diff --git a/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_63 b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_63 new file mode 100644 index 0000000000000000000000000000000000000000..e3869dbeb5411e642691c15b4b61beab0f4a54a6 --- /dev/null +++ b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_63 @@ -0,0 +1,96 @@ +ଅନ୍ଧ ନର୍ସିସସ୍ +- ଅକ୍ଷୟ ମହାନ୍ତି +ତା: ଜୁନ୍ ୨, ୨୦୧୧ +ମୂଳ ପୃଷ୍ଠା → ସ୍ମରଣୀୟ ଲେଖା → ଗଳ୍ପ → +“କିଏ କହେ ଖୋଜିବାରେ ଆନନ୍ଦ ! ମୁଁ ତାକୁ ପାଇବା ପରେ ବୁଝିଲି ଆନନ୍ଦର ମାନେ କ’ଣ । +ତୁ ବୁଝିପାରିବୁନି ସେ ସୁଖ କଣ । +ମୁହୂର୍ତ୍ତକ ମଧ୍ୟରେ ଅନୁଭବ କରିହେବ ଯେମିତି ସାରା ସ୍ବର୍ଗ- ତା’ର ଦେବତା, ତା’ର ପାରିଜାତ ନେଇ ତୁମ ହାତମୁଠାରେ ଓହ୍ଲେଇଆସିଛି ।” +“ମୁଁ ତୋ କଥା କିଛି ବୁଝିପାରୁନି । +ଏଇ କେଇଦିନ ତଳେ ତୁ କହୁଥିଲୁ ତୋ ପସନ୍ଦର ଯୁବକ ଏ ସହରରେ ନାହାନ୍ତି । + ଆଜି ତୋର କ’ଣ ହେଲା କିଲୋ ?” +“ସେଇ କଥା ତ କହୁଚି- ତୁ ବିଶ୍ବାସ କରିବୁନି- କେହି ବି ବିଶ୍ବାସ କରିବେନି । + ମୁଁ ମଧ୍ୟ ତାକୁ ପାଇ ବିଶ୍ବାସ କରିନଥିଲି- ସତରେ କ’ଣ ମୋର ଏତେ ଭାଗ୍ୟ- ମୁଁ ଏତେ ସୁନ୍ଦର ଗୋଟେ ଯୁବକକୁ ଜୀବନର ସାଥୀ ରୂପେ ପାଇବି ?” +“କହ କହ, ଚଞ୍ଚଳ କହ । +ମତେ ସସପେନ୍ସ ଭିତରେ ଆଉ ରଖନା ।” +“କହୁଛି କହୁଛି, ଟିକେ ଧୈର୍ଯ୍ୟଧର । +ପ୍ରେମ ଦୁର୍ବଳତା ଜିନିଷଟା ଏମିତି ଶସ୍ତା ନୁହେଁ- ଶୁଣିବାକୁ ବି ଧୈର୍ଯ୍ୟ ଦରକାର; କହିବାକୁ ତା’ଠୁ ଆହୁରି ବେଶି । +ଦେଖୁନୁ ମୋ କଥା, ମୁଁ କେତେ ଦିନ ଧୈର୍ଯ୍ୟ ଧରିଥିଲି ତାକୁ ପାଇବାକୁ ।” +“ମୁଁ ସହର ବଜାରରେ, ସ୍କୁଲ ଯିବା ବାଟରେ, କଲେଜ ଯିବା ବାଟରେ, ବାହାଘର ଭୋଜିମାନଙ୍କରେ, ଗୁରୁବାରିଆ ମନ୍ଦିର ଭିତରେ, ବାଲିଯାତ୍ରାରେ, ନଈକୂଳରେ ସବୁଠି ତାକୁ ଖୋଜିଥିଲି, କିନ୍ତୁ ସେ ମତେ ମିଳିନଥିଲା । +ଅନେକ ମତେ ଚାହୁଁଥିଲେ ଲୋଭିଲା ଆଖିରେ- ସମସ୍ତଙ୍କ ମୁହଁରେ ଗୋଟେ ଆଶ୍ଚର୍ଯ୍ୟ ଚାହାଣି, ଯାହାର ଅର୍ଥ- ଏତେ ସୁନ୍ଦରୀ ଝିଅ କଣ ସହରରେ ଅଛନ୍ତି- ଇଏ ସିନେମାର ହିରୋଇନ୍ କାହିଁକି ହେଉନି- ଆଃ, କି ବଢ଼ିଆ ଟୋକୀଟା ! କାହା ଭାଗ୍ୟରେ ଅଛି କେଜାଣି ! ଆଉ ଏଇଟା ଥିଲା ମୋ ଜୀବନର ସବୁଠୁ ବଡ଼ ଟ୍ରାଜେଡ଼ି । + ଯିଏ ଦେଖୁଥିଲା, ନିଜ ଆଶାର ଓଜନ କଳିବା ଆଗରୁ ନିଜର ଭାଗ୍ୟକୁ ଛୋଟ କରିଦେଉଥିଲା- ମୁଁ ତେବେ ପାଇବି କେମିତି ?” +“ଏମିତି ଦୁଇଦିନ ତଳେ ମୁଁ ଯାଇଥିଲି ନନ୍ଦନକାନନ । +ମାଙ୍କଡ଼ଙ୍କୁ ଚିନାବାଦାମ ଦେଲି । +ହରିଣକୁ ଦେଖି ଈର୍ଷ୍ୟା ହେଲା । +ଗୋଟାଏ ସିଂହ ମତେ ଖୁବ୍ ନିରୀକ୍ଷଣ କରି ଚାହିଁଲା । +ମତେ ତା ମୁହଁଟା ଗୋଟାଏ ରକମର ଭଲ ଲାଗିଲା । +ସେ ସିଂହଟା ମତେ ଦେଖି ଓଠ ଚାଟୁଥିଲା । +କିନ୍ତୁ ପୋଡ଼ାମୁହିଁ ସିଂହଟା ଆସି ତା ସ୍ବାମୀକୁ ଟାଣିନେଇଗଲା । +ଓଃ, କି କପାଳ ମୋର; ଗୋଟେ ପଶୁ ବି ମତେ ଈର୍ଷ୍ୟା କରେ ।” +“ମୁଁ ବୁଲିବୁଲି ଥକିଗଲି । +ଆସିଲି ହ୍ରଦ କୂଳକୁ । +ମୋ ସାଥୀମାନେ ଅନେକ ଦୂରରେ ହାତୀ ଦେଖୁଥିଲେ । +ମୁଁ ଆସି ହ୍ରଦ କୂଳରେ ବସିଲି- ପାଖରେ ଥିବା କୁମ୍ଭୀରକୁ ଦେଖି ମୁଁ ମୋ କଥା ଭାବୁଥିଲି । +କେତେ କଦର୍ଯ୍ୟ ଜୀବଟାଏ । +ନିଜକୁ ସୁନ୍ଦର ଭାବିବସିଛି । +ପ୍ରତ୍ୟେକ ପୁରୁଷ କୁମ୍ଭୀରକୁ ପାଇଁ ଭଗବାନ ଗୋଟିଏ ସ୍ତ୍ରୀ ଯୋଡ଼ିଦେଇଛନ୍ତି । +ଅଥଚ ମତେ କାହିଁକି ଏକା କଲେ ? ହଁ, ମୋର ଘରଲୋକେ ମତେ ବାହା କରେଇଦେବେ କେଜାଣି କାହାକୁ- କେମିତି ହୋଇଥିବ ସେ- ମତେ ପସନ୍ଦ ନ ହୋଇପାରେ- କିନ୍ତୁ ହୁଏତ ତା’ ଧନ, ତା’ ପଦବୀର ଆଶ୍ରାରେ ମୋ ହୃଦୟର ସମସ୍ତ ପ୍ରେମକୁ ବଳିଦେଇ ସାରା ଜୀବନ ରହିବାକୁ ପଡ଼ିବ ।” +“ନଜର ପଡ଼ିଲା ହ୍ରଦ କୂଳକୁ ଲାଗି ସେ ବସିଛି । +ନଇଁପଡ଼ି କ’ଣ ଦେଖୁଛି । +ମୁଁ ଭାବିଲି କିଛି ଗୋଟେ ମାଛ କିମ୍ବା ସାପ ହୋଇଥିବ । +ମୁଁ ତା’ ପାଖକୁ ଯାଇ କହିଲି “କ’ଣ ଦେଖୁଛନ୍ତି ?” ସେ ନିରୁତ୍ତର । +ମୁଁ ପାଣିକୁ ଅନେଇ ପ୍ରଥମେ ଧୀର ପାଣିରେ ମୋ ନିଜ ଛାଇ ଦେଖିଲି । +କିନ୍ତୁ ତା ପାଖାପାଖି ଆଉ ଏକ ସୁନ୍ଦର ଛାଇ ମଧ୍ୟ ଦେଖିବାକୁ ପାଇଲି । +ସେ ଛାଇ ମତେ ଅନେଇଥିଲା ।” +“ସେ ବୁଲିପଡ଼ି ମତେ ଅନେଲା ଓ ଛିଡ଼ା ହୋଇଗଲା । +ଠିକ୍ ଅବିକଳ ଯେତିକି ଉଚ୍ଚତା ମୁଁ ମନେମନେ କଳନା କରିଥିଲି ସେତିକି ଉଚ୍ଚତାର ପୁରୁଷ ସିଏ । +ମୋ ଚେହେରା ସହିତ ହୁବେ’ହୁ ମିଶୁଥିଲା ତା’ ଚେହେରା ।” +ମୁଁ ପଚାରିଲି-“ଆପଣଙ୍କୁ କୋଉଠି ଦେଖିଲା ପରି ମନେ ହେଉଛି ।” +ସେ ଉତ୍ତର ଦେଲା- “ଅଇନାରେ ନିଜ ଛାଇରେ ମତେ ଦେଖିଥିବ ।” +ଆଃ, କି ରୋମାଣ୍ଟିକ୍ ଉତ୍ତର-ମୁଁ ଏକବାରେ ପ୍ରେମରେ ପଡ଼ିଗଲି । +କିନ୍ତୁ କହିବି କେମିତି ? କେମିତି ତାକୁ ଜଣେଇବି ଯେ, ମୁଁ ଏତେ ଦିନ ଧରି କେବଳ ତାକୁ ହିଁ ଖୋଜୁଥିଲି । +“ନା, ମୁଁ କିଛି କହିପାରିବିନି । +ସେ ବି କିଛି କହିଲାନି । +କହିପାରିଲାନି ବୋଧହୁଏ । +ଆମେ ଦୁହେଁ ମନେମନେ ବାକ୍ୟ ଗଠନ କରୁଥିଲୁ ବୋଧହୁଏ । +କିନ୍ତୁ ଏଇ ନୀରବତା ମଧ୍ୟରେ ମୁଁ ବେଶ୍ ଅନୁଭବ କରୁଥିଲି- ଆମେ ଦୁହେଁ ଏକା ପରି- ନିଃସଙ୍ଗ । +ମୁଁ ହିଁ ପ୍ରଥମେ ପଚାରିଲି, “ଆପଣଙ୍କ ସାଥୀମାନେ କେହି ନାହାନ୍ତି ?” ସେ ଉତ୍ତର ଦେଲା- “ନା, ଜୀବନରେ ମୋର କେହି ସାଥୀ ନାହାନ୍ତି ।” +ମୋ ଦେହ ଉଲୁସିଉଠିଲା, “କିନ୍ତୁ ତମେ ଯେ ଏକା- ତମର କେହି କ’ଣ ସାଥୀ ନାହାନ୍ତି ? +ତା ଆଖିରେ ସନ୍ଦେହ- ମୁଁ ତରତର ହୋଇ ଜବାବ ଦେଲି, “ଅଛନ୍ତି ଯେ ଅନେକ ବନ୍ଧୁ ପିକ୍ନିକ୍ କରି ଆସିଥିଲୁ; କିନ୍ତୁ ମୁଁ ସେମାନଙ୍କ ସହ ଖାପ ଖୁଆଇପାରେନା-ମୁଁ ଏକେବାରେ ନିଃସଙ୍ଗ ।” +ସେ ମଧ୍ୟ ଭିଜା ଗଳାରେ କହିଲା-“ମୁଁ ବି ତମ ପରି ନିଃସଙ୍ଗ ।” +“ହଠାତ୍ ଅସରାଏ ବର୍ଷା ହେଲା- ଦୂରରୁ ଦେଖିଲି ସବୁ ପିକ୍ନିକ୍ ଭାଙ୍ଗିଗଲା । +ପଶୁପକ୍ଷୀଙ୍କ ମଧ୍ୟରେ କୋଳାହଳ, ମଣିଷମାନଙ୍କ ମଧ୍ୟରେ ବ୍ୟସ୍ତତା- ନନ୍ଦନକାନନର ସବୁଠୁ ସନ୍ଦେହୀ ପଶୁ ଅର୍ଥାତ୍ ମନୁଷ୍ୟମାନେ କିଏ କେଉଁଠି ବର୍ଷାରୁ ନିଜ ନିଜକୁ ବଞ୍ଚେଇବା ପାଇଁ ଲୁଚିଗଲେ । +ବାହାରେ ରହିଲୁ ଆମେ ଦୁହେଁ । +ଦୁଇଟି ନିଃସଙ୍ଗ ପ୍ରାଣୀ ଯିଏ ପରସ୍ପରକୁ ଏତେ ଦିନ ଯାଏଁ ଖୋଜୁଥିଲେ । +ମୁଁ ବୁଝେଇପାରୁନି- କେମିତି ଦିହ ମୋର ଶୀତେଇ ଉଠୁଥିଲା । +ବର୍ଷା ଆସି ମୋ ମୁହଁଦେହକୁ ଭିଜାଇସାରିଲାଣି । +ସେ ମଧ୍ୟ ତିନ୍ତିଗଲେଣି, କିନ୍ତୁ କେହି କାହାକୁ ଛାଡ଼ିକରି ଯିବାକୁ ନାରାଜ ।” +“ଆମେ ଅନୁଭବ କରୁଥିଲୁ- ଖୋଲା ଜାଗା ହେଲେ ବି ଆମେ ଆଢ଼ୁଆଳରେ– କୌଣସି ସନ୍ଦେହ ଦୃଷ୍ଟି ଆମ ଉପରେ ପଡୁନାହିଁ । +ବର୍ଷା ତାର ରୂପେଲି ପର୍ଦ୍ଦା ତଳେ ଆମକୁ ଲୁଚେଇଦେଇଥିଲା । +ଏତେ ଜୋର୍ରେ ବର୍ଷା ହେଲା ଯେ, ନନ୍ଦନକାନନ ମଧ୍ୟ ଦେଖାଗଲାନି । +ହ୍ରଦ ମଧ୍ୟ ଅଦୃଶ୍ୟ ହୋଇଗଲା । +ହାତପାଆନ୍ତାରେ ଦୁହେଁ ଦୁହିଁଙ୍କ ସ୍ବର୍ଗ ।” +“ସ୍ବତଃ ଦୁହେଁ ଦୁହିଁଙ୍କ ପାଖକୁ ଲାଗିଆସିଲୁ । +ସେ ତାର ଥରିଲା ଥରିଲା ହାତ ମୋ ହାତ ପାପୁଲି ପାଖକୁ ନେଇଆସିଲା । +ମୁଁ କେମିତି ବା ବାଧା ଦେବି- ଏତେ ଦିନ ପରେ ମନର ମଣିଷକୁ ପାଇ କେହି କଣ ଛାଡେ ? ମୁଁ ବି ହାତ ବଢେଇଦେଲି । +ସେ ତାର ଡାହାଣ ହାତ ପାପୁଲି ମୋ ଓଦା ବାଁ ବାହୁ ଉପରେ ରଖିଲା । +ଏତେ ଜୋର୍ରେ ସେ ଦାବିବାକୁ ଆରମ୍ଭ କଲା ଯେ, ମୋ ଦେହ ନିସ୍ତେଜ ହୋଇଉଠୁଥିଲା ।” +“ସେ ତାର ମୁହଁ ମୋ ପାଖକୁ ନେଇଆସୁଥିଲା । +ତା ଦୁଇ ଆଖି ଦେଇ ମୋର ଖୋଲା ଦୁଇ ଆଖିକୁ ଗଭୀର ଭାବରେ ଚାହିଁଥିଲା । +ମୋତେ ଏତେ ଭଲ ଲାଗୁଥିଲା ଯେ ଲାଜ ଲାଗୁଥିଲେ ବି ମୁଁ ଆଖି ବନ୍ଦ କରିପାରୁ ନଥିଲି । +ସେ ବାସ୍ତବିକ କେତେ ସୁନ୍ଦର ! ତା ମୁହଁକୁ ନ ଅନେଇଲେ ଯେମିତି ମୁଁ ଗୋଟେ ଦୁନିଆ ହରେଇବସିବି ।” +“ମୁଁ ମନେ ମନେ ଠିକ୍ କଲି ତା ଓଠ ମୋ ଓଠକୁ ଛୁଇଁଲେ ମୁଁ ଲାଜରେ ଆଖି ବୁଜିଦେବି । +ନହେଲେ ସେ କଣ ଭାବିବ- ଭାବିବ ଅସତୀଟାଏ ।” +“ କିନ୍ତୁ ନାଁ ଲୋ ନା, ତା ଓଠ ମୋ ଓଠ ପାଖକୁ ଆସୁ ଆସୁ ….” +“କହିଯା କହିଯା– ଅଟକିଗଲୁ କାହିଁକି?” +“ କହିବାକୁ ମୋତେ କାନ୍ଦ ଲାଗୁଚି ଲୋ । +ସେତିକି ଦୂରରେ ସେ ରହିଲା । +ମୁଁ ତାକୁ ପଚାରିଲି– “କଣ ଏତେ ଦେଖୁଛ ?” ସେ ଜବାବ୍ ଦେଲା- “ ତମ ଆଖି ଆଇନାରେ ନିଜକୁ ଦେଖୁଛି । +ମୁଁ ଦୂରେଇଗଲି ଠିକ୍ ସେମିତି ସ୍ବତଃପ୍ରବୃତ ହୋଇ ।” +“ତାପରେ ତୁ କଣ କଲୁ ?” +“କରିବି ଆଉ କଣ – ମୋ ଆଖି ବୁଜିଦେଲି, ତା ଆଇନାକୁ ଘୋଡ଼େଇଦେଲି- ଆଖି ବୁଜି ତା ଚେହେରାକୁ ଭୁଲିବାକୁ ଚେଷ୍ଟା କଲି ଓ ମନେ ମନେ କାମନା କଲି– ଏହା ପରେ ମୁଁ ଅନ୍ଧ ହୋଇଯାଆନ୍ତି କି?” +“ସେ ଡରରେ ମୋତେ ଛାଡ଼ିଦେଲା । +ମୋତେ କିଛି ବୁଝେଇବା ପୂର୍ବରୁ ମୁଁ ଚାଲିଆସିଥିଲି ।” +“ ତା ମାନେ ତାକୁ ତୁ ପାଇଲୁନି ତ ? ପାଇକରି ପୁଣି ହଜେଇଦେଲୁ?” +“ ହଁ ଲୋ, ପ୍ରଥମେ ଭାବିଥିଲି ଖୋଜିବାରେ ଆନନ୍ଦ ଅଛି । +ତାକୁ ପାଇ ମନେ ହେଲା ପାଇବାରେ ହିଁ ଆନନ୍ଦ ଅଛି । +ଆଉ ତାକୁ ହରେଇଲା ପରେ ବୁଝିଲି, ହଜେଇବା ହିଁ ପ୍ରକୃତ ଆନନ୍ଦ ।