diff --git a/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_29 b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_29 new file mode 100644 index 0000000000000000000000000000000000000000..efa503fcfe77842d118d532d9469335b7286d963 --- /dev/null +++ b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_29 @@ -0,0 +1,106 @@ +ଏବେ ମଧ୍ୟ ବଞ୍ଚିଛି +ଗୋଦାବରୀଶ ମହାପାତ୍ର +ତା: ସେପ୍ଟେମ୍ବର୍ ୩୦, ୨୦୧୩ +ମୂଳ ପୃଷ୍ଠା → ସ୍ମରଣୀୟ ଲେଖା → ଗଳ୍ପ → +ବେଣୁଧର କ’ଣ କରିବ କିଛି ଠିକ୍‌ କରିପାରିଲା ନାହିଁ । +ଯେତେବେଳେ ଗାଁ ଯାକ ବାହାରନ୍ତି ସାହାଯ୍ୟ କେନ୍ଦ୍ରକୁ ସାହାଯ୍ୟ ପାଇଁ, ବେଣୁଧର ପିଣ୍ଡାରେ ତୁନି ହୋଇ ଠିଆହୁଏ । +ଭାବେ, ଏତେ ଲୋକ ଯାଉଛନ୍ତି, ସମସ୍ତଙ୍କ ଆଗରେ ମୁଁ ହାତ ପତେଇ ଠିଆହୋଇ ମାଗିବାଟା ସୁନ୍ଦର ହେବ ନାହିଁ । +ଯେଉଁଦିନ କେହି ଯାଆନ୍ତି ନାହିଁ, ସେଦିନ ବେଣୁଧର କାନ୍ଥରେ ଲଟକାଇଥିବା ଚିରା କାମିଜ୍‌ଟାକୁ ଦେହରେ ଗଳାଇଦେଇ ସେ ବଡ଼ ବରଗଛ ଦାଣ୍ଡକୁ ବାହାରିପଡ଼େ । +ଦାଣ୍ଡ ଡେଇଁ, ବିଲ ପଡ଼ିଆ ଡେଇଁ ଯେତେବେଳେ ସେ ବଡ଼ ବରଗଛ ମୂଳେ ପହଞ୍ଚେ, ଟିକିଏ ବସିପଡ଼େ । +ଶ୍ୟାମଳ ପତ୍ରଗହଳ ତଳେ ଶୀତଳ ପବନ ଟିକିଏ ପାଇ ସେ ଆଖି ବୁଜି ଅନେକ ଭାବେ । +ଭାବେ-ସେ ଯିବ, କେନ୍ଦ୍ର ଦୁଆରେ ଠିଆ ହେବ । +କିପରି ଠିଆ ହେବ? ହାତ ଯୋଡ଼ିବ ନା ହାତ ଦୁଇଟା ପାଖକୁ ଝୁଲାଇ ରଖିବ? +ମୁଣ୍ଡ ଟିକିଏ ନୁଆଁଇବ ନା ମୁଣ୍ଡକୁ ବୀର ପରି ସିଧା ରଖି ଠିଆହେବ? +ହସିବ ନା ଦୁଃଖରେ ମୁହଁ ଶୁଖାଇ ଚାହିଁବ? କ’ଣ କରିବ କିଛି ସେ ସ୍ଥିର କରିପାରେ ନାହିଁ । + ବିଚାରେ, ସେଠି ଯେ ଥିବେ, ସେ ଯେବେ ଚିହ୍ନା ଲୋକ ହୋଇଥିବେ, ତେବେ କ’ଣ କରିବାକୁ ହେବ? +ବସି ବସି, ବିଚାରି ସୂର୍ଯ୍ୟ ମୁଣ୍ଡ ଉପରକୁ ଉଠେ, ତା’ର ଭାବନା ଶେଷ ହୁଏ ନାହିଁ । +ସେହି ଜନଶୂନ୍ୟ ବିଲମାଳ ଭିତରେ ଗଛଡ଼ାଳରେ ଦୁଇଟା ଗୁଣ୍ଡୁଚି ମୂଷା ଚେଁ ଚେଁ ଶବ୍ଦ କରି ଏ ଡାଳରୁ ସେ ଡାଳକୁ ଧାଆଁନ୍ତି କିମ୍ବା କୁଆ କୋଇଲି ରାବି ଉଠନ୍ତି, ସେ ଆଣ୍ଠୁ ଉପରୁ ମୁଣ୍ଡ ଉଠାଇ ଆଖି ଫିଟାଏ କିନ୍ତୁ ଦେଖେ ସେହି ନିତିଦିନର ସଂସାର ତାହାରି ଆଗରେ । +ଦୂରର ମରୀଚିକା ପାଣି ପରି ଭାସିଯାଏ । +ତା’ର ଆଶା ଠିକ୍‌ ସେହିପରି ଦୂରକୁ ବହିଯାଏ । +ମୁହଁ ବୁଲେଇ ଦେଖେ, ଦୂରେ ଗଛ ଗହଳରେ ସିରେଇ ଗାଁ । +ସେହିଠାରେ ଗୋଟାଏ ଚାଳ ଉପରେ ଗୋଟାଏ ଜାତୀୟ ପତାକା । +ତାହାରି ତଳେ ସ୍ବେଚ୍ଛା ସେବକ, ଦେଶସେବକ, ମାତୃପୂଜକ, ଜନନାୟକ, ଦରିଦ୍ର-ସାଥୀ-ଯେ କେହି ଚାଉଳ ଧରି ବାଣ୍ଟିବାକୁ ବସିଥିବେ ବୋଲି ମନେକରେ । +ଅନ୍ୟଆଡ଼େ ମୁହଁ ବୁଲେଇ ଦେଖେ, ସେହିପରି ଗୁଡ଼ାଏ ଗଛ ଗହଳରେ ବାଗଲପଡ଼ା । +ତାହାରି ଭିତରେ ଗୋଟିଏ ଛୋଟ ଚାଳଘର, ସେହି ଚାଳଘର ଭିତରେ କେତୋଟି ପ୍ରାଣୀ, କାହା ପେଟରେ ଅନ୍ନ ନାହିଁ କି କାହା ମୁହଁରେ ହସ ନାହିଁ । +ଦିନେ ନୁହେଁ, ଦୁଇଦିନ ନୁହେଁ, ପାଞ୍ଚ ଦିନ ହେଲା ସେହି କୁଡ଼ିଆ ତଳେ ଚୁଲି ଜଳି ନାହିଁ, ସେ ଭିତରେ ଅଇଁଠା ପଡ଼ିନାହିଁ । +ଏ କଥା ଭାବିଲାବେଳେ ସେ ପୁଣି ଆଖି ବୁଜିଯାଏ । +ମାତ୍ର ନିଜ ଭିତରେ ସେ ଦେଖେ ଆଉ ଗୋଟିଏ ଜଗତ । +କି ସୁନ୍ଦର, କି ଜୀବନମୟ ଜଗତ ସେ! ସେ ଭିତରେ ବେଣୁଧର ବୋଲି ସତର ବର୍ଷର ଯୁବକ କେତେ ଖେଳିଲା, କେତେ ହସି ହସେଇଲା, କେତେ ନାଚି ନଚେଇଲା । +ସେ ଗଲା ଘର ଛାଡ଼ି ପାଠ ପଢ଼ିବାକୁ ଯେଉଁଠାରେ ଦେବତା ମଣିଷର ସାକ୍ଷୀ, ସେହିଠାରେ ସେ ପାଠ ପଢ଼ିଲା । +ପାଠ ପଢ଼ି ସେ ଭାବିଲା- ସେ ଜାଗିବ, ଦେଶକୁ ଜଗାଇବ । +ବେଣୁଧର ଆଖି ଫିଟେଇଲା । +ସେ ଦେଖିଲା, ପୁଣି ସେହି ଆଖି ଆଗରେ ପୁରୁଣା ସଂସାର । +ସେହି ଭଙ୍ଗାରୁଜା ସଂସାର ଭିତରେ ତା’ର ପାଠପଢ଼ା କାଳରେ ଶେଷ ହୋଇଛି; ସେହି ନିରସ ସଂସାର ଭିତରେ ତା’ର ଆଶାର ଝରଣା ଶୁଖି ଆସିଛି, ପ୍ରାଣର ରସ ମରିଯାଇଛି । +ସେ ଆସିଛି ଭିକ ମାଗି କେତୋଟି ପ୍ରାଣୀଙ୍କୁ ପୋଷିବ ବୋଲି । +ବେଣୁଧର ପାରିଲା ନାହିଁ । +ବରଗଛ ମୂଳେ ଠିଆ ହୋଇ ମୁହଁ ବୁଲେଇଲା ଗାଁ ଆଡ଼କୁ । +ଭାବିଲା, ‘‘ନାଁ, ମୁଁ ଏପରି ଭାବରେ ଯାଇ ଭିକ ମାଗିବାଟା ସୁନ୍ଦର ହେବ ନାହିଁ । +କେହି ଯେତେବେଳେ ଯାଉନାହାଁନ୍ତି, ମୁଁ ଏକାକୀ ଗଲେ ସେମାନେ ମନେକରିବେ କ’ଣ ? ବରଂ ଗହଳି ଭିତରେ ପଶି କାନି ପତେଇ ମାଗିଦେଲେ ଚଳିପାରେ ।’’ +ତଥାପି ବେଣୁଧର କ’ଣ କରିବ ବୁଝିପାରିଲା ନାହିଁ । +ଦିନେ ଗଲା, ଦୁଇ ଦିନ ଗଲା, ଚାରି ଦିନ ଗଲା । +ଆଠ ଦିନ ଗଲା । +ଦିନ ସତେ ଅବା ପାଣି ପରି ବହିଗଲା । +ସେ ଦେଖିଲା, ସେଇ ସୁଅରେ ତା’ ନିଜ ଗାଁର ଶହ ଶହ ମହାପ୍ରାଣୀ ଭାସି ଭାସି, ପେଟ ଦେଖାଇ, କଙ୍କାଳ ଦେଖାଇ, କାନି ଦେଖାଇ ଯାଇ ଲାଗୁଛନ୍ତି ସରେଇ ଗାଁର ଚାଉଳବଣ୍ଟା କେନ୍ଦ୍ର ଦୁଆରେ । +ଯାହା ପାଉଛନ୍ତି ମୁଠାଏ, ତାହା ଶିଝେଇ ଖାଇବାକୁ ଦରକାର ପଡ଼ୁନାହିଁ । +ଖରାବେଳେ ତଳତାତି ଓ ଉପରତାତି ଭିତରେ ମଝିରେ ଯେ ପେଟ ଚାଖଣ୍ଡକ ତାତି ଉଠୁଛି, ତାହା ସେମାନେ ସମ୍ଭାଳି ନପାରି ମୁଠା ମୁଠା ଚାଉଳ ବ୍ୟାକୁଳ ଭାବରେ ପାଟିରେ ଭର୍ତ୍ତି କରୁଛନ୍ତି । +ବେଣୁଧର ଘରକୁ ଫେରିଆସିଲା । +ଏପରି ଦିନେ ନୁହେଁ, ଦଶ ଦିନ ଯାଇ ଦଶ ଦିନ ଫେରିଲା । +ସବୁ କଥାର ସୀମା ଅଛି; ମାତ୍ର ବେଣୁଧରର କଥା ସୀମା ପାର ହୋଇଗଲା । +ଘରେ ଯେତେବେଳେ ଖୁଦକଣିକାଏ ସୁଦ୍ଧା ନାହିଁ, ସେତେବେଳେ କି ସୀମା ଭିତରେ ରହିହୁଏ ? ଶେଷରେ ଦିନେ ସେ କେନ୍ଦ୍ରରେ ଯାଇ ହାଜର ହେଲା । +– ଦୁଇ – +ସିରେଇ ଗାଁ’ର ସାହାଯ୍ୟ କେନ୍ଦ୍ର । +ଦୁର୍ଭିକ୍ଷ-ରାକ୍ଷସର ତାହା ଗୋଟାଏ ବିରାଟ ଯାଦୁଘର । +ଯେଉଁ ଦେଶରେ ଯୁଗ ଯୁଗ ଧରି ବିରାଟ ପଥରସ୍ତୂପ ଉପରେ ପତିତପାବନ ବାନା ଉଡ଼ୁଛି, ସେହି ଦେଶର ଲକ୍ଷ ଲକ୍ଷ ନରନାରୀଙ୍କ ବିକଳ ଧ୍ବନି ସେତେବେଳେ ସିରେଇରେ ପ୍ରତିଧ୍ବନିତ ହେଉଥିଲା । +ଯେଉଁ ଦେଶର ମଣିଷର ସାକ୍ଷୀ ରୂପ ସ୍ବୟଂ ଦେବତା ବାଟ ଚାଲି ଆସିଥିଲେ ବୋଲି କଥା ଅଛି, ଦୁଃଖ ଦାରିଦ୍ର୍ୟର ସାକ୍ଷ୍ୟ ନେବା ପାଇଁ ସେଇ ଭୂମିର ପରମ ସନ୍ୟାସୀ ଉତ୍କଳମଣି ସେହିଠାରେ ଉପସ୍ଥିତ ଥିଲେ । +ସେତେବେଳେ ସିରେଇ ଗୋଟାଏ ବିରାଟ ମଶାଣି କହିଲେ ଚଳେ । +ଦରମରା ମଣିଷଗୁଡ଼ାକ ସେଠାରେ ମରିବେ କି ଜିଇଁବେ, ଠିକ୍ କରିପାରୁ ନଥିଲେ । +କାହା ଆଖିରେ ଜ୍ୟୋତି ନଥିଲା, କାହା ମୁହଁରେ ହସ ନଥିଲା, କାହା ପାଦରେ ବଳ ନଥିଲା, କାହା ପେଟରେ ଅନ୍ନ ନଥିଲା କି କାହା କଟିରେ କନା ନଥିଲା- ଥିଲା କେବଳ ସମସ୍ତଙ୍କ କଣ୍ଠରେ ବିକଟ ସ୍ବର । +ସମସ୍ତେ କହୁଥିଲେ, ‘ଦିଅ-ଦିଅ-ଦିଅ’ । +ବେଣୁଧର ସେଇ ଭିତରେ ଯାଇ ଠିଆହେଲା । +ସେ ଶବ୍ଦ ଶୁଣି ତା’ର କାନ ତାବ୍‌ଦା ପଡ଼ିଗଲା । +ସେ ଦୃଶ୍ୟ ଦେଖି ତା’ ଆଖିକି ଜାଲୁଜାଲୁଆ ଦିଶିଲା । +ସେ ସେହି ଭିତରେ ଜଣେ ହୋଇ ଠିଆହେବାକୁ ଇଚ୍ଛା କଲା ନାହିଁ । + ମନେକଲା, ଲୋକଲୋଚନ ଆଗୋଚରରେ କେଉଁଠି ସେ ମିଶିଯାଆନ୍ତା କି, କେଉଁଠି ସେ ଆପଣାର ମୁହଁଟା ଲୁଚାଇ ଠିଆ ହୋଇପାରନ୍ତା କି, କେଉଁଠି ନିଜକୁ ହରାଇ ପାଗଳ ହୋଇଯାଆନ୍ତା କି? +ସେ ପଛକୁ ଘୁଞ୍ଚି ଆସିଲା । +କାହାର ସ୍ନେହପାଳିତ ଗୋଟିଏ ଗଛମୂଳେ ପଥର ଉପରେ ବସିପଡ଼ି ଖାଲି ଦେଖିଲା । +ତାକୁ ଦିଶିଲା ଗୋଟାଏ ପ୍ରାଚୀନ ବିରାଟ ଜାତି ହଠାତ୍‌ କିପରି ଭିକାରୀ ପାଲଟିଗଲା । +ଜୀବନ ଥାଉ ଥାଉ ଜାତିଟା କିପରି ଅପମାନ ବରଣ କରିନେଲା । + ଚାହୁଁ ଚାହୁଁ ବାଟ କିପରି ସେ ଭୁଲିଆସିଲା! +ତାକୁ ଦିଶିଲା- ଏଇପରି ଏକ ପ୍ରଭାତ ଅବସରରେ ସେ ପାଠ ପଢ଼ିଥିଲା । + ଚିରଶ୍ୟାମଳ ବକୁଳ ଛୁରିଅନା ମୂଳେ ଶହ ଶହ ତରୁଣ ପ୍ରାଣରେ ଯେଉଁ ଶିକ୍ଷାର ମଞ୍ଜି ପୋତା ଯାଇଥିଲା, ତାହା କ’ଣ ଶେଷକୁ ବଢ଼ିଉଠିଲା ଏଇ ଭିକ ମାଗିବା ପାଇଁ? ବେଣୁଧର କ’ଣ ଶେଷରେ ଏଇଆ ହେବ ବୋଲି ବହି ଧରିଥିଲା? +ବେଣୁଧର ସେଠି ଅଛି କି ନାହିଁ, ବୁଝିପାରିଲା ନାହିଁ । +ସେ ନିଜକୁ ଖୋଜିଲା । +ତା’ର ଆଖି ରହିଲା ଭିତରେ, ତା’ର ମନ ରହିଲା ଭିତରେ, ତା’ର ଭାବନା ରହିଲା ଭିତରେ, ତା’ର ଶରୀରଟା କେବଳ ସିରେଇ ଗାଁର ଏକ ଗଛମୂଳେ ଥିଲା । +ଚାଉଳ ଧରି ଲୋକେ ଫେରି ଚାଲିଛନ୍ତି, ଗହଳି କ୍ରମେ ଭାଜି ଆସୁଛି, ଖରା କ୍ରମେ ମାଡ଼ିଆସୁଛି; କିନ୍ତୁ ବେଣୁଧର ନିଜକୁ ହରେଇ ଗଛମୂଳେ ବସିଛି । +-ତିନି- +ଝାଞ୍ଜି ପବନର ସ୍ପର୍ଶ କିମ୍ବା କପୋତର କରୁଣ ଧ୍ବନି ବେଣୁଧରର ମୋହ ଭାଙ୍ଗି ପାରିଲା ନାହିଁ । +ଗଛଟା ଯେପରି କାହାକୁ କିଛି ନକହି ଅନେକ ଦିନୁ ଠିଆ ହୋଇଛି । +ତାହାରି ତଳେ ବେଣୁଧର କାହାକୁ କିଛି ନ ମାଗି ସକାଳ ପହରୁ ବସିଛି । +ତା’ର ଆଗରେ ପ୍ରଶ୍ନ ହେଲା- ‘‘ବାବୁ ତୋ’ର ଗାଁ?’’ +ଦଶ ପାଞ୍ଚଥର ଏହିପରି ପଚାରିବା ପରେ ବେଣୁଧର ମୁହଁ ଟେକି ଚାହିଁଲା । +ଚାହିଁଲା, ସତେ ଯେପରି କୋଣାର୍କର ଗୋଟାଏ ପଥରମୁର୍ତ୍ତି କେତେ ଯୁଗ ହେଲା ପାଣି-ପବନ, ଖରା-ତରା ସହି ସହି ପଡ଼ି ରହିଥିଲା, ହଠାତ୍‌ କାହାର ଡାକରେ ତା’ର କଡ଼ ପିଣ୍ଡରେ ପ୍ରାଣ ସଞ୍ଚାର ହେଲା । +ପୁଣି ତାକୁ ପଚରାଗଲା- ‘‘ତୋ’ର ଗାଁ କେଉଁଠି ବାବୁ? ଚାଉଳ ନେଇଚୁ?’’ +ବେଣୁଧର ସେଇପରି ଚାହିଁ ରହିଲା । +ତା’ପରେ ପ୍ରଶ୍ନ ପଚାରୁଥିବା ବ୍ୟକ୍ତି ଧୀରେ ଧୀରେ ତା’ ପାଖକୁ ଲାଗି ଆସିଲେ । +ଗୋଟିଏ ଶୀତଳ କୋମଳ ହାତର ସ୍ପର୍ଶ ତା’ ପିଠିରେ ଲାଗିଲା । +ପିଠିର କାମିଜ୍‌, ଦେହର ଚର୍ମ, ଚମତଳର ରକ୍ତ, ମାଂସ ଓ ହାଡ଼ ଭେଦ କରି ସତେ ଅବା ସେହି ସ୍ପର୍ଶ ବେଣୁଧରର କେଉଁ ଅନ୍ତର ଭିତରେ ବାଜିଲା, ତା’ର ଦେହ ଶୀତେଇ ଉଠିଲା । +ତା’ର ଆଖିପତା ଥରିଲା । +ଆଖି କ୍ରମେ ଓଦା ହୋଇ ଆସିଲା । +ତା’ପରେ ଚେଷ୍ଟା କଲା, ଓଠକୋଣ ଥରି ଆସିଲା । +ସେ ବ୍ୟକ୍ତି ପଚାରିଲେ- ‘‘ଚାଉଳ ନେଇଚୁ ବାବୁ?’’ +– ‘‘ନା ।’’ +ଏତିକି କେବଳ ସେ କହିଲା +– “ନେବୁ?’’ +– ‘‘ନା… ମୁଁ ନେବାକୁ ଆସି ନାହିଁ ।’’ +– ‘‘ଆଉ ତେବେ…?’’ +ବେଣୁଧର ଆଉ ସାମ୍ଭାଳି ପାରିଲା ନାହିଁ । +ଭୋ’ କରି କାନ୍ଦିଉଠିଲା । + ଏତିକି କହିଲା- ‘‘ଏଇପରି ଗଛମୂଳେ ଏଇ ଚରଣ ତଳେ ପରା ବସି କଥା ଶୁଣିଥିଲି… +‘ଜୀବନ ଥିଲେ ଭାଇ ପାତିବା ନାଇଁ ହାତ, +ମଣିଷ ପରି ଦିନେ ମଣିଷ ହୋଇବା ତ ।’ +ତା’ପରେ-ତା’ପରେ ଅନେକ କ୍ଷଣ ବିତିଗଲା । +ବସିପଡ଼ିଥିବା ବେଣୁଧରର ମୁଣ୍ଡରେ ହାତ ଦେଇ ସେଇ ଶାନ୍ତ ଉଦାର ମହାପୁରୁଷ ଦୂରରେ, ଖୁବ୍ ଦୂରେର- ସୁଦୂର ଦିଗ୍‌ବଳୟ ସୀମାରେ ଚକ୍ଷୁ ସ୍ଥିର ରଖି ଅନେକ କ୍ଷଣ ଠିଆହେଲେ । +ଦୁଇ ଧାର ଅଶ୍ରୁ ତାଙ୍କର କୃଷ୍ଣୋଜ୍ବଳ ଶ୍ମଶ୍ରୁମଣ୍ଡଳରୁ ବିନ୍ଦୁ ବିନ୍ଦୁ ହୋଇ ଖସୁଥିଲା । +ଆଖି ମୁଦି ହୋଇଯାଉଥିଲା । +ଯେତେବେଳେ ସେ ଆଖି ଫିଟାଇଲେ, ଦେଖିଲେ ସ୍ବେଚ୍ଛାସେବକ ତାଙ୍କୁ ଡାକୁଛନ୍ତି; ବେଣୁଧର ପଥର ପରି ତଳେ ପଡ଼ିଛି । +ତାଙ୍କ ମୁହଁରୁ ପଦେ କଥା ବାହାରିଲା- ‘ଏ ଜାତି ଏବେ ମଧ୍ୟ ବଞ୍ଚିଛି’ ।