diff --git a/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_44 b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_44 new file mode 100644 index 0000000000000000000000000000000000000000..c68a17cc0c000c5a38368b516bab3d8c966e76bf --- /dev/null +++ b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_44 @@ -0,0 +1,174 @@ +ବୁଢ଼ାଶଙ୍ଖାରି +କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର +ତା: ଅକ୍ଟୋବର୍ ୧୭, ୨୦୧୨ +ମୂଳ ପୃଷ୍ଠା → ସ୍ମରଣୀୟ ଲେଖା → ଗଳ୍ପ → +ପ୍ରାୟ ଫଗୁଣ ମାସ ଶେଷ ସରିକି, ଉଦୁଉଦିଆ ଖରାବେଳେ ବୁଢ଼ାଟିଏ ଗୋଟିଏ ଗାଁ ମଝିରେ ଯାଉଥିଲା । +ଷାଠିଏ ବରଷର ବୁଢ଼ା, ଦାନ୍ତଗୁଡ଼ାକ ସବୁ ପଡ଼ିଗଲାଣି, ମୁଣ୍ଡବାଳ ତେଣିକି ଥାଉ, ଛାତି ବାଳଗୁଡ଼ାକ ପାଚି ଧୋବ ଫରଫର ଦିଶୁଛି । +ବୁଢ଼ା ମୁଣ୍ଡରେ ଗୋଟିଏ ଟୋକେଇ, ଧୂଳିରେ ଆଣ୍ଠୁଯାକେ ବୁଡ଼ିଛି, ଅଷ୍ଟାଙ୍ଗ ଶରୀର ଝାଳରେ ବୁଡ଼ି ଗୋଡ଼ ବାଟେ ବହି ଯାଉଛି । +ଗାଁ ମୁଣ୍ଡରେ ଗୋଟିଏ ଘର । +ପକ୍କା ପିଣ୍ଡା, ସାତଶେଣିଆ ଛପର, ଯାଉଁଳି କବାଟ । +ବୁଢ଼ା ସେହି ପିଣ୍ଡାରେ ବୋଝଟି ଥୋଇ ଦେଇ, ନଥ୍‌ କରି ବସି ପଡ଼ିଲା । +କିଛିକ୍ଷଣି ପରେ ସେ ଘରୁ ଗୋଟିଏ ଦାସୀ ବାହାରି ଆସିଲା । +ଦାସୀ ବୁଢ଼ାକୁ ଚିହ୍ନେ । +ପଚାରିଲା, କିହୋ ଶଙ୍ଖାରି ପୁଅ, ଶଙ୍ଖା ଆଣିଛ କି ? ବୁଢ଼ା ଉତ୍ତର କଲା, ହଁ । +ପୁଣି କହିଲା, ଝିଅ ଟୋପାଏ ପାଣି ଦିଅନ୍ତୁ, ବୁଢ଼ାମଣିଷ, ଖରାରେ ତଣ୍ଟି ଶୁଖି ଗଲାଣି । +ଦାସୀ ପାଣି ଆଣିବାକୁ ଚାଲିଗଲା । +କିଛିକ୍ଷଣ ପରେ ଲୋଟାଏ ପାଣି ଘେନି ଦାସୀ ଫେରି ଆସି ବୁଢ଼ା ପାଖରେ ଥୋଇଦେଲା । +ବୁଢ଼ା ଉପରକୁ ଆଁ କରିଦେଇ ଢକ ଢକ କରି ଅଧଲୋଟାଏ ପାଣି ଟେକିଦେଲା । +ପାଣି ପିଇ ସାରି ବୁଢ଼ା ଚଉରସ ନିଶ୍ବାସଟିଏ ମୁହଁ ବାଟେ ପକାଇ କହିଲା, ‘ଝିଅ, ତୋର ବଡ଼ ଧରମ ହେଲା ।’ +ଦାସୀ କହିଲା, ‘ହଉ ହେଲା ତ ହେଲା ପଛକେ, ଚାଲ ବହୁ ସାଆନ୍ତାଣୀ ଡାକୁଛନ୍ତି, କିମିତିକା ଶଙ୍ଖା ଅଛି ଦେଖିବେ ।’ + ବୁଢ଼ା ଟୋକେଇଟି ନେଇ ଉଠିଲା । +ସଦର ଦରଜା ପାରି ହେଲେ ଭିତରେ ପକ୍କା ବାହାର, ସାମନାରେ ଚଉପାଢ଼ି, ବାଆଁ ପାଖକୁ ଭିତର ଆଡ଼ ଦୁଆର । +ସେ ଦୁଆର ପାଖରେ ଓଢ଼ଣା ଦେଇ ବୋହୂଟିଏ ଛିଡ଼ା ହୋଇଥିଲା । +ବୁଢ଼ା ଯାଇ ଟୋକେଇଟି ଥୋଇ ଛିଡ଼ା ହେଲା । +ବୋହୂଟି ଧୀରେଧୀରେ ଦାସୀକି କହିଲା, ‘କି ଶଙ୍ଖା ଅଛି ପଚାର ମ ।’ +ଦାସୀ ଟିକିଏ ମୁଖରା । +ସେ କହିଲା, ‘ଛି ମ, ବୁଢ଼ା ମଣିଷଟାକୁ ଏତେ ଲାଜ । +ନିଜେ ଟୋକେଇରୁ ଆସି ଦେଖୁନାହଁ ? କଥାଟା ମନକୁ ଆସିଲା । +ବୋହୂଟି ଓଢ଼ଣା ଅଧେ ଟେକି ଦେଇ ମୁରୁକି ମୁରୁକି ହସି ହସିକା ବାହାରି ଆସି ଟୋକେଇ ପାଖରେ ଛିଡ଼ା ହେଲା । +ବୋହୂଟିର ମୁହଁ ଦିଶିଗଲା । +ମୁହଁଟି ଚକି କାଟି ଦେଲା ପରି ଗୋଲ୍‌ ଆଉ ଚମ୍ପାଫୁଲ ପରି ଗୋରା । +ଚାରି ଆଙ୍ଗୁଳି ଓସାର, ନାଲି ତହିଁରେ ମୟୂରକଣ୍ଠିଆ କସ୍ତା ଖଣ୍ଡିକ ଗୋଇଠି ଯାଏ ଲମ୍ବିଛି । +ତା’ ଭିତରେ ଦେଇ ବୋହୂଟିର କଞ୍ଚାସୁନା ପରି ଗୋରା, ଗୋଟିଏ ଚାଉଳରେ ଗଢ଼ା, ଦେହଟି ଫୁଟି ଦିଶୁଛି । +ବୁଢ଼ାର ଆଖି ପୂରି ଉଠିଲା । +ଏତେ ସୁନ୍ଦର, ଏଡ଼େ ନିଜର ବୋହୂଟିଏ ସେ କେବେ ଦେଖିନାହିଁ । +ବୁଢ଼ା ଆଉ ଆଖି ଫେରାଇ ପାରିଲା ନାହିଁ । +ଏକା ଧ୍ୟାନରେ ତାକୁ ଚାହିଁ ରହିଲା । +ବୁଢ଼ାର ଇଚ୍ଛା କ’ଣ କହିବ ବୋଲି, କିନ୍ତୁ ପାଟିରୁ କଥା ଫୁଟିଲା ନାହିଁ । +କେତେବେଳେକେ ବୁଢ଼ା ମୁହଁ ଫିଟାଇ କହିଲା, ‘ମା କି ଶଙ୍ଖା ନବୁ ନେ ।’ + ମା’ ବୋଲି ଡାକି ଦେଲାକ୍ଷଣି ବୁଢ଼ାର ଛାତି କୁଣ୍ଢେ ମୋଟ ହୋଇଗଲା । +ବୋହୂଟି ନାଜ ଛାଡ଼ି ଦେଇ କହିଲା, ‘ଅସ୍‌ମାନ୍‌ତାରା ଶଙ୍ଖା ଅଛି ?’ ଓଃ ଏଡ଼େ ମିଠାକଥା । +ଏପରି କଥା ତ କେହି କହେ ନାହିଁ । +ବୁଢ଼ାର କାନରେ ସେ ସ୍ବରଟା ଥରକୁ ଥର ବାଜିବାକୁ ଲାଗିଲା । +ବୁଢ଼ା କହିଲା, ‘ନା, ମା, ରଙ୍ଗଝଲିରି, ବଉଳଫୁଲିଆ, ବିଛାମାଳିଆ, ଚୁନଟିପି ଏହିସବୁ ଅଛି । +ଏହିଥିରୁ ଯାହା ନବୁ ମା, ମୁଁ ଆସ୍‌ମାନ୍‌ତାରା ତିଆରି ହେଲେ ଆଣିଦେବି ।’ +ବୋହୂଟି ଦେଖି ଦେଖି ମୁଠାଏ ଶଙ୍ଖା ପସନ୍ଦ କଲା । +ତେବେ ସେ ମୁଠାକ ହାତକୁ ହେବ କି ନାହିଁ କିଏ କହିବ ? ଏହି ସମୟରେ ‘ବୁଢ଼ା କହିଲା, ଦେ ମା, ହାତ ଦେ, ମୁଁ ଶଙ୍ଖା କଛି ଦିଏ ।’ +ବୋହୂଟି ହଠାତ୍‌ ହାତ ବଢ଼ାଇ ଦେଉଛି ବା କିପରି ? ଟିକିଏ ଇତସ୍ତତଃ କଲା । +ବୁଢ଼ା କହିଲା, ‘ମା’, ମୋତେ ନାଜ କରୁଛୁ ? ମୁଁ ପରା ତୋ ପୁଅ । + ପୁଅକୁ ମା’ ନାଜ କରେ ନା ?” +ଦାସୀ ଏହି ସମୟରେ ଠୋ ଠୋ କରି ହସି ଦେଇ କହିଲା, ‘ବୋହୂ ସାଆନ୍ତାଣୀଏ ଆଛା ବୁଢ଼ା ପୁଅଟିଏ ପାଇଲ ଏକା, କପାଳ ତ !’ ବୋହୂଟି ପୁଣି ହସି ଦେଇ କହିଲା, ‘ଦୂର୍‌ ।’ +ବୋହୂଟି ହାତ ବଢ଼ାଇଦେଲା । +କେଡ଼େ ଟିକିଏ ଟିକି ହାତଟି । +କେଡ଼େ ସୁନ୍ଦର ଗୋଲ । +ଆଙ୍ଗୁଳିଗୁଡ଼ିକ ଚମ୍ପାକଢ଼ି ପରି । +ପାପୁଲିଟି ଟୁଳ୍‌ ଟୁଳ୍‌ ହେଉଛି । +ଶଙ୍ଖାଗୁଡ଼ିକ କି ସୁନ୍ଦର ଦିଶୁଛି । +ଏ କ’ଣ ମଣିଷର ହାତ ? ନା, କେହି କାରିଗର ଠାକୁର ଗଢ଼ିଛି ? ସେ ହାତକୁ ବୁଢ଼ା ତା’ର ମଳିଆ, ରୁକ୍ଷ ହାତରେ ଧରିବାକୁ ସାହସ କଲା ନାହିଁ । +ତା’ପରେ ବାଁ ହାତରେ ଥିରକରି ହାତଟି ଧରି ପରେ ଶଙ୍ଖା କିଛି କାଢ଼ିଲା । +ଏ ହାତ, ଶଙ୍ଖାରେ କାଳେ କଟିଯିବ, ରକତ ବାହାରି ପଡ଼ିବ ଯେ ! ପୁଣି ଟିକିଏ ରହିଲା । +ପୁଣି ଶଙ୍ଖାପଟିଏ ଆଣି ଧୀରେ ଧୀରେ ଅତି ସନ୍ତର୍ପଣରେ, ଅତି ସାବଧାନତାର ସହିତ ସେ ପଟକ କଛି ନେଲା । +ସେ ହାତଟି ଧରିଥିବା ବେଳେ ବୁଢ଼ାର ଆନନ୍ଦର ସୀମା ରହୁ ନଥାଏ । +ଯେପରି ତା’ର ଜୀବନର ସମସ୍ତ ସୁଖ, ସମସ୍ତ ଆଶାର ସେହିଠାରେ ତୃପ୍ତି । +ସେ ହାତକୁ ପୁଣି ଛାଡ଼ି ଦେବାକୁ ହେଲା । + ବୁଢ଼ା ଭାବିଲା, ମୁଁ ପ୍ରତିଦିନ ଏହିପରି ଏ ହାତରେ ଶଙ୍ଖା ପିନ୍ଧାନ୍ତି କି ! +ଏହି ସମୟରେ ସେ ଘରର ସାଆନ୍ତାଣୀ ସେଠାରେ ଆସି ପହଞ୍ଚିଲେ । +ଶାଶୁଙ୍କୁ ଦେଖି ବୋହୂଟି ଓଢ଼ଣା ଟାଣିଦେଇ ପଳାଇଲା । +ଶାଶୁ ଦାସୀକୁ ପଚାରିଲେ, ‘‘କି’ ଲୋ, ଶଙ୍ଖା କିଣୁଥିଲୁ କି ?” ଦାସୀ କହିଲା, ‘ହଁ, ବୋହୁ ସାଆନ୍ତାଣୀ ଏହି ମୁଠାକ ନେବେ ବୋଲି କହୁଛନ୍ତି ।’ +ଶାଶୁ କହିଲେ, ‘ଦାମ୍‌ କେତେ ?’ +ବୁଢ଼ା-ଶଙ୍ଖାମୁଠାକ, କି ଦାମ୍‌ ? +ଶାଶୁ-ଫେର୍‌, କେତେ ଦେବି ? +ବୁଢ଼ା-ମା’ଠଉଁ ମୁଁ କ’ଣ ଦାମ୍‌ ନେବି ? +ଦାସୀ ହସି ହସି କହିଲା, ‘ସେଇ ପିଲାଟି ବୋହୂ ସାଆନ୍ତିଣୀଙ୍କ ପୁଅ ହୋଇଛି ।’ +ଶାଶୁ ବି ହସିଲେ । +ଆଛା, ଏଥର ଦାମ୍‌ ନେଇଥାଅ, ଆଉ ଥରକୁ ପଛେ ଖାଲି ଦେଇଯିବ । +ତମେ ଗରିବ ଲୋକ । +ବୁଢ଼ା- ନା’, ନା, ମୋ ମା’କୁ ମୁଁ ତ ଦେଇଛି; ମୁଁ ଆଉ ଦାମ୍‌ ନେବିନାହିଁ । +ଶଙ୍ଖାମୁଠାକ ଲାଗି ମୁଁ ଗରିବ ହୋଇଯିବି ନାହିଁ ।’ +ଏହା କହି ଶଙ୍ଖାରି ଶଙ୍ଖାମୁଠାକ ରଖି ଦେଇ ବୋଝଟି ଧରି ଏକାବେଳକେ ଚାଲିଗଲା ! ଆଉ ଡାକିଲେ ଶୁଣିଲା ନାହିଁ । +ଦାସୀ ପଛରେ ଗୋଡ଼େଇ ଗୋଡ଼େଇ ଗଲା; କିନ୍ତୁ ସେ ଆଉ ଫେରି ଚାହିଁଲା ନାହିଁ । +ସେହି ଦିନଠଉଁ ସେ ବୁଢ଼ା ଶଙ୍ଖାରି ଦୁଇଦିନେ ତିନିଦିନେ ସେ ଗାଁକୁ ଆସେ । +ଶଙ୍ଖାଟା କ’ଣ ଗୋଟାଏ ନିତିଦିନିଆ ଦରବ ଯେ ଲୋକେ ରୋଜ କିଣିବେ ! ଅକାଳେ ସକାଳେ, ପୂନେଇ ପରବରେ ସିନା କିଏ ନୂଆ ଶଙ୍ଖା ଖୋଜେ । +ବୁଢ଼ାଟା ଖାଲି ଘର ଘର ବୁଲି ଫେରିଯାଏ; କିନ୍ତୁ ଶଙ୍ଖା ବିକ୍ରୀ ତ ବୁଢ଼ାର ଉଦ୍ଦେଶ୍ୟ ନୁହେଁ । +ସିଏ ଆସେ ତା’ର ସେହି ନିଜ ମା’ଟି କୁ ଦେଖିବା ପାଇଁ । +ଯେଉଁ ଦିନ ଆସେ, କାହାରିକୁ ନ କହି ଦୁଆରଯାକେ ଚାଲିଆସେ । +ବୋଝ ରଖିବାକୁ ହୁଏ ନାହିଁ । +ଖାଲି ପାଟିକରି ଡାକିଦିଏ, ‘‘ନୂଆ ଶଙ୍ଖା ନବ ?” ତା’ପାଟି ଶୁଣିଲାକ୍ଷଣି ବୋହୂଟି କୁଆଡ଼େ ଥାଏ, ଆସି ଦୁଆର ପାଖରେ ଟିକିଏ ଛିଡ଼ା ହୁଏ । +ବୁଢ଼ାଟି ଟିକିଏ ଅନାଏ, ଚାହିଁଦେଲାକ୍ଷଣି ବୁଢ଼ାର ମନ ପୂରିଉଠେ । +ପଚାରେ, ‘‘ମା’ ଆଉ ଶଙ୍ଖା ନବୁ ?” ବୁଢ଼ାର ଇଛା କାଳେ ନବାକୁ କହିବ, ତାହେଲେ ତା’ ମା’ର ଚମ୍ଫାଫୁଲିଆ ସୁନ୍ଦର ହାତଟିରେ ସେ ଶଙ୍ଖା କିଛି ଦେବ । +କିନ୍ତୁ ବୋହୂଟି ମୁଣ୍ଡ ହଲାଇ ଦିଏ । +ବୁଢ଼ା ଫେରି ଚାଲିଯାଏ । +ଦିନେ ଦିନେ ଯଦି ବୋହୂଟିର ଆସିବାକୁ ଡେରିହୁଏ, ସେ ଦାସୀଟି ହୁରି କରିଦିଏ, “ବୋହୂ ସାଆନ୍ତାଣୀଏ, ତମ ପୁଅ ଅଇଲାଣି ।’’ +ବୁଢ଼ା ଦୁଇଥର ‘ନୂଆ ଶଙ୍ଖା ନେବ’ ବୋଲି ଡାକିଲାରୁ ତା’ ମା’ଟି ଆସି ଛିଡ଼ା ହୁଏ । +ବୁଢ଼ା ଯେଉଁ ଦିନ ଆସେ, ପ୍ରାୟ ଏହି କଥା ଏହି ଅଭିନୟ ନିତିନିତି । +ବୁଢ଼ା ଫେରିଲାବେଳକୁ ଭାବେ, ମା’ର ଆସ୍‌ମାନ୍‌ତାରା ଶଙ୍ଖା ଉପରକୁ ମନ, କେବେ ସେଥିରୁ ମୁଠାଏ ଆଣିଦେବି । +ଶେଷରେ ଠିକ୍‌ କଲା ଆସନ୍ତା ରଜସଙ୍କ୍ରାନ୍ତି ବେଳକୁ ଯୁଆଡ଼ୁ ହେଲେ ମା’ ଲାଗି ଆସ୍‌ମାନ୍‌ତାରା ମୁଠାଏ ଆଣିବି, ମା’ ନୂଆ ଶଙ୍ଖା ନାଇବ । +ମୋତେ ହାତ ଦେଖାଇବ । +ମୁଁ ଶଙ୍ଖା କିଛି ଦେବି । +ଏହା ଭାବିଲାକ୍ଷଣି ବୁଢ଼ାର ମନ ଭାରି ଉତ୍‌ଫୁଲ୍ଲ ହୋଇଯାଏ । +ବୁଢ଼ା ରଜସଙ୍କ୍ରାନ୍ତିକୁ ଚାହିଁ ରହିଥାଏ । +ରଜସଙ୍କ୍ରାନ୍ତିଟି ଏଥର ତା’ର ଭାରି ଆନନ୍ଦର ଦିନ, ତା’ ମା’ ଲାଗି ସେ ଆସ୍‌ମାନ୍‌ତାରା ଶଙ୍ଖା ଆଣିବ, ମା’ କେଡ଼େ ଖୁସି ହେବ । +ବୈଶାଖ ମାସ ହେଲା । +ବୁଢ଼ା ଲୋକ, ଏଥିରେ ଖରାରେ ରୋଜ ବାଟଚଲା, ପାଣି ପିଆ, ଦେହରେ ସହିଲା ନାହିଁ । +ବୁଢ଼ାକୁ ଜ୍ବର ହେଲା । +ଦେଖୁଁ ଦେଖୁଁ ଭାରି ଜ୍ବର । +ଗୋଡ଼ ହାତ ଫୁଲିଗଲା । +ସମସ୍ତେ କହିଲେ, ଆଉ ବଞ୍ଚିବ ନାହିଁ । +ବୁଢ଼ାର କିନ୍ତୁ ସେ ଦିଗକୁ ଭାବନା ନାହିଁ । +ସେ ସବୁବେଳେ ଭାବି ହେଉଥାଏ ଯେ କେଉଁ ଦିନୁ ସେ ମା’କୁ ଦେଖିବାକୁ ଯାଇନାହିଁ । +ସେଥିପାଇଁ ମନଟା ଆଉଟି ପାଉଟି ହେଉଥାଏ । +ଦେଖୁ ଦେଖୁ ରଜସଙ୍କ୍ରାନ୍ତି ଆସି ପାଖ ହୋଇଗଲା । +ବୁଢ଼ା ଦୁଇମାସ ହେଲା ମା’କୁ ଦେଖିବାକୁ ଯାଇନାହିଁ । +ଚାଲି ପାରୁଥିଲେ ଯିମିତି ହେଲେ ଦେଖି ଆସୁଥାଆନ୍ତି । +କିନ୍ତୁ ରଜକୁ ତ ଆସ୍‌ମାନ୍‌ତାରା ଶଙ୍ଖା ମୁଠାଏ ନିଶ୍ଚୟ ଦେବାକୁ ହେବ । +ବୁଢ଼ା ଅନେକ କଷ୍ଟରେ ଉଠି ବସି ନିଜ ହାତରେ ଶଙ୍ଖା ତିଆରି କଲା । +ଆଉକେହି କରିଦେଲେ କାଳେ ମା’ ମନକୁ ନଆସିବ । +ଷାଠିଏ ବର୍ଷ କାଳ ଶଙ୍ଖା ଗଢ଼ି ଗଢ଼ି ସେ ଯେତେ ହାତ ସଫେଇ ହାସଲ କରିଥିଲା, ସବୁ ସେଥିରେ ଲଗାଇଲା । +ଦିନର କାମ ଚାରିଦିନ ଲାଗୁ ପଛକେ, କାମଟି କିମିତି ସରସ ହେଉ । +ରଜ ଦୁଇଦିନ ଥାଇ କାମ ନିକାଶ ହେଲା । +ମନ ଘେନି ଫଳ । +ଏପରି ଗଢ଼ଣରେ ଶଙ୍ଖା ତା’ ଜୀବନରେ ତା’ ହାତରେ କେବେ ଉତୁରି ନାହିଁ । +ଶଙ୍ଖା ଦେଖି ବୁଢ଼ାର ମନ ଭାରି ଖୁସି । +ତା’ ମା’ ହାତକୁ ଏ ଶଙ୍ଖାମୁଠିକ ଖୁବ୍‌ ମାନିବ । +ରଜ ଆଗଦିନ ପହିଲି ରଜ । +ଆଜି ଝିଅବୋହୂ ନୂଆ ଶାଢ଼ୀ ପିନ୍ଧନ୍ତି । +ରାତିସାରା ବୁଢ଼ାର ନିଦ ନାହିଁ । +ସକାଳୁ ଉଠି ବୁଢ଼ା ଭାବିଲା, ମୁଁ ତ ଚାଲିପାରୁନାହିଁ, କ’ଣ କରିବି ? ଆଉ କିଏ ନେଇଗଲେ ତ ହେବନାହିଁ । +ମା’କୁ ଢେର ଦିନୁ ଦେଖିନାହିଁ, ସତେ କ’ଣ ଏଥିରୁ ବଞ୍ଚିବି ଯେ, – ଥରେ ଦେଖିଆସେ । +ଆଉ ମା’ର ସେହି ହାତରେ ଶଙ୍ଖା କଛି ଦେବି । +ମା’ର ହାତଟି ମନେ ପଡ଼ିଗଲାକ୍ଷଣି ବୁଢ଼ାର ଗଦାଏ ବଳ ଆସିଲା । +ବୁଢ଼ା ସଅଳ ସଅଳ ମୁଠାଏ ଖାଇ ଦେଇ, ଶଙ୍ଖାମୁଠିକ ଗାମୁଛାରେ ବାନ୍ଧି ବାହାରିଲା । +ଅତି କଷ୍ଟରେ ଭଡ଼ାଏ ଭଡ଼ାଏ ପାଦ ପକାଇ ଚାଲିଥାଏ । +ପାଞ୍ଚକୋଷ ବାଟ ପହୁଞ୍ଚିଲାବେଳକୁ ବେଳ ଗଡ଼ି ଗଲାଣି । +ବୁଢ଼ା ଯାଇ ଯେଉଁଠାରେ ଛିଡ଼ା ହୋଇ ଡାକୁଥିଲା, ସେହିଠାରେ ଛିଡ଼ା ହେଲା । +ମନରେ କେତେ ଆନନ୍ଦ, କେତେ ଉତ୍ସାହ । +ଡାକିଲା, ‘ଶଙ୍ଖା ନେବ’ ? କେହି ଶୁଣିଲେ ନାହିଁ । +ପୁଣି ଡାକିଲା, ‘ମା’ ଲୋ ! ଶଙ୍ଖା ନବୁ ପରା ? ତେବେ ବି କେହି ଆସିଲେ ନାହିଁ । +ବୁଢ଼ା ଅଧୀର ହୋଇପଡ଼ିଲା । +ଦୁଇଥର ଡାକି ସାରିଲାଣି, କେହି ଜବାବ ପଦେ ଦେଉନାହିଁ । +ଥରେ ଡାକିଲେ ତ ମା’ ତାର ଆସି ଦୁଆରବନ୍ଧ ପାଖରେ ଛିଡ଼ା ହୋଇଯାଉଥିଲା । +ପୁଣି ଡାକିଲା, ‘‘ମା’ ମୁଁ ଆସିଛି । +ଶଙ୍ଖା ଆଣିଛି ତୋ ପାଇଁ । +ଏଇଥର ସାଆନ୍ତାଣୀ ନିଜେ ବାହାରି ଆସିଲେ, ତାଙ୍କ ପଛେ ପଛେ ସେହି ଦାସୀ । +ସାଆନ୍ତାଣୀଙ୍କୁ ଦେଖି ବୁଢ଼ା କହିଲା, ମୋ ମା’ କାହିଁ ? ମୁଁ ତା’ ପାଇଁ ଆସ୍‌ମାନ୍‌ତାରା ଶଙ୍ଖା ଆଣିଛି ରଜରେ ପିନ୍ଧିବ ।” +ଦାସୀ ତ ଏତେବେଳକୁ ହୁରି କମ୍ପାଇ ଦିଅନ୍ତାଣି, ସେ କିଛି କହିଲା ନାହିଁ । +ସାଆନ୍ତାଣୀ ଧୀରେ ଧୀରେ କହିଲେ, “ନା, ଶଙ୍ଖା ଲୋଡ଼ାନାହିଁ ।” +ବୁଢ଼ା କହିଲା, “ନା, ନା, ମୁଁ ମୋ ମା’ ଲାଗି ବଡ଼ ଶରଧାରେ ଆଣିଛି ।” +ସାଆନ୍ତାଣୀ- ଯା, ଶଙ୍ଖା କେହି ନେବେ ନାହିଁ । +ବୁଢ଼ା- ହଉ, ଶଙ୍ଖା ନନେଲେ ନାହିଁ, ମୋ ମା’କୁ ଥରେ ଡାକିଦିଅ, ମୁଁ ଦେଖିବି । +କେଉଁ ଦିନରୁ ଦେଖିନାହିଁ । +ସାଆନ୍ତାଣୀ – ଦେଖା ହୋଇପାରିବ ନାହିଁ । +ବୁଢ଼ା ମୁଣ୍ଡରେ ବଜ୍ର ପଡ଼ିଲା- ‘ଦେଖା ହୋଇ ପାରିବ ନାହିଁ । +ମୋ ମା’କୁ ମୁଁ ଥରେ ଦେଖି ପାରିବି ନାହିଁ ? ବୁଢ଼ାର ଆଖି ଛଳଛଳ ହୋଇ ଉଠିଲା ।’ +ସେ କାନ୍ଦ କାନ୍ଦ ହୋଇ କହିଲା, ‘ଥରଟିଏ ଦେଖିବି, ମୁଁ ଆଉ ବଞ୍ଚିବି ନାହିଁ ।’ +ସାଆନ୍ତାଣୀ ଦାସୀକୁ କହିଲେ, ‘ଯା, ବୋହୂକୁ ଡାକି ଦେ ।’ +ଦାସୀ ଚାଲିଗଲା । +କିଛିକ୍ଷଣ ପରେ ବୋହୁ ଆସି ଦୁଆର ପାଖେ ଛିଡ଼ା ହେଲା । +ସେଇଠି ସେ ସବୁଦିନେ ଛିଡ଼ା ହୁଏ । +ଆସିଲା ବେଳକୁ ଝୁମୁରୁଝୁମୁରୁ ହୋଇ ଚାଲିଆସେ । +ଛିଡ଼ା ହୋଇ ବୁଢ଼ାକୁ ଚାହିଁଦିଏ । +ତା’ର ହସହସ ମୁହଁଟି ଦେଖି ବୁଢ଼ାର ଆନନ୍ଦର ସୀମା ରହେନାହିଁ । +ଆଜି ନିଃଶବ୍ଦରେ ଆସି ଛିଡ଼ା ହେଲା । +ସେ ଚାରିଅଙ୍ଗୁଳି ଲେଖାଏଁ ନାଲି ଶାଢ଼ି ନାହିଁ କି କୁମ୍ଭ କିନାରୀ ଦକ୍ଷିଣୀ ପାଟ ନାହିଁ । +ଗୋଡ଼ ଦୁଇଟା ଲଙ୍ଗଳା, ପିନ୍ଧିଛି ଖଣ୍ଡେ ଧଳା ଥାନ ଲୁଗା । +ବୁଢ଼ାର ଦେହ ଥରି ଉଠିଲା, ମୁଣ୍ଡ ଘୁରିଗଲା । +ବୁଢ଼ା ଆଖି ବୁଜି ପକାଇଲା । +ପୁଣି ଚାହିଁ ଦେଲାବେଳକୁ ତା’ର ସେହି ହାତଟି ଦିଶିଲା, ହାତରେ କିଛି ନାହିଁ । +ବୁଢ଼ା ଭୋ ଭୋ କରି ରଡ଼ିକରି ଉଠିଲା । +ବୋହୂଟି ଫେରି ପଡ଼ି ଚାଲିଗଲା । +ବୁଢ଼ା କହିଲା, ମା’ ମା’ । +ବୁଢ଼ା ଆଉ କହିପାରିଲା ନାହିଁ । +ଗାମୁଛାରୁ ତା’ର ବଡ଼ ଯତ୍ନର ବଡ଼ ଶରଧାର ଶଙ୍ଖା ମୁଠିକ ଫିଟାଇ ପକାଇ ବାହାରେ କଚାଡ଼ି ଦେଲା । +ଶଙ୍ଖାମୁଠାକ ଯାକ ଚୁନା ହୋଇଗଲା । +ତହୁଁ ସେ ଏକାମୁହାଁ ହୋଇ ଫେରିଚାଲିଗଲା । +ଦାସୀ ଓ ଶାଶୁ ରଡ଼ି କରି ଉଠିଲେ ।