diff --git a/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_55 b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_55 new file mode 100644 index 0000000000000000000000000000000000000000..69d20d2911b3d3aba4bd3047ca825bd5db19dac4 --- /dev/null +++ b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_55 @@ -0,0 +1,211 @@ +ମହାନଗରୀର ରାତ୍ରି +- ସୁରେନ୍ଦ୍ର ମହାନ୍ତି +ତା: ମେ ୨୬, ୨୦୧୨ +ମୂଳ ପୃଷ୍ଠା → ସ୍ମରଣୀୟ ଲେଖା → ଗଳ୍ପ → +ଗଙ୍ଗା ଜେଟୀରେ ଗୋଟିଏ ଷ୍ଟୀମର୍‌ରେ ଅଶାନ୍ତି ଚିତ୍କାର ଶୁଭୁଛି । +ଚୌରଙ୍ଗୀର ଜନବିହୀନ ରାସ୍ତା ବିଜୁଳିବତୀର ନିର୍ଜନ ଆଲୋକରେ ଦିଶୁଛି ପ୍ରେତପୁରୀ ପରି ଅଶରୀରୀ ଓ ରହସ୍ୟାବୃତ । +ଚୌରଙ୍ଗୀ-ବଣିଆ ସଂସ୍କୃତିର ମକ୍କାମଦିନା ! +ଟ୍ରାମ୍‌ରାସ୍ତାର ସେପାଖେ ଦଳ ଦଳ ହୋଇ ଶରଣାର୍ଥୀ ଶୋଇଛନ୍ତି ମାଟିରେ- ତଳେ ମହାନଗରୀର ଧୂଳି, ଉପରେ ରାତିର ନିଶୀଥ ଆକାଶ । +କୋଉଠି କୋଉଠି ବିଡ଼ିରୁ ଏ ପର୍ଯ୍ୟନ୍ତ ନିଆଁ ନିଭି ନାହିଁ, ରାସ୍ତା କଡ଼ ଚୁଲୀରେ ରଡ଼ନିଆଁ ଧପ୍‌ଧପ୍‌କରୁଚି । +ଆକାଶରେ ଶୁକ୍ଳ ଚତୁର୍ଦ୍ଦଶୀ ତିଥିର ନିଃସଙ୍ଗ ଚନ୍ଦ୍ର ମାତାଲ ପରି ଢଳିଢଳି ଚାଲିଛି ଆକାଶର ରାଜପଥରେ । +ପାଖରେ ଗୋଟିଏ ବିଲାତୀ ହୋଟେଲ୍‌ରୁ ନାଚର ଆଡ୍ଡା କେତେବେଳୁ ଭାଙ୍ଗିଲାଣି । +ଜଣେ ଜଣେ ବିଲାତୀ ପୋଷାକ-ପିନ୍ଧା ସାହେବ ପାଞ୍ଚ ଦଶ ମିନିଟ୍‌ଅନ୍ତରରେ ହୋଟେଲ ଭିତରୁ ବାହାରି ଆସୁଛନ୍ତି ହୁଇସିଲ ମାରି ମାରି । +ଚୌରଙ୍ଗୀ ପେଭ୍‌ମେଣ୍ଟ । +‘ସଲାମ ସାହେବ ।’ ‘ସଲାମ୍‌’ +‘ଛୋକ୍‌ରୀ ମାଙ୍ଗ୍‌ତେ ହେଁ ?’ +‘ନନ୍‌ସେନ୍‌ସ ! କ’ଣ କହୁଛ ?- କଡ଼ା ଗଳାରେ ପଚାରିଲି । +ମାତ୍ର ତା’ର ଏହାହିଁ ବ୍ୟବସାୟ । + ଲୋକଟା ଟିକିଏ ଶଙ୍କି ଯାଇଁ କହିଲା, ‘ବେଶୀ ଦୂର ନୁହେଁ, ଏଇ ପାର୍କ ଷ୍ଟ୍ରୀଟ୍ ମୋଡ଼ରେ ସାହେବ !’ +ବିଶିଷ୍ଟ କଥାକାର ସୁରେନ୍ଦ୍ର ମହାନ୍ତିଙ୍କ ଅନେକ ଗଳ୍ପ ମଧ୍ୟରୁ ମହାନଗରୀରେ ରାତ୍ରି ଏକ ପ୍ରସିଦ୍ଧ ଗଳ୍ପ । +୧୯୪୯ ମସିହାରେ ଲିଖିତ ଏହି ଗଳ୍ପର ସ୍ଥାନ କାଳ ପାତ୍ରରେ ଆଜି ମଧ୍ୟ ବିଶେଷ କିଛି ପରିବର୍ତ୍ତନ ହୋଇନାହିଁ । +ଆଗକୁ ଆଗକୁ ଚାଲିଲା । +ଘୃଣା ଓ ଲଜ୍ଜାରେ ମୋର ଦେହ ଥରିଗଲା । + ସେ ଲୋକଟିକୁ ଯଦି କୁକୁର ପରି ଗୁଳି କରି ମାରି ପାରନ୍ତି ! + କି ନୀଚ, କି କଦର୍ଯ୍ୟ ! + ଅଥଚ ଏ ଦଲାଲୀ ସଭ୍ୟତାର ସେ ତ ଜଣେ ପ୍ରତିନିଧି ! + ରାଷ୍ଟ୍ର ଓ ବ୍ୟକ୍ତି ମଧ୍ୟରେ ଦଲାଲୀ କରି ଯଦି ନେତାର ସମ୍ମାନ ମିଳେ, ନ୍ୟାୟବିଚାର ଓ ବ୍ୟକ୍ତି ମଧ୍ୟରେ ଦଲାଲୀ କରି ଯଦି ଓକିଲର ପ୍ରତିଷ୍ଠା ମିଳେ, ଭଗବାନ ଓ ବ୍ୟକ୍ତି ମଧ୍ୟରେ ଦଲାଲୀ କରି ଯଦି ମହାପୁରୁଷ ଓ ମହାତ୍ମାର ପଦବୀ ମିଳେ, ତା’ହେଲେ କେଉଁ ହତଭାଗିନୀର ମାଂସ ଓ କେଉଁ କାମୁକର ଜାନ୍ତବ କ୍ଷୁଧା ଭିତରେ ଦଲାଲୀ କଲେ, ତାହା ନିନ୍ଦନୀୟ ହେବ କାହିଁକି ? + ବିଚିତ୍ର ଏହି ଦଲାଲୀ ସଭ୍ୟତା ଓ ବଣିଆ ସଂସ୍କୃତି ! + ଶେଷକୁ କେଉଁଦିନ ଏ ଦେଶର ଆତ୍ମାକୁ ନେଇ ଯେ ଏମାନେ ବିକ୍ରୀ କରିଦେବେ, ତା’ର ଠିକଣା ନାହିଁ ! + ଦଲାଲୀ ପରସେଣ୍ଟଜ୍ ଟା ତ ମିଳିବ- କ୍ଷତି କ’ଣ ? +ଜଣେ କିଏ ଗୋଟିଏ ଖୁମ୍ବର ଉଢ଼ାଳ ଛାଇରେ ଠିଆ ହୋଇଥିଲା । +ମୋତେ ଦେଖି ଶିକାରୀ ପରି ଝାମ୍ପ ଦେଇ ମୋ ଆଗରେ ଆସି ଠିଆ ହୋଇଗଲା । +ସେହି ଏକା ବିଜ୍ଞାପନ; ‘ବେଶୀ ଦୂର ନୁହେଁ ବାବୁ, ଏଇ ପାର୍କଷ୍ଟ୍ରୀଟ୍ ମୋଡ଼ ଉପରେ !’ +ପଛକୁ ଫେରି ଚାହିଁଲି, ସେ ପ୍ରଥମ ଲୋକଟା ଜଣେ ସାହେବୀ-ପୋଷାକ ପରିହିତ ବିଳାସୀଙ୍କୁ ଧରି ଗୋଟାଏ ଟାକ୍ସିରେ ଉଠୁଛି !… ଆଗକୁ ଆଗକୁ ଅନାସକ୍ତ ଭାବରେ ଚାଲିଲି; ଯେମିତି କିଛି କଥା ଶୁଣିନାହିଁ ! ସେ ଲୋକଟା ମୋ ପଛରେ କେଇ ପାହୁଣ୍ଡ ଆସି ପୁଣି ଫେରିଗଲା । +ଗୋଟିଏ ଘୋଡ଼ାଗାଡ଼ିବାଲା, ରାସ୍ତା ଉପରେ ବଗି ଛୁଟାଇ ନେଉ ନେଉ ଦିଲ୍‌ଦାରିଆ କଣ୍ଠରେ ଡାକିଲା … ‘ଆଇୟେ ସା’ବ୍‌, ବଡ଼ାବଜାର ! ବଡ଼ାବଜାର ସା’ବ୍‌ ।’ +ପୁଣି ଆଉ ଜଣେ । +ସେଇ ଏକ କଥା… ‘ଏଇ ପାର୍କଷ୍ଟ୍ରୀଟ୍‌ ମୋଡ଼ ଉପରେ !’ ସେ ଲୋକଟା ଆଡ଼େ ଥରେ ଚାହିଁଲି !- ପାର୍କଷ୍ଟ୍ରୀଟ୍‌ ମୋଡ଼ର କଥା, ସେ ବିଷଦ ଭାବରେ ବର୍ଣ୍ଣନା କରିବାକୁ ଲାଗିଲା । +ପଚାରିଲି… ‘ଏହା କ’ଣ ରୋଜଗାର ?’ +ସେ ଲୋକଟା ନିର୍ବିକାର ଭାବରେ ଜବାବ ଦେଲା… +‘ହଁ ବାବୁ, ପରସେଣ୍ଟଜ୍‌ ଆଉ ବକ୍‌ଶିଶ୍‌ରୁ ରୋଜଗାର ମନ୍ଦ ହୁଏ ନାହିଁ !’ +ତା’ପରେ ଚାଲିଲା ପାର୍କଷ୍ଟ୍ରୀଟ୍‌ ମୋଡ଼ର ଲୋଭନୀୟ ବିଜ୍ଞାପନ ! +ପାର୍କଷ୍ଟ୍ରୀଟ୍‌ ମୋଡ଼ ନୁହେଁ, ତାର ଆହୁରି ଆଗକୁ । +ମାର୍ଚ୍ଚ ମାସର ରାତି ! ତଳର ମାଟି ଉପରୁ ଗୋଟାଏ ଗରମ ବାଷ୍ପ ବାହାରୁଛି । +ସର୍ବଂସହା ଧରଣୀର ମର୍ମଭେଦୀ ଦୀର୍ଘଶ୍ବାସ ! ନିଶ୍ବାସ ରୁନ୍ଧି ହୋଇ ଆସିଲା ପରି ଲାଗୁଛି । + ରାସ୍ତାର ଡାହାଣ ପାଖରେ ଶିମିଳି ଗଛଗୁଡ଼ାକରେ ଧରିଛି ଅସୁମାରି ଫୁଲ, ପାରାଭାଡ଼ି ପରି ଉଞ୍ଚା କୋଠାଗୁଡ଼ାକରେ କେତେ ହଜାର ହଜାର ପରିବାର ଅବିକା ହୁଏତ ନିଦ୍ରା ଅଚେତନ ହୋଇ ପଡ଼ିବେଣି.. ସ୍ବାମୀ, ସ୍ତ୍ରୀ, ଭାଇ, ଭଉଣୀ, ବାପ, ଝିଅ, ସମସ୍ତେ ! +ଗୋଟାଏ ଗଳି, ତା’ପରେ ଗୋଟାଏ ଉପଗଳି, ସେଇ ଉପଗଳି ଯେଉଁଠି ଶେଷ ହୋଇଛି, ସେଠି ତଳ ମହଲାର ଗୋଟାଏ ଫ୍ଲାଟ୍‌ । + ଉପରେ ଫ୍ଲାଟ୍‌ଗୁଡ଼ାକରେ ଶୁଭୁଛି ଉଚ୍ଛୃଙ୍ଖଳ ହସ, ମାତାଲ କଣ୍ଠର କୋଳାହଳ…! ଏଇ ତା’ହେଲେ ପାର୍କଷ୍ଟ୍ରୀଟ୍‌ ମୋଡ଼! +ସେ ଲୋକଟା ବାହାରୁ ଦରଜା ଶିକୁଳୀ ହଲାଇ ଡାକିଲା । +ଦରଜା ଖୋଲିଗଲା । +ଯିଏ ଦରଜା ଖୋଲିଲେ, ସେହି ହୁଏତ ପାର୍କଷ୍ଟ୍ରୀଟ୍‌ମୋଡ଼ର ବିଳାସିନୀ ! ଲଜ୍ଜାରେ ମୁଣ୍ଡ ତଳକୁ କରିନେଲି ! ତଳକୁ ଚାହିଁ କ’ଣ ଯେ ଭାବୁଥିଲି, ନିଜେ ଜାଣେନା । +ଲୋକଟା ମୋତେ ସାମାନ୍ୟ ଠେଲିଦେଇ କହିଲା… ‘ବାବୁ, ବକ୍‌ଶିଶ୍‌!’ ପକେଟ୍‌ରୁ ଖଣ୍ଡେ ପାଞ୍ଚଟଙ୍କିଆ ନୋଟ୍‌ କାଢ଼ି ସେ ଲୋକଟାର ହାତରେ ଗୁଞ୍ଜିଦେଲି । + ସେ କୃତକୃତ୍ୟ ହୋଇ ନିତ୍ୟଅଭ୍ୟସ୍ତ ଭଙ୍ଗୀରେ କହିଲା… ‘ସଲାମ୍‌!’ ତା’ପରେ ପାର୍କଷ୍ଟ୍ରୀଟ୍‌ ମୋଡ଼ର ଅଧିବାସୀଙ୍କ ଆଡ଼େ ଚାହିଁ କହିଲା, ‘ମୋତେ ମିଳିଯାଉ ଦିଦି !’ +ମୁଁ ପଚାରିଲି… ‘ଆଉ କ’ଣ ?’ +ସେ ଲୋକଟା କହିଲା,… ‘ମୋର ପର୍‌ସେଣ୍ଟେଜ୍‌!’ +ଆଉ ଖଣ୍ଡେ ପାଞ୍ଚଟଙ୍କିଆ ନୋଟ୍‌ ସେ ଲୋକଟା ହାତରେ ଗୁଞ୍ଜି ଦେଇ କହିଲି,… ‘ଯାଅ ଏଥର !’ +ସେ ଲୋକଟା ହୁଇସିଲ ମାରି ମାରି ବେପରୁଆ ଭାବରେ ଚାଲିଗଲା । +ପାର୍କଷ୍ଟ୍ରୀଟ୍‌ ମୋଡ଼ର ଅଧିବାସିନୀ ମୋ ଆଡ଼େ କିଛି ସମୟ ବିସ୍ମିତ ଆଖିରେ ଚାହିଁ କହିଲେ, ‘ଭିତରକୁ ଆସନ୍ତୁ ।’ +ଶୋଷରେ ତଣ୍ଟିଟା କିପରି ଶୁଖି ଆସିଛି । + ଭିତରକୁ ଯାଇ ପଚାରିଲି, ‘କିଛି ପିଇବାକୁ ଦେଇ ପାରିବ ?’ +ସେ ସ୍ତ୍ରୀ ଲୋକଟି କହିଲା, ‘ନିଶ୍ଚୟ ।’ +ତା’ପରେ ଗୋଟିଏ ଝିଅର ନାଁ ଧରି ଡାକିଲା- +‘ମିନୁ, ମିନୁ !’ +କିଛି ସମୟ ପରେ ତେର ଚଉଦ ବର୍ଷର ଝିଅଟିଏ ଆସିଲା ନିଦ ମଳମଳ ଆଖିରେ, ମୁହଁରେ ତାର ବିରକ୍ତିର ଚିହ୍ନ ସୁସ୍ପଷ୍ଟ । +ମାତ୍ର ସେଥିରେ ତାର ଉଦ୍ଭିନ୍ନ କମଳ ପରି ମୁଖମଣ୍ଡଳର ସୌନ୍ଦର୍ଯ୍ୟ ଯେପରି ଆହୁରି ଶତଗୁଣ ବଢ଼ି ଉଠିଛି । +ସେ ସ୍ତ୍ରୀଲୋକଟି କହିଲା… ‘ଗୋଟାଏ ବିୟରରେ ବରଫ ଦେଇ ନେଇ ଆ ତ, ମିନୁ ।’ +ଯାହା ହେଉ, ଭଦ୍ର ମହିଳାଙ୍କର ରୁଚି ଅଛି । +ଆଶ୍ବସ୍ତ ହେଲି ! ମିନୁ ଚାଲିଗଲା । +ନିଦ୍ରାଶିଥିଳିତ ବେଣୀ, କେଉଁ କାମୁକର ବ୍ୟଗ୍ର ବାହୁ ପରି, ମାଂସଳ ନିତମ୍ବକୁ ତା’ର ବାରମ୍ବାର ବେଷ୍ଟନ କରି ଯାଉଥିଲା । +ବେଣୀରେ ବାନ୍ଧିଥିଲା ପୁଣି ଗୋଟିଏ ରକ୍ତ ଗୋଲାପ । + ତାହା କିନ୍ତୁ ମଥିତ, ମଳିନ ଦିଶୁଥିଲା ! +ସେଇଆଡ଼େ ଚାହିଁ ରହିଥିଲି ମୁଗ୍ଧ ଆଖିରେ । +ସେ ସ୍ତ୍ରୀ ଲୋକଟି କହିଲା, ‘ସେ ମୋର ଭଉଣୀ ବାବୁ । +କିନ୍ତୁ ତାର ଶୁଭବଳି ହୋଇନାହିଁ ।’ +ସେ ହୁଏତ ଆଶଙ୍କା କରୁଥିଲା, ମୁଁ ମିନୁର ମାଂସ ପାଇଁ ଅଡ଼ି ବସିବି । +ମାତ୍ର ଏ ମାଂସ କ’ଣ, ଦେହର କ୍ଷୁଧା ମେଣ୍ଟାଇଛି କେବେ ? ଏ ମାଂସ କେବଳ ମନର କ୍ଷୁଧାପାଇଁ । +ନିଜର କନ୍ୟା ପରି ମିନୁକୁ ସ୍ନେହ କରିହୁଏ, କିନ୍ତୁ ବାରବିଳାସିନୀ ପରି ତାକୁ ଉପଭୋଗ କରିହେବ ନାହିଁ । +ମିନୁ ଗୋଟିଏ ଟ୍ରେରେ ବରଫ ମିଶା ଗୋଟିଏ ବିୟର ଗ୍ଲାସ୍‌ ଆଣି ରଖି ଦେଇଗଲା । +ସେ ସ୍ତ୍ରୀ ଲୋକଟି କହିଲା, ‘ସିଗାରେଟ୍‌ ଆଣିଲୁ ନାହିଁ ଯେ !’ +ମିନୁ ସିଗାରେଟ୍‌ ଆଣିବା ପାଇଁ ଚାଲିଯାଉଥିଲା । +ମୁଁ କହିଲି, ‘ମୋ ପାଖରେ ସିଗାରେଟ୍‌ ଅଛି, ବସ ତମେ ।’ +ମିନୁ ବସିଲା । +ନିଦରେ ଆଖି ଦୁଇଟା ତା’ର ଭାଙ୍ଗିପଡ଼ୁଥିଲା ! ଇଚ୍ଛା ହେଉଥିଲା, ମିନୁର ମୁଣ୍ଡକୁ କୋଳରେ ରଖି ତା’କୁ ଶୁଣାଇବା ପାଇଁ ଉପକଥାର ରାଜପୁତ୍ର ଓ ରାଜକନ୍ୟାର କଥା । +ମନପବନ ଘୋଡ଼ା ଉପରେ ବସିଛି ରାଜକୁମାର । +କୋଳରେ ତା’ର ରାଜକୁମାରୀ ! ମନପବନ ଘୋଡ଼ା ତୀର ବେଗରେ ଉଡ଼ି ଚାଲିଛି । +ଆଉ ପଛରେ ଛୁଟିଛି ଗୁହାଫେରନ୍ତା କ୍ଷୁଧାର୍ତ୍ତ ଦୁର୍ଦ୍ଦାନ୍ତ ରାକ୍ଷସ । +ମିନୁ ଭିଡ଼ିମୋଡ଼ି ହୋଇ କହିଲା, ‘ମୁଁ ଯାଉଛି ଦିଦି, ମୁଣ୍ଡ ବିନ୍ଧିଲାଣି ।’ +ମିନୁ ଉଠିଗଲା । +ଉଚ୍ଛଳ ସେଇ ଦୁଇ ବର୍ତ୍ତୁଳ ନିତମ୍ବ ଉପରେ ନର୍ତ୍ତିଳ ଦୀର୍ଘ କବରୀ । +ମିନୁ କିନ୍ତୁ ପଛରେ ରଖିଗଲା କରୁଣା, ସମବେଦନା, ବାତ୍ସଲ୍ୟ, ଘୃଣା, ସ୍ନେହ ଓ ପ୍ରବୃତ୍ତି ପ୍ରଭୃତି କେତେଗୁଡ଼ିଏ ପରସ୍ପର-ବିରୋଧୀ ଆବେଗର ମିଳିତ ଆବେଶ । +ମିନୁ ଚାଲିଯିବା ପରେ, ଚାହିଁଲି ସେ ସ୍ତ୍ରୀ ଲୋକଟି ଆଡ଼େ । +ବୟସ ଚାଳିଶିର ପାଖାପାଖି ହେବ । +ଦେହର ଚମ ଶିଥିଳ ହୋଇଗଲାଣି । +ମୁହଁ ଉପରେ, ଦୁଇ ଆଖି କୋଣରେ ବୟସ କେତୋଟି କୁଟିଳ ରେଖା ଟାଣି ଦେଇ ଗଲାଣି । +ତଥାପି ଚେଷ୍ଟାକରି ସେ ନିଜକୁ ଯୁବତୀ କରିବାରେ କାର୍ପଣ୍ୟ କରିନାହିଁ । +ମୁହଁ ଉପରଯାକ ବୋଳା ହୋଇଛି ପେଣ୍ଟ୍‌ । +ଓଠରେ ଲିପିଷ୍ଟିକ୍‌, ଗାଲରେ ରୁଜ୍‌, କିନ୍ତୁ ଏହା ଫଳରେ ବୟସ ତା’ର ଯେମିତି ଆହୁରି ଦଶବର୍ଷ ଆଗେଇ ଯାଇଛି । +ପୁଅ ଥିଲେ ତା’ର କେଜାଣି, ମୋରି ବୟସର ହୁଅନ୍ତାଣି । +ଅଥଚ ଆଜି ସେ ଆଉ ମୁଁ… ପାର୍କଷ୍ଟ୍ରୀଟ୍‌ ମୋଡ଼ର ଏଇ ଫ୍ଲାଟ… ସୋଫା ତଳେ ବିୟର ବୋତଲ ଦୁଇଟା ପଡ଼ିଛି ଖାଲିହୋଇ… ପାଖର ଆସ୍‌ଟ୍ରେ ଟା ଖଣ୍ଡିଆ ସିଗାରେଟ୍‌ରେ ରୁନ୍ଧି ହୋଇଗଲାଣି । +କି ଭୀଷଣ ଏ ନାରୀମୂର୍ତ୍ତି ! ଏ ଶିଥିଳ ଲୋଳଚର୍ମ ତଳେ ଦିନେ ବଞ୍ଚିଥିଲା ଯେଉଁ କନ୍ୟା, ବଧୂ ଓ ମାତା, ତାକୁ ବଞ୍ଚିବାର ଏକ ବିକଟ ବାସ୍ତବତା ଅତି ନିର୍ମମ ଭାବରେ ହତ୍ୟା କରି ଆଜି ବଞ୍ଚାଇ ରଖିଛି ଯାହାକୁ, ସେ ନାରୀରୂପିଣୀ ବୀଭତ୍ସ ମହାକ୍ଷୁଧା । +ମନୁଷ୍ୟର ଆତ୍ମାକୁ ଗ୍ରାସକରି ସୁଦ୍ଧା ତାହାର କ୍ଷୁଧା-ନିବୃତ୍ତ ହୋଇନାହିଁ । +କି ଭୀଷଣ ! କି ବିକଟ ! ଲୋମ ମୋର ତଥାପି ଟାଙ୍କୁରି ଉଠିଲା, ଘୃଣାରେ । +ପ୍ରତ୍ୟେକର ଚେହେରାରେ ଏମିତି କିଛିନା କିଛି ଥାଏ, ଯାହା ମନେ ପକାଇଦିଏ ଆଉ ଜଣକର କଥା । +ସେହିପରି ସେ ସ୍ତ୍ରୀଲୋକଟିର ଦୁଇ ନାକପୁଡ଼ାଠାରୁ ଚିବୁକ ପର୍ଯ୍ୟନ୍ତ ଅର୍ଦ୍ଧବୃତ୍ତାକାରରେ ଲମ୍ବି ଆସିଥିବା ଦୁଇଟି ଗଭୀର ରେଖା, ମନେ ପକାଇ ଦେଲା ମୋର ଆଉ ଜଣେ ସ୍ତ୍ରୀଲୋକର କଥା । +ହାଓଡ଼ାଠାରୁ ସେଥର ଯାଉଥିଲି ଦିଲ୍ଲୀ-ପଞ୍ଜାବ ମେଲ୍‌ରେ । +ଇଣ୍ଟରକ୍ଲାସ୍‌ ଡବାରେ ଭୀଷଣ ଭିଡ଼ । +ତିଳଧାରଣ ପାଇଁ ସ୍ଥାନ ନ ଥିଲା । +ହାଓଡ଼ାଠାରୁ ଆସାନ୍‌ସୋଲ ପର୍ଯ୍ୟନ୍ତ ଯାଇଥିଲି ଠିଆ ହୋଇ । +ଗୋଟିଏ କୋଣରେ ଲମ୍ବା ବର୍ଥର ଶେଷକୁ ଜଣେ ହିନ୍ଦୁସ୍ଥାନୀ ମହିଳା ବସିଥିଲେ କମ୍ବଳ ବିଛାଇ । +ମୋତେ ଦେଖି କହିଲେ… ‘ଆଉ କେତେ ଠିଆ ହୋଇ ଯିବ ବାପା ! ବସିପଡ଼ ଏଇଠି ।’ +ସଙ୍କୋଚରେ ତାଙ୍କ ପାଖରେ ଜାକିଜୁକି ହୋଇ ବସିଥିଲି । + ସ୍ବଚ୍ଛନ୍ଦ ଭାବରେ ବସିବା ପାଇଁ ସେ ମୋତେ ଅଭୟ ଶୁଣାଇ କହିଲେ… +‘ଲଜ୍ଜା କ’ଣ ବାବୁ ! ତମେ ତ ମୋ ପୁଅ ବୟସର । +ମୋ ପୁଅ ବି ଅଛି ଦିଲ୍ଲୀରେ । + ମୁଁ ତା’ପାଖକୁ ଯାଉଛି ଯେ !’ +ତାଙ୍କର ମଧ୍ୟ ଦୁଇ ନାକପୁଡ଼ା ତଳୁ ଚିବୁକ ପର୍ଯ୍ୟନ୍ତ ଲମ୍ବି ଆସିଥିଲା ଦୁଇଟି ଅର୍ଦ୍ଧବୃତ୍ତାକାର ରେଖା । +ସେ ରେଖା କିନ୍ତୁ ଥିଲା କୋମଳ ଓ ମସୃଣ, ଏପରି କଠୋର ନୁହେଁ । +ଏ ସ୍ତ୍ରୀଲୋକଟି ମୋତେ ସେମିତି କେଉଁଠି ବାଟରେ ଘାଟରେ ଦେଖିଥିଲେ, ନିଶ୍ଚୟ ସମ୍ବୋଧନ କରିଥାନ୍ତା ‘ବାପା’ ବୋଲି । +ଆଜି କିନ୍ତୁ ଏଇ ପାର୍କଷ୍ଟ୍ରୀଟ୍‌ ମୋଡ଼, ରାତି ଦୁଇଟା ବାଜିବାକୁ ପନ୍ଦର ମିନିଟ୍‌ ବାକି, ମୋ ଆଗରେ ବସିଛି ସେ ମୁହଁରେ ରୁଜ୍‌ ପାଉଡ଼ର ମାଖି ! +ନୀରବତା କ୍ରମେ ଅସହ୍ୟ ହୋଇ ଉଠୁଛି । +ଏଠୁ ପଳାଇ ପାରିଲେ ଯେପରି ରକ୍ଷା । +ପଚାରିଲ ‘ତୁମ ନାଁ କ’ଣ ?’ +ସେ କହିଲା- ‘ଚନ୍ଦ୍ରା’ ! ତା’ପରେ ଅଭ୍ୟସ୍ତ କଣ୍ଠରେ କହିଲା… ‘ଭିତରକୁ ଆସନ୍ତୁନା ! ଏଠି ଆଉ କେତେବେଳ ଯାଏ ବସିବେ ?’ +ଦୁଇଖଣ୍ଡ ନୋଟ୍‌ କାଢ଼ି ଚନ୍ଦ୍ରା ହାତରେ ଗୁଞ୍ଜିଦେଇ କହିଲି… ‘ରାତି ଅନେକ ହେଲାଣି । + ଯାଉଛି ମୁଁ !’ +ଚନ୍ଦ୍ରା ହୁଏତ ମନେମନେ ଭାବୁଥିଲା ଏ ଅପ୍ରତ୍ୟାଶିତ ଅର୍ଥ ଉପରେ ତା’ର କୌଣସି ନୈତିକ ଅଧିକାର ନାହିଁ । + ତେଣୁ ସେ ପୁଣି କ’ଣ କହିବାକୁ ବସିଥିଲା, ସେତିକିବେଳେ ଦରଜା ଖୋଲି, ମୁଁ କହିଲି… +‘ମିନୁକୁ ଅଧେ ଦେଇଦେବ ସେଥିରୁ !’ +ଚନ୍ଦ୍ରା କହିଲା… ‘କିନ୍ତୁ ତା’ର ଶୁଭବଳି ପଡ଼ିନାହିଁ ଯେ !’ +ଚାଲି ଯାଉଁ ଯାଉଁ ମୁଁ ଶୁଣିଲି । +ମାର୍ଚ୍ଚର ଜ୍ୟୋତ୍ସ୍ନାଚପଳ ରାତ୍ରି ମୁହୂର୍ତ୍ତକ ମଧ୍ୟରେ ବିଷାକ୍ତ ହୋଉଠିଲା । +ଦିନେ ମିନୁର ଶୁଭବଳି ପଡ଼ିବ । + ତା’ପରେ ତାର ମାଂସ ବାଣ୍ଟି ଖାଇବେ ମହାନଗରୀର ବିଳାସୀମାନେ ! ଯେଉଁଦିନ ସେ ମାଂସ ସରିଯିବ, ସେଦିନ ସେ ଫିଙ୍ଗାହେବ ଉଚ୍ଚିଷ୍ଟ ମାଂସହାଡ଼ ପରି କେଉଁଠି କେଉଁ ନର୍ଦ୍ଦମାରେ ! +ତା’ପର ଦିନ ରାତି ବାରଟା । + ସେଇ ଚୌରଙ୍ଗୀ ପେଭ୍‌ମେଣ୍ଟ, ସେଇ ପ୍ରଶ୍ନ… ‘ଛୋକ୍‌ରୀ ମାଙ୍ଗ୍‌ତେ ହେଁ ସାହେବ ?’ +ମୁଁ ଚାଲିଛି ପାର୍କଷ୍ଟ୍ରୀଟ୍‌ ମୋଡ଼ ଉପରେ ସେଇ ଫ୍ଲାଟ୍‌ ଆଡ଼େ ! +ସେଇ ଫ୍ଲାଟ୍‌ । +ଭିତରୁ ଦରଜା ବନ୍ଦ । +କଡ଼ା ଝଣ ଝଣ କଲି । +ଦରଜା ଫିଟିଲା । +ମିନତି କହିଲା… ‘ଆସନ୍ତୁ ।’ +ଭିତରକୁ ଯାଇଁ ଗତ ରାତିର ସେଇ ସୋଫା ଉପରେ ବସି ପଡ଼ିଲି । + ମିନତିର ଉଦ୍ଭିନ୍ନ-କମଳ-ମୁଖ, କାଲିଠାରୁ କିନ୍ତୁ ଆହୁରି ସୁନ୍ଦର, ଆହୁରି ପ୍ରସନ୍ନ ! +ମିନତି କହିଲା… ‘ଭିତରେ କିଏ ଦୁଇଜଣ ଅଛନ୍ତି । +ଦିଦି ଅବିକା ଆସିବେ, ଆପଣ ବସନ୍ତୁ । + ମୁଁ ବିୟର୍‌ ନେଇ ଆସେ !’ +ମୁଁ କହିଲି… ‘ନାଁ, ଖାଲି ପାଣି ଆଣ ମିନୁ ।’ +କିଛି ସମୟ ପରେ ମିନତି ଗୋଟିଏ ଗ୍ଲାସ୍‌ରେ ପାଣି ଆଣି ପାଖରେ ଟି’ପୟ ଉପରେ ରଖିଦେଇ ଚାଲି ଯାଉଥିଲା । + ମୁଁ କହିଲି… ‘ବସ ମିନୁ !’ +ଦ୍ବିଧା ଓ ସଙ୍କୋଚରେ ମିନୁ ମୋରି ସୋଫାର ଗୋଟିଏ କୋଣରେ ବସିଲା । +ମୁଁ ପଚାରିଲି… ‘ତମ ଘର କେଉଁଠି ମିନୁ ?’ +ମିନୁର ଦୁଇଆଖି ଏଇ ପ୍ରଶ୍ନରେ ଛଳଛଳ ହୋଇ ଉଠିଲା । + କ୍ରମେ ତା’ର ଦୁଇ ନିଟୋଳ ଗଣ୍ଡ ଉପରେ ବହି ଆସିଲା ଦୁଇ ଧାର ଲୁହ ! +ମୁଁ ପଚାରିଲି… ‘କାନ୍ଦିଲ ଯେ !’ +ସେ କହିଲା… ‘ଆମ ଘର ଏଠୁ ଅନେକ ଦୂର, ବାବୁ ! ଆମେ ପଳାଇ ଆସୁଥିଲୁ । +ମୋ ବାପା କେଉଁଠି ହଜିଲେ । +ଭାଇ ହାଣ ମୁହଁରେ ମଲା ।’ +‘ମା ଶେଷକୁ ମୋତେ ଏଇଠି…’ ଆଉ କିଛି କହିପାରିଲା ନାହିଁ । +ହତଭାଗିନୀ ମାତା ଶେଷକୁ ନିଜ ଜୀବନର ଭାରକୁ ଉଶ୍ବାସ କରିବା ଲାଗି, ତାକୁ ବିକ୍ରୀ କରି ଦେଇ ଯାଇଛି, ଏଇ ପାର୍କଷ୍ଟ୍ରୀଟ୍‌ ମୋଡ଼ରେ । +ଏ ପୃଥିବୀରେ ଆଜି କାନ୍ଦିବା ପାଇଁ ଏତେ ଉପାଦାନ ମିଳୁଛି ଯେ, କାନ୍ଦିବା ଅତି ସ୍ବାଭାବିକ ହୋଇ ଉଠିଛି । +ଆଉ ଲୁହ ନାହିଁ; ସେଇଥିପାଇଁ ମିନୁ ସଙ୍ଗରେ ଆଖିର ଲୁହ ମିଶାଇ କାନ୍ଦି ପାରିଲି ନାହିଁ । +ପଚାରିଲି, ‘ତୁମେ ପାଠ ପଢ଼ିଛ ମିନୁ ?’ +ମିନୁ କହିଲା, ‘ହଁ, ବହି ପଢ଼ିପାରେ ।’ +ପକେଟ୍‌ରୁ ଖଣ୍ଡେ ଛୋଟ ରୂପକଥାର ବହି କାଢ଼ି ତା’ ହାତରେ ଦେଇ କହିଲି… ‘ମନ ଯେତେବେଳେ ବେଶୀ ଖରାପ ହେବ, ସେତେବେଳେ ବହି ଖଣ୍ଡକ ପଢ଼ିବ ମିନୁ, ରଖିଥାଅ ।’ +କୁମାରୀସୁଲଭ ଚପଳତାରେ ମିନୁ ବହିର ସୁନ୍ଦର ମଲାଟଟା ଉପରେ କେଇଥର ହାତ ବୁଲାଇ ନେଲା । +ବହିର ମଲାଟ ଉପରେ କେଉଁ ସେ ନାଁ ଅଜଣା ଦେଶର ରାଜକୁମାରର ଚିତ୍ର । +ମନପବନ ଘୋଡ଼ାରେ ଉଡ଼ି ଚାଲିଛି, ବନ୍ଦିନୀ ରାଜକନ୍ୟାକୁ ମୁକ୍ତ କରିବା ପାଇଁ । +କେଜାଣି ମିନୁ ହୁଏତ ଭାବୁଥିଲା ତା’ର ସ୍ବପ୍ନର ରାଜକୁମାର କେବେ ଆସିବ କି ? ନା, ହୁଏତ ଆସିବ ନାହିଁ । +ମହାନଗରୀର ଉପକଣ୍ଠର ଅଗନାଗ୍ନି ବନସ୍ତ ମଝିରେ ମନପବନ ଘୋଡ଼ାର ପକ୍ଷ ଭାଙ୍ଗିପଡ଼ିଛି । +ଶିଡ଼ିରେ ଚନ୍ଦ୍ରା ଆଉ ତା’ର ଦୁଇ ମଦ୍ୟପ ବିଳାସୀଙ୍କର ଉଚ୍ଛୃଙ୍ଖଳ ପାଦଶବ୍ଦ ଶୁଭିଲା । +ମିନତି ଉଠି ଚାଲିଗଲା । +ସେ ଦୁଇଜଣ ଚାଲିଗଲେ । +ଚନ୍ଦ୍ରା ଦରଜା ବନ୍ଦକରି ମୋ ପାଖରେ ଆସି ବସି ପଡ଼ିଲା । +ଦେହରୁ ତା’ର ବାହାରୁଥିଲା ଶସ୍ତା ଜୀନ୍‌ର କଡ଼ା ଗନ୍ଧ । +ଘୃଣାରେ ଘୁଞ୍ଚି ଆସିଲି । +ଚନ୍ଦ୍ରା କହିଲା- ‘ଆଜି ଆଉ ଏଠି ନୁହେଁ ବାବୁ, ଉପରକୁ ଆସନ୍ତୁ ।’ +ଇଚ୍ଛା ନଥିଲା; ମାତ୍ର ଅଦମ୍ୟ କୌତୂହଳ ଦମନ କରି ନ ପାରି ଚନ୍ଦ୍ରାର ପ୍ରସ୍ତାବରେ ସମ୍ମତ ହୋଇ ତା’ ପଛେ ପଛେ ଉପରକୁ ଆସିଲି । +ଉପର ମହଲାରେ ଚନ୍ଦ୍ରାର କେଳି ମନ୍ଦିର । +ଭିତରଟାଯାକ ହୁଇସ୍କି, ସୋଡ଼ା ବୋତଲ, ଆଉ ସିଗାରେଟ୍‌ ଭୁଣ୍ଡି । +ଚନ୍ଦ୍ରା ଖଣ୍ଡେ ସୋଫା ଉପରେ ବସି ପଡ଼ିଲା । +ଜୀନ୍‌ ଓ ହୁଇସ୍କି ନିଶାରେ ତା’ର ମୁଣ୍ଡ ଧରିଥିଲା । +ହଠାତ୍‌ ଆଖି ପଡ଼ିଲା ମୋର, ଚନ୍ଦ୍ରାର ଡ୍ରେସିଂ ଟେବୁଲ ଉପରେ ଖଣ୍ଡେ ଫ୍ରେମବନ୍ଧା ଫଟୋ ଉପରେ । +ଫଟୋଟି ଜଣେ ସୌମ୍ୟ-ଦର୍ଶନ ଯୁବକର । +ପାଖକୁ ଯାଇଁ ସେ ଫଟୋଟିକୁ ଦେଖିଲି । +ଚନ୍ଦ୍ରା ଝଡ଼ ପରି ସୋଫା ଉପରୁ ଉଠିଆସି, ସେ ଫଟୋ ଖଣ୍ଡକ ଡ୍ରୟାର ଭିତରେ ପୂରାଇ ବନ୍ଦ କରିଦେଲା । +ମୁଁ ବିସ୍ମିତ କଣ୍ଠରେ ପଚାରିଲି- ‘ଭୟନାହିଁ ଚନ୍ଦ୍ରା । + ତୁମର ପ୍ରେମିକ ଶିରୋମଣିଙ୍କୁ ଥରେ ଭଲକରି ଦେଖିଲେ କ୍ଷତି କ’ଣ ?’ +ଚନ୍ଦ୍ର ଅଶ୍ରୁ ଉଦ୍‌ବେଳିତ କଣ୍ଠରେ କାନ୍ଦି କାନ୍ଦି କହିଲା- ‘ଜାଣ, ଜାଣ ବାବୁ, କିଏ ସେ ! ସେ ମୋର ନିଜର ପୁଅ-ଜନ୍ମ ଦେଇଥିଲି ଯାହାକୁ ଦଶମାସ ଗର୍ଭରେ ଧରି ! ଜାରଜ ନୁହେଁ ସେ ବାବୁ, ତା’ ବାପର ପୁଅ । +ଓଃ ସେଦିନ ତାକୁ ମୋ’ରି ଆଖି ଆଗରେ ହାଣି ପକାଇଲେ । +ମଣିଷ କେମିତି ପଶୁ ହୁଏ, ସେହିଦିନ ମୁଁ ଦେଖିଛି । +ସ୍ବାମୀକୁ ମାରିଲେ ସେମିତି । +ତା’ପରେ ମୋତେ କେବଳ ବଞ୍ଚାଇଲେ, ମୋର ଦେହଲାଗି । + ସେହି ଭୁକ୍ତାବିଶିଷ୍ଟ ଦେହକୁ କୌଣସି ମତେ ବଞ୍ଚାଇ ମୁଁ ପଳାଇ ଆସିଛି ଏଠିକି !’ +ଚନ୍ଦ୍ରା ମୋର ଛାତି ଉପରେ ମୁହଁ ଲୁଚାଇ ଅବୋଧ ବାଳିକା ପରି କାନ୍ଦିବାକୁ ଲାଗିଲା । +ଜୀନ୍‌ର କଦର୍ଯ୍ୟ ଗନ୍ଧ ଯୋଗୁଁ ଇଚ୍ଛା ହେଉଥିଲା ତାକୁ ଠେଲି ଫିଙ୍ଗି ଦେବା ପାଇଁ । + ତଥାପି, ଯେତେ ଇଚ୍ଛା ହୁଏ କାନ୍ଦ, କାନ୍ଦ ଚନ୍ଦ୍ରା- କାନ୍ଦିଲେ ଯଦି ତୁମର ଅତ୍ୟାଚାରିତ ଆତ୍ମା ଶାନ୍ତି ପାଇପାରେ ! +କିଛି ସମୟ ପରେ ଚନ୍ଦ୍ରା ମୋ ଛାତି ଉପରୁ ମୁହଁ ଉଠାଇ ଲୁହ ପୋଛିଲା । +ମୁହଁର ପେଣ୍ଟ୍‌ ଲୁହରେ ଠାଏଁ ଠାଏଁ ଧୋଇଯାଇ ଦିଶୁଥିଲା ତଳର କଳା ଶେତ ଚମଡ଼ା… ଅତି କଦର୍ଯ୍ୟ ଓ ବୀଭତ୍ସ । +କଲେଇଛଡ଼ା ଟିଣପରି । +ଚନ୍ଦ୍ରାର ଦୁଇ ଆଖିରେ ଦୁଇବିନ୍ଦୁ ଲୁହ ଜଳୁଥିଲା, ଦୁଇମୁଣ୍ଡା ରଡ଼ନିଆଁ ପରି । +ପକେଟ୍‌ରୁ କେଇ ଖଣ୍ଡ ନୋଟ୍‌ କାଢ଼ି, ଚନ୍ଦ୍ରା ହାତରେ ଗୁଞ୍ଜି ଦେଇ କହିଲି- ‘ମୁଁ ଆସୁଛି ଚନ୍ଦ୍ରା ।’ +ଚନ୍ଦ୍ରା କହିଲା- ‘ନା ବାବୁ ଆଜି ଛାଡ଼ିବି ନାହିଁ ତମକୁ, ସେ ମାତାଲ ଦୁଇଟା… ।’ +ରାତି ଦୁଇଟା ବାଜିବାକୁ ପାଞ୍ଚ ମିନିଟ୍‌ ବାକି । +ମୁଁ କହିଲି- ‘ନାଁ, ମୁଁ ଯିବି ଚନ୍ଦ୍ରା !’ +ଚନ୍ଦ୍ରା ମୋ ମୁହଁ ଉପରେ ତା’ର ଲିପ୍‌ଷ୍ଟିକ୍‌ ମଖା ଓଠ ଚାପି ଧରି କହିଲା, ‘ନା ତମେ ଯାଇ ପାରିବ ନାହିଁ ବାବୁ ।’ +ଦେହ ଉପରେ ମୋର କିଏ ଯେପରି ମାଡ଼ି ଧରିଥିଲା ଖଣ୍ଡେ ଜଳନ୍ତା କୋଇଲା । +ଚନ୍ଦ୍ରାର ରଙ୍ଗଛଡ଼ା ଗାଲ ଉପରେ ଗୋଟାଏ ଚଟକଣା ମାରି କହିଲି- ‘ଛାଡ଼ ମୋତେ ।’ +ଚନ୍ଦ୍ରା ବିସ୍ମିତ ଓ ଆହତ କଣ୍ଠରେ କହିଲା- ‘ବାବୁ’ । +ମୁଁ କହିଲି- ‘ବାବୁ ନୁହେଁ । +ଡାକିବା ପାଇଁ ଇଚ୍ଛା ହୁଏ ତ କୁହ ବାପ ବୋଲି-ତମର ପୁଅ ବଞ୍ଚିଥିଲେ… ।’ +ଚନ୍ଦ୍ରା ମୋ ଛାତି ଉପରେ ମୁହଁ ମାଡ଼ି କାନ୍ଦି କାନ୍ଦି କହିଲା- ‘ହେ ଭଗବାନ ।’ +ବାହାରେ ମହାନଗରୀର ରାତ୍ରି ଉପବାସ କରି ଉଠୁଥିଲା… ‘ହେ ଭଗବାନ ।’ +ଗଙ୍ଗା ଜେଟୀରେ କୁଳଛଡ଼ା ଷ୍ଟିମର୍‌ର ସେହି ଅଶାନ୍ତ ଚିତ୍କାର ଭିତରେ ତାହାର ପ୍ରତିଧ୍ବନି ଶୁଭୁଥିଲା ।