diff --git a/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_galpa_31 b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_galpa_31 new file mode 100644 index 0000000000000000000000000000000000000000..65f806bc741bc33657eba1c5d31b4fcac54d6e2e --- /dev/null +++ b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_galpa_31 @@ -0,0 +1,202 @@ +ସ୍ବପ୍ନ ସାଗର + ଡ. ଅଭିମନ୍ୟୁ ବରାଳ, ସାକ୍ଷୀଗୋପାଳ +ତା: ଫେବୃଆରୀ ୯, ୨୦୧୧ +ମୂଳ ପୃଷ୍ଠା → ଗଳ୍ପ → ଆଧୁନିକ → +ଗାଁ ମୁଣ୍ଡରୁ ବାହାରି ଅଙ୍କାବଙ୍କା ରାସ୍ତାଟି ଯେଉଁଠି ଉତ୍ତରପଟକୁ ବୁଲିଯାଇଛି, ଠିକ୍ ସେଇଠି ପୂର୍ବପଟେ ରାସ୍ତାକୁ ଲାଗି ଗୋଟାଏ ବିରାଟ ଦଣ୍ଡା । +ବର୍ଷାଦିନେ ଗାଁର ଗୋରୁଗାଈ ସେଇଠି ଚରନ୍ତି । +ଦଣ୍ଡାର ଗୋଟାଏ ପଟେ ପ୍ରକାଣ୍ଡ ବରଗଛ । +ସେହି ବରଗଛର ବଡବଡ ଓହଳରେ ଗାଁ ପିଲାମାନେ ଡାଳିମାଙ୍କୁଡି ଖେଳନ୍ତି । +ଗାଈଆଳ ପିଲାମାନେ ଖରାବେଳେ ବରଗଛ ଛାଇରେ ଗାଈପଲକୁ ରଖି ବିଶ୍ରାମ କରନ୍ତି । +କେତେବେଳେ କିଏ ଜଣେ ସେହି ଗଛମୂଳେ ଜହର ଖାଇ ମରିଯାଇଥିଲା । +ସେହିଦିନୁ ଲୋକମାନେ ତାକୁ କହନ୍ତି ଜହରଖିଆ ବରଗଛ । +ଗାଁଠାରୁ ଟିକିଏ ଦୂର ବୋଲି ସଞ୍ଜ ହେଲେ ଆଉ ସେଠାକୁ କେହି ଯାଆନ୍ତିନାହିଁ । +ବରଫଳ ଖାଇବାକୁ ବାହୁଡାମାନେ ଆସି ଫଡ୍ଫଡ୍ ହୋଇ ଏ ଡାଳରୁ ସେ ଡାଳ ହୁଅନ୍ତି । +ଟିକିଏ ଅନ୍ଧାରୁଆ ହୋଇଗଲେ ଗଛ ମୂଳ ହୋଇଯାଏ ଶୂନ୍ଶାନ୍ । +କିଏ ବା କାହିଁକି ସେଠାକୁ ଆସିବ ? ବୁଢାମାନେ କହନ୍ତି- ବେଳେ ବେଳେ ସେ ଗଛରୁ ଭୂତ ବାହାରେ । +ଭୂତ ଭୟରେ ସଞ୍ଜ ହେଲେ ଆଉ ସେଠାକୁ କେହି ଯାଆନ୍ତିନାହିଁ । +ମୁହଁ ଅନ୍ଧାର ହୋଇଆସିଲାଣି । +ସେହି ଗଛ ମୂଳେ ଗଛକୁ ଆଉଜି ଏକୁଟିଆ ବସିଛି ସର । +ଆଖି ବୁଜି ସେ ତାର ଅତୀତକୁ ଭାବିଚାଲିଛି । +ଜଗୁ ସ୍ବାଇଁର ସେ ଏକମାତ୍ର ଝିଅ । +ବାପ-ମା’ ନାଁ ଦେଇଥିଲେ ସରୀତା, କିନ୍ତୁ ଶ୍ରଦ୍ଧାରେ ତାକୁ ସମସ୍ତେ ଡାକନ୍ତି ସର । +ସରକୁ ଯେତେବେଳେ ପାଞ୍ଚବର୍ଷ ମା’ କୁନ୍ତଳା ଆଖି ବୁଜିଲା । +କ’ଣ ରୋଗ ହେଲା ଯେ, ଆଉ ସେ ଭଲ ହେଲାନି । +ବାପ ତ ଗରିବ ଦିନ ମଜୁରିଆ, କୁଆଡୁ ବା ପଇସା ଆଣି କଟକ ନେଇ ରୋଗ ଭଲ କରିଥାନ୍ତା ? ତଥାପି ସେ ପାରୁପର୍ଯ୍ୟନ୍ତେ ଚେଷ୍ଟା କରିଛି । +ହେଲେ ସେ ରହିଲାନି, ଗଲାବେଳେ ଏତିକି କହିଥିଲା- ‘ମୋ ଝିଅ ତୁମକୁ ଲାଗିଲା’ । +ତାକୁ ହତାଦର କରିବନାହିଁ ‘ । +ଜଗୁ ମଧ୍ୟ କୁନ୍ତଳାର କଥାକୁ ଅକ୍ଷରେ ଅକ୍ଷରେ ପାଳିଥିଲା । +କରତ କଳରେ କାମ କରି ଯାହା ଆଣେ ବାପଝିଅ ଚଳିଯାଆନ୍ତି । +ରୋଷେଇବାସରେ ସାନଭାଇର ପିଲାମାନେ ଟିକେ ସାହାଯ୍ୟ କରିଦିଅନ୍ତି । +ଏହିଭଳି ବର୍ଷ ଗୋଟାଏ କଟିଛି କି ନାହିଁ, ଦିନେ କରତ କଳରେ ଦୁର୍ଘଟଣା ଘଟି ଜଗୁ ସେପାରିକୁ ଚାଲିଗଲା । +ମା’ ଯାଇଥିଲା । +ବାପ ବି ଚାଲିଗଲା । +ବିଚାରି ସର କାନ୍ଥକୁ ଆଉଜି ଖାଲି କାନ୍ଦୁଥାଏ । + ଫୁଲଟିଏ ଫୁଟିବା ଆଗରୁ ତାର କଢି ଯଦି ପ୍ରଚଣ୍ଡ ଆଘାତ ପାଏ- ସେ କଣ ମନ ଖୁସି ଫୁଟିପାରିବ ? +ସର ଏବେ ଏକା । +ଦିଗହଜା ସମୁଦ୍ର ଭିତରେ ନାବିକହୀନ ନୌକା ଭଳି ସେ ଭାସିଚାଲିଛି । +କେମିତି କୂଳରେ ଲାଗିବ କେଜାଣି ? ଆହା ! ବୋଲି କହିବାକୁ କେହି ନାହିଁ । +ଏହାକୁ ହିଁ କହନ୍ତି ଭାଗ୍ୟର ବିଡମ୍ବନା ! ସଂସାରରେ ବାପ-ମା’ଙ୍କୁ ହରାଇଛି- ତା ପାଇଁ ସବୁ ଅନ୍ଧାର । +ସବୁ ଶୂନ୍ୟ । +ବାପର ଶୁଦ୍ଧିଘର ସରିଲା । +ବନ୍ଧୁବାନ୍ଧବ, ସାହିଭାଇ ବସିଲେ । +ସରକୁ ଦାଦିଖୁଡ଼ୀଙ୍କ ଜିମା ଦେଲେ । +ସମସ୍ତେ ବୁଝେଇଦେଲେ- ଡାଳ ଭାଙ୍ଗିଲେ ମୂଳରେ । +କିଛି ନ ଥିଲେ ବି ଜଗୁର ଅଧଗୁଣ୍ଠେ ଘରଡିହ ତ ଅଛି ? ଇଏ ଝିଅ ପିଲାଟା, ଅଳିଆ ଗଦା । +ପାଞ୍ଚ ତିନି ବରଷ ଗଲେ ପର ଘରକୁ ଚାଲିଯିବ । +ପରହାଣ୍ଡି ଧୋଇ ଖାଇବ । +ଘରଡିହଟାକୁ ତ ତୋରି ପିଲାମାନେ ଭୋଗିବେ । +ସର କ’ଣ ଘରଡିହ ମୁଣ୍ଡେଇନେଇଯିବ ? ଆରେ ଝିଅ କିଏ ଝିଆରୀ କିଏ ? କ’ଣ ମାଧିଆ କହୁନୁ ? ସାହିଭାଇଙ୍କ କଥାରେ ମାଧିଆ ରାଜି ହେଲା । +ସରକୁ ନିଜ ପାଖରେ ରଖିଲା । +ସର ରୂପରେ ଯେପରି ଗୁଣରେ ମଧ୍ୟ ସେପରି । +ଗାଁରେ ସମସ୍ତେ ତା’ ବ୍ୟବହାରରେ ଖୁସି । +ବାପମା’ ଛେଉଣ୍ଡ ପିଲାଟିଏ ବୋଲି ସମସ୍ତେ ତାକୁ ଶ୍ରଦ୍ଧା କରନ୍ତି । +କାହା ଘରେ ଭଲମନ୍ଦ, ପୁନିଅଁପରବ ହେଲେ ସମସ୍ତେ ସରକୁ ଡାକନ୍ତି । +ହେଲେ ସର ଖୁଡୀ ନ କହିଲେ ଯାଏନାହଁ । +ଘରକୁ କିଏ ପିଠାପଣା ପଠେଇଲେ ଖୁଡୀର ମନ ହେଲେ କେବେ ଖଣ୍ଡେ ସରକୁ ଦିଏ, ନହେଲେ ନାହିଁ । +ସର କିନ୍ତୁ ମନ ଦୁଃଖ କରେନି । +ଗୁଣ୍ଡାଏ ଦେଲେ ଖୁନ୍ଦାଏ ମାରିବେ । +ସମସ୍ତେ ତ ମା’ ନୁହନ୍ତି । +ଦାଦି ମାଧିଆ ସବୁବେଳେ କାମଧନ୍ଦାରେ ଯାଏ । +ଘରେ ସବୁ କଥା ଖୁଡୀ ବୁଝାବୁଝି କରେ । +ସବୁବେଳେ ସେ ସର ଉପରେ ଗରଗର ହେଉଥାଏ । +ଖୁଡୀର କଥାରେ ସର ମନେମନେ ବହୁତ କାନ୍ଦେ । +କିନ୍ତୁ କାହାକୁ କିଛି କହେନାହିଁ । +କହିଲେ ବା କିଏ କ’ଣ କରିବ ? ତାର ବା ଆଉ କିଏ ଅଛି । +ସଞ୍ଜବେଳେ ଦାଦି ଘରକୁ ଆସିଲେ ସରକୁ ଡାକି ସୁବିଧା ଅସୁବିଧା କଥା ପଚାରେ । +କିନ୍ତୁ ସର କିଛି କହେନାହିଁ । +ଦାଦିର କଥାରେ ସ୍ନେହ ଥାଏ, ଆନ୍ତରିକତା ଥାଏ, ଯେତେହେଲେ ତ ବାପର ଭାଇ ଖୁଡୁତା । +ଗାଁ ସେ ମୁଣ୍ଡରେ ସାଗରର ଘର । +ଧନୀଘର ପୁଅ ସେ । +ପାଠଶାଠ ପଢିଛି । +ଗାଁରେ ମଧ୍ୟ ସମସ୍ତେ ତାକୁ ଖାତିର କରନ୍ତି । +ଅଭାବ ଅସୁବିଧାରେ ସେ ସମସ୍ତଙ୍କ ପାଖରେ ଠିଆ ହୁଏ । +ଶ୍ରାଦ୍ଧମଉଳା, ବାହାପୁଆଣୀରେ କାହାର କିଛି ଅସୁବିଧା ହେଲେ ସାଗର ଯଥା ସମ୍ଭବ ସାହାଯ୍ୟ କରିଥାଏ । +ଗାଁରେ କାହାର ରୋଗବୈରାଗ ହେଲେ ସାଗର ଆସି ଠିଆ ହୋଇଯାଏ । +ଡାକ୍ତରଖାନା ଯିବାଠାରୁ ଔଷଧପତ୍ର ପର୍ଯ୍ୟନ୍ତ ସବୁ ବ୍ୟବସ୍ଥା ସାଗର କରିଦିଏ । +ଗାଁ ଲୋକେ କହନ୍ତି ସାଗରବାବୁ ମଣିଷ ନୁହଁନ୍ତି, ଦେବତା । +ଜଗୁ ସ୍ବାଇଁ ଘର ସହିତ ପାରିବାରିକ ସଂପର୍କ ବହୁ ଆଗରୁ ଅଛି । +ଜଗୁର ସ୍ତ୍ରୀ କୁନ୍ତଳା ସାଗରର ଦୂର ସଂପର୍କୀୟ ପିଉସୀ ଲାଗେ । +ସାଗର ବେଳେବେଳେ ସର ଘରଆଡେ ବୁଲିଆସେ । +ଭଲବନ୍ଦ ବୁଝେ । +ସର ସାଙ୍ଗରେ ହସଖୁସି ହୁଏ, ଥଟାମଜା କରେ, ପୁଣି ତା ଘରକୁ ଚାଲିଯାଏ । +ଖୁଡୀର ଟାଉଁଟାଉଁ କଥାରେ ସେ ଯେତିକି ଆଘାତ ପାଇଥାଏ – ସାଗର ଭାଇ ସାଙ୍ଗେ କଥାବାର୍ତ୍ତା ହେଲେ ସେତକ ଭୁଲିଯାଏ । +ସର ମାମୁଁ ଘରେ କେହି ନ ଥିଲେ ବୋଲି କୁନ୍ତଳା ମରିବା ପରେ ସାଗର ଘରୁ ସରକୁ ପ୍ରଥମାଷ୍ଟମୀ ଦିଅନ୍ତି । +ରଜ ଦୋଳପୂର୍ଣ୍ଣମୀରେ ବି କାଟନ୍ତି ନାହିଁ । +ମାମୁଁ ଘର ନାହିଁ ବୋଲି ସର କେବେ ଭାବିନାହିଁ । +ରଜ, କୁଆଁର ପୁନେଇଁ, ଖୁଦୁରୁକୁଣୀରେ ଗାଁ ଝିଅମାନେ କେତେ ମଜା କରନ୍ତି । +ଚାନ୍ଦାଭେଦା କରି ଭୋଜିଭାତ କରନ୍ତି । +ସର ସେଥିରେ ଭାଗ ନେଇପାରେନାହିଁ । +ଖୁଡୀ ତ ପଇସାଟିଏ ଦେବନି ଇଏ କାହିଁକି ସେଠିକି ଯିବ ? ସାଗର ଜାଣିବା ପରେ ଗାଁ ପିଲାଙ୍କୁ ସର ଭାଗର ଚାନ୍ଦାଟା ଦେଇଦିଏ । +ଏକଥା ଖୁଡୀ ଜାଣେନି । +ଗାଁ ଝିଅ ମାନେ କହନ୍ତି ସରଦେଇ କ’ଣ ବା ଦବ ? ତା’ର କିଏ ଅଛି ? ସେ ସେମିତି ଆମ ପାଖେ ବସିଲେ କାହିଁରେ କ’ଣ । +ଘରର ଯାବତୀୟ କାମ କରେ ସର । +ଖୁଡୀ ପାନ ଖିଲେ କଳରେ ଜାକି ଖାଲି ଟହଲ ମାରୁଥାଏ । +ଗାଁ ମାଇପିଙ୍କ ସଙ୍ଗେ ଖୁସିଗପ କରେ । +ସର ଯଦି କେବେ ଦାଣ୍ଡ ଦୁଆରେ ଟିକେ ଠିଆ ହୋଇଯାଏ ଖୁଡୀ ଟାଉଁଟାଉଁ କରି କହେ – ଭୁଆଷୁଣୀ ଝିଅଟା କ’ଣ ବା ଏଠି ଠିଆ ହୋଇଛୁ ? ସର କିଛି ନ କହି ଘର ଭିତରକୁ ଚାଲିଆସେ । +ଗୁହାଳ ଗୋବର, ଲିପାପୋଛା ସବୁ କାମ କରେ । +ସମସ୍ତେ ଖାଇପିଇ ଶୋଇଲେ କ’ଣ ଦି’ଟା ଖାଇଦେଇ ସର ଶୋଇବାକୁ ଯାଏ । +ଦାଦି ଯେତେବେଳେ ପଚାରେ – ମା’ ସର କିଛି ଅସୁବିଧା ହେଉନି ତ ? ଆଲୋ ମା’ ଖାଇଲୁଣି ? ସେତେବେଳେ କ’ଣ ଗୋଟାଏ କହି ଖୁଡୀ କଥାଟାକୁ ଅନ୍ୟଆଡେ ନେଇଯାଏ । +ସର ଆଖିର ଲୁହ ଆଖିରେ ମରେ । +ଓଷାପୂନିଅଁରେ ସାଗର ସର ଘରକୁ ଆସେ । +ପଇସାପତ୍ର ଦର୍କାର ଥିଲେ ଦେଇଯାଏ । +ପର୍ବପର୍ବାଣୀରେ ସରକୁ ନିଜ ଘରକୁ ମଧ୍ୟ ଡାକି ନିଏ । +ଅନ୍ୟ କାହା କଥା ହେଲେ ଖୁଡୀ ହୁଏତ କ’ଣ କହନ୍ତା । +କିନ୍ତୁ ସାଗରକୁ କିଛି କହିପାରେନାହିଁ । +ସର ତାଙ୍କ ଘରକୁ ଯାଏ । +ଖୁଡୀ ତାଗିଦ କରି କହିଥାଏ – ସଞ୍ଜବେଳକୁ ଛାଡିଦେବ । +କେତେବେଳେ କେମିତି ଶାଢୀ ଖଣ୍ଡେ ସରକୁ ସାଗର ଦେଇଥାଏ, ଖୁଡୀ କିନ୍ତୁ ସେ ଖଣ୍ଡକୁ ପିନ୍ଧି ପୁରୁଣା ଖଣ୍ଡେ ସରକୁ ଦେଇଦିଏ । +ସର କିନ୍ତୁ କିଛି ଭାବେନି । +ଖୁଡୀ ଦେଇଛି ବୋଲି ଖୁସି ହୁଏ । +ଦିଲୁ ଠିକାଦାର । +କୋଉଠାର କେଜାଣି ? ଗାଁରେ ଆସ୍ଥାନ ଜମେଇଛି, ବହୁତ ପଇସା ବାଲା ସେ । +ଗାଁରେ ତାକୁ ସମସ୍ତେ ଡରନ୍ତି । +ଲୋକମାନଙ୍କୁ ଚଢା ସୁଧରେ ଟଙ୍କା କରଜ ଦିଏ । +ସୁଧ ଠିକ୍ ବେଳେ ନ ଦେଲେ କ’ଣ ବୋଲି କ’ଣ କରିଦିଏ । +ଶେଷକୁ ଜମିବାଡ଼ି, ଘରଦ୍ବାର ସବୁ ନେଇଯାଏ । +ତା ଜାଲରେ ଯିଏ ଥରେ ପଡିଛି ମୁକୁଳିବା କଷ୍ଟ । +ମାଧିଆ ତାଠାରୁ କିଛି ଟଙ୍କା ଆଣିଥିଲା ଘର ତୋଳିବାକୁ । +ଇନ୍ଦିରା ଆବାସ ଟଙ୍କା ମିଳିଲେ ଦେଇଦେବାକୁ ଭାବିଥିଲା । +କିନ୍ତୁ ଇନ୍ଦିରା ଆବାସ ବିଲ୍ ମିଳିଲାନି । +ଟଙ୍କାଟା ଫେରାଇବା ସମ୍ଭବ ହେଲାନି । +ଦିନେ ମାଧିଆକୁ ଦିଲୁ ଠିକାଦାର ଟଙ୍କା ମାଗିଲା । +ମାଧିଆ ବହୁତ ନଇଁ ନମସ୍ତି ହୋଇ କହିଲା – ବାବୁ ଟଙ୍କା ମିଳିନି । +ସରକାରୀ ଘର କଥା । +ଆମ ସରପଞ୍ଚ ବାବୁ କହୁଥିଲେ ଏବେ ମିଳିଯିବ । +ମୁଁ ପାଇଲା ମାତ୍ରେ ଆଗ ଆପଣଙ୍କୁ ଦେଇଦେବି । +କ’ଣ କରିବି ଆଜ୍ଞା, ଆପଣ ଚାହିଁ ନ ଥିଲେ ଘର ଖଣ୍ଡକ ହୋଇପାରି ନ ଥାନ୍ତା । +ଟଙ୍କା ମାଗିବାକୁ କେତେଥର ଠିକାଦାର ମାଧିଆ ଘରକୁ ଯାଇଛି । +ମାଧିଆ ଝିଆରୀ ସରକୁ ସେ ଦେଖିଛି । +ଗରିବ ଘରର ଝିଅ ହେଲେ କ’ଣ ହେଲା ଗୋଟିଏ ଚାଉଳରେ ଗଢା । +ଖତଗଦାରେ ପଦ୍ମ ! ଠିକାଦାରକୁ ଦେଖିଲେ ସର ଭିତରକୁ ଚାଲିଯାଏ ସତ କିନ୍ତୁ ଠିକାଦାରର ପାପ ଆଖି ସତେ ଯେମିତି ସର ପାଖେ ଥାଏ । +ଦିନେ ଠିକାଦାର ସରର ଖୁଡ଼ୀକୁ କହିଲା – କିଲୋ ବନି, ମାଧିଆ ତ ଟଙ୍କା ଦେଲାନି । +ନିଜ ଲୋକ ବୋଲି କିଛି କହିପାରୁନି । +ଟଙ୍କା ବା ସେ କୋଉଠୁ ଦେବ ? ଜମିବାଡି ତ କିଛି ନାହିଁ । +ବରଂ କାମଧନ୍ଦା କରି ପଇସାଟା ଶୁଝୁ । +ଏଇ ସରକୁ ଟିକେ ମୋ ଅଫିସ ଆଡେ ଛାଡୁନୁ । +ଘର ଟିକେ ଝାଡୁ କରିଦେବ, ଛୋଟମୋଟ କାମ ଯାହା ଥିବ କରିଦେଇଆସିବ । +ସେଥିପାଇଁ ମୁଁ କ’ଣ କିଛି ଦେବିନି ? କିଛି ନ ଦେଲେ ତୁମ ଟଙ୍କାଟା ଧୀରେ ଧୀରେ ଶୁଝିଯିବ । +ବନି ମନକୁ ଠିକାଦାର କଥାଟା ପାଇଗଲା । +ସେ କହିଲା – ଠିକ୍ ଅଛି ବାବୁ, ତା ଦାଦି ଆସିଲେ ଟିକିଏ ପଚାରି କାଲିଆଡକୁ ପଠାଇବି । +ଠିକାଦାର କହିଲା – ହଁ ପାଞ୍ଚଟା ବେଳକୁ ପଠାଇବୁ । +ଘରକାମ କରି ମୁଠାଏ ଖାଇଦେଇଆସିବ । +ଯଦି ନ ଆସିପାରିବ – ତେବେ କ’ଣ ଘର ଅଭାବ ଅଛି ? ରାତିରେ ରହିଯିବ । +କେତେ ଲୋକ ତ ରହୁଛନ୍ତି । +ତାର କ’ଣ ଅସୁବିଧା ? ଠିକାଦାର ହସିହସି କହିଲା । +ଠିକାଦାରର କଥାଗୁଡାକ ସର ଦେହରେ ଛୁରୀ ଭୂଷିଲା ଭଳି ଲାଗୁଥିଲା । +ସର ମୁଣ୍ଡରେ ବଜ୍ର ପଡିଲା । +ସର ଠିକ୍ ବୁଝିପାରିଲା ଖୁଡୀର ମନ୍ଦ ଉଦ୍ଦେଶ୍ୟ । +ଠିକାଦାରର ପାପ ଲାଳସାର ଗନ୍ଧ ବେଶ୍ ବାରିହୋଇଯାଉଥିଲା । +ରାତି ପାହି ସକାଳ ହେଲା । +କିନ୍ତୁ ସର ଆଖିକୁ ଯେମିତି ଘନ ଅନ୍ଧାର ମାଡ଼ିଆସୁଥାଏ । +କ’ଣ କରିବ ସେ, କାହାକୁ କହିବ ତା ଦୁଃଖ ? ସାଗର ଭାଇ କଟକ ଯାଇଛନ୍ତି । +କୋଉ ଗୋଟେ ରୋଗୀ କଥା ବୁଝିବାକୁ । +ସେ ହେଲେ ଗାଁରେ ଥାଆନ୍ତେ କି ! ସଞ୍ଜ ହେବା ଆଗରୁ ଖୁଡୀ ଠିକାଦାରର କାମ କରିବାକୁ ତାଗିଦ କଲା । +ବହୁତ ବାଧ୍ୟ କଲା । +ସର କିନ୍ତୁ ଦେହ ଖରାପ ଥିବାର ବାହାନା କରି ଘୋଡିହୋଇ ଶୋଇଲା । +ଖୁଡିକୁ ନେହୁରା ହୋଇ କହିଲା – ମୋ ଦେହ ଆଜି ଭୀଷଣ ଖରାପ, ତୁ ଖବର ଦେଇଦେ, ମୁଁ କାଲିକୁ ଯିବି । +ସକାଳ ହେଲା । +ସୂର୍ଯ୍ୟ ଉଇଁଲେ । +ସର କିନ୍ତୁ ଦେଖୁଥିଲା, ଭୀଷଣ କୁହୁଡିରେ କେମିତି ଲୁଚିଯାଉଛି ସୂର୍ଯ୍ୟର ଛବି । +ତା ପାଇଁ ଆଜି ପରୀକ୍ଷାର ଦିନ । +କାଲି ସିନା ଦେହ ଖରାପର ବାହାନା କରି ରହିଗଲା ହେଲେ ଆଜି କ’ଣ କହିବ ? ଖୁଡୀ ଆଜି ଯେମିତି ହେଲେ ସରକୁ ପଠାଇବ । +ଠିକାଦାର କାଲି ଧମକ ଦେଇଛି – ଏଥର ନ ଗଲେ ଟାଣିଟାଣି ନେବ । +ଦୁଇଦିନ ହେଲାଣି ସାଗର ଭାଇଙ୍କର ଦେଖାନାହିଁ । +କାହାକୁ କହିବ ସେ ମନ କଥା । +ବେଳ ଦି’ଘଡି ଅଛି ଖୁଡୀର ତାଗିଦ – ଶିଘ୍ର ବାହାର , ଠିକାଦାର ଘରକୁ ଯିବୁ । +ନହେଲେ ଠିକାଦାର ଆଜି ରାଗିବ । +କାମ କରିବାକୁ ତା’ର କେହି ନାହିଁ । +ଆମକୁ ଯେମିତି ହେଲେ ତାର ଋଣ ଶୁଝିବାକୁ ହବ । +ସର ସବୁ ଶୁଣି ନୀରବ ରହିଲା । +ଗୋଡହାତ ଧୋଇବାକୁ ବାଡିପଟ ଗାଡିଆକୁ ଗଲା ସର । +ଖୁଡୀ କହୁଥାଏ – ଗୋଡହାତ ଧୋଇ ଶୀଘ୍ର ଆ । +ସଞ୍ଜ ନଇଁ ଆସୁଥାଏ । +ଆଗକୁ ପଛକୁ ଚାହିଁ ସର ଏକମୁହାଁ ଚାଲିଲା । +କେତେବେଳେ ସେ ଆସି ଜହରଖିଆ ବରଗଛ ମୂଳେ ପହଁଞ୍ଚି ଯାଇଛି ତାକୁ ଜଣାନାହିଁ । +ଲଥକିନା ସେଇ ବରଗଛ ମୂଳେ ବସିପଡିଲା । +ବରଗଛକୁ ଆଉଜି ଆଖି ବୁଜିଦେଲା ସେ । +ଆଖିରୁ ତାର ବହିଯାଉଥାଏ ଧାର ଧାର ଲୁହ । +ରାତି ମାଡି ଆସିଲାଣି । +ଏଠି ପରା ଭୂତ ବାହାରନ୍ତି । +ଭୂତ ଆସି ମୋତେ ମାରିଦିଅନ୍ତା ନି ! ସମସ୍ତେ ତ ମଲେ, ମୁଁ ଏକା ଜୀଇଁ କାହିଁକି ହନ୍ତସନ୍ତ ହେଉଛି । +ଏ ହୀନିମାନିଆ ଜୀବନ ମୋର ଯାଉନି କାହିଁକି ? ଦଉଡି ଦେବି ? ନାଁ ମୋ ଦାଦିର ବଦନାମ ହେବ । +କିଛି ସ୍ଥିର କରିପାରୁନି ସେ । +ଜୁଳୁଜୁଳା ପୋକଗୁଡାକ ଚିକ୍ଚିକ୍ କରି ବୁଲୁଛନ୍ତି । +ବାଦୁଡିଗୁଡାକର ଚେଁ ଚାଁ ଫଡ୍ଫାଡ୍ ଶବ୍ଦ ନିର୍ଜନ ରାତିକୁ ଗମ୍ଭୀର କରିଦେଉଛି । +ବରଗଛ ଫାଙ୍କରେ ଜହ୍ନ ଆଲୁଅ ପଡି ସୁନ୍ଦର ଗାଲିଚା ଭଳି ଦେଖାଯାଉଛି । +ହଠାତ୍ କାହାର ହାତ ସର ମୁଣ୍ଡରେ ଲାଗିଲା । +ଚମକିପଡିଲା ସର । +ଚିତ୍କାର କଲା – ନାଁ ନାଁ ମୁଁ ସେଠାକୁ ଯିବିନି । +ମରିଯିବି ପଛେ ଯିବିନି । +ତୁ କୁଆଡେ ଯିବୁନି ସର । +ତୁ ମୋ ସାଙ୍ଗରେ ଯିବୁ ଆମ ଘରକୁ । +କିଏ ସାଗର ଭାଇ ? +ହଁ ମୁଁ ତୋ ସାଗର ଭାଇ । +ଅତଳ ଜଳରେ ବୁଡିଯାଉଥିବା ଲୋକ ସାହାରା ଟିକେ ପାଇଗଲା ଯେପରି । +ସାଗର ଛାତିରେ ମୁଣ୍ଡ ରଖି କଇଁକଇଁ ହୋଇ କାନ୍ଦିଉଠିଲା ସର । +ସାଗର ସରର ମୁଣ୍ଡକୁ ଆଉଁଷିଦେଉଦେଉ କହିଲା – କଟକରୁ ଆସି ସବୁ ଶୁଣି ତୋତେ ଖୋଜିଖୋଜି ଆସି ଏଠି ପହଞ୍ଚିଲି । +ଯାହା ହେଉ ପଛେ କିଛି ଅଘଟଣ ଘଟିବା ପୂର୍ବରୁ ତତେ ପାଇଗଲି । +କାଲିକି ସେମାନଙ୍କ ଖବର ବୁଝାଯିବ । +ଆଜିଠାରୁ ସବୁଦିନ ପାଇଁ ତୁ ମୋର ହୋଇ ଆମ ଘରେ ରହିବୁ । +ସାଗର ଛାତିରେ ମୁଣ୍ଡ ରଖି କାନ୍ଦୁଥିଲା ସର । +ଆଖିରୁ ତାର ଅପସରିଯାଉଥିଲା କଳାବାଦଲ । +ସର ଦେଖୁଥିଲା ଏକ ନୂଆ ସ୍ବପ୍ନ .. ସାଗର ବକ୍ଷରେ ଶୋଇରହି ।