From 421042868c3fd85bce036a044034b2b123817f66 Mon Sep 17 00:00:00 2001 From: Nayan Ranjan Paul Date: Sat, 17 Sep 2022 12:51:33 +0530 Subject: [PATCH] Upload New File --- .../odiasahitya.com/sent_odiasahitya_lekha_2 | 135 ++++++++++++++++++ 1 file changed, 135 insertions(+) create mode 100644 Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_2 diff --git a/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_2 b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_2 new file mode 100644 index 0000000..1032791 --- /dev/null +++ b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_2 @@ -0,0 +1,135 @@ +ବୋତଲ ଅଧିବେଶନ +ସୁନୀଲ ମିଶ୍ର +ତା: ଅଗଷ୍ଟ୍ ୧୪, ୨୦୧୯ +ମୂଳ ପୃଷ୍ଠା → ସ୍ମରଣୀୟ ଲେଖା → ଗଳ୍ପ → +ଉଚ୍ଚ ଉଚ୍ଚ କାନ୍ଥଦିଆ ଘରେ ବି ଚୋର ଭୟ ଥାଏ । +ସେଇ ଉଚ୍ଚ କାନ୍ଥରେ ଭଙ୍ଗାକାଚ ଦେଇ ମାଲିକ ନାକରେ ଶୋରିଷ ତେଲ ପକାଇ ଶୁଏ । +ସେଇ କାଚ ଯୋଗାଇ ଥାଏ ଭଙ୍ଗାକାଚ ବ୍ୟବସାୟୀ । +ସେ ଯୋଗାଡ଼ କରେ ଏଇ ଭଙ୍ଗାକାଚ, ଏଣୁତେଣୁ କିନ୍ତୁ ବ୍ୟବସାୟୀ କହେ ବାରଦାଣ୍ଡ ଶୁଣ୍ଢିପିଣ୍ଡା ହେବାଠୁଁ ‘ମଦଭକ୍ତା ଯନ୍ତ୍ର ଗାବନ୍ତି’ ସେଇଠି ଏହି କଞ୍ଚାମାଲର ଖଣି ପରା ଥାଏ । +ଏମିତି ଗୋଟିଏ ଭଙ୍ଗାକାଚ ବ୍ୟବସାୟୀର ଘର ସାମ୍ନାରେ ଅନେକ କାଚ ଶିଶି ବୋତଲକୁ ମୁଁ ଏକ ନିଝୁମ ସନ୍ଧ୍ୟାରେ ଦେଖିଥିଲି । +ସହକାର ବୃକ୍ଷରେ ସେତେବେଳେ ପେଚକ ସୁମଧୁର ସ୍ୱରରେ ବସନ୍ତ ବିରହ ଗାଉଥିଲେ । +ତୁମକୁ ମିଛ ମତେ ସତ ସେମାନେ କଥାବାର୍ତ୍ତା କରୁଥିଲେ, ମୁଁ ବେତାଲ ସାଧିନି ଯେ ପଶୁପକ୍ଷୀଙ୍କ କଥା ବୁଝିପାରିବି କିନ୍ତୁ ତମ ରାଣ ପାଠକେ, ମୁଁ ବୋତଲ ସାଧିଛି ତେଣୁ ତାଙ୍କ କଥା ବୁଝିପାରେଁ । +କହିଲ ପରା ବୋତଲ ଓ ବୋତଲିଆ ଦୁହେଁ ପରା ବନ୍ଧୁତାରେ ଗୋଳିପାଣି ଓ କିମ୍ଭୀର ପରିକା । +ଶୁଣିବ? +ବନ୍ଧୁହେ ଅଭ୍ୟାସ ଯଦି ନାହିଁ ତେବେ ଶୁଣ, ଅଭ୍ୟାସ ଥିଲେ ତୁମକୁ ପାଠକ କିଏ କହିବ । + +ଗଭୀର ରାତ୍ରି +ଗୋଟିଏ ପତର କୁଡ଼ିଆ । +ତାହାରି ଆଗରେ ଜମା ହୋଇ ରହିଚି ନାନା ପ୍ରକାର, ନାନା ଜାତିର ବୋତଲ, ଠିକ୍‌ ଆମ ରିପବ୍‌ଲିକର ଜନତା ପରି । +ହଠାତ୍‌ ଗୋଟିଏ ଲମ୍ବ ମୁହଁ ନେଳୀରଙ୍ଗର ବୋତଲଟି ଦୀର୍ଘ ନିଃଶ୍ୱାସ ପକାଇ କହିଲା- +‘‘ ଭାଇମାନେ କାଲି ସକାଲେ ତ ଆମକୁ ବୋତଲ ନୀଳା ସମ୍ବରଣ କରିବାକୁ ହେବ, ତେବେ ଆପଣମାନେ ଯଦି ଏକମତ ହୁଅନ୍ତି ତାହା ହେଲେ ମୁଁ ମୋର ଜୀବନୀ କହିବି ।’’ +ଶବ୍ଦ ଦ୍ୱାରା ସମ୍ମତି ଜଣାଇଲେ ଅନ୍ୟାନ୍ୟ ବୋତଲଗଣ । + ଲମ୍ବ ବୋତଲ ଆରମ୍ଭ କଲେ… +ମୁଁ ଥିଲି ଗୋଟାଏ ଶୁଣ୍ଢି ଦୋକାନରେ । +ଆସନ୍ନ ସନ୍ଧ୍ୟାରେ ହଠାତ୍‌ ଦିନେ ଗୋଟାଏ ଦିନ ମଜୁରିଆ ଆସି ମୋତେ କିଣି ନେଲା । +ମୋ ଭିତରେ ଥିଲା ମଦ । +ମୋତେ ଲୋକଟା ପିଇ ତା’ର କି ଆନନ୍ଦ, ଏଇ ଗୀତ ଗାଉଛି, ଏଇ ନାଚୁଛି, ଏଇ ତାଳି ମାରୁଛି । +ଏଇ ଚାଲୁଛି, ଏଇ ପଡ଼ିଯାଉଛି, ମାଟିରେ ଗୁରୁଣ୍ଡୁଛି । +ଥରେ ବଡ଼ ପାଟିରେ କହି ଉଠିଲା, ‘‘ ଏ କେ ଅଛ, ଆସ ମୁଁ ଦିଲ୍ଲୀ ବିକି ଦେବି, କିଏ କିଣିବ; ଆସ ଆସ ଅତି ଶସ୍ତା ଦରରେ ବିକୁଛି ଯେ ଆସ ।’’ +ପାଟି ଶୁଣି ଗୋଟାଏ ପୋଲିସ ଧାଇଁ ଆସିଲା । + ପୋଲିସଟା ପଚାରିଲା- +‘‘ପିଇଛୁ? ଥାନାକୁ ଯିବୁ ନା ଏଇଠି ଫଇସଲା ହେବ ।’’ +ଲୋକଟି କହିଲା, ‘‘ ଆଜ୍ଞା ପିଇଥିଲି କିନ୍ତୁ ଆପଣଙ୍କର ଲାଲ ପଗଡ଼ି ଦେଖିଲା ମାତ୍ରକେ ମୋର ସବୁ ନିଶା ଉଭେଇ ଗଲା । +ଆଜ୍ଞା ମୋ କଥାଟା ଏଇଠି ବୁଝି ଦିଅନ୍ତୁ ଆଠଅଣା ପଇସା ମୋ ପାଖରେ ଅଛି ।’’ +ପୋଲିସ ବାବୁଟି ଚାଲିଗଲେ । +ଲୋକଟି ପୁଣି ଗାଇବାକୁ ଆରମ୍ଭ କଲା । +ସେ ଘରେ ପହଞ୍ଚିଲା । +ମଦ ପିଇ ଥିବାର ଜାଣିପାରି ସ୍ତ୍ରୀଟା ଟିକିଏ ଗାଳି ଦେଲା । +ମରଦପୁଅ, ପୁଣି ପିଇଛି, ସହେ କେତେକ, ସ୍ତ୍ରୀକୁ ଟାଙ୍କେ ଛେଚିଲା । +ଲମ୍ବାମୁହଁ ଥିବା ବୋତଲଟି ହସିହସି କହିଲା ‘‘ମଦ ଅଳ୍ପ ଯୋଗାଣ ହେତୁ ଶୁଣ୍ଢି ପାଣିରେ ମଦ ମିଶାଇ ବିକେ କିନ୍ତୁ ଯେତେବେଳେ ଏଇ ଦିନମଜୁରିଆକୁ ଶୁଣ୍ଢି ମଦ ବିକିଲା, ପାଣିରେ ମଦ ମିଶାଇବାକୁ ଭୁଲି ଯାଇଥିଲା ।’’ +‘ରବିଶ୍‌’ କହି ଉଠିଲେ ଶ୍ରୀ ଡ୍ରାଇଜିନ୍‌ ବୋତଲ । +ମୋର ଏଇ ଦିନମଜୁରିଆଙ୍କ ସାଙ୍ଗରେ କେବେ ଦେଖା ହୁଏ ନାହିଁ । +ଯିଏ ମୋତେ କିଣିଲା ସେ ମଦ ଖାଇବା ଦୂରେ ଥାଉ ମଦ ନାଆଁ ଶୁଣିଲେ ଗାଧୋଇ ଯାଏ । +ମତେ କିଣିଲେ ସହରର ବଡ଼ ଧନୀ କରୋଡ଼ି ମଲ । +ଡାକବଙ୍ଗଳାରେ ଥାଆନ୍ତି ପ୍ରଦେଶର ଶ୍ରେଷ୍ଠ ଇନ୍‌ଜିନିଅର, ଯିଏ ଠିକା ଦେବା ନେବା କରନ୍ତି । +ସନ୍ଧ୍ୟାରେ ବାହାରେ ଡକ୍‌ ଚେୟାର୍‌ରେ ବସି ହାୱା ଖାଉଥିଲେ ଇନ୍‌ଜିନିଅର ବାବୁ । +କରୋଡ଼ି ମଲ ଦୁଇ ହାତ ରଗଡ଼ିରଗଡ଼ି କହିଲେ, ‘ ଆପଣ ଆଇଲା ଆର ହାମ୍‌କୁ ପଢ଼ା ବି ଦେଲେ ନାହିଁ ।’ +ଇନ୍‌ଜିନିଅର ସାହେବ ହସିହସି କହିଲେ, ‘‘ଏଇତ ପହଞ୍ଚିଲି ଦୂରତାଜନିତ କ୍ଳାନ୍ତିର ଅବସାନ ବି ହୋଇ ନାହିଁ ।’’ +‘‘ ହାଁ ହାଁ ମୁଁ ଦବାଇ ଆଣିଛି ସାହିବ ।’’ +କରଯୋଡ଼ି ମଥାନତ କରି କରୋଡ଼ି ମଲ କହିଲେ-ଇନ୍‌ଜିନିଅର ସାହେବଙ୍କ ମୁହଁରେ ହସ ଫୁଟିଉଠିଲା, ପକେଟରୁ ବାହାର କରି ମତେ ଇନ୍‌ଜିନିଅର ସାହେବଙ୍କୁ ପାଣିରେ ଦେଇ ଗ୍ରହଣ କରିବାକୁ କହିଲେ । +ଇନ୍‌ଜିନିଅର ସାହେବ କହିଲେ ‘‘ ଆପଣଙ୍କୁ ଠିକାଟା ଦିଆଯିବ ଆଉ…?’’ +‘‘ହାଁ ହାଁ ବାବୁ ମୋତେ କି ବେଇମାନ ଭାବିଲେ । +ଇମିଲିବାଈ ବି ଆପଣଙ୍କର ଚରଣ ସେବା କରିବାକୁ ଆସିଛି, ଆଉ ଏଇ ରଖନ୍ତୁ ଆପଣଙ୍କର ଜଲପାନି କା ବାସ୍ତେ ଏକହଜାର ଏକଟଙ୍କା ।’’ +ଇନ୍‌ଜିନିଅର ସାହେବ ହସିଲେ । +କରୋଡ଼ି ମଲ ଚାଲିଗଲେ । +ଇମିଲିବାଈ? +ଇମିଲିବାଈ ବଡ଼ ଲଜ୍ଜାଶୀଳା । +ସାହେବଙ୍କୁ ଅନୁରୋଧ କରି କହିଲେ ଘରର ସବୁ ଆଲୁଅ ନ ଲିଭାଇଦେଲେ ସେ ସାହେବଙ୍କ ଚରଣ ସେବା କରିପାରିବେ ନାହିଁ । +ସବୁ ଆଲୁଅ ଲିଭିଗଲା । +ଡ୍ରାଇଜିନ ବୋତଲ କହିଲେ ‘‘ଧୀରେଧୀରେ ମୁଁ ବି ସରି ଆସିଲି । +ମଧ୍ୟରାତ୍ରିରେ ଇମିଲିବାଈ କହିଲେ, ‘ସାହେବ ମୁଁ ବର୍ତ୍ତମାନ ଯିବି, ଆପଣଙ୍କର ଇଜ୍ଜତ ଅଛି ।’’ +ସାହେବଙ୍କ ନିଶା ଭାଙ୍ଗି ନଥାଏ- +ଇମିଲିବାଈ କହିଲେ ‘‘ମୋର ବକ୍‌ସିସ୍‌ ।’’ +ସାହେବଙ୍କ ଦେହ ଅଳସ ଯୋଗୁଁ ନିଦେ ନ ଉଠି କହିଲେ ‘‘ ଡ୍ରୟରରେ ଅନେକ ଟଙ୍କା ଅଛି ଯେତେ ଇଚ୍ଛା ନେଇଯାଇପାର କ୍ଳିଓପେଟ୍ରା ।’’ +ଇମିଲିବାଈ ଏତେ ଖୁସିରେ ଏମିତି ହସଟିଏ ହସିଲେ ଯେ, ତାଙ୍କର ମୁହଁ ଉପରେ ଥିବା କୃତ୍ରିମ ଦନ୍ତପଂକ୍ତି ଫିଟି ତଳେ ପଡ଼ିଗଲା । +ଇମିଲିବାଈ ବିନା ବକ୍‌ସିସ୍‌ରେ ଡାକବଙ୍ଗଳା ପରିତ୍ୟାଗ କଲେ । +ହସି ଉଠିଲା ରମ୍‌ ବୋତଲ । +ଡ୍ରାଇଜିନ୍‌ ପ୍ରଶ୍ନ କଲେ ‘‘ହସିଲ ଯେ ।’’ +ଶ୍ରୀ ରମ୍‌ କହିଲେ ‘‘ ମୋର ନିଜ କଥା ମନେପଡ଼ିଲା ।’’ +ରମ୍‌ ଆରମ୍ଭ କଲେ-‘‘ମୋର ମାଲିକ ମତେ ପ୍ରାୟ ଆଦର କରନ୍ତି, ତେଣୁ ମତେ ଭଲ ଆଖିରେ ଦେଖିପାରନ୍ତି ନାହିଁ ମୋର ମାଲିକାଣୀ; ବହୁତ ଚେଷ୍ଟାକରି ମଧ୍ୟ ମୋଠୁଁ ମୋର ମାଲିକଙ୍କୁ ଦୂରେଇ ରଖିପାରିଲେ ନାହିଁ ।’’ +ଦିନକ ଘଟଣା- +ସେ ଦିନ ଟଳିଟଳି ମୋ ମାଲିକ ଘରେ ପହଞ୍ଚିଲେ । +ମାଲିକାଣୀ ଆସି ମୋ ମାଲିକଙ୍କୁ ଘରକୁ ନେଇଗଲେ । +ମୋ ମାଲିକ ଗାଉଥାଆନ୍ତି- +‘‘କି କରିବି ସଜନୀ ନ ଆସିଲେ ବାଲମ ।’’ +ମାଲିକାଣୀ ରମ୍‌ର ତୀବ୍ର ଗନ୍ଧ ଯୋଗୁଁ ନାକରେ ଲୁଗା ଦେଲେ । +ତା’ପରେ ମାଲିକଙ୍କ ଦେହରୁ କୋଟ, କମିଜ, ବନିୟନ ସବୁ ଉତ୍ତାରି ପକାଇଲେ । +ଗଳାରେ ନେକଟାଇଟା ଝୁଲୁଥାଏ । +କୋଟ୍‌ ପକେଟରେ ମୁଁ ଥାଏଁ । +ମାଲିକାଣୀ ମୋତେ କୋଟ୍‌ ପକେଟରୁ ଆଣି ଗୋଟିଏ ଛୋଟ ଗିଲାସରେ ବାକିତକ ରମ୍‌ ଢାଳି ମୋ ମାଲିକ ଆଡ଼େ ବଢ଼ାଇ ଦେଲେ । +ମୋ ମାଲିକ କହିଲେ ‘‘ ଏକ ପାତ୍ର ସୁରା ଓ ତୁମେ-’’ +ମାଲିକାଣୀ ଓଠ କାମୁଡ଼ିଲେ । +ମାଲିକାଣୀ ମୋ ମାଲିକଙ୍କୁ ଛିଡ଼ା ହେବାପାଇଁ କହିଲେ । +ମୋ ମାଲିକ ‘‘ ଯେ ଆଜ୍ଞା’’ କହି ଛିଡ଼ାହେଲେ । +ତା’ପରେ ମାଲିକାଣୀ ଗଳାରେ ଝୁଲୁଥିବା ନେକଟାଇଟାକୁ ଧରି ଯେଉଁ ମାଡ଼, ଯେଉଁ ମାଡ଼, ଯେଉଁ ମାଡ଼ ଦେଲେ ଯେ ମାଲିକଙ୍କ ନିଶା ଫାଟିଯିବା ଉପରେ । +ଠିକ୍‌ ଏଇ ସମୟରେ ପୁଣିଥରେ ମାଲିକାଣୀ ମୋ ମାଲିକଙ୍କୁ ଆଉ ଟିକିଏ ରମ୍‌ ପିଆଇ ଦେଇ ପୁଣି ବାଡ଼ାଇଲେ । +ଆରଦିନ ମୋ ମାଲିକ ସମ୍ବାଦପତ୍ରରେ ‘‘ମଦ ଓ ମାଡ଼’’ ବୋଲି ଗୋଟାଏ ବିବୃତି ଦେଲେ । +ବିବୃତିର ସାରାଂଶ ହେଉଛି । +‘ପୁରୁଷମାନେ ମଦ ଖାଇ ମାତାଲ ହୋଇ ସ୍ତ୍ରୀ ଅବଳାମାନଙ୍କୁ ମାଡ଼ ଦିଅନ୍ତି ତେଣୁ ପାରିବାରିକ ସୁଖରେ ବ୍ୟାଘାତ ଘଟୁଛି ।’ +ଶ୍ରୀମାନ ହୁଇସ୍‌କି ହସି ଉଠିଲେ । +ତାଙ୍କ ଆଡ଼କୁ ସମସ୍ତଙ୍କ ଦୃଷ୍ଟି ଆକର୍ଷିତ ହେଲା । +ହୁଇସକି କହିଲେ ‘‘ ମୋର ବନ୍ଧୁ ଜଣେ ଡାକ୍ତର । +ତାଙ୍କର ପ୍ରାୟ ରାତ୍ରି ଡିଉଟି ପଡ଼େ ।’’ +ଦିନକର ଘଟଣା-ଡାକ୍ତରଖାନାକୁ ବାପ ପୁଅ ଦି’ଜଣ ଆସନ୍ତି । +ପୁଅ ଥିଲା ରୋଗୀ । +ବାପ ପୁଅ ସାଥିରେ ଆସିଥିଲା । +ଡାକ୍ତର ପଚାରିଲେ- ‘‘କଅଣ ହୋଇଛି ।’’ +ବାପ କହିଲା-‘‘ଆଜ୍ଞା ଏ ରୋଗ ମୋର ଅଜାଙ୍କର ଥିଲା, ମୋର ବାପାଙ୍କର ଥିଲା, ମୋର ଅଛି ଓ ବର୍ତ୍ତମାନ ମୁଁ ଲକ୍ଷ୍ୟ କରୁଛି ମୋର ପୁଅର ବି ସେ ରୋଗ ହେବାର ଆରମ୍ଭ କରୁଛି ।’’ +ଡାକ୍ତର ଚିନ୍ତାକରି କହିଲେ-‘‘ଓଃ ହେରିଡେଟେରି ରୋଗ ।’’ +‘‘ରୋଗଟା କଅଣ?’’ ଡାକ୍ତର ପଚାରିଲେ-‘‘ଆଜ୍ଞା ପାଗଳାମି ।’’ +ଓଃ ତେବେ ଆପଣଙ୍କ ପୁଅକୁ ଆପଣ ଘରକୁ ପଠାଇ ଦିଅନ୍ତୁ । +ମୁଁ ଆଶା କରେଁ, ରୋଗ ଯେତେବେଳେ ହେରିଡିଟେରୀ ଆପଣଙ୍କୁ ଚିକିତ୍ସା କଲେ ଆପଣଙ୍କ ପୁଅ ଭଲ ହୋଇଯିବ । +ପୁଅ ଚାଲିଗଲା । +ସିଭିଲ ସାର୍ଜନ (ଯେ କି ମୋର ଜଣେ ପରିଚିତ ବନ୍ଧୁ) ସେ ରୋଗୀର ସମସ୍ତ ହାଲ ଶୁଣି କହିଲେ ‘‘ବାପକୁ ବି ଡିସଚାର୍ଯ କରଦିଅ ଆଉ ପୁଅର ଅଜାକୁ ଡାକ୍ତରଖାନାରେ ଭର୍ତ୍ତିକରି ତାକୁ ଚିକିତ୍ସା କର ।’’ +ବାପ ବି ହାସପାତାଲ ଛାଡ଼ି ଚାଲିଆସିଲେ । +ସୁଖର କଥା ପୁଅର ଅଜା ଇହଧାମରେ ନାହାନ୍ତି । +ମିଷ୍ଟର ବ୍ରାଣ୍ଡି ହସି ଉଠିଲେ । +ସେ କହିଲେ ମୋର ଜଣେ ପରିଚିତ ବନ୍ଧୁ ଅଛନ୍ତି ଯେ କି ଜଣେ ମନ୍ତ୍ରୀ । +ସେ ଯେତେବେଳେ କୌଣସି ଗସ୍ତରେ ଯାଆନ୍ତି ମୋତେ ପ୍ରାୟ ସାଙ୍ଗରେ ନେଇକରି ଯାଆନ୍ତି । +ଦିନକର ଘଟଣା- +କେଉଁ ଏକ ଅଖ୍ୟାତ ପଲ୍ଲୀରେ ଥିବା ସାରକିଟ୍‌ ହାଉସରେ ମନ୍ତ୍ରୀ ଆପଣେ ବିଜେ ହୋଇଥିଲେ । +ମନ୍ତ୍ରୀ ଆସିଥିବା ଜାଣିପାରି ଗାଁର ଓ ଅନ୍ୟ ଦୂରଦୂରାନ୍ତ ଗ୍ରାମରୁ ଅନେକ ପଲ୍ଲୀବାସୀ ଆସି ତାଙ୍କୁ ନିଜର ହାରିଗୁହାରି ଶୁଣାଇବା ପାଇଁ ସାରକିଟ୍‌ ହାଉସରେ ରୁଣ୍ଡ ହେଲେ । +ମନ୍ତ୍ରୀ ବାହାର ବରଣ୍ଡାକୁ ବିଜେ ହେବା ବେଳକୁ ମୋତେ ଅଧେ ସାରି ଦେଇଥାଆନ୍ତି । +ମନ୍ତ୍ରୀ ନିଜ ଷ୍ଟେନୋକୁ ଡକାଇ ପାଖରେ ବସାଇଲେ । +ଜଣେ ଗ୍ରାମବାସୀ କହିଲେ-‘‘ ଆଜ୍ଞା ମୋ ପୁଅ ମେଟ୍ରିକ୍‌ ପାସ କରିଛି । +ଖଣ୍ଡିଏ ଚାକିରି… ।’’ +ମନ୍ତ୍ରୀ କହିଲେ ‘‘ପୁଅକୁ ସବଡେପୁଟି ଚାକିରିଟାଏ ଦିଆଯିବ । +ଷ୍ଟେନୋ ନୋଟ କରନ୍ତୁ ।’’ +ଆଉ ଜଣେ ଗ୍ରାମବାସୀ କହିଲେ- ‘‘ ଆଜ୍ଞା ଗାଁରେ ଭୀଷଣ ଜଳ କଷ୍ଟ ।’’ +ମନ୍ତ୍ରୀ ପଚାରିଲେ- ‘‘ଗାଁରେ କୌଣସି ନଦୀ ଅଛି ।’’ +ଗ୍ରାମବାସୀ ଉତ୍ତର ଦେଲେ- ‘‘ଆଜ୍ଞା ଗୋଟିଏ ନାଳ ଅଛି ଯାହା ବର୍ଷକେ ଆଠମାସ ଶୁଖିଲା ରହେ ।’’ +ମନ୍ତ୍ରୀ କହିଲେ- ‘‘ଷାଠିଏ କୋଟି ଟଙ୍କା ମଞ୍ଜୁର କଲୁଁ । +ସେଇ ନାଳ ଉପରେ ଗୋଟିଏ ବନ୍ଧ ହେବ, ପାଣି ଓ ବିଜୁଳି ତମ ଗାଁ ଲୋକେ ପାଇବେ ।’’ +ଆଉ ଜଣେ ଗ୍ରାମବାସୀ କହିଲେ- ‘‘ ଆଜ୍ଞା ଗାଁରେ ଗୋଟିଏ ଡାକ୍ତରଖାନାଟିଏ ହେଉ ।’’ +ମନ୍ତ୍ରୀ କହିଲେ- ‘‘ଗାଁରେ ଗୋଟିଏ ମେଡ଼ିକେଲ କଲେଜ ହେବାପାଇଁ ଶହେ କୋଟି ଟଙ୍କା ମଞ୍ଜୁର କଲୁଁ ।’’ +ଆଉ ଜଣେ ଗ୍ରାମବାସୀ କହିଲେ- ‘‘ଆଜ୍ଞା ଘରେ ଅନେକ ପିଲାଛୁଆ, କିଛି ଅର୍ଥ ସାହାଯ୍ୟ କଲେ ଉପକୃତ ହେବି ।’’ +ମନ୍ତ୍ରୀ କହିଲେ- ‘‘ ଗ୍ରାମରେ ଗୋଟାଏ ପରିବାର ନିୟନ୍ତ୍ରଣ କେନ୍ଦ୍ର ଖୋଲା ଯିବାପାଇଁ ଆଦେଶ ଦେଲୁଁ ।’’ +ଆଉ ଜଣେ ଗ୍ରାମବାସୀ କହିଲେ- ‘‘ ଆଜ୍ଞା ଗ୍ରାମ ସାଥିରେ ସହରର ସଂଯୋଗ ସ୍ଥାପନ କରିବା ପାଇଁ ଗ୍ରାମରେ ରାସ୍ତା ତିଆରି ହେଉ ।’’ +ମନ୍ତ୍ରୀ କହିଲେ- ‘‘ ରେଳ ସଡ଼ଖ ଦ୍ୱାରା ତୁମ୍ଭ ଗ୍ରାମକୁ ଯୋଗ କରିବା ପାଇଁ ଶହେ କୋଟି ଟଙ୍କା ମଞ୍ଜୁର କଲୁଁ ।’’ +ଷ୍ଟେନୋ ସବୁ ନୋଟ କରୁଥାଆନ୍ତି । +ଅନ୍ୟ ଦିନ ଷ୍ଟେନୋ ଯେତେବେଳେ ଉପରୋକ୍ତ ପ୍ରସ୍ତାବମାନ ମନ୍ତ୍ରୀଙ୍କ ଆଗରେ ଉପସ୍ଥାପିତ କଲେ, ମନ୍ତ୍ରୀ ନୋଟ ଦେଲେ । +‘‘ମୋର ଷ୍ଟେନୋର ମସ୍ତିଷ୍କ ବିକୃତିର ଲକ୍ଷଣ ସବୁ ଦେଖାଯାଉଅଛି । +ଷ୍ଟେନୋକୁ କିଛିଦିନ ରାଞ୍ଚିକୁ ପଠାଇ ତାଙ୍କର ଗତିବିଧି ଲକ୍ଷ୍ୟ କରିବା ପାଇଁ ଅନୁମତି ଦେଲୁଁ ଓ ସେ ଯେତେଦିନ ଯାଏ ସୁସ୍ଥ ହୋଇ ନାହାନ୍ତି ସେତେ ଦିନ ତାଙ୍କୁ ମେଡ଼ିକେଲ ଛୁଟି ମଞ୍ଜୁର କଲୁଁ ।’’ +ପ୍ରକାଶ ଥାଉକି ଏହି ମନ୍ତ୍ରୀଙ୍କର ପାରସନେଲ ଆସିସ୍‌ଟେଣ୍ଟ ବର୍ତ୍ତମାନ ସୁଦ୍ଧା ସୁସ୍ଥ ଶରୀରେ ରାଞ୍ଚିରେ ଅଛନ୍ତି । +ସକାଳ ପାଇଗଲା । +ବୋତଲ ଅଧିବେଶନ ବି ଭାଙ୍ଗିଗଲା । -- GitLab