diff --git a/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_15 b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_15 new file mode 100644 index 0000000000000000000000000000000000000000..bcf1733be2f58f3cc53db99e441fd48e2e5a662c --- /dev/null +++ b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_15 @@ -0,0 +1,114 @@ +ନେତାଙ୍କ ହାଟ +ବରେନ୍ଦ୍ର କୃଷ୍ଣ ଧଳ +ତା: ନଭେମ୍ବର୍ ୧୪, ୨୦୧୬ +ମୂଳ ପୃଷ୍ଠା → ସ୍ମରଣୀୟ ଲେଖା → ଗଳ୍ପ → +ବିଧାନସଭାର ଫଳ ଥିଲା ଅମୀମାଂସିତ । +…କଂଗ୍ରେସ କିମ୍ବା ଜନ ସଂକେତ – କାହାରି ପାଖରେ ସେହି ମ୍ୟାଜିକ୍‌ ଏକାଅଶି ନଥିଲେ । +ଶହେ ଷାଠିଏ ସଭ୍ୟ ବିଶିଷ୍ଟ ବିଧାନସଭାରେ ଏକାଅଶି ଜଣ ହାତଟେକା ସଭ୍ୟ ନଥିଲେ ରାଜ୍ୟପାଳ ମନ୍ତ୍ରିମଣ୍ଡଳ ଗଢ଼ିବାକୁ ଗଣକଂଗ୍ରେସ ନେତା ଜନ୍ମେଜୟ କିମ୍ବା ଜନ ସଂକେତ ନେତା ସନାତନ ବାବୁଙ୍କୁ ଡାକିବେ ନାହିଁ । + ମନ୍ତ୍ରିମଣ୍ଡଳ ଗଢ଼ିବା ପାଇଁ ତ ନିର୍ବାଚନ, ଏତେ… +ଗତଥର ଅନ୍ୟ କେତୋଟି ସାନ ସାନ ଆଞ୍ଚଳିକ ଦଳର ସଭ୍ୟଙ୍କୁ ହାତ କରି ବିଧାନସଭାରେ ନିଜ ସପକ୍ଷରେ ୯୬ ଜଣ ଏମ୍‌.ଏଲ୍‌.ଏଙ୍କୁ ଏକାଠି କରି ଜନ୍ମେଜୟ ମୁଖ୍ୟମନ୍ତ୍ରୀ ହୋଇଥିଲେ । +ଏଥର ନିଜର ଗଣକଂଗ୍ରେସ ଓ ଅନ୍ୟ ସହଯୋଗଦଳ ମିଶାଇ ନିର୍ବାଚିତ ଏମ୍‌.ଏଲ୍‌.ଏ ସଂଖ୍ୟା ୭୮ରେ ପହଞ୍ଚିଛି । +…ପୁଣି ଜଣେ ମାତ୍ର ଆଠଟି ଅଧିକ ଭୋଟରେ ଜୟଯୁକ୍ତ ହୋଇଛି । +ନିର୍ବାଚନ ମକଦ୍ଦମା ଅବଶ୍ୟମ୍ଭାବୀ । +ଭୋଟ ଆଉଥରେ ଯଦି ଗଣାଯାଏ ଫଳ ବିପରୀତ ହୋଇପାରେ । +ଜନ ସଂକେତ ଅବସ୍ଥା ମଧ୍ୟ ତଦୃପ । +ଦଳର ନେତା ବହୁ ତୁମ୍ବିତୋଫାନ କରି ଛଅସ୍ତରି ସ୍ଥାନ ଦାଖଲ କରିଛନ୍ତି । +ଦୁଇଜଣ … ସ୍ବାଧୀନ ଭାବରେ ଲଢ଼େଇ କରି ଜିତି ଥିଲେ । +ସେମାନଙ୍କ ଓଠ ହାତ ଧରି ମନ୍ତ୍ରିମଣ୍ଡଳ ଗଢ଼ାହେଲେ ଦୁଇଜଣଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବ ବୋଲି ଲିଖିତ ପ୍ରତିଶ୍ରୁତି ଦେଇ ପୁଣି ଦଳକୁ ଫେରାଇ ଆଣିଛନ୍ତି । +ମନ୍ତ୍ରିମଣ୍ଡଳ ଗଠନ କରିବାର ସମ୍ଭାବନା ଦେଖିଲେ ସେ ଦୁହେଁ ଜନ ସଂକେତ ଗୁହାଳରୁ ଡିଆଁ ମାରି ବିପକ୍ଷ ତମ୍ବୁରେ ପଶିଯାଇ ପାରନ୍ତି । +ନବକୋଶଳ ରାଜ୍ୟର ଏଇ ଜଟିଳ ରାଜନୈତିକ ପରିସ୍ଥିତିର ସମାଧାନର ଚାବିକାଠି ଭଂଜଗଡ଼ର ପଦ୍ମନାଭଙ୍କ ହାତରେ, ଚାରିଜଣ ଆଦିବାସୀ-ହରିଜନ ନିର୍ବାଚିତ ସଭ୍ୟ ପକେଟରେ ପୂରାଇ ସେ ବୁଲୁଛନ୍ତି । +ସେଇ ଚାରିଜଣ ଯୋଉ ଦଳକୁ ସମର୍ଥନ କରିବେ ସେଇ ଦଳ ନବକୋଶଳ ରାଜ୍ୟରେ ମନ୍ତ୍ରିମଣ୍ଡଳ ଗଢ଼ିବ । +ଗଣ କଂଗ୍ରେସକୁ ସମର୍ଥନ କଲେ ଜନ୍ମେଜୟଙ୍କ ମୁଖ୍ୟମନ୍ତ୍ରୀ ଗାଦି ସୁରକ୍ଷିତ ହୋଇ ରହିବ । +ଜନ ସଂକେତ ଦଳକୁ କଲେ ସନାତନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବେ । +ସେଥିପାଇଁ ଭୋଟ ଗଣତିର ଟ୍ରେଣ୍ଡ ଜଣାପଡ଼ିବା ମାତ୍ରେ ଫଳାଫଳ ଘୋଷଣାକୁ ଅପେକ୍ଷା କରି ଦୁଇଦଳର ଦୂତ ଖେଦିଗଲେ ଭଂଜଗଡ଼ । +ସନାତନ ପଟ୍ଟନାୟକଙ୍କ ଦୂତ ନିର୍ବାଚିତ ଚାରିଜଣଙ୍କୁ ଡାକି କହିଲା-ଦେଖ ଭାଇ! +ତମେ ଚାରିଜଣ ବିରୋଧୀ ଦଳର ପ୍ରାର୍ଥୀଭାବରେ ଜିତିଛ । +ଗଣ କଂଗ୍ରେସ ପ୍ରାର୍ଥୀଙ୍କ ବିରୁଦ୍ଧରେ ଲୋକେ ଭୋଟ ଦେଇ ତମକୁ ଜିତାଇଛନ୍ତି । +ତେଣୁ ଏକ ବିକଳ୍ପ ଅଣ ଗଣ-କଂଗ୍ରେସୀ ମନ୍ତ୍ରିମଣ୍ଡଳ ଗଠନ ପାଇଁ ତମକୁ ଜନାଦେଶ ମିଳିଛି । +ଏ ଜନାଦେଶ ମାନି ତମେ ଚାରିଜଣ ଜନସଂକେତ ଦଳକୁ ସମର୍ଥନ କରିବା ଦରକାର । +ସନାତନ ବାବୁ ମୁଖ୍ୟମନ୍ତ୍ରୀ ହେଲେ ତମେ ଚାରିଜଣ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବ । +ତମେ ଯିଏ ଯେଉଁ ବିଭାଗ ଚାହିଁବ-ସେ ବିଭାଗ ଦିଆଯିବ । +ମୁଁ ଗୋଟାଏ ଚିଠା ଲେଖି ଆଣିଛି । +ତମେ ଚାରିଜଣ ଜନସଂକେତ ଦଳ ସରକାରକୁ ସମର୍ଥନ କରୁଛ ବୋଲି ଜଲ୍‌ଦି ଦସ୍ତଖତ କରିଦିଅ । +ଜନ୍ମେଜୟ ବାବୁ ତମକୁ ନାନା ପ୍ରଲୋଭନ ଦେଖାଇବ । +ଲୋଭରେ ନ ପଡ଼ିଲେ ପୋଲିସ୍‌ ପଠେଇ ଧମକେଇବ । +ଭାଇଗଣ! ପ୍ରଲୋଭନ ଆଉ ଧମକ ଗଣତନ୍ତ୍ରର ଶତ୍ରୁ । +ନବକୋଶଳ ରାଜ୍ୟରେ ଜନସଂକେତ ଦଳ ହିଁ ଲୋକପ୍ରିୟ ସରକାର ଗଢ଼ିପାରିବ । +ଦିଅ ଦସ୍ତଖତ କରିଦିଅ-ଯେତେ ଶୀଘ୍ର, ସନାତନ ବାବୁ ମନ୍ତ୍ରିମଣ୍ଡଳ ଗଢ଼ିବେ, ତମେ ସବୁ ମନ୍ତ୍ରି ହେବ-ଧର କଲମ-ମାର ଦସ୍ତଖତ । +ସନାତନଙ୍କ ଦୂତ କହି କହି ଥକି ଗଲେ । +ତାଙ୍କ ପାଟି ଘୋଳି ହୋଇଗଲା । +କିନ୍ତୁ ଭଂଜଗଡ଼ର ସେଇ ଚାରି ମୂର୍ତ୍ତି ମୌନ ପାଲଟିଗଲେ । +ହରିଜନ ଏମ୍‌.ଏଲ୍‌.ଏ ବହୁ କଷ୍ଟରେ କୁନ୍ଥେଇ କୁନ୍ଥେଇ କହିଲେ-ଆମେ ଦସ୍ତଖତ ଦେଇସାରିଛୁ । +ଦୂତ ବିଚଳିତ ହୋଇ ପଚାରିଲେ- ସେ ଦସ୍ତଖତ କାହା ପାଖର ଅଛି ? +ଅନ୍ୟ ତିନିଜଣ ଆଦିବାସୀ ଏମ୍‌.ଏଲ୍‌.ଏ ସମସ୍ବରରେ କହିଲେ-ଆମର ନେତା ପଦ୍ମନାଭ ନାୟକ । +ତାଙ୍କ ପାଖରେ ଦସ୍ତଖତ କରି କାଗଜ ଦେଇ ଦେଇଛୁ । +କାଗଜ ବନ୍ଧା ପଡ଼ିଛି । +ଯିଏ ଟଙ୍କା ଦେଇ ମୁକୁଳାଇ ପାରିବ, ସେ ରାଜା ହେବ । +ନବକୋଶଳ ରାଜନୀତିର ଚାବିକାଠି ପଦ୍ମନାଭ ହାତକୁ ଚାଲି ଯାଇଛି ଜାଣି ସନାତନଙ୍କ ଦୂତ ପାଗଳ ଭଳି ତାକୁ ଖୋଜି ବୁଲିଲା । +ପଦ୍ମନାଭ ଆଦିବାସୀ । +ହେଲେ ବିଚିତ୍ର ତା’ର କାରବାର । +ଚରମ ଦାରିଦ୍ର୍ୟ ଭିତରେ ବଢ଼ିଥିଲେ ବି ପିଲାଦିନୁ ବଡ଼ଲୋକ ହେବା ପାଇଁ ଗୋଟିଏ ସ୍ୱପ୍ନ ସେ ମନରେ ପୋଷଣ କରି ଆସିଛି । +ତାର ଗରିବ ବାପା ମାଆ ଜଣେ ଗୋରା ସାହେବଙ୍କ ପାଖରେ ଫାଇ ଫରମାସ ଖଟିବା ପାଇଁ ପଠାଇ ଦେଇଥିଲେ । +ସେଇ ସାହେବ ଆଦିବାସୀ ପିଲାଟିକୁ ପାଠ ପଢ଼ାଇ ମଣିଷ କରିଦେଲେ । +ପ୍ରଥମ ଶ୍ରେଣୀରେ ମାଟ୍ରିକ୍‌ ପାଶ୍‌ କଲା ପରେ ଭଂଜଗଡ଼ ଆଦିବାସୀ ଅଞ୍ଚଳରେ ମିଶନାରୀ କାମ କରୁଥିବା ସେଇ ସାହେବଙ୍କ ସହାୟତାରେ ସେ ସହରକୁ ଗଲା ପାଠ ପଢ଼ିବା ପାଇଁ । +ବି.ଏ. ପାଶ୍‌ କରି ଏମ୍‌.ଏ. ପଢ଼ୁଥିବା ବେଳେ ଜଣେ ଆଇ.ଏ. ପରୀକ୍ଷାର୍ଥୀ ବ୍ରାହ୍ମଣ କନ୍ୟାକୁ ଟିଉସନ କରୁଥିଲା । +ପାଠ ପଢ଼ାରୁ ପ୍ରେମ, ପଳାୟନ ଓ ଶେଷରେ ବିବାହ । +ଏମ୍‌.ଏ. ପରୀକ୍ଷା ଆଉ ଦେଲା ନାହିଁ ପଦ୍ମନାଭ । +ବ୍ରାହ୍ମଣୀ ପତ୍ନୀଙ୍କୁ ସାଙ୍ଗରେ ଧରି ଭଂଜଗଡ଼ ଫେରି ଆସିଲା । +ପତ୍ନୀ ହିଁ ତା ମନରେ ଉପରକୁ ଉଠିବାର ଆଶା ଜଗାଇ ଦେଇଥିଲା । +କଣ୍ଟ୍ରାକ୍ଟରୀ କରି କିଛି ଟଙ୍କା ଜମାଇଥିଲା । +ନିର୍ବାଚନରେ ଏଇ ଚାରିଜଣ ପ୍ରାର୍ଥୀଙ୍କ ପାଇଁ ସେ କିଛି ଟଙ୍କା ଖଟେଇଥିଲା । +ତାର ଭାଗ୍ୟ ଭଲ ଚାରିଜଣଯାକ ପ୍ରାର୍ଥୀ ଜିତିଗଲେ, ଆଉ ନିର୍ବାଚନ ଫଳ କୌଣସି ଦଳ ବା ଏକକ ମେଣ୍ଟକୁ ଏକକ ସଂଖ୍ୟା ଗରିଷ୍ଠତା ଦେଲା ନାହିଁ । +ସେହି ସୁଯୋଗକୁ ବ୍ୟବହାର କରି ରାତାରାତି କୋଟିପତି ହୋଇଯିବାର ଏକ ଯୋଜନା ସେ କରିବସିଛି । +ସେ ଜାଣିଥିଲା ଏଇ ଚାରିଜଣ ଏମ୍‌.ଏଲ୍‌.ଏଙ୍କ ଦସ୍ତଖତର ସମର୍ଥନରେ ହିଁ କେହି ଜଣେ ମୁଖ୍ୟମନ୍ତ୍ରୀ ହେବ । +ଦେଶକୁ ଲୁଟି କରିବ । +ଏଇ ଚାରିଜଣ ହାଣ କୁରାଢ଼ିର ବେଣ୍ଟ ହେବେ । +ତାହାହେଲେ ସେ କାହିଁକି ନିଜର ମୁନାଫା ଉଠାଇ ନେବ ନାହିଁ? ପ୍ରତି ଏମ୍‌.ଏଲ୍‌.ଏଙ୍କ ସମର୍ଥନ ପାଇଁ ସେ ଯଦି କୋଡ଼ିଏ, ପଚିଶି ଲକ୍ଷ ଦାବି କରେ – ଦାବି ପୂରଣ କରିବାକୁ ସନାତନ କିମ୍ବା ଜନ୍ମେଜୟ କେହି ମନା କରିପାରିବେ ନାହିଁ । +ଟଙ୍କା ଦେଇ ଏମ୍‌.ଏଲ୍‌.ଏ କିଣିଲେ ତ ଦେଶକୁ ଲୁଟି କରିବାର ଛାଡ଼ପତ୍ର ମିଳିବ । +ସେ ନିଜର ଅନୁଗତ ଚାରିଜମ ଏମ୍‌.ଏଲ୍‌.ଏଙ୍କୁ ଡାକି କହିଲା-ଦେଖ ଗଦାଧର, ବୀରବର, ବାଇଧର, ହଳଧର! +ସେମାନେ ସମସ୍ତେ ତମକୁ ମନ୍ତ୍ରୀ କରିବାର ପ୍ରତିଶ୍ରୁତି ଦେବେ । +କିନ୍ତୁ ମନ୍ତ୍ରୀତ୍ୱ ହେଲା… ଗଛର ଛାଇ- ଏଇ ଅଛି ଏଇ ନାହଁ । +ଦି’ମାସ ପରେ ମନ୍ତ୍ରୀମଣ୍ଡଳ ଭାଙ୍ଗିଯାଇ ପୁଣି ନିର୍ବାଚନ ହେଲେ ଲଢ଼ିବା ପାଇଁ ତମେ ଟଙ୍କା ପାଇବ କେଉଁଠୁ? +ଅସଲ ହେଲା ନଗଦ ନାରାୟଣ । +ତମେ କାଗଜ ଦସ୍ତଖତ କରି ମତେ ଦେଇଦିଅ-ମୁଁ ଜଣ ପିଛା ଦଶଲକ୍ଷ ଆଣିଦେବି । +ତମକୁ ନିଜ ଖର୍ଚ୍ଚରେ ସବୁ ତୀର୍ଥ ଦର୍ଶନ କରାଇ ଆଣିବି । + ରାଜି? +ବିନା ପଇସାରେ ତୀର୍ଥ ଭ୍ରମଣ, ଆଉ ଦଶଲକ୍ଷ ନଗଦ ନାରାୟଣ! +ପ୍ରସ୍ତାବଟା ଶୁଣି ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଖି ଡୋଳା ଗୋଲ୍‌ ଗୋଲ୍‌ ଦହିବରା! +ସେମାନେ ବାହାରିଗଲେ ତୀର୍ଥ ଦେଖି । +ନବକୋଶଳ ରାଜ୍ୟରେ ଲୋକପ୍ରିୟ ସରକାର ସ୍ଥାପନା କରିବା ପାଇଁ ଶାଳମଞ୍ଜି, କେନ୍ଦୁପତ୍ର ଠିକାଦାର, ଇଷ୍ଟେଟ୍‌ ବିଲଡ଼ର୍ସମାନେ ନୋଟ୍‌ ଭରି ସୁଟ୍‌କେଶ୍‌ମାନ ଧରି ରାଜଧାନୀର ତାରକାଖଚିତ ହୋଟେଲ ସବୁ ଦଖଲ କରିନେଲେ । +ଜନ୍ମେଜୟ ବାବୁ ଓ ସନାତନ ବାବୁ ଏମ୍‌.ଏଲ୍‌.ଏ ଧରିବା ପାଇଁ ଚାରିଆଡ଼େ ଚାର ପଠାଇଲେ । + କିନ୍ତୁ କାହାନ୍ତି ସେ ଚତୁର୍ଦ୍ଧାମୂର୍ତ୍ତି ; ତାଙ୍କର ନେତା ପଦ୍ମନାଭ ନାଏକ! +ପୁରୀ-ତିରୁପତି ଦର୍ଶନ ସାରି ଗଦାଧର-ହଳଧର-ବାଇଧର-ବୀରବର ଗୋଟିଏ ଛୋଟ ହୋଟେଲରେ ମାଲ୍‌ ପିଇ ଆରାମ କରୁଥିଲେ । +ପଦ୍ମନାଭ… ଟେଲିଫୋନରେ ସନାତନ ଆଉ ଜନ୍ମେଜୟଙ୍କ ସହିତ ଏମ୍‌.ଏଲ୍‌.ଏଙ୍କ ଦର କଷାକଷି କରିବାକୁ … । +ଏଇ ସମୟରେ ଏକ ଅଘଟଣ ଘଟିଗଲା । +ହଠାତ୍‌ ପୋଲିସ୍‌ ସେ ଛୋଟ ହୋଟେଲ ଉପରେ ଚଢ଼ାଉ କରି ବେଶ୍ୟାବୃତ୍ତି କରୁଥିବା କେତେଜଣ ବାରାଙ୍ଗନାଙ୍କ ସହିତ ନିଶାଗ୍ରସ୍ତ ଚାରିଜଣଙ୍କୁ ଧରି ଥାନାକୁ ନେଇଗଲା । +ସେମାନେ ବାହାର ଝିଅମାନଙ୍କୁ ହୋଟେଲକୁ ନେଇ ସମ୍ଭୋଗରେ ମାତିଥିଲେ ବୋଲି ଥାନାରେ ଗୋଟେ ଅଭିଯୋଗ ଦାଏର୍‌ ହୋଇଗଲା । +ପଦ୍ମନାଭ ଖବର ପାଇ ଆସି ଥାନାବାବୁଙ୍କ ଉପରେ ଖୁବ୍‌ ତୁମ୍ବି ତୋଫାନ ଗଲା । +ଚାରିଜଣ ଧୃତ ବ୍ୟକ୍ତି ଏମ୍‌.ଏଲ୍‌.ଏ ବୋଲି ପରିଚୟ ଦେଇ କହିଲା- ଏ ଚାରିଜଣ ନବକୋଶଳ ରାଜ୍ୟ ନୂତନ ମନ୍ତ୍ରିମଣ୍ଡଳର ଭାଗ୍ୟବିଧାତା । +ରାଜ୍ୟପାଳ ଆସନ୍ତା ସୋମବାର ଦିନ ବିଧାନସଭା ଅଧିବେଶନ ଡାକିଛନ୍ତି । +ସେଠାରେ ଗଣକଂଗ୍ରେସ ଓ ଜନସଂକେତ ଦଳର ଶକ୍ତି ପରୀକ୍ଷା ହେବ । +ଯେଉଁ ଦଳର ପ୍ରାର୍ଥୀ ବାଚସ୍ପତି ନିର୍ବାଚିତ ହେବେ, ସେଇ ଦଳ ନେତାଙ୍କୁ ରାଜ୍ୟପାଳ ମନ୍ତ୍ରିମଣ୍ଡଳ ଗଠନ କିରବାକୁ ଡାକିବେ, ଆଉ ସେ ଭାଗ୍ୟ ନିଷ୍ପତ୍ତି କରିବ । +ତେଣୁ ନୂତନ ମନ୍ତ୍ରିମଣ୍ଡଳର ଭାଗ୍ୟବିଧାତାଙ୍କୁ ତୁରନ୍ତ ଖଲାସ କର, ତା ନହେଲେ ମନ୍ଦ ଫଳ ଭୋଗିବ । +ନିଶୁଆ ଥାନାବାବୁ ନିଶରେ ହାତ ମାରି ଉତ୍ତର ଦେଲେ-ଏମ୍‌.ଏଲ୍‌.ଏ ବୋଲି ପ୍ରମାଣ କାହିଁ ? +ପଦ୍ମନାଭର ହଂସା ଉଡ଼ିଗଲା । +ନିର୍ବାଚନ ଫଳାଫଳ ଘୋଷିତ ହେବାମାତ୍ରେ କାଳେ କିଏ ଏ ଚାରିଜଣଙ୍କୁ ନିଜ ଗୁହାଳକୁ ଆଡ଼େଇ ନେବ-ସେଥିପାଇଁ ଏମ୍‌.ଏଲ୍‌.ଏ ଆଇଡ଼େଣ୍ଟିଟି କାର୍ଡ଼ ଆଣିପାରି ନାହାନ୍ତି । + ନିଶୁଆ ଥାନାବାବୁଙ୍କୁ ପ୍ରମାଣ ଦେଖାଇବେ କ’ଣ ? +ଏ ଚାରିଜଣଙ୍କୁ କେବଳ ଭାରପ୍ରାପ୍ତ ମୁଖ୍ୟମନ୍ତ୍ରୀ ଜନ୍ମେଜୟ ସାହାଯ୍ୟ କରିପାରନ୍ତି । +ସେ ଗୋଟାଏ ଥର ଫୋନ୍‌ କଲେ କାମ ହୋଇଯିବ । +ପଦ୍ମନାଭ ଜନ୍ମେଜୟଙ୍କୁ ଗୋଟାଏ କଲ୍‌ ବୁକ୍‌ କଲେ । +ଆରପଟୁ କେୟାରଟେକର ମୁଖ୍ୟମନ୍ତ୍ରୀଙ୍କ କଣ୍ଠସ୍ୱର ଭାସି ଆସିଲା- କିଏ ପଦ୍ମନାଭ? କ’ଣ ଘଟଣା? ସେ ଚାରିଜଣ କାହାନ୍ତି । +ସେମାନେ ଯଦି ମୋତେ ସମର୍ଥନ ନ କରିବେ ତାହା ହେଲେ ଆଉ ଥରେ ନିର୍ବାଚନ କରେଇବି । +ସେ ଚାରିଜଣ ଶିଶୁପାଳ ହେବେ । +ବୁଝିଲ ନା ନାହିଁ? ଠିକ୍‌ ଅଛି । +ମୁଁ ପୋଲିସ୍‌ ଗାଡ଼ି ପଠାଉଛି, ସେ ଚାରିଜଣଙ୍କୁ ଉଦ୍ଧାର କରି ମୋ କୋଠୀକୁ ନେଇ ଆସିବ । +ମୁଖ୍ୟମନ୍ତ୍ରୀଙ୍କ ପ୍ରେରିତ ପୋଲିସ୍‌ ଭ୍ୟାନ୍‌ ଆସି ପହଞ୍ଚିବା ମାତ୍ରେ ଗଦାଧର, ବୀରବର, ହଳଧର ଆଉ ବାଇଧରଙ୍କୁ ଥାନାବାବୁ ଗାଡ଼ିରେ ଚଢ଼ାଇ ଦେଇ ସାଲ୍ୟୁଟ୍‌ ପକାଇଲେ । +ସେମାନଙ୍କ ସହିତ ଗାଡ଼ିରେ ଯିବା ପାଇଁ ପଦ୍ମନାଭ ଉଠୁଥିଲା । +ଡ୍ରାଇଭର ତାକୁ ଯୋର୍‌ କରି ଓହ୍ଲାଇ ଦେଲା । +କହିଲା-ଏମ୍‌.ଏଲ୍‌.ଏ ବାବୁମାନେ ମାମୁଁ ଘରକୁ ନଯାଇ କାଲି ସକାଳୁ ରାଜଭବନରେ ପ୍ୟାରେଡ଼ରେ ଯୋଗ ଦେବେ । +ଆପଣ ସେମାନଙ୍କ ସହିତ ଯିବା ପାଇଁ ଅର୍ଡ଼ର ନାହିଁ । +ଧୂଆଁ ଉଡ଼ାଇ ଗଣତନ୍ତ୍ରର ଗାଡ଼ି ଚାଲିଗଲା । +ଗୋରୁମାନେ ଗୁହାଳକୁ ଚାଲିଗଲେ । +ଗାଈଆଳ ପଦ୍ମନାଭ ନାଏକ ଫେରି ଆସିଲେ, ସେଇ ଛୋଟ ଦୁର୍ନୀତିଗ୍ରସ୍ତ ହୋଟେଲକୁ । +ଚକେଗଲେ ବାରହାତ । + ଆଉ କେବେ ଭୋଟ ହେବ କେଜାଣି ?