diff --git a/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_32 b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_32 new file mode 100644 index 0000000000000000000000000000000000000000..4dbfcf1f18f7c9aefd9fa2149a69efd3401d6fc4 --- /dev/null +++ b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_32 @@ -0,0 +1,41 @@ +ବଂଶୀ ଓ ବନ୍‌ଶୀ +ବ୍ରହ୍ମାନନ୍ଦ ପଣ୍ଡା +ତା: ଜୁନ୍ ୨୯, ୨୦୧୩ +ମୂଳ ପୃଷ୍ଠା → ସ୍ମରଣୀୟ ଲେଖା → ଗଳ୍ପ → +ବିସ୍ତୃତ ଏକ ପ୍ରାନ୍ତର ବକ୍ଷରେ କ୍ଷୁଦ୍ର ଜଳପୂର୍ଣ୍ଣ ସରୋବରଟିଏ । +ଅନତିଦୂରରେ, ପଥ ପାର୍ଶ୍ବରେ ଗୋଟିଏ ଭଗ୍ନସ୍ତୂପାକୃତି ଦେବାଳୟ । +ମୃତଗୌରବ ଦେବାଳୟର ଜୀବନ୍ତ ପ୍ରତୀକ ସ୍ବରୂପ ତାର ଜୀର୍ଣ୍ଣ ଚୂଡ଼ା ଭିତରୁ ଅଶ୍ବତ୍‌ଥ ବୃକ୍ଷଟିଏ ନିର୍ବିଘ୍ନରେ ବଢ଼ି ଉଠୁଚି । +ସରୋବର ବନ୍ଧର ଝଙ୍କରା ବଟମୂଳରେ ବସିଛନ୍ତି ଦୁଇଟି ପ୍ରାଣୀ-ଜଣେ ତରୁଣ, ଜଣେ ତରୁଣୀ । +ତରୁଣ ବନ୍‌ଶୀ ଛାଡ଼ିଚି ! ଆଖି ତାର ଜଳ ଅସ୍ତରଣ ଉପରେ ଲାଖି ରହିଚି । +ପ୍ରାନ୍ତର ଶେଷରେ ଆରକ୍ତ ଚକ୍ରବାଳ ଉପରକୁ ତରୁଣୀ ଚାହିଁଛି ଶୂନ୍ୟ ଦୃଷ୍ଟିରେ । +ପୌର୍ଣ୍ଣମାସୀ ସାନ୍ଧ୍ୟା ଆସନ୍ନପ୍ରାୟ । +ଶାନ୍ତ ଉଦାର ପରିବେଶ । +ବାୟୁମଣ୍ଡଳ ବିଚଳିତ କରି କେଉଁ ଦୂର ଅଜ୍ଞାତ ସ୍ଥାନରୁ ବଂଶୀ ବାଜିଲେ । +ତରୁଣୀ ଦେହରେ ବିଜୁଳିଭଳି ଏକ ଶିହରଣ ଖେଳିଯାଏ । +ଆଗ୍ରହିତ ସ୍ବରରେ ସେ କହେ, +‘‘ଶୁଣୁଚ, ବଂଶୀ ବାଜୁଚି ।’’ +ତରୁଣ ନୀରବ । +କିଛିକାଳ ନୀରବରେ ବିତିଯାଏ । +ବଂଶୀସ୍ବନରେ ଆକୁଳତା ସଞ୍ଚରୁଚି । +ଆତୁର କଣ୍ଠରେ ତରୁଣୀ ପୁଣି କହେ, +‘‘ଶୁଣୁଚ, ବଂଶୀ ବାଜୁଚି ?’’ +ଜଳ ଆସ୍ତରଣ ଉପରେ ଦୃଷ୍ଟି ନିବଦ୍ଧ, ବିଶ୍ବାସଭରା କଣ୍ଠରେ ତରୁଣ କହେ, +‘‘ଦେଖୁଚ, ମାଛର କୌତୁହଳ କିପରି ବଢ଼ୁଚି । +ବନ୍‌ଶୀର ଭେଦ ବୁଝିବା ପାଇଁ କଣ୍ଟାଟିକୁ ବାରମ୍ବାର ପରିକ୍ରମା କରୁଚି । +ଉଗ୍ର କୌତୁହଳର ପ୍ରରୋଚନାରେ ଶେଷରେ କଣ୍ଟାଟିକୁ ଗିଳି ବସିବ ।’’ +କାହାକୁ ଯେପରି ବଂଶୀ ତୁହାଇ ତୁହାଇ ଡାକୁଚି । +ସେ ଡାକରା ସ୍ଥାନ କାଳପାତ୍ରର ଅତୀତ । +ତରୁଣୀ ଭାବବିହ୍ବଳ ହୋଇପଡ଼େ । +ତାର ଶୂନ୍ୟଦୃଷ୍ଟି ଏକ ଅପୂର୍ବ ତନ୍ମୟତା ଭିତରେ ବୁଡ଼ିଯାଏ । +ତରୁଣ ମୁହଁରେ ଉତ୍କଣ୍ଠା ଝଲକି ଉଠିଚି । +‘‘ମାଛ ଏଥର କଣ୍ଟାଟିକୁ ନିଶ୍ଚୟ ଗିଳିବ । +ଫେରିଯିବାର ଶକ୍ତି ଆଉ ତାର ନାଇଁ । +କି ଏକ ଅମୋଘ ଆକର୍ଷଣରେ ସେ ଜଡ଼ିତ ହୋଇଯାଇଚି ।’’ +ଚନ୍ଦ୍ରାଲୋକର ମାୟା ଧୀରେ ଧୀରେ ଉନ୍ମୋଚିତ ହେଉଚି । +ଦେବାଳୟ ଚୂଡ଼ାର ଅଶ୍ବତ୍‌ଥ ଶାଖାରେ ନିଶାଚର ପକ୍ଷୀଟାଏ ରହି ରହି ଚିତ୍କାର କରୁଚି । +ସରୋବର ବକ୍ଷରେ ଚନ୍ଦ୍ରକିରଣ ଝଲମଲ ହେଉଚି । +ରଙ୍ଗମଞ୍ଚର ଆଲୋକ ଆପ୍ଳୁତ ନର୍ତ୍ତକୀ ଭଳି ବିଜନ କଇଁଟିଏ ସମ୍ଭ୍ରମରେ ପାଖୁଡ଼ା ମେଲୁଚି । +ତରୁଣ ବନ୍‌ଶୀ ଉଠାଇ ଆଣେ । +ଶୁଭ୍ର ମାଛଟିଏ ଛଟପଟ ହେଉଚି ବନ୍‌ଶୀ ଅଗ୍ରରେ । +କଣ୍ଟାଟି ତାର ଗଳଦେଶ ବିଦ୍ଧ କରିଚି । +ତରୁଣୀର ମୂର୍ଚ୍ଛିତ ଦେହ ତରୁଣ କୋଳରେ ଢଳିପଡ଼େ ।