diff --git a/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_galpa_32 b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_galpa_32 new file mode 100644 index 0000000000000000000000000000000000000000..e9d82debdba89d3129caec89c6c0c923bf79da3a --- /dev/null +++ b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_galpa_32 @@ -0,0 +1,183 @@ +ବୁଢ଼ା ବୟସ + ଦୁର୍ଗା ପଟ୍ଟନାୟକ, ଭୁବନେଶ୍ବର +ତା: ଫେବୃଆରୀ ୨, ୨୦୧୧ +ମୂଳ ପୃଷ୍ଠା → ଗଳ୍ପ → ଆଧୁନିକ → +କଲିଂବେଲ୍‌ରେ ହାତ ଦେବାବେଳକୁ ଘର ଭିତରୁ କୁନାର ଚିତ୍କାର ଶୁଭୁଥିଲା । +ଆଖିବୁଜା ପାହାର ପାହାର ମାଡ ବସୁଛି । +କୁନା ଚିତ୍କାର କରୁଛି ଜୀବନ ବିକଳରେ । +ବାପାଙ୍କର ଗୋଟେ ଅଙ୍ଗ ଅଚଳ ଓ ସେ ଶ୍ବାସ ବେମାରୀ । +ମୁନା ବୋଧେ ବାହାରେ ଖେଳୁଛି । +ତା ହେଲେ କିଏ.. ? +ସୁଜାତା ଏମିତି ପିଟିଚାଲିଛନ୍ତି ପିଲାଟିକୁ ! +କ’ଣ ଏମିତି ଦୋଷ କଲା ସିଏ ! +ଏଇଟା କ’ଣ ଶାସନ ? +ଏମିତି ଆକଟ କରାଯାଏ ପିଲାଙ୍କୁ ? +ରମେଶ ବାବୁ ଅଣନିଃଶ୍ବାସୀ ହୋଇପଡୁଥିଲେ । +କିଛି ସମୟ ପରେ କୁନା କାନ୍ଦିକାନ୍ଦି କବାଟ ଖୋଲିଲା । +ସୁଜାତା ବେତଟାକୁ ହାତରେ ଧରି ସର୍କସର ରିଙ୍ଗ ମାଷ୍ଟର ପରି ଗର୍ଜିଚାଲିଛନ୍ତି ଘର ଭିତରେ । +ବୁଢାବାପା ନୀରବରେ ବସି ଶୁଣୁଛନ୍ତି । +ରମେଶବାବୁ ପଚାରିଲେ, ବାପା ! କ’ଣ ହେଇଛି ତାର । +ସିଏ କାହିଁକି ପିଲାଟାକୁ ଏମିତି ବାଡ଼ୋଉଛି । +ବୁଢାଙ୍କ ପାଟିରୁ ଭାଷା ସ୍ଫୁରୁ ନାହିଁ । +କହିଲେ ମଲା ନ କହିଲେ ମଲା ଅବସ୍ଥା । +ବୁଢା ଶଙ୍କାଶଙ୍କା ଗଳାରେ କହିଲେ, କ’ଣ ହେଇଚି କେଜାଣିରେ ପୁଅ । +ମୁଁ କୁନାକୁ କହିଲି, ଯା’ ମାକୁ କହିବୁ- ଜେଜକୁ ଚା’ ଟିକେ ଦବ । +ତା’ ପରଠୁ ତ ଏମିତି ଲାଗିଛି । +ସେଇଠୁ ରମେଶବାବୁ ଗର୍ଜିଉଠିଲେ । +ଆହେ… କ’ଣ ହେଇଛି ? ପିଲାଟାକୁ ଏମିତି ପିଟୁଛ କ’ଣ ପାଇଁ ? ସୁଜାତା ଅଣ୍ଟା ଭିଡି ବାହାରିଆସିଲେ । +ପିଟିବି ନାହିଁ ! କେତେ କେ.ଜି. ଚିନି ଆଣି ମାସକୁ ଥୋଇଦଉଚ କି ? ବୁଢାକୁ ମୁଁ ଦଶଥର ଚା’ ଦେଇପାରିବିନି । +ଚା’ ପାନ, ଅଫିମ ଏସବୁ ବାଜେ ଅଭ୍ୟାସ । +ମୁଁ ମୋ ବାପା ଦିହକେ ଜାଣିନି । +ତମ ବାପାଙ୍କର ଯଦି ଏ ସବୁ ଲୋଡା ତେବେ ସିଏ ଗାଁ କୁ ଚାଲିଯାଆନ୍ତୁ । +ସେଇଠି ସାନବୋହୂ କି ମଝିଆବୋହୂ ସବୁ ଯୋଗାଡ କରି ଥୋଇଦେବେ । +ମୋ ଦେଇ ହବନି ଏ ସବୁ, କହିଦେଉଛି.. । +ରମେଶବାବୁ ସୁଜାତାଙ୍କ ହାତ ଧରିବାର ଆଜକୁ ପନ୍ଦର ବର୍ଷ ହୋଇଗଲାଣି । +ସବୁବେଳେ ସୁଜାତାର ଏମିତି ଟାଇଁଟାଇଁ କଥା । +ଦେହସୁହା ହୋଇଗଲାଣି ତାଙ୍କର । +ସୁଜାତାକୁ ଭଲମନ୍ଦ କହି କିଛି ଲାଭ ନାହିଁ । +ପିଲାଗୁଡାକୁ ମଣିଷ କରିଦେଲେ ହୁଏତ ଜୀବନରେ ଅଳ୍ପ ସମୟ ଲାଗି ମଧ୍ୟ କିଛି ଶାନ୍ତି ମିଳିପାରିବ । +ରମେଶବାବୁ ବ୍ୟାଙ୍କରେ ଜଣେ ଉଚ୍ଚପଦସ୍ଥ ଅଫିସର । +ଅଫିସ କାମ ବାଦ ତାଙ୍କର ଏତିକି ହିଁ କାମନା । +ରମେଶବାବୁ କୁନାକୁ ପଚାରିଲେ, ବାପାରେ ତୁ କ’ଣ ଦୋଷ କରିଛୁ ସତ କହିଲୁ ? +କୁନା କହିଲା – ନାଇଁ ବାପା, ମୁଁ ଜେଜେଙ୍କ ପାଇଁ ମା’କୁ ଚା’ ମାଗିଲି । +ସେ ନ ଦେବାରୁ ମୁଁ ନିଜେ ପାଣିରେ ଅମୁଲ ମିଶାଇଲି । +ମା’ ମତେ ମାଡ ଦେଲା । +କୁନା କୋହ ଉଠାଉଥାଏ । +ରମେଶବାବୁ ବାପାଙ୍କୁ ଲକ୍ଷ୍ୟ କରି ତଳକୁ ମୁହଁ ପୋତି କହିଲେ, ବାପା ତୁମେ ନହେଲେ ଗାଁକୁ ଚାଲିଯାଅ । +ଏଇଠି ତୁମେ ଶାନ୍ତି ପାଇପାରିବନି । +ସୁଜାତା ରୋଷେଇ ଘରୁ ପାଟି କରୁଛନ୍ତି । +ଓହୋ ! ବାପା ସୁହାଗ ବୋହିପଡୁଛି । +ତମ ପୁଅକୁ ବି ପଠାଇ ଦିଅ । +ଦରକାର ନାହିଁ ଏମିତି ପିଲା । +ସିଏ ଗାଁରେ ରହୁ, ବାପାଙ୍କୁ ଚା’ ଦଉ । +ପିଅନ କାମ ଶିଖୁ । +ପାଠ ନ ପଢୁ । +ତାକୁ ପଠାଇ ଦିଅ । +ରମେଶ ବାବୁ ଚାବୁକ୍ ଖାଇବା ପରି ମନେ କରୁଥାନ୍ତି । +ଖୁଣ୍ଟ ପରି ଛିଡା ହୋଇ କ’ଣ ଚିନ୍ତା କରୁଥିଲେ । +ସେଦିନ ରାତିରେ ଆଉ ବୁଢାଙ୍କ ଆଖିକୁ ନିଦ ନାହିଁ । +ସାରା ରାତି ସେ ଭାବୁଥିଲେ, ନିଜ ଜୀବନର ଲମ୍ବା କାହାଣୀକୁ । +ସିଏ ପୁଅ ପାଇଁ ଗୋଟେ ସାବନା ବର୍ଣ୍ଣର ବୋହୂ ଖୋଜିଥିଲେ । +ହେଲେ ପୁଅର ମନ ମାନିଲା ନାହିଁ । +ବୁଢା ଜାଣୁଥିଲେ ଯେ, ଏ ସହରୀ ଛଟକି ଫେସନି ଝିଅଗୁଡାକ ସବୁ ଏମିତି । +ଘର ଭାଙ୍ଗିବେ ଏମାନେ । +ହଉ ତାର କପାଳ । +ଚା’ କପେ ପାଇଁ ପରିବାରରେ ଝଡ ସୃଷ୍ଟି ହୋଇଯାଉଛି ଆଜି ! କିନ୍ତୁ ମୁଁ ମୋ ପୁଅ ପାଇଁ କ’ଣ ନ କରିଛି । +ମୁଁ କ’ଣ ଅଫିମ ଜାଣିଶୁଣି ଖାଉଛି । +ଶ୍ବାସ ରୋଗଟାକୁ ଛାତି ଭିତରେ ଚାପିରଖିବାକୁ ଅଫିମ ଟିକେ ଖାଇଦେଲେ ଚଳିଯାଏ । +ଏଇଥିପାଇଁ ଏତେ କଥା । +ପାନଟା ତ ଅନେକ ଦିନରୁ ଖାଇଆସିଛି । +ଏବେ କ’ଣ ଛାଡିହେବ ? ତା’ ବୋଲି ମୁଁ କ’ଣ ମୋ ବୋହୂର ଘର ଉଜାଡିଦେଉଛି । + ସର୍ବସ୍ବ ଖାଇଦେଉଛି ! +ବୁଢାଙ୍କୁ ଭାରି ଅଣନିଃଶ୍ବାସୀ ଲାଗିଲା । +ସତେ ଯେପରି ମୁଣ୍ଡ ମଧ୍ୟରେ ଏକ ଚକ୍ର ଘୂରି ମସ୍ତିଷ୍କର ସବୁ ଯୋଗାଯୋଗକୁ କାଟିପକାଉଛି । +ଘଣ୍ଟାରେ ଦୁଇଟା ବାଜିଲା । +ରାତି ପାହିବାକୁ ଆହୁରି ଢେର ବାକି । +ବୁଢା ଭାବୁଥିଲେ, ସକାଳ ଆସିଲେ ବିଦାୟ ନେବି ସବୁଦିନ ପାଇଁ ଏଠାରୁ । +ସହରୀ ଜୀବନରେ ବାସ୍ନା ନାହିଁ । +ଭାରି ମିଛିମିଛିକା ଆଉ କୃତ୍ରିମ ଭାବ ବିନିମୟ ହୁଏ ଏଠି । +ତାର ସେଇ ଗାଁ ମାଟି ବରଂ ଭଲ । +ସରକାର ବାହାଦୁର ମଧ୍ୟ ଯୋଉ ଦି ବଖରା ଘର ଦେଉଛନ୍ତି ସହରୀବାବୁମାନଙ୍କୁ, ସେଗୁଡିକ ଅଫିସର ଓ ତାଙ୍କ ପିଲାଛୁଆଙ୍କୁ ନିଅଣ୍ଟ । +ତା’ ପରି ଖୁଁ ଖୁଁ କାଶୁଥିବା ବୁଢାଗୁଡାଙ୍କ ପାଇଁ ଏ ରାଜଧାନୀରେ ସ୍ଥାନ କାହିଁ ? ବୁଢା ଆଖିପତା ମୁଦି କେତେ କ’ଣ ଭାବି ଚାଲିଛନ୍ତି । +ତାଙ୍କ ଭାବନା ନଈର ସୁଅ କୂଳ ଅତିକ୍ରମ କରୁଥିଲାବେଳେ ସେ ଚମକି ଉଠିଲେ । +ଆଖି ଖୋଲିଲାବେଳକୁ କୁନା ଅତି ସନ୍ତର୍ପଣେ ମା’ କୋଳରୁ ଜେଜେଙ୍କ ଶୋଇବା ଘର ଭିତରକୁ ପଳାଇଆସିଛି । +ବୁଢା ତାକୁ ଦେଖି ଟିକେ ଡରିଗଲେ । +କହିଲେ, କୁନା, ତୁ ଜଲଦି ପଳାଇଯା । +ମା’ ଉଠିଲେ ଏଇନେ ରାତିଟାରେ ମାଡ ଖାଇଯିବୁ । +କୁନା ଟିକେ ବି ଭୟ କଲାନି । +ଓଲଟି ପଚାରିଲା, ଜେଜେ ତୁମେ ସକାଳ ହେଲେ ଗାଁକୁ ଚାଲିଯିବ ? ବୁଢା ଆଶ୍ଚର୍ଯ୍ୟରେ ବୋକା ବନିଗଲେ । +ଉଠିବସି କୁନାକୁ କୋଳେଇଆଣିଲେ । + ପଚାରିଲେ, ତୁ କେମିତି ଜାଣିଲୁ କିରେ ? +କୁନା କହିଲା – ଜେଜେ ମୁଁ ସ୍ବପ୍ନ ଦେଖିଲି । +ନାଇଁ ମ ଜେଜେ, ତୁମେ ଯାଅନି । +ତୁମେ ସବୁଦିନେ ଖେଳଛୁଟି ବେଳେ ଆମ ସ୍କୁଲ ଗେଟ୍ ପାଖକୁ ଚାଲିଆସିବ । +ସେଇଠି ଆମେ ଆମ ଟିଫିନ ଖର୍ଚ୍ଚରୁ ତୁମକୁ କପେ ଚା’ ଦେଇଦେବୁ । +ମୁନା ବି କହୁଛି ସେ ତା’ର ଚେନାଚୁର ଖର୍ଚ୍ଚରୁ ତୁମକୁ ଦେବ । +ଜେଜେ ତୁମେ କୁହନା, ଆମକୁ ଛାଡି ଆଉ ଗାଁକୁ ଯିବନି । +ବୁଢାଙ୍କର ଆଖି ଜକେଇଆସିଲା । +କୁନାକୁ କୁଣ୍ଢାଇପକାଇ କହିଲେ, “ନାଁ ରେ ତୁ ଯା’ ଶୋଇପଡ । +ମୁଁ ତତେ ଛାଡି କୁଆଡେ ଯିବି ଯେ ! ମୋ ସୁନାଟା ପରା ଯା’ ତୁ ଶୋଇପଡ । +” +ସକାଳ ଦଶଟା ବାଜିଲା । +କୁନା ଓ ମୁନା ସ୍କୁଲକୁ ଗଲେ । +ରମେଶବାବୁ ଅଫିସ ଯିବା ବାଟରେ ବୁଢାଙ୍କୁ ବସ୍‌ରେ ବସାଇଦେବେ । +ବୁଢା ବି ସାତଚଉତା ଧୋତି ଆଉ ପଞ୍ଜାବୀ ପିନ୍ଧିସାରିଲେଣି । +ରମେଶବାବୁ ପଚାରିଲେ- ବାପା ତମେ କ’ଣ ସତରେ ଆଜି ଗାଁକୁ ଚାଲିଯିବ ? ବୁଢା ବୋହୂକୂ ଡାକି କହିଲେ, ପିଲା ବୁଦ୍ଧି ଛାଡ, ମା’ । +ମୁଁ ଗାଁ କୁ ଯାଉଛି । +ତୁ ପିଲାମାନଙ୍କୁ ଜମା ମାରଧର କରିବୁନି । +ବୋହୂ ନିରୁତ୍ତର । +ପ୍ରଣାମ ବି କଲା ନାହିଁ । +ବୁଢା ପାଦ କାଢିଲେ । +ଏସବୁ ଭାଗ୍ୟ ଦୋଷ କୁଆଡେ । +କର୍ମକୁ ଆଦରି ପୁଅର ପିଛା ଧରିଲେ । +ବୁଢା ଏକା ଏକା ନରଣଗଡ ଯିବେ । +ଅନେକ ରାସ୍ତା । +ବସ ଚାଲିଥାଏ । +ବୁଢା ଖୁବ୍ ବିଷର୍ଣ୍ଣ । +ମନେମନେ ଭାବୁଥିଲେ, ସେ ଆଜିକାଲି ଅଦରକାରୀ ହୋଇଗଲେଣି । +ବସି ଖାଇଲେ ନଈବାଲି ସରେ । +ତାଙ୍କୁ କିଏ କାହିଁକି ଏ ମହଙ୍ଗା ଯୁଗରେ ପଚାରିବ । +ଭାବନାର ଅନ୍ତ ନାହିଁ । +ଗାଡି ଆସି ଭଞ୍ଜନଗରରେ ଛିଡା ହେଲାଣି । +ସେତେବେଳକୁ ଘଣ୍ଟାରେ ଚାରିଟା । +ସ୍କୁଲ ପିଲାମାନେ ବହିବସ୍ତାନି ଧରି ଘରକୁ ଫେରୁଛନ୍ତି । +ବୁଢାଙ୍କର ପୁଣି କୋହ ଉଠିଲା । +କୁନାମୁନା ଏବେ ସ୍କୁଲରୁ ଫେରୁଥିବେ । +ସ୍କୁଲରୁ ଫେରିବା ପରେ ଜେଜେ କବାଟ ଖୋଲିଦେଲେ କୁନା ଭିତରକୁ ଆସେ । +ଜେଜେକୁ ସେ ଖୋଜୁଥିବ ନିଶ୍ଚୟ । +ଜେଜେ ସେଦିନ କୁନାକୁ ପାଠ ପଢାଇଲାବେଳେ କହିଥିଲେ, ମିଛ କହିବା ମହାପାପ । +କିନ୍ତୁ ଆଜି ଜେଜେ ମତେ ମିଛ କହି ଠକି ଚାଲିଗଲେ- ଏଇଆ ଭାବୁଥିବ ମନରେ ସିଏ ? ବୋଧହୁଏ କୁନା ଏଇଠୁ ସଂସାରଯାକର ମିଛ କହିବା ଶିଖିବ । +କହିବ ବଡମାନେ କହନ୍ତି ଗୋଟାଏ, କରନ୍ତି ଗୋଟାଏ । +ବୁଢାର ମୁଣ୍ଡ ଭିତରେ ସେଇ ଚକ୍ରଟା ପୁଣି ଓଲଟା ଘୂରୁଥିଲା । +ବସ ରେଲିଂ ଦେହରେ ମୁଣ୍ଡଟାକୁ ପିଟି ଛତୁ କରିଦେବାକୁ ଇଚ୍ଛା ହେଉଥିଲା ଅବା । +ନରଣଗଡରେ ବସ୍ ପହଞ୍ଚିଲା । +ବୁଢା ଘରେ ପାଦ ପକାଇଲେ । +କିଛି ହେଉ ନ ହେଉ ଏଇଠି ପଡିରହିଲେ ଜାତି ଭାଇ ତାଙ୍କର ମଡାରେ ହାତ ଲଗାଇବେ ତ । +ନିଜକୁ ନିଜେ ସାନ୍ତ୍ବନା ଦେଉଥିଲେ । +ମଝିଆ ପୁଅ ସୁକେଶ ଖୁବ୍ ବିରକ୍ତ ହେଲା । +କହିଲା – ମୁଁ ମନା କରୁଛି ଯାଅନି ସେଠିକୁ । +ହଉ, ତୁମେ ବିଶ୍ରାମ କର । +ମୁଁ ସନ୍ଧ୍ୟାରେ ଦୋକାନରୁ ଫେରିଲେ ତୁମକୁ ଡାକ୍ତର ଦେଖାଇବି । +ମଝିଆଁ ପୁଅ ସୁକେଶର ବହି ଦୋକାନ । +ବିକ୍ରିବଟା ସେତେ ଭଲ ନୁହେଁ । +ମନେମନେ ସେ ଭାବୁଛି, ପାଖ ମଦ ଦୋକାନରେ ଏତେ ଭିଡ । +କିନ୍ତୁ ବହିକୁ କାହିଁକି ଲୋକଙ୍କର ଏତେ କମ୍ ଆଗ୍ରହ ? ସୋମରସଠାରୁ ପୁସ୍ତକର ରସ କ’ଣ ଏତେ ନୀରସ ! ଖୁବ୍ ଆଶ୍ଚର୍ଯ୍ୟ ଲାଗୁଥିଲା ତାକୁ । +ସେ ଗୋଟାଏ ସତ୍ ବ୍ୟବସାୟରେ ଅଛି । +କିନ୍ତୁ ତାକୁ ଲକ୍ଷ୍ମୀ ମିଳୁନାହାନ୍ତି । +ସୁକେଶ ନିରାଶ ହୋଇ ଦୋକାନର ସଟର ଟାଣିଲା । +ଘରେ ପହଞ୍ଚିବା ବେଳକୁ ବୁଢା ଆସି ଦାଣ୍ଡଦୁଆରେ । +କହିଲେ, ଆଜି ଏତେ ଡେରି କଲୁ । +ବଇଦ ପାଖକୁ ଯିବା ପରା । +ନାଇଁ ବାପା ! ଆଜି କିଛି ଭଲ ବିକ୍ରି ହେଲାନି । +ବୁଢାର ମୁଣ୍ଡଟା ବରଗଛ ଓହଳ ପରି ତଳକୁ ଲମ୍ବିଗଲା । +ବୁଢା କହିଲେ, “ମୁଁ ଜାଣେ ପରା । +ତୁ ସେ ଦୋକାନରେ ମୃଗୁଣୀ ସ୍ତୁତି, ମନବୋଧ ଚଉତିଶା ଆଉ ବାଲ୍ମିକୀ ରାମାୟଣ ନ ରଖିବା ପର୍ଯ୍ୟନ୍ତ ତୋର ବିକ୍ରିବଟା ଭଲ ହେବନି ।” +ସୁକେଶ ବାପାଙ୍କ ସରଳତାର ଗଭୀର ସମୁଦ୍ରରେ ଡୁବ ମାରି ପୁଣି ଉପରକୁ ଉଠୁଥିଲା । +ଯେଉଁଠି ଡିସ୍କୋ ନୃତ୍ୟ କଳା, ଯେଉଁଠି ସାମାଜିକ ଚଳଣୀ ଅଶ୍ଳୀଳତାରେ ଭରପୁର, ସେଠି ମୃଗୁଣୀ ସ୍ତୁତି ପଢିବ କିଏ ? ସୁକେଶ ବାପାଙ୍କୁ ବୁଝାଇ ନ ପାରି ନିଜକୁ ନିଜେ ବୁଝାଉଥିଲା । +ବୁଢାଙ୍କ ଶ୍ବାସ ଧଇଁ ପେଲିହେଉଛି । +ବାଉଳାଚାଉଳା ହେଲେଣି । +ଲାଗୁଛି ସେପାରିରୁ ଡାକ ଶୁଭିଲାଣି । +ଦେହ ଭିତରେ ଅବା ହାଡଗୁଡାକ ଖସି ବିଡା ବାନ୍ଧିହେଉଛି । +ଦେହର କାନ୍ଥରେ ପଲସ୍ତରା ଛାଡି ଖଣ୍ଡେ ଖଣ୍ଡେ ଇଟା ଖସି ଦାନ୍ତୁରା ଦିଶିଲାଣି । +କହିଲେ, ଭାଇକୁ ଡାକ୍ ଜଲଦି । +ସିଏ ବ୍ୟାଙ୍କ ଅଫିସର । +ଟଙ୍କା ପଇସା ଯଦି ଖର୍ଚ୍ଚ କରିବ କେଜାଣି କାଳେ ବଞ୍ଚିଯିବି । +ବୁଢାଙ୍କ କଥାରୁ ମନେ ହେଉଥିଲା ତାଙ୍କର ବଞ୍ଚିବାର ମୋହ ଦୁର୍ବାର ଥିଲା । +କିଏ ଜଣେ ଆଟାଚିଟା ତଳେ ଥୋଇବାର ଶବ୍ଦ ଶୁଣାଗଲା । +ବୁଢା ଉପରକୁ ଚାହିଁଲାବେଳକୁ ସାମ୍ନାରେ ରମେଶ । +ତା ପଛରେ ବୋହୂ । +କୁନା-ମୁନା ଜେଜେ ଉପରକୁ ଚଢିଯିବା ବେଳକୁ ବୁଢାର ଧଇଁକାଶରେ ଛିଞ୍ଚାଡିହୋଇପଡିଲେ । +ବୁଢାଙ୍କ ଶ୍ବାସ ରୋଗର ତୀବ୍ରତା ଅନୁଭବ ହେଲାଣି । +ବୋହୂ ବୁଢାଙ୍କ ପାଦ ଛୁଇଁ ପ୍ରଣାମ କଲା । +ବୁଢା ପୁଣି ବାଉଳାଚାଉଳା କଥା କହିଲେଣି । +ଅଙ୍ଗୁଳି ନିର୍ଦ୍ଦେଶ କରି କହିଲେ, ଆରେ ପୁଅ ଦେଖିଲୁ । +ବଡ ବଡ ଶିଙ୍ଗ ଅଛି ମୁଣ୍ଡରେ । +ସେ ଲୋକଟା କାହାକୁ ଡାକୁଛି । +ପଚାରିଲୁ କାହାକୁ ଖୋଜୁଛି ସିଏ । +ସମସ୍ତେ ସେଇଆଡକୁ ଚାହିଁଲେ । +ଆଖପାଖରେ କେହି ନାହିଁ । +ବୁଢାଙ୍କର ବୋଧହୁଏ ସମୟ ପାଖେଇଗଲା । +ଦେଖାଗଲା ବୁଢା କାଶିକାଶି ମୁଦାହେଇ ଗୋଟେ ପ୍ରଶ୍ନବାଚୀ ପାଲଟିଗଲେ । +ମନେ ହେଲା ବୁଢା ଆମ ସମସ୍ତଙ୍କୁ ବାରମ୍ବାର ପ୍ରଶ୍ନ କରୁଛନ୍ତି – “ଆରେ ଅଧମ – ତୁମେ କ’ଣ କେହି ବୁଢା ହେବ ନାହିଁ ? +ତୁମେ କ’ଣ କେହି ବାର୍ଦ୍ଧକ୍ୟକୁ ସାମ୍ନା କରିବ ନାହିଁ ? +ଲୋକଗୁଡାକ ଦାନ୍ତରେ ତିରଣ ନିକୁଟି ଧରିଥିବା ଗୋହତ୍ୟାକାରୀ ଭଳି ଛିଡା ହୋଇଥିଲେ ।