diff --git a/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_54 b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_54 new file mode 100644 index 0000000000000000000000000000000000000000..e940eff7c740d1538ccd71b68e36b5fd4a50127e --- /dev/null +++ b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_54 @@ -0,0 +1,155 @@ +ମିମିର ସାହିତ୍ୟ ଶିକ୍ଷା + ବାମାଚରଣ ମିତ୍ର +ତା: ଜୁଲାଇ ୩, ୨୦୧୨ +ମୂଳ ପୃଷ୍ଠା → ସ୍ମରଣୀୟ ଲେଖା → ଗଳ୍ପ → +ଜୀବନବାବୁଙ୍କ ମନରେ ଭାରି କଷ୍ଟ । +ତାଙ୍କର ଏକମାତ୍ର ସନ୍ତାନ, କନ୍ୟା ମିମି ହୋଇଛି ଭାରି ବୋକା । +ପଢ଼ାରେ ତା’ର ମନ ନାହିଁ, ବହି ଧରି ବସିଲେ ଢୁଳାଏ । +କିଛି ପ୍ରଶ୍ନ ପଚାରିଲେ ବୋକାଙ୍କ ଭଳି ଚାହିଁ ରହିଥାଏ । +ଅଧଘଣ୍ଟାଏ ଧରି ବକର ବକର ହୋଇ ଜୀବନବାବୁ ପ୍ରାଣପଣେ ଚେଷ୍ଟା କରୁଛନ୍ତି ବୁଝାଇବାକୁ- ‘ଏ ହୃଦୟ ମୋର ଢାଳିଦେଲି ଆଜି ତୁମରି ପାଦେ ହେ ନାଥ । +’ ମିମି ପାଟିଟାକୁ ମେଲାକରି ବଡ଼ ବଡ଼ ଆଖିରେ ସବୁ ଯେମିତି ଗିଳିଯାଉଛି, ସବୁ ଯେମିତି ବୁଝି ପକାଇଛି ଏମିତି ଭାବରେ ଚାହିଁ ରହିଛି । +ମଝିରେ ମଝିରେ ତା’ର କୁଞ୍ଚୁକୁଞ୍ଚିଆ ବାଳଗୁଡ଼ିକ ପବନରେ ଉଡ଼ିଆସି ଆଖି ଉପରେ ପଡ଼ିବାରୁ ମିମି ବିରକ୍ତ ହୋଇ ସେଗୁଡ଼ିକ ଉପରକୁ ଠେଲିଦେଇ ପୁଣି ସେମିତି ଚାହିଁ ରହୁଛି, ସତେ ଯେପରି ବାଳଗୁଡ଼ିକ ତା’ର ବୁଝିବାରେ ବ୍ୟାଘାତ ଜନ୍ମାଇବାରୁ ସେ ଭାରି ବିରକ୍ତ । +ମିମିର ଭାବ ଦେଖି ଜୀବନବାବୁ ଅଧିକ ଉତ୍ସାହରେ ବୁଝାଇ ଚାଲିଛନ୍ତି । +କିଛି ସମୟ ପରେ ମିମିର ବିସ୍ଫାରିତ ବଡ଼ ବଡ଼ ଆଖି ଯୋଡ଼ିକ କ୍ରମେ ଛୋଟ ହୋଇଆସିଲା । +ପ୍ରାଣପଣେ ସେ ଉପର ପତାକୁ ଟେକି ରଖିବାକୁ ଚେଷ୍ଟା କରୁଚି । +ଘଣ୍ଟାଏ ଧରି ଉକ୍ତ ପଙ୍କ୍ତିଟିକୁ ବୁଝାଇବା ପରେ ଜୀବନବାବୁ ମନରେ ସନ୍ତୋଷ ଲାଭ କଲେ ଯେ, ମିମିକୁ ତାହାର ସରଳାର୍ଥ ଓ ଭାବାର୍ଥ ହୃଦୟଙ୍ଗମ କରାଇ ପାରିଛନ୍ତି । + ସନ୍ତୋଷ ର ହସ ହସି ସେ ଏଥର ପଚାରିଲେ ବୁଝିଲୁ ମା’? +ମିମି ପୁଣିଥରେ ମୁଣ୍ଡବାଳ ଟେକିଦେଇ ବାଁ ଆଡ଼ୁ ଡାହାଣକୁ ମୁଣ୍ଡକୁ ଯଥାସମ୍ଭବ ନୁଆଇଁ ମୁହଁରେ ହସ ଫୁଟାଇ ଜଣାଇଲା ଯେ, ସେ ସବୁ ସମ୍ପୂର୍ଣ୍ଣ ରୂପେ ହୃଦୟଙ୍ଗମ କରିପାରିଚି; କିନ୍ତୁ ଆଖିରେ ତା’ର ଭୟ ଫୁଟି ଉଠିଲା । +ଘୁମନ୍ତ ଆଖି ଯୋଡ଼ିକ ଭୟରେ ବଡ଼ ବଡ଼ ହୋଇଗଲା । +ଜୀବନବାବୁ ରାଗିଯାଇ କହିଲେ, ‘ବୁଝିଚୁ ତ ବୋକାଙ୍କ ଭଳି ଚାହିଁ ରହିଚୁ କିଆଁ ? ବୁଝା କଅଣ ବୁଝିଲୁ, ବୁଝା !’ +ମିମି ଦୁଇ ଚାରି ଢୋକ ଛେପ ଗିଳି ଆରମ୍ଭ କଲା, ‘ନାଥ ବୋଇଲେ ସ୍ବାମୀ କି ଭଗବାନ୍‌, ଯିଏ ଆମକୁ ସୁରୁଷ୍ଟି କରିଛନ୍ତି । +ସିଏ ଭାରି ଭଲ ଲୋକ, କାହାରିକୁ କିଛି କହନ୍ତି ନାହିଁ, କାହାରି ଉପରେ ରାଗନ୍ତି ନାହିଁ, ଭା-ଆ-ଆ-ରି ଭଲ ଲୋକ ଜଣେ ।’ +‘ଛେନାଟା ବୁଝିଚୁ, ବଦମାସ୍‌ କାହାଁକା । +ଘଣ୍ଟାଏ ଧରି ବକର ବକର ହେଲି । +ଶେଷରେ କହିଲୁ ଭଗବାନ୍‌ ଜଣେ ଭଲ ଲୋକ । +ସୃଷ୍ଟି ମୁହଁରେ ପଶୁ ନାହିଁ, କହୁଛି ‘ସୁରୁଷ୍ଟି ।’ +ଆହୁରି ପିଲା ହୋଇଯା’ମ ! ଆଠ ବର୍ଷର ଝୁଅ ହେଲାଣି, ପଞ୍ଚମ ଶ୍ରେଣୀରେ ବର୍ଷେ ଫେଲ୍‌ ହେଲାଣି… ଲାଜ ନାହିଁ ଟିକେ… ।’ +ମିମି ଭୟରେ ପଛକୁ ଘୁଞ୍ଚିଯାଇ କହିଲା, ‘ନା, ନା, ଭଗବାନ୍‌ ଜଣେ… ଭଗବାନ ଜଣେ… ।’ +‘କଅଣ ଭଗବାନ୍‌ ?’ ଜୀବନବାବୁ ସଗର୍ଜନେ ପଚାରିଲେ । +ଦୋହରାଇ ତେହେରାଇ ମନେ ମନେ ନିଜକୁ ପଚାରିଲା, ଭଗବାନ୍‌ କଅଣ ? ବାପା କଅଣ କହିଲେଟି ? ଭଗବାନ୍‌ କଅଣ ? ଏହି ସମୟରେ ମିମିର ଗେଲବସର ଝୁଅ ଶଙ୍କି ଦୌଡ଼ି ଆସି ମିମିର କୋଳକୁ ଚଢ଼ିଯାଇ କହିଲା- ମ୍ୟାଉଁ, ମ୍ୟାଉଁ । +ମିମିର ପାଟିରେ ପଶିଗଲା, ଭଗବାନ୍‌ ଜଣେ ମ୍ୟାଉଁ । +ଜୀବନବାବୁଙ୍କର ଭୟଙ୍କର କ୍ରୋଧ ଜାତ ହେଲା । +ସେ ଶଙ୍କିର ବେକକୁ ଧରି ଛାଟିଦେଇ, ରୋଷେଇଶାଳ ଆଡ଼କୁ ଚାହିଁ ପାଟିକରି କହିଲେ, ‘ପଚାଶ ଥର କହିଲିଣି ଯେ ଘରେ ବିରାଡ଼ି ଫିରାଡ଼ି ରଖନା, ପଢ଼ାରେ ଗୋଳମାଳ ହବ… ଦିନରାତି ସେଇ ବିରାଡ଼ି ସାଙ୍ଗରେ ଖେଳ । +ଇସ୍କୁଲରୁ ଆସି ଘରେ ପାଦ ଦେବା ମାତ୍ରକେ ବହିପତ୍ର ଫୋପାଡ଼ିଦେଇ ଆଗେ ଖୋଜାହେବ ଶଙ୍କି କାହିଁ । +ହ୍ୟାପ୍‌, ମାତୃ ଗୁଣେ ଦୁହିତା ହୋଇଚି ! ମଲୁ ନାହିଁ, ଦେଖିଲୁ ଶଶଧର ବାବୁଙ୍କ ଝିଅଙ୍କୁ, କେମିତି ପାଟି କରି ପଢ଼ୁଚି । +ଦେଖିଲୁ ଲିଙ୍ଗରାଜ ବାବୁଙ୍କ ଝିଅକୁ, କେମିତି କ୍ଲାସ୍‌ରେ ପ୍ରଥମ ହେଉଚି । +ମୋରି କପାଳକୁ ତୁ ଆସିଲୁ । +ଏ ବଂଶରେ କେହି ଗୋଟାଏ ହେବେ ନାହିଁ, କେହି ଗୋଟାଏ ନାଁ ରଖିବେ ନାହିଁ । +କପାଳ, କପାଳ ! ହ୍ୟାପ୍‌, ଆଉ ପରୀକ୍ଷାରେ ଖାତା ସବୁ ଡଙ୍ଗା କରି ଭସେଇ ଦେଇ ଚାଲିଆସିଲା । +ମଲୁ ନାହିଁ ଯା’ ତୁ… ।’ +ଗତ କ୍ଲାସ୍‌ ଉଠା ପରୀକ୍ଷାରେ ପରୀକ୍ଷା ଦେବାକୁ ମିମି ସ୍କୁଲ୍‌ରେ ବସିଚି, ଏହି ସମୟରେ ଘୋର ବର୍ଷା ହେଲା । +ପାଣି ଇସ୍କୁଲର ବାରନ୍ଦା ଟପି ଘରର ଦୁଆରମୁହଁ ପର୍ଯ୍ୟନ୍ତ ଚାଲିଆସିଲା । +ମିମିର ମନ ଆଉ ଠିକ୍‌ ରହିଲା ନାହିଁ । +ପରୀକ୍ଷା ଦେଉଚି ସେ, ଏକଥା ଏକଦମ୍‌ ଭୁଲିଗଲା । +ସେ ଧୀରେ ଧୀରେ ପରୀକ୍ଷା ଘରୁ ବାହାରି ଚାଲିଆସିଲା । +ପରୀକ୍ଷା ଖାତା ପତର ପତର କରି ଚିରି ଡଙ୍ଗା କରି ଭସେଇ ଦେଲା । +ଡଙ୍ଗାଗୁଡ଼ିକ ଥରିଥରି ଭାସିଗଲେ । +ମିମି ମହା ତୃପ୍ତିର ସହିତ ଡଙ୍ଗାଗୁଡ଼ିକୁ ଚାହିଁ ବର୍ଷାରେ ଭିଜି ଘରକୁ ଫେରିଆସିଲା । +ଘରକୁ ଆସି ତା’ର ମନେପଡ଼ିଲା ବାପାଙ୍କ କଥା । +ବାପାଙ୍କ ଭୟରେ ତା’ର ଜର ଆସିଲା । +ସେ ଜର ଛାଡ଼ିବାକୁ ଲାଗିଲା ଅନେକ ଦିନ । +ମିମି ସେଥର ଫେଲ୍‌ ହେଲା ସତ; କିନ୍ତୁ ତା’ର ଜର ଯୋଗୁଁ ସେଥିରେ ତ୍ରାହି ପାଇଗଲା । +ପରେ ଜୀବନବାବୁ ସବୁ ଜାଣିପାରି ଭାରି ରାଗିଯାଇ ବାଡ଼େଇଥିଲେ । +ଆଜି ସେଇକଥା ମନେ ପଡ଼ିଯିବାରୁ ତାଙ୍କର ରାଗ ଦ୍ବିଗୁଣିତ ହେଲା । +ଠାଏ କରି ଗୋଟିଏ ଚଟକଣି ଲଗେଇ ଦେଇ ସେ କହିଲେ, ‘ତୁ ନ ବୁଝାଇଲେ ତୋତେ ଛାଡ଼ୁନାହିଁ ମୁଁ । +ଯେତେ ରାତି ହଉ । +ଆଜି ତୋ’ର ଦିନେ କି ମୋର ଦିନେ । +ଖାଇବା ଆଜି ବନ୍ଦ । +ବୁଝା, ବୁଝା, ବୁଝାମ, କାନ୍ଦଣା ଥାଉ ।’ +ରୋଷେଇଶାଳୁ ପାଟି ଶୁଭିଲା, ‘ତୁମେ ଝୁଅକୁ ପାଠ ପଢ଼େଇବ ନାହିଁ ଆଉ । +ଯେତେବେଳେ ପଢ଼େଇ ବସିଲ ମାଡ଼ ଛଡ଼ା ଆଉ କିଛି ନାହିଁ । +ଆମେ କଅଣ ଝୁଅକୁ ଖାଇବାକୁ ପିନ୍ଧିବାକୁ ଦେଉଚୁ ଯେ ତା’ଠୁଁ ଏତେ ଆଶା କରିବା ? ପଢ଼େଇ ତ ଜାଣ ନାହିଁ… ।’ +ଜୀବନବାବୁ ଉତ୍‌କ୍ଷିପ୍ତ ହୋଇ କହିଲେ, ‘କଅଣ ହେଲା, ମୁଁ ପଢ଼େଇ ଜାଣେ ନାହିଁ ? ଘଣ୍ଟାଏ ଧରି ଟିକିନିଖି ବୁଝେଇଲି । +ସବୁ ବୁଝିଯିବା ଭଳି ମୁଣ୍ଡ ଟୁଙ୍ଗାରିଲା । +ମୁଁ ଜାଣେ ନାହିଁ ନା, ମାତୃଗୁଣେ ଦୁହିତା ହୋଇଚି ମ ! ଶ୍ୟ, ଗେହ୍ଲା କରି ଝୁଅଟାର ମୁଣ୍ଡ ଖାଇସାରିଲଣି ତମେ । +ରୋଷେଇଶାଳୁ ପୁଣି ଦୃ‍ଢ଼ କଣ୍ଠରେ ଡାକରା ଆସିଲା, ‘ହଉ ଥାଉ ଆଜି ସେତିକି । +ଆ ମିମି, ଖାଇବୁ ଆ ।’ +ମିମି ଆଣ୍ଠୁ ଟେକୁଥିଲା ଉଠିବାକୁ । +ଜୀବନବାବୁ ଗର୍ଜନ କରି ଉଠିଲେ, ‘ଖବର୍‌ଦାର, ସେତକ ନ ବୁଝାଇ ତୁ ଆଜି ଯାଇପାରିବୁ ନାହିଁ । + ବୁଝା, ଭଗବାନ୍‌ କଅଣ ? ଏତେ ବୁଝାଇଲି ମୁଁ, ବୁଝା !’ +ସରଳାର୍ଥ ବୁଝାଇବାରେ ଭଗବାନ୍‌ ଆସି ସବୁ ପ୍ରଥମରୁ ଅଡ଼ୁଆ ପୂରାଇ ଦେବାରୁ ମିମି ଲୁହ ପୋଛି ଭଗବାନ୍‌ଙ୍କୁ ଗାଳିଦେଇ ମନେ ମନେ କହିଲା, ଭଲ ଲୋକ ନା ପୋଡ଼ାମୁହଁଟା, ମୋତେ ବାପାଙ୍କଠୁଁ ଏତେ ମାଡ଼ ଖୋଇଲାଣି । +ଏତେ ଅଡ଼ୁଆକୁ ନ ଯାଇ ଭଗବାନ୍‌ କଥାଟାକୁ ବାଦ୍‌ ଦେଇ ସେ ବୁଝାଇବାକୁ ଯାଉଥିଲା; କିନ୍ତୁ ମନେ ମନେ ପୋଡ଼ାମୁହାଁ ଗାଳି ଦେବା ପରେ ତା’ର ମନେପଡ଼ିଗଲା ପୁରୀ ମନ୍ଦିରରେ ଜଗନ୍ନାଥଙ୍କ କଥା । +ଜଗନ୍ନାଥଙ୍କୁ ଦେଖି ସେ ଆଈକୁ କାନେ କାନେ ପଚାରିଥିଲା, ‘ଆଈ ମ, ଜଗନ୍ନାଥଙ୍କ ମୁହଁ କଅଣ ପୋଡ଼ା ?’ ନାତୁଣୀର ପ୍ରଶ୍ନରେ ଆଈ ଆଖିରେ ଲୁହ ଝରି ପଡ଼ିଥିଲା । +ସେ ନାତୁଣୀକୁ ଚୁମ୍ବନ ପରେ ଚୁମ୍ବନ ଦେଇ କହିଥିଲେ, ‘ହଁ, ସେ ପୋଡ଼ାମୁହାଁ ଭଗବାନ୍‌ ।’ +ସେଇକଥା ମନେ ପଡ଼ିଯିବାରୁ ମିମି ଯେପରି ଅନ୍ଧକାର ମଧ୍ୟରେ ଆଲୋକ ପାଇଲା । +ଆଖି ତା’ର ଉଜ୍ଜ୍ବଳ ହୋଇଉଠିଲା । +ଜଗନ୍ନାଥ ଯେପରି ତା’ର ଆଖି ଆଗରେ ଉଭା ହେଲେ । +ସେ ଭଲକରି ଥରେ ସେ ଚେହେରା ଦେଖିନେଇ କହିଲା, ‘ଭଗବାନ୍‌ ହେଉଛନ୍ତି ଜଗନ୍ନାଥ’ କିନ୍ତୁ ଆଈ କଥା ମନେ ପଡ଼ିଯିବାରୁ ମିମିର ଆଖିଯୋଡ଼ିକ ଛଳଛଳ ହୋଇଗଲା । +ସେ ସବୁ ଭୁଲିଯାଇ କହିଲା, ‘ବାପା ମ, ବାପା, ଆଈ ମୋତେ ଲେଖିଚି ଗାଁରେ ରହି ତା’ର ମୋ କଥା ମନେପଡ଼ି ମନ ଭାରି ଖରାପ ହେଉଚି । + ତାକୁ ନେଇ ଆସ ମ ବାପା !’ +‘ରଖ୍‌ ତୋ’ ଆଈ । +ହୁଁ, ଭଗବାନ୍‌ ହେଉଛନ୍ତି ଜଗନ୍ନାଥ । + ତା’ପରେ କଅଣ ହେଲା ?’ +ଆଈ- ବିରହ ବିଧୂରିତ ମନକୁ ପୁଣି ସରଳାର୍ଥକୁ ଫେରାଇ ଆଣିବାକୁ ମିମିର କିଛି ସମୟ ଚାଲିଗଲା । +ଉଦ୍‌ଗତ ଅଶ୍ରୁରୋଧ କରି ମିମି କହିଲା, ‘କବି ଏଠାରେ କହୁଛନ୍ତି, କହୁଛନ୍ତି… କହୁଛନ୍ତି ଯେ… ଆଈ ମ, ଆଈ ଲୋ… !’ ମିମି ଏଥର ଆଉ ସମ୍ଭାଳି ନ ପାରି ଭେଁ କରି କାନ୍ଦି ପକାଇଲା । +ଜୀବନବାବୁ ଦୁମ୍‌ଦୁମ୍‌ କରି ତା’ ପିଠିରେ ଦି’ଟା ନଦି ଦେଇ କହିଲେ, ‘ଧେତ୍‌, ମୋ କପାଳରେ, ଦେଖ ୟା’କୁ । +ଏତେ ବୁଝାଇଲି ଘଣ୍ଟାଏ ଧରି, ସବୁ କୁଆଡ଼େ ଭୁଲିଗଲୁ ? ଇସ୍କୁଲ ମାଷ୍ଟ୍ରେ କାଲି କହୁଥିଲେ ଯେ, ମିମି କ୍ଲାସ୍‌ରେ ମୋଟେ ମନ ଦେଉନାହିଁ । +ଯେତେ ଅଦ୍ଭୁତ ଉତ୍ତର ଦେଉଛି । +ହଇ ଲୋ ହେଏ, ବିପରୀତ ଶବ୍ଦମାନେ କଅଣ ? ବିପରୀତ ଶବ୍ଦମାନେ କଅଣ ବା ? କହୁଛି ନା ସକେଇ ହଉଛି ବେହିୟା । +ଲାଜ ନାହିଁ, କାନ୍ଦୁଚି ପୁଣି ! ଛିଃ, ଛିଃ, ମୋ ଝୁଅ ହେଇ ତୁ ଏଇୟା କହିଲୁ ! ‘ସୁଖ’ର ବିପରୀତ ଶବ୍ଦ ‘ଖସୁ’ ! କାନ୍ଦଣା ରଖି କହ ମୁଁ କଅଣ ବୁଝାଇଲି । +କବି କହୁଛନ୍ତି ଯେ… ହୁଁ ।’ +ମିମି ଲୁହ ପୋଛୁ ପୋଛୁ ପୁଣି କହିବାକୁ ଚେଷ୍ଟା କଲା, ‘କବି କହୁଛନ୍ତି ଯେ… ।’ +ଏତିକି କହିବାପରେ ସେ ମନେ ମନେ ପୁଣି ନିଜକୁ ପଚାରିଲା- କବି କିଏ ମ ? +ସେ କାହିଁକି କଅଣ କହିବାକୁ ଗଲେଟି ? ସବୁ ତା’ର ପୁଣି ଗୋଳମାଳ ହୋଇଗଲା । +ଆର ପାଖ ଘରେ ଶଙ୍କି ମ୍ୟାଉଁ ମ୍ୟାଉଁ କରି ଉଚ୍ଛନ୍ନ ଭାବରେ ଡାକିଲାଣି । +ଇୟାଡ଼େ କବି କିଏ ଆଉ ସେ କଅଣ କହିଲେ ଓ କାହିଁକି କହିବାକୁ ଗଲେ ମିମିର ମନେ ପଡ଼ୁନାହିଁ । +ମନେ ମନେ ମିମି ଶଙ୍କିକୁ ତାନେ ଗାଳି ଦେବାକୁ ଲାଗିଲା, ପୋଡ଼ାମୁହିଁ, ପଢ଼ା ସରୁ, ଦଉଚି ତତେ ଟାଙ୍କେ ଛେଚି । +ପଢ଼ା‍ କଅଣ ସରିବ ଆଜି ସତେ ? ହେ ମହାପ୍ରଭୁ, ହେ ଜଗନ୍ନାଥ, ଏ କବି ପୋଡ଼ାମୁହାଁ କଅଣ କହିଚି ମନେ ପକେଇଦିଅ । +ଏହି ସମୟରେ ବାହାରେ କିଏ ଡାକିଲା- ବାବୁ ଅଛନ୍ତି ? ଜୀବନବାବୁ ଚିଡ଼ିଉଠି ଉତ୍ତର ଦେଲେ, ‘ନାଇଁ ବାବୁ ନାହାଁନ୍ତି ।’ +ବାହାରୁ ଉତ୍ତର ଆସିଲା, ‘ବଡ଼ବାବୁ ଡାକୁଚନ୍ତି, ଶୀଘ୍ର ଆସନ୍ତୁ କଚେରି- କଅଣ ଜରୁରି କାମ ଅଛି ।’ +ଜୀବନବାବୁ ବିରକ୍ତ ହୋଇ କମିଜ ପିନ୍ଧୁ ପିନ୍ଧୁ କହିଲେ, ‘ମୁଁ ଯାଉଚି, ଅଧଘଣ୍ଟା ଭିତରେ ଫେରିବି । +ମୁଁ ଯାହା ବୁଝାଇଥିଲି ତାହା ଲେଖିଥିବୁ, ଆଉ ଦ୍ବିତୀୟ ଉଦାହରଣମାଳାର ପାଞ୍ଚ ନମ୍ବର ଅଙ୍କଟି କଷି ରଖିଥିବୁ । +ଯଦି ନହେଇଚି ଏତିକି ତ ଦେଖିବୁ ମୁଁ ତୋ’ର କି ଅବସ୍ଥା କରିବି ।’ +ଜୀବନବାବୁ ତରତର ହୋଇ ଚାଲିଗଲେ । +କଚେରିରେ ବଢ଼ି ସଙ୍କ୍ରାନ୍ତ ଜରୁରି କାମ କରୁ କରୁ ତାଙ୍କର ଘଣ୍ଟାଏ ଲାଗିଗଲା । +ଘରର ଦାଣ୍ଡ ଦୁଆରମୁହଁ ପାଖରେ ଧୀରେ ପାଦରୁ ଜୋତା କାଢ଼ି, ହାତରେ ଧରି, ଝରକାବାଟେ ଉଙ୍କିମାରି ଦେଖିଲେ ମିମି ଶୋଇଛି ନା ପାଠ ପଢ଼ୁଚି । +ଝରକା ବାଟେ ଯାହା ଦେଖିଲେ, ସେଥିରୁ ସେ କିଛି ବୁଝିପାରିଲେ ନାହିଁ । +ତାଙ୍କର ବଡ଼ଭାଇ ଓ ସାନଭାଇ ଦୁହେଁ ଖାତା ଉପରେ ନଇଁପଡ଼ି କଅଣ ଲେଖି ଚାଲିଛନ୍ତି । +ଅନେକ ଲେଖି ସାରିଲେଣି । +ଅନେକ କାଗଜ ଚିରା ହୋଇ ତଳେ ପଡ଼ିଚି । +ମିମି ଦୁଇ ଗୋଡ଼ ଲମ୍ବେଇଦେଇ ଶଙ୍କିକୁ କୋଳରେ ବସାଇ ତାକୁ ଥାପୁଡ଼ାଇ ଥାପୁଡ଼ାଇ ଗୀତ ଗାଉଚି, ‘ଧୋରେ ବାୟା ଧୋ, ଯେଉଁ କିଆରିରେ ବହଳ ମାଣ୍ଡିଆ ସେଇ କିଆରିରେ ଶୋ ।’ +ଘର ଭିତରକୁ ପଶିଆସି ଜୀବନବାବୁ ପଚାରିଲେ- ମିମି ତୋ’ର ଏଇ ପଢ଼ା ହଉଚି ? +ମିମି ଚମକିପଡ଼ି ବାପାଙ୍କୁ ଚାହିଁ ଶଙ୍କିକୁ ଛାଟିଦେଲା । +ଭୟରେ ମୁହଁ ତା’ର ଏତେ ଟିକିଏ ହୋଇଗଲା, କଳାକାଠ ପଡ଼ିଗଲା । +‘ଇୟେ କଅଣ ହେଉଚି ଭାଇ ?’ ଜୀବନବାବୁ ଆଶ୍ଚର୍ଯ୍ୟ ହୋଇ ପଚାରିଲେ । +‘ଅଙ୍କ କଷୁଚୁ ଆବେ । + ଛି, ଛି, ଏଇ ଟିକେ ପିଲାକୁ ଏମିତିକା ଅଙ୍କ ?’ +‘ସରଳ ଗଣିତ’ ଇୟା ନା ? ଲେଖକ ନିଜର ପାଣ୍ଡିତ୍ୟ ଦେଖେଇଚି ନା ପିଲାର ବୁଦ୍ଧି କେତେ ବିବେଚନା କରିଚି ଟିକିଏ ? ଦେଇତ ଗଲୁ ଅଙ୍କ, କଲୁ ତୁ ନିଜେ ଏକୁ ?’ +ଜୀବନବାବୁ ଅଙ୍କ ଖଣ୍ଡକ ପଢ଼ିଲେ… ମୁଁ ମୋ ଘରୁ ଡେଲାଙ୍ଗର ଗୋଟିଏ ସଭାକୁ ପାଦରେ ଚାଲି ଯିବି । +ସଭାରେ ସନ୍ଧ୍ୟା ୭ଟା ବେଳେ ପହଞ୍ଚିବାର କଥା । +ମୁଁ ଯଦି ଘଣ୍ଟାକୁ ତିନି ମାଇଲ ବେଗରେ ଯାଏଁ ତେବେ ଠିକ୍‌ ସମୟର ଅଧଘଣ୍ଟାଏ ଆଗରୁ ପହଞ୍ଚିବି । +ଯଦି ଘଣ୍ଟାକୁ ଦୁଇ ମାଇଲ ବେଗରେ ଯାଏ ତେବେ ଠିକ୍‌ ସମୟର ଘଣ୍ଟାକ ପରେ ପହଞ୍ଚିବି । +ତେବେ ମୋ ଘରୁ ସଭାସ୍ଥାନ କେତେ ଦୂର ? ଅଙ୍କଟି ପଢ଼ି ଜୀବନବାବୁ ବଙ୍କେଇ ତେଢ଼େଇ ଦୁଇ ତିନି ଥର ଅଙ୍କଟିକୁ ଚାହିଁଲେ । +କେମିତି ଭାବରେ ଆରମ୍ଭ କରିବେ କିଛି ବୁଝି ପାରିଲେ ନାହିଁ । +ବଡ଼ଭାଇ କହିଲେ, ‘ଆରେ ଅଙ୍କ ତ କଷିବା ଦୂରେ ଥାଉ, ମିମି ଆଗେ ପଚାରି ବସିଲା ସଭା କଅଣ ? ସେଠାକୁ ନ ଗଲେ କଅଣ ଚଳନ୍ତା ନାହିଁ ? ବୁଝା, ସଭା କଅଣ ବୁଝା । +କୌଣସିମତେ ସଭା କଅଣ ବୁଝାଇଲୁ ଆମେ । +ମିମି ପୁଣି ପଚାରିଲା, ହଉ ହେଲା, ଟିକିଏ ଆଗରୁ ବା ପରେ ପହଞ୍ଚିଲେ ଦୋଷ କଅଣ ଯେ ଏଣୁ ଭାଳେଣି କାହିଁକି ? ଏସବୁ ଗୋଳମାଳିଆ ପ୍ରଶ୍ନର ଉତ୍ତର ଦେଉଁ ଦେଉଁ ତ ଗଲା ଅଧଘଣ୍ଟାଏ । +ତା’ପରେ ଅଙ୍କ ଧରି ତ ଆମେ ଦୁହେଁ ବସିଚୁ । +ମିମିର ଦେଢ଼ଖଣ୍ଡ ଖାତା ଶେଷ ହେବାକୁ ବସିଚି । +ସମସ୍ତେ ହସିଲେ । +ଜୀବନବାବୁ କହିଲେ, ‘ହଉ ଥାଉ, ଅଙ୍କ ଥାଉ । + ମିମି, ଏ ମିମି, ସାହିତ୍ୟ ହେଇଚି ?’ +‘ନା, ମୁଁ ଅଙ୍କ କରୁଥିଲି । +ବଡ଼ବାପା ଓ ସାନବାପା ମୋତେ ଖାଇବାକୁ ଡାକିଲେ । +ମୁଁ କହିଲି- ପଢ଼ା ନ ସାରି ଯିବିନାହିଁ- ପଢ଼ା ନ କଲେ ଭଗବାନ୍‌ ରାଗିବେ । +ସେଇଠୁ ସେମାନେ ଅଙ୍କ ଦେଖି କଷିବାକୁ ବସିଲେ, ମୁଁ… ।’ +‘ତୁ ଶଙ୍କିକୁ ଶୋଇଦେବାକୁ ବସିଲୁ । +ନାଃ, ତୋ’ ଦେଇ ହବ ନାହିଁ; କିନ୍ତୁ ତୋତେ ଆଜି ନ କୁହାଇ ମୁଁ ଛାଡ଼ିବି ନାହିଁ । +କହ, ‘ଏ ହୃଦୟ ମୋର ଢାଳିଦେଲି ଆଜି ତୁମରି ପାଦେ ହେ ନାଥ’ ଏହାର ସରଳାର୍ଥ କହ ।’ +ମିମି ଏଥର ସାହସ ଭରି କହିଲା, ‘ନାଥ ବୋଇଲେ ଜଗନ୍ନାଥ, ଯାହାଙ୍କର ମୁହଁଟି କାଳିଆ, ବଡ଼ ବଡ଼ ଆଖି, ନେଫଡ଼ା ମୁହଁ… ।’ +ଜୀବନବାବୁ କଟମଟ କରି ଚାହିଁଲେ ମିମିକୁ । +କିନ୍ତୁ ବଡ଼ଭାଇ ଥିବାରୁ ସେ ତାଙ୍କ ଭୟରେ ମିମିକୁ କିଛି କହି ପାରିଲେ ନାହିଁ । +କିନ୍ତୁ ବାପାଙ୍କର ବଡ଼ ବଡ଼ ଆଖି ଦେଖି ମିମିର ମୁହଁଟି ଶୁଖିଗଲା । +ସବୁ ଉତ୍ସାହ ତା’ର ମରିଗଲା । +ବଡ଼ଭାଇ ବୁଝିପାରି କହିଲେ, ‘ହଁ ଲୋ ମା’, ତୁ ଠିକ୍‌ କହିଚୁ । +ବାଃ, ବେଶ୍‌ ସୁନ୍ଦର ବୁଝିଚି । +ହଁ, ତା’ପରେ- ।’ +‘ତା’ପରେ, ସେଇ ଜଗନ୍ନାଥଙ୍କୁ ଚାହିଁ କବି ବୋଲି ଜଣେ ଲୋକ କହିଲେ, କହିଲେ… ।’ +ହଁ, ହଁ, କହିଲେ… ବଡ଼ଭାଇ ଉତ୍ସାହ ଦେଇ ପଚାରିଲେ । +ମିମି ସାହସ ପାଇ ତା’ର ବଡ଼ବାପାର କାନେ କାନେ କହିଲା, ‘ଜଗନ୍ନାଥଙ୍କର ପାଦ ନାହିଁ ମୁଁ ଦେଖିଚି । +ଆଉ ହୃଦୟଟାକୁ କବିଟା ଢାଳିଦେଲା । +ତା’ ବାପା ଗାଳିଦେଲେ । + ଆଚ୍ଛା ବଡ଼ବାପା, ହୃଦୟ ଢାଳିଲା କେମିତି ?’ +ବଡ଼ଭାଇ ମିମିକୁ କୋଳକୁ ଆଉଜାଇ ନେଇ କହିଲେ, ‘ମା’, ତୋ’ ପଢ଼ା ସେତିକି ଥାଉ ଆଜି । +ତୁ ଯାହା ପଚାରିଲୁ ତୋତେ ସେକଥା କେହି ବୁଝାଇ ଦେଇପାରିବେ ନାହିଁ । +ହୃଦୟକୁ କେମିତି ଢାଳନ୍ତି ସେକଥା ମୁଁ ଏପର୍ଯ୍ୟନ୍ତ ବୁଝିପାରିନାହିଁ, ତୋତେ କଅଣ ବୁଝାଇବି ! ଆଉ ସେ କବିଟା ବୁଝିଚି ବୋଲି ମଁ ଭାବୁନାହିଁ ।’