diff --git a/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_prabandha_2 b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_prabandha_2 new file mode 100644 index 0000000000000000000000000000000000000000..d37019ee3ccac77669e96bd065e6bb78eb8d345d --- /dev/null +++ b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_prabandha_2 @@ -0,0 +1,87 @@ +ଚିତ୍ର ପ୍ରତିମା ପ୍ରାୟ ଦିଶୁ ସୁନ୍ଦର… +- ଶ୍ୟାମସୁନ୍ଦର ଅଗ୍ରୱାଲା +ତା: ମାର୍ଚ୍ଚ୍ ୨୭, ୨୦୧୨ +ମୂଳ ପୃଷ୍ଠା → ପ୍ରବନ୍ଧ → +ଏହା ଏକ ଚିରନ୍ତନ ସତ୍ୟ ଯେ, ପ୍ରତିଟି ସୁଖ ଭିତରେ ଦୁଃଖଟିଏ ଲୁଚିକରି ରହିଥାଏ । +ଅଜ୍ଞାନ ମନୁଷ୍ୟ ସେଇଟିକୁ ଦେଖି ନପାରି କ୍ଷଣିକ ସୁଖରେ ଭୋଳ ହୋଇଯାଇଥାଏ ଏବଂ ଯେଉଁଦିନ ସେଇ ସତ୍ୟଟିକୁ ସାମ୍ନା କରିଥାଏ ସେଦିନ ସେ ଦୁଃଖରେ ଭାଙ୍ଗି ପଡ଼ିଥାଏ । +ମୁଁ ଏହାର ସମସ୍ତେ ଉଣା ଅଧିକେ ଅଙ୍ଗେ ନିଭେଇଥିବା ଉଦାହରଣ ଦୁଇଟି ଦେବାକୁ ଚାହୁଁଛି । +ଗୋଟିଏ ବାପର ଜୀବନରେ ସବୁଠୁ ସୁଖମୟ ଦିନ ହେଉଛି ଯେଉଁଦିନ ତା’ର ପୁଅଟି ଚାକିରି କି ବେପାର କରି ପ୍ରଥମ ଉପାର୍ଜନ ଟଙ୍କା ଘରକୁ ଆଣି ତାକୁ ଦେଇଥାଏ । +ସେଦିନ ବାପର ଗୋଡ଼ ହାତ ତଳେ ଲାଗି ନଥାଏ । +ସାଇ ପଡ଼ିଶା, ବନ୍ଧୁବାନ୍ଧବ ସମସ୍ତଙ୍କୁ ସେ ସେଇ କଥାଟି ବାରମ୍ବାର କହୁଥାଏ । +ଶୁଣିଲଣି, ମୋ ପୁଅ ଚାକିରି ପାଇଗଲା । +ମାସକୁ ଦରମା ଏତେ’ କହି ତା’ ଛାତିକୁ କୁଣ୍ଢେ ମୋଟ କରିଦେଇଥାଏ । +କିନ୍ତୁ ସେତେବେଳକୁ ବାପଟି ବୁଝିପାରୁନି ଯେ, ଏଇଟା ହିଁ ତା’ର ଦୁଃଖମୟ ଜୀବନର ପ୍ରଥମ ଦିନ । +ଦିନକୁ ଦିନ ପୁଅ ଯେତେ ଅଧିକା ରୋଜଗାର କରୁଥାଏ, ସେତିକି ସେ ବାପାଠୁ ଦୂର ହୋଇ ଯାଉଥାଏ । +ଯେଉଁଦିନ ପୁଅର ରୋଜଗାର ତା’ର ଶୀର୍ଷ ସ୍ଥାନରେ ପହଞ୍ଚିଯାଏ ଓ ବାପାର ସର୍ବନିମ୍ନ ହୋଇଯାଏ, ସେଇଦିନ ସେମାନଙ୍କ ସମ୍ପର୍କ ପ୍ରାୟ ଛିନ୍ନ ହୋଇଯାଇଥାଏ । +ତା’ପରେ ତାକୁ ପୁଅ ପାଖରେ ଟଙ୍କା ଶହେଟି ପାଇଁ ମଧ୍ୟ ହାତ ପତେଇବାକୁ ପଡ଼ିଥାଏ ଏବଂ ଏହି ଶହେଟି ଟଙ୍କା ଦେବା ନ ଦେବା ପୁଅର ମର୍ଜି ଉପରେ ନିର୍ଭର କରିଥାଏ । +ଥରେ ଭାବନ୍ତୁ ତ, ପୁଅର ଯେଉଁ ଟଙ୍କା ପ୍ରଥମ ଦିନ ଆପଣଙ୍କୁ ଏତେ ସୁଖ ଦେଉଥିଲା ସେ ଆପଣଙ୍କ କ’ଣ କାମରେ ଆସିଲା ? ଯେଉଁଦିନ ଏଥିପାଇଁ ଆପଣ ଖୁସିରେ ଆତ୍ମହରା ହୋଇପଡ଼ିଥିଲେ ସେଦିନ ଗଲା କୁଆଡ଼େ ? ଯାହାକୁ ଆପଣ ସବୁଠୁ ବେଶୀ ସୁଖ ବୋଲି ଭାବିଥିଲେ ସେ ଆପଣଙ୍କୁ ସବୁଠୁ ବେଶୀ ଦୁଃଖ ଦେଲା ନାହିଁ କି ? +ମୋର ଜଣେ ବନ୍ଧୁଙ୍କ ପୁଅବୋହୂ ବିଦେଶରେ ଅଛନ୍ତି । +ବିଦେଶୀ ମୁଦ୍ରାର ଆକର୍ଷଣରେ ଦିନେ ବାପା ମା’ ଖୁସିରେ ନାଚି ଉଠିଥିଲେ । +ଆଜି କିନ୍ତୁ ଘରେ ବୁଢ଼ାବୁଢ଼ୀ ଦୁଇଜଣ । +ଦେହ ପା’ କ’ଣ ହେଲେ କେହି ଟିକେ ଦେଖିବାକୁ ନାହାଁନ୍ତି । +ପୁଅ କିନ୍ତୁ କହୁଛି ଯେ, ମୁଁ ବିଦେଶରେ ଥାଇ ମଧ୍ୟ ବାପା ମା’ଙ୍କର ସବୁ ବ୍ୟବସ୍ଥା କରିଦେଇଛି । +ସେମାନଙ୍କର ଯଦି ଅକସ୍ମାତ କିଛି ହୋଇଯାଏ ତେବେ ଇନସ୍ୟୁରାନ୍ସ କମ୍ପାନୀ ତାଙ୍କର ଶବଦାହ ସମେତ ସମସ୍ତ ଶୁଦ୍ଧକର୍ମ କରି ପୁଅ ପାଖକୁ ତା’ର ବିଲ୍‌ ପଠେଇ ଦେବ । +ବାପା ମା’ ଯଦି ଚାହାନ୍ତି ତେବେ ତାଙ୍କ ଅସ୍ଥି ମଧ୍ୟ ଗଙ୍ଗାରେ ବିସର୍ଜନ କରି ବ୍ରାହ୍ମଣମାନଙ୍କୁ ଖୁଆଇପିଆଇ ସେ ବାବଦ ସମସ୍ତ ଖର୍ଚ୍ଚର ବିବରଣୀ ସହିତ ବିଲ୍‌ ପଠେଇଦେଲେ ତା’ ମଧ୍ୟ ପୈଠ ହୋଇଯିବ । +ବଞ୍ଚିଥିବା ଯାକ ସବୁ ଖର୍ଚ୍ଚ ପାଇଁ ଦୁଇ ତିନିଟା କ୍ରେଡ଼ିଟ୍‌ କାର୍ଡ଼ ମଧ୍ୟ ବାପା ମା’ଙ୍କ ହାତରେ ଧରେଇ ଦେଇଛନ୍ତି । + ଥରେ ନିଜକୁ ପ୍ରଶ୍ନ କରନ୍ତୁ, ପୁଅ ଯେଉଁଦିନ ବିଦେଶ ଗସ୍ତ ପାଇଁ ଘର ଛାଡ଼ିଥିଲା, ସେଦିନ ଆପଣ କ’ଣ ଏଇୟା ଚାହିଁଥିଲେ କି ? +ବାପାଙ୍କ ପରେ ଦ୍ବିତୀୟ ଉଦାହରଣଟି ହେଉଛି ‘ମା’ । +ଗୋଟିଏ ମା’ର ସବୁଠୁ ସୁଖମୟ ଦିନ ହେଉଛି ଯେଉଁଦିନ ତା’ର ପୁଅ ବାହାହୋଇ ସୁନାନାକୀ ବୋହୂଟିଏ ଘରକୁ ଆଣିଥାଏ । +ସେଦିନ ମା’ର ଗୋଡ଼, ହାତ ତଳେ ଲାଗି ନଥାଏ । +ସାଇପଡ଼ିଶା, ବନ୍ଧୁବାନ୍ଧବ ସମସ୍ତଙ୍କୁ ନେଇ ବୋହୂଟିକୁ ଦେଖେଇବା ପରେ ତା’ ଛାତି ଗର୍ବରେ ଫାଟି ପଡୁଥାଏ । +“ମୋ’ ବୋହୂ ଗୋଟିଏ ଚାଉଳରେ ଗଢ଼ା । +ମୋ’ ବୋହୂ ଆମ ଗାଁର ସବୁଠୁ ସୁନ୍ଦର ବୋହୂ । +ମୋ’ ବୋହୂ ୟା’ ଆଣିଛି, ମୋ ବୋହୂ ତା’ ଆଣିଛି । +ମୋ’ ବୋହୂଟି !” ମା’ କିନ୍ତୁ ଜାଣିପାରୁନି ଯେ, ତା’ର ସମସ୍ତ ସୁଖ ଓ ଆନନ୍ଦର ଉତ୍ସ ବୋହୂଟି ଭିତରେ ହିଁ ତା’ ଜୀବନର ସବୁଠୁ ଦୁଃଖମୟ କାହାଣୀଟି ଲୁଚି ରହିଛି । +ଯେଉଁ ବୋହୂକୁ ମା’ ଦିନେ ମୁଣ୍ଡ ଉପରେ ବସେଇ ବୁଲଉଥିଲା ସେଇ ବୋହୂ ହିଁ ପରେ ତାକୁ ଛେକରା ନାକରା କହି ନାକ ଟେକୁଛି ଆଉ ଆପଣ ଅସହାୟ ହୋଇ ଖାଲି ଚାହିଁ ରହୁଛନ୍ତି । +ଦୁନିଆରେ ପ୍ରତିଦିନ ଏମିତି ଘଟଣା ଘଟିବାରେ ଲାଗିଛି । +ଗୋଟିଏ ମା’ ତା’ର ଚାରୋଟିଯାକ ପୁଅକୁ ଏକୁଟିଆ ପାଳି ପାରୁଛି ଅଥଚ ଚାରୋଟିଯାକ ପୁଅ ମିଶି ମା’କୁ ପାଳି ପାରୁନାହାଁନ୍ତି । +ଶେଷକୁ ମା’ ବାଣ୍ଟି ହୋଇଯାଉଛି । +ଆଜି ଏ ପୁଅ ଘରେ ତ କାଲି ସେ ପୁଅ ଘରେ । +ଜଣେ ପୁଅ ଯଦି ମା’କୁ ଏକୁଟିଆ ରଖିବାକୁ ରାଜି ବି ହୋଇଯାଏ ତେବେ ଏଇ ବୋହୂଟି ସାଙ୍ଗେ ସାଙ୍ଗେ ଚିତ୍କାର କରି କହିବ “କାହିଁକି ? ମା’ କ’ଣ ତୁମକୁ ଏକଲା ଜନମ କରିଥିଲା କି ? ହେଇଟି କାନ ଖୋଲିକି ଶୁଣ, ସେ ଶ୍ରବଣ କୁମାର ଡ୍ରାମା ଗୁଡ଼ାକ ମୋ’ ପାଖରେ ବଳିବନି । +ମୁଁ ବର୍ଷକୁ ତିନିମାସରୁ ଅଧିକା ରଖି ପାରିବ ନାହିଁ । +” ତା’ପରେ ଆପଣଙ୍କର ଥୋମଣୀ ଚୁପ୍‌ । +ଅନେକ ପୁଅଝିଅ ସେମାନଙ୍କର ଅସହାୟତା ସ୍ବୀକାର କରି ଯୁକ୍ତି କରନ୍ତି ଯେ, ଯେହେତୁ ଆଧୁନିକ ଜୀବନ ଅତି ବ୍ୟସ୍ତ ଓ ଏହାର ଗତି ଅତ୍ୟନ୍ତ ତୀବ୍ର, ଅନେକ କ୍ଷେତ୍ରରେ ଏହିପରି ଘଟଣା ବାଧ୍ୟ ବାଧକତାରେ ଘଟିଥାଏ । +ମୋର ଏଠି ଏତିକି କହିବା କଥା ଯେ, ଆଧୁନିକ ଜୀବନ ଅତି ବ୍ୟସ୍ତ ହୋଇପାରେ ଏବଂ ଏହାର ଗତି ମଧ୍ୟ ଅତ୍ୟନ୍ତ ତୀବ୍ର ହୋଇପାରେ କିନ୍ତୁ ତା’ ସହିତ ମା’ବାପାଙ୍କର ସୁଖ, ଦୁଃଖର କିଛିଟା ତାଳମେଳ ରହିବା ଆବଶ୍ୟକ । +ନଚେତ୍‌ ଏହି ସମ୍ପର୍କରେ ଏକ ବିରାଟ ଦୁର୍ଘଟଣା ଘଟିଥାଏ ଯାହାର ଅନୁଶୋଚନା ଆପଣଙ୍କର ଭବିଷ୍ୟତ ଜୀବନକୁ ଦୁର୍ବିସହ କରିପକାଏ । +ରାସ୍ତା ଉପରେ ବୁଢ଼ାବୁଢ଼ୀ ଦୁଇଜଣ ଯାଉଥିଲେ । +ଅଚାନକ ବୁଢ଼ୀଟି ଝୁଣ୍ଟିପଡ଼ି ପାଖରେ ଥିବା ନଳା ଭିତରେ ପଡ଼ିଗଲା । +ଦୁର୍ବଳ ବୁଢ଼ାଟି ବୁଢ଼ୀକୁ ଉଦ୍ଧାର କରିବାକୁ ବହୁତ ଚେଷ୍ଟା କଲା, କିନ୍ତୁ ପାରିଲା ନାହିଁ । +ରାସ୍ତା ଉପରେ ଗାଡ଼ିମଟର ସବୁ ସାଇଁ ସାଇଁ ଚାଲିଛି । +ବୁଢ଼ାଟା ଛିଡ଼ା ହୋଇ ସମସ୍ତଙ୍କୁ ଅଟକେଇବାକୁ ଚେଷ୍ଟା କଲା । +କିଏ କାହିଁକି ରହିବ ? ପବନ ପ୍ରାୟ ଉଡ଼ି ଯାଉଥିବା ଗାଡ଼ିଗୁଡ଼ିକ ରହିବାର ନାଁ ଗନ୍ଧ ନେଉ ନଥାନ୍ତି । +ବୁଢ଼ା ଅତ୍ୟନ୍ତ ବ୍ୟସ୍ତ ହୋଇପଡ଼ିଲା । +କ’ଣ କରିବ କିଛି ଜାଣିପାରିଲା ନାହିଁ । +ବୁଢ଼ୀଟି ଅଧାମଲା ଅବସ୍ଥାରେ ନଳା ଭିତରୁ ତାକୁ ଉଦ୍ଧାର କରିବାକୁ ଚିତ୍କାର କରୁଥାଏ । +ବୁଢ଼ା ସେଠୁ କ’ଣ କଲା ନା, ରାସ୍ତା ଉପରୁ ଗୋଟେ ମାଙ୍କଡ଼ା ପଥର ଉଠେଇ ଆଗରୁ ତୀବ୍ର ଗତିରେ ମାଡ଼ି ଆସୁଥିବା ଗୋଟେ ଲମ୍ବା ଗାଡ଼ି ଉପରକୁ ଖୁବ୍‌ ଜୋରରେ ଫିଙ୍ଗି ଦେଲା । +ଅଚାନକ ପଥର ମାଡ଼ ଖାଇ ଡ୍ରାଇଭର ବ୍ରେକ୍‌ କଷି ଦେବାରୁ ଗାଡ଼ିଟି ଘଷି ହୋଇଯାଇ କିଛି ବାଟରେ ରହିଗଲା । +ଗାଡ଼ି ଭିତରୁ ଜଣେ ସୁଟ୍‌ବୁଟ୍‌ ପିନ୍ଧା ମଧ୍ୟବୟସ୍କ ବ୍ୟକ୍ତି ରାଗରେ ତମ ତମ ହୋଇ ବୁଢ଼ା ଆଡ଼କୁ ମାଡ଼ି ଆସିଲେ । +ବୁଢ଼ା ତାଙ୍କୁ ନଳା ଆଡ଼କୁ ହାତ କରି ବୁଢ଼ୀକୁ ଦେଖେଇବାରୁ ଭଦ୍ରବ୍ୟକ୍ତି ଜଣକ ଟିକେ ନରମିଗଲେ ଓ ତା’ ସହିତ ମିଶି ବୁଢ଼ୀକୁ ଆସନ୍ନ ମୃତ୍ୟମୁଖରୁ ଉଦ୍ଧାର କଲେ । +ବୁଢ଼ାବୁଢ଼ୀ ଦି’ଜଣ କାନ୍ଦି କାନ୍ଦି ତାଙ୍କୁ କ୍ଷମାପ୍ରାର୍ଥନା କରିବାରୁ ଭଦ୍ରବ୍ୟକ୍ତି ଜଣକ ବୁଢ଼ାକୁ କହିଲେ “ମଉସା, ଆଜି ମୁଁ ଜୀବନରେ ଗୋଟିଏ କଥା ଶିଖିଲି । +ଜୀବନ ବ୍ୟସ୍ତ ଓ ଏହାର ଗତି ଅବଶ୍ୟ ତୀବ୍ର କିନ୍ତୁ ୟାକୁ ଏତେ ବ୍ୟସ୍ତ ଓ ତୀବ୍ର କରନାହିଁ ଯେ ତା’ ଭିତରେ ଅନ୍ୟ ସମସ୍ତେ ହଜିଯିବେ । +ଆଜି ଜାଣିଲି ଯେ, ତୀବ୍ର ଗତିରେ ଗାଡ଼ି ଚାଲୁଥିଲେ ମନୁଷ୍ୟ ଏତେ ଉତ୍ତେଜିତ ହୋଇରହିଥାଏ ଯେ, ତାକୁ ଆଖପାଖର ଘଟଣା ଆଦୌ ଦୃଶ୍ୟ ହୁଏନାହିଁ । +ଲକ୍ଷ୍ୟରେ ପହଞ୍ଚିବାକୁ ହେଲେ ଲକ୍ଷ୍ୟ ପଥରେ ଯେଉଁମାନେ ମିଳିଥାନ୍ତି ସେମାନଙ୍କୁ ଯଦି ଆପଣ ଦେଖିପାରିବେ ନାହିଁ ତେବେ ସେ ଲକ୍ଷ୍ୟରେ ପହଞ୍ଚି ଲାଭ କ’ଣ ? ଏଭଳି ଲକ୍ଷ୍ୟପ୍ରାପ୍ତି ସୁଖ ଅପେକ୍ଷା ଅଧିକ ଦୁଃଖ ଦେଇଥାଏ ।” +ବନ୍ଧୁଗଣ, ଜୀବନର ତୀବ୍ର ଗତି ଦେଇ ଆଜି ଆପଣ ଲକ୍ଷ୍ୟର ଶୀର୍ଷ ସ୍ଥାନରେ ପହଞ୍ଚିଛନ୍ତି । +କେତେ ସୁନ୍ଦର ଆପଣଙ୍କର ଘର ! ସାମ୍ନାରେ ସବୁଜ ଲନ୍‌ ଓ ତା’ଭିତରେ ରଙ୍ଗବେରଙ୍ଗ ଫୁଲର ସମାହାର । +ବଡ଼ ବଡ଼ ରୁମ୍‌ ସବୁ ଶୀତତାପ ନିୟନ୍ତ୍ରିତ । +ଶଙ୍ଖମର୍ମର ମାର୍ବଲ ଚଟାଣ ଉପରେ ଶାଗୁଆନ୍‌ ଖଟ, ଖଟ ପରେ ଡନ୍‌ଲପ୍‌ ଗଦି, କିନ୍ତୁ ଆଖିରେ ଟିକିଏ ନିଦ ନାହିଁ । +ଏତେ ସୁଖ ଭିତରେ ଏହି ଦୁଃଖଟି ଆପଣଙ୍କୁ ଖାଇ ଗୋଡ଼ଉଛି । +ଆପଣଙ୍କର ବାଥ୍‌ରୁମ୍‌ ଦେଖନ୍ତୁ । +ଚାରିପଟେ ଗ୍ଲେଜଡ୍‌ ଟାଇଲ୍‌ ଲାଗିଛି । +ଥଣ୍ଡା ଓ ଉଷୁମ୍‌ ପାଣିର ବ୍ୟବସ୍ଥା ରହିଛି । +ଗ୍ରାନାଇଟ୍‌ ଟେବୁଲ୍‌ ଟପ୍‌ ଦର୍ପଣ ଚକ୍‌ ଚକ୍‌ ମାରୁଛି । +ଥରେ ଦର୍ପଣରେ ଆପଣଙ୍କ ମୁହଁକୁ ଟିକେ ଦେଖନ୍ତୁ । +କୁନ୍ଥନର ପ୍ରଭାବରେ ଏହା ବିକୃତ ଦିଶୁଛି । +କିନ୍ତୁ ମୂଳାଧାର ଚକ୍ରରେ ମଳରେ କୌଣସି ସୂଚନା ନାହିଁ । +ଏତେ ସୁଖ ଭିତରେ ଏ ଦୁଃଖଟି ଆପଣଙ୍କୁ ଜାବୁଡ଼ିକି ଧରି ରଖିଛି । +ଆପଣଙ୍କ ପୋର୍ଟିକୋରେ ଛିଡ଼ା ହୋଇଥିବା ସୌଖୀନ ଗାଡ଼ିଟିକୁ ଦେଖନ୍ତୁ । +ଦେଶର ସର୍ବଶ୍ରେଷ୍ଠ ମର୍ଯ୍ୟାଦାପୂର୍ଣ୍ଣ ଗାଡ଼ି । +ଲାମିନେଟେଡ୍‌ ଡ୍ୟାସ୍‌ ବୋର୍ଡ଼ ଭିତରୁ ସଙ୍ଗୀତର ମଧୁର ମୂର୍ଚ୍ଛନା ଭାସି ଆସୁଛି । +ପାୱାର ଷ୍ଟିଅରିଂ ସହିତ ଅଟୋ ଗିଅରରେ ଗାଡ଼ି ମନକୁ ମନ ଚାଲୁଛି । +କିନ୍ତୁ କେବେ ଭାବିଛନ୍ତି, ଏହି ମର୍ଯ୍ୟାଦାପୂର୍ଣ୍ଣ ଗାଡ଼ି ଭିତରେ ଗୋଟେ ମର୍ମନ୍ତୁଦ ଦୁର୍ଘଟଣାଟିଏ ଲୁଚିକି ରହିଛି । +ତେଣୁ ୟାକୁ ଟିକେ ଧୀରେ ଧୀରେ ଚଲାନ୍ତୁ । +ସାମନ୍ୟ ଏପଟ ସେପଟ ହୋଇଗଲେ ଦୁର୍ଘଟଣାଟିଏ ବାହାରିପଡ଼ି ତା’ର ଏମିତି ରୂପ ଦେଖେଇବ ଯେ, ତା’କୁ ଦେଖିବାକୁ ହୁଏତ ଆପଣ ନଥିବେ । +ଗୋଟେ ସୁଆଦିଆ ରସଗୋଲା କଥା ଭାବନ୍ତୁ । +ପାଟିରେ ମିଳେଇ ଗଲା ବେଳେ କି ଆନନ୍ଦ ! କିନ୍ତୁ ଲକ୍ଷ୍ୟ କରନ୍ତୁ ତା’ଭିତରେ ଜଣେ ମଧୁମେହ ବାବୁ କେମିତି ଲୁଚିକି ବସିଛନ୍ତି । +ଲୁଣିଆ ଆମ୍ବିଳା ପାଣି ଦେଇ ଗୁପ୍‌ଚୁପ୍‌ ଗଣ୍ଡେ ପାଟିରେ ପକେଇ ଆଖି ବୁଜି ଦେଲା ବେଳେ ଦେଖନ୍ତୁ ରକ୍ତଚାପ ମହାଶୟ ଭିତରେ ରହି କେମିତି ଟାକରା ମାରୁଛନ୍ତି । +ମୁହଁରେ ପାଉଡ଼ର ଆଉ ଓଠରେ ଲିପଷ୍ଟିକ୍‌ ଲଗେଇ ଦର୍ପଣ ସାମ୍ନାରେ ଛିଡ଼ାହୋଇ ଭାବୁଛନ୍ତି ‘ଆହା ମୁଁ କେତେ ସୁନ୍ଦର ଦିଶୁଛି । +’ କିନ୍ତୁ ଏ ଚିତ୍ର ପ୍ରତିମା ପ୍ରାୟ ସୁନ୍ଦର ଦେହକୁ କେବେ ଚିରିକରି ଭିତରକୁ ଦେଖିଛନ୍ତି କି ? ଓଃ, କି ନାରଖାର ସେ ଦୃଶ୍ୟ !