diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia178.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia178.txt new file mode 100644 index 0000000000000000000000000000000000000000..51543fb833223b355e627594772b68eac8d78f44 --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia178.txt @@ -0,0 +1,62 @@ +ମେଲେରିଆରୁ ସୁରକ୍ଷା +ଉପକ୍ରମ +ମଣିଷକୁ ପ୍ରାୟ ୫୦ହଜାର ବର୍ଷରୁ ଊର୍ଦ୍ଧ୍ଵକାଳ ଧରି ପ୍ରଭାବିତ କରିଆସୁଛି ମ୍ୟାଲେରିଆ । +ଏଯାବତ୍ ବିଜ୍ଞାନର ଅଗ୍ରଗତି ସତ୍ତ୍ୱେ ଏହାର ସମ୍ପୂର୍ଣ୍ଣ ବିଲୋପ ସମ୍ଭବ ହୋଇପାରିନାହିଁ । +ଏହି ମାରାତ୍ମକ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲାଗି ପ୍ରତିବର୍ଷ ଏପ୍ରିଲ ୨୫ ତାରିଖରେ ବିଶ୍ଵ ମ୍ୟାଲେରିଆ ଦିବସ ପାଳିତ ହୋଇଥାଏ । +ପ୍ଲାଜମୋଡିୟମ ନାମକ ପରଜୀବୀ ଦ୍ଵାରା ମ୍ୟାଲେରିଆ ହୋଇଥାଏ । +ମ୍ୟାଲେରିଆକାରକ ମାଈ ଆନୋଫିଲିସ ମଶା ସାଧାରଣତଃ ସୂର୍ଯ୍ୟାସ୍ତ ପରେ ବିଶେଷକରି ରାତିରେ କାମୁଡେ । +କେତେକ କ୍ଷେତ୍ରରେ ମ୍ୟାଲେରିଆ ଭିତରେ ଭିତରେ ବଢିଥାଏ । +ଏପରି ସ୍ଥିତିରେ ଅଧିକ ଜ୍ଵର ନହୋଇ ଦୁର୍ବଳତା ଅନୁଭବ ହୋଇଥାଏ ଏବଂ ରୋଗୀର ହିମୋଗ୍ଲୋବିନ ପରିମାଣ କମିଯାଇ ହଠାତ୍ ସେ ରକ୍ତହୀନତାରେ ଆକ୍ରାନ୍ତ ହୁଏ । +ସାଧାରଣତଃ ଜୁଲାଇରୁ ନଭେମ୍ବର ମାସ ମଧ୍ୟରେ ମ୍ୟାଲେରିଆ ବେଶୀ ବ୍ୟାପୁଥିବାର ଦେଖାଯାଏ । +ଆକ୍ରାନ୍ତ ପ୍ରତ୍ୟକ ବ୍ୟକ୍ତିଙ୍କ ଶରୀରର ପ୍ରତିକ୍ରିୟା ଭିନ୍ନଭିନ୍ନ ହୋଇଥାଏ । +ମଶା କାମୁଡାରେ ସଂକ୍ରମଣ ହୋଇ ଏହି ରୋଗ ହେଉଥିଲେ ବି କେତେକ ଲୋକ ଅଛନ୍ତି, ଯେଉଁ ମାନଙ୍କ ଉପରେ ମଶା କାମୁଡାର କୌଣସି ପ୍ରଭାବ ପଡେନାହିଁ । +ଅର୍ଥାତ୍- ଶରୀର ଦୁର୍ବଳ ଥିଲେ ସଂକ୍ରମଣ ବ୍ୟାପେ । +ମ୍ୟାଲେରିଆ ଆକ୍ରାନ୍ତ କଲେ ସମୟାନ୍ତରରେ ହଠାତ୍ କମ୍ପ ସହ ଜ୍ଵର ଆସିବା, ଝାଳ ବୋହିଯିବା ପରେ ଦୁର୍ବଳ ଲାଗିବା ଆଦି ସାଧାରଣ ଲକ୍ଷଣ । +ଏପରି ହେଲେ ତୁରନ୍ତ ରକ୍ତ ପରୀକ୍ଷା କରି ଡାକ୍ତରଙ୍କ ପରାମର୍ଶରେ ଔଷଧ ଖାଆନ୍ତୁ । +ଔଷଧର କୋର୍ସ ସମ୍ପୂର୍ଣ୍ଣ କରିବା ଆବଶ୍ୟକ । +ନଚେତ୍ ମ୍ୟାଲେରିଆ ଲେଉଟିବାର ଆଶଙ୍କା ରହିଛି । +ମଶା ଦାଉରୁ ମୁକ୍ତି ପାଆନ୍ତୁ +ମସା ଘଉଡାଇବା ପାଇଁ ବଜାରରେ ବିଭିନ୍ନ ପ୍ରକାର ରାସାୟନିକ ତରଳ ପଦାର୍ଥର ରିଫିଲ, କଏଲ ଆଦି ମିଳୁଛି । +ହେଲେ, ଏଗୁଡିକ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । +ଏହା ବଦଳରେ ଏସବୁ ବ୍ୟବହାର କରିପାରିବେ । +ଘରେ କର୍ପୂର ଜଳାନ୍ତୁ । +ଜଳାଇବା ସମୟରେ ୧୦ ମିନିଟ୍ କବାଟ, ଝରକା ବନ୍ଦ କରିଦେବେ । +ଏହାପରେ ଖୋଲିଦେଲେ ମଶା ପଳାଇବେ । +ରସୁଣର କଡା ବାସ୍ନା ମଶାଙ୍କୁ ଦୂରେଇ ରଖେ । +ତେଣୁ ଦେହରେ ରସୁଣ ରସ ମାରିପାରନ୍ତି । +ଲାଭେଣ୍ଡର ତେଲରେ ବାସ୍ନାରେ ମଶା ପଳାନ୍ତି । +ଏହାକୁ ଫ୍ରେଶନର ଭାବେ ବ୍ୟବହାର କରି ମଶା ଦାଉରୁ ମୁକ୍ତି ପାଇପାରିବେ । +ମଶା ପାଇଁ ବ୍ୟବହାର କରୁଥିବା ରିଫିଲ୍ ରେ ନୀଳଗିରି ତେଲ ଏବଂ ଲେମ୍ବୁରସ ମିଶାଇ ରଖନ୍ତୁ । +ନିମ୍ବ ତେଲକୁ ହାତ, ପାଦରେ ଲଗାନ୍ତୁ ନଚେତ ନଡିଆ ତେଲରେ ନିମ୍ବ ତେଲ ମିଶାଇ ଦୀପ ଜଳାନ୍ତୁ । +ମଶା ରହିବେ ନାହିଁ । +ଘରେ ପୋଦିନା ପତ୍ରର ରସ ସିଞ୍ଚନ କରନ୍ତୁ । +ଏହାର ରସ ମଧ୍ୟ ଦେହରେ ଲଗାଇଲେ ମଶା କାମୁଡେବେନି । +ତୁଳସୀ ଗଛ ମଶାକୁ ଦୂରେଇ ରଖେ । +ତୁଳସୀ ପତ୍ରର ରସ ଦେହରେ ଲଗାଇଲେ ଏହା ମଧ୍ୟ ମଶାଠାରୁ ସୁରକ୍ଷା ଦେବ । +ଚିକିତ୍ସା ଅପେକ୍ଷା ପ୍ରତିଷେଧକ ଜରୁରୀ +ଘର ଭିତରେ ଏବଂ ଆଖପାଖ ସ୍ଥାନରେ ପାଣି ଜମିବାକୁ ନଦେଲେ ମଶା ସୃଷ୍ଟି ହୋଇପାରିବ ନାହିଁ । +ମଶା ଜୋର ହେଉଥିବା ସମୟରେ ବିଶେଷକରି ରାତିରେ ଯଥାସମ୍ଭବ ଘର ଭିତରେ ରହିବାର ଚେଷ୍ଟା କରନ୍ତୁ । +ମଶାରି ବ୍ୟବହାର କରିବା ଉଚିତ । +ପରମେଥ୍ରିନଯୁକ୍ତ ମଶାରି ବେଶୀ ସୁରକ୍ଷିତ ରଖେ । +ପୋଷାକରେ ମଧ୍ୟ ପରମେଥ୍ରିନ ଲଗାଇଦେଲେ ମଶା ପାଖକୁ ଆସିବେ ନାହିଁ । +ଶରୀରର ଅଧିକାଂଶ ଭାଗ ଆବୃତ ହୋଇ ରହୁଥିବା ପୋଷାକ ପିନ୍ଧିଲେ ମଶା କାମୁଡି ପାରିବେ ନାହିଁ । +ଡିଟ୍ କିମ୍ବା ପିକାରିଡିନ୍ ଯୁକ୍ତ କୀଟରୁ ସୁରକ୍ଷା ଦେଉଥିବା କ୍ରିମ୍ ବ୍ୟବହାର କରନ୍ତୁ । +ଏହା କେବଳ ମୁହଁ ଓ ଆଖିକୁ ବାଦ୍ ଦେଇ ଲଗାଯାଇପାରେ । +କେତେକ ଅସାବଧାନତା +ମ୍ୟାଲେରିଆ ପରି ଅସୁସ୍ଥତା କ୍ଷେତ୍ରରେ ଏହାକୁ ସାଧାରଣ ଜ୍ଵର ଭାବି ଅନେକ ମନକୁ ମନ ଔଷଧ ଖାଇଦିଅନ୍ତି । +ଏହା ବିପଜ୍ଜନକ ହୋଇପାରେ । +ଆସ୍ପିରିନ ଜାତୀୟ ଔଷଧ ଖାଇବା ଆଦୌ ଉଚିତ ନୁହେଁ । +କେତେକ ଯନ୍ତ୍ରଣା ନିବାରକ ଔଷଧ ମଧ୍ୟ ଖାଇବା ମନା । +କାରଣ, ଯଦି ଡେଙ୍ଗୁ ଆକ୍ରାନ୍ତ କରିଥାଏ, ତେବେ ଏହି ଔଷଧ ଖାଇବା ଦ୍ଵାରା ପ୍ଲେଟଲେଟସ ଅଭାବ ହୋଇ ଶରୀରରୁ ରକ୍ତସ୍ରାବ ଆରମ୍ଭ ହୋଇଯାଏ । +ଜ୍ଵର ହେଲେ ମଧ୍ୟ ଆଣ୍ଟିବାୟୋଟିକ୍ସ ଖାଇବା ଅନେକଙ୍କର ଅଭ୍ୟାସ । +ଏହାଦ୍ଵାରା ଶରୀରର ରୋଗପ୍ରତିରୋଧକ ଶକ୍ତି ଏହା ଉପରେ ନିର୍ଭରଶୀଳ ହୋଇଯାଏ ଏବଂ କେତେକ ସ୍ଥଳେ ଉପକାରୀ ବ୍ୟାକ୍ଟେରିଆ ବି ନଷ୍ଟ ହୋଇଯାନ୍ତି । +ଜ୍ଵର ହୋଇଥିବା ରୋଗୀଙ୍କୁ ବହୁବାର ଚାଦର ଘୋଡାଇ ଶୋଇବାକୁ କୁହାଯାଏ । +ଏହାଦ୍ଵାରା ଝାଳ ବୋହି ଜ୍ଵର ଛାଡିଯିବ ବୋଲି ଧାରଣା ରହିଛି । +କିନ୍ତୁ ଏଥିରେ ଶରୀରର ତାପ ବଢେ । +ତେଣୁ ରୋଗୀଙ୍କୁ ଖୋଲା, ସତେଜ ପବନ ବାଜିବା ପରି ସ୍ଥାନରେ ରଖନ୍ତୁ । +ଗାଧୋଇବା ସମ୍ଭବ ନହେଲେ ଓଦା ଗାମୁଛାରେ ପୋଛିଦେବା ଉଚିତ । +ଏହା ସ୍ୱାସ୍ଥ୍ୟ ପାଇଁ ହିତକାରକ ହେବା ସହିତ ଆରାମ ଲାଗିଥାଏ । +ଏଯାବତ୍ ମ୍ୟାଲେରିଆର କୌଣସି ପ୍ରତିଷେଧକ ଟିକା ପ୍ରସ୍ତୁତ ହୋଇପାରେନାହିଁ । +ଚଳିତ ବର୍ଷ ସୁଦ୍ଧା ଆରଟିଏସ୍ (ଯାହା ମସ୍କିରିକ୍ସ ନାମରେ ପରିଚିତ) ଟିକା ପ୍ରସ୍ତୁତ ହୋଇ ଘାନା, ମାଲାୱି ଏବଂ କେନିଆରେ ଆରମ୍ଭ ହେବାର ଥିଲା । +ତେବେ ପରେ ଏହି କାର୍ଯ୍ୟକ୍ରମ ବର୍ଷ ଶେଷକୁ ଘୁଞ୍ଚାଇ ଦିଆଯାଇଛି ଏବଂ ତିନୋଟି ମଧ୍ୟରୁ କୌଣସି ଗୋଟିଏ ଦେଶରେ ହେବାର ସୂଚନା ମିଳିଛି । +ପୂର୍ବରୁ ୨୦୧୧ ମସିହାରେ ଏହି ଟିକା ପ୍ରସ୍ତୁତି ଚାଲିଥିବା ବେଳେ ୨୦୧୫ ମସିହା ସୁଦ୍ଧା ଏହା ଲାଇସେନ୍ସ ପାଇ ବ୍ୟବହାର ଉପଯୋଗୀ ହେବ ବୋଲି ଚର୍ଚ୍ଚା ହେଇଥିଲା, ଯାହା ପୁଣି ବିଳମ୍ବିତ ହୋଇଯାଇଛି ।