diff --git a/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_galpa_7 b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_galpa_7 new file mode 100644 index 0000000000000000000000000000000000000000..92a46a7d76d7d71b93f4771b43de51f718a2b40c --- /dev/null +++ b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_galpa_7 @@ -0,0 +1,252 @@ +ବାପା +- ଅରବିନ୍ଦ ରାୟ +ତା: ଜୁଲାଇ ୨୮, ୨୦୧୨ +ମୂଳ ପୃଷ୍ଠା → ଗଳ୍ପ → ଆଧୁନିକ → +ବର୍ଷା ଆସିଲେ ହିଁ ନିତ୍ୟାନନ୍ଦଙ୍କର ମନ ଭିତରଟା ଗୋଟାପଣେ ଓଦା ହୋଇଯାଏ । +ସେଦିନ ବି ଆକାଶରେ ଥିଲା ଏମିତି କଳାହାଣ୍ଡିଆ ମେଘ । +ସେଦିନ ଅଫିସ୍‌ ଛୁଟି ଟାଇମ୍‌ ହୋଇଯାଇଥିଲେ ବି ପ୍ରବଳ ବର୍ଷା ଯୋଗୁଁ କେହି ବାହାରକୁ ବାହାରି ପାରୁ ନଥିଲେ । +କୋଉଁଠି ଥିଲା ଏତେ ବର୍ଷା କେଜାଣି, ପ୍ରଳୟର ରୂପ ଧରି ଅନବରତ ବର୍ଷିଲା । +ଗଛବୃଛ, ଉଚ୍ଚାକୋଠା, ଇଲେକ୍ଟ୍ରିକ୍‌ ଖୁଣ୍ଟ ସବୁକିଛି ଦିଶୁଥିଲା କେବଳ ବର୍ଷା ଆଉ ବର୍ଷା । +ମାଟିରୁ ଆକାଶ, କେବଳ ବର୍ଷା ଆଉ ବର୍ଷା । +ଲାଗୁଥିଲା, ଯେମିତି ଏ ସାରା ଦୃଶ୍ୟମାନ ଜଗତ କେବଳ ବର୍ଷାର ଅଧୀନ । +ତା’ ଇଚ୍ଛା, ସେ ଚାହିଁଲେ ଥମିପାରେ, ସେ ଚାହିଁଲେ ଫୁ କରି ସବୁ କିଛି ଉଡ଼େଇ ନେଇପାରେ । +ସେଦିନ ଅଫିସ୍‌ ଆସିଲାବେଳେ ନିତ୍ୟାନନ୍ଦଙ୍କ ପତ୍ନୀ ସଂଯୁକ୍ତା ବ୍ୟାଗ୍‌ ଧରେଇ ଦେଇ ଲମ୍ବା ଫରମାଇସ୍‌ କରିଥିଲେ- ଆଳୁ, ପିଆଜ, ବନ୍ଧାକୋବି, ଛଚିନ୍ଦ୍ରା, ଲେମ୍ବୁ । +ପାୱାର୍‌ହାଉସ୍‌ ଛକରେ ଯଦି ଛତୁ ମିଳୁଥିବ ଅଧକିଲୋ ଆଣିବ । +ହେଲେ ବର୍ଷାର ପ୍ରକୋପ କମିଲା ବେଳକୁ ରାତି ଆଠଟା । +ନିତ୍ୟାନନ୍ଦ ଖାଲିହାତରେ ତରବର ହୋଇ ଘରକୁ ଫେରି ଆସିଥିଲେ । +ସେ ଗୋଟାପଣେ ଓଦା ହୋଇ ଗେଟ୍‌ ସାମ୍ନାରେ ତାଙ୍କ ପୁରୁଣା ବଜାଜ୍‌ ସ୍କୁଟର୍‌ର ହର୍ଣ୍ଣ ବଜେଇଦେବା ମାତ୍ରେ, ସଂଯୁକ୍ତା ଛତାଟାଏ ଧରି ଦୌଡ଼ି ଆସିଲେ ଓ କହିଲେ – ବାପ୍‌ରେ ବାପ୍‌ କି ବର୍ଷା ! ଆସିଲ, ଜଲ୍‌ଦି ଭିତରକୁ ଆସ । +ନିତ୍ୟାନନ୍ଦ କିନ୍ତୁ ଭୁଲି ନଥିଲେ ପରିବା କଥା । +ତେଣୁ ସେ ସ୍କୁଟର୍‌ ଷ୍ଟାଣ୍ଡ ମାରୁ ମାରୁ କହିଲେ- ଏ ବର୍ଷାରେ ପରିବାବାଲା କେହି ଜଣେ ବି ନାହାନ୍ତି । +ସଂଯୁକ୍ତା କହିଲେ- ଦରକାର ନାହିଁ । +ତମେ ଆସିଲ । +ଏ ଯୋଉ‍ ମେଘ ! ତମେ କେମିତି ପଳେଇ ଆସିଛ କୁହ । +ନିତ୍ୟାନନ୍ଦ ଦୀର୍ଘଶ୍ବାସ ପକେଇଲେ, ଯାହାହେଉ ଆଜି ଭାଗ୍ୟ ଭଲ । +ତା’ ନ ହେଲେ ସଂଯୁକ୍ତା ଫରମାଇସ୍‌ କରିଥିବା ଜିନିଷ ନ’ଆଣି ମଧ୍ୟ ସେ ବିରକ୍ତ ହେଉନାହାନ୍ତି । +ନିତ୍ୟାନନ୍ଦ ସେଇ ମୁହୂର୍ତ୍ତରେ ବେଶ୍‌ ଖୁସି ହୋଇଗଲେ ଓ ଅଧିକ ଉତ୍ସାହିତ ହୋଇ କହିଲେ- କାଲି ମନାନ୍‌ଠୁ ମଟନ୍‌ ଆଣିବା । +ପିଲାମାନେ ବହୁଦିନ ହେଲା ମଟନ୍‌ ଖାଇନାହାନ୍ତି । +ଭିତର ଘରୁ ନିତ୍ୟାନନ୍ଦଙ୍କ ସାନଝିଅ ଦୌଡ଼ି ଆସି କହିଲା- ନା, ବାପା ! ଚିକେନ୍‌ ଆଣିବ । +ନିତ୍ୟାନନ୍ଦଙ୍କ ଓଦା ମୁଣ୍ଡ ପୋଛିବା ପାଇଁ ସଂଯୁକ୍ତା ଗାମୁଛା ଧରି ଆସୁ ଆସୁ କହିଲେ ଏତେ ଆଉ ମଟନ୍‌ ଖାଆନା ମ ! ନିତ୍ୟାନନ୍ଦ କିଛି କହିଲେନି । +ସାନଝିଅ ଚୁପ୍‌ଚାପ୍‌ ଘର ଭିତରକୁ ଚାଲିଗଲା । +ସେତିକିବେଳକୁ ପଡ଼ିଶାଘର ମାଉସୀ ଡାକିଲେ- ମୀନୁ ! ମୀନୁ ତମ ଫୋନ୍‌ । +ନିତ୍ୟାନନ୍ଦଙ୍କ ବଡ଼ ଝିଅ ନାଁ ମୀନୁ । +ପାଖ ଗାର୍ଲସ୍‌ ସ୍କୁଲ୍‌ରେ ଅଷ୍ଟମରେ ପାଠ ପଢ଼େ । +ସେଇ ମୀନୁ ନାଁରେ ହିଁ ନିତ୍ୟାନନ୍ଦଙ୍କୁ ଓ ତାଙ୍କ ସ୍ତ୍ରୀଙ୍କୁ ଅଧିକାଂଶ ଚିହ୍ନନ୍ତି ସେ କଲୋନୀରେ । +ପଡ଼ିଶାଘର ତ ନିତ୍ୟାନନ୍ଦଙ୍କୁ ମୀନୁବାପା ଓ ସଂଯୁକ୍ତାଙ୍କୁ ମୀନୁବୋଉ ବୋଲି ଡାକନ୍ତି । +ନିତ୍ୟାନନ୍ଦଙ୍କ ସୀମିତ ରୋଜଗାର ଭିତରେ ଅନେକ ନାହିଁ ନାହିଁର ସମାହାର । +ସେ ଅନେକଦିନ ତଳେ ଧାର କରଜ କରି ଘରେ ଗୋଟାଏ ଟେଲିଫୋନ୍‌ ଲଗେଇଥିଲେ । +ହେଲେ, ମାସକୁ ମାସ ଟେଲିଫୋନ୍‌ର ଚଢ଼ା ବିଲ୍‌ ଦେଖି ସେ ଡରିଗଲେ । +ବିଲ୍‌ ନ ଦେଇପାରିବାରୁ ଲାଇନ୍‌ କଟିଗଲା । +ସେଇଦିନଠୁ ପଡ଼ିଶାଘର ଫୋନ୍‌ ଉପରେ ସେ ନିର୍ଭର କରି ଆସୁଛନ୍ତି । +କେତେବେଳେ କେମିତି ପଡ଼ିଶାଘରକୁ ଫୋନ୍‌ ଆସିଲେ, ସେମାନେ ‘ହଉ ଡାକିଦଉଚୁ’ କହି ଡାକନ୍ତି ନାହିଁ! କେହି ନାହାନ୍ତି ବୋଧେ । +ଯଦିଓ କୋଉଦିନ ଡାକନ୍ତି, ତେବେ ଫୋନ୍‌ ରିସିଭ୍‌ କରିବାକୁ ସଂଯୁକ୍ତା ହିଁ ଯାଆନ୍ତି । +କାରଣ ଫୋନ୍‌ଟା ପଡ଼ିଶାଘର ବେଡ଼ରୁମ୍‌ରେ ଅଛି, ଆଉ ତାଙ୍କ ଘରେ ତିନିଟା ବଢ଼ିଲା ଝିଅ । +ସେଇଥିପାଇଁ ନିତ୍ୟାନନ୍ଦ କେବେ ବି ତାଙ୍କ ଘର ଭିତରକୁ ଯାଆନ୍ତି ନାହିଁ । +ସେଦିନ ମାଉସୀ ଡାକିଦେବା ମାତ୍ରେ ସଂଯୁକ୍ତା ଫୋନ୍‌ ରିସିଭ୍‌ କରିବାକୁ ତରବର ହୋଇ ବାହାରିଗଲେ । +ନିତ୍ୟାନନ୍ଦ ଦାଣ୍ଡ କବାଟ ପାଖରେ ଠିଆ ହୋଇ ସଂଯୁକ୍ତା ଫେରି ଖବରଟା କ’ଣ ଜଣାଇବା ଯାଏ ଅପେକ୍ଷା କଲେ । +ସଂଯୁକ୍ତା ଯେବେ ବି ତାଙ୍କ ଘରକୁ ଯାଆନ୍ତି, ତାଙ୍କ ବଡ଼ ଝିଅ ସହ ଦି’ପଦ କଥା ହୋଇ ଫେରନ୍ତି । +ସେଦିନ କିନ୍ତୁ ସେ ଭିତରକୁ ଗଲେ ଓ ମୁହୂର୍ତ୍ତକ ମଧ୍ୟରେ ଝଡ଼ପରି ବାହାରି ଆସିଲେ । +ନିତ୍ୟାନନ୍ଦ ଦେଖିଲେ ସଂଯୁକ୍ତା ଖାଲି ଫେରି ଆସୁନାହାନ୍ତି, ସେ ପିଲାଙ୍କ ପରି କାନ୍ଦିବା ଆରମ୍ଭ କଲେଣି । +ସଂଯୁକ୍ତାଙ୍କ ପଛେ ପଛେ ପଡ଼ିଶା ଘରର ମାଉସୀ ଓ ତାଙ୍କ ସାରା ପରିବାର ବି ବାହାରକୁ ବାହାରି ଆସି ହତବାକ୍‌ ହୋଇ ଠିଆ ହୋଇଛନ୍ତି । +ସଂଯୁକ୍ତା ଘରକୁ ଆସିଲେ ଓ ପିଲାଙ୍କ ପରି କାନ୍ଦୁଥିବା ଅବସ୍ଥାରେ ଯୋଉ ପଦକ କହିଲେ, ସେଥିରୁ ନିତ୍ୟାନନ୍ଦ ବୁଝିଗଲେ ଏ ଖବରଟି ହିଁ ତାଙ୍କର ଗାଁରୁ ଆସିଛି ଯେ, ଏଇ କେଇ ମିନିଟ୍‌ ତଳେ ବାପା ଚାଲିଗଲେ । +ବାପାଙ୍କର କ’ଣ ହୋଇଥିଲା ଓ ଏମିତି ହଠାତ୍‌ କେମିତି ସେ ଆଖି ବୁଜିଦେଲେ, ଏକଥା ବୁଝିବାକୁ ନିତ୍ୟାନନ୍ଦଙ୍କୁ ଆଉ ସମୟ ନଥିଲା । +ଖବରଟା ଜାଣୁ ଜାଣୁ ସେ ଲଥ୍‌କରି ଦାଣ୍ଡଘର ଖଟ ଉପରେ ବସିପଡ଼ିଲେ ଏବଂ ନିଜ ଛାତି ଭିତରୁ ଉଠି ଆସୁଥିବା କୋହକୁ ଲୁଚେଇବାକୁ ଯାଇ ଉପରକୁ ମୁହଁ ଉଠାଇଦେଲେ । +ବାହାରେ ତଥାପି ବର୍ଷା କମି ନ ଥିଲା । +ଭିତରେ ଏକ ବର୍ଷଣ ରାତିର ଶବ୍ଦମୟ ଖାଁ ଖାଁ । +ନିତ୍ୟାନନ୍ଦ ନିଜ ଭିତରେ ଶୀତଳ ପ୍ରବାହକୁ ଚାପିରଖି ଉଠି ଠିଆହେଲେ ଓ କହିଲେ, ଚାଲ ଆମେ ଏବେ ଗାଁକୁ ଯିବା । +ସଂଯୁକ୍ତା ଲୁହ ପୋଛି ପଚାରିଲେ, ‘କେମିତି ଯିବା, ଏବେ କ’ଣ ବସ୍‌ ମିଳିବ ?’ ସେତିକିବେଳକୁ ନିତ୍ୟାନନ୍ଦଙ୍କର ତାଙ୍କ ଅଫିସ୍‌ ପରିଡ଼ାବାବୁଙ୍କ କଥା ମନେପଡ଼ିଲା । +ପରିଡ଼ାବାବୁ ବର୍ଷକ ତଳୁ ଆମ୍ବାସାଡ଼ର ଗାଡ଼ିଟେ କିଣି ଭଡ଼ା ଦେଉଛନ୍ତି । +ନିତ୍ୟାନନ୍ଦ, ପାଖ ଟେଲିଫୋନ୍‌ ବୁଥ୍‌କୁ ଗଲେ ଓ ପରିଡ଼ାବାବୁଙ୍କୁ ଫୋନ୍‌ କରିବା ମାତ୍ରେ ସେ ତାଙ୍କ ଗାଡ଼ିଟି ପଠାଇଦେଲେ । +ନିତ୍ୟାନନ୍ଦଙ୍କର ଆଜି ବି ମନେପଡ଼ୁଛି ସେଦିନ ସେମାନେ ଭୁବନେଶ୍ବରରୁ ବାହାରିବା ବେଳକୁ ରାତି ନଅଟା । +ବାଟସାରା ବର୍ଷା । +କାର୍‌ ଭିତରେ ନିତ୍ୟାନନ୍ଦ, ସଂଯୁକ୍ତା, ତାଙ୍କର ତିନୋଟି ପିଲା ଓ ଦୂର ସମ୍ପର୍କୀୟ ଜଣେ ଭାଇ ବସିଥିଲେ ବି କାହାରି ପାଟିରେ ପଦେ କଥା ନ ଥିଲା । +ନିତ୍ୟାନନ୍ଦଙ୍କୁ ଲାଗୁଥିଲା ଯେମିତି ଭୁବନେଶ୍ବରରୁ ଜଗତ୍‌ସିଂହପୁର ରାସ୍ତା ଲମ୍ବିଯାଇଛି । +ବାଟସାରା ମନେ ପଡ଼ୁଥିଲା ବାପାଙ୍କର ସେଇ ଦିନ ସବୁ । +ବାପା କଟକରେ ଚାକିରି କରୁଥିଲେ ସେତେବେଳେ । +ଆଖ ପାଖରେ ସେତେବେଳେ ଆଉ କେହି କଟକରେ ଚାକିରି କରୁ ନଥିଲେ । +ସାଇର ସତ୍ୟାଜା ଆଉ କାହ୍ନୁ ଅଜା ପରି କେଇଜଣ କଲିକତା ଝୋଟକଳରେ କାମ କରୁଥିଲେ । +ସେମାନେ ଥରେ ଦଶହରାକୁ ଓ ଆଉ ଥରେ ରଜବେଳକୁ ଗାଁକୁ ଆସୁଥିଲେ । +ବାପା କିନ୍ତୁ ସବୁ ଶନିବାର ସନ୍ଧ୍ୟାରେ କଟକରୁ ଗାଁକୁ ଫେରୁଥିଲେ । +ନିତ୍ୟାନନ୍ଦଙ୍କର ମନେ ପଡ଼ୁଥିଲା, ସେତେବେଳକୁ ତାଙ୍କ ଗାଁ ପାଖ ନଈରେ ପୋଲ ହୋଇ ନ’ଥିଲା । +ବାପା କଟକରୁ ବସ୍‌ରେ ଆସି ବାଲିଆ ଛକରେ ଓହ୍ଲାଉଥିଲେ । +ଶନିବାର ଦିନ ବେଳ ବୁଡ଼ୁବୁଡ଼ୁ, ତାଙ୍କ ଘରେ ଚାକିରିଆ ଥିବା ନାଥ କି ବରହମୁ ଯାଇ ବାଲିଆ ଛକର ସେଇ ନେଳି କୁଜି ବସ୍‌ଟାକୁ ଅପେକ୍ଷା କରୁଥିଲେ । +ବାପା ସତକୁ ସତ ସେଇ ବସ୍‌ରେ ହିଁ ଆସୁଥିଲେ । +ସେ ବସ୍‌ ଚାଲିଯିବା ପରେ ବାଲିଆ ଛକର ବାବନ ଶୁଣ୍ଢି ତା’ ଚା’ ଦୋକାନ ବନ୍ଦ କରି ଲଣ୍ଠନ ଧରି ଘରକୁ ଚାଲି ଯାଉଥିଲା । +ବାପା ଗାଁକୁ ଫେରୁଥିଲେ । +ଆଗେ ଆଗେ ବାପା, ପଛରେ ନାଥ । +ନାଥ ମୁଣ୍ଡରେ ଥିବ ବଡ଼ ପୁଟୁଳିଟିଏ । +ସେ ପୁଟୁଳି ଭିତରେ ଥିବ, ଜେଜେଙ୍କ ପାଇଁ ନୂଆ ହରିବଂଶ ବହି, ମା’ ପାଇଁ ଆଲିଗଡ଼ କୋଲପ ଓ କଞ୍ଚି, ଦାଦାଙ୍କର ଲୁଙ୍ଗି ଓ କୁମ୍ଭପକା ଗାମୁଛା, ବୋଉର ବରାଦ ଅନୁସାରେ କାହାପାଇଁ ହାତୀମାର୍କା ଡ୍ରଇଁ ଖାତା, କାହା ପାଇଁ ପ୍ଲାଟୋ କଲମ୍‌, କାହାପାଇଁ କ୍ରୁସ୍‌ ଓ ସୂତା, ଖୁଡ଼ିଙ୍କର ରାମବାବୁଙ୍କ ଚିଠା ଅନୁସାରେ ମାସକର ଶ୍ବାସ ଔଷଧ, ନାଥ ପାଇଁ ହଳେ ମଟର ଟାୟାର୍‌ର ଚପଲ ଆଉ ଗୋଟାଏ ବଡ଼ ଜରିଭର୍ତ୍ତି ବିସ୍କୁଟ । +ବାପା ଘରେ ପହଞ୍ଚିଲା ବେଳକୁ ଜେଜେ ଲଣ୍ଠନଟାଏ ଧରି ଗାଁ ମୁଣ୍ଡ ବୁଲେଇଗଣ୍ଡ ମଶାଣି ପାଖଯାଏ ଚାଲି ଚାଲି ଯାଇଥିବେ । +ମା’ ବାରିପଟ ଗୁହାଳ ଡେଇଁ ଗୋରୁବନ୍ଧା ପଥର ପାଖରେ ଥାଇ ଯାହାକୁ ବି ଅନ୍ଧାରରେ ଦେଖୁଥିବ ଡାକୁଥିବ ବଙ୍ଗୁକିରେ ! ବାପାଙ୍କ ନାଁ ଉମାକାନ୍ତ ବୋଲି ସମସ୍ତେ ଜାଣିଥିଲେ ବି ମା’ ସେଇ ବଙ୍ଗୁ ନାଁରେ ହିଁ ତାଙ୍କୁ ଡାକେ । +ଗାଁର ରାତି, ବୁଢ଼ୀ ଅସୁରୁଣୀ କଥାର ରାତି ପରି ସାଇଁ ସାଇଁ ବଢ଼ୁଥାଏ । +ସଞ୍ଜ ବୁଡ଼ୁବୁଡ଼ୁ ରୋଷେଇ କାମ ସାରି ସାହିର ଆଉ ସମସ୍ତଙ୍କ ଘରେ କବାଟ ପଡ଼ି ସାରିଥାଏ । +ସାରା ଗାଁଟା ଭାରି ଖାଁ ଖାଁ ଲାଗୁଥାଏ । +ବେଳେବେଳେ ରାତିର ସେଇ ନିସ୍ତବ୍ଧତାକୁ ଚିରି କେବଳ ବୁଢ଼ୀ ମା’ର ଡାକ ଶୁଭୁଥାଏ- ବଙ୍ଗୁ କିରେ….. । +ସେ ଡାକ ଅନ୍ଧାର ଭିତରେ ହଜି ଯାଇଥାଏ । +ରାତି ବଢ଼ୁଥାଏ । +ହେଲେ ଆମେ ଘରେ ଯେତେ ଛୋଟ ପିଲା, କାହା ଆଖିକୁ ନିଦ ନ ଥାଏ । +କାରଣ, ବାପା ଆଜି କଟକରୁ ଆସିବେ, ଲେମ୍ବଚୁଚ୍‌ ଆଣିବେ ବୋଲି ଭାବିଦବା ମାତ୍ରେ ଆଖିରୁ ନିଦ କୁଆଡ଼େ ହଜି ଯାଇଥାଏ । +ବାପା ଆଣିଥିବା ଜରିରେ ଥାଏ କେତେ ପ୍ରକାର ବିସ୍କୁଟ । +କେତେ ପ୍ରକାର ଲେମ୍ବଚୁଚ । +ହାତୀ, ଘୋଡ଼ା, ମୟୂର, ହଂସ ଆକାରର ଜରିଭର୍ତ୍ତି ବିସ୍କୁଟ ଆଉ ରୋଲ ଲେମ୍ବଚୁଚ୍‌ରେ ଧଳା ଓ ଗୋଲାପିର ପଟି ପଟି ଗାର ଆମ ଆଖିରୁ ନିଦ ଚୋରେଇ ନେଇଥାଏ । +ଶେଷରେ ଦୋକାନ ପାଖ ବରଗଛ ମୂଳୁ ଦିଶେ ଜେଜେଙ୍କ ଲଣ୍ଠନ ଓ ସେଇ ଲଣ୍ଠନ ଆଲୁଅରେ ଝାପ୍‌ସା ଦିଶେ କେତେଟା ମଣିଷଙ୍କ ଚାଲୁଥିବା ଗୋଡ଼ । +ଆମେ ସେଇ ବାରିପଟ ପାହାଚ ପାଖରେ ଥାଇ ତାଳିମାରି ନାଚୁ । +ନିତ୍ୟାନନ୍ଦଙ୍କର ସ୍ପଷ୍ଟ ମନେ ଅଛି- ସେତିକିବେଳକୁ ସେ ଖୁବ୍‌ ଏକ ପ୍ରବଣତାରେ ଡାକଦିଅନ୍ତି- ବାପା… । +ବାପା ମ । +ସେଇ ବରଗଛ ପାଖ ଅନ୍ଧାର ଭିତରୁ ଅଭୟବାଣୀ ଶୁଣାଇବା ପରି ବାପା ଜବାବ ଦିଅନ୍ତି- ହଁ…. ଅ…. । +ବାପା, ବାରି କବାଟ ଟପି ଦୁଆରେ ପାଦ ଦଉ ଦଉ ମା’ ଦୌଡ଼ିଯାଇ ଦୁଆର ଚୁଲିରେ ରସଗିନାରେ ସୋରିଷ ତେଲ ଆଉ ରସୁଣ ଫୁଟେଇ ନେଇଆସେ । +ବାରିକୂଅ ମୂଳକୁ ବୋଉ ହାତରେ, ଏଭେରେଡ଼ିର ପିତଳ ଟର୍ଚ୍ଚଟା ମାରି ଆଗେ ଆଗେ ଯାଏ । +ବାପା ପଛେ ପଛେ ଚାଲନ୍ତି । +ପରିଡ଼ା ଘର ବଟିଆଦି ସେଇ ଦୋକାନ ପାଖ ଛକରୁ ଆସି କୂଅରୁ ଦି’ ବାଲ୍‌ଟି ପାଣି କାଢ଼ି ଦିଅନ୍ତି । +ବାପା ଧୋଇଧାଇ ହେଇ ଆସିଲା ପରେ ମା’ ମାଣଘର ସାମ୍ନା ମାଟି ପିଣ୍ଡାରେ ଶଉପ ଖଣ୍ଡେ ପକେଇଦିଏ । +ବାପା ପିନ୍ଧିଥାନ୍ତି ବ୍ଲୁ ରଙ୍ଗର ସିଲ୍‌କ ଲୁଙ୍ଗି ଖଣ୍ଡେ ଓ କାନ୍ଧରେ ଥାଏ ପାଞ୍ଚହାତୀ ଖୋର୍ଦ୍ଧା ଗାମୁଛା । +ମା’ ତାଙ୍କ ପାଦରେ ଗରମ ତେଲ ଘଷୁ ଘଷୁ କହୁଥାଏ- ବୁଝିଲୁରେ ବଙ୍ଗୁ ! ଏ ବର୍ଷ ଖାଲ କିଆରୀରେ ବାରଶବୟାଳିଶ ବୁଣା ହେଇଛି । +ମଠ ଉପରେ ବଛା ସରିଲାଣି । +ତୁ ଯୋଉ ବାରମାସୀ ଆମ୍ବଚାରା ଆଣି ନଥିଲୁ, ସେଟା କେଡ଼େ ଛନଛନ ହୋଇ ଯାଇଥିଲା । +ସେ ବାଡ଼ିଖିଆ ମାଧା, ଛେଳି ପଲ ଛାଡ଼ି ଦଉଚି ଯେ, ସବୁ ନାରଖାର କରିଦଉଛନ୍ତି । +ବାପା ଚମକି ପଡ଼ିଲାପରି ପଚାରନ୍ତି- ସେ ବାରିଟା ବାଡ଼ ବୁଜା ହେଇନିକି ? ମା’ ଓ ବାପାଙ୍କର ଏମିତି କଥାବର୍ତ୍ତା ଚାଲିଥିବା ବେଳେ ବୋଉ ସେ ବହୁ ଲୋଭନୀୟ ପୁଟୁଳିଟା ଖୋଲେ । +ସତେକି ସେଇଟା ପୁଟୁଳି ନୁହେଁ, ଏକ ଅସରନ୍ତି ଭଣ୍ଡାର ! ନିତ୍ୟାନନ୍ଦଙ୍କର ମନେଅଛି, ଦାଦାଙ୍କଠୁ ଆରମ୍ଭ କରି ସାନପିଲାଙ୍କ ଯାଏ ସମସ୍ତେ ବେଢ଼ି ଯାଇଥାନ୍ତି ସେଇ ପୁଟୁଳିଟିକୁ । +ସେତିକିବେଳେକୁ ଚମକେଇ ଦେବା ପାଇଁ ବୋଉ କୁହେ, ଆରେ ନିତିଆ ! ତୋର ନୂଆ ବହି ଆସିଚିରେ । +ନିତ୍ୟାନନ୍ଦ ବୋଉ ହାତରୁ ଏକବାର ସେ ବହିଟା ଝାମ୍ପିନିଅନ୍ତି । +ନୂଆ ବହିଟା ଭିତରେ ଖୁବ୍‌ ସମୟ ଯାଏ ନାକ ମାଡ଼ି, ତା’ ପୃଷ୍ଠାମାନଙ୍କରୁ ବାହାରୁଥିବା ବାସ୍ନାକୁ ଶୋଷିନିଅନ୍ତି । +ମନେ ମନେ କହନ୍ତି, କାଲି କେମିତି ରାତି ପାହିଲେ ସ୍କୁଲରେ ଯାଇ ସାଙ୍ଗମାନଙ୍କ ଆଗରେ ଏପରି ଏକ ଦୁର୍ଲଭ ବସ୍ତୁ ଦେଖାଇବାକୁ ପଡ଼ିବ । +ରବିବାର ଦିନ ସକାଳୁ ବାପା ଛତାଟିଏ ଧରି ବିଲଆଡ଼କୁ ଚାଲିଯାଆନ୍ତି । +ସେ ମାଟି କାଦୁଅର ହିଡ଼ମାନଙ୍କ ସହ ତାଙ୍କର କି ସମ୍ପର୍କ କେଜାଣି ! ପ୍ରତିଟି କ୍ଷେତର ଗୋଟାଏ ଗୋଟାଏ ଛୋଟ ଇତିହାସ ବାପାଙ୍କର ମୁଖସ୍ଥ ଥାଏ । +ବାପା କହନ୍ତି- ଏଇ ଛ’ଗୁଣ୍ଠ ପାଇଁ ନଟିଆ ଗୋଲାମ୍‌ ସହ ଏଗାର ବର୍ଷ ମକଦ୍ଦମା ଲଢ଼ା ହୋଇଛି । +ପୁଣି ଆଉ ଖଣ୍ଡେ ବିଲ ଦେଖାଇ କହନ୍ତି-ଭିଙ୍ଗାରପୁର ଜମିଦାର ଏଇ ଜମିଖଣ୍ଡକ ପାଇଁ ଚକରା କବିରାଜକୁ ଦି’ ମହଣ ଘିଅ ଲାଞ୍ଚ ଦେଇଥିଲେ । +ଏଇଟା ପରା ସୁନାଥାଳି ଜମି ! ହିଡ଼ରେ ଥିବା କୋଇଲିଖିଆ କଣ୍ଟାକୁ ସେ ନିଜ ହାତରେ ଓପାଡ଼ନ୍ତି ଓ ବିଲରେ ହଳ କରୁଥିବା, ନାଥ କି ବରହମୁ ସହ କଥା ହଉ ହଉ ଖରା ଆସି ମୁଣ୍ଡ ଉପରେ ହୁଏ । +ବିଲରୁ ବାପା ଘରକୁ ଫେରିବା ବେଳକୁ ଦାଦା ପୋଳୁହ ମଡ଼େଇ ସାହାରା ଗଡ଼ିଆରୁ ବାଳିଆ ମାଛ ଧରିଥାନ୍ତି । +କଦଳୀ ପତ୍ରରେ ବାପାଙ୍କ ପାଇଁ ଭାତ ବଢ଼ା ହୁଏ । +ବାପା ଘରେ ଥିଲେ, ଘର ଲାଗୁଥାଏ ପର୍ବ ପର୍ବ । +ରବିବାର ରାତି ପାହି ସୋମବାର ସକାଳର କାଉ କା’ କଲାବେଳକୁ ବାପା କଟକ ବାହାରି ଯାଇଥାନ୍ତି । +ଖୁଡ଼ୀ ରାତିଅଧରୁ ଉଠି ବାପାଙ୍କ ପ୍ରିୟ ଖେଚେଡ଼ି ରାନ୍ଧିଥାନ୍ତି । +ବୋଉ, ଗୋଟାଏ ଜରିରେ ବାପାଙ୍କ ପାଇଁ ଜରିଏ ମୁଢ଼ି ଓ ବିଡ଼ାଏ ସାହାଡ଼ା ଦାନ୍ତକାଠି ସଜାଡ଼ି ଦେଇଥାଏ । +ଜେଜେଙ୍କ ସାଙ୍ଗରେ ବାପା ଭୋର୍‌ରୁ ଉଠି ପୁଣି ବାଲିଆ ଛକରେ ଫାଷ୍ଟ୍‌ବସ୍‌ ଧରିବାକୁ ଚାଲିଯାଆନ୍ତି । +ଜଗତ୍‌ସିଂହପୁରରେ ପହଞ୍ଚିବାକୁ ଆଉ ଅଳ୍ପବାଟ ବାକିଥିଲା । +ନିତ୍ୟାନନ୍ଦ ଭାବୁଥିଲେ, ଏତେ ସ୍ମୃତି ଓ ଏତେ ସମ୍ପର୍କର ସେ ମଣିଷଟି କ’ଣ ସତରେ ଆଉ ଆଖି ଖୋଲି ଚାହୁଁ ନଥିବେ ! +ବାପା ବୋଲି ଡାକିଦେବା ମାତ୍ରେ ପ୍ରତିଧ୍ବନିରେ ‘ଓ’ ବୋଲି କହୁଥିବା ମଣିଷଟି ସତରେ କ’ଣ ନୀରବ ନିସ୍ପନ୍ଦ ହୋଇଯାଇଥିବେ ! +ନିତ୍ୟାନନ୍ଦଙ୍କ ଆଖିରେ ଆଖିଏ ଲୁହ ଟଳମଳ ହେଲା । +ରାସ୍ତାଘାଟ ତାଙ୍କୁ ଝାପ୍‌ସା ଦିଶିଲା । +ନିତ୍ୟାନନ୍ଦ ଆଉ ନିଜ ଭିତରର କୋହ ସମ୍ଭାଳି ପାରିଲେ ନାହିଁ- ସେହି ଗାଡ଼ି ଭିତରେ କଇଁ କଇଁ ହୋଇ କାନ୍ଦି ଉଠିଲେ । +ସେମାନେ ଘରେ ପହଞ୍ଚିଲାବେଳକୁ ବାପା ସତରେ ଦୂର ଆକାଶର ତାରା ହୋଇସାରିଥିଲେ । +ନିଦରେ ଶୋଇପଡ଼ିଥିବା ଭଳି ବାପା ତାଙ୍କ ଅତିପ୍ରିୟ ଖଟ ଉପରେ ଚିତ୍‌ହୋଇ ଶୋଇଥିଲେ । +ଆଖି ଦିଓଟି ମୁଦି ହୋଇଯାଇଥିଲା । +ସକାଳୁ କ୍ଲିନ୍‌ସେଭ୍‌ ହୋଇଥିଲେ । +ମୁହଁଟି ଜୀବନ୍ତ ମଣିଷର ମୁହଁପରି ଅର୍ଥପୂର୍ଣ୍ଣ ଲାଗୁଥିଲା । +ତାଙ୍କ ପାଦଠୁ ବେକଯାଏ ହରିନାମ ଲେଖାଥିବା ଏକ ନାମାବଳୀ ଘୋଡ଼ା ହୋଇଥିଲା । +ତାଙ୍କ ଘର ସାମ୍ନାରେ ନିର୍ବାକ ମଣିଷମାନଙ୍କର କାନ୍ଦୁରା ମୁହଁଟିମାନ ସେ ଗଭୀର ବର୍ଷାରାତିକୁ ଆହୁରି କରୁଣ କରି ଦେଉଥିଲା । +ନିତ୍ୟାନନ୍ଦ ବାପାଙ୍କର ସେଇ ଶୋଇବାଘରକୁ ପଶିବାମାତ୍ରେ ଲାଗିଲା ବାପା ଯେମିତି ଉଠିପଡ଼ି କହିବେ, ଆରେ ! +କେତେବେଳେ ଆସିଲୁ ? +ଆଜି ଦେହଟା ଟିକେ ଭଲ ଲାଗୁନି ତ, ଶୋଇ ପଡ଼ିଥିଲି । +ନିତ୍ୟାନନ୍ଦ ବାପାଙ୍କ ପାଦ ପାଖରେ ଆଣ୍ଠେଇପଡ଼ି ପାଦ ଦିଓଟିକୁ ଛୁଇଁଲେ । +ବରଫ ପରି ଥଣ୍ଡା ଓ କାଠ ପରି ଟାଣ ଲାଗୁଚି ପାଦ ଦୁଇଟି । +ଓଡ଼ିଶାର କୋଣ ଅନୁକୋଣ ଦିନେ ଏଇ ପାଦ ଯୋଡ଼ିକରେ ବୁଲିବୁଲି ସେ ଦେଖିଥିଲେ । +ଆଜି ଆଉ ଏ ପାଦରେ ଶକ୍ତି ନାହିଁ । +ନିତ୍ୟାନନ୍ଦ ସେ ପାଦ ଦିଓଟିକୁ ଧରି ଡ଼ାକିଲେ- ବାପା ! ବାପା ! ଅତ୍ୟନ୍ତ ଧୈର୍ଯ୍ୟବନ୍ତ ଲାଗୁଥିବା ଜଣେ ଚିହ୍ନା ପ୍ରୌଢ଼ ନିତ୍ୟାନନ୍ଦଙ୍କ ବାହୁକୁ ଧରି ଉଠେଇ ଆଣୁ ଆଣୁ କହିଲେ- ତମ ବାପା ସବୁ କରିଛନ୍ତି । +ପୁଅଝିଅଙ୍କୁ ମଣିଷ କରି ବାହାଚୋରା କରିଛନ୍ତି । +ଆଉ ତାଙ୍କର କିଛି ଅବଶୋଷ ନାହିଁ । +ଥାଉ ବାବା ଥାଉ, ତମେ କାନ୍ଦିଲେ ତାଙ୍କ ଆତ୍ମା କଲବଲ ହେବ । +ନିତ୍ୟାନନ୍ଦ ବୁଝି ପାରିଲେନି, ଚାଳିଶବର୍ଷ ଧରି ଯୋଉ ମଣିଷଟି ତାଙ୍କର ସୁଖଦୁଃଖ ବୁଝୁଥିଲା, ଯୋଉ ମଣିଷଟି ତାଙ୍କର ହାତଧରି ଚାଲି ଶିଖେଇଲା, ଯୋଉ ମଣିଷ ନିଃସ୍ବାର୍ଥପର ଭାବରେ କେବଳ ତାଙ୍କୁ ତିଆରି କରିଗଲା, ତା’ ପାଇଁ କିଛି ନ ହେଲେ ବି ଦି’ଟୋପା ଲୁହ ସେ ଦେଇପାରିବେନି ? +କୋଉଠି ଥାନ୍ତି ଏମିତି ସ୍ଥିତପ୍ରଜ୍ଞ ପଡ଼ିଶାମାନେ । +ବାପାର ଶବ ପାଖରେ ପୁଅକୁ ମୁହୂର୍ତ୍ତେ ବସିବାର ସୁଯୋଗ ଦିଅନ୍ତିନି । +ରାତି ପାହିବା ପୂର୍ବରୁ ବାପାଙ୍କ ଶବ ସତ୍କାର ସରିଗଲା । +ଦିନେ ନିତ୍ୟାନନ୍ଦଙ୍କ ଆଖିର ଆକାଶ ପରି ବିଶାଳ ଓ ସାଗର ପରି ଗଭୀର ଦିଶୁଥିବା ବାପା ନାମକ ମଣିଷଟି ରାତି ପାହିଲାବେଳକୁ ଦିକ୍‌ ଦିକ୍‌ ଜଳୁଥିବା କିଛି ଅଙ୍ଗାର ଓ ଦୁଇମୁଠା ପାଉଁଶରେ ପରିଣତ ହୋଇଯାଇଥିଲେ । +ନିତ୍ୟାନନ୍ଦ ସେ ପାଉଁଶ ଆଡ଼କୁ ଥରେ ଚାହିଁଲେ ଓ ଆଖିର ଲୁହକୁ ସମ୍ଭାଳି ନେଇ କହିଲେ- ବାପା ! ତମେ ସତରେ କୁଆଡ଼େ ଲୁଚିଗଲ ! ତମକୁ ସତରେ ଆଉ ଖୋଜିଲେ କୋଉଠି କେବେ ବି ମିଳିବନି ? ନିତ୍ୟାନନ୍ଦଙ୍କ ଲୁହ ଓ କୋହ ସେଇ ମଶାଣିପଦାର ବୁଢ଼ା ବରଗଛ ଓ ବରଗଛ ଡାଳରେ ଓଦା ସରସର ହେଇ ପର ଝାଡ଼ୁଥିବା ଏକ୍‌ଲା ଚଢ଼େଇଟା ଅବା ଶୁଣିଥିଲେ ଣୁଣିଥିବେ । +ବାପାଙ୍କ ଶବ ସଂସ୍କାର ପରେ ନିତ୍ୟାନନ୍ଦ, ତାଙ୍କ ବଡ଼ଭାଇ, ସାନଭାଇ, କଟକରୁ ଆସିଥିବା ଦାଦାଙ୍କ ପୁଅମାନ ବସି ସ୍ଥିର କଲେ ଶୁଦ୍ଧିକ୍ରିୟା କେମିତି ହେବ । +ନିତ୍ୟାନନ୍ଦଙ୍କ ବଡ଼ଭାଇ ସତ୍ୟାନନ୍ଦ କୋହଭରା ସ୍ବରରେ କହିଲେ- ବାପା ଆମ ସମସ୍ତଙ୍କ ପାଇଁ ସବୁକିଛି କରିଛନ୍ତି । +ଆମେ ଆଜି ଯାହା ହୋଇଛେ, ସବୁ ସେଇ ବାପାଙ୍କ ପାଇଁ । +ଜୀବନରେ ସେ କେବେ କାହା ଉପରେ ବୋଝ ହୋଇ ନାହାନ୍ତି, କି କାହାଠୁ ଦଶପଇସାର ଆଶା କରି ନାହାନ୍ତି । +ତେଣୁ ତାଙ୍କ ଶୁଦ୍ଧିଘର ଯେତେ ଭଲ ହେଇପାରିବ ଆମେ କରିବା । +ସତ୍ୟାନନ୍ଦଙ୍କ କଥାରେ କାହାର ଅମଙ୍ଗ ହେବାର ନ ଥିଲା । +ସେତିକିବେଳକୁ ପରିଡ଼ାଘର ବଟିଆଦି କହିଲେ- ବିଷମ ସମସ୍ୟା ହେଲାଣି । +କଥା କ’ଣ ବୁଝୁ ବୁଝୁ ବଟିଆଦି କହିଲେ ତମ ସାଇ ପରିକ୍ଷିତ କହୁଛି, ସେ ଶୁଦ୍ଧି ଫୁଦ୍ଧି ହେବ ନାର୍ହଁ । +ଠାକୁର ପୂଜା କରିବ, ମାଛ ମାଉଁସ ଖାଇବ । +ତା’ ବଡ଼ପୁଅ ଫଟାନାତି ମନାକରି ପଠେଇଛି । +ସେ କହୁଛି, ଗଲାସନ ଜାଗାବାଡ଼ିକୁ ନେଇ ତମସହ ତା’ର ଝଗଡ଼ା ତୁଟିନାହିଁ । +ତେଣୁ ସେ ଭାଇପଣ କାଟିଦେଲା । +ବାପାଙ୍କ ବିୟୋଗରେ ମ୍ରିୟମାଣ ହୋଇପଡ଼ିଥିବା ଦାଦା, ତୁରନ୍ତ ବଡ଼ ପାଟିରେ ଚିତ୍କାର କଲେ- ‘କାଲିପରି ଲାଗୁନି, ପରିକ୍ଷିତର ଖାଇବାକୁ ଖୁଦ ନ ଥିଲା, ପିନ୍ଧିବାକୁ କନା ନ ଥିଲା । +ତା’ ବାପା ସାଉଟା ବୁଢ଼ା କାନ୍ଦି କାନ୍ଦି କହିଲା- ପରିକ୍ଷିତ ମୋର ପରୀକ୍ଷା ଦବ ଯେ, ପଁଷଠୀ ଟଙ୍କା ଦରକାର । +ସେଦିନ ମୋର ଏଇ ଭାଇ ତାକୁ ଶଏ ଟଙ୍କା ଦେଇଥିଲେ । +ସେ ସବୁ କ’ଣ ପରିକ୍ଷିତ ଭୁଲିଗଲା ?’ ଦାଦା ଚିତ୍କାର କରୁଥାନ୍ତି ଓ କୋହରେ ଫାଟି ପଡ଼ୁଥାନ୍ତି । +ନିତ୍ୟାନନ୍ଦଙ୍କ ଠିକ୍‌ ମନେଅଛି, ସେଦିନ ବାପାଙ୍କ ଶୁଦ୍ଧିକ୍ରିୟା ନେଇ ଯେମିତି ଛୋଟ ପଞ୍ଚାୟତଟେ ବସିଥିଲା । +ବାପାଙ୍କ ସ୍ମୃତିରେ ଡହଳ ବିକଳ ହୋଇ ସେଦିନ ନିତ୍ୟାନନ୍ଦ ପଣ କରିଥିଲେ, ଯେମିତି ହଉ, ଯେତେ କଷ୍ଟ ପଡ଼ୁ ପଛେ ବାପାଙ୍କ ସ୍ମୃତି ରକ୍ଷା ପାଇଁ କିଛି ଗୋଟାଏ କରିବାକୁ ପଡ଼ିବ । +ଦରକାର ପଡ଼ିଲେ ସଂଯୁକ୍ତାଙ୍କ ଗହଣା ବିକିଦେବି, ପୁରୁଣା ସ୍କୁଟରଟା ବିକିଦେବି । +ଏପରିକି ପାର୍ଟଟାଇମ୍‌ ଟ୍ୟୁସନ୍‌ କରି ବାପାଙ୍କ ସ୍ମୃତି ବଞ୍ଚାଇ ରଖିବା ପାଇଁ ନିତ୍ୟାନନ୍ଦ ସେଦିନ ମନେ ମନେ ସଙ୍କଳ୍ପ କଲେ । +ବାପାଙ୍କ ଦଶାହ ଦିନ ସବୁ ବନ୍ଧୁବାନ୍ଧବ ଘରେ ଏକାଠି ହେଲେ । +ନିତ୍ୟାନନ୍ଦଙ୍କ ମନେ ପଡ଼ିଲେ ଆଶ୍ଚର୍ଯ୍ୟ ଲାଗୁଥିଲା, ସେଦିନ ଘରେ ପାଦ ଦେଉ ଦେଉ ଯୋଉ ନାନୀ ବାପାଙ୍କ ଗୁଣଗାନ କରି ବାହୁନୁ ଥିଲା, କେଇଘଣ୍ଟା ପରେ ସେ ସ୍ବାଭାବିକ ହୋଇ ବସିଲା ଓ ସତ୍ୟାନନ୍ଦ ଭାଇଙ୍କୁ କହିଲା, ଝିଅ ହିସାବରେ ଏ ଘରୁ ମୁଁ କେବେ କୌଣସି ପର୍ବରେ କିଛି ପାଇ ନାହିଁ । +ଏଇଥର ଭଲ ଶାଢ଼ୀ ଦିଖଣ୍ଡ ଦବ । +କହୁ କହୁ ସେ ଏକଥା ବି କହିଲା ଆଜିକାଲି ଆଉ କ’ଣ କିଏ ସୂତା ପ୍ରିଣ୍ଟ୍‌ ପିନ୍ଧୁଛନ୍ତି । +ମୋ ଶାଶୁଘର ଲୋକ ଦେଖିବେ । +ଦବ ଯଦି ସାଉଥ୍‌କଟନ୍‌, ନ ହେଲେ ଧନିଆକାଲି । +ଭବାନୀପାଟଣାରୁ ଆସିଥିବା ଭଉଣୀର ଚଳିବା ଭଲ । +ତା’ ବର ଗୋଟେ ବଡ଼ କମ୍ପାନୀର ମ୍ୟାନେଜର । +ଭୁବନେଶ୍ବରରେ ବଡ଼ କୋଠା । +ତା’ ପିଲାମାନେ ବହୁ ଲକ୍ଷ ଟଙ୍କା ଖର୍ଚ୍ଚକରି ଓଡ଼ିଶା ବାହାରେ କଅଣ ସବୁ ପଢ଼ୁଛନ୍ତି । +ସେ ବି ନାକ ସୁଁ ସୁଁ କରି କହିଲା – ଭାଇ ! ତମେ ତ ଜାଣ, ଇୟେ ଜମା ଧୋତି ଫୋତି ପିନ୍ଧନ୍ତି ନାହିଁ । +ୟା’ଙ୍କ ପାଇଁ ପ୍ୟାଣ୍ଟ ସାର୍ଟ କରିଦବ । +ଆଉ ମୋ ପୁଅମାନେ ବାହାରେ ରହିଲେ କଅଣ ହେଲା, ଅଜା ମରିଛନ୍ତି ଯେତେବେଳେ, ଶୁଦ୍ଧି ତ ନିଶ୍ଚୟ ହେବେ । +ତାଙ୍କ ପାଇଁ କୋରିୟର୍‌ରେ ଡ୍ରେସ୍‌ ପଠେଇ ଦବ । +ଆପଣାର ବୋଲି ମନେ ହେଉଥିବା ମଣିଷମାନଙ୍କର କପଟାଚାରରେ ସେଦିନ ସତ୍ୟାନନ୍ଦ କେମିତି ଆକ୍ତାମାକ୍ତା ହୋଇ ଯାଉଥିଲେ ସେକଥା ମନେ ପଡ଼ୁଥିଲା ନିତ୍ୟାନନ୍ଦଙ୍କର । +ଝିଅ ବାହାଘର ପାଇଁ ଯୋଗାଡ଼ କରିଥିବା ଟଙ୍କାପଇସା ବାପାଙ୍କ ଶୁଦ୍ଧିଘରରେ ଖର୍ଚ୍ଚ କରିବାକୁ ସତ୍ୟାନନ୍ଦ ଡରୁ ନଥିଲେ । +ଡରୁଥିଲେ, କେବଳ ନିଜ ପ୍ରିୟ ପରିଜନଙ୍କ ମୁଖାଲଗା ମୁହଁଟିମାନ ଦେଖି । +ବାଙ୍ଗାଲୋର୍‌ରେ ରହୁଥିବା ଝିଅ ଜ୍ବାଇଁଙ୍କ ପାଇଁ ସତ୍ୟାନନ୍ଦ ବେଶ୍‌ ଯତ୍ନବାନ୍‌ ଥିଲେ । +କହୁଥିଲେ ଝିଅଟା ଏତେ ଦୂରରୂ ଆସୁଛି । +ତା’ ଜ୍ବାଇଁଟା ବି ପ୍ରଥମ ନିମତକୁ ଆସୁଛି । +କିଛି ଅସୁବିଧା ହେଲେ କ’ଣ ଭାବିବ । +ସେମାନଙ୍କ ପାଇଁ ସେଇ ଗାଁଠୁ ସାମନ୍ୟ ଦୂରରେ ଥିବା ଡାକବଙ୍ଗଳା ବି-ରିଜର୍ଭେସନ କରି ରଖିଥିଲେ ସତ୍ୟାନନ୍ଦ । +ଦଶାହଦିନ ସନ୍ଧ୍ୟାରେ ସେମାନେ କଟକରୁ ଏକ ଗାଡ଼ି ଭଡ଼ାକରି ପହଞ୍ଚିଲେ । +ସାଙ୍ଗରେ ତାଙ୍କର ପିଲା, ଦି’ଟା ବଡ଼ ଆଟାଚି ଆଉ ବେଡ଼ିଂ ପତ୍ର । +ଘରେ ପହଞ୍ଚୁ ପହଞ୍ଚୁ ସେମାନେ ଯେତେବେଳେ ଶୁଣିଲେ ତାଙ୍କ ପାଇଁ ସ୍ବତନ୍ତ୍ର ଏକ ବଙ୍ଗଳା ରିଜର୍ଭେସନ କରାଯାଇଛି, ସେମାନେ ଖୁସି ହୋଇଗଲେ । +ଏକରେ ବଙ୍ଗଳାରେ ଘର ଅପେକ୍ଷା ଅଧିକ ସ୍ବାଚ୍ଛନ୍ଦ୍ୟ ମିଳିବ, ଦ୍ବିତୀୟରେ ସେମାନେ ଅନ୍ୟ ବନ୍ଧୁମାନଙ୍କଠାରୁ ଯେ ସ୍ବତନ୍ତ୍ର ସେକଥା ପ୍ରମାଣିତ ହୋଇଯିବ । +ଦଶ ହାଣ୍ଡିରେ ରନ୍ଧା ହୋଇଥିଲା ମୋଟା ବଗଡ଼ା ଉଷୁନା ଭାତ ଆଉ ଅଣବଘରା, ଅଣହଳଦିଆ ଡାଲମା । +ବାଙ୍ଗାଲୋରରୁ ଆସିଥିବା ଜ୍ବାଇଁ ଉଚ୍ଚଶିକ୍ଷିତ, ତେଣୁ ଆଡ଼୍‌ଭାନ୍‌ସ୍ଡ୍‌ । +ସେ ସେଇ ରାତିରେ ମୃଦୁ ପ୍ରତିବାଦ କରି କହିଲେ- ଏସବୁ ନାଷ୍ଟି ଆଇଡ଼ୋଲୋଜି । +କୋଉଠି ଲେଖା ଅଛି ଏମିତି ଅଣବଘରା ବାଜେ ତରକାରୀ ଖାଇବ ବୋଲି ! ଯଦି ଏମିତି କଲେ ମଲାଲୋକ ମୋକ୍ଷ ହୁଅନ୍ତେ, ତେବେ ଧର୍ମ-ଫର୍ମ, ଠାକୁର ପୂଜା କରିବ କାହିଁକି ? ସେ କେବଳ ଏତକ କହିଲେ ନାହିଁ, ବରଂ ଖାଇବା ପତ୍ରରୁ ଉଠି ଚାଲିଗଲେ । +ସତ୍ୟାନନ୍ଦ ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରି ବି ପାରିଲେ ନାହିଁ । +ବାହାରେ ସେମାନଙ୍କ ଗାଡ଼ି ଅପେକ୍ଷା କରିଥିଲା । +ସେମାନେ ବଙ୍ଗଳାକୁ ଚାଲିଗଲେ । +ସକାଳୁ ସକାଳୁ ଫେରିଆସି ଭୀଷଣ ବିରକ୍ତ ହୋଇ ସେ ଜ୍ବାଇଁ ଯେତେବେଳେ କହିଲେ- ରୁମ୍‌ରେ ଏ.ସି. ନାହିଁ । +ମଶା ପ୍ରବଳ । +ଏମିତି ରୁମ୍‌ରେ କିଏ ଶୁଏ ? ତଥାପି ନା ସତ୍ୟାନନ୍ଦ, ନା ନିତ୍ୟାନନ୍ଦ ବା ତାଙ୍କର କେହି ଜଣେ ହେଲେ ଭାଇ ପ୍ରତିବାଦ କରିପାରିଲେ ନାହିଁ । +ସତେକି ବାପାଙ୍କ ମୃତ୍ୟୁ ସହ ସେମାନେ ସେମାନଙ୍କ ବାକ୍ଶକ୍ତି ହରାଇଥିଲେ । +ଏକାଦଶାହ ଦିନ ଭୋଜିଭାତ ସରିବା ପରେ ସକାଳୁ ସକାଳୁ ଯିଏ ଯେଝାବାଟରେ ବାହାରିଲେ । +ସେଥିପାଇଁ ସତ୍ୟାନନ୍ଦ, ନିତ୍ୟାନନ୍ଦ ଓ ସେମାନଙ୍କ ସାରା ପରିବାର ଲୋଟଣୀପାରା ପରି ଲାଗି ପଡ଼ିଥିଲେ । +କାହା ପାଇଁ ରସଗୋଲା କିଣାଯିବ ତ କାହା ପାଇଁ ବୁନ୍ଦିଆ । +କାହା ଗାଡ଼ିରେ ଗାଁ ଗଛରୁ ଓଉ ତୋଳି ରଖାଯିବ ତ, କାହା ଗାଡ଼ିରେ କଦଳୀ କାନ୍ଦି । +କାହା ପିଲା ପାଇଁ ମନଲାଖି ଡ୍ରେସ୍‌ ନ ହୋଇ ପାରିବାରୁ ତା’ ପାଖରେ ଦାନ୍ତ ନେଫେଡ଼ି ହସିବାକୁ ପଡ଼ିବ ତ, କାହାକୁ ପ୍ରତିଶ୍ରୁତି ଦେବାକୁ ପଡ଼ିବ, ସପ୍ତାହେ ପରେ ଆମେ ସବୁ ନେଇକି ଯିବୁ । +ବନ୍ଧୁ ବିଦା ସରିବା ପରେ ସଂଯୁକ୍ତା ନିତ୍ୟାନନ୍ଦଙ୍କର ମନେ ପକେଇଦେଲେ ପିଲାମାନଙ୍କର ବାରଦିନ ହେଲା ସ୍କୁଲ୍‌ ବନ୍ଦ । +ଆଉ ସପ୍ତାହେ ପରେ ହାପ୍ଇୟର୍ଲି । +ନିତ୍ୟାନନ୍ଦ ଚମକି ପଡ଼ିଲେ । +ସତେତ, ୟା ଭିତରେ ତାଙ୍କର ଅନେକ କାମ ବାକି ରହିଗଲାଣି । +ମହାପାତ୍ର ବାବୁଙ୍କ ଜମିବିକ୍ରୀ କଥା ଅଧା ରହିଯାଇଛି । +କୈଳାସବାବୁଙ୍କ ସହ ଭଦ୍ରକ ଯାଇ ଟ୍ରାକ୍ଟର କିଣିବା କାମଟା ପକ୍କା କରିବାକୁ ପଡ଼ିବ । +ସ୍ବାଇଁବାବୁ କହୁଥିଲେ ଗୋଟାଏ ସପ୍ଲାଏ ଅର୍ଡ଼ର ମିଳିବ ବୋଲି । +ୟା’ ଭିତରେ କଅଣ ହେଲା କେଜାଣି । +ସହସା ବାପାଙ୍କୁ ନେଇ ତାଙ୍କ ଭିତରେ ଉଠୁଥିବା ପ୍ରବଣତାର ଢେଉ ଥମିଗଲା । +ସେ ମନକୁ ମନ କହିଲେ- ହଁ, ବୟସ ହୋଇଯାଇଥିଲା । +ଆଉ କେତେବର୍ଷ ବା ବଞ୍ଚିଥାନ୍ତେ । +ତାଙ୍କର ଏଥର ଭୁବନେଶ୍ବର ଫେରିଯିବା ଦରକାର । +ସେ ଚିନ୍ତାକଲେ ଓ ପରଦିନ ପ୍ରବଳ ବର୍ଷା ସତ୍ତ୍ବେ ପିଲାମାନଙ୍କୁ ଧରି ଭୁବନେଶ୍ବର ଫେରି ଆସିଥିଲେ । +ସେଦିନ ସେମିତି ଏକ ବର୍ଷା ଦେଖି ଅଚାନକ ମନେପଡ଼ିଲେ ବାପା । +ନିତ୍ୟାନନ୍ଦ ମନକୁ ମନ କହିଲେ- ଆରେ! ୟା’ ଭିତରେ ବାପାଙ୍କର ମରିବା ଦି’ ବର୍ଷ ହୋଇଗଲାଣି । +ସେ ବାରମ୍ବାର ବାପାଙ୍କ କଥା ମନେପକାଇଲେ ଓ ଅନ୍ୟମନସ୍କ ଭାବେ ସଅଳ ଘରକୁ ଫେରିଆସିଲେ । +ଘରେ ପହଞ୍ଚୁ ପହଞ୍ଚୁ ସଂଯୁକ୍ତା ପଚାରିଲେ ଆଜି କ’ଣ ଏତେ ଜଲ୍‌ଦି ? ନିତ୍ୟାନନ୍ଦ ମୁହୂର୍ତ୍ତେ ଚୁପ୍‌ ରହିବା ପରେ କହିଲେ- ଯୋଉଦିନ ବାପା ଚାଲି ଯାଇଥିଲେ ଏମିତି ବର୍ଷା ହେଉ ନ ଥିଲା ? ସଂଯୁକ୍ତା କହିଲେ- ହଁ ଏଇ ସେପ୍ଟେମ୍ବର ମାସ ତ ! ନିତ୍ୟାନନ୍ଦ କହିଲେ ବାପାଙ୍କ ମୃତ୍ୟୁ ତାରିଖଟା କେତେ ? ସଂଯୁକ୍ତା କିଛି ସମୟ ମନେ ପକାଇବା ପରେ କହିଲେ, ଅଣତିରିଶ ବୋଧେ । +ନା….ମ- ପଚିଶ୍‌ ନା ଛବିଶ । +ନିତ୍ୟାନନ୍ଦ କହିଲେ । +ସଂଯୁକ୍ତା କହିଲେ- ନା, ଦରମା ମିଳିବାକୁ ପା ଦିନେ ଥିଲା । +ନିତ୍ୟାନନ୍ଦ କହିଲେ ୟା’ରି ଭିତରେ ତା’ ହେଲେ ବାପାଙ୍କ ଶ୍ରାଦ୍ଧ କେବେ ପଡ଼ିବ । +ସଂଯୁକ୍ତା କହିଲେ ତମର ତିଥି ମନେଅଛି ? ନିତ୍ୟାନନ୍ଦ କିଛି ସମୟ ମନେ ପକାଇବାକୁ ଚେଷ୍ଟା କଲେ ଓ କହିଲେ ଗାଁରୁ କିଛି ଫୋନ୍‌ଫାନ୍‌ ଆସିନି ? +ତାଙ୍କ ଫୋନ୍‌ ପା ଆଠଦିନ ହେଲାଣି ଡେଡ଼୍‌ । +ସଂଯୁକ୍ତା ଏତକ କହିଲେ ଓ ରୋଷେଇ ଘରକୁ ଚାଲିଗଲେ । +ନିତ୍ୟାନନ୍ଦ କହିଲେ କାଲି ସକାଳୁ ମନେ ପକେଇଦବ ତ, ଆମ ଗାଁ ପୋଷ୍ଟ ଅଫିସ୍‌ ଫୋନ୍‌ କରି ଦାଦାଙ୍କୁ ଡାକିଦବା, ଦାଦା କହିପାରିବେ ଠିକ୍‌ ତାରିଖ । +ପରଦିନ ସକାଳୁ ନିତ୍ୟାନନ୍ଦଙ୍କ ଝିଅ ହିଁ ମନେ ପକାଇଦେଲା ଫୋନ୍‌ କରିବାକୁ ! ନିତ୍ୟାନନ୍ଦ ଖବରକାଗଜ ପଢ଼ା ସାରି ଦାଢ଼ି କାଟିଲେ । +ଘରୁ ବାହାରିଲା ମାତ୍ରେ ପଡ଼ିଶା ଘର ମହାନ୍ତିବାବୁଙ୍କ ସହ ପେଟ୍ରୋଲ୍‌ ଦର ବଢ଼ିବା ସମ୍ପର୍କରେ କଥା ହେଲେ । +ତା’ପରେ ପାଖ ବୁଥ୍‌କୁ ଫୋନ୍‌ କରିବାକୁ ଯିବା ସମୟରେ ସାଇକେଲ୍‌ ଚଢ଼ି ଆସି ପହଞ୍ଚିଲା ତାଙ୍କ ଗାଁ ବାବୁଲା । +ବାବୁଲା ତାଙ୍କ ଗାଁ ପିଲା । +ଭୁବନେଶ୍ବରରେ ଗୋଟାଏ ଲୁଗା ଦୋକାନରେ କାମ କରେ । +ମଝିରେ ମଝିରେ ଗାଁକୁ ଯାଏ । +ସେ ସାଇକେଲ୍‌ରୁ ଓହ୍ଲାଇପଡ଼ି ନମସ୍କାର କଲା ଓ ଦୋଷୀଟିଏ ପରି ତଳକୁ ମୁହଁପୋତି କହିଲା, ‘ଗଲା ପଅର ଦିନ ଆପଣଙ୍କ ବାପାଙ୍କ ଶ୍ରାଦ୍ଧ ଥିଲା । +ଆପଣଙ୍କ ଭାଇ ମୋ ହାତରେ ଖବର ଦେଇଥିଲେ ଯେ, ମୁଁ ଭାବିଲି ଆପଣ ତ ଜାଣିଥିବେ । +ବର୍ଷା ହଉଥିଲା, ତେଣୁ ଆସିପାରିଲି ନାହିଁ ।’ +ନିତ୍ୟାନନ୍ଦ ଚମକି ପଡ଼ି ଚାରିଆଡ଼କୁ ଚାହିଁଲେ । +ବାପାଙ୍କ ଶ୍ରାଦ୍ଧ ୟା’ ଭିତରେ ଦୁଇଦିନ ହେଲା ଚାଲିଗଲାଣି, ଅଥଚ ତାଙ୍କର ମନେ ନାହିଁ । + କେହି ଜାଣୁ ନାହାନ୍ତି ତ ଏ କଥା ! ଭାଇ ଯଦି ପଚାରିବେ, ଆରେ ! ଏ ବର୍ଷ ବାପାଙ୍କ ଶ୍ରାଦ୍ଧକୁ କାହିଁ ଆସିଲୁନି ? କି ଉତ୍ତର ଦେବି ?