛି କର ଯେମିତି ତିୱାରୀ ବୁଢା ଫଁ ଗାଳି ପଡିବ । +:ଆଃ, କଣ ସବୁ ଏମିତି କହୁଚ! ଆଜି ନ ହେଲେ ବି କାଲିକି ସିଏ ମୋ ବାପା, ଝିଅ ଆଗରେ କଣ ମୁଣ୍ଡନୁଆଇଁବେ? ମୁଁ ଚାହୁଁଚି ଥରଟେ ସେ ମୋତେ ଝିଅ ବୋଲି ସ୍ବୀକାର କରନ୍ତୁ । +ଝିଅଟା କହିଲା । +:ଇସ୍ ଝିଅଟା ନିଜକୁ କେତେ ଚାଲାଖ ଭାବୁଚି ମ! କେତେ ସିରିଏସ୍‌ରେ ବାପ୍‌ପା ! +ଯମଠୁ ଶହେ ପୁଅ ନବ ହେଲେ ସ୍ବାମୀ ସାଙ୍ଗରେ ରହିବନି । +ଗଳ୍ପ ସ୍ଥିରକଲା ଏଠୁ ଆଉ ଆଗକୁ ଯିବା ସମ୍ଭବ ନୁହଁ । + ବାଇମନ, ଉଠା କମ୍ବଳ, ଧ’ ନୋଟା ! +ଝିଅଟା ପାଖରୁ ଫେରିଲା ପରେ ମନେପଡ଼ିଲା ଭାବବିନ୍ଦୁ କଥା । +ସବୁବେଳେ କହେ କାହାଣୀ, କାହାଣୀ, ଇଏ ବି ତ ଗୋଟେ କାହାଣୀ, ଆରେ ଖାସ୍ ସେଇଥି ପାଇଁ ମୁଁ ଝିଅଟା ପଛରେ ଦଉଡ଼ି ଦଉଡ଼ି ନୟାନ୍ତ । + ଫଳ କଣ ହେଲା?? +ହ୍ୟାଲୋ-ଓ-ଓ, କିଏ ଭାବବିନ୍ଦୁ, ମୁଁ ଗଳ୍ପ କହୁଚି । +ହୈତ୍, ନୂଆ କିଛି ଅଛି ତ କହ । +ଓ ପୁଣି ସେଇ ସିରିଏଲ୍‌ର କଥା । + ମାନ୍ସୀ ପେଟର ଛୁଆ…. +କଣ କହିଲୁ ଟେଷ୍ଟ୍ୟୁବ୍ ବେ ବି!! କଣ କହୁଚୁ ମ! ନାୟକକୁ ପାଇବା ପାଇଁ ମାନସୀ ଏମିତି ଚାଲ୍ ଖେଳିଚି!! ହାଓ ଡେୟାର….! +ଗଳ୍ପ ମନରେ ବିଜୁଳି ବେଗରେ ଗୋଟାଏ ମେକ୍ ଲାଗିଚି । + ଆରେ ହୈ… ତିୱାରୀ ବୁଢା ପାଖରୁ ପିତୃତ୍ବ ଦାବି କରୁଥିବା ଝିଅ… ଆଉ ଟେଷ୍ଟ୍ୟୁବ୍ ବେବି…..! +ଫୋନ୍ ରଖି ଗଳ୍ପ କେମିତି ଗୋଟେ ଉଚ୍ଚାଟ ଅନୁଭବ କଲା ନିଜ ଭିତରେ ଏବଂ ମନକୁ ମନ କହିଲା, ମତେ ତ ଯେମିତି ହେଲେ ଝିଅଟାର ମା ପାଖକୁ ଯିବାକୁ ପଡିବ! ଫୁଲବାଣୀ, କଉ ଗୋଟେ କନ୍ଧମାଳିଆ ଗାଁରେ ତା ମା ରହେ । +ଫୁଲବାଣୀ ସଦର ମହକୁମାରୁ କେନ୍ଦୁପଦର, ସେଇଠୁ ପାଦଚଲା ରାସ୍ତାରେ ଗୋଟିଏ କିଲୋମିଟର ପାହାଡ଼ ତଳି ଗାଁ ଗଳ୍ପର ଇପ୍‌ସିତ ସ୍ଥାନ, ଗାଁଟିରେ ତିରିଶ ପଇଁତିରିଶ୍ ପରିବାର, ସମସ୍ତେ ଜନଜାତିର । +ପାହାଡ଼ ଗଡ଼ାଣି ଦେଇ କେନ୍ଦୁପଦର ଯାଏ ଛୋଟ ମୋଟ ଗାଡ଼ିଚାଲେ । +କୌଣସି ପ୍ରକାରେ ଗଳ୍ପ ସେଇଠି ଓହ୍ଲାଏ । +ପାଦଚଲା ରାସ୍ତାରେ ଆଗେଇବା ପୂର୍ବରୁ ଥରେ ଆଖି ବୁଲେଇ ଆଣେ ଚାରିଆଡ଼କୁ । +ଏଇତ, ଗାଁଟା ଦିଶୁଚି ଗୋଟେ ଚିତ୍ରକରର ଚିତ୍ରପଟ ପରି । +ଘରଗୁଡ଼ିକ ଛଡ଼ା ଛଡ଼ା ଗୋଟେ ଗୋଟେ ବିନ୍ଦୁ । +ମଣିଷ, ଗାଇ ଗୋରୁ ଦିଶୁଛନ୍ତି ଛୋଟ ଛୋଟ ଖେଳଣା ପରି । +ଚାରିଆଡ଼େ ସବୁଜିମା ଘେରା ପାହାଡ଼ ଓ ପାହାଡ଼ । +ଡେଙ୍ଗା ଡେଙ୍ଗା ଶାଳ, ପିଆଶାଳ, ଶାଗୁଆନ, କେନ୍ଦୁ ଓ ମହୁଲ ଗଛ । +ଗଛ ତଳେ ଠିଆ ହେଇ ଆଗକୁ ଅନେଇଲେ ଲାଗୁଚି ଗଛଗୁଡ଼ିକର ମଥା ଆକାଶକୁ ଛୁଇଁଚି । +ଧୂଆଁଳିଆ ବାଦଲ ନେସି ହେଇ ଯାଉଛନ୍ତି ପାହାଡ଼ ଛାତିରେ । +ପାହାଡ ଅଣ୍ଟିରୁ ହୀରାଗୁଣ୍ଡ ଚୋରେଇ ତରତରରେ ଚୋରଣୀ ପରି ବହିଯାଉଚି ଝରଣା । +କାଚକେନ୍ଦୁ ପାଣି । +ଖୁବ୍ ତଳ ସେଇ ଗାଁ ଚାରିକଡରେ ସୋରିଷ, ଅଳସି କ୍ଷେତ । +ଗଳ୍ପ ଚାଲିଚି । +ବୁଦ୍‌ବୁଦିକିଆ କଣ୍ଟାଝଣ୍ଟାର ଗୁଳ୍ମକୁ ଆଡ଼େଇ ଆଡ଼େଇ । +ରାସ୍ତା ମଝିରେ ମଝିରେ ବଡ଼ ବଡ଼ ପଥର ଖଣ୍ଡ ଏମିତି ମୁଣ୍ଡଟେକି ରହିଛନ୍ତି ଯେ ସତର୍କତାର ସହ ଆଗେଇବାକୁ ପଡ଼ୁଚି । +ବାହୁଙ୍ଗୀ କାନ୍ଧରେ ଥୋଇ ଚାଲି ଯାଉଥିବା ଧାଙ୍ଗଡ଼ା, କିମ୍ବା ହସଖୁସିରେ ଗପଯୋଡ଼ି ଚାଲିଥିବା ଧାଙ୍ଗଡ଼ୀମାନଙ୍କୁ ଫୁଲମଣି କୁଜୁର୍‌ର ଘର ଠିକଣା ପଚାରୁଚି ଗଳ୍ପ । +ସମସ୍ତେ ସେଇ ନାଆଁଟା ଶୁଣି ବୁଲି ବୁଲି ଚାହୁଁଛନ୍ତି । +ସେମାନଙ୍କ ଚାହାଣିର ଭାଷା ପ୍ରାୟ ଏଇପରି ହେଇପାରେ-କେତେ ଲୋକ ଆସୁଛନ୍ତି ମ, କେତେ ଯାଉଛନ୍ତି, ଇଏ ପୁଣି କିଏ ଲୋ ! ୟାଙ୍କର ତ ଫଟଉଠା ଯନ୍ତ୍ର ନାହିଁ, କିଛି ନାହିଁ, ସେ ଛାର୍‌ରୀଟାଠେଇଁ ୟାଙ୍କର କି କାମ ! ହଉ ଯାଅ ଯାଅ । +କେହି କେହି ଆଙ୍ଗୁଠି ଦେଖେଇ ଚିହ୍ନେଇ ଦଉଛନ୍ତି ଟଣିଅ ଝାଟିରେ ବାଡ଼ ଘେରା ଗୋଟେ ଛୋଟ ଘରକୁ । +ଫୁଲମଣିର ଘର । +ଛୋଟ ପାହାଡ ମୁଣ୍ଡିଆ ଉପରେ ଘରଟି ପ୍ରାୟ ଗାଁର ବାହାର, ଏକଲା । +ନୁଆଣିଆ ଘରଟାରେ ଫୁଲମଣି ବି ଏକଲା । +ଗଳ୍ପର ଉଦ୍ଦେଶ୍ୟ ସମ୍ପର୍କରେ ବୁଝିସାରିଲା ପରେ, କାଇଁଯେ ଫୁଲମଣିର ବିଶ୍ବାସ ଜନ୍ମିଚି କିଛି ସମୟ କଥାବାର୍ତ୍ତା କରିବ । +ନାଇଁତ ତା କଥାରୁ ଜଣା ପଡ଼ୁଚି ସିଏ ଟିଭିବାଲା, ଖବରକାଗଜ ବାଲା, ନେତା ମନ୍ତ୍ରୀ ଲୋକଙ୍କ ଆଗରେ ବୟାନ ଦେଇ ଦେଇ ବିଜାର, ଖାସ୍ ଏଇ କାରଣରୁ ସିଏ ଦି, ଅକ୍ଷର ଭଲରେ ଇସ୍କୁଲରେ ପଢ଼େଇ ପାରୁନି । +ଫୁଲମଣି ଗାଁ ସ୍କୁଲରେ ଠିକା ଶିକ୍ଷୟିତ୍ରୀ । +ଦେଖିବାକୁ ସାରା ଗାଁର ଲୋକମାନଙ୍କ ଠୁଁ ଭିନ୍ନ । +ଶ୍ୟାମଳ ରଙ୍ଗ, ବୟସ ଚାଳିଶ୍ ପାଖାପାଖି । +ଗୋଲ ମୁହଁ, କୁଞ୍ଚୁ କୁଞ୍ଚିଆ ଲମ୍ବା ବେଣୀ । +ମଝି ସୁନ୍ଥାନି କାଟି ବାଳ ଚାପି, କୁଣ୍ଡେଇ ବେଣୀ ପାରିଛି, ଫୁଲ ଖୋସିଛି,କାନରେ ଟାମାଟୁଲ୍‌, ନାକରେ ଲବଙ୍ଗ କଡ଼ି,ପାଦରେ ପାଞ୍ଜୁରୁ ଆଉ ବେକରେ ଲମ୍ବିଛି ଚିପ୍‌ ମାଳି । +ଚଳଣି ଦୃଷ୍ଟିରୁ ଟିକେ ସ୍ବଚ୍ଛଳ । +ବଣ ସଙ୍ଗର କାମ ଛାଡ଼ି ଶିକ୍ଷକତା କରୁଥିବାରୁ ଅନ୍ୟମାନଙ୍କ ଭିତରେ ଟିକେ ସମ୍ଭ୍ରାନ୍ତ ଚେହେରା ରଖି ପାରିଚି । +ବଣ ମୂଲକରେ ତାକୁ ସୁନ୍ଦରୀ କହିବାରେ କେହି ବି କଞ୍ଜୁସୀ କରି ପାରିବ ନାହିଁ । +ଧୂ-ଧୂ ପାହାଡ଼ । +ଶିକ୍ଷା ସଭ୍ୟତାର ହର ଏଇ ଅଗମ୍ୟ ରାଇଜରେ ଫୁଲମଣି ପାଠୋଇ । +ସେଇ ନୁଆଣିଆ ଘରଭିତରେ ବସି ବସି ଗଳ୍ପ ଅନୁମାନ କରୁଚି ଏଇଠି ମିଳିଯାଇ ପାରେ ତା’ପାଇଁ ଖୋରାକ । +ଅପରାହ୍ନ ସମୟରେ ଫୁଲମଣି ଥକ୍କା ଥକ୍କା ଲାଗୁଥିବା, ସମତାଳରେ ସୂର୍ଯ୍ୟ ପାହାଡ଼ ସେ ପାଖେ ଲୁଚି ଯିବା ପୂର୍ବରୁ ମେଲାଣିର ମୁରୁଜ ବୁଣୁଚି । +ଫୁଲମଣି ଭାରି ସତେଜ ଦିସୁଚି । +ସ୍କୁଲ ପିନ୍ଧା ଲୁଗା ନାହିଁ । +ହାଲ୍‌କା ସବୁଜ ରଙ୍ଗରେ ବୁଟି ପକା ଶାଢୀ, ସମାନ ରଙ୍ଗର ବ୍ଲାଉଜ୍, ହାଲ୍‌କା ମେକ୍‌ଅପ୍ । +ପ୍ରତିପଦ ପରର ଜହ୍ନ କେତେ ଘଡ଼ିର ସଂଜ ଅନ୍ଧାରକୁ ଆଡ଼େଇ ଆଡ଼େଇ ପୂର୍ବଦିଗ ପାହାଡ଼ କନ୍ଦିରୁ ଉଠିଆସୁଚି । +ମାଈକାକର ଭିଜା ସଲପ ଗଛ ପତ୍ର ଜହ୍ନ ଆଲୁଅରେ ବରଫାବୃତ୍ତ କାଶ୍ମୀର ପରି ଦିଶୁଚି । +ଫୁଲମଣି କଥା ହେବାକୁ ଗଳ୍ପକୁ ଡାକି ଆଣିଚି ତା ଘରକୁ ଟିକିଏ ଦୂର ଗୋଟେ ଅନୁଚ୍ଚ ପାହାଡ ମୁଣ୍ଡିଆ ଉପରକୁ । +ଦିହେଁ ଖୁବ୍ ପାଖା ପାଖି । +ମୁଣ୍ଡିଆ ତଳି ଗାଁରୁ ଶୁଭୁଚି ଧାଙ୍ଗଡା ଧାଙ୍ଗଡୀଙ୍କ ସମ୍ମିଳିତ ଗୀତ । +ରାତି ବଢ଼ିବା ସାଙ୍ଗକୁ କ୍ରମଶଃ ଗୀତର ଲୟ ହେଉଚି ମନ୍ଦ, ମାଦକ ଭରା, ଅଳସ ଅଳସ । +ନିଜ ଅନ୍ୟମନସ୍କତାରୁ ଫେରି ନୀରବତା ଭଙ୍ଗ କଲା ଫୁଲମଣି-ହଇରେ କଣ କଥା ହବୁ ପରା? ଫୁଲମଣି ଏମିତି ସମ୍ବୋଧନରେ ମାଦକତା ତ ନିଶ୍ଚୟ ଅଛି । +ତଥାପି ଗଳ୍ପ ଅବାକ୍‌ । + ନିମିଷକ ପାଇଁ ସିଏ ଭୁଲି ଯାଉଚି ତା ପଚାରିବା କଥା? +-ଭାବୁଚୁ ନା- ତତେ କାହିଁକି ଏମିତି ସମ୍ବୋଧନ କରୁଚି ? +ଗଳ୍ପ ମୁହଁରେ ଭାଷା ନାହିଁ । + ଏ ଯାଏ ଭାବଗମ୍ଭୀର ଦିଶୁଥିବା ଇଏ କଣ ସେଇ ମହିଳା ! ଯିଏ ଏଇ ଦୁର୍ଗମ ଇଲାକାର ଜନଜାତିର ମହିଳାମାନଙ୍କ ଭିତରୁ ଜଣେ ! +ଗୋଟିଏ ଗୁରୁଜନ ସୁଲଭ ହସ ଖେଳିଗଲା ଫୁଲମଣି ଓଠରେ । +କହିଲା-ମଣିଷର ଜୀବନ ଯେତିକି ରହସ୍ୟମୟ ତା ତୁଳନାରେ ତୋ ସ୍ଥିତି କ‘ଣ ହେବ ଭାବୁଚୁ । + ମୁଁ ଚରିତ୍ର, ତୁ ଗଳ୍ପ ? ବେଶି କିଛି ଭାବନା- କଣ ପଚାରିବୁ ପଚାର ! +ଏଇ କେଇ ପଦ କଥାରେ ଗଳ୍ପର ସବୁ ଆକଳନ ବଦଳି ସାରିଚି । +ଅନୁଭବ କରୁଚି ଫୁଲମଣି କେବେଳ ଶିକ୍ଷାଦୀକ୍ଷାରେ ଏ ମୂଲକରେ ଅଲଗା ନୁହଁ, ଚିନ୍ତାରେ ଚେତନାରେ ବି । + କୌଣସି ଔପଚାରିକତା ନରଖି ଗଳ୍ପ ପଚାରିଲା- ଏବେ ଆମ ରାଜ୍ୟର ଜଣେ କ୍ୟାବିନେଟ ମନ୍ତ୍ରୀ, ବରିଷ୍ଟ ନେତାଙ୍କ ଝିଅ ବୋଲି ନିଜକୁ ଯିଏ ଦାବି କରୁଚି….? +-ସମିରା, ମୋ ଝିଅ, କଣ ହେଲା? +-ସିଏ ତମ…ଝିଅ !! +-କାଇଁ ବିଶ୍ବାସ ହେଉନି ବୋଧେ । +-ନାଇଁ…ହଁ-ହଁ +– ଏଇଥି ପାଇଁ ଯେ ସମିରା ଗୋଟେ ଆଦିବାସୀ ଝିଅ , ପୁଣି କାଶ୍ମୀର ସେଓଟେ ପରି ଦିଶୁଚି, +ଏଇଆ ନା? କହିଲା ଫୁଲମଣି । +ଗଳ୍ପ ନିଜ ପ୍ରଶ୍ନରେ ନିଜେ ଛନ୍ଦି ହେଇ ପଡ଼ି ନୀରବ ରହିଲା । +-ସମିରା ମୋ ଝିଅ । +-ଆଚ୍ଛା ଏବେ ସେ ଯେଉଁ ଦାବି କରୁଚି ତା କଣ ସତ? +-କଥାଟା…ସତ ନୁହଁ , ମିଛ ବି ନୁହଁ । +ବୁଝି ପାରିଲିନି । +-ବୁଝିବାକୁ ଚେଷ୍ଟା କଲେ ସିନା ବୁଝିବୁ । +ଆରେ ଯଉ କଥାଟା ସତ ନୁହେଁ ତାହା ମିଛ ହେଇ ପାରେ । +ଆଉ ଯାହା ମିଛ ନୁହେଁ….ତାହା…. । +ଫୁଲମଣିର କଥାର କୁହେଳି ଭିତରେ ନିରୀହ କେରାଣ୍ଡି ମାଛ ପରି ଛଟପଟ ହେଉଚି ଗଳ୍ପ । +ମନରେ ଅସୁମାରୀ କୌତୁହଳ ଅଥଚ ଫୁଲମଣି(!) ସ୍ଥିର, ନିର୍ବିକାର । +-ତତେ ସେ କାହାଣୀଟା କହୁଚି ଶୁଣ୍‌ । + ଭାବୁଚି ଶୁଣିସାରିବା ପରେ ବୁଝି ପାରିବୁ ଯଉଟା ମିଛ ନୁହଁ ସେଇଟା କି ସତ ! +ଶିର୍‌ଶିର୍‌ ପବନରେ ଫୁଲମଣିର ମୁହଁ ଉପରେ ଉଡ଼ୁଥିବା ଚୂଳ କେରାକୁ କାନ ଉପରେ ଗେଞ୍ଜି ଦେଇ ସିଏ ଆକାଶର ଦି’ପାଦ ଉପରକୁ ଉଠିଯାଇଥିବା ଜହ୍ନକୁ ଚାହିଁ ରହିଲା । + ଧୀର ସ୍ବରରେ ସିଏ ଆରମ୍ଭ କଲା- +ମାନନୀୟ ତିୱାରୀ ମହୋଦୟ ସେତେବେଳେ କେନ୍ଦ୍ରୀୟ ପ୍ରଭାରୀ ହୋଇ ପ୍ରଥମ ଥର ଆସିଥାନ୍ତି ଓଡ଼ିଶା । +ପ୍ରଦେଶ କଂଗ୍ରେସର ସଭାପତି ପଦ ପାଇଁ ଲାଗିଥାଏ ଛକାପଂଝା । +ଗୋଡ ଟଣାଟଣି, ଗୋଛିକଟା । +ନିଜ ନିଜ ସମର୍ଥକମାନଙ୍କୁ ନେଇ ପଡ଼ୁଥାଏ ଦିଲ୍ଲୀରେ ଡେରା । +ଦଳୀୟ ଅନ୍ତର୍ଦ୍ବନ୍ଦ୍ବ କାରଣରୁ ସଙ୍ଗଠନ ଦୁର୍ବଳ । +ପୂର୍ବ ସଭାପତିଙ୍କୁ ପ୍ରତ୍ୟାଖ୍ୟାନ କରିସାରିଥାନ୍ତି ଜନତା । +ନିର୍ବାଚନରେ ମଧ୍ୟ ଚିତ୍‌ପଟା । +ଜଣେ ନୂତନ ନେତୃତ୍ବ ସନ୍ଧାନରେ ଥିବା ଦଳର ହାଇକମାଣ୍ଡ ବାରମ୍ବାର ଗୋଷ୍ଠୀ କନ୍ଦଳକୁ ସମାଧାନ କରିବାକୁ ପଠାଉଥାନ୍ତି କେନ୍ଦ୍ରୀୟ ନେତୃମଣ୍ଡଳୀଙ୍କୁ । +କିନ୍ତୁ ବିଫଳ, ପୁରୁଣା ଗୋଷ୍ଠୀ କନ୍ଦଳ କାରଣରୁ ଦି ଦିଥର କଂଗ୍ରେସକୁ ଲଜ୍ଜାଜନକ ଭାବେ ସାଧାରଣ ନିର୍ବାଚନରେ ପରାଜୟର ମୁହଁ ଦେଖିବାକୁ ପଡ଼େ । +ଫୁଲମଣିର ମୁହଁରୁ କଂଗ୍ରେସର ଏଇ ଇତିହାସ ଶୁଣି ଗଳ୍ପ ଭାବୁଚି ଏ ଗୁଡ଼ା ରିପୋର୍ଟ ହେଃ ! ଏ ସବୁକୁ ନେଇ କି ଲେଖା । +ଏତେ ବାଟ ଆସିବାଟା…. । +ଫୁଲମଣି କହିଚାଲିଥିଲା- ସେଇ ବର୍ଷ ନିର୍ବାଚନକୁ ଆଖି ଆଗରେ ରଖି ତିୱାରୀ ସାହେବ ଓଡ଼ିଶା ଆସିଥାନ୍ତି । +ସବୁଗୋଷ୍ଠୀର ଛାମୁଆ ନେତାଙ୍କୁ ଡାକି ଆଲୋଚନା କରିସାରି ନୂଆ ନେତା ଅଳ୍ପ ଦିନ ମଧ୍ୟରେ ହାଇକମାଣ୍ଡ ଘୋଷଣା କରିବେ ବୋଲି କହିସାରିଥାନ୍ତି । +ତାଙ୍କ ଆସିବାର ତୃତୀୟ ଦିନରେ ନିଜସ୍ବ ଆଗ୍ରହରେ ଓଡ଼ିଶାର ଆଦିବାସୀ ଅଞ୍ଚଳ ବୁଲି ଦେଖିବାକୁ ଆସି ପହଞ୍ଚିଥିଲେ ଫୁଲବାଣୀରେ । +ଏଠିକାର ଦଳୀୟ କର୍ମୀ, ତାଙ୍କ ପାଇଁ ସ୍ବାଗତ ସମ୍ବର୍ଦ୍ଧନାର ବ୍ୟବସ୍ଥା କରିଥାନ୍ତି । +ପରେ ପାଦରେ ଚାଲିଚାଲି ଆମ ରାଇଜର ପ୍ରାକୃତିକ ସୁଷମା ଦେଖୁଥାନ୍ତି । +ବୁଝୁଥାନ୍ତି ଅଶିକ୍ଷା,ଅନ୍ଧାର, ଅର୍ଦ୍ଧାହାର ଓ ଅନାହାରରେ ରହୁଥିବା ମଣିଷ ମାନଙ୍କର ଆର୍ତ୍ତ ଚିତ୍କାର । +ନିଃଶବ୍ଦରେ ନିଜ ମଥାରେ ହାତ ପିଟି ଗଳ୍ପ ମନେ ମନେ କହୁଥାଏ- ଓଃ, ବନ୍ଦ୍‌କର ଫୁଲମଣି । +ଏସବୁଙ୍କୁ ନେଇ ଲେଖା ବୋର୍ ହିଁ ବୋର୍ ହବ । + ଏସବୁ କଥା କିଏ ନ ଜାଣେ ! +ଅବଶ୍ୟ ଗଳ୍ପର ଏଇ ଅସ୍ଥିର ଭାବ ବେଶି ସମୟ ରହିଲା ନାହିଁ । +ରାତିର ବୟସ ବଢୁଥିବା ସାଙ୍ଗେ ସାଙ୍ଗେ ଫୁଲମଣିର ଉଦାସ, ଅଥଚ ନିସ୍ତରଙ୍ଗ ସ୍ବର ଶୁଭୁଥିଲା ଅଦୂରର ବଂଶୀସ୍ବନ ପରି, ବିରହ ବିଧିର । +ସିଏ କହିଚାଲିଥିଲା- ଆମ ଗାଁ ଲୋକଙ୍କ ଅନୁରୋଧ କ୍ରମେ ଗୋଟିଏ ସ୍କୁଲର ଶିଳାନ୍ୟାସ କରିଥିଲେ ତିୱାରୀ ସାହେବ । +ପରେ ପରେ ମଧ୍ୟ ଅର୍ଥ ମଞ୍ଜୂର । +ଗାଁର ବୁଆରି ଘର, ଓଝାଘର, ଠାକୁରାଣୀ, ଚାନ୍ଦିନୀ, ଝରଣା ବୁଲି ବୁଲି ଦେଖିଥିଲେ । +କଥା କହୁଁ କହୁଁ ଅଟକି ଯାଇ ଫୁଲମଣି ପଚାରିଲା- ଆଚ୍ଛା ତୁ ତିୱାରୀ ସାହେବଙ୍କୁ ଦେଖିଚୁ? +-ନା, ପାଖରୁ ନୁହଁ । +ଟିଭି ଓ ଖବର କାଗଜରୁ…. । +-କେମିତି ଦିଶନ୍ତି ? +କେମିତି….ଦିଶନ୍ତି, ପ୍ରାୟତଃ ତିୱାରୀ ସାହେବଙ୍କ ଏଇ ଘଟଣା ନ ଘଟେ ତାଙ୍କୁ ମନେ ନରଖିବା ପରି ନ ଦେଖେ । +ତାପରେ ଏବେ ତାଙ୍କ ବୟସ ସତୁରୀ ପାଖାପାଖି…. ଏଇକଥା ମନେ ମନେ ଭାବୁଥିଲା ଗଳ୍ପ କିନ୍ତୁ କିଛି କହିପାରିଲା ନାହିଁ । +-ସୁନ୍ଦର, ଗୋଟିଏ ନାରୀର ମନକୁ ଆକର୍ଷିତ କଲାପରି । +ଏକଥା ମୁଁ କହୁଚି ତାଙ୍କ କୋଡ଼ିଏ-ପଚିଶ ବର୍ଷ ତଳର ଚେହେରାକୁ ନେଇ । +ଗଳ୍ପ ଫୁଲମଣିର କଥାକୁ ସମର୍ଥନ କରି କହି ଉଠିଲା- ଅବଶ୍ୟ ଅବଶ୍ୟ, ଏବେକା ଚେହେରାକୁ ଦେଖିଲେ ଯେ କେହି ଅନୁମାନ କରିପାରେ । +-ତତେ ଆଉ ଟିକେ ମୋ ବ୍ୟକ୍ତିଗତ ଋଚି ଆଡ଼କୁ ନଉଚି । +ଭାବୁଚି ବୋର୍ ହବୁନି । +ଗଳ୍ପ ଚାହିଁ ରହିଥିଲା ସେଇ ରହସ୍ୟମୟୀ ଫୁଲମଣି ଆଡ଼େ । +ଯାଦୁକରର ପେଡ଼ିପରି ଖୋଲିବା ଖୋଲିବା ହଉଚି ଅଥଚ ଉତ୍କଣ୍ଠା,ଉଦ୍‌ବିଗ୍ନତାକୁ ଏକାଠି କରୁଚି ତା ଚଉଦହୀରେ । +ଉତ୍କଣ୍ଠା ରହିବାଟାତ… । +ଗୋଟେ ନାତିଦୀର୍ଘ ନିଶ୍ବାସ ଛାଡ଼ି ଫୁଲମଣି କହିଲା- ମୋ ବାପା ଦୀନ କୁଜୁରକୁ ମୁଁ ଦେଖି ନାହିଁ । +ମାକୁ ଦେଖିଚି ସାତ ଆଠ ବର୍ଷ ଯାଏ । +ଆମର ଅଭାବ ଘର । +ମାଣ୍ଡିଆ ଜାଉ, ସଲପ ତାଡ଼ି ପିଆ ସଂସାର । +କାହିଁକି କେଜାଣି ମୋତେ ପିଲା ଦିନର କେହି ସେ ସବୁରୁ ବାହାର କରି ଆଣିଚି । +ସମସ୍ତଙ୍କଠୁ ମୁଁ ଅଲଗା ହେଇ ବଞ୍ଚିବା ଶିଖିଚି । +ଏଇ ଗାଁରୁ ଚାଲି ଚାଲି, ବସ୍ତାନୀ ଧରି ପାଠ ପଢିବାକୁ ଯାଇଚି ପାଞ୍ଚ କିଲୋମିଟର । +ସ୍କୁଲରୁ ଫେରିବା ବେଳେ ସଞ୍ଜ ଅନ୍ଧାରରେ ଭାଲୁ ହାବୁଡ଼ରେ ପଡ଼ିଚି । +ପ୍ରଥମ ଝିଅଟେ ହେଇ ମାଟ୍ରିକ୍ ପାଶ୍ କରିଛି । +ଘରେ ପଢ଼ି କଲେଜ ପାଶ୍ କରିଚି । +ମହୁଲଫୁଲ ତୋଳି ପେଟ ପୋଷିଚି । +କାଠ କାଟି, ପୋଡୁଚାଷ କରିବାକୁ ଡଙ୍ଗର ଯାଇନି । +ପରବରେ ଗୀତ ଗାଇଚି, ନାଚିଚି, କିନ୍ତୁ କେବେ ମହୁଲି ନିଶାରେ ପଡ଼ିନି । +ନିଶାରେ ପଡ଼ିଚି କିନ୍ତୁ ଅଲଗା ଗୋଟେ ହେବି । +ଛାଡ୍ । +ହଁ ମୁଁ କହୁଥିଲି ପରା, ତିୱାରୀ ସାହେବଙ୍କୁ ଦେଖିଲା ପରେ ମୋ କୁଆଁରୀ ମନରେ ଛୁଆଁ ଲାଗିଲା । +ଇଚ୍ଛା ହେଲା ଏମିତି ଗୋଟେ ସୁନ୍ଦର ପୁରୁଷର ସାନିଧ୍ୟ ଜୀବନରେ ଥରଟେ ମିଳିଲେ… । +ବାମନ ହେଇ ଚନ୍ଦ୍ରକୁ ଥରଟେ ହଉ ପଛେ ପାଇବି କି ? ଭାବିଲି ସଭ୍ୟତା, ଶିକ୍ଷାର ଦୁଆର ମାଡ଼ିନଥିବା କଉ ଗୋଟେ ଡଙ୍ଗରିଆ ସାଙ୍ଗରେ ସାରାଟା ଜୀବନ ବିତେଇ ଦେବା ଅପେକ୍ଷା ମୁହୂର୍ତ୍ତକର ସେ ସାର୍ଥକତା ଜୀବନକୁ ପୂର୍ଣ୍ଣତାରେ ଭରିଦବ । +କହିପାରିବିନି ଇଶ୍ବରଙ୍କ ସଂଯୋଗ କି କଣ, ସେଦିନ ଗାଁ ମୁଖିଆ ତିୱାରୀ ସାହେବଙ୍କ ଚର୍ଚ୍ଚା ସ୍କୁଲର ମାଷ୍ଟରାଣୀ ହିସାବରେ ମୋତେ ଦେଇଥିଲେ । +ଆମ ଘରେ ମୁଁ ଲାଗିପଡ଼ିଥିଲି ତାଙ୍କୁ ଆତିଥେୟତା ଦେବାରେ । +ସ୍ବପ୍ନରେ ବି ଭାବିନଥିଲି ମୋର ଏଇ ଖପରଲି ଘରଭିତରକୁ ସିଏ ପାଦ ଦେବେ । +ଅଥଚ ମୋ ଘର ଭିତରକୁ ଆସୁ ଆସୁ ମାଟିକାନ୍ଥର ଝୋଟି ଚିତ୍ରରେ ସିଏ ବିମୋହିତ ହେଇ ପଡ଼ିଲେ । +ମୁଁ ତାଙ୍କୁ ଖାଇବା ପରଶିଦେବା ବେଳେ ଲକ୍ଷ୍ୟ କରୁଥାଏ ତାଙ୍କ ଅନମନସ୍କ ଭାବକୁ । +ମୋ ହାତ ରନ୍ଧାର ପ୍ରଶଂସା କରି ସିଏ ଅଧିକ ବିରିଭାତ ଖାଇଦେଇଥିବା କଥା ପରେ କହିଲେ । +ପଚାରି ବୁଝିଲେ, ଶର୍ଗିପତ୍ର ଦେଇ ଅଳସି ଏଣ୍ଡ୍ରି ପିଠା କେମିତି ତିଆରି ହୁଏ । +ଆମ ଚଳଣିରେ ଅତିଥି ଭଗବାନ । +ସେଦିନ ସଞ୍ଜରେ ତାଙ୍କୁ ସ୍ବାଗତ କରାଯାଇ ଲାଗିଲା ନାଚ ଗୀତର ପରବ । +ଦିନର ବୁଲା ବୁଲି ପରେ ସିଏ କ୍ଲାନ୍ତ ଅନୁଭବ କରି ଅଳ୍ପ ସମୟ ପରେ ଫେରିଆସିଲେ ରାତ୍ରିର ବିଶ୍ରାମ ନେବାକୁ । +ମୁଁ ନିଜ ହାତରେ ସଜେଇଥିବା ବିଛଣାରେ ଶୋଇଥିଲେ ମୋ ଇପ୍‌ସିତ ପୁରୁଷ । +ନୀରବରେ ନିଶ୍ଚିନ୍ତରେ । +କିନ୍ତୁ ମୁଁ ଅସ୍ଥିର ଚଞ୍ଚଳ । +ବହିଯାଉଥିଲି କୁଆଁରୀ ଛନ୍ଦରେ ବନର ଝରଣା ପରି । +ଭିଜେଇ ଦେଇ ଚାଲିଯାଉଥିଲି ତାଙ୍କ ତନୁମନକୁ । +ମୋ ହୃଦୟ ମନ୍ଦିରର ଦେବତା କରି ନୈବେଦ୍ୟ କରି ଦେଇଥିଲି ଅପାପବିଦ୍ଧା ମୋ ଯୌବନକୁ, ନାରୀତ୍ବକୁ । +ଆକାଶରୁ ପଡ଼ିଗଲା ପରି ଅନୁଭବ ହେଲା ଗଳ୍ପକୁ । +ଫୁଲମଣି ତାକୁ ବିଭୁତି ପଟ୍ଟନାୟକଙ୍କ ଉପନ୍ୟାସର ନାୟିକା ପରି ଇମୋସନାଲ୍ ଲାଗୁଥିଲାବେଳେ ଆଖି ଆଗରେ ନାଚି ଯାଉଥିଲା ନାୟକ ବୃଦ୍ଧ ତିୱାରୀଙ୍କ ଛବି । +ପୁଣି ଜିଦ୍‌‌ଖୋରୀ ସମିରାର ସଂଘର୍ଷ । +ଅବିଶ୍ବାସ ଆସୁଥିଲା ସତରେ କଣ ତିୱାରୀଙ୍କ ପରି ଜଣେ ଉଚ୍ଚପାହ୍ୟାର ମଣିଷ…!! ଗଳ୍ପ ତା ମନ କଥା ପ୍ରକାଶ କଲା । +ନିରୁଦ୍‌ବିଗ୍ନା ଫୁଲମଣି ଥରେ ପାଖରେ ବସିଥିବା ଗଳ୍ପର ପ୍ରଶ୍ନିଳ ମୁହଁକୁ ଚାହିଁଲା, ଥରେ ରାତିର ନୀରବତା ଆଡକୁ । +ଗଳ୍ପର ମଥାକୁ ନିଜର ଛାତି ଭିତରକୁ ଟାଣି ଆଣିଲା ଦି ‌ହାତରେ । +ଧକ୍- ଧକ୍- ଧକ୍ +ନିର୍ଦ୍ଦିଷ୍ଟ ଅଥଚ ସୁସ୍ଥ ବ୍ୟବଧାନର ଛନ୍ଦ ସେ ଛାତି ଭିତରେ । +ଗଳ୍ପର ମଥା ଚାପି ହୋଇ ରହିଚି ଛାତିର ଦୁଇ ବିଭଂଗ ପାହାଡର ଖୋଲରେ । +ମଥା ଉପରେ ଫୁଲମଣିର ଦୁଇ କୋମଳ ହାତର ପାପୁଲି । +ଆକାଶରେ ମ୍ଲାନ ଜ୍ୟୋତ୍ସ୍ନା । +ପବନରେ ଲଘୁ ସଙ୍ଗୀତ । +କାମନା ରହିତ ଗୋଟେ ନାରୀର ଉପତ୍ୟକା ପରି ଲମ୍ବିଥିବା ଇତିହାସ । +ଏ ଅନୁଭବ ପ୍ରଥମ କରି ଗଳ୍ପକୁ ଲାଗୁଥିଲା ଅନନ୍ୟ, ଅବର୍ଣ୍ଣନୀୟ । +ଦୂର ଆକାଶର କେଉଁଗୋଟେ ନକ୍ଷତ୍ର ଭିତରେ ହଜିଯାଇଥିଲା ଫୁଲମଣିର ଦୃଷ୍ଟି, କେତେ ସମୟ ସେ ଭୁଲିସାରିଥିଲା କେହି ଜଣେ ତା ଛାତିର ଗଭୀରତାରେ ବୁଡ଼ି ବୁଡ଼ି ଯାଉଚି । +କେଉଁ ଅଶରୀରୀ ସ୍ବରରେ ସେ ଉର୍ଦ୍ଧ୍ବମୁଖୀ ହେଇ କହୁଥିଲା- ତୁ ଗଳ୍ପ, ତୁ ମୋତେ ବାହାରୁ ଦେଖିସାରିଚୁ । +ଶୁଣି ବି ସାରିଚୁ । +ତୋତେ ମୋ ଛାତି ଭିତରେ ବି ପଢ଼େଇ ଦଉଚି । +ଅନ୍ତତଃ ଏଇ କଥା ଭାବି ଯେ କାହାଣୀଟିକୁ ପ୍ରାଣମୟ କରିବା ପାଇଁ ଚରିତ୍ର ଭିତରେ ତୋର ଆତ୍ମୀୟ ପ୍ରବେଶ ନିହାତି ଜରୁରୀ । +ଗଳ୍ପ ନିଜକୁ ମୁକ୍ତ କରି ପଚାରିଲା- ତାହେଲେ ତମେ ଝିଅର ଦାବି ପାଇଁ କାହିଁକି ସତ କଥା ଖୋଲି ଦଉନ । +-କହିଲି ନା- ସତ ପରି ଦିଶୁ ଥିବା ସବୁ ସତ ସତ ନୁହଁ । +ହେଇ ନପାରେ । +ସେମିତିକା ଗୋଟେ ସତ, ମିଛର ପ୍ରତିଶବ୍ଦ କି ପ୍ରତିରୂପ ନ ହେଇପାରେ । +-ମୁଁ କିଛି ବୁଝିପାରୁନି ଫୁଲମଣି !! +-ଶୁଣ, ସମିରା ଏବେ ପିତୃତ୍ବ ଦାବି କରି ନ୍ୟାୟାଳୟର ଆଶ୍ରୟ ନେଇଚି । +ବଡ ଜିଦିଆ ଝିଅ ସେ । +ଥକି ପଡ଼ିବା ଯାଏ ଦଉଡ଼ୁ ଥିବ । +ଅଥଚ ମୋତେ ସେ ଆଜି ଯାଏ ବୁଝିପାରିଲାନି । +-ବୁଝିପାରିଲାନି, କାହିଁକି ? +-ତୁ ଗଳ୍ପ, କେବେ କଉ ଝିଅକୁ ଶିଖେଇଚୁ ଯେ ଦୁନିଆରେ କେବଳ ମା ରପରିଚୟ ନେଇ ବଞ୍ଚାଯାଇ ପାରେ ବୋଲି? କେବେ ଆତ୍ମପ୍ରତ୍ୟୟ ସୃଷ୍ଟି କରି ପାରିଚୁ, ଗୋଟିଏ ପିତୃତ୍ବ ସନ୍ତାନର ଶେଷ ପରିଚୟ ମୁହଁ ବୋଲି ? +ଫୁଲମଣିର ଏଇ କେତେ ପଦ କଥାର ତୀବ୍ରତା ଗଳ୍ପକୁ ମୁଣ୍ଡିଆ ତଳକୁ ଠେଲି ଦେବାରେ ଯଥେଷ୍ଟ ଥିଲା । +ଫୁଲମଣିର ପ୍ରତିଟି ଶବ୍ଦର ଶକ୍ତିରେ ସିଏ ଦିଶୁଥିଲା ଆହୁରି ଉଜ୍ବଳ, ପ୍ରତିଭାତ । +ନାରୀତ୍ବର ଦାମ୍ଭିକତାରୁ ଲାଗୁଥିଲା ସିଏ ପାହାଡ ଠୁଁ ବି ଉଚ୍ଚ । +ଜଣେ ବଦୂଷୀ ନାରୀ ପରି କହିଲା-ନାରୀ ପ୍ରେମର ପରିତୃପ୍ତି ପାଇଁ ଖୁବ୍‌ କମ୍‌ଥର ପୁରୁଷ ପାଖରେ କାୟ, ମନରେ ସମର୍ପିତ ହୋଇଥାଏ, ବାକି ଧର୍ଷିତା ହେଉଥାଏ, ସାରାଟା ଜୀବନ । +ମୁଁ ଯେ ସେମିତିକା ଜୀବନଟେ ଚାହିଁନି, ଏକଥା ସମିରା ଆଜି ବି ବୁଝିପାରିନି । +ଅବଶୋଷ୍ । +ଗଳ୍ପ ପଚାରିଲା- ତେବେ ସତଟା ତ ସତ ନା? +ବାରମ୍ବାର ସତ ଶବ୍ଦଟା ଶୁଣି ଶୁଣି ବୋଧହୁଏ ବ୍ୟତିବ୍ୟସ୍ତ ହେଇପଡ଼ିଲା ଫୁଲମଣି, ବିରକ୍ତିପୂର୍ଣ୍ଣ ସ୍ବରରେ କହିଲା- ସତ, ସତ, ସତ, ନର୍କକୁ ଯାଉ ତୋର ସେଇ ସତ । +ତମେ ସତ ମିଛର ସେଇ ସ୍ଥିତିରେ ବନ୍ଧା ପଡ଼ିଚ, ସମିରା ବି, ଦୁନିଆ ବି, ସତର ଟିକିଏ ପଛକୁ, ମିଛର ଟିକିଏ ଆଗକୁ ପଢ଼ିବାକୁ ଯେମିତି କାହାରି ସାମର୍ଥ୍ୟ ନାଇଁ । +ଆରେ ପ୍ରତିଟି ମଣିଷ ପାଇଁ ତାର ନିଜସ୍ବ ସତଟି ସ୍ବତନ୍ତ୍ର । +ସେଇ ସତ ପାଖରେ ସ୍ବାମୀ, ସନ୍ତାନ, ସଂସାର କେହି ବି ନୁହଁ, କିଛି ବି ଦୁହେଁ । +ବସିବା ସ୍ଥାନରୁ ଏଥର ଉଠିପଡିଲା ଫୁଲମଣି, ଗଳ୍ପ ବିସ୍ମୟ, ନିର୍ବାକ୍‌ । +ଯିବାପୂର୍ବରୁ ଗଳ୍ପର ଶବ୍ଦହୀନ ମୁହଁକୁ ଚାହିଁ ଏତିକି ମାତ୍ର କହିଲା ସିଏ- ତିୱାରୀ ସାହେବଙ୍କ ସହ ମୋର ଏକତରଫା ସେଇ ସମ୍ପର୍କଟା ଗୋଟେ ଇମୋସନାଲ୍ ଆଟାଚ୍‌ମେଣ୍ଟ । +କେବଳ ଇମୋସନାଲ୍ । +ସେଥିରେ କାହାରି ଭାଗ ନାଇଁ , ତାକୁ ନେଇ କେବେ ବି କାହାରି ଅଣ୍ଟିରେ ମୁଁ ଅଜାଡି ଦେଇ ପାରିବି ନାହିଁ । +ସିଏ ମୋ ଝିଅ ହଉ କି ତୁ । +ସବୁଦିନ ପରି ବିଳମ୍ବିତ ରାତିରେ କଳ୍ପନାର ଗଳ୍ପନାୟିକା ଫୁଲମଣି ଫେରିଯାଉଥିଲା ତା ଖପରିଲ୍ ଘରର ଅନ୍ଧାର ଭିତରକୁ ।