diff --git a/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_galpa_51 b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_galpa_51 new file mode 100644 index 0000000000000000000000000000000000000000..e07a3544d37f7498734918660cd772c7766fd0a6 --- /dev/null +++ b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_galpa_51 @@ -0,0 +1,29 @@ +ବାଇ ଚଢେଇର ଜମାନବନ୍ଦୀ + ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ, ଭୁବନେଶ୍ବର +ତା: ଫେବୃଆରୀ ୧୬, ୨୦୧୧ +ମୂଳ ପୃଷ୍ଠା → ଗଳ୍ପ → ଅଣୁ ଗଳ୍ପ → +ସହର ମଝି । +ଓଭରବ୍ରିଜ୍‌ କାନ୍ଥ ସନ୍ଧିରେ ଉଠିଥିଲା ଦେଢ ଫୁଟିଆ ଖଜୁରୀ ଗଛଟେ । +କିଛି ଦିନ ହେବ ବାଇଚଢେଇଟିଏ ବସା ବାନ୍ଧି ରହିଛି ସେ ଗଛରେ । +ଆଉ କୋଉଠି ସେ ରହିଥାନ୍ତା ଏଡେ ବଡ ସହରଟାରେ! ନଡିଆ କି ଖଜୁରୀ ଗଛଟିଏ ବି ନାହିଁ । + ତା’ ଘର ପାଇଁ କୋଉଠୁ ରୁଅ ପାଇଥାନ୍ତା ? +ସାନ ଗଛ, ଅଳପ ପତର ବୋଲି, ଛୋଟିଆ ଘରଟେ କରିଛି ସେ । +ଅଣ୍ଡା ଦେବା ବେଳ ପାଖେଇଆସିଲା ବୋଲି କେତେ ଅଳପ ଦିନରେ ଘରଟାକୁ ତୋଳିଦେଲେ ଦୁଇପ୍ରାଣୀ ! ଚାରି ଦିନ ତଳେ, ମା’ ବାଇଟି ଚାରିଟି ଅଣ୍ଡା ଦେଇଥିଲା । +ଆଜି ଗୋଟିଏ ବି ନାହିଁ । +ବାଇ ଦୁଇ ପ୍ରାଣୀ କାଠ ହୋଇ ବସିଛନ୍ତି । +ଚେଁ ନାହିଁ କି ଚାଁ ନାହିଁ । +ଯେତେ ପାଖକୁ ହାତ ବଢାଇଲେ ବି ଚୁପ୍‌ଚାପ୍‌ ବସିଛନ୍ତି । +ପ୍ରତିରୋଧ କରୁନାହାନ୍ତି । +ସତେ ଯେମିତି ମଣିଷର ଦୌରାତ୍ମ୍ୟରେ ହାର ମାନିଯାଇଛନ୍ତି ସେମାନେ । +ପ୍ରଥମେ ତ ଗଛ କାଟି ପଦା କଲେ । +କାଁ ଭାଁ ବିଲ ହୁଡାରେ ଖଜୁରୀ ଗଛଟିଏ ଦେଖି ବଞ୍ଚିବାକୁ ଚେଷ୍ଟା କଲୁ । +ତା’ପରେ ବିଲରେ ପୋକକୁ ବିଷଦେଇ ଆମ ବଂଶ ଲୋପ କଲେ । +ଗାଁ ଛାଡି ଏବେ ସହରକୁ ଆସିଲୁ । +ଏଠି ନିରୋଳା ଖଜୁରୀ ଗଛଟିଏ କାହିଁ ? ନିରୋଳା କହିଲେ, ମଣିଷ ଦୌରାତ୍ମ୍ୟରୁ ଦୂର । +ଛୋଟ ହେଉ ପଛେ ଖଜୁରୀ ଗଛଟିଏ ତ ଏଠି ନିରୋଳାରେ ଥିଲା । +ସାପ ବି ଆସିବାକୁ ଡରୁଥିଲା । +ହେଲେ ଏ ମଣିଷଗୁଡା ଏଡେ ନ’ଙ୍କିଆ, ନିଶୁଣି ପକେଇ ମୋ ଅଣ୍ଡାତକ ନେଇଗଲେ ! ଏବେ ହାତ ଲମ୍ବାଉଛ । + ଆମକୁ ବି ନେଇଯିବ, ନେଇଯାଉନ ? +ଆର ଋତୁକୁ ଯେ ଖଜୁରୀ ଗଛଟେ ନିରୋଳାରେ ମିଳିବ, ଘରଟିଏ ତୋଳି ପୁଣି ଅଣ୍ଡା ଦେଇ ବଂଶ ବଢାଇବୁ, ସେ ଆଶା ଯଦି ଆଉ ନାହିଁ, ବଞ୍ଚିଥାଇ ଲାଭ କ’ଣ ? +ପରଦିନ ସକାଳକୁ ବାଇଚଢେଇ ଇତିହାସ ହୋଇଗଲା । +ସେମାନେ ଥିଲେ ବାଇଚଢେଇ ବଂଶର ଶେଷ ଦାୟାଦ ।