diff --git a/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_anubada_1 b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_anubada_1 new file mode 100644 index 0000000000000000000000000000000000000000..187fc2150749b309acda86ca34395ef2cc1475bd --- /dev/null +++ b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_anubada_1 @@ -0,0 +1,121 @@ +ଦାମ୍ପତ୍ୟ (କନ୍ନଡ଼ କାହାଣୀ) +- ଓଡ଼ିଆସାହିତ୍ୟ ପ୍ରେସ୍‌ +ତା: ଜାନୁଆରୀ ୨୯, ୨୦୧୩ +ମୂଳ ପୃଷ୍ଠା → ପ୍ରତିବେଶୀ ସାହିତ୍ୟ (ଅନୁବାଦ) → +ମୂଳ ଲେଖା – କେ.ଶିବରାମ କରନ୍ଥ +ଅନୁବାଦ – ଅସିତ୍‌ ମହାନ୍ତି +ସୋନାଲି ପତ୍ରିକା ଦୁଇଟି ପଢ଼ିସାରି ଗୋଟାଏ କଡ଼କୁ ରଖିଦେଲା । +ପତ୍ରିକା ଦୁଇଟି ଥିଲା ‘ପ୍ରଭାତ’ ଓ ‘ସ୍ବଦେଶାଭିମାନ’ । +ଇତିମଧ୍ୟରେ ପତ୍ରିକା ଦୁଇଟିକୁ ସିଏ ପାଞ୍ଚପାଞ୍ଚଥର ପଢ଼ି ସାରିଲାଣି । +ତଥାପି ବି ସମୟ ନକଟିବାରୁ ସପ୍ତାହେ ତଳର ପୁରୁଣା ଖବରକାଗଜଗୁଡ଼ାକ କାଢ଼ି ସେ ସବୁକୁ ଓଲଟପାଲଟ କରି ଆଖି ପକେଇବାରେ ଲାଗିଲା । +ସୋନାଲିର ଖବରକାଗଜ ପଢ଼ା ଦେଖି ଶାଶୁ ରାଜିବୀ ଯେମିତି ଗୋଟାପଣେ ତାତି ଉଠିଲା । +ସମୟ କାଟିବାର ଆଉ କି ଉପାୟ ବା ତା’ର ଥିଲା ! ଶାଶୁଙ୍କୁ ରୋଷେଇବାସରେ ସାହାଯ୍ୟ କଲା, ଡାଲି ବଘାରି ଦେଲା, ଅଟା ଚକଟି ରୁଟି ବେଲିଦେଲା, ରୋଷେଇ ସରିବା ପରେ ସବୁ ସଜଡ଼ାସଜଡ଼ି କରି ଥୋଇଦେଲା । +ତଥାପି ବି ସମୟ କଟୁନାହିଁ । +ପଡ଼ିଶା ଘରୁ ମାଗି ଆଣିଥିବା ‘ସଣ୍ଡେ ଟାଇମ୍‌ସ’ ବି ଓଲଟପାଲଟ କରି ଦେଖିଲା । +ଯେତେବେଳେ ମନରେ ଶାନ୍ତି ନାହିଁ, ସେତେବେଳେ ଏଇ ଖବରକାଗଜଗୁଡ଼ାକ ବା କ’ଣ କରିପାରିବ ? ‘ହିନ୍ଦୁ’ ଯଦି ଆସୁଥାଆନ୍ତା, ତା’ହେଲେ ଅବା ଆଉ କିଛି ସମୟ କଟିଯାଇ ପାରୁଥାଆନ୍ତା । +ମାତ୍ର ମାସକୁ ମାସ ସେଥିପାଇଁ ପଇସା ଦେବା କଥା ଉଠିଲେ ତାର ସ୍ବାମୀ ଆପ୍ପଣା କମ୍‌ତୀର ଛାତିରେ ଯେମିତି ଛନକା ପଶିଯାଏ । +ରାତି ଆଠଟା ବାଜି ସାରିବା ପରେ ମିନିଟ୍‌ କଣ୍ଟା ଆହୁରି ଘେରାଏ ବୁଲି ଆସିଲାଣି । +ସ୍ବାମୀ ନଆସିବା ଆଗରୁ ଖାଇ ପାରିବ ନାହିଁ । +ନିଦ ଲାଗୁଥିଲେ ସୁଦ୍ଧା ଶୋଇ ବି ପାରିବ ନାହିଁ । +ଦୋକାନ ବନ୍ଦ କରି ଘରକୁ ଆସୁଆସୁ ଆପ୍ପଣା କମ୍‌ତୀର ଦଶଟା ହେଇଯାଏ । +ସକାଳ ଆଠଟାରୁ ରାତି ଦଶଟା ଯାଏ ତାର ଦୋକାନ ଖୋଲା । +ଏମିତି କିଛି ଜିନିଷ ନାହିଁ, ଯାହା ତା’ ଦୋକାନରେ ନମିଳିବ । +ଧାର୍‌ କରଜ ଦେବାର ସାହସ ବି ତାର ଅଛି । +ଆଖପାଖର ସାରା ଗାଆଁ ପାଇଁ ସେଇଟା ଖାଲି ଗୋଟାଏ ତେଜରାତି ଦୋକାନ ନ ଥିଲା; ଥିଲା ଗାଆଁର ପଞ୍ଚାୟତ ଆଉ ଜନତା ଜନାର୍ଦ୍ଦନଙ୍କ କଚେରୀ ବି । +ଆପ୍ପଣା ଗାଆଁର ଟିକିନିଖି ଖବର ରଖେ । +ତେଣୁ ନିଜର ପରି ସେ ସେଇସବୁ କଥା କହୁ କହୁ ଭୁଲେଇ ଦଣ୍ଡି ମାରିଦିଏ ବା ପଳାରେ କମ୍‌ ମାପି ଜିନିଷ ଦେଇଦିଏ । +ମୂର୍ଖ ଗରାଖ ବିଚରା ସେକଥା ଜାଣି ପାରେ ନାହିଁ । +ଏଣୁ, ଏମିତିରେ ଦେଖିଲେ ସଞ୍ଜ ଗଡ଼ିଯିବା ପରେ ବେପାରରେ ଯୋଉ ଲାଭ, ଅନ୍ୟବେଳେ ସେ ଲାଭ ସହଜ ନଥିଲା । +ସଞ୍ଜବତୀ ଲାଗିବା ପରେ ତିନିବର୍ଷର ପୁରୁଣା ଫିମ୍ପିମରା ଧୂଆଁପତ୍ର ବି ‘ବଢ଼ିଆ’ ନମ୍ବରୀ ବରାଦୀ ମାଲ୍‌ ବନିଯାଉଥିଲା । +‘ମୁଁ କହୁଚି ପରା, ନେଇ ଦେଖ ଆଗ ! ଏ କୋଳଥ ସିଝେଇ ବଳଦ ଆଗରେ ଥୋଇଦିଅ, ଦେଖିବ, ବଳଦ କେମିତି ତାଟିଆ ଚାଟି ଖାଇବେ; ଏ ଡାଲି ସିଝଉ ସିଝଉ ତାର ବାସ ତିନିମାଇଲ ଯାଏ ଚହଟିଯିବ; ହଳଦି ମଚମଚ ଏ ହରଡ଼ ଫାଳକୁ ତୁ ପୁଣି ବାଜେ ବୋଲି କହୁଚୁ !’ ଏମିତି ଗରାଖମାନଙ୍କୁ ମୂର୍ଖ ବନେଇବାରେ ତାର ଆଦୌ କୁଣ୍ଠା ନଥିଲା । +କଥାବର୍ତ୍ତାରେ ସେ ଏପରି ଧୂରନ୍ଧର ଆଉ ଚତୁର ଥିଲା ଯେ ବାରମ୍ବାର ଧୋକା ଖାଇବା ପରେ ବି ଗରାଖମାନେ ଆପ୍ପଣା କମ୍‌ତୀର ଦୋକାନକୁ ହିଁ ଆସୁଥିଲେ । +‘‘କମ୍‌ତୀ ଭାଇ, ସେଦିନ ତୁ ଯୋଉ ହରଡ଼ ଡାଲି ଦେଇଥିଲୁ ନା, ତାକୁ ମଇଁଷି ବି ଛୁଇଁଲେ ନାଇଁ । +ପୂରାପୂରି ପୋକରା- ଖାଲି ଯେମିତି ଅଟା ଝରୁଚି !’’ +ଗରାଖର ଅଭିଯୋଗ ଶୁଣିବା ମାତ୍ରେ ସେ କହୁଥିଲା, ‘‘ଆଚ୍ଛା, ଆଚ୍ଛା, ଛାଡ଼ ସେକଥା । +ମୁଁ ତାର ଭାଉ ଅଢ଼େଇଅଣା କହିଥିଲି ନା, ଏବେ ଦି’ଅଣା କରିଦଉଚି; ହେଲା ! +ତମ ପରି ଲୋକ କ’ଣ କେବେ ମିଛ କହିବ !’’ +ଏମିତି ଭାବେ ଗରାଖଙ୍କୁ ବୋଧଦେଇ ସେଥର ବି ସେଇ ଏକା ପୋକରା ଡାଲି ଗରାଖ ମୁଣ୍ଡରେ ସେ ଥାପି ଦେଉଥିଲା । +ଦୋକାନକୁ ଯୋଉ ଗରାଖ ଆସୁ ପଛକେ, ସିଏ ସବୁବେଳେ ସେଇ ଗୋଟିଏ କଥା କହୁଥିଲା- ’‘ଆପଣଙ୍କ ଅଜାଙ୍କ ଅମଳରୁ ପରା ମୋ’ଦୋକାନରୁ ସଉଦା ଯାଉଚି । +ପିତୃପୁରୁଷଙ୍କ ଋଣାନୁବଦ୍ଧତା କହିଲେ ଅସଲରେ ଏଇଆ ।’’ +କମ୍‌ତୀ ରାତିରେ ଡେରି କରି ଘରକୁ ଆସୁଥିଲା, ଆଉ ତୁରନ୍ତ ହାତଗୋଡ଼ ଧୋଇ ଖାଇବାକୁ ବସିଯାଉଥିଲା । +ତାର ମାଆ ବି ତା’ ସାଙ୍ଗେ ଖାଇବାକୁ ବସୁଥିଲା । +ସୋନାଲି ପରଷି ଦେଉଥିଲା । +ଖାଇ ସାରିବା ପରେ କମ୍‌ତୀ ସାଙ୍ଗେ ସାଙ୍ଗେ ଶୋଇବାକୁ ଚାଲିଯାଉଥିଲା । +ସୋନାଲି ଖିଆପିଆ, କାମଦାମ ସାରି ଆସିଲା ବେଳକୁ ଆପ୍ପଣା ଶୋଇପଡ଼ୁଥିଲା ନିଘୋଡ଼ ନିଦରେ । +ତା’ର କୁମ୍ଭକର୍ଣ୍ଣ ନିଦ ଯାଇ ସକାଳେ ଭାଙ୍ଗୁଥିଲା, ଆଉ ତରବର ହେଇ ନିତ୍ୟକର୍ମ ସାରିଦେଇ ସିଏ ଦୋକାନକୁ ବାହାରି ଯାଉଥିଲା । +ସୋନାଲି ବି ଘରର କାମଦାମରେ ଲାଗିଯାଉଥିଲା । +ଦି’ପହରରେ ଦି’ଟା ବାଜିବା ଆଗରୁ କମ୍‌ତୀ କେବେ ଘରକୁ ଫେରୁ ନଥିଲା । +ସିଏ ଘରକୁ କେତେବେଳେ ଆସୁଥିଲା ଆଉ ଘରୁ କେତେବେଳେ ଯାଉଥିଲା, ତାହା ଜାଣିବା ମୁସ୍କିଲ୍‌ ଥିଲା । +ସୋନାଲି ଯଦି ଜିଦ୍‌ କରି ଘଣ୍ଟାଏ ପହରେ ଆରାମ କରିବାକୁ କହୁଥିଲା ତ କମ୍‌ତୀ ବିରକ୍ତ ହେଇ କହୁଥିଲା- ‘‘ଗରାଖ କ’ଣ ଆଉ ରଖିବେ ! ଧୂଆଁପତ୍ର ବେପାରୀ ଆସିଚି । +ତା’ସାଙ୍ଗେ ମୂଲଚାଲ କରି ଦେଇ ଆସିଚି । +ମାଲ୍‌ ଏଯାଏ ଓଜନ ବି ହେଇନାଇଁ । +ଯଦି ସିଏ ନିଜେ ଓଜନ କରିଦେଇ ଚାଲିଯାଏ ତା’ହେଲେ ମହଣକ ତିରିଶି ସେର ହବ ଜାଣି ଥା’ ।’’ + ଏମିତି କିଛି କହୁ କହୁ ସିଏ ଅସମ୍ଭାଳ ହେଇ ଘରୁ ବାହାରି ଚାଲିଯାଉଥିଲା । +ଦିନେ ଦିନେ ରାତିରେ, ସୋନାଲି ଭଗୀରଥ ପରି ଯତ୍ନ କରି ଯଦି କମ୍‌ତୀ ସାଙ୍ଗେ କଥା ହେବାକୁ ଚେଷ୍ଟା କରୁଥିଲା, ତା’ହେଲେ ସିଏ ଠିକ୍‌ କରି ପାରୁନଥିଲା ଯେ ତା’ ସାଙ୍ଗେ କି କଥା ହେବ । +ଆପ୍ପଣା ଯଦିବା କେବେ ମୁହଁ ଖୋଲୁଥିଲା, ‘‘ଏ ବର୍ଷ ଭଲ ପାଳକ ହବ’’ ବା ‘‘ପାର୍ବତୀ ଷ୍ଟିମର, ବନ୍ଦରରେ ଆସି ପହଞ୍ଚି ପାରିଲା ନାହିଁ ।’’ ଆଦି ହିଁ କହୁଥିଲା । +‘‘ସେଦିନ ଷ୍ଟିମର୍‌ ଆସିବା ଖବର ଆସିଲା, ହେଲେ ଏଥର ‘ପାର୍ବତୀ’ ଆସି ନାଇଁ । +ପାର୍ବତୀ ତ ଖୁବ୍‌ ଛୋଟ । +ଏବେ ଯୋଉ ‘ଦମୟନ୍ତୀ’ କାର୍ଗୋ ବୋଟ୍‌ ଆସୁଚି, ତାହା ବନ୍ଦରକୁ ତିନିଥର ଆସି ଲେଉଟି ଗଲାଣି । +ଦୋକାନରେ ଦାନାଏ ହେଲେ ଚିନି ନାହିଁ । +ଦମୟନ୍ତୀରେ ୩୦୦ବସ୍ତା ଲଦା ହେଇଚି; ହେଲେ ଏ ବଦମାସ୍‌ ତୋଫାନ୍‌ଟା ଜମା ପିଛା ଛାଡ଼ୁନାହିଁ । +କଲମ୍ବୋରେ ତ ବର୍ଷା ଆସିଗଲାଣି ।’’ +ଆପ୍ପଣାର ଏ ଲମ୍ବା ଭାଷଣ ଶୁଣି ସୋନାଲି ଚିଡ଼ିଯାଏ । +ସାରା ମାସରେ ଦିନଟିଏ ହେଲେସେ ତାର ଦୁଃଖସୁଖ ବୁଝନ୍ତା ! ହଠାତ୍‌ ତାର ମୁହଁରୁ ବାହାରି ଗଲା-‘‘ଦମୟନ୍ତୀ ଆସୁ କି ନଆସୁ, ମୋର କି ଗରଜ ପଡ଼ିଚି । +ତମ ଷ୍ଟିମର ତ କୋଉଦିନ ବନ୍ଦ ହବାର ନାଇଁ । + ଚିନି ନମିଳିଲା ନାଇଁ, ମିଠା କଥାର ବି କ’ଣ ଅଭାବ ପଡ଼ିଚି ? ଯାହାର କଥାବାର୍ତ୍ତା ହବାକୁ ବି ତର ନାଇଁ, ତାର ବାହା ହବା କି ଦରକାର ଥିଲା !!’’ +ଏହାର ପରବର୍ତ୍ତୀ ଘଟଣା ଆପଣ ଆପେ ଅନୁମାନ କରିପାରିବେ । +ଆପ୍ପଣା ବୁଝିଗଲା ଯେ ବର୍ଷା ବା ପାଣିପାଗ ବିଷୟରେ କଥା ହେବା ଠିକ୍‌ ହେଇନାଇଁ । +ବାସ୍‌, ସେ ଚୁପ୍‌ ହେଇଗଲା । +ସାରାରାତି ବିତିଲା, ଚୁପ୍‌ଚାପ୍‌ । +ପରଦିନ ଦି’ପହର । +ମା’ ପୁଅ ଦିହେଁ ଭୋଜନରେ ବସିଲେ । +ସୋନାଲି ଭାତ ବାଢ଼ୁଥିଲା । + ସେତିକିବେଳେ ଆପ୍ପଣା ଥଟ୍ଟା କରି କହିଲା, ‘‘ଏବେ ତ ମୋ’ ପାଖରେ ଦି’ପଦ ମିଠା କଥା ବି ନାହିଁ, ଦଶମ ଯାଏ ପଢ଼ିଚି ତ ! ମୁଣ୍ଡକୁ ପିତ୍ତ ଚଢ଼ିଗଲାଣି !!’’ +‘‘କଥା କ’ଣ ?’’ ମାଆ ପଚାରିଲେ । +ପୁଅ ଶୁଣେଇ ଦେଲା ସବୁ କଥା । + ସିଏ ବି ପୁଅପଟିଆ ହେଇ କହିଲେ, ‘‘ୟା’ର ବି ବରର କି ଦରକାର ? ନ୍ୟୁଜ୍‌ପେପର ଯେ ଅଛି !ଏ ଘରେ ତାର କି ଅଭାବ ବା ଅଛି ? ଖାଇବାକୁ ନାହିଁ ?? ନା ପିନ୍ଧିବାକୁ ନାହିଁ ?? ନା ଆଉ କିଛିର ଅଭାବ ଅଛି ???’’ +ସୋନାଲି ବି ଚିହିଁକି ଉଠିଲା । +କହିଲା, ‘‘ହଁ, ହଁ, ସବୁ ଅଛି, ତା’ତ ଅଗଣାରେ ବନ୍ଧା ହୋଇଥିବା ଗୋପୀ (ଗାଈ) କି ବି ମିଳୁଚି ।’’ +ଶାଶୁର ଅହଙ୍କାରକୁ ଏକଥା ବାଧିଲା । +ସେ କହିଲା, ‘‘ଆଚ୍ଛା, ତା’ହେଲେ ମୁହଁ ଉପରେ ଜବାବ ଦବା ବି ଆରମ୍ଭ ହେଲାଣି ! ଏ ଘରେ କ’ଣ ତତେ ଆମେ ଗୋପୀ ପରି ରଖିଚୁ ? ଆପ୍ପଣା, କାଲିଠୁ ତୁ ଆଉ ଦୋକାନ ଯାଆନା, ବୁଝିଲୁ ! ୟା’ ପାଖେ ବସି ଇଂରେଜୀ ଖବରକାଗଜ ପଢ଼ । +ଦୋକାନ ପଛେ ଚୁଲିକି ଯାଉ । +ପରେ ବିବିଜୀଙ୍କୁ ଯେତେବେଳେ ଅଟା ଚାଉଳର ଭାଉ ମାଲୁମ ହବ, ସେତେବଳେଳ ବୁଝିବ, ଇଂରାଜୀ ପଢ଼ି ତ ଦେବପ୍ପା ପ୍ରଭୁର ଘର ଉଜୁଡ଼ିଗଲା । + ନହେଲେ ବନ୍ଦରରେ ଲକ୍ଷ ଲକ୍ଷ ଟଙ୍କାର ବେପାର ଯିଏ କରୁଥିଲା ତା’ ଦଶା କ’ଣ ଏଇଆ ହେଇ ଥାଆନ୍ତା ? ଥରେ ଗୁଆ ଦର ଖସିଗଲା ଯେ ସେତିକିରେ କ’ଣ କେହି ବୁଡ଼ିଯିବା କଥା ?’’ +ମାଆର କଥାରେ କଥା ଯୋଡ଼ି ଆପ୍ପଣା କହିଲା, ‘‘ଗୁଆ ବେପାରରେ କିଛି କଥା ନାହିଁ । +ସିଏତ ରାତିଦିନ କ୍ଲବ୍‌ରେ ପଡ଼ି ରହିଲା । + ସକାଳୁ ସଞ୍ଜ ଖାଲି ତାସ୍‌, ଇଂରାଜୀ ଖବରକାଗଜ, ଦୋକାନରେ ଯାବତ ଲୋକଙ୍କ ଦରବାର, ଆଉ ମାଲପାଣି; ଏଥିରେ ଲକ୍ଷେ ତ ଲକ୍ଷେ, ଦଶଲକ୍ଷ ହେଲେ ବି କ’ଣ ରହିବ ? ଯଦି ତାର ସେ ଆଗର ଥାଟ୍‌ ଥା’ନ୍ତା, ତା’ହେଲେ କ’ଣ ଗୋଟାଏ ଆପାଠୁଆ ପୁଅ ସାଙ୍ଗେ ତା’ର ଦଶମ ପାସ୍‌ ଝିଅକୁ ବାହା ଦେଇଥାନ୍ତା ?’’ +ଆପ୍ପଣା କେବେ କିଛି କଥା କହେନା, ହେଲେ ମଉକା ପାଇବା ମାତ୍ରେ ସିଏ ଯେ ଏମିତି ଅନର୍ଗଳ ବଢ଼ିଯିବ, ଏକଥା ସୋନାଲିର କଳ୍ପନାତୀତ ଥିଲା । + ସେ ପ୍ରଥମରୁ ଚିନ୍ତାରେ ବୁଢ଼ି ରହିଥିଲା ଯେ, ତା ଭାଗ୍ୟରେ ଏ କି ବିଚିତ୍ର ଘର ଥିଲା ? +ଦି’ପହରରେ ସେ ଖାଇପାରିଲା ନାହିଁ, ନିଜ ବଖରାଟିକୁ ଆସି ମୁହଁ ଭାରି କରି ବସି ରହିଲା । +ସିଏ ତା’ ମୁହଁ ଯେତେ ଭାରିକରି ବସୁ ପଛେ, ସେଥିରେ କାହାର ବା କି ଗରଜ ପଡ଼ିଚି ? ଶାଶୁ ଆସିଲେ ନାହିଁ । +ପତିଦେବଙ୍କର ତ ସବୁବେଳ ଦୋକାନରେ ହିଁ କଟେ । +ସେ ଖବରକାଗଜ ଉଠେଇ ଫାଡ଼ି ଫୋପାଡ଼ି ଦେଲା । +ତାର ମନେପଡ଼ିଲା, ସେମାନେ ତା’ର ବାପାଙ୍କୁ ନିନ୍ଦା କରିଥିଲେ । +ତାଙ୍କର ଦେବାଳିଆ ହେବାର କାରଣ ତାସ୍‌ ତ ନିଶ୍ଚୟ, କିନ୍ତୁ କେବଳ ତାସ୍‌ ତ ହୋଇ ନପାରେ । +କ’ଣ ସିଏ ଖବର କାଗଜ ପଢ଼ି ପଢ଼ି ଦେବାଳିଆ ହେଇଗଲେ ? ସେ ଦେବାଳିଆ ହେଲେ, ଏହା ଅବଶ୍ୟ ସତ୍ୟ; ମାତ୍ର ସେ ନିଜ ଝିଅର ବାହାଘର ଜଣେ ଆଇ.ସି.ଏସ୍‌. ସହିତ କରାଇଦେବାକୁ ଚାହୁଁଥିଲେ । +କିନ୍ତୁ ଶେଷରେ ଆପ୍ପଣା ହାତରେ ହିଁ ତାଙ୍କୁ ନିଜ ଝିଅର ହାତ ଛନ୍ଦି ଦେବାକୁ ହେଲା; ଆଉ କିଛି ଥାଉ ନଥାଉ, ଖିଆପିଆ ବା ଲୁଗାପଟାର ଚିନ୍ତା ତ ଅନ୍ତତଃ ରହିବ ନାହିଁ । +ସେ ନିଜ ଝିଅକୁ ଖୁବ୍‌ ଗେଲବସରରେ ବଢ଼ାଇଥିଲେ । +ଭାରି ଅଲିଅଳୀ ଥିଲା ସିଏ । +ବାହାଘରର ଅଳ୍ପ କିଛିଦିନ ଆଗରୁ ହିଁ ସେ ଆପ୍ପଣାର ଘର ସମ୍ପର୍କରେ ସବୁକଥା ଜାଣିଲେ । +ଏବେ ଆଉ କ’ଣ ବା କରାଯାଇପାରେ ? ସୋନାଲି ଭାବିବାରେ ଲାଗିଲା । +ବାପଘର ଚାଲିଯିବାଟା କ’ଣ ଉଚିତ୍‌ ହେବ ? ତା’ ବାପା ସବୁ ଜଞ୍ଜାଳରୁ ମୁକ୍ତି ନେବା କଥା ଚିନ୍ତା କରୁଥିଲେ । +ତାଙ୍କ ଉପରେ ନିଜ ଚିନ୍ତାର ଭାର ଲଦିଦେଇ ତାଙ୍କୁ ପୁଣି ଦୁଃଖୀ କରିବାଟା ଠିକ୍‌ ହେବ ? ସତର ବର୍ଷ ବୟସରେ ତାର ବାହାଘର ହୋଇଥିଲା । +ଏବେ ତାକୁ ଚବିଶ୍‌ । +ଦୁଃଖ ବାଣ୍ଟିବା ପାଇଁ କୋଳରେ ପିଲାଟିଏ ବି ନାହିଁ । +ଲୋକବାକ ଭିତରେ ଥାଇ ବି ସିଏ ଏକା । +ଅନେକବାର ସୋନାଲିର ଇଚ୍ଛା ହୋଇଛି, ବାପ ଘରକୁ ଚାଲିଯିବ । +ତାର ବାପା ତାକୁ ଦେଖିଲା ମାତ୍ରେ କହୁଥିଲେ, ‘‘ମୁଁ ତତେ କୂଅକୁ ଠେଲି ଦେଲି ।’’ କହି କାନ୍ଦି ଉଠୁଥିଲେ । +ଏବେ ତାଙ୍କ ଆଗରେ ଯଦି ନିଜର ଦୁଃଖ ବଖାଣି ବସେ, ତା’ହେଲେ ତାଙ୍କ ମନରେ ଭାରି ଦୁଃଖ ହେବ । +ସେଥିପାଇଁ ଯେବେ ବି ସିଏ ବାପଘର ଯାଇଛି, ନିଜ ଶଶୁରଘରର ବୈଭବ ବଖାଣିଚି । +ସୋନାଲି ମନେମନେ ଭାବିଲା, ଏପରି ଏକ ବୀଭତ୍ସ କ୍ଷତ ତାଙ୍କୁ ଯାଇ ଦେଖାଇବା ଠିକ୍‌ ହେବ ନାହିଁ, ସେଠିକି ଯାଇ ତାଙ୍କ ସାଙ୍ଗେ ମିଶି ଅଭାବ ଅନଟନ ଭିତରେ ଦିନ କାଟିବା ବି ଠିକ୍‌ ହେବ ନାହିଁ । +ଏବେ ତା’ହେଲେ କ’ଣ କରାଯାଇପାରେ ? +ସ୍ବାମୀକୁ ବିଦ୍ବାନ କରିବା ସମ୍ଭବ ନୁହେଁ । +ତାଙ୍କ ପାଖରେ ତ ଅନେକ ବିଦ୍ୟା । +ସ୍କୁଲ୍‌ ଯାଇ- ବେପାର ପାଇଁ ଅତି କମ୍‌ରେ ଯେତିକି ଦରକାର ସେତିକି ଜ୍ଞାନ ସିଏ ହାସଲ କରି ସାରିଛନ୍ତି । +କିନ୍ତୁ ଏମିତି କ’ଣ କିଛି ସ୍କୁଲ ଅଛି, ଯେଉଁଠୁ ଦାମ୍ପତ୍ୟ ପାଇଁ ପ୍ରୟୋଜନ ଜ୍ଞାନ ହାସଲ କରାଯାଇପାରିବ ? ଏହି ଚିନ୍ତା ତା’ମନରେ ଆସୁଥିଲା । +ଯଦି କୌଣସି ସ୍କୁଲ୍‌ରେ ଏପରି କିଛି ଶିକ୍ଷା ଦିଆଯାଉଥାଆନ୍ତା, ତା’ହେଲେ ସବୁ ସ୍କୁଲ୍‌ କଲେଜ୍‌, ପରୀକ୍ଷାକେନ୍ଦ୍ର ହେବା ବଦଳରେ ବିବାହ ମଣ୍ଡପ ହୋଇଯାଆନ୍ତା ନାହିଁକି ? ଏକଥା ମନକୁ ଆସିବା ମାତ୍ରେ ସିଏ ହସି ଉଠିଲା । +ହସି ହସି ତା ପେଟ କ’ଣ ହେଇଗଲା । + ମାତ୍ର ପରକ୍ଷଣରେ ତା’ର ମନକୁ ଆସିଲା, ଯେଉଁ ବିଦ୍ୟା ପରିବାରରେ ଦରକାରରେ ନ ଲାଗୁଚି, ସେ ବିଦ୍ୟା ଯାହା କିଛି ହେଉ ପଛେ, ସେଥିରେ କି ଲାଭ ? + ଅଲଗା ଅଲଗା ପୁରୁଷ ଅଲଗା ଅଲଗା ନାରୀକୁ ଅଲଗା ଅଲଗା ବଢ଼େଇ, କୁଢ଼େଇ ଦିନେ ଦୁହିଁଙ୍କୁ ଏକାଠି ଦାମ୍ପତ୍ୟପାଇଁ ବାହାବେଦୀରେ ବସେଇ ଦେବାଟା କ’ଣ ଏକ ଭ୍ରମ ନୁହେଁ ? +କନ୍ନଡ଼ ସାହିତ୍ୟ ପ୍ରଖ୍ୟାତ ସାହିତ୍ୟିକ ଏବଂ ଭାରତୀୟ ସାହିତ୍ୟର ସର୍ବୋଚ୍ଚ ପୁରସ୍କାର ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ କେ.ଶିବରାମ କରନ୍ଥ(୧୯୦୨-୧୯୯୭)ଙ୍କ ବହୁଳ ପଠିତ “ଦାମ୍ପତ୍ୟ” ଉପନ୍ୟାସକୁ ଏକ କାହାଣୀ ମାଧ୍ୟମରେ ଉପସ୍ଥାପନା କରିଛନ୍ତି ଅସିତ୍‌ ମହାନ୍ତି । +“ଜ୍ଞାନପୀଠ ବିଜେତାଙ୍କ କଥା ଓ କାହାଣୀ-ଅଧ୍ୟାୟ ଏକବିଂଶ” ଶୀର୍ଷରେ ପ୍ରଜାତନ୍ତ୍ର ପ୍ରଚାର ସମିତି ପକ୍ଷରୁ ପ୍ରକାଶିତ ପୁସ୍ତକରୁ ଏହି କାହାଣୀଟି ସଂଗୃହିତ ।