diff --git a/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_14 b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_14 new file mode 100644 index 0000000000000000000000000000000000000000..7303eaab78628d72886ad60edaba80599a442b11 --- /dev/null +++ b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_14 @@ -0,0 +1,38 @@ +କଳାଧନର ବିଷଚକ୍ର +ମହାପାତ୍ର ନୀଳମଣି ସାହୁ +ତା: ଡିସେମ୍ବର୍ ୬, ୨୦୧୬ +ମୂଳ ପୃଷ୍ଠା → ସ୍ମରଣୀୟ ଲେଖା → ଗଳ୍ପ → +ଏକଥା ସତ ଯେ, ପୂର୍ବକାଳ ଅପେକ୍ଷା ବର୍ତ୍ତମାନ ଧନ ଉପାର୍ଜନ ପାଇଁ ଯଥେଷ୍ଟ ସୁଯୋଗ ସୃଷ୍ଟି କରାଯାଇପାରିଛି । +ସରକାରମାନେ ଧନସମ୍ପଦ ଜନ୍ମ କରିପାରିବେ ନାହିଁ କିମ୍ବା ଜୋର୍‌ ଜବରଦସ୍ତି କରି କାହାକୁ ଧନୀ ମଧ୍ୟ କରିଦେଇପାରିବେ ନାହିଁ । +ଦାରିଦ୍ର୍ୟର ସୀମାରେଖା ତଳେ ଥିବା ଦରିଦ୍ରମାନଙ୍କୁ ସରକାର ହାତ ଧରି ତା’ ଉପରକୁ ଟାଣି ଆଣି ପାରିବେ ନାହିଁ । +ଦେଶରେ ଯେତେ ଧନସମ୍ପଦ ଅଛି-ସେସବୁକୁ ଯଦି ଗୋଟିଏ ସରକାର ସମସ୍ତଙ୍କୁ ସମାନଭାବେ ବାଣ୍ଟିଦିଏ ତେବେ ସୁଦ୍ଧା ଦେଶରୁ ଗରିବୀ କେବେ ହଟିବ ନାହିଁ । +ଗରିବ ଲୋକଙ୍କ ସଂଖ୍ୟା କେବେବି ମୂଳପୋଛ ହେବ ନାହିଁ । +ସରକାର କେବଳ ସମସ୍ତଙ୍କ ଉପାର୍ଜନ ପାଇଁ ସୁଯୋଗ ସୃଷ୍ଟି କରିବେ । +ଧନବାନ୍‌ ହେବାକୁ ହେଲେ ଜଣକୁ ଅର୍ଜନ, ଉତ୍ପାଦନ, ସଞ୍ଚୟ ଓ ସରବରାହ ଏ ସମସ୍ତ କରିବାକୁ ହୁଏ । +ଏଥିପାଇଁ ଶରୀରର ଶକ୍ତି ଓ ବୁଦ୍ଧିର ଶକ୍ତି ଖର୍ଚ୍ଚ କରିବାକୁ ହୁଏ । +ଧନ ଉପାର୍ଜନର ଯୋଉସବୁ ସୁଯୋଗ ରହିଛି-ସେଇ ସୁଯୋଗଗୁଡ଼ିକର ସଦ୍‌ବ୍ୟବହାର କରିବାକୁ ହୁଏ । +ଯେଉଁମାନେ ଆଜି କୃଷି, ବାଣିଜ୍ୟ, ଶିଳ୍ପ ଆଦି କ୍ଷେତ୍ରରେ ଧନବାନ୍‌ ହୋଇଛନ୍ତି ଏବଂ ତା’ ଫଳରେ ଶହ ଶହ ଲୋକଙ୍କ ପାଇଁ ଦାନାକନା ଉତ୍ପାଦନର କ୍ଷେତ୍ର ସୃଷ୍ଟି କରିଛନ୍ତି-ସେମାନେ ନିଶ୍ଚିତଭାବେ ଆମ ସମସ୍ତଙ୍କର ପ୍ରଶଂସାର ପାତ୍ର । +ଜଣେ ଜଣେ ମହାଉଦ୍‌ଯୋଗୀ ପ୍ରତିଭାବାନ୍‌ ଶିଳ୍ପପତିଙ୍କ ଯୋଗୁଁ ଆମର ଜାତୀୟ ସମ୍ପଦ ବୃଦ୍ଧି ପାଇଛି ଏବଂ ସେମାନେ କଳକାରଖାନା ଖୋଲିଥିବାରୁ ଓ ବାଣିଜ୍ୟକ୍ଷେତ୍ର ଖୋଲିଥିବାରୁ ହଜାର ହଜାର ଲୋକ ସେଠାରେ କାର୍ଯ୍ୟ କରି ନିଜର ଦାରିଦ୍ର୍ୟ ଅପନୋଦନ କରିପାରୁଛନ୍ତି । +ଦେଶର ବଣିକ ଓ ଶିଳ୍ପପତିମାନେ ମଧ୍ୟ ଆଜି ବହୁ ସର୍ବସାଧାରଣ କାର୍ଯ୍ୟରେ ବିପୁଳ ପରିମାଣରେ ଆର୍ଥିକ ସାହାଯ୍ୟ କରିଥାନ୍ତି । +ଖାଲି ସେତିକି ନୁହେଁ-ଗଣତନ୍ତ୍ର ଶାସନରେ ଯେଉଁ ଭୋଟ ରାଜନୀତି ଚାଲିଛି-ସେଥିରେ ମଧ୍ୟ ଆମର ରାଜନୀତିକ ନେତାମାନେ ଏହିସବୁ ଧନବାନ୍‌ ଶିଳ୍ପପତି ଓ ବଣିକମାନଙ୍କଠାରୁ ନିର୍ବାଚନରେ ଲଢ଼ିବା ପାଇଁ ପ୍ରଚୁର ଅର୍ଥ-ଚାନ୍ଦା ଆଦାୟ କରନ୍ତି । +ଦେଶର ଏପରି କୌଣସି ଦଳ ନାହିଁ ବା ଏପରି କେହି ରାଜନେତା ନାହାନ୍ତି-ଯେଉଁମାନେ କି ନିର୍ବାଚନରେ ଲଢ଼ିବା ପାଇଁ ଏମାନଙ୍କଠାରୁ ବିପୁଳ ଅର୍ଥ ଚାନ୍ଦା ଗ୍ରହଣ ନ କରନ୍ତି । +ବର୍ତ୍ତମାନ ତ ଏହା ଏକ ବିଷଚକ୍ରରେ ପରିଣତ ହେଲାଣି । +ଦେଶରେ ଯେଉଁ ପ୍ରକାର ଅସାଧୁତା, ଅନୀତି ଓ ଅନ୍ୟାୟ ବର୍ତ୍ତମାନ ଖୁବ୍‌ ବଢ଼ିଯାଇଛି ବୋଲି କୁହାଯାଉଛି-ତା’ ର ମୂଳ କାରଣ ତ ଏଇଠି ରହିଛି । +ଯେତେଦିନ ପର୍ଯ୍ୟନ୍ତ ଏହି ପ୍ରକାର ଗଣତନ୍ତ୍ର ଥିବ ଓ ଏହିପ୍ରକାର ନିର୍ବାଚନ ପଦ୍ଧତି ରହିଥିବ; ସେତେଦିନ ପର୍ଯ୍ୟନ୍ତ ଦେଶ ଏହି ବିଷ-ଚକ୍ର ଭିତରୁ ମୁକୁଳିପାରିବ ନାହିଁ । +କ୍ଷମତା ରାଜନୀତିରେ ମାତିଥିବା ନେତାମାନେ ଓ ଦେଶର ବେପାରୀ ଶିଳ୍ପପତିମାନେ-ବର୍ତ୍ତମାନ ଉଭୟେ ଏହି ଗୋଟିଏ ବିଷ-ଚକ୍ର ଭିତରେ ହାତ ଧରାଧରି ହୋଇ ପଡ଼ିଛନ୍ତି ସେଥିରୁ ଆଉ କେହି କାହାକୁ ମୁକୁଳାଇ ପାରିବେ ନାହିଁ । +ସେପରି ପରିସ୍ଥିତି ମଧ୍ୟ ଆଉ ବର୍ତ୍ତମାନ ନାହିଁ । +ଏହା ବର୍ତ୍ତମାନ ଏପରି ଏକ ଦୁରବସ୍ଥାକୁ ଆସିଗଲାଣି ଯେ, ଦେଶର ସୁସ୍ଥ ଓ ସାଧାରଣ ଅର୍ଥନୀତି ମଧ୍ୟ ଭୁଶୁଡ଼ି ପଡ଼ିଲାଣି । +ଦେଶରେ ବର୍ତ୍ତମାନ ରାଷ୍ଟ୍ରୀୟ ଧନ ଅପେକ୍ଷା କଳାଧନର ପରିମାଣ ଯଥେଷ୍ଟ ବଢ଼ିଯାଇଛି ଓ ଏହି କଳାଧନ ହିଁ ବର୍ତ୍ତମାନ ଆମର ଅର୍ଥନୀତି ଓ ରାଜନୀତିକୁ ନିୟନ୍ତ୍ରଣ କରୁଛି । +ଶେଷ କଥା ହେଲା- ଏହା ଆମର ସାମାଜିକ ବ୍ୟବସ୍ଥା ଓ ରାଜନୀତିକୁ ନିୟନ୍ତ୍ରଣ କରୁଛି । +ଏହାଫଳରେ ଆମର ସାମାଜିକ ଓ ବ୍ୟକ୍ତିଗତ ନୈତିକତା ଛାଏଁ ଛାଏଁ ଚୁଲିକି ଗଲାଣି । +ଅବସ୍ଥା ଏପରି ହେଲାଣି ଯେ, ସାଧାରଣ ଲୋକଟିଏ ମଧ୍ୟ ଅଧିକ ଧନୀ ହେବା ଲାଗି ତା’ ନିଜ କ୍ଷେତ୍ରରେ କଳା-ଧନ ଉପାର୍ଜନ କରିବାରେ ଅଧିକ ତତ୍ପର ହୋଇପଡ଼ିଛି । +ସମସ୍ତଙ୍କର ଗୋଟିଏ ବଦ୍ଧମୂଳ ଧାରଣା ହୋଇଗଲାଣି ଯେ, ସତ୍‌ ଉପାୟରେ ଧନ-ଅର୍ଜନ କରି କେହି ଧନୀ ହୋଇପାରିବ ନାହିଁ । +ଏପରିକି ସାଧାରଣ ସୁଖ ସ୍ୱଚ୍ଛନ୍ଦରେ ମଧ୍ୟ ଆଜିକାଲି ବଜାରରେ ଚଳି ହେବ ନାହିଁ-ବଞ୍ଚି ହେବ ନାହିଁ । +ତେଣୁ ଆଜିକାଲି ଚାକିରିଠାରୁ ଆରମ୍ଭ କରି ବଣିଜ ପର୍ଯ୍ୟନ୍ତ ସର୍ବତ୍ର ସମସ୍ତେ ଯେକୌଣସି ଉପାୟରେ କଳାଧନ ଉପାର୍ଜନ କରିବାରେ ଲାଗିପଡ଼ିଛନ୍ତି । +ଏବଂ ବିଚିତ୍ର କଥା ଏହି ଯେ, ସବୁ ସରକାର କଳାବେପାରୀଙ୍କୁ ଜବତ କରିବାକୁ ଖୁବ୍‌ ଚେଷ୍ଟା ଚଲେଇଥାନ୍ତି । +କିନ୍ତୁ ସେହି ସରକାରର ପ୍ରତ୍ୟେକ ନେତା ନିର୍ବାଚନ ଯୁଦ୍ଧରେ ଜୟଲାଭ କରିବା ପାଇଁ ଭୋଟବେଳେ ଏଇ କଳାଧନର ସାହାଯ୍ୟ ନେଇଥାନ୍ତି । +କଳାଧନର ସାହାଯ୍ୟରେ କ୍ଷମତାକୁ ଆସି କଳାଧନ ରୋଜଗାର କରୁଥିବା ଅସାଧୁ ଅସାମାଜିକ ଲୋକଙ୍କୁ ଜବତ୍‌ କରିବାକୁ ବସିବା ଏକ ହାସ୍ୟକର ବ୍ୟାପାର । +ଏହା ଅସମ୍ଭବ ନୁହେଁ କି? ଦେଶ ସ୍ୱାଧୀନ ହେଲା ପରଠାରୁ ସ୍ୱାଧୀନ ସରକାରମାନେ ଦେଶରୁ ଦାରିଦ୍ର୍ୟ ହଟାଇବା ପାଇଁ ଦରିଦ୍ର ଲୋକଙ୍କ ପାଇଁ ଧନ-ଉପାର୍ଜନର ବହୁ ଧନ୍ଦା ସୃଷ୍ଟି କରିଛନ୍ତି । +କିନ୍ତୁ ସେ ସବୁ ଧନ୍ଦା କରି କେହି ଧନୀ ହୋଇପାରିବ ନାହିଁ । +ଧନୀ ହେବା ପାଇଁ ବା ରାତାରାତି ଧନୀ ହେବା ପାଇଁ ଦେଶରେ ଅନ୍ୟସବୁ ଧନ୍ଦା ସୃଷ୍ଟି ହୋଇଯାଇଛି । +ସ୍ୱର୍ଗତ ମହାପାତ୍ର ନୀଳମଣି ସାହୁଙ୍କ ଦ୍ୱାରା ବେଶ୍‌ କିଛି ବର୍ଷ ପୂର୍ବେ ଲିଖିତ ଏହି ପ୍ରବନ୍ଧଟିର ଗୁରୁତ୍ୱ ଆଜି ମଧ୍ୟ ରହିଥିବାରୁ ତାଙ୍କ ଜନ୍ମ ମାସରେ ତାଙ୍କୁ ଶ୍ରଦ୍ଧାଞ୍ଜଳୀପୂର୍ବକ ଏହି ପ୍ରବନ୍ଧଟି ପ୍ରକାଶିତ ।