diff --git a/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_galpa_49 b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_galpa_49 new file mode 100644 index 0000000000000000000000000000000000000000..f989faf6c8967cd1733a1c71c24e02c7cb253f0e --- /dev/null +++ b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_galpa_49 @@ -0,0 +1,74 @@ +କବିତା / ଥ୍ରିଲର୍ + ନିବେଦିତା ଜେନା, ରାଉରକେଲା +ତା: ମେ ୧୯, ୨୦୧୧ +ମୂଳ ପୃଷ୍ଠା → ଗଳ୍ପ → ଅଣୁ ଗଳ୍ପ → +ଶ୍ରାବଣର ଏକ ମଖମଲି ଅପରାହ୍ନ । +ମଝିରେ ମଝିରେ ମେଘ ଗର୍ଜି ଘୋଷଣା କରୁଥାଏ ବର୍ଷାର ଆଗମନୀକୁ । +ରଜତର ରୁମ୍ ଭିତରକୁ ଝଲ୍‌କା ଝଲ୍‌କା ବିଜୁଳିର ଉଜ୍ଜ୍ବଳତା ଧସେଇପଶୁଥାଏ । +ରଜତ ପୁଣି ଗୋଟାଏ ଜବରଦସ୍ତ ଦମ୍ ଟାଣି ସିଗାରେଟ୍ ଧୂଆଁକୁ କୁଣ୍ଡଳୀ ଆକାରରେ ଛାଡ଼ିଲା ଓ ସେହି ଧୂଆଁ ମଧ୍ୟରେ ଶ୍ରାବଣୀର ନିରାବରଣ ଶରୀରକୁ ଦେଖି ଶିହରିଉଠିଲା । +ଆଜିର ସ୍ବପ୍ନିଳ ସନ୍ଧ୍ୟାକୁ ତୁଛ କରିଦେବାକୁ ଆଦୌ ଇଚ୍ଛା ନ ଥିଲା ରଙ୍ଗୀନ୍ ମିଜାଜୀ ରଜତର । +ଝିପ୍ଝିପ୍ ବର୍ଷା ସାଙ୍ଗକୁ ହାତରେ ସୁରା ଓ ବାହୁରେ ଶ୍ରାବଣୀ । +ଆଃ…, ରଜତର ତଣ୍ଟି ଶୁଖିଗଲା । +ହ୍ବିସ୍କୀର ଦ୍ବିତୀୟ ପେଗ୍‌ରେ ଓଠ ଲଗାଇଲା ସେ । +ଯଦିଓ ଖୁବ୍ ନାରୀସକ୍ତ ରଜତ କିନ୍ତୁ ସ୍ବାସ୍ଥ୍ୟସଚେତନ ମଧ୍ୟ । +ତେଣୁ ସେ ନିଜର ସୁନ୍ଦର ଶରୀର ଓ ବାକ୍ଚାତୁର୍ଯ୍ୟକୁ ଆୟୁଧ କରି ବନିଶୀ ପକାଏ ଘରୋଇ ପୋଖରୀଗୁଡ଼ିକରେ । +ବେଶ୍ କିଛି ଦିନ ହେବ ତା ନଜର ପଡ଼ିଛି ଶ୍ରାବଣୀ ଉପରେ । +ଶ୍ରାବଣୀ, ଇଞ୍ଜିନିୟର ଇନ୍ଦ୍ରଜିତ୍ ଦାସଙ୍କ ସହଧର୍ମିଣୀ । +ସେ କବିତାକୁ ଭଲ ପାଆନ୍ତି ଓ କବିଙ୍କୁ ପ୍ରଚୁର ସମ୍ମାନ କରିନ୍ତି ବୋଲି ଇନ୍ଦ୍ରଜିତ୍ କିଛି ଦିନ ତଳେ ଜୋର୍ କରି ଧରିନେଇଥିଲେ ସାଥୀ ଇଞ୍ଜିନିୟର ତଥା କବି ରଜତଙ୍କୁ । +ପ୍ରଥମ ଦେଖାରେ ହିଁ ରଜତର ପରଖିଲା ଆଖି ଶ୍ରାବଣୀକୁ ଚିହ୍ନିନେଇଥିଲା । +ଛଳଛଳ କଳକଳ ପାହାଡ଼ୀ ଝରଣା ଭଳି ଚପଳ ଓ ସ୍ବଚ୍ଛ ଶ୍ରାବଣୀକୁ କବିତା ଶୁଣେଇ ସହଜରେ ବଶ କରିନେଇହେବ ବୋଲି ମନେ ହୋଇଥିଲା ତା’ର । +ସୁଯୋଗ ବି ଆସି ପହଞ୍ଚିଥିଲା ଶୀଘ୍ର । +ଇନ୍ଦ୍ରଜିତ୍ କିଛି ଦିନ ପାଇଁ କମ୍ପାନୀ ତରଫରୁ ଟୁର୍‌ରେ ଯାଇଥିଲା । +ମଦ ପିଉପିଉ ରଜତ ଭାବିଲା, ଏ ସନ୍ଧ୍ୟାକୁ ବେଶ୍ ଉପଭୋଗ କରାଯାଇପାରିବ ଶ୍ରାବଣୀର ସାନ୍ନିଧ୍ୟରେ । +ବାହାରେ ଝିପ୍ଝିପ୍ ବର୍ଷା । +ଶ୍ରାବଣୀ ବୋର୍ ହେଉଥିଲା ଖାଲି ଟିଭି ଦେଖିଦେଖି । +ଏତେ ଜଲଦି ଶୋଇବାର ଅଭ୍ୟାସ ତା’ର ନାହିଁ । +ଭୋକ ବି ଲାଗି ନ ଥିଲା । +ସମୟ କାଟିବାକୁ ସେ ବହି ଥାକରୁ ‘ମେଘଦୂତମ୍’ ଆଣି ପଢୁଥିଲା । +ଠକ୍ଠକ୍ ଶବ୍ଦରେ କବାଟ ଖୋଲି ସେ ଦେଖେ ତ- କବି ରଜତ । +ଶ୍ରାବଣୀ ଖୁସି ହୋଇଗଲା, ଆଃ, ଆଜିର ସନ୍ଧ୍ୟାଟା କବିତା ଓ ଚା’ ସହ ଖୁବ୍ ସୁନ୍ଦର ଭାବେ କଟିଯିବ ତ! ଶ୍ରାବଣୀ ରୋଷେଇ ଘରକୁ ଚା’ କରିବାକୁ ଗଲା । +ରଜତ ମଧ୍ୟ ତା’ ପଛେପଛେ ଯାଇ ହାଜର । +ରଜତର ଆଖି ଅଲଗା ଲାଗୁଥିଲା, କେମିତି ଗୋଟେ । +ତାକୁ ଦେଖି ନିଜ ଆଖିକୁ ବିଶ୍ବାସ କରିପାରିଲାନି ଶ୍ରାବଣୀ । +ଅବିଶ୍ବାସ ଓ ଦୁଃଖରେ ସ୍ତବ୍ଧ ହୋଇଗଲା । +ରଜତ କିନ୍ତୁ ତା’ର ନିରବତାକୁ ସମ୍ମତିର ଲକ୍ଷଣ ମନେ କରି ଆହୁରି ଆଗେଇଲା । +ନିଜକୁ ରକ୍ଷା କରିବାର ଅନ୍ୟ ଉପାୟ ନ ପାଇ ଶ୍ରାବଣୀ ଚା’ ସସ୍‌ପେନ୍‌ ଉଞ୍ଚେଇଲା…. । +ବର୍ଷାର ବେଗ ବଢ଼ିବଢ଼ି ଚାଲିଥାଏ । +ରଜତ ଛକରେ ଠିଆ ହୋଇଥାଏ । +ବାଁ ପଟ ମୁଣ୍ଡର ଫୁଲା ଜାଗାରେ ହାତ ମାରି ଦେଖିଲା, ଏବେ ବି ବେଦନା ଅଛି । +ସସ୍‌ପେନ୍‌ ମାଡ଼ ଖାଇ ଶ୍ରାବଣୀ ଘରୁ ପଳାଇଆସିଲା ବେଳେ ତାକୁ ପଛରୁ ଶୁଭୁଥିଲା- ମୋ ବେଡ୍‌ରୁମ୍‌ରେ ପଶିବାର ସ୍ବପ୍ନ କ’ଣ ଦେଖୁଛନ୍ତି, ମୋ ଡ୍ରଇଂ ରୁମ୍‌ରେ ମଧ୍ୟ ବସିବାର ଯୋଗ୍ୟତା ଆପଣଙ୍କର ନାହିଁ । +ଶବ୍ଦଗୁଡ଼ାକର ପ୍ରତିଧ୍ବନୀ ସେ ପର୍ଯ୍ୟନ୍ତ ତା’ ଛାତିରେ ବାଡ଼େଇହେଉଥିଲା । +ଘର ବାହାରେ ଗାଡ଼ି ରାତିସାରା ଠିଆ ହୋଇରହିଥିଲେ ଲୋକେ ସନ୍ଦେହ କରିପାରନ୍ତି ଭାବି ରଜତ ଗାଡ଼ି ନେଇ ନ ଥିଲା । +ହେଲେ ସନ୍ଧ୍ୟାପରେ ବର୍ଷାର ପ୍ରକୋପ ଏତେ ବଢ଼ିଯିବ ବୋଲି କିଏ ଜାଣିଥିଲା । +ରାସ୍ତାଘାଟ ଏବେ ଶୂନ୍ଶାନ୍ । +ଟେମ୍ପୋ କିମ୍ବା ଟାକ୍ସି ଦୂରେ ଥାଉ, ରିକ୍ସାଟିଏର ମଧ୍ୟ ଦେଖାଦର୍ଶନ ନାହିଁ । + ଘରକୁ କେମିତି ଯିବ ଚାଲିଚାଲି ! +ପରିସ୍ଥିତିରୁ ମୁକୁଳିବାର ନୂଆ କିଛି ଯୋଜନା କରୁକରୁ ଆରପଟରୁ ଗୋଟେ କାର୍ ଆସୁଥିବାର ଦେଖାଗଲା । +ରଜତର ହାତ ତା’ ଅଜାଣତରେ ଲିଫ୍ଟ୍ ମାଗିବା ଭଙ୍ଗୀରେ ଉପରକୁ ଉଠିଗଲା । +କାର୍ ରହିଲା ତା’ ପାଖରେ । +ପଛପାଖ ଦରଜା ଖୋଲିଦେଲେ ଜଣେ ମହିଳା । +ଅବଶ୍ୟ ମେକ୍ଅପ୍‌ରେ ହେଉ କିମ୍ବା ଆଲୋକର ସ୍ବଳ୍ପତାରେ, ବୟସ କିମ୍ବା ସୌନ୍ଦର୍ଯ୍ୟ କିଛି ଠିକ୍‌ରେ ଜଣା ପଡୁ ନ ଥିଲା । +କାଳବିଳମ୍ବ ନ କରି କାର୍ ଭିତରକୁ ଲମ୍ଫ ଦେବା ପ୍ରାୟ ପଶିଗଲା ରଜତ । +ସମ୍ଭ୍ରାନ୍ତ ମହିଳାଙ୍କ ନିମନ୍ତ୍ରଣ ଏଡ଼ାଇ ନ ପାରି ରଜତ ତାଙ୍କ ସହ ଗଲା ତାଙ୍କ ଘରକୁ । +ଖୁବ୍ ସୁଦୃଶ୍ୟ ତଥା ନିରୋଳା ଅଟ୍ଟାଳିକା । +ଭବ୍ୟ ଡ୍ରଇଂରୁମ୍ ପାର ହୋଇ ବିଳାସମୟ ଶୟନ କକ୍ଷକୁ ତାଙ୍କୁ ନେଇଗଲେ ଭଦ୍ର ମହିଳା । +ସମାନ୍ୟ କଥୋପକଥନ ମଧ୍ୟରେ ଅତ୍ୟନ୍ତ ଘନିଷ୍ଠ ହୋଇଆସିଲେ ସେ । +ଶୟନ କକ୍ଷରେ ଥିବା ବାର୍‌ରୁ ଦୁଇଟି ଗ୍ଲାସ୍‌ରେ ମଦ ଢ଼ାଳି ଗୋଟିଏ ରଜତ ଉଦ୍ଦେଶ୍ୟରେ ବଢ଼ାଇଦେଲେ । +ରଜତ ଓଠରେ ଗ୍ଲାସ୍ ଲଗଉଲଗଉ ତା’ ମନ ଭିତରକୁ ଶ୍ରାବଣ ରାତିକୁ ନେଇ ଗୋଟେ କବିତାର ପଦଟିଏ ଆସିଗଲା । +କିନ୍ତୁ କବିତା-ବୀତସ୍ପୃହ ଭଦ୍ରମହିଳା ବାଥରୁମ୍କୁ ଚାଲିଗଲେ ଫ୍ରେସ୍ ହେବାକୁ । +ଝର୍କା ବାହାରର ବର୍ଷାକୁ ଉପଭୋଗ କରୁକରୁ ରଜତ ମନେ ପକାଇଲା ଶ୍ରାବଣୀକୁ । +ତାକୁ ହଠାତ୍ ସବୁ କିଛି କେମିତି ଗୋଟେ ଖାଲି ଖାଲି ଲାଗିଲା । +ଏହାପରେ ଘଟିଥିବା ଘଟଣା ସବୁ ରଜତର ଭାବନା ପରିଧିର ବାହାରେ ଥିଲା । +ବାଥ୍‌ରୁମ୍‌ରୁ ସ୍ବଳ୍ପ ପୋଷାକରେ ଫେରିଆସିଲେ ସେହି ମହିଳା । +ତା’ପରେ ତାଙ୍କ ବୟସ ଓ ମେଦ କ୍ରମଶଃ ରଜତ ଆଖି ଆଗରେ ସ୍ପଷ୍ଟ ହୋଇଉଠିଲା । +ସେ ସ୍ବପ୍ନପୁରୀ ଏବେ ତାକୁ ପ୍ରେତପୁରୀ ମନେ ହେଲା । +ରଜତ ସେଠାରୁ ଧାଇଁ ପଳେଇବାକୁ ଚାହିଁ ବିଫଳ ହେଲା । +ତାକୁ ଜୋର୍ କରି ଅଟକାଇ ଧରି ମହିଳା ଦରଜା ବନ୍ଦ କରିଦେଲେ । +ବାହାରେ ରାତି ସାରା ଭୀଷଣ ବର୍ଷା । +ସେ ବର୍ଷା ରାତିସାରା କମିବାର ନାମ ନେଲାନି । +ରଜତ ଶ୍ରାବଣୀ ସହ ଯାହା ଯାହା ଘଟନା ଘଟେଇବାକୁ ଚାହୁଁଥିଲା; ସେଇ ନିବୁଜ କୋଠରିରେ ସବୁ ଗୋଟିକ ପରେ ଗୋଟିଏ ଘଟିଚାଲିଥିଲା । +ତଫାତ୍ କେବଳ ଏତିକି ଯେ, ରଜତ ନିଜ ଭୂମିକାରେ ଅବତୀର୍ଣ୍ଣ ନ ହୋଇ ଶ୍ରାବଣୀର ଭୂମିକାରେ ଥିଲା । +ସକାଳ ହେଲା । +ଧର୍ଷିତା ନାରୀର କୋହ ପରି ଆକାଶରେ ମେଘ ଖଣ୍ଡମାନ ଆହୁରି ଗୁମୁରୁଥିଲେ । +ନାଲି କାର୍‌ଟି ରଜତକୁ ତା’ ଘର ପାଖରେ ଛାଡ଼ିଦେଇ କେତେବେଳୁ ଯାଇସାରିଥିଲା । +ରଜତ ଗେଟ୍ ଆଗରେ ଠିଆ ହୋଇ ଆକାଶରୁ ଚାହିଁଚାହିଁ ଭାବୁଥିଲା- ଶ୍ରାବଣ ରାତିକୁ ନେଇ କେବଳ କବିତା କାହିଁକି, ଭଲ ଥ୍ରିଲର୍ ବି ଲେଖାଯାଇପାରେ ।