From ff506fa70a66af4afe6f371aa02ff442d7ffd23c Mon Sep 17 00:00:00 2001 From: Nayan Ranjan Paul Date: Sat, 17 Sep 2022 12:46:08 +0530 Subject: [PATCH] Upload New File --- .../sent_odiasahitya_prachada_2 | 56 +++++++++++++++++++ 1 file changed, 56 insertions(+) create mode 100644 Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_prachada_2 diff --git a/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_prachada_2 b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_prachada_2 new file mode 100644 index 0000000..65ab931 --- /dev/null +++ b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_prachada_2 @@ -0,0 +1,56 @@ +ବନସ୍ତେ ଡାକିଲା ଗଜ ବରଷକେ ଥରେ ଆସିଛି ରଜ +- ଓଡ଼ିଆସାହିତ୍ୟ ପ୍ରେସ୍‌ +ତା: ଜୁନ୍ ୧୩, ୨୦୧୨ +ମୂଳ ପୃଷ୍ଠା → ପ୍ରଚ୍ଛଦ → +* ଓଡ଼ିଆ ସାହିତ୍ୟ ଡଟ୍‌ କମ୍‌ ପକ୍ଷରୁ ରଜପର୍ବ ଉପଲକ୍ଷେ ବିଶେଷ ଆଲେଖ୍ୟ * +ବାରମାସର ତେର ପର୍ବ ପାଳିତ ହେଉଥିବା ଓଡ଼ିଶାରେ ରଜ ହେଉଛି ଏକ ନିଆରା ପର୍ବ । +ଆମ ରାଜ୍ୟର କେନ୍ଦୁଝର, ବାଲେଶ୍ବର, ମୟୁରଭଞ୍ଜ, ଗଞ୍ଜାମ, ସମ୍ବଲପୁର, ସୁନ୍ଦରଗଡ଼ ସମେତ ଉପକୂଳ ଅଞ୍ଚଳର ପ୍ରାୟ ସମସ୍ତ ଜିଲ୍ଲାରେ ଜ୍ୟେଷ୍ଠ ମାସର ଶେଷ ଓ ଆଷାଢ଼ ମାସର ଆରମ୍ଭକୁ ମିଶାଇ ପାଳିତ ହୋଇଥାଏ ଏହି ତିନିଦିନିଆ ପର୍ବ । +ବୃଷମାସର ଶେଷଦିନ ପହିଲି ରଜ, ମିଥୁନ ମାସର ପ୍ରଥମ ଦିନ ରଜ ସଙ୍କ୍ରାନ୍ତି, ତା’ପରଦିନ ଶେଷରଜ ବା ଭୂମିଦହନ ଭାବେ ପାଳିତ ହୋଇଥାଏ । +ଏହି ତିନିଦିନ ଧରି ସମସ୍ତ ପ୍ରକାର କୃଷିକାର୍ଯ୍ୟ ବନ୍ଦ ରଖିବା ସହ ଧରିତ୍ରୀ ବା ମାଟି ମା’ଙ୍କୁ ବିଶ୍ରାମ ଦିଆଯାଇଥାଏ । +ଗ୍ରୀଷ୍ମର ପ୍ରଚଣ୍ଡ ରୌଦ୍ରତାପରେ ଉତ୍ତପ୍ତ ଥିବା ପୃଥିବୀ ପୃଷ୍ଠରେ ଆଦ୍ୟ ଆଷାଢ଼ର ପ୍ରଥମ ବାରିଧାରା ପଡ଼ିବା ଫଳରେ ଏକ ବାଷ୍ପଧର୍ମୀ ତରଳ ପଦାର୍ଥ ନିର୍ଗତ ହୁଏ ବୋଲି କୁହାଯାଏ, ଯାହାକୁ ରଜ ନାମରେ ଅଭିହିତ କରାଯାଇଛି । +ଏହି ରଜ ପୃଥିବୀକୁ ଉତ୍ପାଦନକ୍ଷମ କରି ଶସ୍ୟଶ୍ୟାମଳା କରାଏ ବୋଲି ବିଶ୍ବାସ ରହିଛି । +ଆମ ରାଜ୍ୟର ପଲ୍ଲୀ ସଂସ୍କୃତିରେ ଏକ ବିଶ୍ରାମ ଓ ଆନନ୍ଦର ପର୍ବ ଭାବେ କାହିଁ କେଉଁ ଯୁଗରୁ ପାଳିତ ହୋଇଆସୁଛି ରଜ ପର୍ବ । +ଓଡ଼ିଶା ଏଜ କୃଷିବହୁଳ ରାଜ୍ୟ ଏବଂ ଏଠାରେ କୃଷକମାନେ ଚାଷ ପାଇଁ ମୁଖ୍ୟତଃ ମୌସୁମୀ ବର୍ଷା ଉପରେ ନିର୍ଭର କରିଥାନ୍ତି । +ସାଧାରଣ ଭାବେ ଆମ ରାଜ୍ୟରେ ରଜ ସମୟରେ ହିଁ ମୌସୁମୀ ବର୍ଷା ଆରମ୍ଭ ହୋଇଥାଏ । +ତେଣୁ ରଜ ପୂର୍ବରୁ ହଳକରି ବୁଣାବୁଣି କାର୍ଯ୍ୟରେ କ୍ଲାନ୍ତ ହୋଇପଡ଼ିଥିବା ଚାଷୀମାନେ ଏହି ଅବସରରେ ବିଶ୍ରାମ ନେଇ ମଉଜ କରିବା ସହ ପରବର୍ତ୍ତୀ କୃଷିକର୍ମ ପାଇଁ ନିଜକୁ ପ୍ରସ୍ତୁତ କରନ୍ତି । +ଏହି ଅବସରରେ ଗାଁ ଗହଳରେ ବୁଢ଼ାବୁଢ଼ୀମାନେ ତାସ୍‌, ଲୁଡ଼ୁ ଆଦି ଖେଳୁଥିବାବେଳେ ଯୁବକମାନେ କବାଡ଼ି, ବାଗୁଡ଼ି, ଫୁଟବଲ୍‌, କୁସ୍ତି କସରତ ଆଦି ଖେଳର ମଜା ନିଅନ୍ତି । +ସନ୍ଧ୍ୟାରେ ପାଲା, ଦାସକାଠିଆ, ନାଟକ ଆଦି ମଞ୍ଚସ୍ଥ ହୋଇଥାଏ । +ସ୍ବାସ୍ଥ୍ୟ ବିଜ୍ଞାନ ମୁତାବକ ରଜସ୍ବଳା ସମୟରେ ଶରୀରକୁ ଅଧିକ ବିଶ୍ରାମ ସହିତ ମନ ପ୍ରଫୁଲ୍ଲ ରହିବା ଆବଶ୍ୟକ । +ତେଣୁ ଝିଅବୋହୂମାନେ ଏହି ସମୟରେ ଗୃହକର୍ମରୁ ଅବସର ନେଇ ହସଖୁସିରେ ଦିନ କାଟନ୍ତି । +ଯୁବତୀ ଝିଅମାନେ ଖାଲିପାଦରେ ଭୂଇଁରେ ନ ଚାଲି କଦଳୀ ପାଟୁକା ବା ଗୁଆ ଖୋଳକୁ ପାଦରେ ପିନ୍ଧନ୍ତି, ଅଗାଧୁଆ ରହି କେତେ ପ୍ରକାରର ଖାଦ୍ୟ ଖାଆନ୍ତି ନାହିଁ । +ଏହି ସମୟରେ ଭାତରୁ ଅଧିକ ଅମ୍ଳରସ ସୃଷ୍ଟି ହେଉଥିବାରୁ ତା’ ବଦଳରେ ପିଠା ଓ ଫଳମୂଳ ଖାଇଥାନ୍ତି । + ସେହିପରି ଝିଅମାନେ ଦୋଳି, ପୁଚି, ବୋହୂଚୋରି ଆଦି ଖେଳିବା ସହ ନୂତନ ବସ୍ତ୍ର ପିନ୍ଧି, ଗହଣା, ଅଳତା, ଚନ୍ଦନ ଲଗାଇ ମଉଜ କରନ୍ତି ଏବଂ ବିଭନ୍ନ ପ୍ରକାର ଦୋଳିରେ ଝୁଲି ଝୁଲି ଗାଆନ୍ତି ଗଜଦୋଳି ଗୀତ: +‘ବନସ୍ତେ ଡାକିଲା ଗଜ +ବରଷକୁ ଥରେ ଆସିଛି ରଜ +ଆସିଛି ରଜ ଲୋ +ଘେନି ନୂଆ ସଜବାଜ ।’ +ସେହିପରି ଭାଇ ଓ ଭଉଣୀ ମଧ୍ୟରେ ଥିବା ସ୍ନେହ ଓ ଶ୍ରଦ୍ଧାର ନିଦର୍ଶନ ପୂର୍ବକ ଭଉଣୀମାନେ ଦୋଳି ଖେଳି ଗାଇଥାନ୍ତି… +‘ରଜ ଦୋଳି କଟମଟ +ମୋ ଭାଇ ମୁଣ୍ଡରେ ସୁନାମୁକୁଟ +ସୁନାମୁକୁଟ ଲୋ… +ଦିଶୁଥାଏ ଝକଝକ’ +ପୁରୀ ଶ୍ରୀମନ୍ଦିରରେ ମଧ୍ୟ ପାଳିତ ହୋଇଥାଏ ରଜପର୍ବ । +ରଜସ୍ବଳା ଲକ୍ଷ୍ମୀ ଠାକୁରାଣୀ ଏହି ତିନିଦିନରେ ବିଭିନ୍ନ ସ୍ଥାନରେ ଅଧିଷ୍ଠାନ କରିବାପରେ ଚତୁର୍ଥ ଦିନ ଶୁଦ୍ଧ ସ୍ନାନାନ୍ତେ ସ୍ବସ୍ଥାନେ ବିରାଜମାନ ହୁଅନ୍ତି । +ପ୍ରଥମ ରଜ ଓ ଶେଷ ରଜ ଦିନ ଘରେଘରେ କଦଳୀ, ପଣସ, ଆମ୍ବ, ତାଳ, କେନ୍ଦୁ, ଲିଚୁ, ଜାମୁକୋଳି ଆଦି ଫଳମୂଳ ବିଭିନ୍ନ ପ୍ରକାର ପିଠା ଓ ମିଷ୍ଟାନ୍ନ, ଦୁଗ୍ଧଜାତ ପଦାର୍ଥରୁ ପ୍ରସ୍ତୁତ ଖାଦ୍ୟର ବ୍ୟବସ୍ଥା କରାଯାଇଥାଏ । +ଭୂମିଦହନ ବା ଶେଷ ରଜର ପରବର୍ତ୍ତୀ ଦିନ ହେଉଛି ବସୁମତୀ ସ୍ନାନ । +ପ୍ରତ୍ୟୁଷରେ ନିତ୍ୟକର୍ମ ସାରି ଗୃହିଣୀମାନେ ଗୃହ ସମ୍ମୁଖରେ ଶିଳପୁଆଟିଏ ରଖି ସିନ୍ଦୂର ଲଗାଇ କ୍ଷୀର ଓ ଜଳ ଢାଳି ସ୍ନାନ କରାଇଥାନ୍ତି । +ଏହିଦିନ ଗ୍ରାମଦେବୀଙ୍କ ନିକଟକୁ ପ୍ରତ୍ୟେକ ଘରୁ ମାଜଣା ପାଇଁ କଳାଶାଢ଼ି, ସିନ୍ଦୂର, ଶଙ୍ଖା, ଚୁଆ ଆଦି ପଠାଯାଏ । +ଦେବୀଙ୍କ ମାଜଣା ପରେ ସେଠାରେ ଖେଚୁଡ଼ି ଭୋଗ ଅର୍ପଣ କରାଯାଏ । +ଏହାପରେ ହଳ, ଲଙ୍ଗଳ, ଯୁଆଳି ଓ ବଳଦଙ୍କୁ ପୂଜା କରାଯାଏ । +ରଜର ଆଉ ଏକ ଆକର୍ଷଣ ହେଲା ପାନ । +ପାରସ୍ପରିକ ସ୍ନେହ, ଶ୍ରଦ୍ଧା, ପ୍ରୀତି ଓ ସଦ୍‌ଭାବନାର ପ୍ରତୀକ ଭାବେ ଲୋକଙ୍କ ମଧ୍ୟରେ ଖିଲି ପାନ ଦିଆନିଆ ହୋଇଥାଏ । +ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରଚୁର ପରିମାଣରେ ପାନ ଚାଷ ହେଉଥିବା ଏବଂ ଏହା ସେବନ କରିବା ସ୍ବାସ୍ଥ୍ୟ ପକ୍ଷେ ହିତକର ହୋଇଥିବାରୁ ରଜ ଅବସରରେ ସ୍ବତନ୍ତ୍ର ପାନର ଚାହିଦା ଅନ୍ୟ ଦିନ ତୁଳନାରେ ଢେର ଅଧିକ ହୋଇଥାଏ । +ଆଦିବାସୀ ସମାଜରେ ମଧ୍ୟ ଏହି ପର୍ବ ପାଳନ କରାଯାଇଥାଏ । +ଆଧ୍ୟାତ୍ମିକ ମତବାଦ ଓ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ଉପରେ ପ୍ରତିଷ୍ଠିତ ଓଡ଼ିଶାର ଏକାଧିକ ପର୍ବପର୍ବାଣି ମଧ୍ୟରୁ ରଜପର୍ବ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି । +କାରଣ ଏହା ହେଉଛି ଏକମାତ୍ର ପର୍ବ ଯାହା ୩ଦିନ ପାଳିତ ହେବା ସହ ପ୍ରଥମ ରଜର ପୂର୍ବ ଦିନ ଓ ଶେଷ ରଜର ପର ଦିନ ମଧ୍ୟ ଏହି ପର୍ବ ପାଳିତ ହୋଇଥାଏ । +ଅନ୍ୟ କୌଣସି ପର୍ବପର୍ବାଣିରେ ପ୍ରାୟତଃ ଏପରି ହୋଇ ନଥାଏ । +ସେହିପରି ସ୍ବାସ୍ଥ୍ୟଗତ ଦୃଷ୍ଟିରୁ ଏହି ସମୟରେ ଚାଉଳ ଚୁନା ସହିତ ଅନ୍ୟାନ୍ୟ ସାମଗ୍ରୀକୁ ମିଶାଇ ପ୍ରସ୍ତୁତ ସ୍ବତନ୍ତ୍ର ପୋଡ଼ପିଠା ହେଉଛି ଏହି ପର୍ବର ଅନ୍ୟ ଏକ ଆକର୍ଷଣ । +ଦିନକୁ ଦିନ ପାଶ୍ଚାତ୍ୟ ସଭ୍ୟତା ଓ ଚଳନୀ ଆମ ସମାଜକୁ କବଳିତ କରୁଥିବାରୁ ରଜପର୍ବର ବିଶେଷତ୍ବ ଦିନକୁ ଦିନ କମିବାରେ ଲାଗିଛି । +ଏହା କେବଳ ଗାଁମାନଙ୍କରେ ପାଳିତ ହେଉଥିବା ଦେଖାଯାଉଛି । +ଅନ୍ୟ ପକ୍ଷରେ ସହରରେ ଏହି ପର୍ବ ପାଳନ ପାଇଁ ଏବେ ନୂଆ ନୂଆ ଢାଞ୍ଚା ଆରମ୍ଭ ହେବାରେ ଲାଗିଛି । +ରାଜ୍ୟର ବିଭିନ୍ନ ସହରରେ ଥିବା ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନଗୁଡ଼ିକ ପକ୍ଷରୁ ରଜ ପର୍ବ ଅବସରରେ ବିଭିନ୍ନ ପ୍ରକାରର ପାରମ୍ପାରିକ ଖେଳ ଯଥା ପୁଚି ଓ ବାଗୁଡ଼ି ଆଦିର ଆୟୋଜନ ହେଉଛି । +ସେହିପରି କେତେକ ସ୍ଥାନରେ ଏହି ଅବସରରେ ଭିନ୍ନ ଭିନ୍ନ ପ୍ରକାରର ପିଠାପଣା ପ୍ରତିଯୋଗିତା ମଧ୍ୟ ଆୟୋଜନ ହେଉଛି । +ଏହା ବ୍ୟତୀତ କେତେକ ସାହିତ୍ୟିକ ଅନୁଷ୍ଠାନମାନଙ୍କ ପକ୍ଷରୁ ଏହି ଅବସରରେ ସାହିତ୍ୟ ଆଲୋଚନା, କବି ସମ୍ମିଳନୀ ଓ ସାରସ୍ବତ ସମ୍ମାନ ଉତ୍ସବ ମଧ୍ୟ ଆୟୋଜନ ହେଉଛି । +ତେଣୁ ମୋଟ ଉପରେ ଦେଖିବାକୁ ଗଲେ ଦିନକୁ ଦିନ ରଜପର୍ବର ପାଳନ ବଦଳି ଯାଉଛି । +ଆମର ସଂସ୍କୃତି ଓ ପରମ୍ପରାର ଏକ ସ୍ବତନ୍ତ୍ର ଆକର୍ଷଣ ହେଉଛି ରଜପର୍ବ ଯାହାକୁ ସବୁ ଓଡ଼ିଆ ମନେ ରଖିବା ଉଚିତ । +ତେଣୁ ରଜ ଉତ୍ସବକୁ ସବୁ ଓଡ଼ିଆମାନେ ଆନନ୍ଦଉଲ୍ଲାସର ସହିତ ପାଳନ କରି ସୁଖ ଓ ଶାନ୍ତିରେ ସହାବସ୍ଥାନ କରନ୍ତୁ, ଏହା ହିଁ କାମନା । -- GitLab