diff --git a/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_61 b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_61 new file mode 100644 index 0000000000000000000000000000000000000000..7ca7060782d51dfda6a808a9196d458840b7dc02 --- /dev/null +++ b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_61 @@ -0,0 +1,102 @@ +ଶିକାର +- ଭଗବତୀ ଚରଣ ପାଣିଗ୍ରାହୀ +ତା: ଅକ୍ଟୋବର୍ ୨୫, ୨୦୧୧ +ମୂଳ ପୃଷ୍ଠା → ସ୍ମରଣୀୟ ଲେଖା → ଗଳ୍ପ → +ସେ ଅଞ୍ଚଳରେ ଘିନୁଆର ନାମ ବିଖ୍ୟାତ । +ଶିକାରୀ ହିସାବରେ ଜଣା । +ତା’ର ପ୍ରଥମ ଅସ୍ତ୍ର ନିଜର ହାତ ତିଆରି ଧନୁଶର । +ସେ ତୀର ମାରିଲା ବେଳେ ଚିତ୍‌ ହୋଇ ଶୋଇପଡ଼େ, ବାଁ ପାଦଟି ଧନୁରେ ଲଗାଇ ଦେଇ କାନ ପର୍ଯ୍ୟନ୍ତ ତୀରଟି ଟାଣି ନେଇ ଛାଡ଼ିଦିଏ । +ମାଇଲିଏ ଦୂରରୁ ତୀର ମାରି ସେ ଲାଖ ବିନ୍ଧିପାରେ । +ଏଇ ଧନୁଶର ସାହାଯ୍ୟରେ ସେ ହରିଣ, ସମ୍ବର, ବାରହା, ଭାଲୁ ମାରିଛି ଅଗଣନ; ଚତାବାଘ ବି ମାରିଛି ଅନେକ । +କିନ୍ତୁ ମହାବଳ ମାରିଛି ମୋଟେ ଦୁଇଟି । +ମହାବଳ ଦୁଇଟି ମାରି ସେ ଡେପୁଟି କମିଶନ୍ଙ୍କଠାରୁ ବେଶ୍‌ ପୁରସ୍କାର ପାଇଛି ମଧ୍ୟ । +ସେଦିନ ଭୋରରୁ ସେ ଏକ ଅଦ୍ଭୁତ ଶିକାର ନେଇ ଡେପୁଟି କମିଶନରଙ୍କ ବଙ୍ଗଳା ପାଖରେ ହାଜର । +ଗୋଟିଏ କାନ୍ଧରେ ତା’ର ଧନୁଟି ଝୁଲିଛି, ହାତରେ ଦି’ତିନିଟା ତୀର, ଆଉ କାନ୍ଧରେ ଟାଙ୍ଗିଆଟି ପଡ଼ିଛି । + ଘିନୁଆକୁ ଏ ବେଶରେ ଦେଖି ଅର୍ଦ୍ଦଳି ପଚାରିଲା- ‘କିରେ, ଆଜି କି ଶିକାର ଆଣିବୁ ?’ +ଘିନୁଆ ସଙ୍ଗେ ତା’ର ଭଲ ଜଣାଶୁଣା । +ତା’ର ବକ୍‌ସିସର ଅଂଶୀଦାର ସେ କେତେଥର ହୋଇଛି । +ଉତ୍ତରରେ ଘିନୁଆ ତା’ ମଇଳା ଦାନ୍ତ ଦୁଇଧାଡ଼ି କେବଳ ଦେଖାଇଲା । +ସେ ହସିଲା କି ଖେଁକିଲା ଜାଣିବାର ଉପାୟ ନାହିଁ । +ପ୍ରକୃତରେ ହସ ବୋଲି ଯାହାକୁ କୁହାଯାଏ, ଘିନୁଆ ଠାରେ ତାହା କେହି କେବେ ଦେଖି ନାହିଁ । +ବେଳେବେଳେ ସେ ଏହିପରି ଦାନ୍ତ ଦେଖାଏ । +ତାହା ହସ ନୁହେଁ କି କାନ୍ଦ ନୁହେଁ- କେବଳ ଦାନ୍ତ ଦେଖା । +ଅର୍ଦ୍ଦଳି ପଚାରିଲା, ‘କି ବେ, କି ଶିକାର ଆଣିଚୁ ?’ +ଘିନୁଆ ତାହାର ଗାମୁଛାରେ ବନ୍ଧା ହୋଇଥିବା ଗୋଟିଏ ପଦାର୍ଥକୁ ଦେଖାଇ କହିଲା ଯେ ସେ ଆଜି ଏକ ମସ୍ତ ଜାନୁଆର ଶିକାର କରିଛି । +ଅର୍ଦ୍ଦଳି ପଚାରିଲା, ‘ବାଘ’ ? +ଘିନୁଆ ମୁଣ୍ଡ ହଲାଇ ନାହିଁ ଜଣାଇଲା । +‘ତେବେ କ’ଣ, ଚିତା… ଭାଲୁ…ବାର୍‌ହା.. ?’ +ଘିନୁଆ କେବଳ ମୁଣ୍ଡ ହଲାଇଗଲା । +‘ଆଉ ତେବେ କ’ଣ ବେ ?’ +ଗୋଳମାଳ ଶୁଣି ସାହେବ ବଙ୍ଗଳା ଭିତରୁ ବାହାରି ଆସିଲେ । +ଘିନୁଆ ମୁଣ୍ଡିଆମାରି ସାହେବଙ୍କୁ ସେହିପରି ଦାନ୍ତ ଦେଖାଇଲା । +ସାହେବ ଶିକାରର ଚେହେରାକୁ ଦେଖିବାକୁ ଔତ୍ସୁକ୍ୟ ପ୍ରକାଶ କରିବାରୁ ଘିନୁଆ ଗାମୁଛା ଭିତରୁ ବାହାରକରି ସାହେବଙ୍କ ପାଦ ତଳେ ଥୋଇଲା ଗୋଟିଏ ସଜକଟା ମଣିଷ ମୁଣ୍ଡ । +ସାହେବ ଚମକି ପଡ଼ି ପାହୁଣ୍ଡେ ହୁଇ ପାହୁଣ୍ଡେ ପଛେଇଗଲେ । +ଘିନୁଆ ହାତ ବଢ଼ାଇ ମାଗିଲା, ‘ସାହେବ, ବକ୍‌ସିସ୍‌ ।’ +କିଛିକ୍ଷଣ ପରେ ମନକୁ ସମ୍ଭାଳିନେଇ ସାହେବ ଘିନୁଆକୁ ବକ୍‌ସିସ୍‌ ପାଇଁ ଅପେକ୍ଷା କରିବାକୁ ଇସାରା କଲେ ଏବଂ ଭିତରକୁ ଯାଇ ଫୋନ୍‌ ଦ୍ବାରା ସଶସ୍ତ୍ର ପୋଲିସ ଫୌଜ ଡକାଇଲେ । +ଏହା ବ୍ୟତୀତ ଘିନୁଆକୁ ଜବତ୍‌ କରିବାର ଉପାୟ ନାହିଁ । +ଦେହରେ ତା’ର ଗୋଟାଏ ଅସୁରର ବଳ । +ହାତରେ ପୁଣି ତା’ର ଧନୁଶର ଓ ଟାଙ୍ଗିଆ ରହିଛି । +ଯେତେବେଳେ ହାତକଡ଼ି ଗୋଡ଼କଡ଼ି ପିନ୍ଧି ଘିନୁଅକୁ ହାଜତରେ ରହିବାକୁ ହେଲା, ସେ କିଛି ବୁଝିପାରିଲା ନାହିଁ । +ତାକୁ ଏପରି ଭାବରେ ଅଟକାଇ ରଖିବାର ମତଲବ କ’ଣ ? ସୁବିଧା ପାଇଲେ ସେ କାହାରି କହାରିକୁ ଏ ବିଷୟରେ ପଚାରେ । +କିଏ କହେ ତା’ର ଫାଶୀ ହେବ, କିଏ କହେ ସେ ଯିବ କଳାପାଣି । +କାହିଁକି ? ସେ ଏମିତି କି ଅପରାଧ କରିଛି କି ? କିଛି ବୁଝି ନପାରି ସେମାନଙ୍କ କଥାକୁ ସେ ବିଶ୍ବାସ କରିପାରିନାହିଁ । +ଶେଷରେ ଦିନେ ଡେପୁଟି କମିଶନର ପରିଦର୍ଶନ କରିବାକୁ ଆସିଥିଲେ । +ସେ ତାଙ୍କୁ ହିଁ ସବୁ ହାଲ୍‌ ପଚାରିଲା । +ସେ କହିଲେ ଯେ ପୂର୍ବରୁ ସେ ବାଘ, ଭାଲୁ ମାରୁଥିଲା ବୋଲି ସଙ୍ଗେ ସଙ୍ଗେ ବକ୍‌ସିସ୍‌ ପାଉଥିଲା । +ଏବେ ମାରିଛି ମଣିଷ । +ଏଥର କି ବକ୍‌ସିସ୍‌ ପାଇବ ତାହା ପାଞ୍ଚ, ଛ’ଜଣ ତ ଫେର ବୁଝିବିଚାରି ଠିକ୍‌ କରିବେ । +ଏହି କଥାଟା ହିଁ ଘିନୁଆ ମନକୁ ମାନିଲା । +ଯେଉଁଦିନ ତା’ର ବିଚାର ହେଲା, ଘିନୁଆ ମନେ ମନେ ଭାବିଲା, ସେଦିନ ତାକୁ ବକ୍‌ସିସ୍‌ ମିଳିବ । +ସେ ଉତ୍ସାହିତ ହୋଇ ଜଜ୍‌ଙ୍କ ଆଗରେ ସବୁ ବିବରଣ କହିବାକୁ ଲାଗିଲା । +ସେ ଯେ ଗୋବିନ୍ଦ ସର୍ଦାରକୁ ହାଣିଲା, ସେଥିପାଇଁ ତାକୁ କମ୍‌ କଷ୍ଟ କରିବାକୁ ପଡ଼ିନାହିଁ । +ଆଉ ଅନେକ ଲୋକ ତାକୁ ମାରିବାକୁ ଛକିଥିଲେ, କିନ୍ତୁ କେହି ପାରିନଥିଲେ । +ଗୋବିନ୍ଦ ସରଦାର, ଯେ ସବୁବେଳେ ମଟରରେ ଯିବାଆସିବା କରେ । +ସେ ତା’ର ଧନ ସମ୍ପତ୍ତି କମେଇଛି ଅନ୍ୟ ସମସ୍ତଙ୍କୁ ଲୁଟିକରି । +ବଡ଼ ସଇତାନ ଲୋକ ଥିଲା ସେ । +କେତେ ଲୋକଙ୍କୁ ସେ ମାରିଛି, କେତେ ଲୋକଙ୍କୁ ଉଚ୍ଛନ୍ନ କରିଛି, କେତେ ସ୍ତ୍ରୀ ଲୋକଙ୍କର ଇଜ୍ଜତ ନେଇଛି, ତାହାର ଠିକଣା ନାହିଁ । +ଘିନୁଆର ସବୁ ଜମିବାଡ଼ି ମଧ୍ୟ ନେଇ ନିଜର କରିଛି । +ସେଦିନ ସନ୍ଧ୍ୟାରେ ଘିନୁଆର ସ୍ତ୍ରୀ ଉପରେ ଅତ୍ୟାଚାର କରିବାକୁ ବସିଥିଲା । +ଏତେବଡ଼ ବହପ ! ଘିନୁଆକୁ ଦେଖି ମଟରରେ ପଳାଉଥିଲା । +ତା’ ହାବୁଡ଼ରୁ ଖସି ଚାଲିଯିବ ! ତା’ର ମଟର ଚକକୁ ତୀର ମାରି ଘିନୁଆ ମଟରକୁ ଅଚଳ କରିଦେଲା । +ତା’ପରେ ଟାଙ୍ଗିଆରେ ତା’ର ମୁଣ୍ଡଟି କାଟିଦେଇ ସିଧା ଦୌଡ଼ିଲା, ରାତାରାତି ବଣ ଜଙ୍ଗଲ ଭିତରେ ଦେଇ । +ତିରିଶ ମାଇଲ୍‌ ରାସ୍ତା ଏକା ନିଶ୍ବାସକେ ଦୌଡ଼ି, ସେ ଡେପୁଟି କମିଶନରଙ୍କ ବଙ୍ଗଳା ପାଖରେ ହାଜର ହେଲା । +ଗୋବିନ୍ଦ ସର୍ଦାର ସାମାନ୍ୟ ଲୋକ ନୁହେଁ । +ହାତରେ ତା’ର ଥାଏ ସବୁବେଳେ ବନ୍ଧୁକ । +ବାଘ ଭାଲୁଙ୍କ ଅପେକ୍ଷା ଲୋକେ ତାକୁ ବେଶୀ ଭୟ କରନ୍ତି । +ବାଘ-ଭାଲୁଙ୍କ ଅପେକ୍ଷା ସେ ଲୋକଙ୍କର କ୍ଷତିକରେ ଢେର ବେଶୀ । +ତାକୁ ମାରିବା ପାଇଁ ଘିନୁଆ କମ୍‌ ସାହସ ଓ ବିଚକ୍ଷଣତା ଖର୍ଚ୍ଚ କରିନାହିଁ । +କିଛି ବର୍ଷ ତଳେ ମେଳିଆ ଝପଟ ସିଂର ମୁଣ୍ଡ କାଟିଥିବାରୁ ସାହେବ ଡୋରାକୁ ପାଁଶ ଟଙ୍କା ବକ୍‌ସିସ୍‌ ଦେଇଥିଲା । +ଝପଟ ସିଂ ତ ଏକରକମର ଭଲ ଲୋକ ଥିଲା । +ସେ ସ୍ତ୍ରୀଲୋକଙ୍କ ଇଜ୍ଜତ ନେଇ ନାହିଁ କି କାହାରି ଜମିବାଡ଼ି ଦଖଲ କରି ନାହିଁ । +ସେ କେବଳ ଖଜଣାଖାନା ଲୁଟି କରିଥିଲା, ଆଉ କେତେଜଣ ସିପାହିଙ୍କୁ ମାରିଥିଲା । +ଗୋବିନ୍ଦ ସର୍ଦାର କିନ୍ତୁ ବଡ଼ ଭୟଙ୍କର ଲୋକ । +ତାକୁ ମାରିଥିବାରୁ ଘିନୁଆକୁ ଅଧିକ ବକ୍‌ସିସ୍‌ ମିଳିବା ଉଚିତ୍‌ । +ଘିନୁଆର ଗଳ୍ପ ଶୁଣି ସମସ୍ତେ ହୋ ହୋ ହୋଇ ହସି ଉଠିଲେ । +ଜଜ୍‌ ସାହେବ ହସି ହସି କହିଲେ, ‘ହଁ ଉପଯୁକ୍ତ ବକ୍‌ସିସ୍‌ ଦିଆଯିବ ।’ +ସରକାରୀ ଓକିଲ କହିଲେ, ‘ତତେ ଏଠାକୁ ଖାସ୍ ଅଣାଯାଇଛି ବକ୍‌ସିସ୍‌ ଦିଆଯିବା ଲାଗି ।’ +ଘିନୁଆ ଏହାକୁ ପରିହାସ ନମଣି ସତ ବୋଲି ମନେକଲା । +କାରଣ ହସ କୌତୁକ, ଥଟ୍ଟା ପରିହାସ ସେ ଜାଣେନାହିଁ । +ତା’ର ଯେ ନିତାନ୍ତ ନିପଟ ରସଶୂନ୍ୟ ପ୍ରକୃତି । +ଶେଷରେ ରାୟ ଦିଆଗଲା – ପ୍ରାଣଦଣ୍ଡ । +ଘିନୁଆ ଏହାର କୌଣସି ଅର୍ଥ ବୁଝିଲା ନାହିଁ । +ପୁଣି ଜେଲ୍‌କୁ ଫେରାଇ ତାକୁ ବୁଝାଇ ଦିଆଗଲା ଯେ, ତା’ର ବକ୍‌ସିସ୍‌ ପାଇବାର ଦିନ ଆସୁଛି । +ଘିନୁଆ ସେ ପର୍ଯ୍ୟନ୍ତ ବୁଝିଲାନାହିଁ ଯେ ସେ ଜଣେ ଅପରାଧୀ ଓ ସେଥିଲାଗି ତାକୁ ପ୍ରାଣଦଣ୍ଡ ଆଦେଶ ହୋଇଛି । +ଝପଟ ସିଂକୁ ମାରିବା ଓ ଗୋବିନ୍ଦ ସର୍ଦାରଙ୍କୁ ମାରିବା ଯେ ଏକାକଥା ନୁହେଁ, ତାହା ସେ ବୁଝିବ କାହୁଁ ? ସେ ଜାଣିଲା ନାହିଁ ଯେ ଗୋଟିଏ ଗୌରବର ବିଷୟ, ଅନ୍ୟଟି ଦୋଷାବହ ! ଆଇନର ସୂକ୍ଷ୍ମ ଜାଲ ଭିତରେ ପଶିବାକୁ ତା’ର ମୁଣ୍ଡ ନାହିଁ । + ସେ ଯେ ବଣୁଆ ସାନ୍ତାଳ ! +ସେ ମନେ ମନେ ଭାବେ, ଡୋରା ପାଁଶ ଟଙ୍କା ପାଇଛି ଝପଟ ସିଂକୁ ମାରି । +ସେଥିରୁ ବେଶି ନଦେଲେ କାହିଁକି ନେବ ? ସବୁ ଫେରାଇଦେଇ କହିବ, ‘କିଛି ନ ଦିଅ ପଛେ ସାହେବ, ଡୋରା ଠାରୁ ବେଶୀ ପାଇବାର ମୋର ହକ୍‌ ।’ +ଜେଲ୍‌ରେ ଅନ୍ଧାରିଆ ନିର୍ଜନ ଗୁମ୍ଫାରେ ରହି ସେ କେତେ କ’ଣ ଭାବେ । +କଥାବାର୍ତ୍ତା କରିବାକୁ ସେ କାହାରିକି ଦେଖେ ନାହିଁ । +କଥାବାର୍ତ୍ତା କରିବାକୁ ବି ତା’ର ଆଗ୍ରହ ନଥାଏ । +କେବଳ ବକ୍‌ସିସ୍‌ ପାଇ ଘରକୁ ଫେରିବାକୁ ତା’ର ମନ ଛଟପଟ ହେଉଥାଏ । +ଶେଷରେ ତା’ର ଫାଶୀର ଦିନ ଆସିଲା । +ତାକୁ ପଚରାଗଲା, ତା’ର ଶେଷରେ କ’ଣ ଦରକାର । +ସେ କହିଲୋ, ‘ମୋର ବକ୍‌ସିସ୍‌ ।’ +‘ଆଚ୍ଛା, ବକ୍‌ସିସ୍‌ ପାଇବୁ ଆ’ କହି ତାକୁ ନେଇଗଲେ । +ମୁଣ୍ଡରେ ତା’ର ଗୋଟିଏ କଳାକନାର ଖୋଳ ପିନ୍ଧାଇ ଦିଆଗଲା । +ଘିନୁଆ ମନେ ମନେ ବିଚାରିଲା – ଆଖିରେ ଅନ୍ଧ ପୋଟଳି ଦେଇ ହାତରେ ତା’ର ସୁନାରୂପା ଢାଳି ଦିଆଯିବ । +ସରକାର ଘରର କେତେ ଫନ୍ଦିଫିକର, କାଇଦା କଟକଣା ଅଛି, ଖାଲି ସିମିତି କ’ଣ ବକ୍‌ସିସ୍‌ ଦିଆଯିବ ? +ସେ ଘରକୁ ଫେରି ସବୁ ଦେଖାଇବ । +କି ଖୁସି ହେବ ସ୍ତ୍ରୀ ତା’ର ସେ ସବୁ ଦେଖି ! ଭଲ ଘରଦ୍ବାର କରି, ଜମିବାଡ଼ି ଚଷି ସେ ସୁଖରେ ରହିବ । +ଆଉ ତ ଗୋବିନ୍ଦ ସର୍ଦାର ନାହିଁ ଯେ ସବୁ ଲୁଟିକରି ନେବ । +ହଠାତ୍‌ କ’ଣ ଗୋଟିଏ ଆସି ତା’ ବେକରେ ବାଜିଲା ।