From 37f93bd75a1639f68040a3ee3fe252019a23dc9d Mon Sep 17 00:00:00 2001 From: Nayan Ranjan Paul Date: Sat, 17 Sep 2022 12:32:04 +0530 Subject: [PATCH] Upload New File --- .../odiasahitya.com/sent_odiasahitya_galpa_25 | 439 ++++++++++++++++++ 1 file changed, 439 insertions(+) create mode 100644 Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_galpa_25 diff --git a/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_galpa_25 b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_galpa_25 new file mode 100644 index 0000000..f8a0e14 --- /dev/null +++ b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_galpa_25 @@ -0,0 +1,439 @@ +କୋମଳ ଗାନ୍ଧାର + ତରୁଣକାନ୍ତି ମିଶ୍ର, ଭୁବନେଶ୍ବର +ତା: ଏପ୍ରିଲ୍ ୨୦, ୨୦୧୧ +ମୂଳ ପୃଷ୍ଠା → ଗଳ୍ପ → ଆଧୁନିକ → +ତା’ ବିଷୟରେ ଏବେ ଲେଖିବସି ଭାବୁଛି, ଏ ମୋ’ ପକ୍ଷରେ ଠିକ୍‌ ହେଲା ନାହିଁ । +ତା’ ବିଷୟରେ ମୁଁ କ’ଣ ବା ନଜାଣେ ? ଏଇ ବିଗତ ପଚିଶ ବର୍ଷ ଧରି ସେ କେଉଁଠି ଅଛି, କିପରି, ମୋଟଉପରେ ସେ ବଞ୍ଚିଛି କି ନାହିଁ, ମୁଁ ଜାଣେନା । +ମୋ ପକ୍ଷରେ ତା’ ବିଷୟରେ ଲେଖିବା କେତେଦୂର ସମୀଚୀନ, ଯେତେବେଳେ ତାର ମୋର ପରିଚୟ ମାତ୍ର ଗୋଟିଏ ବର୍ଷର; ଆଉ ଯେତେବେଳେ ଆମ ଦୁହିଁଙ୍କର ବୟସ ଥିଲା ମାତ୍ର ପନ୍ଦର ବର୍ଷ । +ମୁଁ ବୋଧହୁଏ ତାଠାରୁ ସାମାନ୍ୟ ବଡ଼ ଥିଲି- ଏଇ ଦୁଇ, ଚାରି ମାସର ପାର୍ଥକ୍ୟ ମାତ୍ର । +ତଥାପି ମୁଁ ଲେଖିବସିଛି । +ସେଦିନର କଥା ମୋର ଅବିକଳ ମନେ ନାହିଁ; ସେଇ ପୁରୁଣା ପରିତ୍ୟକ୍ତ ସହରର ରୂପ ମଧ୍ୟ ମନେ ନାହିଁ ଠିକ୍‌ ଭାବରେ । +କିଛି ଅନୁମାନ, କିଛିଟା ଧାରଣା । +କିନ୍ତୁ, ତା’ ମୁହଁଟା ମୋର ଠିକ୍‌ ମନେ ଅଛି- ଏଇ ଏବେ ମଧ୍ୟ ମୋ ଆଖି ସାମନାରେ ସେଇ ମୁହଁଟି ଦେଖାଯାଉଛି । +ଗହଳ କଳା ମଥାଏ ବାବୁରି ବାଳ, ଉଚ୍ଚ କପାଳ, ଲମ୍ବା ନାକ, ଗୋରା ସୁନ୍ଦର ସୁଢ଼ଳ ଗୋଟିଏ ମୁହଁ । +ତା’ ନାମଟା କହି ନାହିଁ ଯେ-ତା’ ନାମ ସୁମନ୍ୟୁ । +ବାଲେଶ୍ବରରୁ ବାପାଙ୍କର ବଦଳି ହେଲା କେନ୍ଦୁଝର । +ସେଇ କେନ୍ଦୁଝର ଗିବ୍‌ସନ୍‌ ହାଇସ୍କୁଲରେ ମୁଁ ନାମ ଲେଖାଇଲି, ଏକାଦଶ ଶ୍ରେଣୀରେ । +ସେ ବର୍ଷ ମାଟ୍ରିକ ପରୀକ୍ଷା ଦେବି । +ସେଇ ସ୍କୁଲରେ ମୋର ତା’ ସହିତ ପରିଚୟ । +ନୂଆକରି ମୁଁ ସେଦିନ କ୍ଲାସ୍‌କୁ ଆସି ବଡ଼ କୁଣ୍ଠିତ ହୋଇପଡ଼ିଥିଲି; ଲଜ୍ଜା ଠିକ୍‌ ନଥିଲେ ବି ସଙ୍କୋଚ ମୋର ଥିଲା ଖୁବ୍‌ । +ଶ୍ରେଣୀରେ ପଛ ବେଞ୍ଚରେ ଯାଇ ବସିଥିଲି । +ଯେଉଁଠି ବସିଲି, ସେଠାରେ ସବୁ ସିଟ୍‌ ଶୂନ୍ୟ, ଜଣେ କେବଳ ବସିଥିଲା ଏକାକୀ-ନିଜକୁ ଅନ୍ୟଠାରୁ ଦୂରେଇନେବା ପରି, ସେ ସୁମନ୍ୟୁ । +ଉଚ୍ଚତାରେ ସେ ଏମିତି ବେଶି କିଛି ନୁହେଁ, ତଥାପି ସେ ବସିଥିଲା ପଛରେ । +କାହିଁକି, ସେକଥା ମୁଁ ବୁଝିଥିଲି ପରେ । +ଏବେ କିନ୍ତୁ ମୋ ସାମନାରେ ଇନ୍ଦୁ । +ସେ ଗେଟ୍‌ ସେପଟରୁ ଧୀର ପାଦରେ ବାହାରିଆସିଲା । +ଛପି ଛପି ଅତି ସନ୍ତର୍ପଣରେ । +ସାମନାରେ ଇନ୍ଦୁକୁ ଦେଖି ସୁମନ୍ୟୁ ଥମକି ଠିଆ ହୋଇପଡ଼ିଲା । +କିନ୍ତୁ କିଛି ସେ କହିବା ପୂର୍ବରୁ ଶୁଣାଗଲା ଇନ୍ଦୁର ବାଷ୍ପରୁଦ୍ଧ ଆବେଗ କମ୍ପିତ ସ୍ବର । +– ସୁମନ୍ୟୁ, ମୁଁ ତୁମକୁ ଭଲପାଏ । +ସେଇ ପଛ ବେଞ୍ଚରେ ତା’ର ମୋର ପରିଚୟ । +ପ୍ରଥମେ ସେ ଚୋରେଇ ଚୋରେଇ ମୋ ଖାତାରେ ଲେଖାଥିବା ନାମକୁ ପଢ଼ିଲା । +ମୋ ମୁହଁକୁ ଚାହିଁଲା । +ମୁଁ ମଧ୍ୟ ତା’ ଖାତାକୁ ଚାହିଁଲି-ତା’ ନାମ ଜାଣିବା ଅଭିପ୍ରାୟରେ । +କିନ୍ତୁ ଖାତା ଉପରେ କିଛି ନାମ ଲେଖା ନ ଥିଲା । + ତେଣୁ ପଚାରିଲି, ତୁମ ନାଆଁ କଅଣ ? +‘- ସୁମନ୍ୟୁ’ । +ଅତି ଚାପା, କ୍ଷୀଣ ତା’ର କଣ୍ଠ । +ପନ୍ଦର ବର୍ଷ ବୟସରେ କଣ୍ଠସ୍ବରରେ ଏକ ଆପାତ କର୍କଶତା ଥାଏ, କିନ୍ତୁ ସେପରି କର୍କଶତା ତା’ ସ୍ବରରେ ନ ଥିଲା । +ମୋ ନାମ ଦୀପକ । +ଦୀପକ ପଟ୍ଟନାୟକ । +ସେ ମୁଣ୍ଡ ହଲାଇ ଆସ୍ତେ ହସିଲା । +ତା’ ଅର୍ଥ ମୁଁ ଜାଣେ । +ତା’ପରେ କଥାବାର୍ତ୍ତାରେ ଖିଅ ବଢ଼ିଲା । +ବୟସ ପନ୍ଦର ବର୍ଷ, ପଢୁଛୁ ଏକାଦଶ ଶ୍ରେଣୀରେ, ଆଉ ଦଶ ମାସ ପରେ ମାଟ୍ରିକୁଲେସନ୍‌ ପରୀକ୍ଷା ଦେବୁ । +ଏଣୁ ଯାହା କଥାବାର୍ତ୍ତା ହେବାର କଥା- ପଢ଼ାପଢ଼ି କେତେ ଆଗେଇଛି, କୋଉ ସାର୍‌ କେମିତି ପଢ଼ାନ୍ତି । +ତୁମର ପୋଜିସନ୍‌ କ୍ଲାସ୍‌ରେ କ’ଣ ଥିଲା ? ମୁଁ ପଚାରିଲି । +ମୋର ଉଦ୍ଦେଶ୍ୟ ଥିଲା ସ୍ପଷ୍ଟ । +ସେ କହିଲା ମୁଁ ଶ୍ରେଣୀରେ ସେକେଣ୍ଡ ହୁଏ । +ମୁଁ ମନେ ମନେ ସତର୍କ ହୋଇଗଲି । +ଏ ତେବେ ମୋର ଜଣେ ପ୍ରତିଦ୍ବନ୍ଦ୍ବୀ ହେବ ଏଥରକ । +: ଟୋଟାଲ ମାର୍କ କେତେ ଥିଲା ? +: ଚାରିଶହ ସତୁରୀ । +ମୁଁ ଅଶ୍ବସ୍ତ ହେଲି । +ମୋ ମନ ଭିତରର ଆଶଙ୍କା କ୍ଷୀଣ ଓ କ୍ଷୟିଷ୍ଣୁ ହୋଇ ଲୋପ ପାଇଗଲା । +: ତମର ଏଗ୍ରିଗେଟ୍ କେତେ ଥିଲା ? ସେ ପଚାରିଲା । +: ମୋର ଥିଲା ପାଞ୍ଚଶହ ସତାଅଶୀ । +ମୁଁ ଗାମ୍ଭୀର୍ଯ୍ୟ ରକ୍ଷା କରି କହିଲି । +ସେ ମୋ ଆଡ଼କୁ ଆଶ୍ଚର୍ଯ୍ୟ ହୋଇ ଚାହିଁଲା । +ଏତେ ବଡ଼ ଗୋଟାଏ ସଂଖ୍ୟା ସେ ମୋ’ଠାରୁ ଶୁଣିବାକୁ ଚାହିଁ ନ ଥିଲା ନିଶ୍ଚୟ । +ମନେ ମନେ ଟିକିଏ ସଙ୍କୁଚିତ ହୋଇଉଠିଥିବ ହୁଏତ । + ସେଇ ସଙ୍କୋଚ ମନରେ ରଖି କହିଲା : ତୁମେ ସେଠି ଫାଷ୍ଟ ହେଉଥିଲ ? +ମୁଁ ମୁଣ୍ଡ ହଲାଇଲି । +ସୁମନ୍ୟୁ ଆଉ କିଛି କହିଲା ନାହିଁ । +ଚୁପ୍‌ ରହିଲା । +: ଏଠି ଫାଷ୍ଟ ହୁଏ କିଏ ? ମୁଁ ପଚାରିବସିଲି । +: ଇନ୍ଦୁ । +ଏତେବେଳ ଯାଏଁ ମୋର ଦୃଷ୍ଟିରେ ସେ ପଡ଼ି ନ ଥିଲା । +କିନ୍ତୁ ଏଥର ଦେଖିବାକୁ ପାଇଲି, କ୍ଲାସର ସବା ଆଗ ଧାଡ଼ିରେ ଅଲଗା, ଏକୁଟିଆ ଗୋଟିଏ ସିଟ୍‌ରେ ଗୋଟିଏ ଝିଅ । +ସୁମନ୍ୟୁର କଥା ଅନୁସାରେ, ଇନ୍ଦୁ । +: ଏଇ ? +ସୁମନ୍ୟୁ ମୁଣ୍ଡ ହଲାଇଲା । +ସ୍ବୀକୃତି ସୂଚକ । +ମୁଁ ଲକ୍ଷ୍ୟ କଲି, ଆପାତତଃ ଏଇ ମୋର ପ୍ରତିଦ୍ବନ୍ଦ୍ବୀ । +ମୋତେ ବେଶ୍‌ ଭଲ ଲାଗିଲା, ମୋ ବୟସର ଗୋଟିଏ ଝିଅକୁ ପ୍ରତିଦ୍ବନ୍ଦ୍ବୀ ମନେକରି । +ଦେଖିବାକୁ ବେଶ୍‌ ସୁନ୍ଦର, ପିନ୍ଧିବା ପୋଷାକରୁ ମନେ ହେଲା ଯେମିତି ଅତି ଧନୀ ଘରର ଝିଅ । +ମୁଁ ମନେ ମନେ ଉତ୍ସାହିତ ବୋଧ କଲି । +କେତେ ନମ୍ବର ଥିଲା ? +ସେ ଦିନ ପ୍ରଥମ ସାକ୍ଷାତ । +ତେଣୁ ମୁଁ ଲକ୍ଷ୍ୟ କରିପାରି ନ ଥିଲି, କି ଏକ ଅଦ୍ଭୁତ ଉଜ୍ଜ୍ବଳ ସମ୍ଭ୍ରମବୋଧ ସୁମନ୍ୟୁ ମୁହଁରେ ଫୁଟିଉଠିଥିଲା । +ଏକ ପ୍ରଚ୍ଛନ୍ନ ଗୌରବବୋଧ ତା’ ସହିତ; କିନ୍ତୁ କ୍ଷଣିକରେ ସେ ଅଭିବ୍ୟକ୍ତି ତା’ ମୁହଁରୁ ଲିଭିଯାଇଥିବ, କାରଣ ସେ କହିଲା : ଏଠାରେ ବଡ଼ ଷ୍ଟ୍ରିକ୍‌ଟ୍‌ ମାର୍କିଂ ହୁଏ । +ବେଶି ନମ୍ବର ମିଳେ ନାହିଁ । +ସେମିତି ନମ୍ବର ମିଳୁଥିଲେ ତ ସେ ଛଅଶହଠୁ କମ୍‌ ନମ୍ବର ପାଆନ୍ତେ ନାହିଁ । + ତୁମେ ଜାଣି ନାହଁ, ସେ ବଡ଼ ବ୍ରିଲିଆଣ୍ଟ୍‌, ବଡ଼ … +ସୁମନ୍ୟୁର କଥାଟା ଅସମ୍ପୂର୍ଣ୍ଣ ରହିଲା, କାରଣ ସେ କହେ ଅତି ସଂକ୍ଷେପରେ, ଗୋଟିଏ ଦୁଇଟି ଶବ୍ଦରେ ସବୁ କିଛି କହିଦେବାକୁ ଚାହେଁ । +କିନ୍ତୁ ଏଇଠି ସେ ପାରିଲା ନାହିଁ । +ରହିଗଲା । +ସେ ବଡ଼ ବ୍ରିଲିଆଣ୍ଟ୍‌ । +ଅତି ଭଲ ପଢ଼ନ୍ତି । +ତୁମେ ନୂଆ ଆସିଛ, ଜାଣିପାରିବ ନାହିଁ । +ତେବେ- ମୁଁ ସଂଖ୍ୟାଟି ଜାଣିବାକୁ ଚାହିଁଲି, କାରଣ ସେହି ସଂଖ୍ୟାଟି ଉପରେ ମୋର ଅନେକ କିଛି ନିର୍ଭର କରୁଥିଲା- କେତେ ରଖିଥିଲା ସେ ଝିଅଟି ? +ମୁଁ ସେଦିନ ଜାଣିପାରି ନ ଥିଲି ମୋ ସ୍ବରରେ କିଭଳି ଉପେକ୍ଷା ଓ ଅବଜ୍ଞା ଫୁଟିଉଠିଥିଲା, ସେ ଝିଅଟା କହିବା ଭିତରେ- ମୁଁ ଜାଣିପାରି ନ ଥିଲି । + ସୁମନ୍ୟୁ ମନେ ମନେ ଏଥିରେ ମୋ ଉପରେ ବଡ଼ ଅସନ୍ତୁଷ୍ଟ ହୋଇଥିବ ନିଶ୍ଚୟ; କାରଣ ପରେ ବନ୍ଧୁତା ଜମିଉଠିବା ପରେ ମୁଁ ସୁମନ୍ୟୁକୁ ଅଧିକ ଚିହ୍ନିବାର ସୁଯୋଗ ପାଇଥିଲି ତ ! +ସୁମନ୍ୟୁ ଶେଷକୁ ମତେ ନମ୍ବରଟି କହିଥିଲା । +ପାଞ୍ଚଶହ ସତେଇଶି, ମୋ’ଠାରୁ ଷାଠିଏ ନମ୍ବର କମ୍‌ । +ମୁଁ ମନେ ମନେ ଆଶାନ୍ବିତ ହେଲି । +ଝିଅଟିକୁ ଚାହିଁ ଦେଖିଲି ମୋର ପନ୍ଦର ବର୍ଷ ବୟସର କିଶୋର ପ୍ରାଣରେ ପୁଲକ ସଞ୍ଚରିଗଲା । +ସେଇ ସଞ୍ଚରିତ ପୁଲକକୁ ମଁ ଅନୁଭବ କଲି ଆସିବାର ପ୍ରଥମ ଦିନ- ଥରେ ନୁହେଁ ଦୁଇଥର । + ଗଣିତ ଶିକ୍ଷକ ଦୁଃଖୀଶ୍ୟାମ ବାବୁ କ୍ଲାସ୍‌ରେ ଉପସ୍ଥାନ ନେଇସାରି, ଶେଷରେ ଲେଖାଥିବା ମୋର ନାମ ପଢ଼ିଲେ ଓ ପଚାରିଲେ, ‘ତୁମେ ତ ସେଇ- ବାଲେଶ୍ବରରୁ ଆସିଛ ? ‘ +ମୁଁ ଠିଆ ହୋଇ ହିଁ ଭରିଲି । +: କ୍ଲାସ୍‌ରେ ଫାଷ୍ଟ୍ ହେଉଥିଲ ? କେତେ ଥିଲା ଏଥର ପରୀକ୍ଷାରେ ? +ଇନ୍ଦୁ ଆଡ଼କୁ ମୁଁ ଥରେ ଚାହିଁ ଦେଇଥିଲି ଏ ଭିତରେ । +ସେ ଚୁପ୍‌ଚାପ୍‌ ଡେସ୍କ ଉପରର ଗୋଟିଏ ବହିକୁ ଚାହିଁରହିଥିଲା । +କିନ୍ତୁ ଗଣିତ ଶିକ୍ଷକଙ୍କ ଦ୍ବିତୀୟ ପ୍ରଶ୍ନ ଶୁଣି ସେ ଥରେ ମୋ ଆଡ଼କୁ ଚାହିଁଲା, ସମାନ୍ୟ ଏକ ମୁହୂର୍ତ୍ତ ପାଇଁ । +ମୁଁ ମୋ ନମ୍ବର କହିଲି । +ପାଞ୍ଚଶହ ସତାଅଶି । +କ୍ଲାସ୍‌ର ସବୁ ପିଲା ଫେରି ମତେ ଚାହିଁଥିଲେ, ନୂଆ ଏକ ମେଧାବୀ ଛାତ୍ରକୁ ଚିହ୍ନିବା ପାଇଁ । +ମୁଁ ପୁଲକିତ ହୋଇଉଠିଥିଲି । +ସେଠି ଆମର ବଏଜ୍‌ ସ୍କୁଲ । +କିନ୍ତୁ ଏଠି ତାହା ନୁହେଁ, ଯାହା ସଦ୍ୟ ବିକାଶପ୍ରାୟ ଗୋଟିଏ କିଶୋର ପାଇଁ ଗୋଟିଏ ଅନବଦ୍ୟ ବ୍ୟାପାର । +ପୁଣି ଯେଉଁଠି ପ୍ରତିଦ୍ବନ୍ଦିନୀ ଜଣେ ବାଳିକା, ଏକା ବୟସର । +ଇନ୍ଦୁ ଯେତେବେଳେ ମୋ ଆଡ଼କୁ ଚାହିଁଲା, ଏକ ଚଞ୍ଚଳ ଶିହରଣ ଖେଳିଗଲା ମୋ ଭିତରେ, ମୁଁ ତା’ଆଡୁ ଆଖି ଫେରାଇ ଆଣି ଗମ୍ଭୀର ହେବାକୁ ଚେଷ୍ଟା କଲି । +ଗଣିତରେ ତୁମର କେତେ ଥିଲା ? ସାର୍‌ ପଚାରିଲେ । +କମ୍ପଲସରୀରେ ଶହେ, ଅପ୍‌ସନାଲ୍‌ରେ ଅନେଶତ । +ଦୁଃଖୀଶ୍ୟାମ ସାର୍‌ ସେଦିନ ଭାରି ଖୁସି ହୋଇଉଠିଥିଲେ । +ଆହୁରି ଅନେକ କଥା ବି ପଚାରିଥିଲେ । +ତେବେ ପ୍ରଥମରୁ ହିଁ ମୋର ସନ୍ଦେହ ହୋଇଥିଲା, ସୁମନ୍ୟୁ ନାମକ ପତଳା, ସ୍ବାସ୍ଥ୍ୟହୀନ କିନ୍ତୁ ସୁନ୍ଦର ବାଳକଟି ମୋର ଏ ପ୍ରକାର ସମ୍ବର୍ଦ୍ଧନାରେ ସନ୍ତୁଷ୍ଟ ହୋଇପାରି ନ ଥିଲା । +ତଥାପି- ସୁମନ୍ୟୁ ସହିତ ମୋର ସାକ୍ଷାତ୍‌ ହୋଇଥିଲା ସବୁଠାରୁ ପ୍ରଗାଢ଼ । +ଯଦିଓ ମାତ୍ର ଗୋଟିଏ ବର୍ଷ ପାଇଁ ତଥାପି ଏତେ ଶୀଘ୍ର ସେ ମୋର ନିକଟ ହୋଇଆସିଥିଲା, ଏତେ ଅନ୍ତରଙ୍ଗ ହୋଇଉଠିଥିଲା, ତାହା ମତେ ଏବେ ମଧ୍ୟ ଅଭିଭୂତ କରିଦିଏ । +ତେବେ ପ୍ରଥମରୁ ହିଁ ସେ କହିଥିଲା, ତୁମେ ତାଙ୍କଠାରୁ ବେଶି ନମ୍ବର ରଖିଛ ସତ, ହେଲେ ସେ ଭାରି ଭଲ ପଢ଼ନ୍ତି । +ସେ ଭଲ । +ସେ ଖୁବ୍‌ ଭଲ । +ତୁମେ ନୂଆ ଆସିଚ, କିଛି ଜାଣି ନାହଁ । +ସତ କହୁଚି, ସୁମନ୍ୟୁର ଏକ ଅବରୁଦ୍ଧ ଅସନ୍ତୋଷ ଓ ବିରୁଦ୍ଧ ଭାବ ମତେ ବେଶ୍‌ ଭଲ ଲାଗିଥିଲା । +କାରଣ ତ ସ୍ପଷ୍ଟ । +ସୁମନ୍ୟୁ ପଚାରିଥିଲା : ତୁମର ହବି କଅଣ ? ତୁମକୁ କ’ଣ ଭଲ ଲାଗେ ? +: କ୍ରିକେଟ୍‌ । +ସୁମନ୍ୟୁ ମୋ ଉତ୍ତର ପାଇ ସନ୍ତୁଷ୍ଟ ହେଲା ବୋଲି ମୋର ମନେ ହେଲା ନାହିଁ । + ମୋର କୌତୂହଳ ହେଲା, ପଚାରିଲି : ତମର ପ୍ରିୟ ଖେଳ କ’ଣ ? +: ମତେ ଖେଳିବାକୁ ଭଲ ଲାଗେ ନାହିଁ । +ଧୀରେ, ଶାନ୍ତ ଭାବରେ ଉତ୍ତର ଦେଲା ସୁମନ୍ୟୁ । + ମୋ ହବି କଥା ଯଦି ପଚାରୁଚ, ତେବେ…. +ସେମାନେ ଜଣେ ଜଣେ ଥାଆନ୍ତି । +ଆମ ଭିତରେ । +ଆମର ଅତି ନିକଟରେ । +ଅଥଚ ଆମେ କେହି ଚିହ୍ନିପାରୁନା ସେମାନଙ୍କୁ । +କ୍ଲାସ୍‌ରେ ସବୁଠାରୁ ପଛ ବେଞ୍ଚରେ ବସୁଥିବା ଏବଂ ଶ୍ରେଣୀରେ କେବେ ଦ୍ବିତୀୟ, କେବେ ଚତୁର୍ଥ ସ୍ଥାନ ଅଧିକାର କରୁଥିବା ସେଇ ପିଲାମାନଙ୍କୁ ଆମେ ଜାଣିପାରୁ ନାହିଁ । +ସେମାନେ ଥାଆନ୍ତି ନିଃଶବ୍ଦ, ଚାପା । +ଯଦିଓ ଆମର ଆଖି ସାମନାରେ । +ମାତ୍ର ଆମେ ସେମାନଙ୍କ ଉପସ୍ଥିତି ଜାଣିପାରୁନା, ଉପଲବ୍‌ଧି କରିପାରୁନା । +ସୁମନ୍ୟୁ କହିଥିଲା- ମୋ ହବି କ’ଣ ମୁଁ ତୁମକୁ କହିବି ନାହିଁ । +ତୁମେ ସେକଥା ବୁଝିପାରିବ ନାହିଁ । +ସତରେ, ସେତେବେଳେ ମୁଁ ଠିକ୍‌ ବୁଝିପାରି ନ ଥିଲି ତେବେ ଅଭିଭୂତ ଯେ ହୋଇପଡ଼ିଥିଲି, ଏ କଥା ଠିକ୍‌ । +ନହେଲେ ଆଜି, ସେଇ ଦିନ ସବୁ ବିତିବାର ପଚିଶ ବର୍ଷ ପରେ, ତାକୁ ହଠାତ୍‌ ମନେ ପକାଇପାରିନଥାନ୍ତି- ଆଉ ଏକ ନିରୁପାୟ ବ୍ୟାକୁଳତା ମୋ ଭିତରେ ଛାଟିପିଟି ହୁଅନ୍ତା ନାହିଁ । +-ମୋ ହବି ତୁମେ ବୁଝିବ ନାହିଁ, ମୋଟେ ବୁଝିପାରିବ ନାହିଁ । +ସେ ମୃଦୁ ସ୍ବରରେ କହିଥିଲା । +-ତେବେ ? ମୁଁ ଆଗ୍ରହର ସହିତ ପ୍ରଶ୍ନ କରିଥିଲି, ତୁମକୁ କଣ ଭଲ ଲାଗେ, ସେକଥା ମୁଁ ବୁଝିପାରିବି ନାହିଁ ? +-ନା- +ସୁମନ୍ୟୁ କିନ୍ତୁ ଶେଷ ପର୍ଯ୍ୟନ୍ତ କହିଥିଲା- ‘ମତେ ଭାବିବାକୁ ଭଲ ଲାଗେ । +ଚୁପ୍‌ଚାପ୍‌ ବସି ଭାବିବା ପାଇଁ ଭାରି ଭଲ ଲାଗେ । +’ +ଏ ପୁଣି କି ପ୍ରକାରର ହବି ? ଭାବିବା ଓ ଭାବିବା ପାଇଁ ଭଲ ପାଇବା ମତେ ବଡ଼ ଆଶ୍ଚର୍ଯ୍ୟ ଲାଗିଥିଲା । +: ମୁଁ ବସି ବସି ଭାବେ ରାତିରେ ଶୋଇବା ଆଗରୁ, ଘଣ୍ଟା ଘଣ୍ଟା ଧରି ଭାବେ । +ଅନେକ କଥା, ଅନେକ ଲୋକଙ୍କ କଥା । +ମତେ ଭଲ ଲାଗେ । +: ଭାବିବାକୁ ଭଲ ଲାଗେ ? ଭାବି ଭାବି ତୁମ ମୁଣ୍ଡ ବଥାଏ ନାହିଁ ? +ସୁମନ୍ୟୁ ହସିଥିଲା । +ରିସେସ୍‌ ଆୱାରରେ ଅଧଘଣ୍ଟା ପାଇଁ ଛୁଟି ମିଳେ । +ପଡ଼ିଆରେ ଖେଳକସରତ, ଧାଁଦଉଡ଼ ଚାଲେ । +କିନ୍ତୁ ସୁମନ୍ୟୁ ଚାଲିଯାଏ ସେଇ ଗହଳି ଓ ପାଟିତୁଣ୍ଡଠାରୁ ଦୂରକୁ । +ସେଠାରେ ଅନେକ ଗଛର ଛାଇ । +ଚୂପ୍‌ଚାପ୍‌ ସେଇଠି ବସେ ସେ । +ଯେତେବେଳେ ଦେଖେ ପଡ଼ିଆରୁ ପିଲାଏ ଚାଲିଯାଉଛନ୍ତି, ସେ ଉଠେ । +ଛୁଟି ସରିଲା । +ମୁଁ ତା’ ସହିତ ସେଇ ଗଛ ଛାଇ ତଳର ଶୂନ୍ୟ ନିର୍ଜନ ସମାଧିକୁ କେତେଥର ଆସିଥିଲି । +ପ୍ରଥମେ ପ୍ରଥମେ କେବେ କେମିତି, ଯାଚି ହୋଇ । +କିନ୍ତୁ ତା’ପରେ ଦୁହେଁ ସାଙ୍ଗ ହୋଇ ଆସୁ । +-ଆଚ୍ଛା, ତୁମେ କ’ଣ ସବୁ ଭାବ ବସି କହିଲ ? ମୁଁ ଦିନେ ପଚାରିଦେଲି । +ମୋର ଏମିତି ପ୍ରଶ୍ନ ଶୁଣି ସେ ହସିଲା । +କହିଲା- ସେ କଥା ତମେ ବୁଝିପାରିବ ନାହିଁ । +ସେ ନିହାତି ବାଜେ କଥା-ଭାବି ଲାଭ ନାହିଁ । +ମୁଁ ତା ମୁହଁକୁ ଆଶ୍ଚର୍ଯ୍ୟ ହୋଇ କିଛି ସମୟ ଚାହିଁରହିଲି । + ପଚାରିଲି, ‘ତମେ କବିତା ଲେଖ ସୁମନ୍ୟୁ ? ‘ +ଏମିତି ଧାରଣା ଗୋଟିଏ ଆସିବା ସ୍ବାଭାବିକ । +ଏଇ ପ୍ରକାର ପିଲାଙ୍କଠାରୁ ଏମିତି କିଛି ଯେ ଆଶା କରାଯାଏ, ସେ କଥା ମୁଁ ଜାଣିଥିଲି । +ସୁମନ୍ୟୁ ହସି ଦେଇଥିଲା, ଯେମିତି ସେ ଲୁଚାଛପା କିଛି ଗୋଟାଏ ଅପ୍ରିୟ କାମ କେଉଁଠି କରୁଥିଲା, ଧରା ପଡ଼ିଯାଇଛି, ଆଉ ମୁକୁଳି ଯାଇପାରିବ ନାହିଁ । +: ସତେ ? ତୁମେ କବିତା ଲେଖ ? ଗପ ଲେଖ ? +ସେ ଜଣେ କବି । +କଥାଟା ଆବିଷ୍କାର କରିବା ମାତ୍ରେ ମୋ ମନ ଭିତରେ ଗୋଟାଏ ଅଦ୍ଭୁତ କୌତୂହଳର ଝଲକ ଖେଳିଗଲା । +: କଅଣ ସବୁ ଲେଖ ତୁମେ ? କିପରି ? କିମିତିକା କବିତା ଲେଖିଛ ତୁମେ ? ମତେ ଦିନେ ଦେଖାଇବ । +କବିତା ମୁଁ କିଛି ପଢିଥିଲି, ଜଣେ ଅଧେ କବିଙ୍କୁ ମଧ୍ୟ ଦେଖିଥିଲି । +ଜଣେ ବଡ଼ କବି ଆସିଥିଲେ ମୁଁ ବାଲେଶ୍ବରରେ ପଢୁଥିବା ସ୍କୁଲର ବାର୍ଷିକ-ଉତ୍ସବରେ ଯୋଗ ଦେବା ପାଇଁ । +ଦେଖିବାକୁ କି କୁତ୍ସିତ କଦାକାର । +ଲୁଗାପଟା ପିନ୍ଧାରେ ଗୋଟାଏ ଅଦ୍ଭୁତ ଅସୁନ୍ଦର ଢଙ୍ଗ । +ହାତ ଦୁଇଟା ଲୋମଶ, ଶିରାବହୁଳ । +ଯେତେବେଳେ ଭାଷଣ ଦେଇଥିଲେ ବଡ଼ ଚିଡ଼ି ଲାଗୁଥିଲା ଶୁଣିବା ପାଇଁ । +ସ୍ବରଟା ତାଙ୍କର ବଡ଼ କର୍କଶ । +ଉଚ୍ଚାରଣ ମଧ୍ୟ ଅସ୍ପଷ୍ଟ । +ମୋ’ ପନ୍ଦର ବର୍ଷ ବୟସର ଅଭିଜ୍ଞତାରେ କବି ଥିଲେ ଏଇମିତି ଜଣେ । +କିନ୍ତୁ ସୁମନ୍ୟୁକୁ ଦେଖି, ସର୍ବପ୍ରଥମେ ମୋ ମନରେ ଧାରଣା ଆସିଲା, ଯେଉଁ ଭାବରେ କବି ଓ କବିତାକୁ ମୁଁ ବୁଝିଛି, ତାହା ଠିକ୍‌ ନୁହେଁ ହୁଏତ । +ଏଇ ସୁମନ୍ୟୁ ହିଁ ଜଣେ କବି । +ତା’ର ପ୍ରତିଟି ଭାଷା, ପ୍ରତିଟି ହାବଭାବ ଏକ ପଙ୍‌କ୍ତି । +ଯେତେବେଳେ ମୁଁ ଜାଣିଲି ସୁମନ୍ୟୁ କବିତା ଲେଖେ, ମୋର ତା’ ପ୍ରତି ଗଭୀର ଅନୁରକ୍ତି ଆସିଗଲା । +ମୁଁ ତାକୁ ନୂଆ ରୂପରେ ଦେଖିବାକୁ ଚେଷ୍ଟା କଲି । +ତା’ କଥା, ହାବଭାବରୁ ନୂଆ ଅର୍ଥ ଓ ନୂଆ ପ୍ରତୀକ ଖୋଜିବାକୁ ଚେଷ୍ଟା କଲି । +ଆଉ ସବୁଠାରୁ ଆଶ୍ଚର୍ଯ୍ୟଜନକ ଥିଲା ତା’ର ଅଦ୍ଭୁତ ଲଜ୍ଜାଶୀଳତା, ଯାହା ସେ ଏକ କଠିନ ଗାମ୍ଭୀର୍ଯ୍ୟ ଭିତରେ ଛପାଇ ରଖିବାକୁ ବିପନ୍ନ ପ୍ରୟାସ କରେ । +କିନ୍ତୁ ସେ ବେଳେବେଳେ ବାଙ୍‌ମୟ ହୋଇଉଠେ, ଅସ୍ବାଭାବିକ ଭାବରେ ପ୍ରଗଳ୍ଭ । +ମୁଁ ଚୁପ୍‌ଚାପ୍‌ ତାକୁ ଅନାଏ, ତା’ ମୁହଁର ବଦଳୁଥିବା ଅଭିବ୍ୟକ୍ତିକୁ ଲକ୍ଷ୍ୟ କରେ, କଥା ଶୁଣେ । +: ତମେ ବଡ଼ ହେଲେ କ’ଣ ହେବ ବୋଲି ଭାବିଛ ? କଥା କହୁ କହୁ ରହିଯାଇ ଥରେ ସେ ମତେ ଏକଥା ପଚାରିଲା । +ମୁଁ ଚଟ୍‌ପଟ୍‌ ଜବାବ ଦେଇଥିଲି । +: ସାଇଣ୍ଟିଷ୍ଟ ! ମତେ ସାଇନ୍‌ସ ଭାରି ଭଲ ଲାଗେ, ମୁଁ ସାଇଣ୍ଟିଷ୍ଟ ହେବି, ତମେ ? ତମେ କ’ଣ ହେବ ! +ମୋ’ ପ୍ରଶ୍ନର କିଛି ଉତ୍ତର ଦେଲା ନାହିଁ ସେ, ଯେମିତିକା ମୋ’ କଥା ସେ ଶୁଣିପାରି ନାହିଁ ଆପଣାର ବିମୃଷ୍ଟ ଚିନ୍ତାରେ ହଜିଯାଇଛି । +ଟିକିଏ ପରେ, ମୋ’ ପ୍ରଶ୍ନର ପୁନରାବୃତ୍ତି ପରେ ସେ କହିଲା, ଧୀରେ ଧୀରେ, ମନକୁ ମନ ଭାବିହେଲା ପରି । +ମୁଁ ଜାଣିପାରୁନି, ମୁଁ କ’ଣ ହେବି । +ମୋର କ’ଣ ହେବା ଉଚିତ । +ତେବେ ମୋର ଇଚ୍ଛା, ମୁଁ ଏମିତି କିଛି ହେବି, ଏମିତି କିଛି କରିବି, ଯାହା ଫଳରେ ମୁଁ ମରିବା ସମୟରେ ମୋର ଦୁଃଖ ହେବ ନାହିଁ ଯେ, ମୋ ଜୀବନଟା ବ୍ୟର୍ଥ ହୋଇଯାଇ ନାହିଁ । +ମତେ ଲାଗିବ, ମୋର ମୃତ୍ୟୁ ପରେ ବି ମୁଁ ବଞ୍ଚିଛି । +କିଶୋର ଜୀବନରେ ଏ କାମନା ଅତି ଅସାଧାରଣ ନୁହେଁ ଅବଶ୍ୟ । +ଅମର ହେବାର ଅଭିଳାଷ ଏଇ ବୟସରେ ହିଁ ରୂପ ନେଇଥାଏ । +ମୃତ୍ୟୁକୁ ଜୟ କରି ସମୟ ସହିତ ସାଲିସ୍‌ ନ କରି, ଅମର ଜୀବନ ପାଇବାର ଇଚ୍ଛା- ଏଇ ତ ଏ ବୟସର ଗୁଣ । +ମୁଁ ଠିକ୍‌ ଜାଣେ ନାହିଁ, ସୁମନ୍ୟୁର କବିତା ଲେଖିବାର ସ୍ପୃହା ଏଇ ଅମର ହେବାର ଅଭିଳାଷରୁ ଜାତ କି ନା । +ତେବେ ସେ ଲେଖୁଥିଲା ବେଶ୍‌ ଭଲ । +ସାହିତ୍ୟରେ ମୁଁ ଭଲ ନମ୍ବର ରଖୁଥିଲେ ମଧ୍ୟ ଏ କଥା ମତେ ମାନିବାକୁ ହେବ, ଏପରି ଲେଖାଲେଖି ମୋ’ ଦ୍ବାରା ଆଦୌ ସମ୍ଭବ ନୁହେଁ । +ସୁମନ୍ୟୁର କବିତା ବି ମୁଁ ଠିକ ରୂପେ ବୁଝିପାରୁ ନ ଥିଲି । + ଦୁର୍ବୋଧ୍ୟ ପଦଗୁଡ଼ିକ ଦେଖାଇ ମୁଁ ପଚାରେ, ଏଇ ଧାଡ଼ିର ମାନେ କ’ଣ କହିଲ? +ସେ ମତେ ବୁଝାଇବାକୁ ଚେଷ୍ଟା କରେ । +କିନ୍ତୁ ଗୋଟାଏ କବିତା ପଢି ମୁଁ ଚମକିଉଠିଥିଲି । +ମୋର ଗଣିତ-ସର୍ବସ୍ବ ମନରେ ବି ତାହା ଗାର ଟାଣିଦେଇଥିଲା କିଛି ସମୟ ପାଇଁ । +: ଏଇ କବିତାଟି ତୁମେ ତା’କୁ ନେଇ ଲେଖିଛ ! +ସୁମନ୍ୟୁର ଗୋଟିଏ ଭୀଷଣ ଅପରାଧ ଯେମିତି ମୋ’ ଆଖିରେ ଧରା ପଡ଼ିଯାଇଛି । +ସେ ଲଜ୍ଜିତ ଭାବରେ ତଳକୁ ମୁହଁ ପୋତିଦେଲା । +କିଛି କହିଲା ନାହିଁ । +କିନ୍ତୁ ଏ କିପରି ସମ୍ଭବ ? ଯାହା ସହିତ ସେ କେବେ ଦିନେ କଥାବାର୍ତ୍ତା ବି କରି ନାହଁ, ଯାହା ସାମନାରେ ପହଞ୍ଚିଗଲେ ସେ ପଳାଇଯିବାକୁ ବାଟ ପାଏ ନାହିଁ, ତା’କୁ ନେଇ ସେ କବିତା ଲେଖିବ ! +ସୁମନ୍ୟୁ ମତେ ଭୟ ଆଖିରେ ଚାହିଁଲା । +ଡରିଲା ସ୍ବରରେ କହିଲା : ଏକଥା କାହାକୁ କହିବ ନାହିଁ, ତୁମ ବିଦ୍ୟା ରାଣ । +: ନା, ମୁଁ କାହାକୁ କହିବି ନାହିଁ । +ମୁଁ ଆଶ୍ବାସନା ଦେଇ କହିଲି । + କିନ୍ତୁ ତା’ ସହିତ ମୋର କୌତୂହଳ ମଧ୍ୟ ଆସିଲା, ପଚାରିଲି, ଇନ୍ଦୁକୁ ତୁମେ ଏଇ କବିତାଟି ଦେଖାଇଛ? +ଆତଙ୍କିତ ହୋଇଉଠି ସୁମନ୍ୟୁ କହିଲା; ନା, ନା- ମୁଁ କେବେ ଦେଖାଇବି ନାହିଁ । +ମୁଁ ଆଶ୍ଚର୍ଯ୍ୟ ହୋଇଥିଲି । + ଯାହା ଉଦ୍ଦେଶ୍ୟରେ ତା’ର ଏଇ କବିତାଟି ଲେଖା, ତା’କୁ ସେଇଟି ଲୁଚାଇରଖିବାର ଏତେ ଚେଷ୍ଟା କାହିଁକି ? +କିଛି ସମୟ ଚୁପ୍‌ ରହି ସୁମନ୍ୟୁ କହିଥିଲା, ଏ କବିତା ମୁଁ ତାଙ୍କୁ କେଭେ ଦେଖାଇବି ନାହିଁ । +କେବେ ନୁହେଁ । + ଯଦି ସେ ଜାଣିପାରନ୍ତି… ଯଦି ସେ ଜାଣିପାରନ୍ତି… ଯେ ମୁଁ ତାଙ୍କୁ ନେଇ କବିତା ଲେଖିଛି, ତେବେ… +: ତେବେ ହେବ କ’ଣ? ମୁଁ ବୁଝିପାରିଲି ନାହିଁ । +: ତେବେ ସତ କହୁଚି ମୁଁ ଆଉ ବଞ୍ଚିବି ନାହିଁ । +ସତ କହୁଚି ମୁଁ ଆତ୍ମହତ୍ୟା କରିଦେବି । +ତା’ପରେ ସେ ମୋ ହାତରୁ ସେଇ କବିତା ଖଣ୍ଡିକ ଛଡ଼ାଇନେଇଗଲା । +କାଗଜଟି ଅତି ଯତ୍ନରେ ଭାଙ୍ଗି ପକେଟରେ ପୂରାଇଲା । +ଏଇ ଘଟଣାଟି ଘଟିବାର କିଛି ଦିନ ପରେ ସେ ମତେ ଚୁପିଚୁପି ଗୋଟିଏ କଥା ପଚାରିଲା । +ପ୍ରଶ୍ନଟିର ସେମିତି କିଛି ଗଭୀରତା ହୁଏତ ନାହିଁ, କିନ୍ତୁ ସେଇ ବୟସରେ ଏଇ ପ୍ରଶ୍ନଟି ଏକାନ୍ତ ମାରାତ୍ମକ । +ସେ ପଚାରିଲା : ଏଇଟା କ’ଣ ନିହାତି ପାପକଥା ? +: କୋଉ କଥାଟା ? +: ଏଇ…ମାନେ…ତୁମେ ଖରାପ ଭାବିବ…କିନ୍ତୁ- +ମୁଁ ସୁମନ୍ୟୁର କୁଣ୍ଠା ଦେଖି ଟିକିଏ ଭରସା ଦେବା ପରି କହିଲି : କୁହ ! ମୁଁ ଆଦୌ ଖରାପ ଭାବିବି ନାହିଁ । +ରହି ରହି ଚାପା ଓ ମ୍ରିୟମାଣ ସ୍ବରରେ ସୁମନ୍ୟୁ ପଚାରିଲା- +: ଏଇ…ମୁଁ ଯେ- ମୁଁ ଯେ- ମନେ ମନେ ଇନ୍ଦୁକୁ ଲଭ୍‌ କରୁଛି, ଏଇଟା…କ’ଣ…ନିହାତି ପାପ କଥା ? +: ଇସ୍‌, ପାପ ନୁହେଁ ! ପାପ ନୁହେଁ ତ ତେବେ କ’ଣ ? ଏ ନିହାତି ଖରାପ କଥା । +ମୁଁ ଯେଉଁ ସ୍ବରରେ କଥା କହିଲି, ତାହା ମୋର ନିଜସ୍ବ ସ୍ବର ନୁହେଁ । +ଅଭିଭାବକଙ୍କୁ ଅନୁକରଣ କରିଥିବା ଗମ୍ଭୀର ଗଳା । +ସୁମନ୍ୟୁ ତଳକୁ ମୁହଁ ପୋତି କିଛି କ୍ଷଣ ବସିରହିଲା । +ମୋ ଠାରୁ ସେ ଟିକିଏ ପ୍ରଶ୍ରୟପୂର୍ଣ୍ଣ କଥା ଶୁଣିବାକୁ ଆଶା କରିଥିଲା ହୁଏତ, ମୁଁ କିନ୍ତୁ ସେତକ ପ୍ରଶ୍ରୟ ଦେଇପାରିଲି ନାହିଁ । +ଝିଅଙ୍କ ସମ୍ପର୍କରେ ମୋର ଯେତେ କିଛି କୌତୂହଳ ଓ ଆଗ୍ରହ ଥିଲେ ମଧ୍ୟ, ଗୁରୁଜନଙ୍କ ତୀକ୍ଷ୍ଣ ନଜର ଓ କଠିନ ଶାସନ ଭିତରେ ଗଢି୍ଉଠିଥିବା ଏକ ଅକାଳ ପରିପକ୍ବ ବିବେକ ଭିତରୁ ଏତିକି ଭାଷା ହିଁ ଉଚ୍ଚାରିତ ହେଲା । +ନିଜକୁ ନିଜେ ଶାସନ କଲାପରି- ନା- ଝିଅମାନଙ୍କ କଥା ଭାବିବା ଭଲ ନୁହେଁ । +ସେମାନେ ଅଲଗା, ଆମେ ଅଲଗା । + ସେମାନଙ୍କ ସହିତ ଆମର କି ସମ୍ପର୍କ ଅଛି ! +ସୁମନ୍ୟୁ କିନ୍ତୁ ନିରସ୍ତ୍ର ହେଲା ନାହିଁ । + ମତେ ପଚାରିଲା- ଆଚ୍ଛା, ସତ କୁହ ତ… ଇନ୍ଦୁକୁ ଦେଖିଲେ ତୁମକୁ କେମିତି ଲାଗେ ? +ଇନ୍ଦୁକୁ ଦେଖିଲେ ମତେ କିପରି ଲାଗେ, ସେ କଥା ମୋର ଏବେ ସ୍ପଷ୍ଟ ମନେ ଅଛି । +ଏବେ ମଧ୍ୟ ମୋ ମନ ଭିତରେ ଏକ ଚଞ୍ଚଳ ଶିହରିତ ଆବେଗ ଚହଟିଉଠେ । +ତା’ର ସେହି ପନ୍ଦର ବର୍ଷ ବୟସର କୁମାରୀ ରୂପ ମୁଁ ଭୁଲିପାରି ନାହିଁ । +ମଥାରେ ଗହଳ କଳା ବାଳ, ଯାହା ବେଶ୍‌ ଲମ୍ବା ଓ ସୁନ୍ଦର, ଗାଢ କଳା ଭୁରୁ ତଳେ ଉଜ୍ଜଳ ଗଭୀର ଦୁଇ ଆଖି, ନରମ ଓଠ ଓ ଧଳା ଧଳା ମୁକ୍ତା ପରି ସଜଡ଼ା ଦାନ୍ତ- ସବୁ ମିଶି ସେ କେବଳ ସୁନ୍ଦର ଦେଖାଯାଏ ନାହିଁ, ମହିମାନ୍ବିତ ମନେ ହୁଏ । +ଖୁବ୍‌ ଶାନ୍ତ ଧୀର ସ୍ବଭାବର ଝିଅ ଥିଲା ସେ, ସ୍କୁଲର ସବୁଠାରୁ ଦୁର୍ଦ୍ଦାନ୍ତ ଛାତ୍ର ବି ତାକୁ ଚିଡ଼େଇବା ପାଇଁ ସାହସ ପାଏ ନାହିଁ । +ମୁଁ ଏତେ କଥା ଲେଖି ମଧ୍ୟ ଯେତିକି ବୁଝାଇପାରୁ ନାହିଁ, ସେତକ ସୁମନ୍ୟୁ ଖୁବ୍‌ ସଂକ୍ଷପରେ ମତେ ସେଦିନ ବୁଝାଇଦେଇପାରିଥିଲା । + ମୋର ଛୋଟିଆ ‘ବେଶ୍‌ ଭଲ ଝିଅଟିଏ’ ମନ୍ତବ୍ୟ ଶୁଣିବା ପରେ ଟିକିଏ ଚୁପ୍‌ ରହି, ଚାପା ଦୀର୍ଘନିଃଶ୍ବାସ ଛାଡ଼ି ସେ କହିଥିଲା- +ତାକୁ ଦେଖିଲେ ମତେ କେମିତି ଲାଗେ ମୁଁ ଆଦୌ ବୁଝାଇପାରିବି ନାହିଁ, ଦୀପକ । +ତାକୁ କ୍ଲାସରେ ଦେଖିଲେ ମୋର ମନେ ହୁଏ ମୋ ଜୀବନରେ ଆଉ କିଛି ଲୋଡ଼ା ନାହିଁ, ଏ ଜୀବନରେ ମୁଁ ଆଉ କିଛି ଚାହେଁ ନାହିଁ । +ମୁଁ ଏବେ ଏଇଠି ମରିଗଲେ ମଧ୍ୟ ମୋର କିଛି ଦୁଃଖ ନାହିଁ । +ମୁଁ ସୁଖୀ । +ମୁଁ ଧନ୍ୟ । +କେବଳ ଦୂରରୁ ପଲକଟିଏ ଦେଖିପାରିବାର ଏ ଯେଉଁ ସନ୍ତୋଷ, ସେ କଥା ବୋଧହୁଏ କେତେକଙ୍କୁ ଅଦ୍ଭୁତ ମନେ ହେବ । +ପଦେ ବି କଥା ନ କହି, ନିକଟ ସାନ୍ନିଧ୍ୟର କୌଣସି ଲାଳସା ନ ରଖି, ଏତିକିରେ ପରିତୃପ୍ତ ହେବାର ଦୃଷ୍ଟାନ୍ତ ବୋଧହୁଏ ବହୁତ ବେଶି ନାହିଁ । +ସୁମନ୍ୟୁ କିନ୍ତୁ ସେହିପରି ଜଣେ । +ମୁଁ କହିଲି- ମତେ ସେଇ କବିତାଟି ଟିକିଏ ଦିଅ । +ମୁଁ ଆଉ ଥରେ ଭଲକରି ପଢ଼ିବି । +କବିତାଟି ମୁଁ ସେହିଦିନ ତା’ଠାରୁ ନେଇ ପାଖରେ ରଖିଥିଲି । +କେଉଁ ଦୁର୍ବୁଦ୍ଧିର ବଶବର୍ତ୍ତୀ ହୋଇ ଏପରି କାମଟିଏ ମୁଁ କରିଥିଲି, ତାହା ମୁଁ ଆଜି ପର୍ଯ୍ୟନ୍ତ ଠିକ୍‌ ରୂପେ ବୁଝିପାରି ନାହିଁ । +ଏହା ପ୍ରକୃତିରେ ଏକ ଦୁଃସାହସପୂର୍ଣ୍ଣ କାମ- ଅନ୍ତତଃ ମୋ’ ପକ୍ଷରେ । +ଏପରି ଦୁଷ୍ଟାମି (ହଁ, ଦୁଷ୍ଟାମି ନୁହେଁ ତ ଆଉ କ’ଣ ?) ମୁଁ ମୋ’ ଜୀବନରେ ପୂର୍ବରୁ କେବେ କରିନଥିଲି । +ପରେ କେବେ କରିବାକୁ ସାହସ ମଧ୍ୟ କରିନାହିଁ । +ସେଇ ମୋର ପ୍ରଥମ ଓ ଶେଷ କଳୁଷିତ ଅପରାଧ । +ନା- କଳୁଷିତ ବୋଲି ମୁଁ କହିବି ନାହିଁ । +ଏହା ପାପ- ଏହା ମଧ୍ୟ ମୁଁ ସ୍ବୀକାର କରେ ନାହିଁ । +ତେବେ, ଅପରାଧ ନିଶ୍ଚୟ- ପ୍ରଚଳିତ ସାମାଜିକ ମୂଲ୍ୟବୋଧ ହିସାବରେ । +କିନ୍ତୁ ମୋର ସେହି ଅପରାଧର ପ୍ରାୟଶ୍ଚିତ୍ତ ମୁଁ କଲି ନାହିଁ । +ଯେ କଲା ସେ ସୁମନ୍ୟୁ । + ତା’ ଆଖିରୁ ସେତେବେଳେ ଧାରଧାର ଲୁହ ନିଗିଡ଼ିପଡ଼ୁଥିଲା, ସେଇ ଲୁହ ଓ ଉଦ୍‌ଗତ କୋହ ଭିତରେ ଥରି ଥରି ସେ ମତେ କହିଲା… +ଯାହା କହିଲା ସେ ତ ପରର କାହାଣୀ । +ତା’ ପୂର୍ବରୁ ଯାହା ଘଟିଲା, ତାହା ପ୍ରଥମେ କହୁଛି । +ସୁମନ୍ୟୁଠାରୁ କବିତାଟି ମୁଁ ନେବାର ଦୁଇଦିନ ପରେ ଇନ୍ଦୁର ବାପା ଆମ ସ୍କୁଲକୁ ଆସିଥିଲେ । +ବଡ଼ ଗମ୍ଭୀର, ଥମଥମ । +ସେ ଜଣେ ବଡ଼ ଅଫିସର । +ତାଙ୍କୁ ଆମ ସ୍କୁଲରେ ସମସ୍ତେ ଚିହ୍ନନ୍ତି । +ତାଙ୍କ ସୁନ୍ଦର ଘରଟି ମଧ୍ୟ ଆମ ସମସ୍ତେ ଦେଖିଛୁ । +ଇନ୍ଦୁର ବାପା ସ୍କୁଲକୁ ଆସି ହେଡ଼୍‌ମାଷ୍ଟରଙ୍କ ସହିତ କ’ଣ କଥାବାର୍ତ୍ତା ହେଲେ । +ତା’ପରେ ଚାଲିଗଲେ । +ସେ ଚାଲିଯିବା ଠିକ୍‌ ପରେ ପରେ ଆମ କ୍ଲାସକୁ ହେଡ୍‌ସାର୍‌ ଆସିଲେ । +ହାତରେ ଗୋଟିଏ ଲମ୍ବା ବେତ- ସେହି ବେତର କରାମତି ଆମର କାହାରିକୁ ଅଜଣା ନୁହେଁ । +କ୍ଲାସରେ ପହଞ୍ଚି ସେ ଗମ୍ଭୀର ସ୍ବରରେ ଡାକିଲେ- ସୁମନ୍ୟୁ । +ସୁମନ୍ୟୁ କ୍ଲାସ୍‌ରେ ଅନ୍ୟମନସ୍କ ହୋଇ ବସିରହିଥିଲା; ଯେମିତି ସେ ଅଧିକାଂଶ ସମୟରେ ବସିରହିଥାଏ । +ନିଜ ନାମ ଡକାହେବା ଶୁଣି ସେ ଠିଆ ହୋଇପଡ଼ିଲା । +– ଏଠିକି ଆସ । +ସୁମନ୍ୟୁ ଟେବୁଲ୍‌ ପାଖକୁ ଗଲା । +ହେଡ଼୍‌ସାର ତାଙ୍କ ହାତରେ ଧରିଥିବା ଗୋଟିଏ କାଗଜ ତା’କୁ ଦେଖାଇଲେ । + ଏଇଟା ତୁମେ ଲେଖିଚ ? +ସୁମନ୍ୟୁ କାଗଜଟି ଦେଖିଲା । +ଚିହ୍ନିପାରିଲା । +ଏକ ଶିହରିତ ବିସ୍ମୟ ଖେଳିଗଲା ତା’ ଭିତରେ । + ଏଇ କାଗଜଟି ହେଡ଼ସାର୍‌ଙ୍କ ହାତକୁ ଆସିଲା କିପରି? +ମୁଁ ବି ଚମକିଉଠିଲି । +କିନ୍ତୁ ମୋର ଚମକିବାର କି କାରଣ ଥିଲା ? ଦୁଇଦିନ ତଳେ ମୁଁ ନିଜେ ତ ଏଇ କବିତାଟିର ତଳେ ସୁମନ୍ୟୁ ମିଶ୍ର ନାମ ଲେଖି ଡାକରେ ପଠାଇଦେଇଥିଲି । +ଇନ୍ଦୁର ଘର ଠିକଣାରେ । +ତା’ ଘର ଠିକଣା ଆମ ସ୍କୁଲରେ ନ ଜାଣେ କିଏ । +ଏମିତି ମୁଁ କାହିଁକି କରିଥିଲି ? କାହିଁକି ? ନା- ମୁଁ ନିଜେ ମଧ୍ୟ ଜାଣେ ନାହିଁ । +ଭଗବାନଙ୍କ ଦ୍ବାହି, ମୁଁ ଜାଣେ ନାହିଁ । +କିନ୍ତୁ ପଠାଇଦେଇଥିଲି । +ଆଜି ଇନ୍ଦୁର ବାପା ଆମ ସ୍କୁଲକୁ ଆସିଥିଲେ । +ବର୍ତ୍ତମାନ ହେଡ଼୍‌ସାରଙ୍କ ହାତରେ ସେଇ ଅଭିଶପ୍ତ କାଗଜଖଣ୍ଡିକ । +ମୋ ଆଖି ଆଗରେ ଏବେ ସଂପୂର୍ଣ୍ଣ ଚିତ୍ରଟି ସ୍ପଷ୍ଟ- ଦିନ ଆଲୁଅ ପରି । +ସୁମନ୍ୟୁର ଓଠରୁ ଏକ ନିରୁକ୍ତ ଯନ୍ତ୍ରଣାର ଭାଷା ବାହାରିଆସିଲା । +ତା’ ଉପରେ ସପାସପ ବେତ ଚାଲିଛି । +ହେଡ଼୍‌ସାର ଅତି ରାଗୀ ଲୋକ । +ପୁଣି ତାଙ୍କର ନୀତିନିୟମ ଜ୍ଞାନ ଅତି ବେଶି । +ସୁମନ୍ୟୁର ଯେ ଆଜି ନିସ୍ତାର ନାହିଁ ସେ କଥା ବୁଝିପାରି କମ୍ପିଉଠିଲି ମନ ଭିତରେ । +ହେଡ଼୍‌ମାଷ୍ଟରଙ୍କ ବେତ-ସାପର ଲହଲହ ଜିଭ ସୁମନ୍ୟୁର ନରମ ଦୁର୍ବଳ ଦେହକୁ ଚାଟିଯାଉଥାଏ । +ସେଇ ବିଷାକ୍ତ ଜ୍ବାଳାରେ ସୁମନ୍ୟୁ ତଳେ ବସିପଡ଼ିଲା- ଦୁଇ ହାତରେ ମୁଁହଁକୁ ଘୋଡ଼ାଇରଖି, ଉଦ୍‌ଗତ ଲୁହର ଧାରାଶ୍ରାବଣକୁ ଲୁଚାଇରଖି । +କିନ୍ତୁ ତା’ କୋହ ତ ଲୁଚି ରହିପାରିଲା ନାହିଁ । +ସୁମନ୍ୟୁ ଦେହରେ ନୋଳା ବସିଯାଇଥାଏ । +ଦଣ୍ଡ ଦେଇସାରି ହେଡ଼୍‌ସାର ଗୋଟିଏ ଛୋଟ ଭାଷଣ ଦେଇଥିଲେ ଆମକୁ । +ମଣିଷ ଜୀବନରେ ଚରିତ୍ର ହିଁ ସବୁଠାରୁ ବଡ଼କଥା । +ଯାହାର ଚରିତ୍ର ନାହିଁ ସେ ପଶୁ, ସେ ସତରେ କଳ୍ପନା କରିପାରି ନ ଥିଲେ ଯେ ସୁମନ୍ୟୁ ନାମକ ଏକ ମେଧାବୀ ଛାତ୍ର ଏପରି ନୀଚ କାମଟିଏ କରିବ । +ଯେଉଁ ଆର୍ଯ୍ୟଭୂମି ଭାରତବର୍ଷରେ ମହାତ୍ମାଗାନ୍ଧୀ ଓ ବୁଦ୍ଧଙ୍କ ପରି ମହାମାନବ ଜନ୍ମ ହୋଇଛନ୍ତି…. ଇତ୍ୟାଦି, ଇତ୍ୟାଦି । +ହେଡ଼୍‌ସାରଙ୍କ ଭାଷଣ ଆହୁରି ବଢିଥାଆନ୍ତା ବୋଧହୁଏ, କିନ୍ତୁ ଖେଳଛୁଟିର ଘଣ୍ଟା ବାଜିଉଠିଲା । +ସେ ବିଦାୟ ନେଲେ । +ଏଇ ଆକସ୍ମିକ ଘଟଣାରେ ହତବାକ୍‌ ଓ ବିମୂଢ ଅନ୍ୟାନ୍ୟ ସବୁ ଛାତ୍ରମାନେ ମଧ୍ୟ ସାଙ୍ଗେ ସାଙ୍ଗେ କ୍ଲାସ୍‌ ଛାଡ଼ି ଚାଲିଗଲେ- ବୋଧହୁଏ ଟିକିଏ ଅଧିକ ତରତର ହୋଇ । +କ୍ଲାସ ନିର୍ଜନ ହୋଇଯିବା ପରେ ମୁଁ ସୁମନ୍ୟୁ ପାଖକୁ ଗଲି । +ସୁମନ୍ୟୁ ଟେବୁଲ ପାଖରେ ସେମିତି ଆଣ୍ଠୁ ମାଡ଼ି ବସି ଆଖି ଲୁହ ପୋଛୁଥାଏ । +– ସୁମନ୍ୟୁ…. ମୁଁ ଭୀତ ସ୍ବରରେ ଡାକିଲି । +ତା’ର ଆହତ ଦେହରେ ହାତ ଦେବାପାଇଁ ମୋର ସାହସ ହେଉ ନ ଥାଏ । +ସେ ମୋ ଡାକ ଶୁଣିଲା ନାହିଁ । +ସୁମନ୍ୟୁ, ଭାଇ… ମୋର ଦୋଷ ହୋଇଛି । + ମୁଁ ତୁମକୁ ନ କହି… +ମୋ ଭିତରେ କେଉଁଠି ଏତେ ଲୁହ, ଏତେ ଦୁଃଖ, ଏତେ ଅନୁତାପ ଜମିରହିଥିଲା କେଜାଣି, ମୁଁ ଭୋ ଭୋ କାନ୍ଦିଉଠିଲି । +ତା’ର ଗୋଟିଏ ହାତକୁ ମୋର ମୁହଁରେ ଚାପିରଖି । +ସୁମନ୍ୟୁ ତା ହାତଟି ମୋ ହାତରୁ ଛଡ଼ାଇନେଇଗଲା । +ମୁଁ ତା’ ପାଖରେ ବସି ସେମିତି କାନ୍ଦିଲାଗିଲି । +ତା’ ଆଖି ଏବେ ଶୁଖିଲା କିନ୍ତୁ ମୋ ଆଖିରୁ ଧାରଧାର ଲୁହ ବହିଲାଗିଲା । + ମୁଁ ବିକଳ ହୋଇ କହିଲି- ମତେ କ୍ଷମା କର ସୁମନ୍ୟୁ- ମୁଁ ଜାଣି ନ ଥିଲି…ଜାଣି ନ ଥିଲି… +ସୁମନ୍ୟୁର ହାତ ଏଥର ମୋ ଆଡ଼କୁ ଲମ୍ବିଆସିଲା । + ମୋ ପିଠି ଉପରେ ହାତ ରଖି, ସେ ଅଶ୍ରୁସଜଳ କଣ୍ଠରେ କହିଲା- ମୁଁ ତୁମର କି ଦୋଷ କରିଥିଲି, ଦୀପକ-ତୁମେ ମତେ ଏମିତି…. +ମୋର ଦୋଷ ହୋଇଛି ସୁମନ୍ୟୁ । +ମୋତେ କ୍ଷମା କର । +ମୁଁ ଏବେ- ମୁଁ ଏବେ ମୁହଁ ଦେଖେଇବି କାହାକୁ ? ମୁଁ ବଞ୍ଚିବି କିପରି । +ସେ ଦିନର ବର୍ଣ୍ଣନା ଆଉ ଦୀର୍ଘ କରିବା ମୋର ଅଭିପ୍ରାୟ ନୁହେଁ । +ତେବେ ଏତିକି ଲେଖିଲେ ଯଥେଷ୍ଟ ହେବ ଯେ ସେଦିନ ସୁମନ୍ୟୁ ପଛ ସିଟ୍‌ରେ ବସିରହି ନିଃଶବ୍ଦରେ କାନ୍ଦୁଥିଲା ଓ ମୁଁ ଅନ୍ୟର ଅଲକ୍ଷ୍ୟରେ ତା’ ପିଠି ଆଉଁସିଦେଉଥିଲି । +କ୍ଲାସ ଶେଷ ହେବା ପରେ, ହେଡ଼୍‌ସାରଙ୍କ ନିର୍ଦ୍ଦେଶ ଅନୁଯାୟୀ ସେ ଡିଟେଣ୍ଡ୍‌ ରହିଥିଲା ସନ୍ଧ୍ୟା ଛଅଟା ପର୍ଯ୍ୟନ୍ତ । +ମୁଁ ସ୍କୁଲ ଗେଟ୍‌ ପାଖରେ ଠିଆ ହୋଇ ଅଧୀର ଭାବରେ ତାକୁ ଅପେକ୍ଷା କରିରହିଥିଲି । +ସନ୍ଧ୍ୟା ଛଅଟା ବେଳେ, ବିଷର୍ଣ୍ଣ ମ୍ରିୟମାଣ ଗୋଟିଏ କିଶୋର କ୍ଲାସ-ରୁମ୍‌ ଛାଡ଼ି ବାହାରିଆସିଥିଲା । +ସାରାଦିନର ଶାରୀରିକ ନିର୍ଯ୍ୟାତନା ଓ ମାନସିକ ଯନ୍ତ୍ରଣାରେ ସେ ନଇଁପଡ଼ିଛି ଆଗକୁ । +ମୁଣ୍ଡବାଳ ଅବିନ୍ୟସ୍ତ । +ଆଖି ଲାଲ୍‌ । +ଓଠ କମ୍ପୁଛି । +ସେ ଗେଟ୍‌ ପାଖକୁ ଆସିବା କ୍ଷଣି, ମୁଁ ଆଗେଇଯାଇଥିଲି । +ମୁଁ ଜାଣେ, ସୁମନ୍ୟୁ ମୋ ଅପରାଧକୁ କ୍ଷମା ଦେବ ନାହିଁ । +ମୁଁ ତା’ର ଏଇ ବିପର୍ଯ୍ୟୟର ଏକମାତ୍ର କାରଣ । +ଆଜି ମୋତେ ଏଇ ଦଣ୍ଡ ଦିଆଯିବା ଉଚିତ ଥିଲା । +କିନ୍ତୁ ମୁଁ ଦଣ୍ଡ ପାଇଲି ନାହିଁ । +ଯେ ଦଣ୍ଡ ପାଇଲା ସେ ସୁମନ୍ୟୁ । +କେହି ଜାଣିଲେ ନାହିଁ ଯେ ମୁଁ ଦୋଷୀ- ସୁମନ୍ୟୁ ନିର୍ଦ୍ଦୋଷ । +ଏକଥା ଭାବି ଭାବି ଆଗେଇ ଯାଉଯାଉ ମୁଁ ହଠାତ୍‌ ରହିଗଲି । +ଦେଖିବାକୁ ପାଇଲି-ଗେଟ୍‌ ସେ ପାଖରୁ ଆଉ ଜଣେ ବାହାରିଆସୁଛି । +ଅଶରୀରୀ ଛାୟା ପରି । +ସନ୍ଧ୍ୟାର ଛାୟାନ୍ଧକାର ଭିତରେ ସେ ପଟୁ ଯିଏ ବାହାରିଆସିଲା, ତାକୁ ମୁଁ ଚିହ୍ନିପାରିଲି । +ସେ ଇନ୍ଦୁ । +ଇନ୍ଦୁ କଥା ମୁଁ ଏ ଯାଏ କିଛି କହିନାହିଁ । +ହେଲେ ତା’ ସମ୍ପର୍କରେ ଆଉ କହିବାର ବା ଥିଲା କ’ଣ ? ସେ ଦିନସାରା ଅତି ଗମ୍ଭୀର ହୋଇ ନିଜ ସ୍ଥାନରେ ବସିରହିଥିଲା- ସୁମନ୍ୟୁ ଯେବେ ବେତମାଡ଼ ଖାଇ କାନ୍ଦୁଥିଲା, ହେଡ଼୍‌ସାର ଯେତେବେଳେ ଚରିତ୍ର ଉପରେ ଭାଷଣ ଦେଉଥିଲେ, ଯେତେବେଳେ ପିଅନ ନୋଟିସ୍‌ ନେଇ ଆସିଲା ଯେ ସୁମନ୍ୟୁ ଆଜି ଛଅଟା ଯାଏ ଡିଟେଣ୍ଡ ରହିବ, ସାରା ସମୟ ଇନ୍ଦୁ ଥିଲା ନୀରବ, ନିଶ୍ଚଳ । +ଯେମିତି ତା’ ଦେହରେ ପ୍ରାଣ ନାହିଁ । +ସେ ପଥର ପାଲଟିଯାଇଛି । +ଏବେ କିନ୍ତୁ ମୋ ସାମନାରେ ଇନ୍ଦୁ- ସେ ଗେଟ୍‌ ସେପଟରୁ ଧୀର ପାଦରେ ବାହାରିଆସିଲା । +ଛପି ଛପି ଅତି ସନ୍ତର୍ପଣରେ । +ସାମନାରେ ଇନ୍ଦୁକୁ ଦେଖି ସୁମନ୍ୟୁ ଥମକି ଠିଆ ହୋଇପଡ଼ିଲା । +କିନ୍ତୁ କିଛି ସେ କହିବା ପୂର୍ବରୁ ଶୁଣାଗଲା ଇନ୍ଦୁର ବାଷ୍ପରୁଦ୍ଧ ଆବେଗ କମ୍ପିତ ସ୍ବର । +– ସୁମନ୍ୟୁ, ମୁଁ ତୁମକୁ ଭଲପାଏ । +ନୀରବ ନିର୍ଜନ ସେତେବେଳେ ସାରା ପୃଥିବୀ ଯେପରି । +ଆକାଶରେ ସନ୍ଧ୍ୟାରେ ବିଷର୍ଣ୍ଣ ଅନ୍ଧାର । +ପବନର ଗତି ନାହିଁ । +ସାରା ପରିବେଶ ଶୂନ୍ୟ ଓ ନିର୍ଜନ । +ସେହି ପରିବେଶ ଭିତରେ ଏ ସ୍ବୀକାରୋକ୍ତି ଶୁଣାଗଲା । +ଅଦ୍ଭୁତ ଅସହାୟ ଓ ବିଦୀର୍ଣ୍ଣ । +ମୋର ମନେ ହେଲା ଯେମିତି ସେଇ ସ୍ବରଟି ନିଃଶବ୍ଦରେ ବ୍ୟାପିଯାଇ ସାରା ଆକାଶ ଓ ଅନ୍ଧକାରକୁ ଆଚ୍ଛନ୍ନ କରିଦେଲା । +ମୁମୂର୍ଷୁ ପବନରେ ପ୍ରାଣସ୍ପନ୍ଦନ ସଞ୍ଚାରିଦେଲା । +ତା’ପରେ ଇନ୍ଦୁ ସୁମନ୍ୟୁର ଅତି ନିକଟକୁ ଚାଲିଆସିଲା । +କହିଲା- ସୁମନ୍ୟୁ, ମୁଁ ତୁମକୁ ସତରେ ଭଲପାଏ । +ଗଭୀର ବେଦନା ଓ ଅଶ୍ରୁରେ ଇନ୍ଦୁର ସ୍ବର ସଜଳ ହୋଇଉଠିଲା । +ତା’ର ନିଃଶ୍ବାସର ଗତି ଦ୍ରୁତ ହୋଇଉଠିଲା ଯେମିତି । +ସେ ଦୁଇ ହାତରେ ସୁମନ୍ୟୁକୁ ନିଜ ଛାତିରେ ଚାପିଧରିଲା । +ଗଭୀର ରୁପେ ତା’ ଓଠରେ ଚୁମ୍ବନ ଦେଲା । +ତା’ପରେ ଗୋଟିଏ ଝଟକାରେ ନିଜକୁ ମୁକ୍ତ କରିନେଇ, କେଉଁ ଅନ୍ଧାରରେ ମିଶିଗଲା । +ଏବଂ ସୁମନ୍ୟୁ ଏକ ବଜ୍ରାହତ ବୃକ୍ଷ ପରି କିଛି ସମୟ ନୀରବରେ ସେଇଠି ଠିଆ ହୋଇରହିଲା, ତଳକୁ ମୁଣ୍ଡ ପୋତି । +ସ୍ଥିର, ନିଶ୍ଚଳ । +ଯେମିତି ତା ଛାତି ହଠାତ୍‌ ନିଷ୍ପନ୍ଦ ହୋଇଯାଇଛି । +ନିଃଶ୍ବାସ ଯାଉନାହିଁ । +ଦେହରେ ପ୍ରାଣ ନାହିଁ । +ତା’ପରେ ଟିକିଏ କମ୍ପିଉଠିଲା ତା’ ଦେହ- ସେ ଧୀର ପାଦରେ ଚାଲିବାକୁ ଲାଗିଲା । +ପ୍ରେତାୟିତ ଗତି ପରି ନିରୁଦ୍ଦିଷ୍ଟ । +ମୁଁ ମୋର ଲୁଚିବା ସ୍ଥାନରେ ହିଁ ଆପଣାକୁ ଗୋପନ କରି ରଖିଲି । +ପଦାକୁ ବାହାରିଲି ନାହିଁ ବହୁତ ସମୟ ଧରି । +ତା’ପରେ ଆକାଶର ଅସଂଖ୍ୟ ତାରା ମତେ ଚାହିଁ ମିଟିମିଟି ହସିବା ପରେ, ଗୋଟିଏ ଆହତ ପଶୁ ପରି ମୁଁ ବାହାରିଆସିଲି । +ପରଦିନଠାରୁ କିନ୍ତୁ ଆଉ ସୁମନ୍ୟୁର ଦେଖା ମିଳିଲା ନାହିଁ । +ନା- ତା’ ପରଦିନ ବି ନୁହେଁ । +କ୍ରମଶଃ ଗୋଟିଏ ଗୁଜବ ରଟିଲା କ୍ଲାସରେ- ସୁମନ୍ୟୁ ଘର ଛାଡ଼ି କୁଆଡ଼େ ଚାଲିଯାଇଛି । +କାହାକୁ କିଛି ନ କହି, ନ ଶୁଣି । +ଠିକ୍‌ ସେହି ଦିନ ରାତିରେ ହିଁ । +ଅବଶିଷ୍ଟ ଯେତେ ଦିନ ମୁଁ ସେ ସହରରେ ଥିଲି, ସୁମନ୍ୟୁର କୌଣସି ଖବର ଆଉ ମତେ ମିଳିନାହିଁ । +ମୁଁ ସ୍କୁଲ ପାସ୍‌ କରି କଟକକୁ ଆସି କଲେଜରେ ନାମ ଲେଖାଇଛି । +ତା’ ପରେ ମୋ ଜୀବନର ପଚିଶ ବର୍ଷ ପାଣି ପରି ବହିଯାଇଛି । +କିନ୍ତୁ ମୁଁ ତା’ ଖବର ଆଉ ପାଇନାହିଁ । +ମୁଁ ଜାଣେନାହିଁ, ସୁମନ୍ୟୁ ଏବେ କେଉଁଠି ଅଛି । +ମୁଁ ଜାଣେ ନାହିଁ, ସେ ବଞ୍ଚିଛି କି ନାହିଁ । +ହୁଏତ ସେ ଏଇଠି କେଉଁଠି ଅଛି । +ଆମ ଭିତରେ । +ହୁଏତ ସେ ମୋର ଏଇ ଗପଟି ପଢିବ । +ପଢି ହସି ଦେବ । +‘କାପୁରୁଷ-ଭୀରୁ’- ଏତିକି ସେ କହିବ ମତେ ମନେ ମନେ । +ମୁଁ କାପୁରୁଷ ନିଶ୍ଚୟ । +ଭୀରୁ ନିଶ୍ଚୟ । +ନହେଲେ ସେଦିନର ସେଇ ଘଟଣାଟି ପରେ ମୁଁ ମୋର ଅପରାଧକୁ ଏମିତି ନୀଚ ଭାବରେ ଲୁଚାଇରଖିଥାଆନ୍ତି କିପରି ? +ମୋର କ’ଣ ଏତିକି ସତ୍‌ସାହସ ଥିଲା ଯେ ମୁଁ ଯାଇ କହିଥାଆନ୍ତି ଏଇ କବିତାଟି ସୁମନ୍ୟୁ ପଠାଇନାହିଁ । +ମୁଁ ପଠାଇଛି ଇନ୍ଦୁ ପାଖକୁ । +ମତେ କି ଦଣ୍ଡ ଦେଉଛନ୍ତି ଦିଅନ୍ତୁ । +ନା- ସେକଥା ମୁଁ କହିପାରିଲି ନାହିଁ । +ତା’ର କାରଣ ମୁଁ ଇନ୍ଦୁକୁ କେବେ ହୃଦୟ ଦେଇ ଭଲ ପାଇନାହିଁ । +କେବଳ ତା’ ରୂପକୁ ଦେଖି ମୁଗ୍‌ଧ ଓ ସନ୍ତୁଷ୍ଟ ହୋଇଛି ମାତ୍ର । +ତା’ରି ଆକର୍ଷଣ କରିବା ହିଁ ଥିଲା ମୋର ମୁଗ୍‌ଧ ସନ୍ତୁଷ୍ଟ ମନର କାମନା । +ସେଇଥିପାଇଁ ଏକ କାପୁରୁଷ ପରି, ଏକ ଭୀରୁ ପରି ମୁଁ ଆତ୍ମଗୋପନ କରିଗଲି । +କିନ୍ତୁ ସୁମନ୍ୟୁ- ଆଖିର ଲୁହ ଓ ହୃଦୟର ଯନ୍ତ୍ରଣା ନେଇ ସେ ଚାଲିଗଲା । +ବୋଧହୁଏ ଖୁବ୍‌ ଦୂରକୁ । +ଯେଉଁ ଦୂରତ୍ବ ଅତିକ୍ରମ କଲେ ପାଇବା ଓ ନ ପାଇବାର ଅର୍ଥ ଏକ ହୋଇଯାଏ । +ଆନନ୍ଦ ଓ ବେଦନାର ପାର୍ଥକ୍ୟ ଦୂର ହୋଇଯାଏ । +ସେହି ଦୂରତ୍ବ ବୋଧହୁଏ ସମସ୍ତେ ଅତିକ୍ରମ କରିପାରନ୍ତି ନାହିଁ । -- GitLab