From 6d37e9bcf8d4dcdbe9191fdf3180effb35c861f6 Mon Sep 17 00:00:00 2001 From: Nayan Ranjan Paul Date: Tue, 27 Sep 2022 12:11:40 +0530 Subject: [PATCH] Upload New File --- .../odiasahitya.com/sent_odiasahitya_lekha_52 | 322 ++++++++++++++++++ 1 file changed, 322 insertions(+) create mode 100644 Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_52 diff --git a/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_52 b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_52 new file mode 100644 index 0000000..543d551 --- /dev/null +++ b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_52 @@ -0,0 +1,322 @@ +ରୂପର ମୂଲ୍ୟ +ଦୟାନିଧି ମିଶ୍ର +ତା: ଜୁଲାଇ ୩୦, ୨୦୧୨ +ମୂଳ ପୃଷ୍ଠା → ସ୍ମରଣୀୟ ଲେଖା → ଗଳ୍ପ → +ପ୍ରଥମ ପରିଚ୍ଛେଦ: ବିଦାୟ +‘ତଦ୍‌ଗଚ୍ଛ ସିଦ୍ଧୌ କୁରୁ ଦେବକାର୍ଯ୍ୟମ୍‌ ।’ (କୁମାରସମ୍ଭବମ୍‌) +ସମ୍ବଲପୁରର ପଶ୍ଚିମ ଦିଗରେ ସହରରୁ ପ୍ରାୟ ଏକମାଇଲ ଦୂରରେ ମଦଲିଆ ମୁହାଣ । +ଏଠାରେ ଗୋଟିଏ ପ୍ରାଚୀନ ମନ୍ଦିର ଅଛି । +କଳନାଦିନୀ ଚିତ୍ରୋତ୍ପଳା ମନ୍ଦିରର ଚରଣ ପ୍ରକ୍ଷାଳିତ କରି ଶିଳାବନ୍ଧୁର ମାର୍ଗରେ ଅଗ୍ରସର । +ଲୋକେ କହନ୍ତି, ମନ୍ଦିରରେ ପ୍ରଚୁର ଧନରତ୍ନ ଓ ଅସ୍ତ୍ରଶସ୍ତ୍ର ଲୁକ୍କାୟିତ ଅଛି । +ଏ ଉକ୍ତିର ସତ୍ୟତା ନିରୂପିତ କରିବାକୁ ଆମ୍ଭମାନଙ୍କର ଶକ୍ତି ନାହିଁ । +ଆଜିଯାଏ କେହି ଏ ବିଷୟରେ ଅନୁସନ୍ଧାନ କରିନାହାଁନ୍ତି । +ଏବଂବିଧ ପ୍ରତ୍ନତତ୍ତ୍ବ ସଂଗ୍ରହ ଓଡ଼ିଶାର ଆଧୁନିକ ଜଳବାୟୁର ପ୍ରତିକୂଳ ପରା ! ସେ ଯାହାହେଉ, ମନ୍ଦିରକୁ ନୀଳମାଧବଙ୍କ ମନ୍ଦିର ବୋଲି କହନ୍ତି । +ଏଠାରେ ଦେବପୂଜାର କୌଣସି ଚିହ୍ନ ପରିଲକ୍ଷିତ ହୁଏ ନାହିଁ । +ମନ୍ଦିରରେ କୌଣସି ଦେବବିଗ୍ରହ ମଧ୍ୟ ନାହିଁ । +ମନ୍ଦିରର ଏପରି ନାମକରଣ କିପରି ହେଲା, ପୁରାତତ୍ତ୍ବ ଜିଜ୍ଞାସୁମାନଙ୍କ ଅନୁସନ୍ଧେୟ । +ପୁଣି ଏଠାରେ କୌଣସି ନଦୀର ସଙ୍ଗମସ୍ଥଳ ନ ଥିଲେ ସୁଦ୍ଧା ସ୍ଥାନଟିର ନାମ ମଦଲିଆ ମୁହାଣ କାହିଁକି ହୋଇଅଛି ? ବୋଧହୁଏ କାଳକ୍ରମେ ସେ ନଦୀ ଲୋପ ପାଇଅଛି କିମ୍ବା ଦୁର୍ଗରକ୍ଷାର୍ଥ ସମ୍ବଲପୁରର ନରପତିମାନେ ନଦୀର ଗତିକୁ ପରିବର୍ତ୍ତିତ କରିଥିବେ । +ନଦୀ-ସଙ୍ଗମ-ସୂଚକ ପ୍ରଶସ୍ତତା କେବଳ ମୁହାଣ ନାମର ସାର୍ଥକତା ସମ୍ପାଦନ କରୁଅଛି । +ଜଗତରେ ବିଭବ ହିଁ ସମସ୍ତ ଆକର୍ଷଣର କେନ୍ଦ୍ର । +ମନୁଷ୍ୟର ଦୃଷ୍ଟି ଯେପରି ଊର୍ଦ୍ଧ୍ବକୁ ଚାହିଁ ଚାହିଁ ଊର୍ଦ୍ଧ୍ବମୁଖୀ ହୋଇଗଲାଣି । +ପ୍ରଜା ଜମିଦାରର ଅନୁସରଣ କରୁଅଛି । +ଜମିଦାର ରାଜାର ଅନୁସରଣ କରୁଅଛି । + କିନ୍ତୁ ଲୋକଲୋଚନ ଅଗୋଚରରେ ଯେ କେତେଶତ ପ୍ରାଣୀ ଦୁର୍ବିଷହ ଯାତନା ଭୋଗ କରୁଛନ୍ତି, ତହିଁର ଖବର ରଖୁଛି କିଏ ? +ନୀଳମାଧବଙ୍କ ମନ୍ଦିର ଅଧୁନା ଜୀର୍ଣ୍ଣ କଳେବର । +ତାହାର ସେ ପୁରାତନ ଗୌରବ ଆଉ ନାହିଁ । +ମନ୍ଦିରବାଟେ କେତେ ଶତ ଲୋକ ପ୍ରତିଦିନ ଯାତାୟତ କରୁଛନ୍ତି; କିନ୍ତୁ କେହି ଦିନେ ମନ୍ଦିର ଆଡ଼କୁ ମୁହଁ ଫେରାଇ ଦେଖୁ ନାହାଁନ୍ତି । +ମନ୍ଦିରଟି ପୁରାତନର ଗୋଟିଏ ଅଂଶ, ତାହା ବର୍ତ୍ତମାନର କିଛି ନୁହେଁ । +କିନ୍ତୁ ଏହାର ଅବସ୍ଥା ଚିରଦିନ ଏପରି ନଥିଲା । +ଆମ୍ଭେମାନେ ଯେଉଁ ସମୟର କଥା କହୁଅଛୁଁ, ସେ ସମୟରେ ମନ୍ଦିରର ପୁରାଣ ମହିମା ଜଗତକୁ ମୁଗ୍ଧ ଓ ବିସ୍ମିତ କରୁଥିଲା । +ବିମଳା ପ୍ରତିଦିନ ସନ୍ଧ୍ୟା ସମୟରେ ମନ୍ଦିରକୁ ଆସେ ଓ ନିଜ ମନକୁ ଗୀତ ଗାଇ ପୁଣି ଚାଲିଯାଏ । +ସେଠାରେ ପ୍ରକୃତିର ଚାରୁ ଛବି ଦେଖି, ପ୍ରକୃତିର ସୁମଧୁର ସଙ୍ଗୀତ ଶୁଣି ସେ ସଙ୍ଗୀତମୟ ପ୍ରାଣରେ ନିଜେ ଗୀତ ଗାଏ । +ସେ ସଙ୍ଗୀତର ତୁଳନା ଜଗତରେ ବିରଳ । +ତାହା ମନ୍ଦାକିନୀର ସ୍ବଚ୍ଛ ସ୍ରୋତ ସଦୃଶ ଆକାଶ ବକ୍ଷରେ ମୃଦୁମନ୍ଦ ଭାବରେ ନୃତ୍ୟ କରେ । +ଆଜି ଜ୍ୟେଷ୍ଠ ପୂର୍ଣ୍ଣିମା । +ପୂର୍ଣ୍ଣଚନ୍ଦ୍ର ପ୍ରାଚୀ ଲଲାଟରେ ଚନ୍ଦନ ବିନ୍ଦୁରୂପେ ବିରାଜିତ ହୋଇ ସୁଧାମୟ ଜ୍ୟୋତ୍ସ୍ନାରେ ଜଗତକୁ ସିକ୍ତ କରିଛନ୍ତି । +ଆକାଶର ସ୍ଥାନେ ସ୍ଥାନେ କ୍ଷୁଦ୍ର କ୍ଷୁଦ୍ର ମେଘଖଣ୍ଡ । +ନଭଃପ୍ରାଙ୍ଗଣରେ ଚନ୍ଦ୍ର ଏହି ମେଘଗୁଡ଼ିକ ସଙ୍ଗେ ଲୁଚକାଳି ଖେଳ ଖେଳୁଅଛି । +ଏପରି ଆନନ୍ଦ ଓ ନିରାନନ୍ଦର ସନ୍ଧି ସମୟରେ ଏ ନିର୍ଜନ ସ୍ଥଳରେ ବିମଳା ନୀଳମାଧବ ମନ୍ଦିରରୁ ବହିର୍ଗତ ହୋଇ ସୋପାନବଳୀ ଉପରେ ଯାଇ ବସିଲା । +ବିମଳାର ବୟସ ପ୍ରାୟ ଚଉଦ ବର୍ଷ ହେବ । +ପରିଧେୟ ଗୋଟିଏ ନୀଳରଙ୍ଗର ଶାଢ଼ୀ, ନାସିକାରେ ଦଣ୍ଡୀ ଏବଂ ହସ୍ତରେ ସ୍ବର୍ଣ୍ଣବଳୟ । +ତାହାର କାନ୍ତି ଚମ୍ପକପୁଷ୍ପ ସଦୃଶ, ବେଣୀ ଅସଂଯତ । +ନୈଶ ସମୀର ବିମଳାର କପାଳନ୍ୟସ୍ତ ଅଳକ ସଙ୍ଗେ ନୃତ୍ୟ କରି ତାହାର ମୁଖକୁ ମେଘଦ୍ବାରା ଅର୍ଦ୍ଧଲୁକ୍କାୟିତ ଚନ୍ଦ୍ରମାର କାନ୍ତିରେ ବିଭୂଷିତ କରୁଅଛି । +ବିମଳାର ମନ ଆଜି ଚିନ୍ତାମଗ୍ନ, ମୁଖ ଗମ୍ଭୀର । +ସେ ଯେପରି କାହାକୁ ଖୋଜୁଛି, କିନ୍ତୁ ପାଉନାହିଁ । +ସେ ହସ୍ତୋପରେ ଗଣ୍ଡଦେଶ ନ୍ୟସ୍ତ କରି ଆକାଶର ଚନ୍ଦ୍ର ଆଡ଼କୁ ଅନାଇଲା । + ଚନ୍ଦ୍ରର ଲୁଚକାଳି ଖେଳ ଦେଖି ଦେଖି ମନମଧ୍ୟରେ କ’ଣ ଭାବି ଗୀତ ଗାଇବାକୁ ଲାଗିଲା- +କର କିମ୍ପା ପ୍ରବଞ୍ଚନା ? +ଆହେ ଶଶଧର ସୁଧାର ଆକାର ଶୁଣ ବାରେ ମୋ ପ୍ରାର୍ଥନା । +ସରୋବର ବକ୍ଷେ ନୀର-ଆସନେ +ଖେଳେ କୁମୁଦିନୀ ମନ୍ଦ ପବନେ, +ଲୁଚକାଳି ଖେଳେ ମାତି ଅବହେଳେ ଦେଉଛ କିମ୍ପା ଯାତନା । +ତବ ଆଲିଙ୍ଗନ ସୁଧାନିର୍ଝର +ଅଟେ କୁମୁଦିନୀ ହୃଦସମ୍ବଳ, +କାଦମ୍ବିନୀ କୋଳେ ଲୁଚି ଅନ୍ତରାଳେ ନ ଲୁଚାଅ ସେ ଜୋଛନା । +କରୁଛି ମିନତୀ, କୁମୁଦବନ୍ଧୁ, +ଦେଖାଅ ନିର୍ମଳେ ବଦନ ମଧୁ, +ସୁଧା-ପାରାବରେ ଭାସି ପ୍ରେମଭୋରେ ଲଭିବ ଧନୀ ସାନ୍ତ୍ବନା । +ସ୍ବରଲହରୀ ବନ୍ଦ ହେଲା; କିନ୍ତୁ ବିମଳାର ପ୍ରାଣ ଅଧୁନା ସଙ୍ଗୀତମୟ । +ସଙ୍ଗୀତ ବନ୍ଦ ହେଲେ ସୁଦ୍ଧା ଜଗତ ତାକୁ ସଙ୍ଗୀତମୟ ଦିଶିବାକୁ ଲାଗିଲା । +ରଜନୀର ନିସ୍ତବ୍ଧତା କେଉଁଆଡ଼େ ଉଭେଇଗଲା । +ଜଗତର ଅଜ୍ଞାତରେ, ନିସ୍ତବ୍ଧତାର ଅଜ୍ଞାତରେ ଧରଣୀବନ୍ଧରେ ସୁମଧୁର ସଙ୍ଗୀତରାଜ୍ୟ ପ୍ରତିଷ୍ଠିତ ହେଲା । +ବିମଳା ଆବେଗରେ, ଉଚ୍ଛ୍ବାସରେ ଆତ୍ମବିସ୍ମୃତ ହୋଇ ନିବିଷ୍ଟଚିତ୍ତରେ ମହାନଦୀ ବକ୍ଷରେ ଜ୍ୟୋତ୍ସ୍ନାର ସୁମଧୁର ଲାସ୍ୟ ଦେଖିବାକୁ ଲାଗିଲା । +କିନ୍ତୁ ଏ କ’ଣ ? ତା’ ମନ ଏପରି କାହିଁକି ? ଏ କାହାର ପଦଶବ୍ଦ ? ଏ କାହାର ଉଷ୍ଣ ନିଶ୍ବାସ ? ବିମଳା ପଛକୁ ଫେରି ଅନାଇଲା । +କି ସୁନ୍ଦର ଯୁବାମୂର୍ତ୍ତି, ଯେପରି ନୀଳ ବ୍ୟୋମପଟରେ ଚିତ୍ରିତ ତରୁଣ ଅରୁଣ ମୂର୍ତ୍ତି ! ସେ ମୂର୍ତ୍ତି ଦେଖି ବିମଳା ମୁଗ୍ଧ ହୋଇଗଲା । +ତାହାର ନୟନ ସମକ୍ଷରେ ଯେପରି ସୌନ୍ଦର୍ଯ୍ୟଭଣ୍ଡାରର ସର୍ବଶ୍ରେଷ୍ଠ ମଣି ପ୍ରତିଭାତ ହେଲା । +ସେ ଯୁବକଙ୍କ ନିକଟକୁ ଯାଇ କମ୍ପିତ କଣ୍ଠରେ କହିଲା, ‘ଆଜିଯାଏ ତୁମର ଶାରୀରିକ ଦୁର୍ବଳତା ଯାଇନାହିଁ । +ତା’ପରେ ପୁଣି ଏତେ ପରିଶ୍ରମ, ମୋ ରାଣ, ଦେହରେ ବଳ ହେବାଯାଏ ଆଉ ରାତିରେ ଏପରି ବୁଲ ନାହିଁ ।’ +ବିମଳାର କଥା ଶୁଣି ଯୁବକର ସମଗ୍ର ଶରୀର କଣ୍ଟକିତ ହୋଇଗଲା । +ବିମଳାର ଅଜ୍ଞାତରେ ତାଙ୍କର ନୟନକୋଣରେ ଅଶ୍ରୁକଣା ବିଲୀନ ହୋଇଗଲା । +ସେ ତାହାର ହସ୍ତ ଧରି କହିଲେ, ‘କାହିଁକି, ବିମଳା ! ମୋର ଦେହ ତ ବେଶ୍‌ ସବଳ ହେଲାଣି । +ଆଜି ସଞ୍ଜବେଳେ ମହାନଦୀ ଆରପାରିରେ ଗୋଟିଏ ନିଆଁହୁଳା ଦେଖାଯାଉଥିଲା । +ସେଠାକୁ ଯାଇ ଦେଖେ ଯେ, ମରହଟ୍ଟାମାନେ ଦଳବଳ ବାନ୍ଧି ଆସିଛନ୍ତି । +ସେଦିନ ନାନାସାହେବ ଭୋଁସ୍‌ଲା ଯେଉଁ ଅପମାନ ପାଇଥିଲେ, ତହିଁର ପ୍ରତିଶୋଧ ନେବାପାଇଁ ଏ ଆୟୋଜନ । +ମୁଁ ଏହିକ୍ଷଣି ଦୁର୍ଗକୁ ଯାଇ ଏ ସମ୍ବାଦ ଦେବି ।’ +ଯୁବକ ନୀରବ ହେଲେ । +ଯୁବତୀଠାରୁ ଉତ୍ତର ପ୍ରତ୍ୟାଶା କରି ତା’ମୁଖକୁ ଅନାଇବାକୁ ଲାଗିଲେ । +ଅଶ୍ରୁସିକ୍ତଲୋଚନା ବିମଳା ରୁଦ୍ଧ କଣ୍ଠରେ କହିଲା, ‘କିନ୍ତୁ ତୁମ ଦେହ ଯେ ଭଲ ହୋଇନାହିଁ ।’ +ଯୁବକ କହିଲେ, ‘ଦେହ ପାଇଁ ଏତେ ଚିନ୍ତା କାହିଁକି ? ଯଦି ଦରକାର ହୁଏ, ଯୁଦ୍ଧକ୍ଷେତ୍ରକୁ ଯିବାକୁ ହେବ ।’ +ବିମଳାର ଜ୍ୟୋତ୍ସ୍ନା-ପ୍ରତିଫଳିତ ଅଶ୍ରୁସିକ୍ତ ଗଣ୍ଡ ପ୍ରତି ଯୁବକଙ୍କ ଦୃଷ୍ଟି ପଡ଼ିଲା । +ତାଙ୍କ ହସ୍ତ ଶିଥିଳ ହୋଇଗଲା । +ସେ ଆଉ ବିମଳାର ହସ୍ତ ଧରି ପାରିଲେ ନାହିଁ । +ବିମଳା ନୀରବରେ କ୍ରନ୍ଦନ କରିବାକୁ ଲାଗିଲା । +ଏ ସମୟରେ ଯଦି ଆକାଶର ତାରକାଖଚିତ ଚାରୁ ଚନ୍ଦ୍ରାତପ ଭାଙ୍ଗିଯାଇ ଯୁବକଙ୍କ ମସ୍ତକ ଉପରେ ପଡ଼ିଥାନ୍ତା, ତାହାହେଲେ ସେ ତିଳେମାତ୍ର ଦୁଃଖିତ ହୋଇ ନ ଥାନ୍ତେ । +କିନ୍ତୁ ବିମଳାର ହୃଦୟର ଆବେଗ ଦେଖି ସେ ଆଉ ସମ୍ଭାଳି ପାରିଲେ ନାହିଁ । +ତାଙ୍କ ଚକ୍ଷୁ ମଧ୍ୟ ଲୋତକପୂର୍ଣ୍ଣ ହୋଇଗଲା । + ପରେ ବହୁ କଷ୍ଟରେ ଆତ୍ମଗୋପନ କରି କହିଲେ, ‘ଛି ବିମଳା, ଦେଶର ଶତ୍ରୁକୁ ଦାଣ୍ଡଦୁଆରେ ଦେଖି ଏପରି କଥା କହୁଛ !’ +ବିମଳା ମସ୍ତକ ଉତ୍ତୋଳନ କରି ସ୍ଥିର ଦୃଷ୍ଟିରେ ଯୁବକଙ୍କ ମୁଖକୁ ଅନାଇଲା । +ତାହାର ମୁଖର ରଙ୍ଗ ଅଧୁନା ପରିବର୍ତ୍ତିତ-ନୟନ ଅଶ୍ରୁବିମୁକ୍ତ । +ସେ ଯୁବକଙ୍କ ହସ୍ତକୁ ବାରମ୍ବାର ଚୁମ୍ବନ କରି କହିଲା, ‘ଦେଶର କାର୍ଯ୍ୟ-ଦେବତାଙ୍କ କାର୍ଯ୍ୟ-ମୁଁ ବାଧା ଦେବି ନାହିଁ-ଯାଅ । + କିନ୍ତୁ…’ +ବିମଳାର କଣ୍ଠରୁଦ୍ଧ ହୋଇଗଲା । +ତା’ମୁଖରୁ ଆଉ କଥା ବାହାରି ପାରିଲା ନାହିଁ । +ଯୁବକ ସହାସ୍ୟ ବଦନରେ କହିଲେ, ‘ଯଦି ଈଶ୍ବରଙ୍କ ଇଚ୍ଛା ହୁଏ, ନିଶ୍ଚୟ ଦେଖାହେବ ।’ +ଏହା କହି ସେ ବିମଳାଠାରୁ ବିଦାୟ ନେଇ ବୃକ୍ଷାନ୍ତରାଳରେ ଅଦୃଶ୍ୟ ହୋଇଗଲେ । +ଦ୍ବିତୀୟ ପରିଚ୍ଛେଦ : ବିଶ୍ବାସଘାତକ +‘ଏତେ ରାତ୍ରିରେ, ନିର୍ଜନରେ ପରପୁରୁଷ ସଙ୍ଗେ, ଛି, ବିମଳା !’ +ବିମଳା ପଛକୁ ଅନାଇ ଦେଖିଲା, ଆଉ ଜଣେ ଯୁବକ ଛିଡ଼ା ହୋଇ ତାକୁ ଏପରି କହୁଛନ୍ତି । +ଯୁବକଙ୍କୁ ଚିହ୍ନିବା ପାଇଁ ବିମଳାର ବେଶି ବିଳମ୍ବ ହେଲା ନାହିଁ । +ସେ ଶୈଶବରୁ ପିତୃମାତୃହୀନା । +ସମ୍ବଲପୁର ରାଜ୍ୟର ସ୍ବାଧୀନ ନରପତି ଜୟନ୍ତ ସିଂହଙ୍କର ସେନାପତି ବୀରେଶ୍ବର ସିଂହଙ୍କର ଲାଳନ ପାଳନରେ ବର୍ଦ୍ଧିତା ହୋଇ ଭକ୍ତିଭାଜନ ପିତା ଏବଂ ସ୍ନେହମୟୀ ମାତାଙ୍କୁ ସୁଦ୍ଧା ଭୁଲିଯାଇଥିଲା । +ବୀରେଶ୍ବର ତାହାର ପିତା ଓ ମାତା ଦୁହିଁଙ୍କ ସ୍ଥାନ ଅଧିକାର କରିଥିଲେ । +ସେ ତାକୁ ନିଜ ଝିଅରୁ ବଳି ସ୍ନେହ କରୁଥିଲେ । +ବିମଳା ମଧ୍ୟ ବୀରେଶ୍ବରଙ୍କ ପରିବାରକୁ ନିଜ ପରିବାର ବୋଲି ଭାବୁଥିଲା । +ବୀରେଶ୍ବରଙ୍କର ଏକମାତ୍ର ପୁତ୍ର ଉଦିତ୍‌ପ୍ରତାପ ସିଂହଙ୍କୁ ସେ ନିଜ ଅଗ୍ରଜପ୍ରାୟେ ଭକ୍ତି କରୁଥିଲା । +ଉଦିତ୍‌ପ୍ରତାପଙ୍କ କଥା ଶୁଣି ତାଙ୍କ ନିକଟକୁ ଯାଇ କହିଲା, ‘ଦାଦା, ବାପା ତ କହିଛନ୍ତି, ରାତିରେ କେବେ କିପରି ଏଠାକୁ ଆସୁଥିବୁ ବୋଲି । +ମୋ ମନରେ କଷ୍ଟ ଥିଲେ ମୁଁ ଏଠାକୁ ଆସି ଗୀତ ଗାଏ-ଗୀତ ଗାଇ ଗାଇ ତାପିତ ପ୍ରାଣକୁ ଶୀତଳ କରେ । + ତୋ ଦୁଃଖିନୀ ଭଉଣୀ ଉପରେ କାହିଁକି ରାଗୁଛୁ ?’ +‘କିନ୍ତୁ ପରପୁରୁଷ ସଙ୍ଗେ !’ ଏହା କହି ଉଦିତ୍‌ପ୍ରତାପ ଜିଭ କାମୁଡ଼ି ବିମଳାର ମୁଖ ଆଡ଼କୁ ଅନାଇଲେ । +ଲଜ୍ଜାରେ ବିମଳାର ମୁଖ ତଳକୁ ହୋଇଗଲା । +ଉଦିତ୍‌ପ୍ରତାପ ପୁନରାୟ କହିଲେ, ‘ବିମଳା ! ତୋ ପିଲାଳିଆ ସ୍ବଭାବ କେବେ ଛାଡ଼ିଲୁ ନାହିଁ । +ତୁ ବଡ଼ ହେଲୁଣି, ସଂସାରର ଗତିରୀତି ସବୁ ଦେଖୁଛୁ । +ତୋର ଏ ବୟସରେ ଅନ୍ୟ ଲୋକ ସଙ୍ଗେ ନିର୍ଜନରେ କଥାବାର୍ତ୍ତା କରିବା ଠିକ୍‌ ନୁହେଁ ।’ +‘କିନ୍ତୁ ପ୍ରସନ୍ନକୁମାର ଯେ ମୋର ପିଲାକାଳର ସଙ୍ଗୀ । + ତାଙ୍କ ସଙ୍ଗେ ଏକାନ୍ତରେ କଥାବାର୍ତ୍ତା କଲେ ଦୋଷ କ’ଣ ?’ +‘ସେ ତୋର ପିଲାକାଳ ସାଥୀ ହୋଇପାରନ୍ତି । +ପିଲାବେଳେ ସେ ସବୁ ଶୋଭା ପାଉଥିଲା । + ଆଜି ତୋର ଏ ଆଚରଣ ଶୁଣିଲେ ବାପା କ’ଣ କହିବେ ?’ +‘ଛି, ଦାଦା ! ତୁ କ୍ଷତ୍ରିୟ ଯୁବକ ହୋଇ ଏପରି କହୁଛୁ ?’ +‘ନା ବିମଳା, ତୁ ଏପରି କଲେ ମୋ ମନରେ କଷ୍ଟ ହେବ । +ପ୍ରସନ୍ନକୁମାରଙ୍କ ଚରିତ୍ର ଭଲ ନୁହେଁ । +ଅସଚ୍ଚରିତ୍ର ଲୋକଙ୍କ ସଙ୍ଗେ ତତେ ଦେଖିଲେ ମୁଁ ରାଗିବି ।’ +ପ୍ରସନ୍ନକୁମାର ବିମଳାର ଅନ୍ତରଙ୍ଗ ପ୍ରତିବେଶୀ । +ପିଲାଦିନରୁ ଦୁହେଁଯାକ ଏକାସାଙ୍ଗରେ ଖେଳୁଥିଲେ…ଦୁହେଁ ଦୁହିଁଙ୍କ ଦୁଃଖରେ ଦୁଃଖୀ ଓ ସୁଖରେ ସୁଖୀ ହେଉଥିଲେ । +ଦୁହେଁ ଗୋଟିଏ ବୃନ୍ତର ଯୁଗଳପୁଷ୍ପ ସଦୃଶ ଶୋଭା ପାଉଥିଲେ । +ଦୁହିଁଙ୍କ ପ୍ରାଣ ଏକ, ମନ ଏକ । +ପ୍ରସନ୍ନକୁମାରଙ୍କ ନିନ୍ଦା ଶୁଣି ବିମଳା ମନରେ କଷ୍ଟ ହେଲା । +ସେ ଉଦିତ୍‌ପ୍ରତାପଙ୍କ ଉଦ୍ଦେଶ୍ୟ ବୁଝିପାରିଲା । +ଉଦିତ୍‌ପ୍ରତାପ ବିମଳାର ସୌନ୍ଦର୍ଯ୍ୟମୁଗ୍ଧ, ତା’ର ପ୍ରଣୟପ୍ରାର୍ଥୀ । +ବିମଳା ତାଙ୍କୁ ଅନେକ ଥର ବୁଝାଇ କହିଥିଲା…ତାଙ୍କୁ ଭଗିନୀର ସ୍ନେହ, ଦୟା, ଭକ୍ତି ଅର୍ପଣ କରିଥିଲା । +କିନ୍ତୁ ଉଦିତ୍‌ପ୍ରତାପ ତହିଁରେ ସନ୍ତୁଷ୍ଟ ନ ହୋଇ ତା’ ହୃଦୟରାଜ୍ୟର ରାଜା ହେବାକୁ ଇଚ୍ଛା କରିଥିଲେ । +ତାଙ୍କ ଅଭିଳାଷ ସିଦ୍ଧି ପଥରେ ପ୍ରସନ୍ନକୁମାରଙ୍କୁ ପ୍ରଧାନ ଅନ୍ତରାୟ ଭାବି ତାଙ୍କ ବିରୁଦ୍ଧରେ ନାନା ମିଥ୍ୟାପ୍ରବାଦ ରଟନା କରି ବିମଳା ସଙ୍ଗେ ତାଙ୍କ ଦେଖା-ସାକ୍ଷାତ୍‌ ବନ୍ଦ କରିଦେଲେ । +ଦଗ୍ଧହୃଦୟା ବିମଳା ମନ୍ଦିରକୁ ପ୍ରତିଦିନ ଗୀତ ଗାଇବା ଛଳରେ ଆସି ପ୍ରସନ୍ନକୁମାରଙ୍କ ସଙ୍ଗେ ଦେଖା କରିଯାଏ । +ଏ କଥା ମଧ୍ୟ ଉଦିତ୍‌ପ୍ରତାପଙ୍କୁ ଅସହ୍ୟ ହୋଇପଡ଼ିଲା । +ସେମାନଙ୍କର ସେ ମଧୁର ଆଳାପ, ପରସ୍ପର ହୃଦୟଦ୍ବାର ଉଦ୍‌ଘାଟନ ବନ୍ଦ କରିବା ସକାଶେ ସେ ଚେଷ୍ଟା କରିବାକୁ ଲାଗିଲେ । +ଆଜି ତାଙ୍କ ମୁଖରୁ ଏ ଅସଙ୍ଗତ, ଅସଂଯତ କଥା ଶୁଣି ବିମଳା କହିଲା, ‘ଦାଦା, ମୁଁ ନାନା ଦୋଷରେ ଦୋଷୀ ହୋଇପାରେ; କିନ୍ତୁ ପ୍ରସନ୍ନକୁମାର ନିର୍ଦ୍ଦୋଷ । +ମୁଁ ତାଙ୍କୁ ଭଲକରି ଜାଣେ । +ଯଦି ମୋତେ ଭଉଣୀ ବୋଲି ସ୍ନେହ କରୁ, ଏପରି କଥା କେବେ କହିବୁ ନାହିଁ ।’ +‘ମୁଁ ପୁଣି କହୁଛି ପ୍ରସନ୍ନକୁମାର ଅସଚ୍ଚରିତ୍ର । +ବାପା ମଧ୍ୟ ଏ କଥା ଜାଣନ୍ତି । +ବାପାଙ୍କ ଆଦେଶମତେ ମୁଁ ଏଠାକୁ ଆସିଛି । +ଆଉ ଏଣିକି ତୁ ଘରୁ ବାହାରି ପାରିବୁ ନାହିଁ ।’ +ଉଦିତ୍‌ପ୍ରତାପଙ୍କ କଥା ଶୁଣି ବିମଳା ଦଳିତା ଫଣିନୀ ସଦୃଶ କ୍ରୋଧରେ ଜର୍ଜରିତ ହୋଇଗଲା । +ସେ ତାଙ୍କ କୂଟ ବୁଝିପାରିଲା । +ଅବଳା ନାରୀ ତଳକୁ ମୁହଁ କରି କାନ୍ଦିବାକୁ ଲାଗିଲା । +ବିମଳାର ଏ ଅବସ୍ଥା ଦେଖି ଉଦିତ୍‌ପ୍ରତାପଙ୍କ ନୟନକୋଣରେ ଈଷତ୍‌ ଆନନ୍ଦ-ରେଖା ଫୁଟିଉଠିଲା । +ତାଙ୍କ ଓଷ୍ଠପ୍ରାନ୍ତରେ କୂଟିଳ ହାସ୍ୟର ଜ୍ୟୋତି ପ୍ରକଟିତ ହୋଇ ପରମୁହୂର୍ତ୍ତରେ ବିଲୀନ ହୋଇଗଲା । +ବିମଳାକୁ ଚତୁର୍ଦ୍ଦିଗ ଘୋର ତମସାଛନ୍ନ ପ୍ରତୀତ ହେଲା । +ସେ କମ୍ପିତ କଣ୍ଠରେ କହିଲା, ‘ଦାଦା, ତୋର ଏସବୁ କୂଟ ବୃଥା । +ମୁଁ ତତେ ଭଗିନୀର ସର୍ବସ୍ବ ଅର୍ପଣ କରିସାରିଛି । +ଏଥିରୁ ବେଶି ତୁ ଆଉ କିଛି ପାଇପାରିବୁ ନାହିଁ । +ତୁ ମୋତେ ବାନ୍ଧିପାରୁ; କିନ୍ତୁ ମୋ ହୃଦୟକୁ ବାନ୍ଧିପାରିବୁ ନାହିଁ । +ଉପରେ ଈଶ୍ବର ଅଛନ୍ତି ।’ +ଏହା କହି ସେ ଦ୍ରୁତ ପଦକ୍ଷେପରେ ସେଠାରୁ ଚାଲିଗଲା । +ବିମଳାର ଭାବ ଦେଖି ଉଦିତ୍‌ପ୍ରତାପ ପ୍ରମାଦ ଗଣିଲେ । +ପାଳିତା କନ୍ୟାର ପୁଣି ଏତେଦୂର ଆସ୍ପର୍ଦ୍ଧା ! ହୀରାଖଣ୍ଡ ଛତ୍ରପତି ମହାରାଜଙ୍କ ସେନାପତି ପୁତ୍ରକୁ ଖାତିର କରେ ନାହିଁ ! କ୍ରୋଧରେ ତାଙ୍କ ମୁଖ ଲାଲ ହୋଇଗଲା । +ଦଶନରେ ଅଧର ଚାପି ବିମଳାର ଏ ଆଚରଣର ପ୍ରତିଶୋଧ ନେବା ନିମନ୍ତେ ସେ ବିମଳାର ଅନୁସରଣ କଲେ । +ତୃତୀୟ ପରିଚ୍ଛେଦ : କ୍ଷୁଦ୍ରମେଘ +‘ଶିବିରେ ପ୍ରତୀକ୍ଷା କରି ବହୁଦିନ +ଶତ୍ରୁ ଯୋଦ୍ଧେ ହୋଇଛନ୍ତି ଧୈର୍ଯ୍ୟହୀନ, +ସ୍ବଦେଶେ ବାହୁଡ଼ି ଯିବାକୁ ବାସନା- +ବଶୁଁ କରୁଛନ୍ତି ବିଜନେ ମନ୍ତ୍ରଣା ।’ +(ନନ୍ଦିକେଶ୍ବରୀ) +ଏ କେତେଦିନ ହେଲା ବିମଳାର ମନରେ ଜମା ସୁଖ ନାହିଁ । +ଉଦିତ୍‌ପ୍ରତାପଙ୍କ କଟୂକ୍ତି- ‘ତୁ ଆଉ ଘରୁ ବାହାରିପାରିବୁ ନାହିଁ’ ସର୍ବଦା କର୍ଣ୍ଣକୁହରରେ ପ୍ରତିଧ୍ବନିତ ହେଉଅଛି । +ସରଳା ବାଳିକାର ସ୍ବାଧୀନ ମତ ଉପରେ ଏ ଅତ୍ୟାଚାର ! ବିମଳା ଉଦିତ୍‌ପ୍ରତାପଙ୍କୁ ସ୍ପଷ୍ଟରୂପେ କହିଅଛି ଯେ ସେ ତାଙ୍କ ପ୍ରଣୟକାଙ୍କ୍ଷିଣୀ, ନୁହେଁ । + ତଥାପି ତାକୁ ଶୃଙ୍ଖଳିତ କରିବା ପାଇଁ ଏ ପ୍ରୟାସ କାହିଁକି ? +ପୂର୍ବେ ବିମଳା ନିଜ ହସ୍ତରେ ସବୁ ଗୃହକର୍ମ କରୁଥିଲା । +କିନ୍ତୁ ଆଉ ଏଣିକି ସେ ଆଡ଼କୁ ଜମା ମନ ଗଲା ନାହିଁ । +ତାହାର ମାନସ-ଚକ୍ଷୁ ସମକ୍ଷରେ ପ୍ରସନ୍ନକୁମାରଙ୍କ ପ୍ରେମମୟୀ ପ୍ରତିମା ଅହରହ ନୃତ୍ୟ କରିବାକୁ ଲାଗିଲା । +ସେ ତାଙ୍କୁ ଛାଡ଼ି କିପରି ଆଉ ଅନ୍ୟ ବିଷୟ ଭାବିପାରିବ ? ତା’ର ବିମଳ ପ୍ରେମର ପ୍ରବଳ ବନ୍ୟାରେ ଶତ ଉଦିତ୍‌ପ୍ରତାପ ବାଲିବନ୍ଧ ପ୍ରାୟ ଭାସିଯିବେ । +ପ୍ରଥମେ ପ୍ରଥମେ ବିମଳା ମନଦୁଃଖରେ ଘରକଣରେ ବସି ଭାବନା କରୁଥାଏ । +ଭାବି ଭାବି ଲୋତକରେ ଗଣ୍ଡଦେଶ ସିକ୍ତ କରେ । +ଭୋଜନରେ କିମ୍ବା ଶୟନରେ ତା’ର ଆଉ ଆସ୍ଥା ନାହିଁ । +ଶରୀର ଦିନକୁ ଦିନ କୃଶ ହୋଇଗଲାଣି । +ତାହାର ଶାରୀରିକ ଓ ମାନସିକ ପରିବର୍ତ୍ତନ ଦେଖି ପରିବାରସ୍ଥ ସମସ୍ତେ ଚିନ୍ତାକୁଳ ହୋଇପଡ଼ିଲେ । +ତାକୁ ସାନ୍ତ୍ବନା ଦେବା ନିମନ୍ତେ ଅନେକ ଯତ୍ନ କଲେ; କିନ୍ତୁ ସେମାନଙ୍କ ସମସ୍ତ ଚେଷ୍ଟା ବ୍ୟର୍ଥ ହେଲା । +ଗୃହ ବର୍ତ୍ତମାନ ତାହା ପକ୍ଷରେ କାରାଗାର । +ଏ କାରାଗାରରୁ ମୁକ୍ତି ପାଇଲେ ରକ୍ଷା । +କିଛିଦିନ ଗଲା ପରେ ଅକସ୍ମାତ୍‌ ରାଷ୍ଟ୍ର ହେଲା ଯେ ବିମଳା ନିରୁଦ୍ଦିଷ୍ଟା ହୋଇଛି । +ସେ କେଉଁଠିକି ଗଲା, କେହି ଜାଣନ୍ତି ନାହିଁ । +ତାକୁ ଖୋଜିବା ପାଇଁ ବୀରେଶ୍ବର ଚାରିଆଡ଼କୁ ଲୋକ ପଠାଇଲେ; କିନ୍ତୁ ବିମଳାର ସନ୍ଧାନ ମିଳିଲା ନାହିଁ । +ରାଜ୍ୟଯାକ ଚାରିଆଡ଼େ ଚହଳ ପଡ଼ିଗଲା । +ସମସ୍ତଙ୍କ ମୁଖରେ ବିଷାଦର କାଳିମା । +ବୀରେଶ୍ବରଙ୍କୁ ଆଉ କିଛି ଭଲ ଲାଗୁନାହିଁ । +ସଂସାର ତାଙ୍କୁ ବିଷମୟ ପ୍ରତୀତ ହେଉଛି । +ବିମଳା ବିଷୟରେ ଅନେକ ଲୋକ ଅନେକ କଥା କହୁଛନ୍ତି । +କିଏ କହେ ବିମଳା ପାଣିରେ ବୁଡ଼ି ମରିଛି । +ତାହାର ମତ ସମର୍ଥନ କରିବା ସକାଶେ କେହି କହେ ଯେ, ସେ ବିମଳାର ମୃତ ଦେହ ଦେଖିଛି । +ଏପରି ନାନା ମୁଖରେ ନାନା କଥା ଶୁଣାଗଲା । +ଏ ସମ୍ବାଦ ଯାଇ ଉଦିତ୍‌ପ୍ରତାପଙ୍କ କାନରେ ପଡ଼ିଲା । +ସେ ଅଧୁନା ସମ୍ବଲପୁର ଦୁର୍ଗରେ ଯାଇ ମରହଟ୍ଟାମାନଙ୍କ ସଙ୍ଗେ ଭୀଷଣ ଯୁଦ୍ଧରେ ପ୍ରବୃତ୍ତ ଅଛନ୍ତି । +କ୍ରମାନ୍ବୟ ଛ’ମାସ କାଳ ମରହଟ୍ଟାମାନେ ଦୁର୍ଗ ଅଧିକାର କରିବାକୁ ଚେଷ୍ଟା କଲେ, କିନ୍ତୁ ଓଡ଼ିଆମାନଙ୍କ ବୀରତ୍ବ ସମ୍ଭାଳି ନ ପାରି ପ୍ରତିଥର ପଛଘୁଞ୍ଚା ଦେବାକୁ ବାଧ୍ୟ ହେଲେ । +ଦୁର୍ଗ ମଧ୍ୟରେ ଆଦୌ ପ୍ରବେଶ କରିପାରିଲେ ନାହିଁ । +ଏଆଡ଼େ ଉଦିତ୍‌ପ୍ରତାପଙ୍କର ପୂର୍ବପରି ଉତ୍ସାହ ନାହିଁ । +ଯୁଦ୍ଧ କରିବାକୁ ତାଙ୍କୁ ଆଉ ଭଲ ଲାଗୁନାହିଁ । +ତାଙ୍କର ଏପରି ଭାବ ଦେଖି ପ୍ରସନ୍ନକୁମାର ବ୍ୟଥିତ ହେଲେ । +ଈର୍ଷାପରାୟଣ ହୋଇ ଉଦିତ୍‌ପ୍ରତାପ ସମରାଙ୍ଗନରେ ପ୍ରସନ୍ନକୁମାରଙ୍କ କ୍ଷତି କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଭଗବାନ ଏ ବିପଦରୁ ରକ୍ଷା କଲେ । +ପ୍ରସନ୍ନକୁମାର ଏପରି ଦକ୍ଷତା ସହକାରେ ଯୁଦ୍ଧ କରିବାକୁ ଲାଗିଲେ ଯେ ଜୟନ୍ତ ସିଂହ ତାଙ୍କର ରଣକୌଶଳରେ ଅତ୍ୟନ୍ତ ସନ୍ତୁଷ୍ଟ ହୋଇ ତାଙ୍କୁ ତୋରଣରକ୍ଷୀ ସୈନିକମାନଙ୍କ ଅଧିନାୟକ ପଦରେ ନିଯୁକ୍ତ କଲେ । +ଏ ଗୁରୁଦାୟିତ୍ବ ମସ୍ତକରେ ବହନ କରି ସଂସାରର ସମସ୍ତ ଚିନ୍ତା ଭୁଲି ପ୍ରସନ୍ନକୁମାର କର୍ତ୍ତବ୍ୟପଥରେ ଅଗ୍ରସର ହେଲେ । +କିନ୍ତୁ ପ୍ରସନ୍ନକୁମାରଙ୍କ ଉନ୍ନତି ଉଦିତ୍‌ପ୍ରତାପଙ୍କୁ ଭଲ ଲାଗିଲା ନାହିଁ । +ପ୍ରସନ୍ନକୁମାରଙ୍କୁ ଦେଖିଲେ, କେଜାଣି କାହିଁକି, ତାଙ୍କ ମୁହଁ କ୍ରୋଧରେ ଲାଲ ହୋଇଯାଏ । +ତାଙ୍କ ଚକ୍ଷୁରୁ ଅଗ୍ନି-ସ୍ଫୁଲିଙ୍ଗ ନିର୍ଗତ ହୁଏ । +ଯେଉଁଦିନ ଉଦିତ୍‌ପ୍ରତାପ ବିମଳାର ନିରୁଦ୍ଦିଷ୍ଟ ହେବାର ସମ୍ବାଦ ଶୁଣିଲେ, ସେହିଦିନ ତାଙ୍କର ମୁଖ ଗମ୍ଭୀର ହୋଇଗଲା, ଯେପରି ସେ ସବୁବେଳେ କ’ଣ ଚିନ୍ତା କରୁଛନ୍ତି । +ରଣ କୋଳାହଳ ଆଉ ତାଙ୍କ ପ୍ରାଣକୁ ନଚାଇ ପାରିଲା ନାହିଁ । +ସେ ନୀରବରେ ନିର୍ଜନରେ ବସି ଚିନ୍ତା କରିବାକୁ ଲାଗିଲେ । +କିଛିଦିନ ପରେ ପୁଣି ଦୁର୍ଗ ଭିତରେ ହୁରି ପଡ଼ିଗଲା, ଉଦିତ୍‌ପ୍ରତାପ ଦୁର୍ଗରେ ନାହାଁନ୍ତି । +ସରଳ-ହୃଦୟ ପ୍ରସନ୍ନକୁମାର ଏଥିର କାରଣ କିଛି ବୁଝିପାରିଲେ ନାହିଁ । +ଯୁଦ୍ଧ ସମୟରେ ସେନାପତି ପୁତ୍ରଙ୍କ ଈଦୃଶ ଆଚରଣ ଦେଖି ସମସ୍ତେ ବ୍ୟଥିତ ହେଲେ । +କିନ୍ତୁ ଜଗତର ଦୁଃଖ ହେଉ ବା ସୁଖ ହେଉ, ସମସ୍ତେ ନିଜ ନିଜ କାର୍ଯ୍ୟ ନେଇ ବ୍ୟସ୍ତ । +ମନୁଷ୍ୟ ଦେବତା ନୁହେଁ-ସମୟେ ସମୟେ ହେବାକୁ ଚେଷ୍ଟା କରିଥାଏ ମାତ୍ର । +ସଂସାରରେ ଏହି ଦେବତ୍ବାଭିଳାଷୀ ମନୁଷ୍ୟଙ୍କ ସଂଖ୍ୟା ନିତାନ୍ତ କମ୍‌….ନାହିଁ କହିଲେ ଚଳେ । +ପ୍ରକାଶ୍ୟରେ ହେଉ ବା ଗୋପନରେ ହେଉ, ସଭିଏଁ ନିଜ ନିଜ ସ୍ବାର୍ଥରେ ମାତିଛନ୍ତି । +ଯେଉଁମାନେ ଏହି ନିୟମର ବହିର୍ଭୂତ ସେମାନେ ନମସ୍କାରଣୀୟ । +ଓଡ଼ିଆମାନଙ୍କ ହସ୍ତରେ ବାରମ୍ବାର ପରାସ୍ତ ହୋଇ ମରହଟ୍ଟାମାନେ ଅତିଶୟ କାତର ହୋଇପଡ଼ିଥିଲେ । +ଓଡ଼ିଶାକୁ ଜୟ କରିବା ସେମାନେ ଯେପରି ସହଜ ବୋଲି ଭାବିଥିଲେ, କାର୍ଯ୍ୟରେ ତହିଁର ଠିକ୍‌ ବିପରୀତ ଦେଖିବାକୁ ପାଇଲେ । +ସ୍ବାଧୀନଜାତିକୁ ପରାଧୀନ କରିବା ସହଜ କଥା ନୁହେଁ । +ସମ୍ବଲପୁରାଧିପତି ଅଭୟ ସିଂହଙ୍କ ହସ୍ତରେ ମରହଟ୍ଟାମାନେ ଯେ ପରାଜୟ ସ୍ବୀକାର କରିଥିଲେ, ତହିଁର ଯନ୍ତ୍ରଣା ଆଜିଯାଏ ଯାଇନାହିଁ । +ତା’ପରେ ପୁଣି ଜୟନ୍ତ ସିଂହଙ୍କ ହସ୍ତରେ ଏ ଅପମାନ ! ନାନାସାହେବ ଭୋଁସ୍‌ଲା ଏପରି ଅବସ୍ଥାରେ କ’ଣ କରିବେ, କିଛି ଠିକ୍‌ କରିପାରିଲେ ନାହିଁ । +ସମସ୍ତ ସାମନ୍ତମାନଙ୍କୁ ଏକତ୍ରିତ କରି ସେ ମନ୍ତ୍ରଣା କରିବାକୁ ଲାଗିଲେ । +ଦୁର୍ଗକୁ ଅଧିକାର କରିବାର ଅନେକ ଉପାୟ ଉଦ୍ଭାବିତ ହେଲା, କିନ୍ତୁ ସେଗୁଡ଼ିକ ଅସମ୍ଭବ ଜ୍ଞାନରେ ପରିତ୍ୟକ୍ତ ହେଲା । +ମରହଟ୍ଟା ଶିବିରରେ ବିଷାଦର ରାଜ୍ୟ ପ୍ରତିଷ୍ଠିତ ହେଲା । +ନାନାସାହେବ ଚିନ୍ତାକୁଳ ମନରେ ଶିବିର ପରିତ୍ୟାଗ କରି ମହାନଦୀ କୂଳରେ ବିଚରଣ କରିବାକୁ ଲାଗିଲେ । +ଜ୍ୟୋତ୍ସ୍ନାସ୍ନାତ ଲହଣ୍ଡା ପର୍ବତର ସ୍ବର୍ଗୀୟ କାନ୍ତି ତାହାଙ୍କର ଦୃଷ୍ଟିପଥାରୂଢ଼ ହେଲା । +କି ଅଲୌକିକ ସୌନ୍ଦର୍ଯ୍ୟ ସମ୍ମୁଖରେ ସୌନ୍ଦର୍ଯ୍ୟରେ କମ୍ପମାନା କଳନାଦିନୀ ପର୍ବତ-ସ୍ରୋତସ୍ବତୀ । +ମସ୍ତକରେ ନୀଳ ଆକାଶ, ସତେ ଯେପରି ଉପରୁ ନୀଳିମା ଥପ ଥପ ହୋଇପଡ଼ୁଛି । +ନାନାସାହେବ ମୁଗ୍ଧ ନେତ୍ରରେ ଏ ଅପରୂପ ସୌନ୍ଦର୍ଯ୍ୟ ଦେଖିବାକୁ ଲାଗିଲେ । +କିନ୍ତୁ ପର ମୁହୂର୍ତ୍ତରେ ସବୁ ଅନ୍ଧକାର ହୋଇଗଲା । +ପ୍ରକୃତିର ସେ ଚାରୁଶିଳ୍ପ କେଉଁଆଡ଼େ ଉଭେଇଗଲା । +ସେ ବିଷର୍ଣ୍ଣ ମନରେ ରୋଦନ କରିବାକୁ ଲାଗିଲେ । +କିଛିକ୍ଷଣ ପରେ ଚକ୍ଷୁ ଉନ୍ମୀଳନ କରି ଦେଖିଲେ ଯେ ଜଣେ ଯୁବକ ମହାନଦୀ ବକ୍ଷରେ ଶିଳା ଉପରେ ବସିଛନ୍ତି । +ଯୁବକଙ୍କ ପରିଚ୍ଛଦ ଦେଖି ତାଙ୍କୁ ଶତ୍ରୁପକ୍ଷୀୟ ଭାବି ଭୀଷଣ ଗର୍ଜନ ସହ ତାଙ୍କ ଉପରେ ଲମ୍ପ ପ୍ରଦାନ କଲେ । +କିନ୍ତୁ ଯୁବକ ପର୍ବତପ୍ରାୟ ଅଟଳ । +ପ୍ରତ୍ୟାକ୍ରମଣର ଚେଷ୍ଟା ମାତ୍ର ବିରହିତ । +ସେ ନାନାସାହେବଙ୍କ ଆଡ଼କୁ ନୀରବରେ ଅଗ୍ରସର ହୋଇ ତାଙ୍କୁ ଆଲିଙ୍ଗନ ପାଶରେ ଆବଦ୍ଧ କଲେ । +ଯୁବକଙ୍କର ଏପରି ରୀତି ଦେଖି ନାନାସାହେବ ଆଶ୍ଚର୍ଯ୍ୟାନ୍ବିତ ହୋଇଗଲେ । +ସେମାନଙ୍କ ମଧ୍ୟରେ ଅନେକ କଥାବାର୍ତ୍ତା ହେଲା; କିନ୍ତୁ ସେ ଗୁପ୍ତ କଥାବାର୍ତ୍ତା କେହି ଶୁଣିନାହାନ୍ତି । +ଏଣୁ ପାଠକମାନଙ୍କୁ ତାହା ଉପହାର ଦେଇ ନ ପାରି ଆମ୍ଭେମାନେ ଦୁଃଖିତ । +କେବଳ ଲୋକଙ୍କ ମୁହଁରୁ ଶୁଣିଛୁଁ ଯେ, ସେ ଯୁବକଙ୍କ ନାମ ଉଦିତ୍‌ପ୍ରତାପ । +ଚତୁର୍ଥ ପରିଚ୍ଛେଦ : ଘୋର ଅନ୍ଧକାର +‘ଧନ୍ୟ ସେ ପ୍ରୀତିକି ମରଣ-ଭୀତିକି +ପ୍ରୀତି ସେ ପାରଇ ଜିଣି, +ଶିରୀଷ-ମୃଦୁଳା ଲବଣୀ-ପିତୁଳା +ପ୍ରୀତି କଲା ସାହସିନୀ ।’ +(କେଦାରଗୌରୀ) +‘କିନ୍ତୁ ଏ ରକ୍ତପାତରେ ତୁମ୍ଭର ଲାଭ ?’ +‘ଲାଭ! ଦେଶର ଶତ୍ରୁକୁ ବିନାଶ କରି ଜନ୍ମଭୂମିର ସ୍ବାଧୀନତା ରକ୍ଷା କରିବି । + ଏହା କ’ଣ କ୍ଷତ୍ରିୟ ବୀରର ଚରମ ଲାଭ ନୁହେଁ ?’ +‘ଏପରି ଭାବିବା ମୂର୍ଖତା ଭିନ୍ନ ଆଉ କିଛି ନୁହେଁ । +ମରହଟ୍ଟାମାନେ ଚିର ବିଜୟୀ । +ସେମାନଙ୍କ ସଙ୍ଗେ ଯୁଦ୍ଧ କରି ପରାଜିତ ହେବ, ବରଂ ସେମାନଙ୍କୁ ସାହାଯ୍ୟ କଲେ ଜମି-ଜାଗିରି ପାଇ ବଡ଼ଲୋକ ହୋଇପାରିବ ।’ +‘ସେ କି ଉଦିତ୍‌ପ୍ରତାପ ! ତୁମ ମୁହଁରେ ଏପରି କଥା ! କ୍ଷମା କରିବ । +ମୁଁ ସେ କାର୍ଯ୍ୟ କରିପାରିବି ନାହିଁ । +ଆଜି ସୁଦ୍ଧା ଧର୍ମ ଅଛି । +ପୂର୍ବପରି ଆଜି ସୁଦ୍ଧା ଚନ୍ଦ୍ର ସୂର୍ଯ୍ୟ ଉଦିତ ହେଉଛନ୍ତି । +ତୁମେ ସେ କୂଟିଳ ମନ୍ତ୍ରଣା ଛାଡ଼ । +ଦେଶର ଶତ୍ରୁକୁ ବିନାଶ କରି ଧନ୍ୟ ହୁଅ ।’ +‘ଶତ୍ରୁବିନାଶ ! ଯୁଦ୍ଧ ! ନା, ଜୟପରାଜୟର ଅନିଶ୍ଚିତ ସ୍ଥାନକୁ ଯିବା ମଧ୍ୟ ଠିକ୍‌ ନୁହେଁ ।’ +‘ନା, ହେଲା ! ସେପରି କହନା ।’ +ଏହା କହି ପ୍ରସନ୍ନକୁମାର ତୀକ୍ଷ୍ଣ ଦୃଷ୍ଟିରେ ଉଦିତ୍‌ପ୍ରତାପଙ୍କ ମୁଖଆଡ଼କୁ ଅନାଇବାକୁ ଲାଗିଲେ । +କିନ୍ତୁ ଉଦିତପ୍ରତାପ ସ୍ଥିରସଂକଳ୍ପ । +ସେ ମରହଟ୍ଟାମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବେ ନାହିଁ । +ପ୍ରସନ୍ନକୁମାରଙ୍କ କଥା ଶୁଣି ତାଙ୍କର ଭ୍ରୂ-ଯୁଗଳ ଈଷତ୍‌ କୁଞ୍ଚିତ ହେଲା । +ନୟନରୁ ବକ୍ର ଜ୍ୟୋତି ନିର୍ଗତ ହେଲା । +ସେ କିଛି ନ କହି ବଂଶୀବାଦନ କଲେ । +ବଂଶୀବାଦନ ସଙ୍ଗେ ସଙ୍ଗେ ବହୁସଂଖ୍ୟକ ମରହଟ୍ଟା ସୈନିକ ‘ବମ୍‌ ବମ୍‌ ମହାଦେଓ’ ରବ କରି ତୋରଣ ଆଡ଼କୁ ଧାବମାନ ହେଲେ ଓ ପ୍ରସନ୍ନକୁମାରଙ୍କୁ ଘେରି ପକାଇଲେ । +ପ୍ରସନ୍ନକୁମାର କିଂକର୍ତ୍ତବ୍ୟବିମୂଢ଼ ହୋଇ ଏସବୁ ଦେଖିବାକୁ ଲାଗିଲେ । +ଉଦିତ୍‌ପ୍ରତାପ ପ୍ରତିହିଂସା ସାଧନର ଉପଯୁକ୍ତ ସମୟ ପାଇ ଖଡ୍ଗ-ହସ୍ତରେ ପ୍ରସନ୍ନକୁମାରଙ୍କ ଆଡ଼କୁ ଧାବମାନ ହେଲେ । +କିନ୍ତୁ ପ୍ରସନ୍ନକୁମାରଙ୍କ ମୁଣ୍ଡ ନ ଛିଣ୍ଡୁଣୁ ପଛରୁ କିଏ ଆସି ତାଙ୍କ ମସ୍ତକକୁ ଶରୀରରୁ ବିଚ୍ଛିନ୍ନ କଲେ । +ସୈନିକମାନେ ବିସ୍ମୟାବିଷ୍ଟ ନେତ୍ରରେ ଦେଖିଲେ ଯେ, ଜଣେ ସନ୍ୟ୍ନାସିନୀ ଉଦିତ୍‌ପ୍ରତାପଙ୍କ ଛିନ୍ନ ମସ୍ତକକୁ ହସ୍ତରେ ଧରି କେଉଁଆଡ଼େ ଚାଲିଗଲା । +ତାକୁ ଖୋଜିବାପାଇଁ ସେମାନେ ଅନେକ ଚେଷ୍ଟା କଲେ; କିନ୍ତୁ କୌଣସିଠାରେ ପାଇଲେ ନାହିଁ । +ପ୍ରସନ୍ନକୁମାର ବିସ୍ମିତ, ସ୍ତମ୍ଭିତ ହୋଇ ଏହା ଦେଖିବାକୁ ଲାଗିଲେ । +ଉଦିତ୍‌ପ୍ରତାପଙ୍କ ମସ୍ତକ ଶରୀରରୁ ବିଚ୍ୟୁତ ହେଲା । +ସେଥି ସଙ୍ଗେ ସଙ୍ଗେ ସମ୍ବଲପୁରର ସ୍ବାଧୀନତା-ରବି ମଧ୍ୟ ଅସ୍ତମିତ ହେଲା । +ମରହଟ୍ଟାମାନେ ଅପ୍ରତ୍ୟାଶିତ ଭାବରେ ସମଲାଈ ଫାଟକବାଟେ ଦୁର୍ଗମଧ୍ୟରେ ପ୍ରବେଶ କରି ଜୟନ୍ତ ସିଂହ ଓ ତଦୀୟ ପୁତ୍ର ମହାରାଜା ସାଏଙ୍କୁ ବନ୍ଦୀ କଲେ । +ସମ୍ବଲପୁର ଦୁର୍ଗ ଶତ୍ରୁମାନଙ୍କ ହସ୍ତଗତ ହେଲା । +ପ୍ରସନ୍ନକୁମାର ପ୍ରାଣପଣେ ଚେଷ୍ଟା କରି ସୁଦ୍ଧା ଦୁର୍ଗ ରକ୍ଷା କରିପାରିଲେ ନାହିଁ । +ତାଙ୍କ ଆହତ ଶରୀର ଧରାଶୟୀ ହେଲା । +ସମ୍ବଲପୁର ମୁଖ ବିଷାଦ-କାଳିମା ରଞ୍ଜିତ ହେଲା । +ସ୍ବାଧୀନ ଜାତି ପରାଧୀନ ହେଲା । + ହାୟ ଉଦିତ୍‌ପ୍ରତାପ ! ଶେଷକୁ ବିମଳାର ରୂପର ମୂଲ୍ୟ ସ୍ବରୂପ ସ୍ବଦେଶର ସ୍ବାଧୀନତା ବିକ୍ରୟ କଲ !!! +କିନ୍ତୁ ଏ ସନ୍ୟ୍ନାସିନୀ କିଏ ? ତମୋମୟୀ ରଜନୀରେ ଶ୍ମଶାନରେ ବସି କ’ଣ କରୁଛି ? ସନ୍ୟ୍ନାସିନୀ ବ୍ୟଥିତ ମନରେ, ଆକୁଳ ପ୍ରାଣରେ ଆକାଶକୁ ଅନାଇ ଗାଇବାକୁ ଲାଗିଲା : +କିମ୍ପା ଦୟାମୟ ହୋଇଣ ନିର୍ଦ୍ଦୟ +ଦେଲ ଏ ହୀନ ଜନମ, +କାନ୍ଦି କାନ୍ଦି ହରି ଗଲିଣି ତ ସରି +ପୋଡ଼ୁ ଏ ହୀନ କରମ । ୦ । +ହେଲି ମୁଁ ସଂସାରେ +ଘୋର ଅଭିଶାପ, +ଯହିଁ ଗଲି ତହିଁ +ବିଞ୍ଚିଅଛି ପାପ; +ଜଗତର ତପ୍ତ ଲୋତକ-ପ୍ରବାହେ +ହେଉଅଛି ଭାସମାନ । ୧ । +ଅଶାନ୍ତିର ମନ୍ତ୍ର +ପଢ଼ିଲି ଜଗତେ, +ବୁଡ଼ିଅଛି ଏବେ +ସ୍ବଦେଶ ରକତେ; +ଧିକ ମୋର ରୂପ ଧିକ ଯଉବନ +ଧିକ ମୋର ଏ ଜୀବନ । ୨ । +ଅସାର ସଂସାର +ଅପାର ଯାତନା +ଦେଉଅଛି ମୋତେ +ବିଷମ ଲାଞ୍ଛନ; +ପ୍ରେମମୟ ହରି କରୁଣା ବିସ୍ତାରି +ପାଦପଦ୍ମେ ଦିଅ ସ୍ଥାନ । ୩ । +ଶଶ୍ମାନକ୍ରୋଡ଼ରେ ଶାୟିତ ଯନ୍ତ୍ରଣାକାତର ପ୍ରସନ୍ନକୁମାର ଏ ସୁମଧୁର ସଙ୍ଗୀତ ଶୁଣି ମୁଗ୍ଧ ହୋଇଥିଲେ । +ତାଙ୍କର ରୁଧିରାକ୍ତ ମୁଖରେ ହାସ୍ୟର ବିମଳ ରେଖା ଝଲସି ଦିଶିଲା । +କେଉଁ ଅଜ୍ଞାତ ପ୍ରଦେଶରୁ ଅମୃତ ଝଙ୍କାର ଆସି ତାଙ୍କୁ ଗୋଟିଏ ମୋହମୟ ଶାନ୍ତିମୟ ରାଜ୍ୟକୁ ନେଇଗଲା । +ସେଠାରେ ସେ ସ୍ବର୍ଗର ଚିତ୍ର ଦେଖିବାକୁ ପାଇଲେ । +କିଏ ଯେପରି ତାଙ୍କ ନିକଟକୁ ଆସି ଚିରପରିଚିତ ବୀଣାଜିଣା ସ୍ବରରେ ତାଙ୍କୁ ଡାକି ଗୋଟିଏ ସ୍ବପ୍ନମୟ କୁଞ୍ଜରେ ତାଙ୍କୁ ବସାଇ ନିଜେ ତାଙ୍କ ନିକଟରେ ବସିଲା । +ପ୍ରସନ୍ନକୁମାରଙ୍କ ଶରୀର ପୁଲକିତ ହୋଇଗଲା । +ସେ ଅଲୌକିକ ସୌନ୍ଦର୍ଯ୍ୟ, ଅପ୍ସରାସମ୍ଭବ ଜ୍ୟୋତି, କିନ୍ନରକଣ୍ଠ ତାଙ୍କ ମନରେ ଯେପରି ପ୍ରାଚୀନ ସ୍ମୃତି ଅଙ୍କିତ କଲା । +ସେ ଚକ୍ଷୁ ଖୋଲି ଦେଖିଲେ, ତାଙ୍କ ନିକଟରେ ଜଣେ ମୁକୁଳିତ କେଶପାଶା, ଗୈରିକବସନୀ, ଅନିନ୍ଦ୍ୟସୁନ୍ଦରୀ ସନ୍ୟ୍ନାସିନୀ-ମୂର୍ତ୍ତି ବସିଛନ୍ତି । +ତାଙ୍କୁ ଦେଖି ପ୍ରସନ୍ନକୁମାରଙ୍କ ଶରୀରରେ ସିଂହ-ବିକ୍ରମ ଉଦିତ ହେଲା । +ସେ ଗାତ୍ରୋତ୍‌ଥାନ କରି ସନ୍ୟ୍ନାସିନୀଙ୍କୁ ଆଲିଙ୍ଗନ କରି କହିଲେ, ‘ବିମଳା ! ବିମଳା…’ ଆଉ କହିପାରିଲେ ନାହିଁ । +ତାଙ୍କ ଶରୀର ଅବସନ୍ନ ହୋଇଗଲା । +ଶରୀରର କ୍ଷତସ୍ଥାନମାନଙ୍କରୁ ପ୍ରବଳ ବେଗରେ ରୁଧିର ବହିବାକୁ ଲାଗିଲା । +ପ୍ରାଣହୀନ ପିଣ୍ଡ ଧରାଲୁଣ୍ଠିତ ହେଲା । +ବିମଳା ଏହା ଦେଖି ବିକଳରେ ରୋଦନ କରିବାକୁ ଲାଗିଲା । +ତାହାର ଜୀବନର ଧ୍ରୁବତାରା ଅସ୍ତମିତ ହେଲା । +ସେ ଉତ୍ତରୀୟ ମଧ୍ୟରୁ ତୀକ୍ଷ୍ଣ ଛୁରିକା ବାହାର କରି ନିଜ ବକ୍ଷଦେଶରେ ବିଦ୍ଧ କଲା । +ଯନ୍ତ୍ରଣା ପ୍ରତି ଲକ୍ଷ୍ୟ ନ କରି ରୁଧିରାକ୍ତ କଳେବରରେ ପ୍ରସନ୍ନକୁମାରଙ୍କ ରୁଧିରାକ୍ତ ଶରୀରକୁ ଆଲିଙ୍ଗନ କଲା । + ଆହା ! ସେ ଅନ୍ତିମ ଆଲିଙ୍ଗନ…ସେ ଅନ୍ତିମ ଚୁମ୍ବନ କେତେ ପବିତ୍ର…କେତେ ମଧୁର ! ସେ ଲୋତକରେ ଅମୃତ, ରକ୍ତରେ ମନ୍ଦାକିନୀ ! +ଏ ସ୍ବାର୍ଥତ୍ୟାଗର ପବିତ୍ର ତପୋବନ ହିଁ ସ୍ବର୍ଗ ! -- GitLab