diff --git a/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_60 b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_60 new file mode 100644 index 0000000000000000000000000000000000000000..88f55a4777888e5ed9bb4556a1497ef4eecd3a7a --- /dev/null +++ b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_60 @@ -0,0 +1,190 @@ +ଆଚାର୍ଯ୍ୟେ ଥିଲେ ବୋଲି +- ରାଜକିଶୋର ରାୟ +ତା: ଡିସେମ୍ବର୍ ୩୦, ୨୦୧୧ +ମୂଳ ପୃଷ୍ଠା → ସ୍ମରଣୀୟ ଲେଖା → ଗଳ୍ପ → +ସନ୍ଧ୍ୟା ଉତ୍ତୀର୍ଣ୍ଣ ହୋଇଛି । +ତାଳଚେରଠାରୁ ରେଳ ଲାଇନ୍ ଉପରେ ଗୋଟିଏ ପାସେଞ୍ଜର ଟ୍ରେନ୍ ଗତିକରି ଆସୁଛି । +ଏ ଲାଇନରେ ଗାଡିର ଗତି ବଡ ମନ୍ଥର । +ପ୍ରତି ଧୁମ ଫୁତ୍କାରର ତାଳେ ତାଳେ କେତେଗୁଡିଏ ଲୁହାର ଚକ ଲୁହା ଧାରଣା ଉପରେ ଗଡି ଆସୁଥିଲା । +ଖଇରା ଭୁଇଁ ଉପରେ ରକ୍ତରଶ୍ମି ଝରାଇ ସୂର୍ଯ୍ୟ ତଳକୁ ଯାଉଥିଲେ । +ଦୂର ପଲ୍ଲୀ ଭିତରେ ଗୋଟିଏ ଦୁଇଟି ଗୋଧନ ଦଳ ମାଟି ଉଡାଇ ଯାଉଥିବାର ଦୃଶ୍ୟ ଦିଶିଯାଉଥିଲା । +ଟ୍ରେନ୍ ଭିତର କୋଠରୀ ଗୁଡିକରେ ପ୍ରଦୀପ ଜଳି ଉଠିଲାଣି । +ଆରୋହୀମାନଙ୍କର ପୂର୍ବର ପାଉଁଶିଆ ମୁହଁ ଆଲୋକିତ ହୋଇଯାଇଛି । +ଚିହ୍ନିଲି, ଓଡିଶାର କୌଣସି କଲେଜର ଜଣେ ବିଜ୍ଞାନ ଅଧ୍ୟାପକ, ଓଡିଶାର କୌଣସି ଗୋଟିଏ ଗଡ଼ଜାତର ଜଣେ ଦେବାନ, ଓଡ଼ିଶାର କୌଣସି ଗାନ୍ଧୀ ଆଶ୍ରମର ଜଣେ କଂଗ୍ରେସ କର୍ମୀ ଓ ଓଡ଼ିଶାର କୌଣସି ତେଲ ମିଲ୍‌ର ଜଣେ ପୁଞ୍ଜିପତି ମାରୁଆଡ଼ି । +ଆରୋହୀ ଭିତରେ ଏମାନଙ୍କୁ ମୁଁ ଆଗରୁ ଚିହ୍ନିଥିଲି । +ସେମାନଙ୍କ ସହିତ ମୁଁ ଆଳାପ କରିଥିଲି । +ଅଚିହ୍ନା ଲୋକଙ୍କ ଭିତରେ ମାନ୍ୟବ୍ୟକ୍ତି ବୋଧହୁଏ ନ ଥିଲେ, ଗୁଣୀ ବ୍ୟକ୍ତି ବି ନଥିଲେ । +ଯେଉଁମାନେ ଥିଲେ, ସେମାନେ ସବୁବେଳେ ନଥିଲା ପରି ଟ୍ରେନ୍‌ରେ ଯାତାୟାତ କରନ୍ତି । +ଦେଖାଶୁଣା ଜୀବ ଏମାନେ; କିନ୍ତୁ କେହି କେବେ ଏମାନଙ୍କୁ ଦୃଷ୍ଟି ଦିଅନ୍ତି ନାହିଁ । +ଆଳାପ କଥା ଦୂରେ ଥାଉ । +ଢାଉ ରଙ୍ଗର ଆଣ୍ଠୁ ଉପରକୁ ଖଣ୍ଡେ ଖଣ୍ଡେ ଲୁଗା ପିନ୍ଧି ଚାରି ପାଞ୍ଚ ଜଣ ପୁରୁଷ ଓ ତାଙ୍କ ସଙ୍ଗେ ସେହି ଭଳି ଦେହ ଘୋଡ଼ାଇ ଆଉ ଖଣ୍ଡେ ଖଣ୍ଡେ ଢାଉ ରଙ୍ଗର ଲୁଗା ପିନ୍ଧା ପିନ୍ଧି ମାଇପି କେତେଜଣ ବସିରହିଥିଲେ; ବେଞ୍ଚ ଉପରେ ନୁହେଁ, ତଳେ । +ଅଧପୋଡା ବିଡି, ଖଙ୍କାର, କଦଳୀ ଚୋପା, କୋବିପତ୍ର, ପାନପିକ ଓ ସର୍ବୋପରି ନାକର ତରଳ ଦ୍ରବ୍ୟ ପଦାର୍ଥ ସମନ୍ବୟରେ ଯେଉଁଠି ଗୋଟିଏ ଶଯ୍ୟା ପଡ଼ିଥିଲା, ସେଇଠି, ତା’ରି ଉପରେ ସେମାନେ ବସିଥିଲେ । +ସେମାନେ ବଡ଼ କାକୁସ୍ଥ ଦେଖା ଯାଉଥିଲେ, ସତେ କି କେହି ତାଙ୍କୁ କରୁଣା ଦେଖାଇ ଏଡ଼େବଡ଼ ଯାନରେ ବସିବାକୁ ଆଜ୍ଞା ଦେଇଛି । +ତାଙ୍କୁ ଦଣ୍ଡେ ମୁଁ ଚାହିଁ ରହିଥିଲି । +ଏକ ପାଖେ ଅସ୍ତାୟମାନ ସୂର୍ଯ୍ୟର ରଶ୍ମି ସଞ୍ଚାରର ଅପୂର୍ବ ଶୋଭା, ଅନ୍ୟପାଖେ ଟ୍ରେନର ଏହି ଆରୋହୀ ଦଳ । +ସମ୍ବଲପୁର ଲରି ଷ୍ଟାଣ୍ଡ ପାଖେ ଗଡ଼ଜାତର ଦେବାନଙ୍କ ସଙ୍ଗେ ପ୍ରଥମେ ଦେଖା ହୋଇଥିଲା । +ସେ ମତେ ଚିହ୍ନି ନଥିଲେ, ପରେ ଚିହ୍ନିଲେ । +ବୋଧହୁଏ କେହି ଜଣେ ସେଠାରେ ମୋର ପରିଚୟ କରାଇ ଦେଇଥିଲେ । +ପରିଚୟ ଆଦ୍ୟପ୍ରାନ୍ତ ସୂକ୍ଷ୍ମଭାବରେ ଶେଷ ନ ହେଉଣୁ ଦେବାନ ସାହେବ ଏକପ୍ରକାର ଚିତ୍କାର କରି ଅତି ପାଖରେ ଛିଡ଼ା ହୋଇଥିବା ଜଣେ ଅଧୋବଦନା ଅଥଚ ଆଧୁନିକା ତରୁଣୀଙ୍କୁ ମତେ ଦେଖାଇ କହିଥିଲେ । +“ଆଲୋ ଆଭା”, ଏ ଜଣେ ଲେଖକ । +ନାଁ ବୋଧହୁଏ ଶୁଣିଥିବୁ । +ଏ ହେଉଛନ୍ତି ଶ୍ରୀ…. । +ତୁ ବୋଧହୁଏ ତାଙ୍କର ବହି ତୁମ କ୍ଲାସରେ ପଢୁଥିବୁ । +ଏହିଭଳି ଲୋକଙ୍କ ସଙ୍ଗେ ଦେଖାହେବା ଭାଗ୍ୟର କଥା ।” +ମୁଁ ଲଜ୍ଜିତ ହେଲି । +ଆଭା ସଲଜ୍ଜ ଭାବ ଦେଖାଇଲେ । +ତାଙ୍କର ବ୍ରୀଡ଼ାଭାବ କାଟିଦେବା ପାଇଁ ମୋ ପ୍ରତି ତାଙ୍କର ମୃଦୁ “ନମସ୍କାର” ଧ୍ବନି ତାଙ୍କୁ ସାହାଯ୍ୟ କଲା; ମୋର ସଙ୍କୋଚ ଭାବ କାଟିଦେବା ପାଇଁ ମୋର “ପ୍ରତିନମସ୍କାର” ବାଣୀ ବୋଧହୁଏ ମତେ ସାହାଯ୍ୟ କଲା । +ସମୟ ଥିଲେ ଚିନ୍ତା କରିଥାନ୍ତି, ମୋର ନାମ ସହିତ ଓଡ଼ିଶାର ବାତାବରଣ ଭିତରେ ଯେ ଗୋଟିଏ ଛୋଟ ବାୟୁମଣ୍ଡଳ ସମ୍ପୃକ୍ତ ଓ ଯାହାର ଆକୁଞ୍ଚନ ଓ ସଙ୍କୁଞ୍ଚନ ଓଡ଼ିଶାର ବହୁ କ୍ଷେତ୍ରରେ ମାର୍ଜିତ ହେଉ ବା ଆମାର୍ଜିତ ହେଉ, ଦୃଷ୍ଟ ହୁଏ, ତାହା କେତେଦୂର ଆଭାର କୁସୁମ-କୋମଳ ହୃଦୟକୁ ବିମଥିତ କରିପାରିଚି । +କିନ୍ତୁ ସମୟ ନ ଥିଲା । +ଲରି ଛାଡିବା ସମୟ ହୋଇଥିଲା । +ଆଭା ବସିଲା ମହିଳାସନରେ, ଆଉ ମୁଁ ଓ ଦେବାନ୍ ବସିଲୁ ପୁରୁଷାସନରେ । +ଭିକ୍ଷା ଯେଉଁ ଭିକ୍ଷୁକ ମାଗେ, ସେ ଯେ କାହିଁକି ଲରି ଛାଡ଼ିବା ବେଳକୁ, ଟ୍ରେନ୍ ଡବା ଭିତରେ, ପରୀକ୍ଷା ଦେଇଗଲା ବେଳକୁ, ହୋଟେଲ ଦୁଆର ମୁହଁରେ, ସିନେମା ଗୃହ ଆଗରେ ହାତ ପତେଇଦିଏ, ତାହା ବୁଝିବା ମନସ୍ତାତ୍ତ୍ବିକମାନଙ୍କ ପକ୍ଷରେ ସହଜ ହୋଇପାରେ । +ପ୍ରାଚୁର୍ଯ୍ୟ ଓ ତୃପ୍ତି ପାଖେ ଦୈନ୍ୟ ଓ ଅଭାବ କର ପତେଇ ଯେଉଁ ଅଭିଯୋଗ ବାଢ଼େ, ସେଥିରେ ରହସ୍ୟ ଅଛି, ଗ୍ଲାନି ବି ଅଛି । +ବସ୍‌ର ଚାରିଟା ଚକ ଘୂରିବାକୁ ଆରମ୍ଭ କରିଛି କି ନାହିଁ ଗୋଟିଏ ପଙ୍ଗୁ, ଦେବାନ ବାବୁଙ୍କୁ ହାତ ପତେଇ ଦେଇଛି । +ଅଥର୍ବ ସେ, ପଡ଼ିଯିବାର ଭୟ ତାହାର ଥିଲା । +ସେହି ଭୟକୁ ଭ୍ରୁକ୍ଷେପ ନ କରି ସେ ଦଉଡ଼ି ଦଉଡ଼ି ଯୋଡ଼ ହାତରେ ମାଗୁଥାଏ “ପଇସାଟିଏ, ଗୋଟିଏ ପଇସା- ହେ, ବାବା ।” +ଦେବାନଙ୍କ ମୁହଁରେ ବିରକ୍ତି ଓ କ୍ରୋଧର ଚିହ୍ନ । +ଶେଷ ମୁହୂର୍ତ୍ତକୁ ସେ ଆବିଷ୍କାର କଲେ ଯେ, ଟିଫିନ ବାକ୍‌ସ ଆଭା ସଜାଡ଼ି ଆଣିଛି, ଅଥଚ ଷ୍ଟେଟ୍‌ର ପ୍ରସିଦ୍ଧ ରାଜୋଦ୍ୟାନ କୂପର ସ୍ବଚ୍ଛ ନୀର ସେ ସୋରେଇରେ ଆଣିପାରି ନାହିଁ । +ଆଭାକୁ ସେ ସେଇଠି ଚେତେଇ ଦେଇଥିଲେ ଯେ, ବମ୍ବେ ବା କଲିକତା ଗଲେ ମଧ୍ୟ ରାଜକୂପର ଜଳ ନେବାକୁ ସେ ଭୁଲନ୍ତି ନାହିଁ । +କାରଣ ବାଟରେ ଘାଟରେ ଯାହା ତାହା ପାଣି ପିଇବା ଅର୍ଥ ମୃତ୍ୟୁ । +ତା’ପରେ ଏହି ପଙ୍ଗୁଭଳି ଭିଖାରୀଗୁଡ଼ାକ ସଂସ୍ରବରେ ଯେଉଁ ମାଟିପାଣି ଆସୁଛି, ତାହା ସହିତ ସୁସ୍ଥ ଜୀବ ସଂଯୋଗ ରଖିଲେ ପ୍ରାଣ ଆଉ ରହିବ ନାହିଁ । +ଡ୍ରାଇଭର୍ ବସ୍ ଛାଡ଼ିପାରୁ ନାହିଁ । +ଦେବାନଙ୍କର ଅସୁବିଧା ହୋଇଛି । +ବସ୍ ବି ସେହି ଷ୍ଟେଟ୍ ଭିତରେ ଯାଏ । +ଡ୍ରାଇଭରର ମନ ଖରାପ । +ପ୍ରଥମେ ହାତ ଯୋଡି ସେ ଷ୍ଟିଅରିଂ ଚକ୍ରକୁ ନମସ୍କାର କରିସାରିବା ପରେ ଏ ଯେଉଁ ଦୁର୍ଯୋଗ, ସେଥିରେ ତାର ରାଗ ହେଲା ବିଚାରା ଭିଖାରୀ ଉପରେ । +ଅକଥ୍ୟ ଭାଷାରେ ସେ କହିବାକୁ ଆରମ୍ଭ କରିଛି । +ଦେବାନ ବାବୁ ବି ସମର୍ଥନ କଲେ । +“ଏଗୁଡ଼ାକ ଚୋର, ବଦମାସ, ବ୍ୟବସାୟ ଖୋଲିଛନ୍ତି- ବାହାର, ବାହାର ।” +ମୋ ପାଖରେ ଦୋପଇସିଟିଏ ନ ଥିଲା । + ଚାରଣି +– ସେତିକି ବଢେଇ ଦେଲି । +ବସ୍ ଚାଲିଲା । +ଆଠମଲ୍ଲିକ- +ଖରା, ଧୂଳି ଓ ଆଣ୍ଠୁଯାକି ବସି ରହିବାର କଷ୍ଟରୁ ମୁଁ ତ୍ରାହି ପାଇଲି । +ଘନଛାୟା ତଳେ ମୁଁ ବିଶ୍ରାମ କଲି । +ଦେଖିଲି, ମୋର ଜଣେ ଅଧ୍ୟାପକ ବନ୍ଧୁ ଆଠମଲ୍ଲିକ ବସ୍‌ରେ ଯାଉଛନ୍ତି । +ଆଳାପ ହେଲା । +ବିଜ୍ଞାନର ଅଧ୍ୟାପକ ସେ, ତେଣୁ କଥା କଥାକେ ତାଙ୍କ ତୁଣ୍ଡରୁ ବାହାରେ ଆମେରିକା-ଆମେରିକାର ସଭ୍ୟତା, ଆମେରିକାର ସ୍ଲାଇସ୍କ୍ରେପର (ନଭଶ୍ଚୁମ୍ବୀ ଅଟ୍ଟାଳିକା), ଆମେରିକାର ପୁରୁଷ ଓ ସ୍ତ୍ରୀ, ଆମେରିକାର ଉଦ୍ଭିଦ, ଆମେରିକାର ଜାନ୍ତବ, ଆମେରିକାର ଫ୍ରି ଲଭ୍ (ଶସ୍ତା ପ୍ରଣୟ) ଇତ୍ୟାଦି । +ମତେ ସେଇଠି ସେ କହିଲେ- +“ଆଜି ଗୋଟାଏ ଆମେରିକାନ୍ ମାଗାଜିନରୁ ମୁଁ ପଢ଼ିଛି, ପୁରୁଷ ଓ ସ୍ତ୍ରୀର କେଶରାଶିରୁ ଉତ୍କୃଷ୍ଟ ବିସ୍‌କିଟ୍ ଓ ପାଉଁରୁଟି ତିଆରି ହୋଇପାରୁଛି । +ତେଣୁ ନେହେରୁ ସରକାର ତଥା ମହତାବ ସରକାର (ଓଡିଶା ସରକାର ସେ କହନ୍ତି ନାହିଁ, କାରଣ ବ୍ୟକ୍ତିବିଶେଷର ନାମ ଧରିଲେ ଯେ ବ୍ୟକ୍ତିତ୍ବର ପରିସ୍ଫୁରଣ ହୁଏ, ତାହା “ଓଡିଶା” ବା “ଭାରତ” କହିବା ଦ୍ବାରା ପ୍ରକଟିତ ହେବ ନାହିଁ ।) + ନାପିତମାନଙ୍କ ଦ୍ବାରା କେଶ ସଂଗ୍ରହାଳୟ ସ୍ଥାପନ କରି ସେଥିରୁ ବିସ୍‌କିଟ୍ ଓ ପାଉଁରୁଟି ଆମଦାନୀ କରି ଦେଶକୁ ଖାଦ୍ୟ ସଙ୍କଟରୁ ରକ୍ଷା କରନ୍ତୁ ।” +“-ବାବୁ, କିଛି ଖାଇନି, କିଛି ଦିଅ ବାବୁ, ଭଗବାନ ଭଲ କରିବେ ।” +ବଡ଼ ପିଲାଟି ତୁଣ୍ଡରୁ ଏ କଥା ବାହାରିଛି, ସାନ ପିଲା କନାଖଣ୍ଡେ ଦେଖାଇ ଭିକ୍ଷା ଚାହୁଁଛି । +ବିଜ୍ଞାନ ଅଧ୍ୟାପକ କେଶ ସଂଗ୍ରହ ବ୍ୟବସ୍ଥାରୁ ଏପରି ଦାନ ଦାକ୍ଷିଣ୍ୟ ଦେଖାଇବା ପାଇଁ ଆଦୌ ପ୍ରସ୍ତୁତ ନ ଥିଲେ । +ତା’ପରେ ଦୁଇ ଭିକ୍ଷୁ ବାଳକଙ୍କର ମୁଣ୍ଡରେ କେଶର ଚିହ୍ନବର୍ଣ୍ଣ ବି ନାହିଁ । +ରୋଗ ଓ ଖାଦ୍ୟାଭାବ, ଅଧ୍ୟାପକଙ୍କର କେଶ ସଂଗ୍ରହ ବ୍ୟବସ୍ଥାକୁ ଆଗରୁ କାର୍ଯ୍ୟକାରୀ କରିଦେଇଛି । +ଅଧ୍ୟାପକ ଆରମ୍ଭ କଲେ-“ହୋପ୍‌ଲେଶ, ଏମାନଙ୍କ ଯୋଗୁଁ ଦେଶ କ୍ରମେ ଅବନତି ଆଡ଼କୁ ଯାଉଛି । +ଆପଣ ଜାଣନ୍ତି, ଆମେରିକାରେ ଭିକ୍ଷୁକ ସମସ୍ୟା ନାହିଁ । +ସମସ୍ତେ କର୍ମଠ, ଉପାର୍ଜନକ୍ଷମ । +ଏମାନଙ୍କୁ କିଛି ଦେବା ଅର୍ଥ ଦେଶର ଉନ୍ନତି ଉପରେ କୁଠାରାଘାତ କରିବା ।” +ଅଧ୍ୟାପକଙ୍କଠାରୁ ନାସ୍ତିବାଣୀ ଶୁଣି ଭିଖାରୀ ଦୁଇଟି ମତେ ଚାହିଁଲେ । +କାରଣ ଅଧ୍ୟାପକଙ୍କର ବିମୁଖଭାବ ତାଙ୍କର ଆଶା ଉପରେ କୁଠାରାଘାତ କରି ସାରିଥିଲା । +ପାଖ ପିଜୁଳି ଦୋକାନୀକୁ ଆଠଣିଟାଏ ଭଙ୍ଗେଇବାକୁ ଦେଇ ସେଥିରୁ ଦୁଇଅଣା ଦୁହିଙ୍କୁ ମୁଁ ଦେଇଦେଲି । +ସମୟ ହୋଇଥିଲା । +ବସ୍‌କୁ ଆସିଲି । +ଅଧ୍ୟାପକ ବନ୍ଧୁ ବିଦାୟ ଘେନି ଅନ୍ୟ ବସ୍‌ରେ ବସିଲେ । +ପର ବିଶ୍ରାମସ୍ଥଳ ହେଉଛି ଅନୁଗୋଳ । +ଯାନରୁ ଓହ୍ଲାଇ ମୁଁ ଦେଖିଲି, ଆଭା ଝାଉଁଳିବା ଭାବରେ ରହିଚି । +ଦେବାନ ବାବୁଙ୍କର ଉପଭୋଗ ପାଇଁ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ ରହିଥିଲେ ବି ସେହି ରାଜୋଦ୍ୟାନର ଜଳ ଅଭାବରୁ ତାହା ଏ ପର୍ଯ୍ୟନ୍ତ ବ୍ୟବହୃତ ହୋଇ ନାହିଁ । +ସ୍ବାସ୍ଥ୍ୟ ବିଷୟରେ ଏତେ ସତର୍କ ଥିବା ଦେବାନ୍ ବାବୁଙ୍କୁ ମୁଁ ପ୍ରଶଂସା ନ କରି ରହିପାରିଲି ନାହିଁ । +କୌଣସି ବନ୍ଧୁଙ୍କ ଘରୁ ଭଲ ପାଣି ମଗାଇ ତାଙ୍କୁ ବ୍ୟବହାର କରିବାକୁ କହିଲି । +ଆଭା ଯେପରି ପ୍ରାଣ ଫେରିପାଇଛି । +ଅନିଚ୍ଛାସତ୍ତ୍ବେ ଦେବାନ୍ ବାବୁ ତାହା ଗ୍ରହଣ କରିବାକୁ ରାଜି ହେଲେ । +ନାଲି ରାସ୍ତା ଉପରେ ମୁଁ ଟିକିଏ ପାଦ ଖେଳେଇ ଆଣୁଛି; ଶୁଣିଲି ସେହି ଚିରଶ୍ରୁତ କାକୁବାଣୀ- +“ଦିଅ ବାବୁ, ଅନ୍ଧୁଣୀ, ପୁଅ ଗେରସ୍ତ କେହି ନାହାନ୍ତି, ଦିଅ ବାବୁ ପଇସା ଅଧଲାଏ । +ଗରିବର ଦୁଃଖ ବୁଝ ।” +ମୁଁ ଫେରି ଚାହିଁଲି । +ଗୋଟିଏ ଅନ୍ଧୁଣୀ ବୁଢୀ ବିଖ୍ୟାତ ତୈଳବୀଜ ବ୍ୟବସାୟୀ ମାରୁଆଡ଼ିକୁ ହାତ ପତେଇ ନିଜର ଦୁଃଖ ଜଣାଉଛି । +“-ହଟ୍‌ଯାଓ, କୁଛ ନେହିଁ, ଉଡ଼ିଶ୍ୟା କଙ୍ଗାଳ ଦେଶ୍ ।” +ଶେଠଜୀ ଏତକ କହି କମର ଉପର ଲୁଗାକୁ ଆଉରି ଭିଡ଼ରେ ବାନ୍ଧିଦେଲେ । +ଅନ୍ଧୁଣୀକୁ ଅଣିଏ ପଇସା ବଢେଇ ଦେଇ ମୁଁ ଶେଠଜୀଙ୍କୁ ଦଣ୍ଡେ ଚାହିଁଲି । +ମୋର ଏ ଦାନକୁ ଗୋଟାଏ ତାଚ୍ଛିଲ୍ୟମିଶ୍ରିତ ଚାହାଣିରେ କରୁଣାସିକ୍ତ କରି ଦୁଇ ରୁକ୍ଷ ଅଧର ଉପର ଉପରେ ଟିକିଏ ହସ ଖେଳେଇଆଣି ଶେଠଜୀ ଆବୃତ୍ତି କଲେ- ଉଡ଼ିଶ୍ୟା କଙ୍ଗାଳ ଦେଶ । +ଟିକିଏ ଦୂରକୁ ଖଣ୍ଡିଏ ଓଡ଼ିଆ ସମ୍ବାଦପତ୍ର ଖୋଲି ଜଣେ ଟୋପିଧାରୀ ଝୁଲାହସ୍ତ କଂଗ୍ରେସକର୍ମୀ ମାହାତ୍ମା ଗାନ୍ଧିଙ୍କର ପ୍ରାୟୋପବେଶନର ବାର୍ତ୍ତା ବୋଧହୁଏ ପଢ଼ୁଥିଲେ । +ଜଣାଯାଉଥିଲା, ଯେପରି ଅଭିନିବେଶ ଟିକିଏ ବେଶୀ ହୋଇଯାଇଛି । +“ବାବୁ, ଅନ୍ଧୁଣୀ ବୁଢ଼ୀ, କଅଣ ଦିଅ ବାବୁ !” +ଥରେ ନୁହେଁ, ବହୁଥର ଏ ମର୍ମସିକ୍ତ ବାଣୀ କଂଗ୍ରେସକର୍ମୀଙ୍କର କାନରେ ପଡ଼ିଛି; କିନ୍ତୁ ମହାତ୍ମାଙ୍କର ଅନଶନ ସମ୍ବାଦରେ ତାଙ୍କର ମତି ଏତେ ବିହ୍ବଳ ହୋଇଛି ଯେ, ବୁଢୀର ବିଳାପ କାନକୁ ଯାଉ ନାହିଁ । + କେତେବେଳକୁ ବିରକ୍ତିରେ ସେ କହିଲେ- +“ଓଃ, କେତେ ବକ୍ ବକ୍ କରୁଛୁ । +ରହ, ବିଡ଼ିଟା ଲଗାଏଁ । +କିଲୋ ବୁଢୀ, ନିତି ଯଦି ତୁ ଇମିତି ଭିଖ ମାଗିବୁ, ତେବେ ସମାଜର ସଂସ୍ଥା ରହିବ କିପରି?” ଏହା କହି କର୍ମୀ ଜଣକ ମୋ ଉପରେ ଦୃକ୍‌ପାତ କରି “ସମାଜ-ସଂସ୍ଥା” ଭଳି ଗୋଟାଏ ରାଜନୀତିକ ଶବ୍ଦ ଶୁଣାଇ ପାରିଛନ୍ତି ବୋଲି ଆତ୍ମତୃପ୍ତିରେ ଟିକିଏ ହସିଲେ । +ବୁଢ଼ୀ ସେଠାରୁ ଶୂନ୍ୟହସ୍ତରେ ଫେରିଆସିଲା । +କର୍ମୀଙ୍କର ମୁହଁରେ ବିଡ଼ିଟା ବସ୍ ରାସ୍ତାର ମୋଡ଼ ବୁଲିବା ପର୍ଯ୍ୟନ୍ତ ଅଗ୍ନିକଣା ଝରାଉଥାଏ । +ଟ୍ରେନ୍‌ର ପ୍ରକୋଷ୍ଠ ଭିତରେ ଦେବାନଠାରୁ ଆରମ୍ଭ କରି ସେହି କଂଗ୍ରେସକର୍ମୀ ପର୍ଯ୍ୟନ୍ତ ମୋର ଯାତ୍ରାସଙ୍ଗୀ ରହିଛନ୍ତି । +ଶୀତ ସନ୍ଧ୍ୟାର ଶୀତଳ ବାୟୁ କ୍ରମେ ସୁଶୀତଳ ହୋଇଯାଉଛି । +ଟ୍ରେନର ଗତି କମିଆସିଲା । +ବିଜ୍ଞାନ ଅଧ୍ୟାପକ ସେତେବେଳକୁ ସିଗାରେଟ୍‌ରେ ନିଆଁ ଧରାଇଛନ୍ତି । +ଦେୱାନ ବାବୁ ପାଇପରେ ଅଭ୍ୟସ୍ତ । +ତେଣୁ ତାଙ୍କ ପାଇପରୁ ସ୍ଫୁଲିଙ୍ଗ ବାହାରୁଛି । +କର୍ମୀଙ୍କର ବିଡ଼ି ଲିଭି ନାହିଁ । +ଗୋଟାକ ପରେ ଗୋଟାଏ ଚାଲିଛି । +ତୈଳବୀଜ ବ୍ୟବସାୟୀ ଶେଠଜୀ ଚିଲମରେ ଖଇନ୍ ଦେଇ ଖୁଁ ଖୁଁ କରି ଟାଣି ଯାଉଛନ୍ତି । +ଅନ୍ଧକାରର ମସୀ ତଳେ ମୋର ପ୍ରଲୁବ୍‌ଧ ଆତ୍ମା ଆଲୋକ ଖୋଜୁଛି । +ମୁଁ କୃଷ୍ଣା ପ୍ରକୃତିକୁ ଚାହିଁ ରହିଥିଲି । +ଦିଗ୍‌ବଳୟ ତଳେ ଗୋଟିଏ ନକ୍ଷତ୍ର ଜଳୁଥିଲା । +ଷ୍ଟେସନ…. +ସ୍ବାଭାବିକ କୋଳାହଳ । +ଦୁଇ ମୁହୂର୍ତ୍ତ ଭିତରେ ଷ୍ଟେସନର କୋଳାହଳ ଯେପରି ସ୍ଥିର ହୋଇ ଆସିଲା । +କିଏ ମ ? କିଏ ସେ ? କ୍ଷୀଣ କଣ୍ଠରେ କିଏ କହିଲା- “ଆଚାର୍ଯ୍ୟ”! ସେ କଣ୍ଠ ପୁଣି ସ୍ପଷ୍ଟ ଶୁଣାଗଲା-“ଆଚାର୍ଯ୍ୟ ମହାଶୟ !” ସେ ସ୍ପଷ୍ଟ କଣ୍ଠ ପୁଣି ସ୍ପଷ୍ଟତର ଶୁଣାଗଲା । +“ଆଚାର୍ଯ୍ୟ ହରିହର” । +ଅନ୍ୟ ଜଣେ କିଏ କହିଲା-“ଋଷିପ୍ରତିମ” । +ମୁଣ୍ଡିଆ- +ପ୍ରଣାମ- +ମୁଣ୍ଡିଆ- +ଜୁହାର- +ପାଦଧୂଳି ଦିଅନ୍ତୁ- +ଉତ୍ତର ଶୁଭିଲା- ହଉ ବାବା, ଭଲ ଅଛ ? ଢେଙ୍କାନାଳରେ କାମ ଥିଲା, ଯାଇଥିଲି । +ଆନ୍ଦୋଳନରୁ କ୍ଷାନ୍ତ ରହିବାକୁ କହିଲି, ମୋ କଥା ପିଲାଏ ଶୁଣିଛନ୍ତି । +ସେହି ମୋର ଶାନ୍ତି । +ହଁ, ସତ୍ୟବାଦୀରେ ବ୍ରାହ୍ମଣେ ହଳ କଲେ । +ମୋ ଉପରକୁ ସମସ୍ତେ ଖପ୍‌ପା । +ହଉ ବାବା, ଭଲ ଅଛ ? ସୂତା କାଟୁଛ ତ ? ଗୀତା ପଢ଼ିବ । +ଯେ ଯେଉଁ ନୀତିରେ ଯାଅ, ସେ ବୁଢ଼ା ଜନନାୟକଙ୍କୁ ମନରେ ରଖିଥିବ । +କେଉଁ ଡବାରେ ବସିବା ? ଏଇଠି ବସିଗଲେ ହେବ । +ସାରଙ୍ଗ, ତମେ ଟିକଟ ଆଣ । +ଉତ୍କଳର ଚିର ପରିଚିତ ସେହି ପୁରୁଷକୁ ନ ଚିହ୍ନେ କିଏ ? ହାତରେ ଖଣ୍ଡିଏ ମାତ୍ର ଶଯ୍ୟାସନ ଝୁଲାଇ କାନ୍ଧରେ ଖଣ୍ଡିଏ ମୁଣା ରଖି ସେ ଉଠିଆସିଲେ ଆମରି ଡବା ଭିତରକୁ । +ପ୍ରସନ୍ନ କାନ୍ତି, ଅନାଡମ୍ବର ଶୌର୍ଯ୍ୟ, ମୁଖ୍ୟରେ ସେହି ସାତ୍ତ୍ବିକ ହସ!! +“-ଆରେ ବାବା, ଏଇଠି ସବୁ ବସିଛ, ହଉ ବସ ବସ ।” +ଦେବାନଙ୍କ ପାଇପ ମୁହଁରୁ ଖସି ପଛ ଆଡ଼କୁ ଆଉଜି ଯାଉଛି । +ଅଧ୍ୟାପକଙ୍କର ସିଗାରେଟ୍ ଝରକା ବାଟେ ତଳେ ପଡ଼ିଲାଣି । +ମାରୁଆଡ଼ି ଚିଲମଟାକୁ ତଳେ ଗଡ଼େଇ ଦେଇଛନ୍ତି । +ବିଚାରା କର୍ମୀଙ୍କର ଅବସ୍ଥା ସବୁଠୁଁ ଉଦ୍‌ବେଗଜନକ । +ସେ କିଛିକ୍ଷଣ ନିଶ୍ଚଳ ହୋଇ ରହିଗଲେ । +ତେଣୁ ତାଙ୍କର ଅଧରରେ ଅମାନିଆ ବିଡ଼ିଟା ଲାଗି ରହିଥିଲା । +“କିଓ ଭାନୁଶଙ୍କର, ଧୂଆଁ ଅଭ୍ୟାସ କଲ କାହିଁକି?” +ମୁଁ ଦୂରରୁ ଦେଖୁଥାଏ, କର୍ମୀଙ୍କର ସମାଜ-ସଂସ୍ଥା ଏତିକିରେ ଭାଙ୍ଗିପଡ଼ିଲା । +ସେ ଅସ୍ତବ୍ୟସ୍ତ ହୋଇ “ଢୁ” କରି ଗୋଟାଏ ମୁଣ୍ଡିଆ ମାରିଦେଲେ । + ବିଜ୍ଞାନ ଅଧ୍ୟାପକ ହଠାତ୍ ଆରମ୍ଭ କରିଦେଲେ- “ଆଜ୍ଞା, ଭାରତ କଅଣ ମୌଳିକ ଶିକ୍ଷା ଯୋଜନାକୁ ଶୀଘ୍ର ଗ୍ରହଣ କରିପାରିବ?” +-“ଦାତାମାନେ, ଏ ଅନ୍ଧକୁ ଦୟାକର । +ନିଆଶ୍ରିକ ମାଗୁଛି, ପଇସା ଅଧଲାଏ ଦିଅ । +ଭଗବାନ ଦୟା କରିବେ । +ଦିଅ ବାବା ।” +ଅନ୍ଧ ଗୀତ ଧରିଛି । +ଛଳଛଳ ଆଖିରେ ଉତ୍କଳର ଋଷି ବାରଣ କଲେ-“ନାହିଁ ବାବା, ଗୀତ ବୋଲ ନାଇଁ, କଷ୍ଟ ହେବ । +ହେଇଟି ନିଅ, କହି ଆଚାର୍ଯ୍ୟେ ଦୁଇଅଣିଟିଏ ଅନ୍ଧକୁ ବଢ଼ାଇ ଦେଲେ ।” +ସାଙ୍ଗେ ସାଙ୍ଗେ ଦେବାନ୍ କହିଲେ- “ନେ, ନୋଟଟାଏ, ଦେଖି ରଖ ।” +ଅଧ୍ୟାପକ ମନିବ୍ୟାଗରୁ ଅଣ୍ଡାଳି ଆଣିଲେ ଟଙ୍କାଟିଏ, କହିଲେ-“ନେ ଟଙ୍କାଟା; ସାଇତି କରି ରଖ । +ଆହା! ଏମାନେ ଦରିଦ୍ରନାରାୟଣ । +ଆମେରିକାରେ ଏମାନଙ୍କୁ ସାହାଯ୍ୟ କରିବାପାଇଁ ବହୁ ପ୍ରକାରର ପାଣ୍ଠି ରହିଛି ।” +ମାରୁଆଡ଼ି ଖୋସଣୀ ଫିଟାଇ କହିଲେ- “ଲେଓ, ଆଠ ଆନା, ହାମରା ଗୋଦାମକୁ ଗଇଲେ କିଛୁ ବେଶୀ ମିଳିବ ରେ ।” +ଶେଷରେ କର୍ମୀ ପକେଟରୁ ବାହାର କଲେ ଚାରିଅଣା ପଇସା; କହିଲେ +-“ନେ ବାବା, ନେ, ସମାଜର ସଂସ୍ଥା ରଖିବାକୁ ହେଲେ ତୁମକୁ ହିଁ ଆଗ ଦେଖିବାକୁ ହେବ ।” +ଏ ଭିତରେ ଦୁଇଟି ଷ୍ଟେସନ ପାର ହୋଇଯାଇଛି । +ମୁଁ ଚିତ୍ରପ୍ରତିମା ଭଳି ବସି ରହିଥାଏ । + ଦେବାନ ସାହେବ ପାଖକୁ ଆସି ମତେ ହଲେଇ ଦେଇ କହିଲେ +-“ଆପଣ କଅଣ ଦେଖୁଛନ୍ତି?” +ମୁଁ ଉତ୍ତର ଦେଲି- “ପ୍ରକୃତି ।” +ସେ ହସିଲେ; କହିଲେ- “ଅନ୍ଧକୁ କିଛି ଦେଲେ ନି?” ମୁଁ ଉତ୍ତର ଦେଲି-“ନାଁ” । +ଦେବାନ୍ କହିଲେ “କିନ୍ତୁ ସବୁଠାରେ ମୁଁ ଦେଖିଲି ଆପଣ ଦେଇ ଆସିଛନ୍ତି ।” +ମୁଁ କହିଲି- “ହଁ, କିନ୍ତୁ ଏଠାରେ ପାରିଲି ନାହିଁ ।” +“କାରଣ?” +“-ଆଚାର୍ଯ୍ୟେ ଥିଲେ ବୋଲି…” ସେ ମୋର କାନ୍ଧ ଉପରେ ସ୍ନେହରେ ହାତ ରଖି କହିଲେ- +“ମୁଁ ଶିଖିଲି ।” +ମୁଁ ପୁଣି କହିଲି- “ମୋର ସେହି ଏକା ଉତ୍ତର; ଆଚାର୍ଯ୍ୟେ ଥିଲେ ବୋଲି….” +ଦେବାନ୍‌ବାବୁ ଏଥର ମତେ ଭଲ ଭାବରେ ଚାହିଁଲେ, ଆଉ କହିଲେ- +“ସତେ, ଆପଣ କବି ଭାବର ଲୋକ… ।” +ଟ୍ରେନ୍ ଚାଲିଥାଏ । +ଦୂର ଚକ୍ରବାଳ ତଳେ ଏକାକୀ ସେହି ନକ୍ଷତ୍ରଟି ଆହୁରି ଦୀପ୍ତ ଦେଖାଯାଉଥାଏ । +ମୁଁ ମୁହଁ ଫେରାଇ ଦେଖିଲି, ଆଭା କଅଣ ଲେଖୁଛି +-ତାର ଅଙ୍କ ଉପରେ ତାହାରି ଡାଏରିଟି ଢଳି ପଡ଼ିଥିଲା ।