diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia149.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia149.txt new file mode 100644 index 0000000000000000000000000000000000000000..1af37e4e0a799db2c43296497522f401068195ba --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia149.txt @@ -0,0 +1,187 @@ +ଜୀବନ ତଥ୍ୟ +ଜୀବନ ତଥ୍ୟର ଲକ୍ଷ୍ୟ +ପିତାମାତା ତଥା ଶିଶୁର ଯତ୍ନ ନେଉଥିବା ଅନ୍ୟ ଲୋକ ମାନଙ୍କୁ ଶିଶୁର ଜୀବନର ସୁରକ୍ଷା ଓ ବିକାଶ ପାଇଁ ତଥ୍ୟ ଯୋଗାଇବା ଏହି ଜୀବନ ତଥ୍ୟ ବହିର ଲକ୍ଷ୍ୟ । +ସମସ୍ତେ ଯେପରି ହି ତଥ୍ୟକୁ ବୁଝିବେ ଏବଂ କାମରେ ଲଗାଇବା ଆଗେଇ ଆସିବେ । +ତାହା ନିଶ୍ଚିତ କରିବା ହିଁ ସବୁଠାରୁ ବଡ ଆହ୍ଵାନ । +ବିଜ୍ଞାନ ଜାଣିନଥିବା ସାଧାରଣ ଲୋକ ଏଗୁଡ଼ିକୁ ବୁଝି କାମରେ ଲଗାଇବା ପାଇଁ ତଥ୍ୟ ଗୁଡିକୁ ଅତି ସରଲା ଭାଷାରେ ଉପସ୍ଥାପନା କରାଯାଇଛି । +ସ୍ୱାସ୍ଥ୍ୟକର୍ମୀ, ଶିକ୍ଷକ, ଛାତ୍ର, ସରକାରୀ, ବେତାର ପ୍ରଚାରକ, ସାମ୍ବାଦିକ, ଗୋଷ୍ଠୀ, କର୍ମୀ ଧାର୍ମିକ ନେତା ଏବଂ ଅନ୍ୟ ସବୁ ଶ୍ରେଣୀର ଲୋକ - ଯୁବକ ଓ ବୃଦ୍ଧ, ପରିବାରର ସଦସ୍ୟ, ସାଙ୍ଗସାଥୀ, ପଡୋଶୀ, ପୁରୁଷ, ମହିଳା ଓ ଛୋଟପିଲା - ସମସ୍ତ ଜୀବନ ତଥ୍ୟରେ ଥିବା ବାର୍ତ୍ତାର ପ୍ରସାର ଦିଗରେ ସାହାଯ୍ୟ କରିପାରିବେ । +ଜୀବନ ତଥ୍ୟର ରୂପରେଖ +ଶିଶୁର ରୋଗ ଓ ମୃତ୍ୟୁର ମୁଖ୍ୟ କାରଣର ତଥ୍ୟ ଦିଆଯାଇଛି । +ଏଥିରେ ସମସ୍ୟାର ପରିସର ଏବଂ ସେ ବିଷୟରେ ପଦକ୍ଷେପ ନେବାର ଆବଶ୍ୟକତା ଉପରେ ସଂକ୍ଷିପ୍ତ ଆଲୋଚନା ରହିଛି । +କାମରେ ସାମିଲ ହେବା ପାଇଁ ଲୋକ ମାନଙ୍କୁ ପ୍ରେରଣା ଯୋଗାଇବା ଓ ଏହି ସୂଚନାର ବହୁଳ ପ୍ରସାର କରାଇବା ପାଇଁ ସେମାନଙ୍କୁ ଆଗ୍ରହୀ କରାଇବା ଏହାର ମୂଳ ଲକ୍ଷ୍ୟ । +ରାଜାନୈତିକ ନେତା ଓ ଗଣ ମାଧ୍ୟମକୁ ପ୍ରଭାବିତ କରିବା ପାଇଁ ମଧ୍ୟ ଏହାକୁ ବ୍ୟବହାର କରାଯାଇପାରେ । +ମୁଖ୍ୟ ସନ୍ଦେଶ ପିତାମାତା ଓ ଶିଶୁର ଯତ୍ନ ନେଉଥିବା ଅନ୍ୟ ମାନଙ୍କ ପାଇଁ ଉଦ୍ଦିଷ୍ଟ । +ଏଥିରେ ପିଲା ମାନଙ୍କୁ ସୁରକ୍ଷା ଦେବା ଦିଗରେ ଆବଶ୍ୟକ ସୂଚନା ରହିଛି । +ମୁଖ୍ୟ ସନ୍ଦେଶ ଗୁଡିକ ସ୍ପଷ୍ଟ, ସଂକ୍ଷିପ୍ତ ଏବଂ ପ୍ରୟୋଗାତ୍ମକ । +ତେଣୁ ଲୋକ ମାନେ ଏହାକୁ ସହଜରେ ବୁଝିପାରିବେ ଏବଂ ଏଥିରେ ଥିବା ପରାମର୍ଶ ଅନୁସାର କାମ କରିପାରିବେ । +ଏହି ସନ୍ଦେଶ ଗୁଡିକ ବିଭିନ୍ନ ଉପାୟରେ ବ୍ୟାପକ ଭାବରେ ସଞ୍ଚାରିତ ହେବା ଜରୁରୀ । +ସହାୟକ ସୂଚନା ହେଉଛି ମୁଖ୍ୟ ସନ୍ଦେଶର ବିସ୍ତୃତ ରୂପ । +ଏଥିରେ ଅଧିକ ତଥ୍ୟ ଏବଂ ପରାମର୍ଶ ରହିଛି । +ବିଶେଷ କରି ସ୍ୱାସ୍ଥ୍ୟକର୍ମୀ ଏବଂ ଅଧିକ ଜାଣିବାକୁ ଆଗ୍ରହୀ ବ୍ୟକ୍ତିଙ୍କ ପାଇଁ ଏଗୁଡିକ ଉପଯୋଗୀ । +ଶିଶୁର ଯତ୍ନ ନେଉଥିବା ବ୍ୟକ୍ତିଙ୍କ ପ୍ରଶ୍ନର ଉତ୍ତର ଦେବା ପାଇଁ ମଧ୍ୟ ଏହା ଉଦ୍ଦିଷ୍ଟ । +ଜୀବନ ତଥ୍ୟର ମୂଳ ସନ୍ଦେଶ +ଦୁଇଟି ସନ୍ତାନ ମଧ୍ୟରେ ଅତିକମରେ ଦୁଇବର୍ଷ ବ୍ୟବଧାନ, ୧୮ ବର୍ଷ ପୂର୍ବରୁ ଓ ୩୫ ବର୍ଷ ପରେ ଏବଂ ମୋଟରେ ୪ରୁ ଅଧିକ ଗର୍ଭଧାରଣ ନକଲେ ଉଭୟ ମହିଳା ଓ ଶିଶୁର ସ୍ୱାସ୍ଥ୍ୟ ଭଲ ରହିବ । +ପ୍ରତି ଗର୍ଭବତୀ ମହିଳା ପ୍ରସବ ପୂର୍ବ ଯତ୍ନ ପାଇଁ ସ୍ୱାସ୍ଥ୍ୟକର୍ମୀଙ୍କୁ ଦେଖା କରିବା ଏବଂ ପ୍ରସବ ସମୟରେ ପ୍ରଶିକ୍ଷିତ ସହାୟକଙ୍କ ସାହାଯ୍ୟ ନେବା ଜରୁରୀ । +ସବୁ ଗର୍ଭବତୀ ମହିଳା ଓ ତାଙ୍କ ପରିବାରର ଲୋକେ ଗର୍ଭଧାରଣ ସମୟରେ ଦେଖାଯାଉଥିବା ବିପଦ ସଙ୍କେତ ଗୁଡିକୁ ଜାଣିବା ଏବଂ ସେଥିପ୍ରତି ସଜାଗ ରହି ଉପଯୁକ୍ତ ସାହାଯ୍ୟ ପାଇଁ ପ୍ରସ୍ତୁତ ଥିବା ଦରକାର । +ଜନ୍ମହେବା ସମୟରୁ ଶିଶୁ ଶିଖିଥାଏ । +ସେମାନେ ଉତ୍ତମ ଖାଦ୍ୟ ଓ ସ୍ଵାସ୍ଥ୍ୟର ଯତ୍ନ ସହ ଧ୍ୟାନ, ସ୍ନେହ ଓ ଉଦ୍ଦୀପନା ପାଇଲେ ତାଙ୍କର ବୃଦ୍ଧି ଓ ଶିକ୍ଷା ବେଶ୍ ଶୀଘ୍ର ହୋଇଥାଏ । +ନିରୀକ୍ଷଣ କରିବା ଓ ମନର କଥା ପ୍ରକାଶ କରିବା, ଖେଳିବା ଏବଂ ପରଖିବା ପାଇଁ ପିଲାଙ୍କୁ ଉତ୍ସାହିତ କଲେ ତାହା ତାଙ୍କର ଶିକ୍ଷା, ସାମାଜିକ, ଶାରୀରିକ ତଥା ବୌଦ୍ଧିକ ବିକାଶର ସାହାଯ୍ୟ କରେ । +ଶିଶୁ ପାଇଁ ଜନ୍ମରୁ ଛଅ ମାସ ଯାଏ କେବଳ ମା ’କ୍ଷୀର ହିଁ ଉପଯୁକ୍ତ ଖାଦ୍ୟ ଓ ପାନୀୟ । +ଛଅ ମାସ ପରେ ତା’ର ମା’କ୍ଷୀର ସହ ଅନ୍ୟ ଖାଦ୍ୟ ଦରକାର ହୋଇଥାଏ । +ମହିଳା ଗର୍ଭବତୀ ଥିବା ସମୟରେ ଏବଂ ଶିଶୁର ପ୍ରଥମ ଦୁଇ ବର୍ଷରେ ଖାଦ୍ୟ ପୃଷ୍ଟିକର ନହେଲେ ସାରା ଜୀବନ ପାଇଁ ଶିଶୁର ମାନସିକ ଓ ଶାରୀରିକ ବିକାଶ ଧିମେଇଯାଏ । +ଜନ୍ମରୁ ଦୁଇବର୍ଷ ଯାଏଁ ପ୍ରତି ମାସରେ ଶିଶୁର ଓଜନ ନେବା ଦରକାର । +କୌଣସି ଦୁଇ ମାସ ଭିତରେ ଓଜନ ନବଢିଲେ ପିଲାର କିଛି ଅସୁବିଧା ଥିବା କଥା ଜଣାଯାଏ । +ଜନ୍ମର ବର୍ଷକ ଭିତରେ ପ୍ରତି ଶିଶୁ କେତେ ଗୁଡିଏ ପ୍ରତିରୋଧୀ ଟୀକା ନେବା ଦରକାର । +ଏହା ଦୁର୍ବଳ ବୃଦ୍ଧି, ଅକ୍ଷମତା ବା ମୃତ୍ୟୁ ଘଟାଉଥିବା କେତେ ରୋଗ ବିରୁଦ୍ଧରେ ପିଲାକୁ ପ୍ରତିରୋଧକ୍ଷମ କରିଥାଏ । +ପ୍ରତ୍ୟକ ମହିଳା ଶିଶୁଧାରଣ ବୟସରେ ଧନୁଷ୍ଟଙ୍କାର ରୋଗର ପ୍ରତିରୋଧକ୍ଷମ ରହିବା ଦରକାର । +ଏପରିକି ମହିଳା ଜଣକ ପୂର୍ବରୁ ପ୍ରତିଷେଧକ ନେଇଥିଲେ ମଧ୍ୟ ଜଣେ ସ୍ୱାସ୍ଥ୍ୟକର୍ମୀଙ୍କ ସହିତ ପରାମର୍ଶ କରିବା ଉଚିତ । +ତରଳ ଝାଡା ହେଉଥିବା ଶିଶୁକୁ ଯଥେଷ୍ଟ ପରିମାଣରେ ମା’କ୍ଷୀର, ଫଳରସ, ଓ.ଆର.ଏସ୍. ପାନୀୟ ପରି ଉପଯୁକ୍ତ ତରଳ ଦେବା ଆବଶ୍ୟକ । +ତରଳ ଝାଡାରେ ରକ୍ତ ପଡୁଥିଲେ କିମ୍ବା ଖୁବ୍ ବେଶୀ ଥର ବା ଅତି ପାଣିଆ ଝାଡା ହେଉଥିଲେ ଶିଶୁ ପ୍ରତି ବିପଦ ରହିଥାଏ । +ତେଣୁ ତାକୁ ଉପଯୁକ୍ତ ଚିକିତ୍ସା ପାଇଁ ସାଙ୍ଗେ ସାଙ୍ଗେ ପାଖର ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଯିବା ଜରୁରୀ । +ଅଧିକାଂଶ ଶିଶୁ ଥଣ୍ଡା ବା କାଶରୁ ଆପେ ଆପେ ଭଲ ହୋଇଯାଆନ୍ତି । +କିନ୍ତୁ କାଶ ସହ ଶିଶୁଟି ଜୋରରେ ନିଶ୍ଵାସ ନେଉଥିଲେ ବା ନିଶ୍ଵାସ ନେବାରେ ଅସୁବିଧା ହେଉଥିଲେ ଶିଶୁ ପ୍ରତି ବିପଦ ଥିବା ସୂଚାଏ । +ତେଣୁ ତାକୁ ଚିକିତ୍ସା ପାଇଁ ସାଙ୍ଗେ ସାଙ୍ଗେ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଯିବା ଜରୁରୀ । +ଅନେକ ରୋଗ ଉତ୍ତମ ସ୍ୱାସ୍ଥ୍ୟରକ୍ଷା ଅଭ୍ୟାସ ସାହାଯ୍ୟରେ ରୋକାଯାଇ ପାରିବ । +ପାଇଖାନା ସଫା ରଖିବା, ଝାଡା ବସିବା ପରେ ପାଇଖାନାରେ ପାଣି ବା ପାଉଁଶ ପକାଇବା, ପାଇଖାନାରୁ ଫେରିବା ପରେ ଏବଂ ଖାଇବା ଆଗରୁ ସାବୁନରେ ଭଲ କରି ହାତ ଢୋଇବା, ସୁରକ୍ଷିତ ଉତ୍ସରୁ ପାଣି ବ୍ୟବହାର କରିବା ଏବଂ ଖାଦ୍ୟ ଓ ପାଣିକୁ ସଫା ରଖିବା ଏଭଳି ଅଭ୍ୟାସର କିଛି ଉଦାହରଣ । +ମଶା କାମୁଡାରୁ ମେଲେରିଆ ବ୍ୟାପିଥାଏ । +ଏହା ଘାତକ ମଧ୍ୟ ହୋଇପାରେ । +ମେଲେରିଆ ପ୍ରବଣ ଅଞ୍ଚଳରେ ଗ୍ରହଣୀୟ କୀଟନାଶକଯୁକ୍ତ ମଶାରୀ ବ୍ୟବହାର କରିବା ଉଚିତ । +କୌଣସି ଶିଶୁକୁ ଜ୍ଵର ହେଲେ ପ୍ରଶିକ୍ଷିତ ସ୍ୱାସ୍ଥ୍ୟକର୍ମୀଙ୍କ ଦ୍ଵାରା ପରୀକ୍ଷା କରାଇନେବା ଉଚିତ । +ଗର୍ଭବତୀ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ପରାମର୍ଶରେ ମେଲେରିଆ ଔଷଧ ଖାଇବା ଉଚିତ । +ଏଡସ ଗୋଟିଏ ଘାତକ ରୋଗ, କିନ୍ତୁ ତା’ର ପ୍ରତିରୋଧ କରାଯାଇପାରିବ । +ଏଡସ ଭୂତାଣୁ (ଏଚ.ଆଇ.ଭି) ଅସୁରକ୍ଷିତ (ବିନା କଣ୍ଡୋମରେ) ଯୌନକ୍ରିୟା, ଅପରୀକ୍ଷିତ ରକ୍ତ ଗ୍ରହଣ ଏବଂ ନିଶାଦ୍ରବ୍ୟ ନେଉଥିବା ସିରିଞ୍ଜ ଓ ଛୁଞ୍ଚି ଆଦି ମାଧ୍ୟମରେ ବ୍ୟାପିଥାଏ । +ଗର୍ଭଧାରଣ, ପ୍ରସବ ବା ସ୍ତନ୍ୟପାନ ସମୟରେ ସଂକ୍ରମିତ ମହିଳା ଠାରୁ ଏହା ତା’ର ଶିଶୁ ଦେହକୁ ବ୍ୟାପିପାରେ । +ତେଣୁ ସମସ୍ତେ ଏଚ.ଆଇ.ଭି / ଏଡସ ଏବଂ ତା’ର ପ୍ରତିରୋଧ ବିଷୟରେ ଜାଣିବା ଆବଶ୍ୟକ । +ସୁରକ୍ଷିତ (କଣ୍ଡୋମ ସହିତ) ଯୌନକ୍ରିୟା ଦ୍ଵାରା ଏହାର ସଂକ୍ରମଣକୁ ଅନେକ କମାଯାଇ ପାରିବ । +ଏହି ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ଥିବା ମହିଳାମାନେ ନିଜ ସ୍ୱାସ୍ଥ୍ୟର ସୁରକ୍ଷା ତଥା ନିଜ ପିଲାଙ୍କୁ ସଂକ୍ରମଣରୁ ରକ୍ଷା କରିବାର ଉପାୟ ବିଷୟରେ ସ୍ୱାସ୍ଥ୍ୟକର୍ମୀଙ୍କ ପରାମର୍ଶ ନେବା ଉଚିତ । +ବାପାମାଆ ଓ ତତ୍ତ୍ଵାବଧାରକମାନେ ଛୋଟ ପିଲାଙ୍କ ଉପରେ ଲକ୍ଷ୍ୟ ରଖିଲେ ଏବଂ ପିଲାଙ୍କର ପରିବେଶକୁ ନିରାପଦ ରଖିଲେ ଅନେକ ଗୁରୁତର ଦୁର୍ଘଟଣା ରୋକାଯାଇ ପାରିବ । +ବିପର୍ଯ୍ୟୟ ବା ଜରୁରୀ ଅବସ୍ଥାରେ ଶିଶୁମାନେ ମିଳିମିଳା ଟିକା ଏବଂ ପରିପୂରକ ସହ ମୌଳିକ ସ୍ୱାସ୍ଥ୍ୟସେବା ପାଇବା ଉଚିତ । +ମାନସିକ ଚାପରେ ଥିବା ଶିଶୁମାନେ ସବୁବେଳେ ତାଙ୍କର ବାପାମାଆ କିମ୍ବା ଅନ୍ୟ ପରିଚିତ ବୟସ୍କଙ୍କର ସାଙ୍ଗରେ ରହିବା ଉଚିତ । +ଏହି ସମୟରେ ସ୍ତନ୍ୟପାନ ତାଙ୍କ ପାଇଁ ବିଶେଷ ଗୁରୁତ୍ୱପୂର୍ଣ୍ଣ । +ଜୀବନ ତଥ୍ୟର ସଞ୍ଚାର ପାଇଁ ଦିଗ୍ ଦର୍ଶନ +ଜନସାଧାରଣଙ୍କୁ କେବଳ ସୂଚନା ଜଣାଇଦେଲେଟକୁ ସଞ୍ଚାର କୁହାଯାଇ ପାରିବନାହିଁ । +ଏଥିପାଇଁ ଜନସାଧାରଣଙ୍କ କଥା ଶୁଣିବା , ସେମାନେ ବୁଝିପାରିବା ଭଳି ମଜାଦାର ଉପାୟରେ ଉପାୟରେ ସୂଚନା ଆଦାନପ୍ରଦାନ କରିବା ଏବଂ ଜୀବନ ପାଇଁ ଏହାର ଯଥାର୍ଥତା ବୁଝାଇବା ଦରକାର । +ଜୀବନ ତଥ୍ୟର ସଞ୍ଚାରଣ ପାଇଁ ପାରସ୍ପରିକ କ୍ରିୟା ଏବଂ ଏକ ଦ୍ଵିମୁଖୀ ପ୍ରକ୍ରିୟା ଦରକାର । +ସେଥିରେ ଭାବର ଆଦାନପ୍ରଦାନ ଏବଂ ଜ୍ଞାନ , ମତ ଓ ଅନୁଭୂତିର ବିନିମୟ ହେବା ଜରୁରୀ । +ସେହି ପ୍ରକ୍ରିୟାରେ ସାହାଯ୍ୟ କରିବା ହେଉଛି ଏହି ମାର୍ଗଦର୍ଶିକାଟିର ଲକ୍ଷ୍ୟ । +ଯତ୍ନକାରୀଙ୍କ ପାଖରେ ପହଞ୍ଚିବା +ବାପାମା’ ତଥା ବଡ ଭାଇ ଭଉଣୀ ଏବଂ ପରିବାରର ଅନ୍ୟମାନଙ୍କ ପରି ଯତ୍ନକାରୀମାନେ ହେଉଛନ୍ତି ଜୀବନ ତଥ୍ୟ ସୂଚନାର ପ୍ରାଥମିକ ଲକ୍ଷ୍ୟ । +ସେମାନଙ୍କ ପାଖକୁ ବ୍ୟକ୍ତିଗତ ତଥା ଗଣମାଧ୍ୟମ ବାଟ ନେଇ ପହଞ୍ଚି ହେବ । +ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟସେବାକୁ ପ୍ରଭାବିତ କରୁଥିବା ଲୋକମାନେ ଭଲ ସଞ୍ଚାରକ ହୋଇପାରିବେ । +କୌଣସି ସ୍ୱାସ୍ଥ୍ୟକର୍ମୀ , ଶିକ୍ଷକ , ସରକାରୀ ସଂପ୍ରସାରଣ କର୍ମୀ , ଧାର୍ମିକ ଓ ଗୋଷ୍ଠୀ ନେତା , ଯୁବ ଓ ମହିଳା ଦଳ ବେସରକାରୀ ସଂସ୍ଥାର ସଭ୍ୟ , ନିଯୁକ୍ତିଦାତା , ବ୍ୟବସାୟୀ ବ୍ୟକ୍ତି , ଶ୍ରମିକ ସଂଗଠନର ସଭ୍ୟ , ସାମାଜିକ କର୍ମୀ , ଚିତ୍ରକର ବା ମନୋରଞ୍ଜକ ଏଭଳି ସଞ୍ଚାରକ ହୋଇପାରନ୍ତି । +ସଞ୍ଚାରଣକୁ ପ୍ରଭାବିତ କରୁଥିବା କେତେକ କଥା +ନୂଆ ତଥ୍ୟ କିପରି ଓ କେଉଁଠୁ ଆସିଲା ଏବଂ କିଏ ଦେଲା , ତାହା ଜନସାଧାରଣଙ୍କ ଉପରେ ପ୍ରଭାବ ପକାଇଥାଏ । +ସେଥିରୁ ହିଁ ଏହି ସୂଚନା ଉପରେ ଲୋକ କାମ କରିବେ କି ନାହିଁ ଜଣାପଡେ । + ସାଧାରଣତଃ ସେମାନେ ସୂଚନାଟିକୁ ବିଶ୍ଵାସ କରନ୍ତି , ଯଦି : +ବିଭିନ୍ନ ଉତ୍ସରୁ ବାରମ୍ବାର ଏକା କଥା ଶୁଣନ୍ତି +କଥାଟି କହୁଥିବା ଲୋକକୁ ସେମାନେ ଭଲ ଭାବରେ ଜାଣିଥା’ନ୍ତି ଏବଂ ବିଶ୍ଵାସ କରୁଥା’ନ୍ତି +ଏହା ତାଙ୍କ ପରିବାରକୁ କିପରି ସାହାଯ୍ୟ କରିବା ତାହା ବୁଝନ୍ତି +ଏହା ସେମାନେ ବୁଝିପାରୁଥିବା ଭାଷାରେ କୁହାଯାଏ +ଆଲୋଚନା ପାଇଁ ସେମାନଙ୍କୁ ଉତ୍ସାହିତ କରାଯାଏ ଏବଂ କେତେବେଳେ , କିପରି ଓ କ’ଣ କରିବେ ଆଦି ପ୍ରଶ୍ନ ପଚାରି ଆଲୋଚନା ମାଧ୍ୟମରେ ବୁଝନ୍ତି +ସନ୍ଦେଶଗୁଡିକର ଅନୁବାଦ ଓ ଉପଯୋଗ କରିବା +ଜୀବନ ତଥ୍ୟର ଆନ୍ତର୍ଜାତିକ ସଂସ୍କରଣରେ ଦିଆଯାଇଥିବା ସନ୍ଦେଶଗୁଡିକୁ ଅନୁବାଦ କରିବା ଏବଂ ଅନେକ କ୍ଷେତ୍ରରେ ସ୍ଥାନୀୟ ପରିସ୍ଥିତି ତଥା ପ୍ରଥା ଅନୁସାରେ ଉପଯୋଗ କରିବା ଜରୁରୀ । +ଏହା କରିବା ସମୟରେ ଛାପିବା ଓ ପ୍ରଚାର କରିବା ଆଗରୁ ଲେଖାକୁ ସ୍ଥାନୀୟ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଦେଖାଇ ସେଗୁଡିକର ସଠିକତା ପରଖିନେବା ଜରୁରୀ । +ପ୍ରଭାବଶାଳୀ ସଞ୍ଚାର +ସଞ୍ଚାରଣର ଅନେକଗୁଡିଏ ବାଟ ଅଛି । +କିନ୍ତୁ ଗୋଷ୍ଠୀ ଭିତରେ , ବ୍ୟକ୍ତିଗତ ସ୍ତରରେ , ରାଜନୈତିକ ନେତାଙ୍କୁ ବୁଝାଇବା ଦିଗରେ ବା ଗଣମାଧ୍ୟମରେ ପ୍ରକାଶ କରିବା ପାଇଁ ସନ୍ଦେଶ ପ୍ରସ୍ତୁତ କରୁଥିଲେ ବି ଏହାର ମୂଳ ନିୟମଟି ଏକା । +ଜୀବନ ତଥ୍ୟର ସୂଚନା କାହା ପାଇଁ ଦରକାର ପ୍ରଥମେ ତାହା ନିଜେ ଜାଣିବା ଜରୁରୀ । +ସେମାନଙ୍କ ଜୀବନ ଶୈଳୀ , ଭାଷା , ପ୍ରଥା ଓ ବୁଝିବାର ସ୍ତର ବିଷୟରେ ଜାଣନ୍ତୁ । +ଏହା ଅଧିକ ପ୍ରାସଙ୍ଗିକ , ସହଜରେ ବୁଝି ହେଉଥିବା ଏବଂ ଅଧିକ ଗ୍ରହଣୀୟ ତଥା କାର୍ଯ୍ୟକ୍ଷମା ହୋଇପାରିବା ଭଳି ସନ୍ଦେଶଗୁଡିକୁ ବାଛିବାରେ ସାହାଯ୍ୟ କରିବ । +ସନ୍ଦେଶଗୁଡିକର ଅନୁବାଦ କରିବା ସମୟରେ ସାଧାରଣ ଲୋକଟିଏ ବୁଝିପାରିବା ପରି ସରଲା ଭାଷାରେ ଲେଖିବା ଜରୁରୀ । +ସନ୍ଦେଶରେ ଅଯଥା ଗୁଡାଏ କାମ ବା ବୈଷୟିକ ତଥ୍ୟ ନରହିବା ଭଲ । +ଜୀବନ ତଥ୍ୟରେ ଦିଆଯାଇଥିବା ପରୀକ୍ଷିତ ସୂଚନାଗୁଡିକୁ ହିଁ ରଖନ୍ତୁ । +କିଛି ନୂଆ ସନ୍ଦେଶ ଦେଉଥିଲେ ତା’ର ସଠିକତା ପରୀକ୍ଷା କରିନେବା ଉଚିତ । +ଲୋକମାନେ ସୂଚନାକୁ ବୁଝିପାରୁଛନ୍ତି ଏବଂ ତାକୁ କାମରେ ଲଗାଇବାର ବାଟ ଜାଣିପାରୁଛନ୍ତି ବୋଲି ନିଶ୍ଚିତ ହୁଅନ୍ତୁ । +ଏହା ଗୋଷ୍ଠୀ ଭିତରେ , ବାପାମା’ ତଥା ଯତ୍ନକାରୀମାନଙ୍କ ସହ ଆଲୋଚନା ମାଧ୍ୟମରେ କରାଯାଇପାରେ । +ସେମାନଙ୍କୁ ପ୍ରଶ୍ନ କରି ଚାହୁଁଥିବା ସନ୍ଦେଶଗୁଡିକ ସେମାନେ କେତେଦୂର ବୁଝିଛନ୍ତି ତାହା ପ୍ରଶ୍ନ ଓ ଆଲୋଚନା ମାଧ୍ୟମରେ ଜାଣିହେବ । +ସନ୍ଦେଶଗୁଡିକ କାମରେ ଲାଗିପାରିବା କି ନାହିଁ ତାହା ଆଲୋଚନା କରିବା ପାଇଁ ଉତ୍ସାହିତ କରିବା ଦରକାର । +ସେମାନଙ୍କ ମତାମତ ନେଇ ସନ୍ଦେଶ ଓ ଚିତ୍ରଗୁଡ଼ିକୁ ଦରକାର ଅନୁସାରେ ବଦଳାଇ ଦିଅନ୍ତୁ । +ସନ୍ଦେଶଗୁଡିକୁ ଜନସାଧାରଣଙ୍କ ଜୀବନ ସହିତ ଯୋଡନ୍ତୁ । +ଜୀବନ ତଥ୍ୟର ସ୍ଥାନୀୟ ଉଦାହରଣ ଦେଇ ସନ୍ଦେଶଗୁଡିକୁ ମଜାଦାର ଏବଂ ଅର୍ଥପୂର୍ଣ୍ଣ କରିବାର ବାଟ ଖୋଜନ୍ତୁ । +ଠିକ ଲୋକଙ୍କ ପାଖରେ ପହଞ୍ଚି ପାରିଲା ପରି ସଞ୍ଚାର ମାଧ୍ୟମ ଓ ଗଣମାଧ୍ୟମ ବାଛନ୍ତୁ । +କେବଳ ଗୋଟିଏ ମାଧ୍ୟମର ବ୍ୟବହାର ନକରି ମିଳୁଥିବା ମାଧ୍ୟମଗୁଡିକୁ ଯଥା ସମ୍ଭବ ବ୍ୟବହାର କରନ୍ତୁ । +ବିଭିନ୍ନ ଧାରା ଓ ମାଧ୍ୟମକୁ ଏକାଠି ମିଶାଇ ବ୍ୟବହାର କଲେ ଜନସାଧାରଣ ଗୋଟିଏ ସନ୍ଦେଶକୁ ବାରମ୍ବାର ଏବଂ ବିଭିନ୍ନ ରୂପରେ ପାଇବେ । + ତଳ ମାଧ୍ୟମଗୁଡିକୁ ଏକାଠି ବ୍ୟବହାର କରିହେବ : +ସଞ୍ଚାରଣର ଅଚଳ ଅବସ୍ଥା +ସ୍ୱାସ୍ଥ୍ୟ ସନ୍ଦେଶ ପ୍ରଚାର କରିବାର ଚେଷ୍ଟାରେ ବେଳେ ବେଳେ ଚାହୁଁଥିବା ଫଳାଫଳ ମିଳିପାରେନାହିଁ । +ଏହି ସମସ୍ୟାର ସମାଧାନ ପାଇଁ ସଞ୍ଚାରକ ମୂଳରୁ ସତର୍କ ହେବା ଜରୁରୀ । +ସେ ସ୍ଥାନୀୟ ଜନସାଧାରଣଙ୍କ ବ୍ୟବହାର , ଜୀବନଶୈଳୀକୁ ପ୍ରଭାବିତ କରୁଥିବା ମନୋଭାବ , ବିଶ୍ଵାସ ଏବଂ ସାମାଜିକ କାରଣ ବୁଝିବା ଆବଶ୍ୟକ । +ସେଗୁଡିକ ହୁଏତ ଲୋକଙ୍କ ଭିତରେ ପରିବର୍ତ୍ତନ ଆଣିବାରେ ବାଧା ସୃଷ୍ଟି କରୁଥିବ । +ସଞ୍ଚାରଣ ମାଧ୍ୟମ ଶକ୍ତିଶାଳୀ ନ ଥିଲେ ସନ୍ଦେଶ କେବଳ ଅଳ୍ପକିଛି ଲୋକଙ୍କ ପାଖରେ ପହଞ୍ଚିପାରେ । +ଉଦାହରଣ : ଖବରକାଗଜ ବା ପ୍ରଚାରପତ୍ର ପରି କେବଳ ଛପା ମାଧ୍ୟମରେ ବ୍ୟବହାର କଲେ ପଢି ପାରୁଥିବା ଲୋକ ହିଁ ଜାଣିପାରିବେ , କିନ୍ତୁ ନିରକ୍ଷରମାନେ ଏହା ଜାଣିପାରିବେ ନାହିଁ । +ସେହିପରି ରେଡିଓ , ଦୂରଦର୍ଶନ ପରି ମାଧ୍ୟମ ବ୍ୟବହାର କଲେ ଯାହାଙ୍କ ପାଖରେ ଏ ସୁବିଧା ନାହିଁ ସେମାନେ ଏଥିରୁ ବଞ୍ଚିତ ହେବେ । +ସମାଧାନ : ଯେତେଦୂର ସମ୍ଭବ ବିଭିନ୍ନ ମାଧ୍ୟମ ମିଶାଇ ଲୋକଙ୍କ ପାଖରେ ସୂଚନା ପହଞ୍ଚାନ୍ତୁ ଏବଂ ବ୍ୟକ୍ତି – ବ୍ୟକ୍ତି ସଞ୍ଚାର ମାଧ୍ୟମରେ ସନ୍ଦେଶଗୁଡିକ ବାରମ୍ବାର ଦୋହରାନ୍ତୁ । +ଲୋକଙ୍କ ପାଖରେ ଅଧିକ ପହଞ୍ଚି ପାରୁଥିବା ଏବଂ ତାଙ୍କ ପାଇଁ ବେଶୀ ବିଶ୍ଵାସନୀୟ ହେଉଥିବା ସଂଚାର ମାଧ୍ୟମଗୁଡିକୁ ଖୋଜି ବାହାର କରିବାକୁ ଚେଷ୍ଟା କରନ୍ତୁ । +ଜନସାଧାରଣଙ୍କ ପାଖରେ ସନ୍ଦେଶଗୁଡିକ ପହଞ୍ଚୁଥିବ , କିନ୍ତୁ ସେମାନେ ତାହା ବୁଝୁ ନଥିବେ । +ଉଦାହରଣ : ସନ୍ଦେଶରେ ବୈଷୟିକ ଶବ୍ଦର ବ୍ୟବହାର , ଭୁଲ ଭାଷା ବା ଉପଭାଷାରେ ବର୍ଣ୍ଣନା । +ସମାଧାନ : ସନ୍ଦେଶକୁ ଅନୁବାଦ କରିବା ସମୟରେ ସାଧାରଣ ଶବ୍ଦ ଓ ଅଣବୈଷୟିକ ଭାଷାର ବ୍ୟବହାର କରିବା ଉଚିତ । +ସାଧାରଣ ଲୋକ ଏହାକୁ ବୁଝିପାରୁଛନ୍ତି କି ନାହିଁ ମଝିରେ ମଝିରେ ତାହା ପରୀକ୍ଷା କରିନେବା ଜରୁରୀ । +ଲୋକମାନେ ସନ୍ଦେଶଟି ଜାଣିବା ପରେ ଏହାକୁ ଠିକ୍ ଅର୍ଥରେ ନବୁଝି ଭୁଲ ଭାବରେ ବ୍ୟବହାର କରନ୍ତି । +ଗଣମାଧ୍ୟମ : ରେଡିଓ , ଦୂରଦର୍ଶନ , ଖବରକାଗଜ ଏବଂ ଚିତ୍ର ବହି +କ୍ଷୁଦ୍ରମାଧ୍ୟମ : ଚିତ୍ରମାଳା , ଅଡିଓ କ୍ୟାସେଟ , ପ୍ରଚାରପତ୍ର , ତଥ୍ୟପୁସ୍ତିକା , ଭିଡିଓ , ସ୍ଲାଇଡ , ଚାର୍ଟ , ଟି – ଶାର୍ଟ , ପଦକ ଏବଂ ଡାକବାଜି ଯନ୍ତ୍ରରେ ଘୋଷଣା +ବ୍ୟକ୍ତି – ବ୍ୟକ୍ତି ମାଧ୍ୟମ : ସ୍ୱାସ୍ଥ୍ୟକର୍ମୀ , ଧାର୍ମିକ ବା ଗୋଷ୍ଠୀ ନେତା , ମହିଳା ଓ ଯୁବ ସଂଗଠନ , ଉନ୍ନୟନ କର୍ମୀ ଏବଂ ସରକାରୀ ଅଧିକାରୀ +ଏହାକୁ ଦୃଢତର କରିବା ପାଇଁ ପୁନରାବୃତ୍ତି କରନ୍ତୁ । +ଉଦାହରଣ : ମା’ ମାନଙ୍କୁ ଓ.ଆର.ଏସ୍. ର ବ୍ୟବହାର ବିଷୟରେ ଶିଖାଇଥାଏ । +ସେମାନେ ଭୁଲରେ ଏହାକୁ ଅଧିକ ପାଣିଆ କରିଦେଲେ ସେଥିରୁ କିଛି ଲାଭ ମିଳେ ନାହିଁ । +ସେହିପରି ଏଥିରେ ପାଣି ଅଂଶ କମ ହୋଇଗଲେ ଏହି ଘୋଳ ବିପଦଜନକ ହୋଇଥାଏ । +ସମାଧାନ : କୌଣସି ନୂଆ କୌଶଳ ଶିଖାଇବା ସମୟରେ ଯଥେଷ୍ଟ ପ୍ରଶିକ୍ଷଣ ଦେବା ସହ ନିର୍ଦ୍ଧିଷ୍ଟ ସମୟ ବ୍ୟବଧାନରେ ସେଥିରେ ହେଉଥିବା ଭୁଲ ବା ସମସ୍ୟାକୁ ଦେଖିବା ଦରକାର । +ଆବଶ୍ୟକ ହେଲେ ଅଧିକ ସହାୟତା ବା ସନ୍ଦେଶ ଦେବା ଜରୁରୀ । +ଜନସାଧାରଣ କୌଣସି ସୂଚନା ପାଇବା ପରେ ବୁଝିଥିଲେ ମଧ୍ୟ କାମରେ ଲଗାନ୍ତି ନାହିଁ । +କାରଣ ଏହା ବର୍ତ୍ତମାନର ମନୋଭାବ ଏବଂ ବିଶ୍ଵାସର ବିରୋଧୀ । +ଉଦାହରଣ : ତରଳ ଝାଡା ହେଉଥିବା ସମୟରେ ଶିଶୁକୁ ନିୟମିତ ଖାଦ୍ୟ ଖୁଆଇବା ପାଇଁ ମା’ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥାଏ । +କିନ୍ତୁ ସେମାନେ ତାହା କରନ୍ତି ନାହିଁ । +କାରଣ ସାଧାରଣ ଭାବରେ ବିଶ୍ଵାସ ରହିଛି ଯେ ତରଳ ଝାଡା ହେଉଥିଲେ ପେଟକୁ ବିଶ୍ରାମ ଦେବା ଦରକାର । +ସମାଧାନ : ସନ୍ଦେଶଗୁଡିକୁ ଏପରି ପ୍ରସ୍ତୁତ କରିବା ଦରକାର ଯେପରି ତାହା କାହା ମନରେ ଆଘାତ ନଦେଇ ସମ୍ବେଦନଶୀଳ ବାଟରେ କ୍ଷତିକାରକ ଭୁଲ ବିଶ୍ଵାସକୁ ଦୂରେଇ ଦେବ । +ଜନସାଧାରଣ ନୂଆ ସୂଚନାକୁ ଗ୍ରହଣ କରିବା ସହ ବୁଝିପାରନ୍ତି , କିନ୍ତୁ ଦାରିଦ୍ର୍ୟ , ମୌଳିକ ସେବାର ଅଭାବ ପରି କେତେକ କାରଣକୁ ତାହାକୁ କାମରେ ଲଗାଇପାରନ୍ତି ନାହିଁ । +ଉଦାହରଣ : ଗଣମାଧ୍ୟମରେ ପ୍ରଚାର ଯୋଗୁ ଗୋଷ୍ଠୀ ଭିତରେ ଓ.ଆର.ଏସ୍. ପ୍ୟାକେଟରେ ଚାହିଦା ବଢିଲା । +କିନ୍ତୁ ଯଦି ପ୍ୟାକେଟର ଦାମ ବେଶ୍ ଅଧିକ ହୁଏ ବା ପାଖ ଅଞ୍ଚଳରେ ଏହା ମିଳେନାହିଁ , ଗଣମାଧ୍ୟମରେ ପ୍ରଚାର ପାଇଁ ଖର୍ଚ୍ଚ ହୋଇଥିବା ଅର୍ଥର କୌଣସି ମୂଲ୍ୟ ରହିବ ନାହିଁ । +ସମାଧାନ : କୌଣସି ସେବା ବା ଜିନିଷ ବିଷୟରେ ଗଣମାଧ୍ୟମରେ ପ୍ରଚାର କରିବା ପୂର୍ବରୁ ସ୍ଥାନୀୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ଯୋଗାଯୋଗ କରି ସେସବୁ ପାଖରେ ଓ ସହଜରେ ମିଳିବାର ବ୍ୟବସ୍ଥା କରାଇବା ଆବଶ୍ୟକ । +ଗଣମାଧ୍ୟମରେ ସଞ୍ଚାରଣ +କୌଣସି ଗୋଟିଏ ସୂଚନାକୁ ବହୁତ ଲୋକଙ୍କ ପାଖରେ ପହଞ୍ଚାଇବା ଏବଂ ତାକୁ ବାରମ୍ବାର ଦୋହରାଇବା ପାଇଁ ରେଡିଓ , ଖବରକାଗଜ ଏବଂ ଦୂରଦର୍ଶନ ଗୋଟିଏ ଗୋଟିଏ ଭଲ ମାଧ୍ୟମ । +ପୁନରାବୃତ୍ତି ମନେ ରଖାଇବାର ଗୋଟିଏ ଭଲ ଉପାୟ । +ତେଣୁ କୌଣସି ସନ୍ଦେଶକୁ ବିଭିନ୍ନ ମାଧ୍ୟମରେ ବାରମ୍ବାର ପ୍ରଚାର କଲେ ଲୋକେ ଏହାକୁ ଗ୍ରହଣ କରିବା ସହ କାମରେ ମଧ୍ୟ ଲଗାଇବେ । +ଏହି ସୂଚନାଗୁଡିକୁ ସାକ୍ଷାତକାର , ଲେଖା , ଆଲୋଚନା , ରେଡିଓ ବା ଦୂରଦର୍ଶନରେ ନାଟକ , କଣ୍ଢେଇନାଚ , କୌତିକିଆ ନାଚ , ଗୀତ , କୁଇଜ୍ ପ୍ରତିଯୋଗୀତା ଏବଂ କଲ୍ ଇନ୍ ବା ଫୋନ୍ କରନ୍ତୁ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଚାର କରାଯାଇ ପାରିବ । +ସ୍ଵାକ୍ଷରତା ହାର ଅଧିକ ଥିବା ସ୍ଥାନରେ ଖବରକାଗଜ ଓ ପତ୍ରିକାରେ ଲେଖିଲେ ତାହା ଫଳପ୍ରଦ ହୋଇଥାଏ । +ସ୍ଵାକ୍ଷରତା ହାର କମ୍ ଥିବା ଅଞ୍ଚଳରେ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଅନ୍ୟ ମାଧ୍ୟମ ସବୁ ବ୍ୟବହାର କରିବା ଉଚିତ୍ । +କେତେକ ପରିସ୍ଥିତିରେ ଚିତ୍ରକଥା ଓ ଚିତ୍ର ବ୍ୟବହାର କରି ଉଭୟ ପିଲା ଓ ବୟସ୍କ ଲୋକଙ୍କୁ ଆକର୍ଷିତ କରାଯାଇପାରେ । +ରେଡିଓ ଓ ଦୂରଦର୍ଶନରେ ପ୍ରସାରିତ ସନ୍ଦେଶଗୁଡିକ ଯେଉଁମାନଙ୍କ ପାଇଁ ଉଦ୍ଦିଷ୍ଟ ସେମାନେ ଏହାକୁ ଶୁଣୁଥିବା ବା ଦେଖୁଥିବା ସମୟରେ ପ୍ରସାରଣ କରିବା ପ୍ରତି ଧ୍ୟାନ ଦେବା ଜରୁରୀ । +ଖାଲି ସମୟରେ ପ୍ରସାରିତ ହେଉଥିବା ମାଗଣା ସାର୍ବଜନୀନ ସେବା ଘୋଷଣାକୁ କେବଳ ବ୍ୟବହାର କରିବା ଉଚିତ ନୁହେଁ । +ଲୋକପ୍ରିୟ କାର୍ଯ୍ୟକ୍ରମ ସମୟରେ ପ୍ରସାରିତ ହେଲେ ଅଧିକ ଲୋକଙ୍କ ପାଖରେ ସନ୍ଦେଶ ପହଞ୍ଚି ପାରିବ । +ରେଡିଓ ବା ଦୂରଦର୍ଶନ ରେ କାର୍ଯ୍ୟକ୍ରମ ପ୍ରଯୋଜକଙ୍କ ସହ ଆଲୋଚନା କରି ତାଙ୍କ ଲୋକପ୍ରିୟ କାର୍ଯ୍ୟକ୍ରମର ସଞ୍ଚାଳକଙ୍କ ସହ ଆଲୋଚନା କରି ମଧ୍ୟ ଏହି ବିଷୟଗୁଡିକୁ ତାଙ୍କ ଆଲୋଚନାରେ ସାମିଲ କରାଯାଇ ପାରିବ । +ଗଣମାଧ୍ୟମର କାର୍ଯ୍ୟକ୍ରମରେ ବିଭିନ୍ନ ସମ୍ମାନନୀୟ ଏବଂ ସମାଜରେ ଗ୍ରହଣୀୟ ବ୍ୟକ୍ତିବିଶେଷଙ୍କୁ ନେଇ ସନ୍ଦେଶଗୁଡିକର ସଞ୍ଚାରଣ ଓ ପୁନରାବୃତ୍ତି କରିବା ଉଚିତ୍ । +ବ୍ୟକ୍ତି – ବ୍ୟକ୍ତି ସଞ୍ଚାରଣ +ଗଣମାଧ୍ୟମରୁ ଜାନୁଥିବା କିଛି ନୂଆ ସୂଚନାକୁ ଅଧିକାଂଶ ଲୋକ ସହଜରେ ଗ୍ରହଣ କରିପାରନ୍ତି ନାହିଁ । +ସେଥିପାଇଁ ତାଙ୍କର ବିଶ୍ୱାସଯୋଗ୍ୟ କୌଣସି ବ୍ୟକ୍ତିଙ୍କ ସହ ଆଲୋଚନା କରିବାକୁ ଚାହାନ୍ତି । +ତେଣୁ ଉଭୟ ଗଣମାଧ୍ୟମ ଓ ବ୍ୟକ୍ତି – ବ୍ୟକ୍ତି ସଞ୍ଚାରଣ ମାଧ୍ୟମରେ ଜନସାଧାରଣଙ୍କୁ ନୂଆ ସ୍ୱାସ୍ଥ୍ୟ ସମ୍ପର୍କିତ ଚଳଣିକୁ ଗ୍ରହଣ କରିବା ପାଇଁ ଉତ୍ସାହିତ କରିବା ଆବଶ୍ୟକ । +ଜଣ ଜଣ କରି ବୁଝାଇବା କାମଟି ପାଣିକଳ ପାଖରେ , ଖେଳାଳିମାନଙ୍କ ଭିତରେ , ପରିବାର ତଥା ବନ୍ଧୁବର୍ଗରେ ଆଲୋଚନା ସମୟରେ ବା ଶ୍ରେଣୀଗୃହ , ସ୍ୱାସ୍ଥ୍ୟ କ୍ଲିନିକ୍ , ଗୋଷ୍ଠୀ ସଭା , ମହିଳା ସମିତି ସଭ୍ୟ , ପ୍ରୌଢଶିକ୍ଷା କେନ୍ଦ୍ର ଆଦି ଯେ କୌଣସି ସ୍ଥାନରେ କରାଯାଇପାରିବ । +ଏହି ଭଳି ଜଣ ଜଣ କରି ଆଲୋଚନା କରିବା ଫଳରେ ମନରେ ଆସୁଥିବା ସନ୍ଦେହ ଓ ପ୍ରଶ୍ନ ସବୁର ସମାଧାନ ସହଜରେ ହୋଇପାରେ ଏବଂ କେହି ଏହାକୁ ବିରୋଧ କରୁଥିବାର କାରଣ ତଥା ତା’ର ସମାଧାନ ମଧ୍ୟ ବାହାରିଥାଏ । +ସୂଚନା , କାମ ଓ ବିଶ୍ଳେଷଣର ଚକ୍ରକୁ ଆଧାର କରି ପ୍ରଭାବଶାଳୀ ଶିକ୍ଷଣ ରୂପ ନିଏ । +କୌଣସି ସମସ୍ୟାକୁ ସକ୍ରିୟ ଭାବରେ ଚିହ୍ନଟ କରି , ସମାଧାନର ବାଟ ଖୋଜି ଏବଂ ଫଳାଫଳର ଅନୁଶୀଳନ କରି ସ୍ଯାନସାଧାରଣ ସବୁଠାରୁ ଅଧିକ ଶିଖନ୍ତି । +ତେଣୁ ଜୀବନ ତଥ୍ୟର ସନ୍ଦେଶଗୁଡିକ ଅଂଶଗ୍ରହଣକାରୀଙ୍କୁ ଏକ ସକ୍ରିୟ ଭୂମିକା ନେବାର ସୁଯୋଗ ଦେବା ଦରକାର । +ଆଲୋଚନା କୌଣସି ବ୍ୟକ୍ତିଗତ ବା ଦଳର ମୁଖ୍ୟ ସମସ୍ୟାରୁ ଆରମ୍ଭ କରନ୍ତୁ । +ଆଗରୁ ଜଣାଥିବା ବିଷୟରୁ ଆରମ୍ଭ କରି ମୁଖ୍ୟ ବିଷୟ ଉପରେ ଜୋର ଦିଅନ୍ତୁ । +ବୈଷୟିକ ବା ବୈଜ୍ଞାନିକ ଭାଷା ବ୍ୟବହାର କରନ୍ତୁ ନାହିଁ । +ଜନସାଧାରଣଙ୍କୁ ସେହି ବିଷୟରେ ପ୍ରଶ୍ନ ପଚାରିବାକୁ ଉତ୍ସାହିତ କରନ୍ତୁ । +ସମସ୍ୟାର କାରଣ ତଥା ସେମାନଙ୍କର ସମ୍ବାବ୍ୟ ସମାଧାନ ବିଷୟରେ ଆଲୋଚନାକୁ ଠିକ୍ ଦିଗରେ ପରିଚାଳିତ କରନ୍ତୁ । +ମନେରଖନ୍ତୁ ଯେ ସଞ୍ଚାରଣରେ କହିବା ପରି ଶୁଣିବା ମଧ୍ୟ ବେଶ୍ ଜରୁରୀ । +ଶୁଣିବା ଦ୍ଵାରା ପରାମର୍ଶ ଦିଆଯାଉଥିବା କାମକୁ ଲୋକମାନେ କାହିଁକି କରୁଛନ୍ତି ବା କରୁନାହାନ୍ତି ଆପଣ ଜାଣିପାରିବେ । +ସ୍ୱାସ୍ଥ୍ୟ ସନ୍ଦେଶ ଉପରେ କାମ ନକରିବା ପାଇଁ କେତେକ ଆଦେଖା କାରଣ ଉପରେ କିଛି ସାମୟିକ ପଦକ୍ଷେପ ନେବାକୁ ହେବ । +ଅନ୍ୟର ମତାମତ , ଜ୍ଞାନ ଏବଂ ବଦଳିପାରିବାର ସାମର୍ଥ୍ୟକୁ ସମ୍ମାନର ସହ ଗ୍ରହଣ କରନ୍ତୁ । +ପରିସ୍ଥିତିରେ ପଡିଲେ ଲୋକେ ଶିଖନ୍ତି ଏବଂ ଏହା ତାଙ୍କର ଆତ୍ମବିଶ୍ଵାସ ବଢାଇଥାଏ । +ସେମାନେ ବୁଝିପାରିଲେ ଓ ସମ୍ମାନ ପାଇଲେ କାମ କରିବାକୁ ଆଗେଇ ଆସନ୍ତି । +ସମସ୍ୟାର ସମାଧାନ ପାଇଁ ବ୍ୟକ୍ତି ବିଶେଷ ବା ଦଳକୁ ସହଯୋଗ କରନ୍ତୁ । +କାର୍ଯ୍ୟକ୍ରମର ଅଗ୍ରଗତିର ତଦାରଖ କରିବା , ଫଳାଫଳର ଆକଳନ କରିବା ଆଦି କାମରେ ସାହାଯ୍ୟ କରନ୍ତୁ । +ଦରକାର ଅନୁସାରେ କାର୍ଯ୍ୟକ୍ରମକୁ ବଦଳାନ୍ତୁ ବା ଅଧିକ କାମର ବ୍ୟବସ୍ଥା କରନ୍ତୁ । +ସୂଚନାରୁ କାମ +ଜୀବନ ତଥ୍ୟର ଲକ୍ଷ୍ୟ ହେଉଛି ପିଲାମାନଙ୍କର ରୋଗ ଓ ମୃତ୍ୟୁକୁ କମାଇବା । +ଏଥିରେ ଥିବା ସନ୍ଦେଶକୁ କାମରେ ଲଗାଇବାକୁ ହେଲେ ଲୋକମାନଙ୍କ କାର୍ଯ୍ୟଧାରାରେ କିଛି ମୌଳିକ ପରିବର୍ତ୍ତନ ଆଣିବା ଦରକାର ହୋଇପାରେ । +ମଣିଷର ସାମାଜିକ ଆଚାର ବ୍ୟବହାର ସାଧାରଣତଃ କିଛି ଗଭୀର ବିଶ୍ଵାସ ଓ ସାଂସ୍କୃତିକ ମୂଲ୍ୟବୋଧ ଉପରେ ଆଧାରିତ ହୋଇଥାଏ । + ଚାଲିଚଳଣରେ ପରିବର୍ତ୍ତନ ଆଣିବା ପାଇଁ ଆତ୍ମବିଶ୍ଵାସ ଓ ସାହସ +ଆବଶ୍ୟକ । +ବୁଝିନଥିବାରୁ , ପ୍ରେରଣାର ଅଭାବରୁ ବା ସମସ୍ୟାର ସମାଧାନ ଦିଗରେ ଆଗ୍ରହ ବା ସାମର୍ଥ୍ୟ ନଥିବାରୁ କିଛି ନୂଆ କଥାକୁ ଜନସାଧାରଣ ବିରୋଧ କରିପାରନ୍ତି । +ସମସ୍ୟା ବିଷୟରେ ଅଜ୍ଞତାରୁ ବାହାରି ପରିସ୍ଥିତିକୁ ବୁଝିବା ଏବଂ ଉପଯୁକ୍ତ ପଦକ୍ଷେପ ନେବାର ବିଭିନ୍ନ ପାଦ ପୂର୍ବ ପୃଷ୍ଠାର ସାରଣୀରେ ଦେଖାଯାଇଛି । +ଜୀବନ ତଥ୍ୟର ସନ୍ଦେଶକୁ ସବୁଆଡେ ପହଞ୍ଚାଇବା ଦିଗରେ ଆପଣଙ୍କ ସହଯୋଗ ପାଇଁ ଧନ୍ୟବାଦ । +ଜୀବନ ତଥ୍ୟ – ଅଭିଜ୍ଞତାରୁ ଶିକ୍ଷା ଗୋଟିଏ ବ୍ୟବହାର ଉପଯୋଗୀ ପ୍ରକାଶନ । +ଏହା ଜୀବନ ତଥ୍ୟର ପୂର୍ବ ଦୁଇଟି ସଂସ୍କରଣକୁ ବ୍ୟବହାର କରି ବିଭିନ୍ନ କ୍ଷେତ୍ରରେ ଅନୁଭୂତିର ସମୀକ୍ଷା କରିଛି । +ଇଂରାଜୀ ଓ ଅନ୍ୟ କେତେ ଭାଷାରେ ଏହି ପୁସ୍ତକ ବିନାମୂଲ୍ୟରେ ମିଳେ । +ଏଥିପାଇଁ ନିକଟସ୍ଥ ୟୁନିସେଫ୍ କାର୍ଯ୍ୟାଳୟ ବା ନିଉୟର୍କ ଠାରେ ଥିବା ୟୁନିସେଫ୍ ର ମୁଖ୍ୟ କାର୍ଯ୍ୟାଳୟ ସହ ଯୋଗାଯୋଗ କରନ୍ତୁ ।