diff --git a/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_prabandha_5 b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_prabandha_5 new file mode 100644 index 0000000000000000000000000000000000000000..d29d597a7ddb52ea7b7d71acc44965500b7946ce --- /dev/null +++ b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_prabandha_5 @@ -0,0 +1,67 @@ +ଏକାଦଶ ଅବତାରରେ କମ୍ପ୍ୟୁଟର + ବିଜୟ ଚନ୍ଦ୍ର ମହାପାତ୍ର, ମୁକୁନ୍ଦପ୍ରସାଦ, ଖୋର୍ଦ୍ଧା +ତା: ମେ ୧୨, ୨୦୧୧ +ମୂଳ ପୃଷ୍ଠା → ପ୍ରବନ୍ଧ → +ପୃଥିବୀ ପୃଷ୍ଠରେ ଧର୍ମ ଓ ବିଜ୍ଞାନ ମଧ୍ୟରେ ସଦାସର୍ବଦା ଦ୍ବନ୍ଦ୍ବ ରହିଆସିଛି । +ମାତ୍ର କିଛି ବିଜ୍ଞାନୀ ଅଛନ୍ତି ଯେଉଁମାନେ ଖୁବ୍‌ ଧାର୍ମିକ । +ସେମିତି କେତେକ ଧର୍ମବିଶ୍ବାସୀ ବ୍ୟକ୍ତି ମଧ୍ୟ ବିଜ୍ଞାନକୁ ଏକ ଭିନ୍ନ ଦୃଷ୍ଟିରେ ଦେଖନ୍ତି ଏବଂ ଆଧୁନିକ ବିଜ୍ଞାନର ପ୍ରତ୍ୟେକଟି ସଫଳତାକୁ ସ୍ବୀକାର କରନ୍ତି । +ସମ୍ପ୍ରତି, କମ୍ପ୍ୟୁଟରଠାରୁ ଆରମ୍ଭ କରି ଜୀବଜଗତର କଲମୀକରଣ ପର୍ଯ୍ୟନ୍ତ, ଆମେ ଯେଉଁଭଳି ଭାବେ ବିଜ୍ଞାନ କ୍ଷେତ୍ରରେ ସଫଳତା ହାସଲ କରିଚାଲିଛୁ, ସେ ସବୁର ଚମତ୍କାରିତା ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଛି । +ତେବେ ଧାର୍ମିକ ବିଶ୍ବାସ ନେଇ ଏ ସବୁକୁ ଦେଖିଲେ ଆମେ କ’ଣ କହିବା ? ଏକ ପ୍ରତି ନିବେଦନ । +ଶ୍ରୀମଦ୍‌ ଭଗବତ୍‌ଗୀତାର ଜ୍ଞାନଯୋଗରେ ଥିବା ସପ୍ତମ ଅଷ୍ଟମ ପରିଚ୍ଛେଦରେ ଭଗବାନ ଶ୍ରୀକୃଷ୍ଣ ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ମହାଭାରତ ଯୁଦ୍ଧ କ୍ଷେତ୍ରରେ ବୁଝାଉଛନ୍ତି – +“ୟଦା ୟଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ, +ଅଭ୍ୟୁତ୍‌ଥାନମଧର୍ମସ୍ୟ ତଦାତ୍ମାନଂ ସୃଜାମ୍ୟହମ୍‌ । +ପରିତ୍ରାଣାୟ ସାଧୁନାଂ ବିନାଶାୟ ଚ ଦୁଷ୍କୃତାମ୍‌, +ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ ।” +ଅର୍ଥାତ୍‌ ସତ୍ୟଧର୍ମ ବିନାଶ ହେଲେ ଅଧର୍ମ ବଢ଼ିଲେ ମୁଁ ଧର୍ମ ରକ୍ଷା ଅର୍ଥେ ସଂସାରକୁ ଆସେ । +ମୋର ଜାତି ଅଜାତି, ବ୍ରାହ୍ମଣ, ଚଣ୍ଡାଳ ଭେଦଭାବ କିଛି ନାହିଁ । +ସମସ୍ତେ ମୋର ସମାନ । +ମୋର ଶକ୍ତି ବଳରେ ଅଧର୍ମ ବିନାଶ ହୋଇ ଧର୍ମଭାବ ପୃଥିବୀରେ ଜାତ ହୁଏ । +ଆତତାୟୀ, ଗର୍ବୀ, ଖଳ, କୁଟିଳ, ସଂସାରର ଅମଙ୍ଗଳକାରୀ ପାପୀମାନଙ୍କୁ ବିନାଶ କରି ସାଧୁଙ୍କୁ ରକ୍ଷା କରିବାକୁ ମୋହର ଚିତ୍‌ଶକ୍ତି ବଳରେ ମୁଁ ସଂସାରକୁ ଆସେ । +ଏଠାରେ ସାଧୁମାନଙ୍କୁ ରକ୍ଷାକରି ଏବଂ ପାପୀମାନଙ୍କୁ ବିନାଶ କରି ପୁନର୍ବାର ଧର୍ମ ସ୍ଥାପନ କରେ । +ଯୁଗେ ଯୁଗେ ଭଗବାନ ବିଭିନ୍ନ ରୂପ ଓ ଅବତାରରେ ଏ ଧରା ପୃଷ୍ଠକୁ ଓହ୍ଲାଇଆସିଛନ୍ତି । +ଏଠାରୁ ଦୁଃଖ, କ୍ଲେଶ, ପାପ, ଭୟ ଓ ନିର୍ଯ୍ୟାତନାର ବିନାଶ କରିବା ପାଇଁ । +ଭଗବାନଙ୍କ ଦଶଟି ଅବତାର ଯଥା- ମତ୍ସ୍ୟ, କଚ୍ଛପ, ବରାହ, ନୃସିଂହ, ବାମନ, ପର୍ଶୁରାମ, ରାମ, ବଳରାମ, ବୁଦ୍ଧ ଓ କଳ୍‌କି ଉପାଖ୍ୟାନ ଆମେ ଜାଣୁ । +ବିଭିନ୍ନ ସମୟରେ ଭଗବାନ ଏହି ସବୁ ଅବତାର ଗ୍ରହଣ କରି ଏ ମର୍ତ୍ତ୍ୟଧାମକୁ ପାପଭାରରୁ ମୁକ୍ତ କରିଥିଲେ । +ଏସବୁ ଆମର ଧର୍ମ ବିଶ୍ବାସ କଥା । +ଆଧୁନିକ ବିଜ୍ଞାନ ଏ ସବୁକୁ ସହଜରେ ଗ୍ରହଣ କରିପାରେନାହିଁ । +ତେବେ ବିଜ୍ଞାନ ଯେଭଳି ଭାବେ ପ୍ରଗତି ପଥେ ଆଗେଇଚାଲିଛି, ସେଥିରେ ନାନା ପ୍ରକାର ଚମତ୍କାର ଦେଖିବାକୁ ମିଳୁଛି । +ଆମ୍ବ, ଲେମ୍ବୁ, କଲମୀ ଭଳି ମେଣ୍ଢା, ମାଙ୍କଡ଼, ମୂଷା ଆଦି ପ୍ରାଣୀମାନଙ୍କର କଲମୀ କରି ଦେଖାଇଦେବା ପରେ ବର୍ତ୍ତମାନ ବିଭିନ୍ନ ପ୍ରାଣୀ ଓ ମନୁଷ୍ୟ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗର କଲମୀ କରିବା କଥା ଶୁଣାଗଲାଣି । +ତେଣୁ ଉନ୍ନତ କଲମୀ ଦ୍ବାରା ମତ୍ସ୍ୟ, କଚ୍ଛପ, ବରାହ, ନୃସିଂହ ଆଦି ଅବତାରର ମନୁଷ୍ୟ ଜନ୍ମ ଗ୍ରହଣ କରିବା କିଛି ଅସମ୍ଭବ ନୁହେଁ । +ବିଜ୍ଞାନକୁ ଉପଯୋଗ କରି ମନୁଷ୍ୟ ବର୍ତ୍ତମାନ ଅନେକ ସୁଖ, ସୁବିଧା ଓ ସ୍ବାଛନ୍ଦ୍ୟ ଜୀବନ ହାସଲ କରିପାରୁଥିବା ସହିତ ଅନେକ ସମସ୍ୟା ମଧ୍ୟକୁ ଟାଣିହୋଇଯାଇଛି । +ପ୍ରଗତିର ଶୀର୍ଷ ସ୍ଥାନରେ ପହଞ୍ଚି ସୁଦ୍ଧା ମନୁଷ୍ୟ ଦୁର୍ଗତିର, ଧ୍ବଂସର କରାଳଛାୟା ଦେଖି ଶଙ୍କିତ ହୋଇପଡୁଛି । +ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ହେତୁ ଦେଶ ଦେଶ ମଧ୍ୟରେ ଯୁଦ୍ଧ ଭୟ, ପରିବେଶ ଦୂଷିତକରଣ, ଜନସଂଖ୍ୟା ବିସ୍ଫୋରଣ ଇତ୍ୟାଦି ସମସ୍ୟାର ଭାରରେ ପୃଥିବୀ ବର୍ତ୍ତମାନ ଭାରାକ୍ରାନ୍ତ । +ଏ ସବୁ ସମସ୍ୟାକୁ ମନୁଷ୍ୟ ହିଁ ସୃଷ୍ଟି କରୁଛି । +କେତେଜଣଙ୍କର ଚିନ୍ତାଶୂନ୍ୟ, ଜିଦ୍‌ଖୋର ମନୋଭାବରୁ ହିଁ ଏସବୁ ସମସ୍ୟାର ସୃଷ୍ଟି । +ବିଜ୍ଞାନ ପ୍ରଗତିର ସଦ୍ୟତମ ନମୁନାଭାବେ କମ୍ପ୍ୟୁଟରକୁ ଗ୍ରହଣ କରାଯାଇପାରେ । +ସାଧାରଣ ଅର୍ଥରେ କମ୍ପ୍ୟୁଟର ହେଉଛି ଗଣନା କରି ବିଶ୍ଲେଷଣ କରିପାରୁଥିବା ଏକ ଯନ୍ତ୍ର । +କେତେକ କ୍ଷେତ୍ରରେ ଏହାକୁ ରୋବଟ୍ ବା ଯନ୍ତ୍ରମଣିଷ ମଧ୍ୟ କୁହାଯାଉଛି । +ଚନ୍ଦ୍ର ପୃଷ୍ଠକୁ ମହାକାଶଯାନ ବା ଆପୋଲୋ ଯାନରେ ମଣିଷ କିମ୍ବା ମଙ୍ଗଳ ଗ୍ରହକୁ ‘ପାଥ୍‌ଫାଇଣ୍ଡର୍‌’ ଭଳି ମହାକାଶଯାନ ପଠାଇ ଗବେଷଣା କରିବା ପଛରେ ଯେଉଁ ସୂକ୍ଷ୍ମ ଗଣନା ଓ ବିଶ୍ଲେଷଣର ଆବଶ୍ୟକତା ରହିଛି, ତାହା ବୈଜ୍ଞାନିକଙ୍କ ମଣିଷ ମସ୍ତିଷ୍କ ପକ୍ଷେ କରିପାରିବା ସମ୍ଭବ ହୋଇ ନ ଥାନ୍ତା । +ଏଥିପାଇଁ କମ୍ପ୍ୟୁଟରର ସାହାଯ୍ୟ ନିଆଯାଏ । +ଆଜି ଚିନ୍ତା କରାଯାଉଛି, ବ୍ୟାପକ କ୍ଷେତ୍ର ଓ ପରିସର ବିଶିଷ୍ଟ କମ୍ପ୍ୟୁଟରକୁ କିଭଳି ଭାବେ ଅଧିକ ଉପଯୋଗ କରାଯାଇପାରିବ । +ମନୁଷ୍ୟ ପ୍ରକୃତିରେ ନାନା ଭିନ୍ନତା ରହିଥିବା ଆମେ ଜାଣୁ । +ବୟସ, ଅବସ୍ଥା ଓ ପରିବେଶ ନେଇ ମନୁଷ୍ୟ ପ୍ରକୃତିରେ ବୈଷମ୍ୟ ଦେଖାଯାଏ । +ଶରୀରରୁ କ୍ଷରିତ ହେଉଥିବା ବିଭିନ୍ନ ପ୍ରକାର ହର୍‌ମୋନ୍‌ ଓ ରାସାୟନିକ ପଦାର୍ଥ ହେତୁ ବିଭିନ୍ନ ସମୟରେ ଓ ବୟସରେ ପ୍ରକୃତିଗତ ଭିନ୍ନତା ପରିଲକ୍ଷିତ ହୋଇଥାଏ । +ଶରୀରରେ ଥିବା ବିଭିନ୍ନ ଗ୍ରନ୍ଥି ମଧ୍ୟରୁ ଆଡ୍ରେନାଲ୍‌ ଗ୍ରନ୍ଥିରୁ ଆଡ୍ରେନାଲିନ୍‌ କ୍ଷରିତ ହୋଇ ରକ୍ତରେ ମିଶି ପ୍ରବାହିତ ହେବା ଫଳରେ ଆମ ହୃତ୍‌ପିଣ୍ଡ ଖୁବ୍‌ ଦ୍ରୁତ ଗତିରେ ଦପ୍‌ଦପ୍‌ ହୁଏ ଏବଂ ଦେହରୁ ଗମ୍‌ଗମ୍‌ ଝାଳ ବାହାରେ । +ଏହା ଅତ୍ୟନ୍ତ ଭୟଭୀତ ବା ବ୍ୟସ୍ତବିବ୍ରତ ହେବାର ଲକ୍ଷଣ । +ସେହିଭଳି ଶରୀରର ପ୍ରଣାଳୀହୀନ ଗ୍ରନ୍ଥିରୁ କ୍ଷରିତ ରାସାୟନିକ ରସ ବା ହର୍‌ମୋନ୍‌ର ମାତ୍ରା କମ୍‌ ବେଶୀ ହେଲେ ଶରୀର କ୍ରିୟାର ବ୍ୟତିକ୍ରମ ଦେଖାଦେଇଥାଏ । +ଏବେ ନିକଟରେ ଆମେରିକାର ଚିକାଗୋ ସହରରେ ହୋଇଥିବା ଏକ ଗବେଷଣା ପରେ ବୈଜ୍ଞାନିକମାନେ କହୁଛନ୍ତି ଯେ ମନୁଷ୍ୟ ମନରେ କ୍ରୋଧ ସୃଷ୍ଟି ହେବା ପଛରେ ‘ସେରୋଟନିନ୍‌’ ନାମକ ଏକ ପ୍ରକାର ରାସାୟନିକ ପଦାର୍ଥର ଭୂମିକା ରହିଛି । +ଏହାର ଅଭାବରେ ମଣିଷ କ୍ରୋଧୀ ହୋଇଯାଏ । +ଏହାକୁ ଯଦି ଔଷଧ ଭାବେ ଜଣେ କ୍ରୋଧୀ ମଣିଷ ଶରୀରରେ ଦିଆଯାଇପାରିବ, ତେବେ ସେ ଅତ୍ୟନ୍ତ ଶାନ୍ତଶିଷ୍ଟ ପ୍ରକୃତିର ହୋଇପାରିବ । +ଏହା ବ୍ୟତୀତ ଅନ୍ୟ କେତେ ପ୍ରକାରର ରାସାୟନିକ ରସର ପରିମାଣ ଅଧିକ ବା କମ୍‌ ହେଲେ ମନୁଷ୍ୟର ମାନସିକ ସ୍ତରରେ ଭାବପ୍ରବଣତାର ପରିବର୍ତ୍ତନ ଘଟିଥାଏ । +ଜଣେ ଖୁସିରେ ହସିବା, ଦୁଃଖରେ କାନ୍ଦିବା କିମ୍ବା ରାଗରେ କଳିଗୋଳ ଝଗଡ଼ା କରିବା ପଛରେ ମଧ୍ୟ କିଛି ରାସାୟନିକ ରସର ଭୂମିକା ରହିଛି । +ତେଣୁ ବୈଜ୍ଞାନିକମାନେ ଚିନ୍ତା କଲେଣି, ବିଭିନ୍ନ ରାସାୟନିକ ରସକୁ ଛୋଟିଆ ଶିଶି ମଧ୍ୟରେ ରଖି ସେଥିରୁ ଦୁଇ ତିନି ଟୋପା ପ୍ରୟୋଗ କରି ମନୁଷ୍ୟର ସ୍ବଭାବ, ଆଚରଣ ବା ଚେତନାରେ ପରିବର୍ତ୍ତନ ଅଣାଯାଇପାରିବ । +ବିଭିନ୍ନ ସମୟରେ ଗୌତମବୁଦ୍ଧ, ମହାବୀର, ଶଙ୍କରାଚାର୍ଯ୍ୟ, ଯୀଶୁ, ନାନକ, ମହମ୍ମଦ ଭଳି ମହାପୁରୁଷମାନେ ଈଶ୍ବରଙ୍କ ଦୂତ ଭାବେ ଆବିର୍ଭୂତ ହୋଇ ଏ ପୃଥିବୀରେ ଶାନ୍ତି, ପ୍ରେମ, ସତ୍ୟ, ଅହିଂସା ଓ ସଦ୍‌ଭାବର ଅନେକ ପ୍ରଚାର କରିଯାଇଛନ୍ତି । +ସେମାନଙ୍କ ଅମର ବାଣୀର ପ୍ରଚାର ବିଭିନ୍ନ ରାଷ୍ଟ୍ରନାୟକ ବା ଯୁଗପୁରୁଷଙ୍କ ଦ୍ବାରା ପ୍ରଚାରିତ ଓ ପ୍ରସାରିତ ହୋଇଛି । +ଏବେ ମଧ୍ୟ ବିଭିନ୍ନ ଧର୍ମାନୁଷ୍ଠାନ ଓ ଆଧ୍ୟାତ୍ମିକ ସଂସ୍ଥା ଦ୍ବାରା ଏସବୁର ବହୁଳ ପ୍ରଚାର ଚାଲିଛି । +ତେବେ ସେମାନଙ୍କ ଅନୁଗାମୀ ଭାବେ ମନୁଷ୍ୟ ସମାଜରେ ଭିନ୍ନ ଭିନ୍ନ ଗୋଷ୍ଠୀ, ଜାତି ଓ ସମ୍ପ୍ରଦାୟର ସୃଷ୍ଟି ହୋଇ, ମନୁଷ୍ୟର ପ୍ରକୃତି ଦିନୁଦିନ ଅଧିକରୁ ଅଧିକ କ୍ରୋଧାନ୍ବିତ ଓ ହିଂସାତ୍ମକ ହୋଇଚାଲିଛି । +ଏହାର ପ୍ରତିକାର ବର୍ତ୍ତମାନ ଧର୍ମ ମାଧ୍ୟମରେ କରାଯିବା ସମ୍ଭବ ହେଉନାହିଁ । +ସାମ୍ପ୍ରତିକ ନୂତନ ଯୁଗରେ ଧର୍ମ ଓ ଧାର୍ମିକମାନେ ପୁରୁଣା ହୋଇ କିଛିଟା ଅଚଳ ହୋଇଗଲେଣି । +ଆଜିର ଚିନ୍ତାନାୟକମାନେ କହୁଛନ୍ତି, ବିଜ୍ଞାନ ଦ୍ବାରା ହିଁ ମନୁଷ୍ୟ ପ୍ରକୃତିରେ ପରିବର୍ତ୍ତନ ଅଣାଯାଇପାରିବ । +ଆଧୁନିକ ଯୁଗରେ ହୁଏତ ଭଗବାନ ବାଧ୍ୟ ହୋଇ ଏକ ନୂତନ ରୂପ ବା ଅବତାର ଗ୍ରହଣ ପୂର୍ବକ ସ୍ବର୍ଗରୁ ଓହ୍ଲାଇ ମର୍ତ୍ତ୍ୟମଣ୍ଡଳରେ ଆବିର୍ଭୂତ ହେବେ । +ଖୁବ୍‌ ସମ୍ଭବତଃ ଏହି ନୂତନ ଅବତାର ହୋଇପାରେ କମ୍ପ୍ୟୁଟର୍‌ ରୂପରେ । +ସେହି ‘କମ୍ପ୍ୟୁଟରାବତାରୀ ଈଶ୍ବର’ ପ୍ରତ୍ୟେକଟି ମଣିଷର ହାରିଗୁହାରି ଓ ପ୍ରକୃତିକୁ ତ୍ବରାନ୍ବିତ ବେଗରେ ଗ୍ରହଣ କରି ପ୍ରତିଟି ମଣିଷ ପାଇଁ ଉଦ୍ଦିଷ୍ଟ ରାସାୟନିକ ରସର ନାମ ଉଲ୍ଲେଖ କରି ଛୋଟ ଛୋଟ ଶିଶି ମଧ୍ୟରେ ରଖିବେ । +ଉପଯୁକ୍ତ ସମୟରେ ପ୍ରୟୋଗ କରାଯିବା ଫଳରେ ମାନବଜାତି ମଧ୍ୟରୁ ଦୁଃଖ, କ୍ଲେଶ, କ୍ରୋଧ, ହିଂସା, ଅଶାନ୍ତି ଭଳି ସମସ୍ୟାଗୁଡ଼ିକୁ ଦୂର କରାଯାଇପାରିବ । +ଆଜି ହୁଏତ ଏଭଳି ଚିନ୍ତାଧାରା ଆମକୁ ଅବାନ୍ତର ବା ବ୍ୟଙ୍ଗାତ୍ମକ ବୋଲି ମନେ ହୋଇପାରେ । +କିନ୍ତୁ ବୈଜ୍ଞାନିକମାନେ ଏ ଦିଗରେ ଯେଭଳି ଦ୍ରୁତ ଉନ୍ନତି ହାସଲ କରୁଛନ୍ତି ସେଥିରୁ ମନେ ହେଉଛି, ଆସନ୍ତା ଶତାବ୍ଦୀ ମଧ୍ୟରେ ପୃଥିବୀରେ ଏକ ନୂତନ ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି । +ତେଣିକି ଆମେ ଦଶାବତାର ପରିବର୍ତ୍ତେ ଶେଷ ପଦରେ ଏକାଦଶବତାର ଈଶ୍ବରଙ୍କ ବନ୍ଦନା କରି ଗାଇବା – +“କେଶବ ! ଧୃତ ‘କମ୍ପ୍ୟୁଟର ରୂପ’ ଜୟ ଜଗଦୀଶ ହରେ ।”