diff --git a/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_19 b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_19 new file mode 100644 index 0000000000000000000000000000000000000000..562e9f8ede46f83608425e374acad398a46a7604 --- /dev/null +++ b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_19 @@ -0,0 +1,116 @@ +ଭୋଜି +ବସନ୍ତ କୁମାରୀ ପଟ୍ଟନାୟକ +ତା: ଡିସେମ୍ବର୍ ୧୦, ୨୦୧୫ +ମୂଳ ପୃଷ୍ଠା → ସ୍ମରଣୀୟ ଲେଖା → ଗଳ୍ପ → +ନାନୀ କହିଛି କାଲି ଗାଧୁଆବେଳେ ଭୋଜି-ସେ ନାନୀ ସାଙ୍ଗରେ ଇସ୍କୁଲୁକୁ ଯିବ । +ରାତିଯାକ ବିନ ଆଖିରେ ନିଦ ନାହିଁ । +ଥରକୁ ଥର ମା’କୁ ନିଦରୁ ଉଠେଇ ପଚାରୁଛି ସକାଳ ହେଲାଣି କି ନାହିଁ । +ନାନୀ କହିଛି ଆଜି ତାକୁ ଇସ୍କୁଲୁକୁ ନେଇଯିବ । +କେତେ ପିଲାଙ୍କ ସାଙ୍ଗରେ ଚିହ୍ନା କରେଇ ଦେବ । +ବିଛଣାରେ ପଡ଼ି ପଡ଼ି ବିନ ଭାବୁଛି ସେଇ କଥା । +ହଠାତ୍‌ ଧଡ୍‌ପଡ଼ ହୋଇ ଉଠିବସି ମା’କୁ ହଲାଇ ଦେଲା “ମା’ ମା’, ଉଠ୍‌…. ସକାଳ ହେଲାଣି, କାଉ ରାବିଲାଣି ପରା ।” +ନିଦ ମଳମଳ ଆଖିରେ ଖିଡ଼ିକି ଆଡ଼େ ଚାହିଁ ମା’ ଜବାବ ଦେଲା “ ଓଃ, ଏ ଛୁଆଟା ମଣିଷକୁ ଟିକେ ଶୋଇଦବ ନାହିଁ… ଏଡ଼େ ଅନ୍ଧାର ଅଛି, ସକାଳ କୋଉଠି ହେଲା… ହଇରେ ? ” +– “ ହଁ ଗୋଟାଏ କାଉ ବୋବେଇଛି-ମୁଁ ସଫା ଶୁଣିଛି ।” +ମା’ ଅଳସ ଭାଙ୍ଗୁ ଭାଙ୍ଗୁ ବିନ ରମାକୁ ଡାକିଲା “ ନାନୀ, ନାନୀ, ସକାଳ ହେଲାଣି….ଉଠିବୁ ନାଇଁ କିଲୋ ? ଏ ନାନୀ – ’’ +କବାଟ ଖୋଲି ତିନିହେଁ ଯାକ ପଦାକୁ ଆସିଲେ । +ମା’କୁ ବିନର ବରାବର ତାଗିଦା, ଆଗେ ତା କାମ ସାରି, ତା ପରେ ଯାଇଁ ଯୋଉ କଥା ହେବ । +ପୋଖରୀର ପଥର ଉପରେ ବସି, ହାତରେ ଖଣ୍ଡେ ଝାମା ଧରି, ବିନ ନିଜ ଦେହକୁ ରଗଡ଼ଉଛି, ଆଉ ମଝିରେ ମଝିରେ ପ୍ରଶ୍ନ କରୁଛି-ମା’ ଏଥର ମୁଁ ଗୋରା ଦୁଶିଲି ? ମା’ ଯେତେ କହିଲେ ବି ବିନର ମନ ମାନୁନାହିଁ । +ସେ ଆହୁରି ବେଶୀ ରଗଡ଼ି ହେଉଛି । +ଶେଷରେ ବିନ ଜିଦ୍‌ ଧରି ବସିଲା ପାଖକୁ ଆସି ଦେଖିଯିବାକୁ । +ବାସନମଜା ଛାଡ଼ି ମା ଆସି ଦେଖିଲା ଝାମା ଇଟାରେ ଦେହର ନରମ ଚମ ଆଞ୍ଚୁଡ଼ି ହୋଇ ଲାଲ ପଡ଼ିଗଲାଣି । + ପୁଅ ହାତରୁ ଝାମା ଖଣ୍ଡକ ଟାଣି ନେଇ ମା’ କହିଲା, “ ହଇରେ ଝାମାରେ କିଏ ଘଷି ହୁଏ ? ” +– ଅଳତା ନାଇଲାବେଳେ ଝାମା ଘଷି ତୁ କେମିତି ଗୋଡ଼ର ମଳି ବାହାର କରିଦଉ ? +ଗାଧୁଆ ସେତିକିରେ ବନ୍ଦ । +ଦେହସାରା ପୋଡ଼ିଲାଣି । +ପୋଛିପାଛି ହୋଇ ବିନ ଫେରିଆସିଲା । +ଘର ମାଟି କାନ୍ଥରେ ଖଣ୍ଡେ ଦର୍ପଣ ପୋତା ହୋଇଛି । +ସେଇଠି ଆସି ଠିଆ ହେଲା ବିନ-ହାତରେ ପାନିଆ । +ପାନିଆ ମଝିରେ ଦାନ୍ତଗୁଡ଼ିକ ଭଙ୍ଗା । +ଦୁଇ ମୁଣ୍ଡରେ ଯାହା ଦି’ଚାରି ଖଣ୍ଡ ଦାନ୍ତ ଅଛି, ସେତିକି । +ସେଇ ପାନିଆରେ ବିନ ନିଜର ତେଲ ଜର ଜର ଟାଆଁସା ବାଳଗୁଡ଼ାକ ଚିକ୍କଣ କରି ପାରିବାକୁ ଚେଷ୍ଟାରେ ଲାଗିଗଲା । +ମନରେ ଆନନ୍ଦ, ସବୁ ଆଜି ତାର ସଫା, ସୁତୁରା, ଚିକ୍କଣ । +ସ୍କୁଲ୍‌ ଫାଟକ ପାଖରେ ପହଞ୍ଚି ବିନ କହିଲା, “ ନାନୀ, ମତେ ସବୁ ଜିନିଷ ଦେଖେଇ ଦବୁଟି ? ଆଉ ସବୁ ପିଲାଙ୍କ ସାଙ୍ଗରେ ଚିହ୍ନା କରେଇଦବୁ …. ଏଁ ? ” +“ ହଉ ! ହେଇ ଦେଖ । +ଏଠି କେମିତି ଦୁବଘାସ ହୋଇଛି, ଆଉ ଏଠି ମୁଥା ଘାସ ।” +“ ଆରେ ହଁ ତ ” କହି ଜୀବନରେ କେବେ ଘାସ ନ ଦେଖିଲା ପରି ବିନ ନଇଁପଡ଼ି ନିଜ ହାତରେ ଥରେ ଘାସଗୁଡ଼ାକ ପରଖି ନେଲା । +ତାପରେ ସେମାନେ ଆଗକୁ ଚାଲିଲେ । +ଗୋଟିକ ପରେ ଗୋଟିଏ ଗଛ ରମା ଦେଖେଇ ଚାଲିଛି….ମନ୍ଦାର,ପଲାଶ,କୃଷ୍ଣଚୂଡ଼ା, ରଜନୀଗନ୍ଧା, ଆମ୍ବ, ବେଲ-କିଏ ଫୁଲ ଫଳରେ ଲଦି ହୋଇଛି, ଆଉ କିଏ ବା ସେମିତି ଥୁଣ୍ଟା ଛିଡ଼ା ହୋଇଛି; କିନ୍ତୁ ବିନ ଆଖିରେ ଆଜି ସବୁ ସୁନ୍ଦର । +ଆଖିରେ ଇନ୍ଦ୍ରଧନୁର ରଙ୍ଗ ବୋଳି ସେ ଚାରିଆଡ଼କୁ ଚାହୁଁଛି, ପୁଣି ଆଗକୁ ମାଡ଼ି ଚାଲିଛି । +ଗଛ ପତ୍ର ଦେଖା ସରିଛି । +ବାକି ରହିଛି ସ୍କୁଲଘର, ଯେଉଁଠି ପିଲାମାନେ ଆରାମରେ ବସି ପାଠ ପଢ଼ନ୍ତି । +ରମା ଦେଖିଲା ତାଙ୍କ କ୍ଲାସ୍‌ ଖୋଲା ହୋଇନାହିଁ । +ଭଙ୍ଗା ଖିଡ଼ିକିବାଟେ ଉପରକୁ ଉଠି, ଭାଇର ହାତ ଧରି ଭିତରକୁ ଟାଣି ନେଲା । +କବାଟ ଖିଡ଼ିକି ବନ୍ଦ, ସବୁଆଡ଼ ଅନ୍ଧାର ଦିଶୁଛି । +ଚାଲିଲାବେଳେ ବେଞ୍ଚ ଦେହରେ ଧକ୍କା ଲାଗି ଯାଉଛି, ଆଉ ତାଆରି ସାଙ୍ଗେ ସାଙ୍ଗେ ବିନ ପାଟିରୁ ନିଜ ଅଜାଣତରେ ବାହାରି ଆସୁଛି ‘ ବାପଲୋ’ , ‘ମାଆଲୋ’ ଚିତ୍କାର । +ଶେଷକୁ ରମାର ଜାମା ଟାଣି ଧରି କହିଲା, “ ନାଇଁ ଲୋ ନାନୀ, ଭୂତ ଥିବ ….. ଚାଲ ଫେରିଯିବା” ତୁଣ୍ଡରୁ କଥା ସରିନାହିଁ ବିଜୁଳିବତି ଜଳି ଉଠିଲା, ଆଉ ସେଇ ଆଲୁଅ ତଳେ ଦେଖାଗଲା ରମା ମୁହଁରେ ସର୍ବଜ୍ଞର ଛପିଲା ହସ । +ବିନ କାବା ହୋଇ ଚାହିଁଛି- ନାନୀ ତାର କେତେ କଥା ଜାଣିଲାଣି । +ସେ କହିଲେ ବିଜୁଳିବତି ବି ଜଳୁଛି । +ଆନନ୍ଦରେ ଗୋଡ଼ ତଳେ ଲାଗୁନାହିଁ- ଏ ଯାଗାରୁ ସେ ଯାଗାକୁ ଯାଉଛନ୍ତି, ପୁଣି ଆସୁଛନ୍ତି । +ଉପରେ ନେଳିଆ ଆକାଶ ନାହିଁ କି ତଳେ ଶାଗୁଆ ଘାସର ଗାଲିଚା ନାହିଁ ; ତଥାପି ସେଇ ରୁନ୍ଧିଲା ଘରେ ଦିଓଟି ମଣିଷଛୁଆ ବସନ୍ତ କାଳର କୀଟ-ପତଙ୍ଗ ପରି ଆନନ୍ଦରେ ନିଜକୁ ଭୁଲିଯାଇଛନ୍ତି । +ପଡ଼ିଆରେ ଦଳ ଦଳ ହୋଇ ପିଲା ବୁଲୁଛନ୍ତି । +ଚିହ୍ନା ପିଲାଙ୍କୁ ଦେଖି ଭାଇର ହାତଧରି ରମା ତାଙ୍କ ପାଖକୁ ଗଲା । +ଦଳକଯାକ ବିନକୁ ଚାହିଁଛନ୍ତି-ସମସ୍ତଙ୍କ ଓଠରେ ମୁରୁକି ହସ । +-ଏ କିଏ ରମା ? +-ମୋ ଭାଇ । +-ଠିକ୍‌ ଅନାର୍ଯ୍ୟଙ୍କ ଭଳି ଦିଶୁଛି । +ଜଣେ ଟିପ୍ପଣୀ କାଟିଲା । +ରମାର ମୁହଁ ଶୁଖିଗଲା । +ସନ୍ଦେହ ଭରା ଆଖିରେ ଭାଇକି ଆଉ ଥରେ ଭଲ କରି ଦେଖି ନେଲା । +ବିନର ଚେପ୍‌ଟା ନାକ, ମୋଟା ଓଠ, ପୁଚୁକା ଗାଲ ଓ ପାଚିଲା ତାଳ ପରି ଦେହର ରଙ୍ଗ । +କୌଣସିଟିରେ ରମା ଦୋଷ ଖୋଜି ପାଇଲା ନାହିଁ । +ଭାଇର କାନ୍ଧ ଉପରେ ହାତ ରଖି କହିଲା, “ତତେ ମିଛରେ କହିଛନ୍ତିରେ, ତୁ ଡର ନା ” । +ବିନ ଯେ ଡରି ନାହିଁ ଏ କଥା ଦେଖେଇବାକୁ ହସିଲା । +ମୋଟା ଓଠର ଦି’ଫାଳ ଭିତରୁ ସରୁ ଜିଭଟିଏ ପଦାକୁ ବାହାରି ଆସି ଲହ ଲହ ହୋଇ ପୁଣି ପଶିଗଲା-ଠିକ୍‌ ସାପ ପରି । +-ହେ ପିଲା , ଆଉ ଟିକିଏ ହସିଲୁ ହସିଲୁ ….. +-ନାଇଁ । +ବିନ ମୁହଁ ଶୁଖେଇ ଛିଡ଼ାହେଲା । +-ଆରେ ! ନିହାତି ଅବାଧ୍ୟ ଛୁଆଟାଏ ତ !! ହସ୍‌ ! +-ନାନୀ , ଚାଲ ଖେଳିବା । +ବିନ, ନାନୀର ହାତ ଧରି ଖେଳିବାକୁ ଚାଲିଗଲା । +ଖେଳି ଖେଳି ଦେହରୁ ଝାଳ ନିଗିଡ଼ି ପଡ଼ୁଛି । +ସୂର୍ଯ୍ୟ ମୁଣ୍ଡ ଉପରୁ ତଳକୁ ଖସିଲେଣି । +ତଥାପି ରନ୍ଧା ସରୁନାହିଁ । +ଧାଡ଼ି ଧାଡ଼ି ପିଲା ଚାଲିଛନ୍ତି- ଗୋଟାଏ ହାତରେ ଚଟେଇ, ଆର ହାତରେ ଖଲିପତ୍ର । +ଗୋଟିଏ ଧାଡ଼ିର ଶେଷ ମୁଣ୍ଡରେ ବସିଛନ୍ତି ବିନ ଆଉ ରମା । +ବିନର ଲୋଭିଲା ଆଖି ଦୁଇଟା ରହିଛି ପତ୍ର ଉପରେ । +ମଝିରେ ମଝିରେ ନାନୀକୁ ଚୁମୁଟି ଦେଉଚି, ନାନୀ ଆରମ୍ଭ କଲେ ସେ ଆରମ୍ଭ କରିବ । +ଖେଳିଳାବେଳେ ନାନୀ ତାକୁ ବାର ବାର କହିଛି, ନାନୀ ଆରମ୍ଭ ନ କରିବାଯାଏ ସେ ଯେମିତି ଆରମ୍ଭ ନ କରେ । +ସ୍କୁଲ୍‌ର ବଡ଼ମୁଣ୍ଡିଆମାନେ ଘୂରି ଘୂରି ଦେଖୁଛନ୍ତି, ସମସ୍ତଙ୍କୁ ଠିକ୍‌ ଦିଆହୋଇଚି କି ନାହିଁ । +ହଠାତ୍‌ ଜଣକ ଆଖି ପଡ଼ିଗଲା ରମାର ଗୋଡ଼ ଉପରେ-ମନ୍ଦା ମନ୍ଦା କାଛୁ । +ରମାକୁ ଚାହିଁ ସେ ଚିତ୍କାର କରି ଉଠିଲେ,- “ତମର କାଛୁ ହେଇଚି-ଅନ୍ୟମାନଙ୍କୁ ଡେଇଁବ । +ତମେ ଯାଅ ଖେଳୁଥିବ । +ଏମାନେ ଖାଇସାରିଲେ ତମକୁ ଡାକି ଆଣିବା । +” ରମା ଉଠିପଡ଼ିଲା । +ବିନ ବିକଳ ହୋଇ ଚାହିଁଛି ନାନୀ ମୁହଁକୁ । +-ଏ ପିଲା କିଏ ? +-ମୋ ଭାଇ । +-ଆଛା, ତାକୁ ବି ସାଥିରେ ନେଇଯାଅ । +ତମେ ଖାଇଲାବେଳେ ସେ ଖାଇବ । +ଭାଇଭଉଣୀ ଦୁହେଁ ଉଠି ଚାଲିଗଲେ ଖାଇବା ଜିନିଷକୁ ଲୋଭିଲ ଆଖିରେ ଚାହିଁ ଚାହିଁ । +-ବୁଝିଲୁ ବିନ, ସେମାନେ ଖାଇସାରନ୍ତୁ ଆମେ ଖାଇବା । +-ନାଇଁ ନାନୀ, ମତେ ଭାରି ଭୋକ କଲାଣି….ବାନ୍ତି ମାଡ଼ୁଚି । +ସକାଳେ ମା ଖାଇବାକୁ ଦେଲାବେଳେ ତୁ ମନାକଲୁ । +-ହଉ ରଇଥା, ଆଉ ଟିକିଏ ବେଳ ତ । +ଦେଖିଲୁ ତ, କେଡ଼େ ବଢ଼ିଆ ଜିନିଷ ସବୁ ରନ୍ଧା ହେଇଚି । + ସକାଳେ ତ ମା’ ପଖାଳ ଖାଇବାକୁ ଦେଉଥିଲା……ତାକୁ ଖାଇଥିଲେ ତୁ କଣ ଭଲ ଜିନିଷରୁ ବେଶି ଖାଇପାରିଥାନ୍ତୁ ? +-ମତେ ବାନ୍ତି ମାଡ଼ୁଚି । +-ହଉ ତେବେ ଚାଲ, ଦି’ଟା ବେଲପତ୍ର ଶୁଙ୍ଘିଦେଲେ ବାନ୍ତି ଭଲ ହୋଇଯିବ । + ବେଲପତ୍ର ଶୁଙ୍ଘିଲା ବଦଳରେ, ଦୁଇମୁଠା ବେଲପତ୍ର ଚୋବାଇ ଖାଇଦେଇ ବିନ କହିଲା, “ ନାନୀ ଭାରି ଭୋକ….. +-ହେଇ ଦେଖ, କଣ ସବୁ ରନ୍ଧା ହେଇଚି ତତେ ମୁଁ ଏଇଠି ଦେଖେଇ ଦଉଚି, କହି ରମା କାଠିକୁଟା ସାଉଁଟି ଆଣି ମାଛ ମାଂସର ଠା’ ସୁମାରି କଲା । +ଇଟା ଗୋଡ଼ି ମିଠେଇ ଭାବରେ ଓ ଘାସ ପତ୍ର ତରକାରୀ ଭାବରେ ଜଣାଗଲା । +ବିନର ଭୋକିଲା ଆଖିକି ଚାହିଁ ରମା ଭୂତ ଗପ ଆରମ୍ଭ କଲା, ଏଇଠି ଏଇ ପାଚେରୀ ଆରପଟେ ଯେଉଁ ଅନ୍ଧାରିଆ ଘରଟା ଦେଖୁଚୁ-ସେଇଠି ଭୂତ ଥିଲା । +ଭୂତ ଗପରେ କେତେବେଳେ ଯାଇଛି ଜଣାନାହିଁ । +ବୁଡ଼ନ୍ତା ସୂର୍ଯ୍ୟର ଲାଲଚିଆ କିରଣ ବିଞ୍ଚିହେଇ ପଡ଼ିଛି । +ପିଲା ଦିହେଁ ଆଲିଜା ହେଇ ବସିଛନ୍ତି ସେଇ ଘାସ ଉପରେ । +ହଠାତ୍‌ କାହାର ପାଟିରେ ଚମକି ପଛକୁ ଚାହିଁ ଦେଖିଲେ ଚପରାଶି ଡାକୁଚି । + ଖୁସି ହେଇ ରମା ଭାଇର ହାତ ଧରି ଉଠିଲା, ଚାଲ ଏଥର ଖାଇବା, ଦେଖୁନୁ ଚପରାଶି ଡାକି ଆଇଚି ? +• ହଁ , ସଭିଏଁ ଖାଇସାରି ଘରକୁ ଗଲେଣି ….. ତମେ ଆସି ଏଇଠି ବଇଚ ; ଘରକୁ ଯିବ ନାଇଁ କି ? +ନିଜର ଅଜାଣତରେ ମୁଠା ଭିତରୁ ଭାଇର ହାତ ଖସି ପଡ଼ିଲା । +ରମା ଆଖିରେ ପାଣି । +ଦୟା ଦେଖେଇ ଚପରାଶି କହିଲା, “ ଚାଲ, ମୁଁ ଘରେ ଛାଡ଼ି ଦେଇଯିବି ।” +…… ନା ଥାଉ । +ଆମେ ଏକା ଚାଲିଯିବା ଯେ । +ଭୋଜି ଯାଗା । +ଅଇଁଠା ପତ୍ର ଉପରେ କାଉ କୁକୁରଙ୍କ ଯୁଦ୍ଧ । +ସେଇଠି ଚାରୋଟି ଧୂଳି ଧୂସରିଆ ଛୋଟ ଛୋଟ ପାଦ ମୁହୂର୍ତ୍ତକ ପାଇଁ ଅଟକି ପୁଣି ଆଗକୁ ଚାଲିଗଲା । +ସକାଳେ ଯେଉଁ ପାଦ ଚାରୋଟି ପାଦ ହାଲୁକାରେ ତଳେ ଲାଗୁ ନଥିଲା – ସଞ୍ଜବେଳକୁ ତାର ଯେମିତି ମାଟି ଉପରୁ ଉଠିବାକୁ ଆଉ ବଳ ନାହିଁ !!!