diff --git a/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_27 b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_27 new file mode 100644 index 0000000000000000000000000000000000000000..389218070e7baf96a17bc8d0116904a8cf599253 --- /dev/null +++ b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_27 @@ -0,0 +1,75 @@ +ସାହିତ୍ୟର ଗୁଣ +ଚନ୍ଦ୍ରମୋହନ ମହାରଣା +ତା: ଡିସେମ୍ବର୍ ୧୩, ୨୦୧୩ +ମୂଳ ପୃଷ୍ଠା → ସ୍ମରଣୀୟ ଲେଖା → ଗଳ୍ପ → +ଉତ୍କଳ ସାହିତ୍ୟର ଧାରାବାହିକ ପୂର୍ଣ୍ଣାଙ୍ଗ ଇତିହାସ ଏପର୍ଯ୍ୟନ୍ତ ପ୍ରକାଶିତ ହୋଇନାହିଁ । +ତଥାପି ଯେଉଁମାନେ ଏହି ସାହିତ୍ୟର ଅନୁଶୀଳନରେ ବ୍ରତୀ, ସେମାନେ ଜାଣନ୍ତି, ଆମ୍ଭମାନଙ୍କ ମାତୃଭାଷାର ସାହିତ୍ୟରେ କ’ଣ ଅଛି ଏବଂ କି ଅଭାବ ଅଛି । +ଅଭାବ କାହିଁକି, ବହୁତ ଅଭାବ ଯେ ଅଛି, ଏଥିରେ ଅଣୁ ମାତ୍ର ସନ୍ଦେହ ନାହିଁ । +ଆଜିକାଲି ଏ ଦେଶର ପ୍ରାୟ ଯାବତୀୟ ଶିକ୍ଷିତ ବ୍ୟକ୍ତି ନ୍ୟୂନାଧିକ ପରିମାଣରେ ଇଂରାଜୀ ଭାଷାରେ ଅଭିଜ୍ଞତା ଲାଭ କରିଅଛନ୍ତି । +ଶିକ୍ଷିତ ଓଡ଼ିଆମାନେ ଅନେକ ବଙ୍ଗଳା ଭାଷାର ଚର୍ଚ୍ଚା କରିଥାନ୍ତି । +କତିପୟ ଶିକ୍ଷିତ ବ୍ୟକ୍ତି ସଂସ୍କୃତଭାଷାର ଅନୁରାଗୀ ବୋଲି ତଦ୍‌ଭାଷାରେ ରଚିତ କାବ୍ୟଅଳଙ୍କାର ଦର୍ଶନ ଶାସ୍ତ୍ରାଦିର ଚର୍ଚ୍ଚାରେ ମଧ୍ୟ ରତ । +ଏହି ଭାଷାମାନଙ୍କର ଆଲୋଚନାରୁ ଶିକ୍ଷିତ ଓଡ଼ିଆମାନେ ମାତୃଭାଷାରେ ଅଭାବ ଅନାୟସରେ ଅନୁଭବ କରିପାରୁଥିବେ । +ଏହି ଅଭାବ ପୂରଣ କରିବା ଆମ୍ଭମାନଙ୍କର କର୍ତ୍ତବ୍ୟ । +ଏହି ଅଭାବ-ପୂରଣକୁ ଜୀବନର ଗୋଟିଏ ବ୍ରତ କରିଥିବାର ଲକ୍ଷଣ କୌଣସି କୌଣସି ବ୍ୟକ୍ତିଙ୍କଠାରେ ଦୃଷ୍ଟିଗୋଚର ହେଲାଣି । +କେହି କେହି ପୁରାତନର ପକ୍ଷପାତୀ, ତନ୍ମଧ୍ୟରୁ କେହି ଅନ୍ଧଭାବରେ ପକ୍ଷପାତୀ । +ପକ୍ଷାନ୍ତରେ, କେହି କେହି ପୁରାତନକୁ ହେୟ ମନେ କରି ଅବଜ୍ଞାର ଚକ୍ଷୁରେ ଦେଖନ୍ତି ଏବଂ ନୂତନର ଏକାନ୍ତ ପକ୍ଷପାତୀ ଅଟନ୍ତି । +ବିଜ୍ଞ ବ୍ୟକ୍ତି ଏ ଉଭୟ କୋଟୀ ପରିତ୍ୟାଗ କରି ଧୀର ଚିତ୍ତରେ ଯୋଗ୍ୟ ମଧ୍ୟମ ଭାବ ଅବଲମ୍ବନ କରନ୍ତି । +ଯେଉଁମାନେ ପୁରାତନର ପକ୍ଷପାତରେ ଅବିଚାରୀ, ସେମାନେ କହନ୍ତି, ଆମ୍ଭମାନଙ୍କର ନଥିଲା କ’ଣ? ସେମାନଙ୍କ ମତରେ ଆମ୍ଭମାନଙ୍କର ଅଭାବ ନାହିଁ । +ମାତ୍ର ଏତାଦୃଶ୍ୟ ଅନ୍ଧ ପକ୍ଷପାତର ସମୟ ଓଡ଼ିଶାରେ ବୋଧହୁଏ ଆଉ ନାହିଁ । +ବର୍ତ୍ତମାନ ଚକ୍ଷୁ ଫିଟିଲାଣି; ଶିକ୍ଷିତ ଓଡ଼ିଆମାନେ ମାତୃଭାଷାରେ ଅଭାବ ଉତ୍ତମରୂପେ ହୃଦୟଙ୍ଗମ କଲେଣି । +କର୍ମକ୍ଷେତ୍ରରେ ପ୍ରବେଶ କରି ଅଧ୍ୟବସାୟ ସହକାରେ ଅଭାବ ପୂରଣ କରିବାପାଇଁ ମାତୃଭାଷା ବର୍ତ୍ତମାନ ସନିର୍ବନ୍ଧ ଆହ୍ବାନ କଲାଣି । +କାବ୍ୟକୁ ସଂସ୍କୃତ ଭାଷାର ଆଳଙ୍କାରିକମାନେ ଚତୁବର୍ଗ ଫଳଦାୟୀ ବୋଲି ଉଲ୍ଲେଖ କରିଅଛନ୍ତି । +ଏହି ଉକ୍ତିର ଯାଥାର୍ଥ୍ୟ ବିଚାର କରିବାର ପ୍ରୟୋଜନ ବର୍ତ୍ତମାନ ନାହିଁ । +ତେବେ ଏଥିରେ ଅନ୍ତତଃ ଏତିକି ସତ୍ୟ ନିହିତ ଅଛି ଯେ ସତ୍‌-କାବ୍ୟ ପ୍ରଣୟନରେ ସିଦ୍ଧହସ୍ତ ବ୍ୟକ୍ତି ସୁକୌଶଳରେ ସ୍ବ କାବ୍ୟରେ ଅତି ଉପାଦେୟ ଉପଦେଶମାନ ଯଥାଯୋଗ୍ୟ ସ୍ଥାନରେ ସନ୍ନିବେଶିତ କରି ମାନବ ହୃଦୟକୁ ବିମଳ ଆନନ୍ଦରେ ପୂର୍ଣ୍ଣ କରିବା ସଙ୍ଗେ ସଙ୍ଗେ ତାହାର ଆଧ୍ୟାତ୍ମିକ ଉନ୍ନତି ସାଧନ କରନ୍ତି । +କାବ୍ୟର ଏହି ମାନଦଣ୍ଡ ପ୍ରୟୋଗ କଲେ ଇଂରାଜୀ ଭାଷାର ଅନେକଗୁଡ଼ିଏ, ବଙ୍ଗଳାଭାଷାର କେତେଗୁଡ଼ିଏ କାବ୍ୟ ଆବର୍ଜନାରେ ନିକ୍ଷିପ୍ତ ହେବ । +ସଂସ୍କୃତ ଭାଷାରେ ପ୍ରଥମେ ବେଦ ଓ ଉପନିଷଦ୍‌ ରଚିତ ହୋଇଥିଲା ଏବଂ ପଣ୍ଡିତମାନେ ତାହାରି ଚର୍ଚ୍ଚା ଓ ଅଧ୍ୟାପନାରେ ସମୟ ଅତିବାହିତ କରିଥିଲେ । +ଯୁଗଜନ୍ମା ଓ ଯୁଗପ୍ରବର୍ତ୍ତକ ବାଲ୍ମୀକି ବେଦଉପନିଷଦ୍‌କୁ ଜନ ସାଧାରଣର ଅତି ଦୁର୍ବୋଧ୍ୟ ଜାଣି, ଆଦିକାବ୍ୟ ରାମାୟଣ-ପ୍ରଣୟନରେ ବ୍ରତୀ ହେଲେ । +ଓଡ଼ିଶାରେ ଅଦ୍ୟାପି କାବ୍ୟାତିରିକ୍ତ ସ୍ଥାୟୀ ଲେଖା ପ୍ରାୟ ଦୃଷ୍ଟିଗୋଚର ହୁଏ ନାହିଁ । +ସେଥିରେ ପୁଣି କୌଣସି କାବ୍ୟ ବାଲ୍ମୀକି ରାମାୟଣର ସମାନ ସ୍ଥାନ ଅଧିକାର କରିଥିବା ମୋତେ ଜଣା ନାହିଁ । +ତାହାର କାରଣ ଏହି ଯେ, ପ୍ରାଚୀନ ଓଡ଼ିଆ କାବ୍ୟପ୍ରଣେତା ସମସ୍ତେ ଅଥବା ସେମାନଙ୍କର ଅଧିକାଂଶ ପ୍ରଥମାବସ୍ଥାରେ ସଂସ୍କୃତ ଭାଷାର ଚର୍ଚ୍ଚା କରି, ପଶ୍ଚାତ୍‌ ଓଡ଼ିଆ ଭାଷାରେ ଲେଖନୀ ଧାରଣ କଲେ । +ସୁତରାଂ ସଂସ୍କୃତ ଭାଷାରେ ଯାହାର ଯେଉଁ ଆଦର୍ଶ ଥିଲା, ତାହାକୁ ସେ ଅନ୍ତଶ୍ଚକ୍ଷୁର ସମକ୍ଷରେ ରଖି ଆପଣା କାବ୍ୟ ରଚନା କଲେ । +ଏହାର ଯେ ବିଶେଷ-ବିଧି ନାହିଁ, ତାହା ମୁଁ ଅବଶ୍ୟ କହୁନାହିଁ । +ଭଞ୍ଜକବି ନୈଷଧକାରଙ୍କର ପଟ୍ଟଶିଷ୍ୟ; ‘ବୈଦେହୀଶବିଳାସ’ରେ ‘ନୈଷଧ’ର ଛାୟା ପଡ଼ିଅଛି । +ତାହା ବୋଲି ଭଞ୍ଜେ ଯେ ପ୍ରସାଦଗୁଣସମ୍ପଦ ପଦାବଳୀ ରଚନା କରିବାକୁ କ୍ଷମ ନଥିଲେ, ତାହା ନୁହେଁ । +ତାଙ୍କ ପ୍ରଣୀତ ‘କୋଟି ବ୍ରାହ୍ମାଣ୍ଡ ସୁନ୍ଦରୀ’ ପ୍ରଭୃତି କତିପୟ କାବ୍ୟର କୌଣସି କୌଣସି ସ୍ଥାନରେ ପ୍ରସାଦ ଗୁଣ ସନ୍ଦର୍ଶନ କଲେ ତାହା ଆଧୁନିକ ଲେଖା ବୋଲି ପାଠକଙ୍କର ଭ୍ରମ ହେବ । +‘ବିଦଗ୍‌ଧଚିନ୍ତାମଣି’ର ପ୍ରଣେତା ବୈଷ୍ଣବ କବି; ତାଙ୍କ କାବ୍ୟରେ ବୈଷ୍ଣବ ଧର୍ମଶାସ୍ତ୍ରର ବା ବୈଷ୍ଣବ-ଦର୍ଶନର ଛାୟା ପତିତ ହୋଇଅଛି । +ପକ୍ଷାନ୍ତରେ, ଦୀନକୃଷ୍ଣ ଏପରି ଆଦର୍ଶର ପକ୍ଷପାତୀ ନୁହନ୍ତି ବୋଲି ତାଙ୍କର ପଦାବଳୀ ସୁବୋଧ ହୋଇଅଛି । +ଜଗନ୍ନାଥ ଦାସ ସ୍ବତନ୍ତ୍ର ଶ୍ରେଣୀର ଲେଖକ । +ସେ ସ୍ବୟଂ ବୈଷ୍ଣବ; ବ୍ୟାସଦେବଙ୍କ ପ୍ରଣୀତ ସଂସ୍କୃତଭାଷାର ଶ୍ରୀମଦ୍‌ଭାଗବତକୁ ସେ ଓଡ଼ିଆ ପଦ୍ୟାକାରରେ ଲିପିବଦ୍ଧ କରିଯାଇ ଅଛନ୍ତି । +ସଂସ୍କୃତ ଶ୍ରୀମଦ୍‌ଭାଗବତର ପ୍ରାଣ ଜଗନ୍ନାଥ ଦାସଙ୍କ ‘ଭାଗବତ’ରେ ଅଛି । +କିନ୍ତୁ ଅସ୍ଥି ମଜ୍ଜା ପ୍ରଭୃତି ବିଭିନ୍ନ । +ଅନେକଙ୍କ ମତରେ ଓଡ଼ିଆ ଭାଷାର ଏହି ‘ଭାଗବତ’ ଇଂରାଜୀ ଭାଷାର ଷ୍ଟାଣ୍ଡାର୍ଡ଼ ‘ବାଇବଲ୍‌’ର ସ୍ଥାନ ଅଧିକାର କରିଅଛି । +ଭଞ୍ଜ, ଦୀନକୃଷ୍ଣ, ସାରଳା ଦାସ, ଜଗନ୍ନାଥ ଦାସ, ସାମନ୍ତସିଂହାର ପ୍ରଭୃତିଙ୍କ ପୂର୍ବବର୍ତ୍ତୀ ଯୁଗର ଲେଖକମାନଙ୍କର ଲେଖା ଆଜି ଯାଏ ମୁଦ୍ରିତ ଓ ପ୍ରକାଶିତ ହୋଇନାହିଁ । +କେବେ ତାହା ପ୍ରକାଶିତ ହେଲେ, ତତ୍‌ ସହିତ ଟୀକା ବା ଅନୁବାଦ ଆବଶ୍ୟକ ହେବ । +ସାହିତ୍ୟ ଦର୍ପଣ ସ୍ବରୂପ । +ସେଥିରେ ଆମ୍ଭେମାନେ ସମାଜର ଓ ସମସାୟିକ ଘଟଣାବଳୀର ପ୍ରତିବିମ୍ବ ଅବଲୋକନ କରୁଁ । +କୌଣସି ଭାଷାର ଧାରାବାହିକ ସାହିତ୍ୟ ଲିପିବଦ୍ଧ ଓ ପ୍ରକାଶିତ ହେଲେ, ସେଥିରୁ ତୀକ୍ଷ୍‌ଣଧୀ ପାଠକ ଅନେକ ବିଷୟ ଅବଗତ ହୋଇପାରିବେ । +ଭାଷାର ଇତିହାସ, ବ୍ୟାକରଣ ଓ କୋଷର ପ୍ରଶୟନରେ ଏହା ପ୍ରଧାନ ସହାୟ । +ସମାଜର ରୀତିନୀତି, ବୈଷୟିକ, ମାନସିକ, ଆଧ୍ୟାତ୍ମିକ ନାନାବିଷୟରେ ପ୍ରଧାନ ପ୍ରଧାନ ଅନୁଷ୍ଠାନ ଓ ଯୁଗୋଚିତ ସଂସ୍କାର ବା ପରିବର୍ତ୍ତନ ସାହିତ୍ୟରେ ନ୍ୟୁନାଧିକ ପରିମାଣରରେ ପ୍ରତିବିମ୍ବତ ହୁଏ । +ଜାତୀୟ ସାହିତ୍ୟ ଗୋଟିଏ ମହାଭଣ୍ଡାର ଏବଂ ଏହି ମହାଭଣ୍ଡାରରେ ଅନେକ ରତ୍ମ ସହିତ ଅନେକ ଚିତ୍ର ସଂରକ୍ଷିତ ହୋଇଥାଏ । +ବ୍ୟାସପ୍ରଣୀତ ମହାଭାରତ ଖଣ୍ଡିଏ ମହାକାବ୍ୟ ମାତ୍ର, ଗୋଟିଏ ଜାତିର ସମଗ୍ର ସାହିତ୍ୟ ନୁହେଁ । +ଏହି ମହାକାବ୍ୟ ଖଣ୍ଡିକରୁ ହିଁ ତତ୍କାଳିକ ସମାଜର ଅବସ୍ଥା, ରୀତିନୀତି, ଶସ୍ତ୍ରବିଦ୍ୟା ଓ ଶାସ୍ତ୍ରରେ ପାରଦର୍ଶିତା, ଆଧ୍ୟାତ୍ମିକ ଚର୍ଚ୍ଚା, ମନୁଷ୍ୟମାନଙ୍କର ରୁଚି ପ୍ରଭୃତି ନାନାବିଷୟ ଆମ୍ଭମାନେ ଅବଗତ ହେଉଁ । +ଏହି ମହାସମୁଦ୍ରରୁ ଚଳୁଏ ଚଳୁଏ ଜଳ ଗ୍ରହଣ କରି ପୂର୍ବକାଳର ଓ ଏ କାଳର ଅନେକ ସୁଲେଖକ ମହାକବି ଆଖ୍ୟା ପ୍ରାପ୍ତ ହୋଇ ଅଛନ୍ତି । +ଦେହ ନଶ୍ବର, ଦେହି ଅନଶ୍ବର । +ସ୍ଥୂଳ ଶରୀର କ୍ଷୟପ୍ରାପ୍ତ ହୋଇ ନଷ୍ଟ ହୋଇଯାଏ; ଆତ୍ମାର ବିନାଶ ନାହିଁ । +ଏହା ଦାର୍ଶନିକ ପଣ୍ଡିତମାନଙ୍କର ମତ । +ଜନସାଧାରଣ ମଧ୍ୟ ଏ ମତ ଗ୍ରହଣ କରନ୍ତି । +ପ୍ରାୟ ପ୍ରତ୍ୟେକ ଅପର କୌଣସି ବ୍ୟଙ୍କ୍ତିଙ୍କର ଆଧୀନ୍ୟ ସ୍ବୀକାର କରିଥାନ୍ତି, ସେହି ବ୍ୟକ୍ତିଙ୍କ ଦ୍ବାରା ଚାଳିତ ହୁଅନ୍ତି । +ଏକ ଗୃହରେ ଏକାନ୍ନରେ ଯେଉଁମାନେ ବାସ କରନ୍ତି, ସେମାନେ ଗୃହକର୍ତ୍ତାଙ୍କର ଅଧୀନ ହୋଇଥାନ୍ତି । +ରାଜ୍ୟରେ ବାସ କଲେ ରାଜାର ଅଧୀନ ହେବାକୁ ହୁଏ । +ଯେ ବ୍ୟକ୍ତି କୌଣସି ସମାଜର ଅନ୍ତର୍ଗତ, ସେ ସେହି ସମାଜର ନେତାଙ୍କର ନେତୃତ୍ବ ସ୍ବୀକାର କରେ । +ଯେଉଁଠାରେ ଦୀକ୍ଷାଗ୍ରହଣ ପ୍ରଥା ପ୍ରଚଳିତ ଅଛି, ସେଠାରେ ଶିଷ୍ୟମାନଙ୍କୁ ଦୀକ୍ଷାଗୁରୁଙ୍କୁ ଅଧୀନ ହେବାକୁ ହୁଏ । +ବ୍ୟକ୍ତିର ଜୀବନରେ, ସମଷ୍ଟି, ଜାତି ବା ସମାଜରେ ଜଣ ଜଣଙ୍କର ପ୍ରଭାବ ବା କର୍ତ୍ତୃତ୍ବ ପରିଲିକ୍ଷିତ ହୋଇଥାଏ । +ମାନବ ଜୀବନରେ ଧର୍ମ-ପ୍ରବର୍ତ୍ତକଙ୍କ ପ୍ରଭାବ ସର୍ବାପେକ୍ଷା ଅଧିକ ଓ ସ୍ପଷ୍ଟ । +ଧର୍ମପ୍ରବର୍ତ୍ତକଙ୍କ ତଳକୁ କବିଙ୍କର, ସାହିତ୍ୟରଥୀଙ୍କର ଆସନ । +ମାତ୍ର କବି ବା ସାହିତ୍ୟ ରଥୀଙ୍କର ପ୍ରଭାବ ଧର୍ମ-ପ୍ରବର୍ତ୍ତକଙ୍କ ପ୍ରଭାବ ପରି ସୁସ୍ପଷ୍ଟ ନୁହେଁ । +ବାଗ୍ନୀ ଓ କବି ପ୍ରାୟ ସମଶ୍ରେଣୀର ଲୋକ; ପ୍ରଭେଦ ଏହି ଯେ, ବାଗ୍ମୀଙ୍କ ପ୍ରଭାବ ଶ୍ରୋତାଙ୍କ ଧମନୀରେ ତଡ଼ିଦ୍‌ ଗତିରେ କାର୍ଯ୍ୟ କରେ, କିନ୍ତୁ ତାହା କ୍ଷଣପ୍ରଭା ତୁଲ୍ୟ ଅଚିରସ୍ଥାୟୀ; ସୁକବିଙ୍କ ପ୍ରଭାବ ଯୁଗଯୁଗାନ୍ତରସ୍ଥାୟୀ । +ତେବେ ଯେଉଁ ବାଗ୍ନୀଙ୍କ ବକ୍ତୃତା ଜାତୀୟ ସାହିତ୍ୟରେ ସ୍ଥାନପ୍ରାପ୍ତ ହୁଏ, ତାହା ଜାତୀୟ ସମ୍ପତ୍ତି ହୁଏ ଓ ସ୍ଥାୟୀହୋଇ ରହେ । +କବିଙ୍କର, ମହାକବିଙ୍କର ପ୍ରଭାବ ଯେ ସ୍ଥାୟୀ, ଏଥିରେ ବୋଧହୁଏ ମତଭେଦ ହେବ ନାହିଁ । +ସେହି ପ୍ରଭାବ ତାଙ୍କର ନଶ୍ବର ଶରୀରେ ନ ଥାଏ; ଥାଏ ତାଙ୍କର ଅମର ଆତ୍ମାରେ, ତାଙ୍କ କାବ୍ୟରେ, ତତ୍‌କୃତ ସାହିତ୍ୟ-ଗ୍ରନ୍ଥରେ । +ତାଙ୍କ ଲେଖାବଳୀରେ ତାହାଙ୍କର ଆତ୍ମା ପ୍ରତିବିମ୍ବିତ ବା ଅନୁସୃତ ହୋଇଥାଏ । +ସେହି ଲେଖା, ସେହି କାବ୍ୟ, ସେହି ସାହିତ୍ୟରେ ସେ ଅମର ହୋଇ ରହନ୍ତି । +ବାଳ୍ମୀକି, ବ୍ୟାସ, ଭାରବି, କାଳିଦାସ, ଉପେନ୍ଦ୍ର, ଦୀନକୃଷ୍ଣ, ସାରଳାଦାସ, ହୋମର୍‌, ଭର୍ଜିଲ, ଶେକ୍‌ସପିଅର, ମିଲ୍‌ଟନ୍‌, ସକ୍ରେଟିସ୍‌, କବିସୂର୍ଯ୍ୟ ପ୍ରଭୃତି ଯଶୋଦେହରେ ଆୟୁଷ୍ମାନ୍‌ ହୋଇ ରହିଅଛନ୍ତି । +ଶ୍ମଶାନ ସେମାନଙ୍କର କେବଳ ନଶ୍ବର କଳେବରକୁ ଗ୍ରାସ୍‌ କରିଅଛି । +ଏମାନେ ଯେଉଁ ଯେଉଁ ଜାତିରେ ଜନ୍ମଗ୍ରହଣ କରିଥିଲେ, ସେହି ସେହି ଜାତିର ସାହିତ୍ୟ ଧରଣୀ ପୃଷ୍ଠରେ ଯାବତ୍‌ ବିଦ୍ୟମାନ୍‌ ଥିବ, ତାବତ୍‌ ଏମାନେ ଅମର ହୋଇ ରହିବେ । +ଏହି ଲେଖାଟି ଲେଖକଙ୍କ ଦ୍ବାରା ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ୧୯୨୬ ମସିହାରେ ଆୟୋଜିତ ସଭାରେ ପ୍ରଦତ୍ତ ଅଭିଭାଷଣର ଅଂଶବିଶେଷ ଯାହାର ଗୁରୁତ୍ବ ଆଜି ମଧ୍ୟ ରହିଛି ।