diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia155.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia155.txt new file mode 100644 index 0000000000000000000000000000000000000000..1890862afe4ea7515827ec3ab18f89c9609563d5 --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia155.txt @@ -0,0 +1,156 @@ +ତରଳ ଝାଡା +ଉପକ୍ରମ +ତରଳ ଝାଡା ଯୋଗୁଁ ଜଳଶୂନ୍ୟତା ଏବଂ ମନ୍ଦପୁଷ୍ଟି ହେବା ଫଳରେ ପ୍ରତି ବର୍ଷ ପ୍ରାୟ ଏକ ନିୟୁତ ଶିଶୁ ମରୁଛନ୍ତି । +ବଡଙ୍କ ଅପେକ୍ଷା ଶିଶୁମାନେ ବେଶୀ ମରନ୍ତି , କାରଣ ସେମାନଙ୍କ ଦେହ ଜଳଶୂନ୍ୟ ହୋଇଯାଏ । +କେବଳ ତରଳ ଝାଡାରୁ ହେଉଥିବା ଜଳଶୂନ୍ୟତା ଯୋଗୁଁ ଦୁଇଶହ ଶିଶୁଙ୍କ ଭିତରୁ ଜଣକର ମୃତ୍ୟୁ ହୋଇଥାଏ । +ତରଳ ଝାଡା ଜୀବାଣୁ ଦ୍ଵାରା ହୋଇଥାଏ ଓ ଏହି ଜୀବାଣୁ ମଳ ବାଟ ଦେଇ ଆସିଥାଏ । +ମୁଖ୍ୟତଃ ଏଠି ସେଠି ଖୋଳାରେ ଝାଡା ଫେରିବା , ଅସ୍ଵାସ୍ଥ୍ୟକର ଅଭ୍ୟାସ , ପରିଷ୍କାର ପିଇବା ପାଣିର ଅଭାବ ଏବଂ ଶିଶୁକୁ ମା’କ୍ଷୀର ଦିଆଯାଉ ନଥିଲେ ତରଳ ଝାଡା ହୋଇଥାଏ । +ମା’କ୍ଷୀର ଖାଉଥିବା ଶିଶୁକୁ ପ୍ରାୟ ତରଳ ଝାଡା ହୁଏନାହିଁ । +ଯଦି ସରକାର ଓ ବେସରକାରୀ ସଂସ୍ଥାଙ୍କ ସହ ପରିବାର ଏବଂ ଗୋଷ୍ଠୀ ଏକାଠି ମିଶି କାମ କରିବେ ତେବେ ଅବସ୍ଥାକୁ ଅନେକ ପରିମାଣରେ ସୁଧାରି ପାରିବେ । +ଯାହା ଜାଣିବା ହେଉଛି ପ୍ରତ୍ୟକ ପରିବାର ଓ ଗୋଷ୍ଠୀର ଅଧିକାର +୧. ଦେହର ଜଳୀୟ ଅଂଶ ଚାଲିଯିବା ବା ଜଳଶୂନ୍ୟତା ଯୋଗୁଁ ତରଳ ଝାଡାରେ ଶିଶୁର ମୃତ୍ୟୁ ହୁଏ । +ତେଣୁ ତରଳ ଝାଡା ଆରମ୍ଭ ହେବା ମାତ୍ରେ ଶିଶୁକୁ ଅଧିକ ପରିମାଣର ପାଣି ଏବଂ ନିୟମିତ ଖାଦ୍ୟ ଓ ପାନୀୟ ଦିଆଯିବା ଉଚିତ । +୨. ଯଦି ଘଣ୍ଟାକ ଭିତରେ ଅନେକ ଥର ତରଳ ଝାଡା ହୁଏ କିମ୍ବା ଝାଡାରେ ରକ୍ତ ପଡେ ତେବେ ଶିଶୁର ଜୀବନ ପ୍ରତି ବିପଦ ଆସିଥାଏ । +ସାଙ୍ଗେ ସାଙ୍ଗେ ଜଣେ ପ୍ରଶିକ୍ଷିତ ସ୍ଵାସ୍ଥ୍ୟକର୍ମୀଙ୍କ ସହାୟତା ନେବା ଦରକାର । +୩. ମା’କ୍ଷୀର ଦେଲେ ତରଳ ଝାଡା ହେବା ଏବଂ ତା’ର ତୀବ୍ରତା ଅନେକ ପରିମାଣରେ କମି ଯାଇପାରେ । +୪. ତରଳ ଝାଡା ଫେରୁଥିବା ଶିଶୁ ତା’ର ସାଧାରଣ ଖାଦ୍ୟ ଖାଇବା ଜରୁରୀ । +ତରଳ ଝାଡାର ଚିକିତ୍ସା ସମୟରେ ଦୁଇ ସପ୍ତାହ ଯାଏଁ ଶିଶୁକୁ ଦିନକୁ ଅନ୍ତତଃ ଗୋଟିଏ ଥର ଅଧିକା ଖାଦ୍ୟ ଦେବା ଆବଶ୍ୟକ । +୫. ତରଳ ଝାଡା ଯୋଗୁଁ ଶିଶୁ ଦେହରେ ଜଳଶୂନ୍ୟତା ଦେଖାଦିଏ ତେବେ କେବଳ ପ୍ରଶିକ୍ଷିତ ସ୍ଵାସ୍ଥ୍ୟକର୍ମୀଙ୍କ ପରାମର୍ଶ ଅନୁସାରେ ତରଳ ପାନୀୟ ଏବଂ ଔଷଧ ଦିଆଯିବା ଦରକାର । +ତରଳା ଝାଡାର ଅନ୍ୟ ଔଷଧଗୁଡିକ ସାଧାରଣତଃ କାମ କରେନାହିଁ ଏବଂ ତାହା ଶିଶୁ ପାଇଁ କ୍ଷତିକାରକ ମଧ୍ୟ ହୋଇପାରେ । +୬. ତରଳ ଝାଡା ପ୍ରତିରୋଧ ପାଇଁ ପାଇଖାନା ବ୍ୟବହାର କରିବା କିମ୍ବା ମଳକୁ ପୋତିଦେବା ଦରକାର । +୭. ସ୍ଵାସ୍ଥ୍ୟକର ଜୀବନ ଧାରଣ ପ୍ରକ୍ରିୟା ତରଳ ଝାଡାରୁ ବଞ୍ଚାଇ ଥାଏ । +ଝାଡା ଫେରିବା ପରେ ଓ ଖାଦ୍ୟ ଖାଇବା ବା ଛୁଆକୁ ଖୁଆଇବା ଆଗରୁ ହାତକୁ ସାବୁନ , ପାଉଁଶ ଆଦିରେ ଭଲ କରି ଧୋଇବା ଜରୁରୀ । +୧. ଦେହର ଜଳୀୟ ଅଂଶ ଚାଲିଯିବା ବା ଜଳଶୂନ୍ୟତା ହେବା ଯୋଗୁଁ ତରଳ ଝାଡାରେ ଶିଶୁର ମୃତ୍ୟୁ ହୁଏ । +ତେଣୁ ତରଳ ଝାଡା ଆରମ୍ଭ ହେବା ମାତ୍ରେ ଶିଶୁକୁ ଅଧିକ ପରିମାଣର ପାଣି ଏବଂ ନିୟମିତ ଖାଦ୍ୟ ଓ ପାନୀୟ ଦିଆଯିବା ଉଚିତ । +ଯଦି ଜଣେ ଶିଶୁର ଦିନକୁ ତିନି ବା ତା’ଠାରୁ ଅଧିକ ଥର ପାଣିଆ ଝାଡା ହୁଏ ତେବେ ଆମେ ଜାଣିବା ଯେ ତାକୁ ତରଳ ଝାଡା ହୋଇଛି । +କେତେକ ଲୋକ ବିଶ୍ଵାସ କରନ୍ତି ଯେ ତରଳ ଝାଡା ସମୟରେ ପାଣି ପିଇଲେ ଅଧିକ କ୍ଷତି ହୁଏ । +କିନ୍ତୁ ଏହା ଠିକ୍ ନୁହେଁ । +ଝାଡା ବନ୍ଦ ହେବା ଯାଏଁ ପିଲାକୁ ଯେତେ ଥର ସମ୍ଭବ ତରଳ ପାନୀୟ ଦେବା ଦରକାର । +ଯଥେଷ୍ଟ ପାଣି ପିଇବା ଯୋଗୁଁ ତରଳ ଝାଡା ସମୟରେ ଦେହରୁ ଚାଲି ଯାଇଥିବା ଜଳୀୟ ଅଂଶ ପୁଣି ଥରେ ଭରଣା ହୋଇଯାଏ । +ତରଳ ଝାଡା ସମୟରେ ଶିଶୁକୁ ଦେବା ପାଇଁ ପାନୀୟ +ମା’କ୍ଷୀର (ମା’ ସାଧାରଣ ସମୟ ଅପେକ୍ଷା ଅଧିକ ଥର କ୍ଷୀର ଖୁଆଇବା ଦରକାର) +ଝୋଳ +ତୋରାଣୀ +ଫଳରସ +ଅଳ୍ପ ଚିନି ପକାଇ ହାଲୁକା ଚା +ପଇଡ ପାଣି +ପରିଷ୍କାର ପିଇବା ପାଣି । +ପାଣି ପରିଷ୍କାର ନଥିଲେ ତାକୁ ଫୁଟାଇ , ଛାଣି ପରିଷ୍କାର କରିବା ଜରୁରୀ । +ଠିକ ପରିମାଣର ପାଣିରେ ଆବଶ୍ୟକ ଲବଣ ମିଶା ପାନୀୟ ବା ଓ.ଆର.ଏସ୍. +ଜଳଶୂନ୍ୟତା ନହେବା ପାଇଁ ଶିଶୁ ଯେତେ ଥର ସମ୍ଭବ ମା’କ୍ଷୀର ଖାଇବା ଦରକାର । +ମା’କ୍ଷୀର ଖାଉନଥିବା ଶିଶୁ ପ୍ରତି ଥର ଝାଡା ଯିବା ପରେ ତଳ ଲେଖା ଅନୁସାରେ ପାନୀୟ ପିଇବା ଉଚିତ । +ଦୁଇ ବର୍ଷରୁ କମ୍ ବୟସର ଶିଶୁ : ଗୋଟିଏ ବଡ କପ୍ ର ଏକ ଚତୁର୍ଥାଂଶରୁ ଅଧା ଯାଏଁ +ଦୁଇବର୍ଷ ବା ତା’ଠାରୁ ଅଧିକ ବୟସର ଶିଶୁ : ଗୋଟିଏ ବଡ କପ୍ ର ଅଧାରୁ ପୂରା ଯାଏଁ +ଗୋଟିଏ ପରିଷ୍କାର କପ୍ ରେ ପିଇବାକୁ ଦେବା ଉଚିତ । +ଦୁଧଖିଆ ବୋତଲ ସଫା କରିବା ସହଜ ନୁହେଁ , ତେଣୁ ସେଥିରେ ପିଇବାକୁ ଦେବା ଠିକ ନୁହେଁ । + ଭଲ କରି ଧୁଆ ହୋଇନଥିବା ବୋତଲରୁ ତରଳ ଝାଡାର ଜୀବାଣୁ ଆସିପାରେ +ଶିଶୁର ବାନ୍ତି ହେଉଥିଲେ ଦଶ ମିନିଟ ଅପେକ୍ଷା କରି ତା’ ପରେ ଧୀରେ ଧୀରେ ଅଳ୍ପ ଅଳ୍ପ କରି ପିଇବାକୁ ଦେବା ଦରକାର । +ତରଳ ଝାଡା ବନ୍ଦ ହେବା ଯାଏଁ ଶିଶୁକୁ ଅଧିକ ତରଳ ପାନୀୟ ଦେବା ଜରୁରୀ । +ସାଧାରଣତଃ ତିନି ଚାରି ଦିନ ପରେ ତରଳ ଝାଡା ବନ୍ଦ ହୋଇଯାଏ । +ଯଦି ଏହା ସପ୍ତାହରୁ ଅଧିକ ଦିନ ଧରି ଲାଗିରହେ ତେବେ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ । +୨. ଯଦି ଘଣ୍ଟାକ ଭିତରେ ଅନେକ ଥର ତରଳ ଝାଡା ହୁଏ କିମ୍ବା ଝାଡାରେ ରକ୍ତ ପଡେ ତେବେ ଶିଶୁର ଜୀବନ ପ୍ରତି ବିପଦ ଆସିଥାଏ । +ସାଙ୍ଗେ ସାଙ୍ଗେ ଜଣେ ପ୍ରଶିକ୍ଷିତ ସ୍ୱାସ୍ଥ୍ୟକର୍ମୀଙ୍କ ସହାୟତା ନେବା ଦରକାର । +ଯଦି ଶିଶୁର ତଲଲିଖିତ ଲକ୍ଷଣମାନ ଦେଖାଯାଏ ତେବେ ତାକୁ ସାଙ୍ଗେ ସାଙ୍ଗେ ଡାକ୍ତର ଦେଖାଇବା ଦରକାର । +ଘଣ୍ଟାଏ ଦୁଇଘଣ୍ଟା ଭିତରେ ଅନେକ ଥର ତରଳ ଝାଡା ହେଉଥାଏ +ଝାଡାରେ ରକ୍ତ ପଡୁଥାଏ +ଅନେକ ଥର ବାନ୍ତି ହେଉଥାଏ +ଦେହରେ ଜ୍ଵର ଥାଏ +ବହୁତ ଶୋଷ ଲାଗୁଥାଏ +ପିଲା କିଛି ତରଳ ଜିନିଷ ପିବାକୁ ଇଚ୍ଛା କରିନଥାଏ +ଖାଇବାକୁ ମନା କରୁଥାଏ +ଆଖି ଭିତରକୁ ପଶି ଯାଇଥାଏ +ଦୁର୍ବଳ ଦେଖା ଯାଉଥାଏ ବା ମାନ୍ଦା ଲାଗୁଥାଏ +ସପ୍ତାହରୁ ଅଧିକ ସମୟ ଧରି ତରଳ ଝାଡା ହେଉଥାଏ +ଉପର ଲିଖିତ ଯେକୌଣସି ଲକ୍ଷଣ ଦେଖାଗଲେ ସାଙ୍ଗେ ସାଙ୍ଗେ ଡାକ୍ତରଙ୍କୁ ଦେଖାଇବା ଦରକାର । +ଏହି ସମୟ ଭିତରେ ଶିଶୁକୁ ଓ.ଆର.ଏସ୍. ବା ଅନ୍ୟ ତରଳ ପାନୀୟ ଦେବା ଜରୁରୀ । +ଯଦି ଘଣ୍ଟାକ ଭିତରେ ଅନେକ ଥର ତରଳ ଝାଡା ହେବା ସହିତ ବାନ୍ତି ମଧ୍ୟ ହୁଏ ତେବେ ବିପଦର ସମ୍ଭାବନା ରହିଛି । +କାରଣ ଏହା ହେଉଛି ହାଇଜାର ଲକ୍ଷଣ । +ହାଇଜାରେ ଅଳ୍ପ କେତେ ଘଣ୍ଟା ଭିତରେ ଶିଶୁର ମୃତ୍ୟୁ ହୋଇପାରେ । +ତେଣୁ ସାଙ୍ଗେ ସାଙ୍ଗେ ଡାକ୍ତରୀ ସହାୟତା ନେବା ଜରୁରୀ । +ସଂକ୍ରମିତ ଖାଦ୍ୟ ଓ ପାନୀୟ ଯୋଗୁ ହଇଜା ସାରା ଗୋଷ୍ଠୀରେ ବହୁତ ଶୀଘ୍ର ବ୍ୟାପି ଯାଇପାରେ । +ସାଧାରଣତଃ ଅସ୍ଵାସ୍ଥ୍ୟକର ପରିବେଶ ଓ ଅଧିକ ଜନଗହଳି ଅଞ୍ଚଳରେ ହଇଜା ବ୍ୟାପିଥାଏ । +ହଇଜା ବା ତରଳ ଝାଡା ପ୍ରତିରୋଧ କରିବା ପାଇଁ ତଳ ଲିଖିତ ଚାରୋଟି ପଦକ୍ଷେପ ନେବା ଦରକାର । +୧. ପାଇଖାନାରେ ଝାଡା ବସିବା କିମ୍ବା ଝାଡା ବସିବା ପରେ ତାକୁ ପୋତି ଦେବା +୨. ଝାଡା ଯିବା ପରେ ହାତକୁ ସାବୁନ କିମ୍ବା ପାଉଁଶ ଓ ପାଣିରେ ଭଲ କରି ଧୋଇବା +୩. ପରିଷ୍କାର ପିଇବା ପାଣି ବ୍ୟବହାର କରିବା +୪. ଖାଦ୍ୟକୁ ଭଲ କରି ଧୋଇବା , ଚୋପା ଛଡାଇବା କିମ୍ବା ରାନ୍ଧିବା +୩. ମା’କ୍ଷୀର ଦେଲେ ତରଳ ଝାଡା ଏବଂ ତା’ର ତୀବ୍ରତା ଅନେକ ପରିମାଣରେ କମି ଯାଇପାରେ । +ତରଳ ଝାଡା ହେଉଥିବା ଶିଶୁ ପାଇଁ ମା’କ୍ଷୀର ହେଉଛି ସବୁଠାରୁ ଭଲ ଖାଦ୍ୟ ଓ ପାନୀୟ । +ଏହା ପୁଷ୍ଟିକର ଓ ପରିଷ୍କାର ଏବଂ ରୋଗ ସଂକ୍ରମଣରୁ ରକ୍ଷା କରିଥାଏ । +କେବଳ ମା’କ୍ଷୀର ଖାଉଥିବା ଶିଶୁକୁ ତରଳ ଝାଡା ପ୍ରାୟ ହୁଏନାହିଁ । +ମା’କ୍ଷୀର ଜଳଶୂନ୍ୟତା ଏବଂ ମନ୍ଦପୁଷ୍ଟିରୁ ରକ୍ଷା କରିଥାଏ ଏବଂ ଦେହରୁ ଚାଲିଯାଇଥିବା ଜଳୀୟ ଅଂଶକୁ ଭରଣା କରିଥାଏ । +ଶିଶୁକୁ ତରଳ ଝାଡା ହେଉଥିଲେ ମା’କ୍ଷୀର ଖୁଆଇବା କମାଇ ଦେବାକୁ କେହି କେହି କହନ୍ତି । +କିନ୍ତୁ ଏହା ଭୁଲ । +ବରଂ ତରଳ ଝାଡା ହେଉଥିଲେ ଅନ୍ୟ ସମୟ ଅପେକ୍ଷା ଅଧିକ ଥର ଖୁଆଇବା ଦରକାର । +୪. ତରଳ ଝାଡା ଫେରୁଥିବା ଶିଶୁ ତା’ର ସାଧାରଣ ଖାଦ୍ୟ ଖାଇବା ଜରୁରୀ । +ତରଳ ଝାଡାର ଚିକିତ୍ସା ସମୟରେ ଦୁଇ ସପ୍ତାହ ଯାଏଁ ଶିଶୁକୁ ଦିନକୁ ଅନ୍ତତଃ ଗୋଟିଏ ଥର ଅଧିକା ଖାଦ୍ୟ ଦେବା ଆବଶ୍ୟକ । +ତରଳ ଝାଡା ହେଲେ ଶିଶୁର ଓଜନ କମିଯାଏ ଓ ସେ ମନ୍ଦପୁଷ୍ଟ ହୋଇଯାଏ । +ତେଣୁ ତା’ର ଅଧିକ ଖାଦ୍ୟ ଓ ପାନୀୟ ଦରକାର । +ଠିକ୍ ଭାବରେ ଖାଦ୍ୟ ଖାଇଲେ ଝାଡା ବନ୍ଦ ହୋଇ ଯାଇପାରେ ଓ ଶିଶୁ ଶୀଘ୍ର ଭଲ ହୋଇ ଯାଇପାରେ । +ତରଳ ଝାଡାରେ ଆକ୍ରାନ୍ତ ଶିଶୁ ଖାଇବାକୁ ଇଚ୍ଛା କରେନାହିଁ କିମ୍ବା ତା’ର ବାନ୍ତି ମଧ୍ୟ ହୋଇପାରେ । +ତେଣୁ ତାକୁ ଖୁଆଇବା କଷ୍ଟକର ହୋଇପଡେ । +ଶିଶୁର ବୟସ ଛଅମାସ ବା ତା’ଠାରୁ ଅଧିକ ହୋଇଥିଲେ ସେ ଯେତେ ବେଶୀ ଖାଇବ ଭଲ । +ଖାଦ୍ୟରେ ଅଳ୍ପ ଲୁଣ ପଡି ତାହା ନରମ ହୋଇ ଚକଟା ହୋଇଥିବା ବା ଶିଶୁକୁ ଭଲ ଲାଗୁଥିବା ଦରକାର । +କଠିନ ଖାଦ୍ୟ ଅପେକ୍ଷା ନରମ ଖାଦ୍ୟ ଖାଇବାକୁ ସୁବିଧା ହୁଏ ଓ ସେଥିରେ ଅଧିକ ପରିମାଣର ତରଳ ରହିଥାଏ । +ତରଳ ଝାଡା ହେଉଥିଲେ ଶିଶୁକୁ ସିଝା ଡାଲି ଓ ବିନ୍ ଚକଟା , ମାଛ , ଭଲ କରି ରନ୍ଧା ହୋଇଥିବା ମାଂସ , ଦହି ଓ ଫଳ ଦିଆଯାଇ ପାରିବ । +ଡାଲି ଓ ପରିବାରେ ଛାମୁଚେ ଦୁଇ ଚାମଚ ତେଲ ପକାଯାଇ ପାରିବ । +ଖାଦ୍ୟ ସାଙ୍ଗେ ସାଙ୍ଗେ ରାନ୍ଧି ଦିନକୁ ଅନ୍ତତଃ ପାଞ୍ଚ ଥର ଦେବା ଦରକାର । +ତରଳ ଝାଡା ବନ୍ଦ ହେବା ପରେ ପୂରା ସୁସ୍ଥ ହେବା ପାଇଁ ଅଧିକ ଖାଇବା ଜରୁରୀ । +ଏହି ସମୟରେ ଶିଶୁକୁ ଅନ୍ତତଃ ପକ୍ଷେ ଦୁଇ ସପ୍ତାହ ଯାଏଁ ଅଧିକ ଥର ଖାଦ୍ୟ କିମ୍ବା ମା’କ୍ଷୀର ଖାଇବାକୁ ଦେବା ଦରକାର । + ଏହା ଦ୍ଵାରା ତରଳ ଝାଡା ସମୟରେ ଦେହରୁ ଚାଲିଯାଇଥିବା ଶକ୍ତି ଓ ପୋଷଣ ଭରଣା ହୋଇପାରେ +ଶିଶୁର ଦେହ ଖରାପ ହେବା ଆଗରୁ ଥିବା ଓଜନ ସହ ସମାନ ନହେବା ଯାଏଁ ସେ ପୂରା ସୁସ୍ଥ ହୋଇନାହିଁ ବୋଲି ଧରାଯିବ । +ଜୀବସାର କ ବଟିକା ଓ ଜୀବସାର କ ଥିବା ଖାଦ୍ୟ ଶିଶୁକୁ ଶୀଘ୍ର ଭଲ ହେବାରେ ସାହାଯ୍ୟ କରେ । +ମା’କ୍ଷୀର , କଲିଜା , ମାଛ , ଦହି ଓ କ୍ଷୀରଜାତ ଅନ୍ୟ ଜିନିଷ , କମଳା ଓ ଅନ୍ୟ ହଳଦିଆ ଫଳ ଓ ପାରିବା , ଶାଗ ଆଦିରେ ବହୁତ ପରିମାଣର ଜୀବସାର କ ରହିଛି । +୫. ଯଦି ତରଳ ଝାଡା ଯୋଗୁଁ ଶିଶୁ ଦେହରେ ଜଳଶୂନ୍ୟତା ଦେଖାଦିଏ ତେବେ କେବଳ ପ୍ରଶିକ୍ଷିତ ସ୍ୱାସ୍ଥ୍ୟକର୍ମୀଙ୍କ ପରାମର୍ଶ ଅନୁସାରେ ତରଳ ପାନୀୟ ଏବଂ ଔଷଧ ଦିଆଯିବା ଦରକାର । +ତରଳ ଝାଡାର ଅନ୍ୟ ଔଷଧଗୁଡିକ ସାଧାରଣତଃ କାମ କରେନାହିଁ ଏବଂ ତାହା ଶିଶୁ ପାଇଁ କ୍ଷତିକାରକ ମଧ୍ୟ ହୋଇପାରେ । +କିଛି ଦିନ ଭିତରେ ତରଳ ଝାଡା ଆପେ ଆପେ ଭଲ ହୋଇଯାଏ । +ଦେହରୁ ଜଳୀୟ ଅଂଶ ଓ ପୋଷଣ ଚାଲିଯିବା ହିଁ ହେଉଛି ସବୁଠାରୁ ବିପଦଜନକ । +ତରଳ ଝାଡା ହେଉଥିବା ଶିଶୁକୁ ଡାକ୍ତରୀ ପରାମର୍ଶ ବିନା କୌଣସି ବଟିକା କିମ୍ବା ଔଷଧ ଦେବା ଉଚିତ ନୁହେଁ । +ତରଳ ଝାଡାର ସବୁଠାରୁ ଭଲ ଚିକିତ୍ସା ହେଉଛି ପ୍ରଚୁର ପରିମାଣର ତରଳ ପାନୀୟ ଏବଂ ଠିକ ପରିମାଣର ପରିଷ୍କାର ପାଣିରେ ଓ.ଆର.ଏସ୍. ମିଶାଇ ତିଆରି ହୋଇଥିବା ଘୋଳ ପିଇବା । +ଓ.ଆର.ଏସ୍. ପୁଡିଆ ମିଳୁନଥିଲେ ଏକ ଲିଟର ପରିଷ୍କାର ପାଣିରେ ଚାରି ଚାମଚ ଚିନି ଓ ଅଧା ଚାମଚ ଲୁଣ ମିଶାଇ ଏହି ଘୋଳ ତିଆରି କରାଯାଇ ପାରିବ । +ଘୋଳ ତିଆରି ବେଳେ ଜିନିଷର ପରିମାଣ ଯେପରି ଠିକ ରହେ । +କାରଣ ଅଧିକ ଚିନି ଜଳଶୂନ୍ୟତାକୁ ବଢାଇ ଦେଇପାରେ ଏବଂ ଅଧିକ ଲୁଣ ମଧ୍ୟ ଶିଶୁ ପାଇଁ ବହୁତ କ୍ଷତିକାରକ । +ଘୋଳଟି ଟିକିଏ ପାନିଆ ହୋଇଗଲେ ବିଶେଷ କ୍ଷତି ନାହିଁ । +ମିଳିମିଳା ହେଲେ ତରଳ ଝାଡା ମଧ୍ୟ ହୁଏ । +ମିଳିମିଳା ପାଇଁ ପ୍ରତିଷେଧକ ଟୀକା ନେଇଥିବା ଶିଶୁକୁ ଏହି ପ୍ରକାର ତରଳ ଝାଡା ହେବାର ସମ୍ଭାବନା ନଥାଏ । +ଓ.ଆର.ଏସ୍ +ତରଳ ଝାଡା ପାଇଁ ବିଶେଷ ପାନୀୟ +ଓ.ଆର.ଏସ୍ . କ’ଣ ? +ତରଳ ଝାଡାରେ ଚାଲି ଯାଇଥିବା ଲବଣ ଓ ଜଳୀୟ ଅଂଶକୁ ଭରଣା କରିବା ପାଇଁ ପରିଷ୍କାର ପାଣିରେ ମିଶା ଯାଉଥିବା ସ୍ଵତନ୍ତ୍ର ପ୍ରକାରର ଲବଣ । +ଓ.ଆର.ଏସ୍. କେଉଁଠାରୁ ମିଳିପାରିବ ? +ଅଧିକାଂଶ ଦେଶରେ ଓ.ଆର.ଏସ୍. ପୁଡିଆ ସ୍ଵାସ୍ଥ୍ୟକେନ୍ଦ୍ର , ଔଷଧ ଦୋକାନ ଆଦିରେ ମିଳେ । +ଓ.ଆର.ଏସ୍. ଘୋଳ ତିଆରି +୧. ଓ.ଆର.ଏସ୍. ପୁଡିଆ ଖୋଲି ଗୋଟିଏ ପରିଷ୍କାର ପାତ୍ରରେ ରଖନ୍ତୁ । +ପୁଡିଆର ଲେଖା ଅନୁସାରେ ସେଥିରେ ପାଣି ମିଶାନ୍ତୁ । +ପାଣି ବେଶୀ କମିଗଲେ ଝାଡା ବଢିଯାଇପାରେ । +୨. କେବଳ ପାଣି ମିଶାନ୍ତୁ । +କ୍ଷୀର , ଝୋଳ , ଫଳରସ କିମ୍ବା ମୃଦୁପାନୀୟରେ ଓ.ଆର.ଏସ୍. ମିଶାନ୍ତୁ ନାହିଁ । +ଚିନି ମିଶାନ୍ତୁ ନାହିଁ । +୩. ଭଲ କରି ଘାଣ୍ଟନ୍ତୁ ଓ ଗୋଟିଏ ପରିଷ୍କାର କପ୍ ରେ ନେଇ ଶିଶୁକୁ ପିଆନ୍ତୁ । +ବୋତଲ ବ୍ୟବହାର କରନ୍ତୁ ନାହିଁ । +କେତେ ପରିମାଣର ଓ.ଆର.ଏସ୍. ଦେବେ ? +ଯେତେ ପରିମାଣର ସମ୍ଭବ ପିଇବାକୁ ଦିଅନ୍ତୁ । +ଦୁଇ ବର୍ଷରୁ କମ୍ ବୟସର ଶିଶୁ ପ୍ରତି ଥର ଝାଡା ହେବା ପରେ ଗୋଟିଏ ବଡ କପ୍ ରେ ଏକ ଚତୁର୍ଥାଂଶରୁ ଅଧା ଯାଏଁ ପିଇବା ଦରକାର । +ଦୁଇ ବର୍ଷରୁ ଅଧିକ ଶିଶୁ ପ୍ରତି ଥର ଝାଡା ହେବା ପରେ ଗୋଟିଏ ବଡ କପ୍ ର ଅଧାରୁ ପୂରା କପ୍ ଯାଏଁ ପିଇବା ଦରକାର +ତରଳ ଝାଡା ସାଧାରଣତଃ ତିନି ଚାରି ଦିନରେ ବନ୍ଦ ହୋଇଯାଏ । +ସପ୍ତାହେ ପରେ ମଧ୍ୟ ଝାଡା ବନ୍ଦ ନହେଲେ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ । +୬. ତରଳ ପ୍ରତିରୋଧ ପାଇଁ ପାଇଖାନା ବ୍ୟବହାର କରିବା ଉଚିତ କିମ୍ବା ମଳକୁ ପୋତିଦେବା ଦରକାର । +ପିଇବା ପାଣି , ଖାଦ୍ୟ , ହାତ , ବାସନକୁସନ ବା ରନ୍ଧା ଜାଗା ମଇଳା ହେଲେ ଏସବୁ ସଂକ୍ରମିତ ହେବ ଏବଂ ଜୀବାଣୁ ଶିଶୁ ଓ ବଡଙ୍କ ଦେହକୁ ଯିବ । +ମାଛି ମଧ୍ୟ ମଳରେ ବସି ଖାଦ୍ୟ ଉପରେ ବସିଲେ ଜୀବାଣୁ ସଂକ୍ରମିତ ହୋଇଥାଏ । +ଖାଦ୍ୟ ଓ ପିଇବା ପାଣି ଢାଙ୍କି ରଖିଲେ ମାଛି ହେବେନାହିଁ । +ସମସ୍ତଙ୍କ ମଳ ଏପରିକି ଛୋଟ ପିଲାଙ୍କ ମଳରେ ମଧ୍ୟ ଜୀବାଣୁ ଥାଏ । +ଶିଶୁ ପାଇଖାନା ବ୍ୟବହାର କରୁନଥିଲେ ତା’ର ମଳକୁ ସାଙ୍ଗେ ସାଙ୍ଗେ ପାଇଖାନାରେ ପକାଇବା ବା ପୋତି ଦେବା ଦରକାର । +ପାଇଖାନା ସଫା ରହିଲେ ଜୀବାଣୁ ସଂକ୍ରମଣ ହୁଏନାହିଁ । +ଯଦି ପାଇଖାନାର ସୁବିଧା ନଥାଏ , ତେବେ ପିଲା ଓ ବଡ ଘର , ରାସ୍ତା , ପିଇବା ପାଣି , ପିଲାଙ୍କ ଖେଳିବା ଜାଗା ଆଦିରୁ ଦୂରରେ ଝାଡା ଯିବା ଏବଂ ମଳକୁ ମାଟିରେ ପୋତି ଦେବା ଉଚିତ । +ପାଇଖାନା ନଥିବା ଗୋଷ୍ଠୀରେ ସମସ୍ତେ ଏକାଠି ମିଶି ପାଇଖାନା ପାଇଁ ବ୍ୟବସ୍ଥା କରିବା ଦରକାର । +ପିଇବା ପାଣିର ଉତ୍ସକୁ ମଣିଷ ଓ ପଶୁଙ୍କ ମଳଠାରୁ ଦୂରେଇ ରଖିବା ଜରୁରୀ । +୭. ସ୍ଵାସ୍ଥ୍ୟକର ଜୀବନ ଧାରଣ ପ୍ରକ୍ରିୟା ତରଳ ଝାଡାରୁ ବଞ୍ଚାଇ ଥାଏ । +ଝାଡା ଫେରିବା ପରେ ଓ ଖାଦ୍ୟ ଖାଇବା ବା ଛୁଆକୁ ଖୁଆଇବା ଆଗରୁ ହାତକୁ ସାବୁନ , ପାଉଁଶ ଆଦିରେ ଭଲ କରି ଢୋଇବା ଜରୁରୀ । +ଝାଡା ଯିବା ପରେ , ଶିଶୁକୁ ପରିଷ୍କାର କରିବା ପରେ , ଶିଶୁକୁ ଖୁଆଇବା ଆଗରୁ , ଖାଦ୍ୟ ଛୁଇଁବା ଓ ଖାଇବା ହାତ ସାବୁନ ବା ପାଉଁଶ ଓ ପାଣିରେ ଭଲ କରି ଧୋଇବା ଦରକାର । +ଛୋଟ ପିଲା ସବୁବେଳେ ପାଟିରେ ହାତ ପୂରାଏ । +ତେଣୁ ଘର ସଫା ରଖିବା ଏବଂ ପିଲାର ହାତକୁ ବାରମ୍ବାର , ବିଶେଷ କରି ଖାଇବା ଆଗରୁ , ଭଲ କରି ଧୋଇବା ଦରକାର । +ଅନ୍ୟ କିଛି ପରିମଳ ବ୍ୟବସ୍ଥା ମଧ୍ୟ ତରଳ ଝାଡାର ପ୍ରତିରୋଧ କରିପାରେ । +ଠିକ ଖାଇବା ଆଗରୁ ଏବଂ ଭଲ ଭାବରେ ଖାଦ୍ୟ ରନ୍ଧାଯିବା ଦରକାର । +ଖୋଲା ରହିଥିବା ବଳକା ଖାଦ୍ୟରେ ଜୀବାଣୁ ବଢି ତରଳ ଝାଡା କରାଇପାରେ । +ଖାଦ୍ୟକୁ ଅତି ଗରମ ବା ଥଣ୍ଡା ଅବସ୍ଥାରେ ରଖିନଥିଲେ ରାନ୍ଧିବାର ଦୁଇଘଣ୍ଟା ପରେ ତାହା ଆଉ ଖାଇବା ଯୋଗ୍ୟ ହୋଇ ରହେନାହିଁ । +ମାଛି ନହେବା ପାଇଁ ସବୁ ପ୍ରକାରର ଅଳିଆ ପୋତାଯିବା , ପୋଡାଯିବା ବା ନିରାପଦ ଭାବରେ ଫିଙ୍ଗାଯିବା ଜରୁରୀ ।