diff --git a/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_nabapratibha_6 b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_nabapratibha_6 new file mode 100644 index 0000000000000000000000000000000000000000..55572139430f192645665b3ac0e63426781adf5c --- /dev/null +++ b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_nabapratibha_6 @@ -0,0 +1,131 @@ +ଚେଷ୍ଟା + ଲିପିକା ମହାପାତ୍ର, କ୍ୟାଲିଫର୍ଣ୍ଣିଆ, ଆମେରିକା +ତା: ଜୁନ୍ ୨୭, ୨୦୧୩ +ମୂଳ ପୃଷ୍ଠା → ପ୍ରବାସରେ ସାହିତ୍ୟ → ଗଳ୍ପ → +ଘିଅମିଶା ସିନ୍ଦୁରକୁ କପାଳରେ ଗୋଲ କରି ଲଗେଇଲା ରମେଇ ମାଁ । +ଆଖିରେ କଜ୍ବଳ, ବେକରେ ମନ୍ଦାର ହାର, ମୁକୁଳା ଘନକେଶ । +ମାଟି କାନ୍ଥରେ ଟଙ୍ଗା ହୋଇଥିବା ଦର୍ପଣରେ ନିଜର ପରିବର୍ତ୍ତିତ ମୁହଁଟାକୁ ପରଖି ନେଲା । +ହଁ …. ସବୁ ଠିକ୍‌ଅଛି । +ଆଶ୍ବସ୍ତ ହେଲା । +ଏଥର କନା ଲୁଗାଟାକୁ ସିଧାକରି ପିନ୍ଧିଲା । +କିଛି ମୁହୂର୍ତ୍ତ ମଧ୍ୟରେ ଲୁଗାଟା ତା’ର କଳାମୁଗୁନି ପଥର ଭଳି ଶରୀରରୁ ଅଲଗା ହେଇଯିବ । +ପାଦ ଫାଟି ରକ୍ତ ଝରିବ । +ମନ୍ଦାର ହାରଟା ଛିଣ୍ଡି ଦାଣ୍ଡ ଅଗଣା ସାରା ବିଛେଇ ହେଇଯିବ । +ସବୁ ବେଠିକ୍‌ ହେଇଯିବ । +ଅନୁଭବୀ ବେପାରି ତା’ର ପ୍ରକୃତ ଗ୍ରାହକ ଚିହ୍ନିଲା ପରି ବେଠିକ୍‌ ଭିତରୁ ଠିକ୍‌ଟା ଯିଏ ଚିହ୍ନିପାରେ ସେ ହିଁ ଜୀବନର ଆନନ୍ଦ ନିଏ । +ଛୋଟ ହସଟେ ତା’ ମୁହଁରେ ଖେଳିଗଲା । +ଉଲ୍ଲାସର ହସ । +ସିନ୍ଦୁରରୁ ଶକ୍ତି ପାଏ ରମେଇ ମାଁ’ । +ରମେଇ ବାପା ଘରଛାଡ଼ି ଚାଲିଗଲାବେଳେ ରମେଇ ମାସକର ହୋଇଥିଲା । +ଝାଟିମାଟି ଘର, ମା’ ଆଉ ପୁଅ । +ଗାଁ ଲୋକେ କେତେ ରକମର ଉଡ଼ାକଥା କୁହନ୍ତି । +ରମେଇ ମାଁ ର ପିଞ୍ଜରା ଭିତରେ ସେକଥା ଭେଦ କରେନି କିମ୍ବା ସିନ୍ଦୁର ଲଗାଇଲାବେଳେ ହାତ ଥରେନି । +ପେଟର ଭୋକ ଭୟଙ୍କର । +କାଙ୍ଗାଳମାନେ କ’ଣ ଜାଣିବେ । +ସେମାନଙ୍କ ପେଟ ଖାଦ୍ୟରେ ପୂର୍ଣ୍ଣ । +କେବଳ ଦେହ ଆଉ ମନର ଭୋକ ପାଇଁ ସେମାନେ ଆତୁର । +ପେଟର ଭୋକ ଶାଖାପ୍ରସାଖା ମେଲାଇ ରକ୍ତମାଂସର ଶରୀରଟିକୁ ଛନ୍ଦି ପକାଏ । +ଶରୀର ଖାଲି ଛଟପଟ ହୁଏ । +ଫୁଟୁଥିବା ଗରମ ପାଣିରେ ଜୀବନ୍ତ କଙ୍କଡ଼ା ପରି । +ଜୀବନଟା ଭୋକ । +ରମେଇର ଢୋଲ ଶୁଭିଲାଣି ଦାଣ୍ଡ ଅଗଣାରୁ । +ପୋଲିଓ ବେମାରି ଯୋଗୁଁ ଗୋଡ଼ ଦିଟା ଛଚିନ୍ଦ୍ରା ଭଳିଆ ସରୁ, ହେଲେ ହାତ ଯୋଡ଼ିକ ଶକ୍ତ ଆଉ ଚଳଚଞ୍ଚଳ । +ଖୁବ୍‌ ସୁନ୍ଦର ଢୋଲ ବଜାଏ ରମେଇ । +ଜୀବନରେ ଅନୁଭବଗୁଡ଼ିକ ତା’ ଢୋଲର ତାଳରେ ଜୀବନ୍ତ ହୋଇ ଉଠନ୍ତି । +ବିଷାଦ, ଶୋକ, ଆନନ୍ଦ, କ୍ରୋଧ, ପ୍ରେମ ଆଉ ଭକ୍ତି.. ଏଇତ ଜୀବନ । +ଦେବତାମାନେ ମଧ୍ୟ ଆଗ୍ରହୀ ଏଇ ଜୀବନର ସ୍ବାଦ ଚାଖିବାକୁ । +ରମେଇ ଢୋଲ ବଜାଏ ମାଁ କୁ ଖୁସି କରିବାକୁ । +ମାଁ ମୁହଁରେ ହସ ଦେଖିଲେ ତାକୁ ଲାଗେ ମାଁ କାନିରେ ପୃଥିବୀଟା ଅଜାଡ଼ି ଦେଲା । +ପୃଥିବୀ, ସିଏ ଆଉ ମାଁ ଝୁମନ୍ତି ଆନନ୍ଦରେ । +ଜୀବନଟା ସହଜ । +ସକାଳର କଅଁଳ ଖରାରେ ଦାଣ୍ଡ ଅଗଣାଟା ସୁନେଲୀ ଦିଶିଲାଣି । +ରମେଇ ମାଁ ପଦାକୁ ବାହାରି ଆସିଲା ମୁଖରେ ଏକ ଅପୂର୍ବ ଠାଣିର ମୁଖାପିନ୍ଧି । +ରମେଇର ପଙ୍ଗୁଗୋଡ଼ ଉପରେ ଚକ୍ଷୁ ମୁହୂର୍ତ୍ତେ ପାଇଁ ସ୍ଥିରକରି ଆରମ୍ଭକଲା ନୃତ୍ୟ । +ଢୋଲର ତାଳରେ, କ୍ରୋଧର ତାଣ୍ଡବ । + ମଝିରେ ମଝିରେ ଚିତ୍କାର କରୁଥାଏ, +‘ଗାଁରେ ଏ ବର୍ଷ ବର୍ଷା ହବନି’ +‘ସ୍କୁଲଘରେ ନିଆଁ ଲାଗିଯିବ, ସାବଧାନ୍‌’ +‘କୁକୁଡ଼ା କାଇଁ ?’ +ବୀର ଗୁଡ଼ିଆ ପୁଅ ପବନା ଆଖିକୁ ଏ ଅପ୍ରାକୃତିକ ଦୃଶ୍ୟ ଅଛପା ରହିଲାନି । +ଅଣ୍ଟାରେ ଗାମୁଛାଟାକୁ ଭିଡ଼ିଦେଇ ଦଉଡ଼ିଲା ପ୍ରଚାର କରି କରି, ‘ରମେଇ ମାଁ କୁ କାଳସୀ ଲାଗିଲା ହୋ, …ପୁଣି ଲାଗିଲେ.. ।’ +ଦିନୁମାଷ୍ଟ୍ରେ ପିଣ୍ଡାରେ ବସି ଖବରକାଗଜ ପଢ଼ୁଥିଲେ । +ପବନାର କଥାଟା ଗୁଳି ଭଳିଆ ଭେଦ କରିଗଲା ତାଙ୍କ କାନରେ । + ପାଟିରୁ ଅସ୍ପଷ୍ଟ ଭାବେ ବାହାରିଗଲା, +‘କ’ଣ ଏବେ ପା ଲାଗିଥିଲେ, ପ୍ରଳୟ ଆସନ୍ନ ତା’ହେଲେ ।’ +ବିସ୍ମୟ ଆଉ ଭୟର ହାଲୁକା ଝଡ଼ଟେ ଗାଁରେ ବହିଗଲା । +ମାଇପିମାନେ ଘରଦ୍ବାର ଅଣ୍ଡାଳି ପକେଇଲେ, ଚାଉଳ ଗଣ୍ଡେ କି ନଡ଼ିଆଟିଏ ପାଇଲେ ମାଁ ଙ୍କୁ ଅର୍ପଣ କରିବେ । +ଚମ୍ପି ଖୁଡ଼ି ନଡ଼ିଆଟେ ଧରି ଝଅଟ ଝଅଟ ପାଦ ପକେଇଲା । +ଏଥର ମାଁ ଙ୍କୁ ସବୁକଥା କହିବ । +ତା’ର ତେର ବର୍ଷର ଝିଅ ‘ମିତୁ’ କଥା କହିବା ବନ୍ଦ କରିଦେଇଛି । +ଦିନଯାକ ମାଟି କାନ୍ଥକୁ ରାମ୍ପୁଥାଏ । +ମିତୁକୁ କଥା କୁହାଇବା ପାଇଁ ଚମ୍ପି ଖୁଡ଼ିର ସବୁଚେଷ୍ଟା ମିତୁର ନଖରମ୍ପା କାନ୍ଥକୁ ଲିପୁ ଲିପୁ ମାଟିରେ ମିଶିଯାଏ । +ଆଖିରେ ଆଖିଏ ଲୁହ । +ଏଥର ସବୁଠୁ ଆଗ ପହଞ୍ଚି ମାଁ’ଙ୍କୁ ମନର ବ୍ୟଥା କହିବ । +ରମେଇ ମାଁ’ର ଘରଆଗେ କ୍ରମାଗତ ଭାବେ ଭିଡ଼ ଜମିଲାଣି । +ଭିଡ଼ ସାଙ୍ଗରେ ତାଳଦେଇ ଉଠା ଦୋକାନ ଅଧ ଡଜନେ ଖଣ୍ଡେ ଖୋଲି ଯାଇଛି । +ନଡ଼ିଆ, ଫୁଲ, ଧୂପ ଠାରୁ ଆରମ୍ଭ କରି ଚକୁଳି ପିଠା, ତରକାରୀ ପର୍ଯ୍ୟନ୍ତ ସବୁ ମିଳିବ । +କାନ୍ଦୁରା ପିଲାଟା ପାଇଁ ବେଲୁନ୍‌ କିଣାର ମଧ୍ୟ ବ୍ୟବସ୍ଥା ଅଛି । +କିଏ ଜାଣେ ମାଆ କେତେ ସମୟ ରହିବେ । +ରମେଇ ମାଁ’ର ନୃତ୍ୟ ଭୟଙ୍କର ହୋଇଉଠିଛି । +ଭକ୍ତମାନେ ସ୍ବୟଂକୁ ମାଁ’ଙ୍କ ପାଖରେ ସମର୍ପଣ କରି ତଳେ ଲୋଟି ଯାଇଛନ୍ତି । +ମାୟାର ସମର୍ପଣ ସତ୍ୟ ସମ୍ମୁଖରେ । +ରମେଇ ମାଁର ମଥାର ସିନ୍ଦୁର ମୁହଁସାରା ଲେସିହୋଇ ଗାଁ ଦେବତାଙ୍କ ସିନ୍ଦୁରବୋଳା ପଥର ମୁହଁ ପରି ମନେ ହଉଛି । +ମୁଣ୍ଡରୁ ଝାଳ ଆଉ ପାଦ ଫାଟି ରକ୍ତ, ଅଗଣା ଧୂଳିରେ ମିଶି ଯାଉଛି । +ଭକ୍ତମାନଙ୍କର ପ୍ରଶ୍ନ ଆଉ ଉତ୍ତର ଆଶାରେ ଉତ୍କଣ୍ଠା । + ଭିଡ଼ ଭିତରୁ ଜଣେ ପଚାରିଲା, ‘ମାଁ–ରମେଇ ବାପା ଫେରିବ ତ ?’ +ଏମିତିଆ ପ୍ରଶ୍ନରେ ଛାତି କୋରି ହୋଇଯାଏ ରମେଇ ମାଁ’ର । +ପ୍ରଶ୍ନକୁ ବାଆଁରେଇ ଦେଇ କହିଲା, ‘ବାସ୍‌ ସେତିକି ।’ +ରମେଇ ମାଁ ପରଘରେ କାମ କରି ପେଟ ପୋଷିଲେ ମଧ୍ୟ, ମାଁ ପୁଅ ଅନେକ ଦିନ ଓପାସ ରୁହନ୍ତି । +ପେଟର ଭୋକ ମାରିବା ପାଇଁ ରଘୁବାବୁଙ୍କ ବାଡ଼ିରୁ ସଜନା ଛୁଇଁ ଚୋରି କରିବାଟା ଅପରାଧ ମାନେନି ରମେଇ ମାଁ କିମ୍ବା ରାତିରେ ଉଲଗ୍ନ ହୋଇ ଶୋଇବାଟା ଅସଭ୍ୟତା ନୁହେଁ ବରଂ ଗୋଟିଏ ବୋଲି ପିନ୍ଧା ଲୁଗାକୁ ବେସିଦିନ ଟାଣି ନବାର ଚେଷ୍ଟା । +ଚେଷ୍ଟା ଏକ ସୁନ୍ଦର ପ୍ରୟାସ ଯାହା ମଣିଷର ଆଶାକୁ ହାତମୁଠାକୁ ଆଣିବାରେ ସାହାଯ୍ୟ କରେ । +ଅନେକ ସମୟରେ ମଣିଷଟି ମନପ୍ରାଣ ଦେଇ ଚେଷ୍ଟା କରେ । +ହେଲେ ହାତମୁଠା ଖୋଲିଲା ବେଳକୁ ଅଧା ଖଣ୍ଡିଆ ଆଶାକୁ ଭେଟେ । +ଦୁଃଖ ପାଏ । +ଏଇଟା ମାୟାର ଖେଳ । +ମଣିଷଟି ତାହା ବୁଝି ପାରେନି । +ରମେଇ ମାଁ’ର ଆପ୍ରାଣ ଚେଷ୍ଟାରେ, ରମେଇ ବଡ଼ ହୋଇଗଲା ସିନା କିନ୍ତୁ ତା’ର ଖଣ୍ଡିଆ ଗୋଡ଼ ଦିଟା ଛିଗୁଲେଇବା ଆରମ୍ଭ କଲେ ରମେଇ ମାଁ’କୁ । +ଆଶାର ଖଣ୍ଡିଆ ରୂପ । +ଗ୍ରାମ ଦେବତୀ ପୁଜାରୀ ହରି ମିଶ୍ର କେତେବାର କହିଛନ୍ତି, ‘ଆଲୋ- ଟୋକାଟାକୁ ମନ୍ଦିରରେ ବସେଇ ବଡ଼ ଖଣ୍ଡିଆ ଗୋଡ଼ ଦିଟା ଦେଖାଇଲେ କିଛି ତ ମିଳିବ । +’ ପଣ୍ଡିତଙ୍କ ଭଳି ଶ୍ରେଷ୍ଟ ଲୋକଙ୍କ କଥା ଅମାନ୍ୟ କରିବା ଅପରାଧ । +ରମେଇ ମାଁ ସେ ଅପରାଧ କରେ । +ପଣ୍ଡିତେ ତାତ୍ସଲ୍ୟ କରି କୁହନ୍ତି, ‘ପୂର୍ବ ପାପରୁ ଗେରସ୍ତ ଛୁ…. ପୁଅ ଛୋଟା.. ପୁଣି ବହପ ଦେଖ ।’ +ପଣ୍ଡିତଙ୍କ କଥାଟା ବିରୁଡ଼ି ଭଳିଆ କାନ ପାଖରେ ଭଁ ଭଁ ହୁଏ । +ଚୁପ୍‌ ରହେ, କିନ୍ତୁ ରମେଇକୁ ଭିକ ମାଗିବାକୁ ଛାଡ଼େନି । +ଜୀବନଟା ପ୍ରଶ୍ନ । +ତା’ଅନ୍ତେ ରମେଇ ବଢ଼ିବ କେମିତି । +ପ୍ରଶ୍ନଟି ହାତୁଡ଼ି ମାରିଲା ପରି ପିଟି ହଉଥାଏ ବାରମ୍ବାର । +ଜୀବନଟା ଅଭିନୟ । +ଗାଁରେ ଗୀତାପାଠ ବେଳେ ଖଣ୍ଡେ ଖଣ୍ଡେ ବାକ୍ୟ ତା’ କାନରେ ପଡ଼ିଛି । +ସ୍ବୟଂ ଭଗବାନ ଶ୍ରୀକୃଷ୍ଣ ଅର୍ଜ୍ଜୁନଙ୍କ ସଖା ଆଉ ସାରଥି ହୋଇଥିଲେ । + ସେଟା ଅଭିନୟ ନୁହେଁ ଆଉ କ’ଣ ? +ସେ ଅଭିନୟ କରିବ । +ମାଁ କାଳିସୀ ଲାଗିବାର ଅଭିନୟ । +ବଞ୍ଚିବାର ଏଇ ନୂତନ ଉପାୟଟି ଆବିଷ୍କାର କଲାପରେ ରମେଇ ମାଁ ଆଉ ପଛକୁ ଫେରି ଚାହିଁନି । +ଗୋଧନ ଆଉ ଅନ୍ନରେ ପୂରି ଉଠିଛି ଘର । +ରମେଇର ଭବିଷ୍ୟତ ପ୍ରଶ୍ନବାଚିରୁ ଏକ ରଙ୍ଗୀନ୍ ସତ୍ୟକୁ ଋପାନ୍ତରିତ ହୋଇଯାଇଛି । +ଧନ୍ୟ ସେ ଅଭିନୟ । +ଆଶ୍ଚର୍ଯ୍ୟ ସେ ଅଭିନୟ । +ସେ ସ୍ବପ୍ନକୁ ଭୁଲିଯାଏ । +ରମେଇର ଢୋଲ ଶବ୍ଦହୀନ ହୋଇଯାଏ । +ଶବ୍ଦହୀନ ପୃଥିବୀ । +ଝୁଣା ଧୂଆଁ, ଧୂପ, ଘଣ୍ଟଘଣ୍ଟା, ଝାଳ ଆଉ ରକ୍ତ । +ରମେଇ ମାଁ’ର ଶରୀର ଦୋହଲୁଥାଏ ଯେମିତି, ପ୍ରବଳ ଝଡ଼ରେ ଗ୍ରସ୍ତ ଗଛର ଡାଳଟିଏ ଦିଗହୀନ ଭାବେ ଦୋହଲିଲା ପରି । +ଯେକୌଣସି ମୁହୂର୍ତ୍ତରେ କଟକଟ କରି ଭାଙ୍ଗି ପଡ଼ିବାଟା ବିଚିତ୍ର ନୁହେଁ । +ଆକାଶକୁ ଚାହିଁଲା ରମେଇ ମାଁ । +ମଧ୍ୟାହ୍ନ ସୂର୍ଯ୍ୟ । +ପ୍ରଖର ଖରା । +ଶୋଷରେ ତା’ ତଣ୍ଟି ଶୁଖିଗଲା । +ଜୀନଟା ଶୋଷ । +ସରାରେ ସଦ୍ୟ ବଳିପଡ଼ିଥିବା କୁକୁଡ଼ାର ରକ୍ତ । +ଢକ ଢକ କରି ପିଇଗଲା ରମେଇ ମାଁ ସେ ରକ୍ତକୁ । +ହେଲେ ମଧ୍ୟ ଶୋଷ ମେଣ୍ଟିଲାନି । +ଶରୀରଟା କଚାଡ଼ି ହୋଇ ଲୋଟି ପଡ଼ିଲା ଭୂମିରେ । +ରମେଇର ହାତ ସ୍ଥିର ହୋଇଗଲା । +ଢୋଲ ଉପରେ । +ଭକ୍ତମାନେ ଶୂନ୍ୟେ ଶୂନ୍ୟେ ଟେକିନେଲେ ରମେଇ ମାଁ’କୁ, ଆଉ ଯତ୍ନରେ ଶୁଆଇ ଦେଲେ ଖଟିଆ ଉପରେ । +‘ମାଆ ବୋଧେ ଦେହରୁ ବାହାରି ଗଲେ’ ଚମ୍ପି ଖୁଡ଼ି କହିଲା- ଏକ ନିରାସିଆ ସ୍ବରରେ । +ଆଉ ଜଣେ ଭିଡ଼ ଭିତରୁ କହିଲା, ‘ଏତେ ସମୟ ତ ରହିଲେ ।’ +ଗାଁ ମାଇପିମାନେ ରମେଇ ମାଁ’ର ସେବାରେ ଲାଗିଯାଇଥାନ୍ତି । +ରମେଇ ମାଁ ଦୀର୍ଘଶ୍ବାସଟିଏ ନେଲା । +ଆଶ୍ବସ୍ତିର । +ନିଶ୍ବାସ ତଳୁ କହିଲା, ‘ଜୀବନଟା ଚେଷ୍ଟା ନୁହେଁ… ଚେଷ୍ଟା ହିଁ ଜୀବନ ।’