diff --git a/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_galpa_5 b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_galpa_5 new file mode 100644 index 0000000000000000000000000000000000000000..431079de9ebdf89fc578ed420c5945ccc87e07c8 --- /dev/null +++ b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_galpa_5 @@ -0,0 +1,237 @@ +ନାମ ଫଳକ +- କମଳା ଶତପଥି +ତା: ଅଗଷ୍ଟ୍ ୨୮, ୨୦୧୨ +ମୂଳ ପୃଷ୍ଠା → ଗଳ୍ପ → ଆଧୁନିକ → +ଦୀର୍ଘବର୍ଷର ଲୀଳାଖେଳା ସାରି ଆଜି ହଠାତ୍‌ ସକାଳୁ ସକାଳୁ ଏ ଇହଧାମ ତ୍ୟାଗ କଲି ମୁଁ । +ରାତିରେ ସବୁକିଛି ଠିକ୍‌ଠାକ୍‌ ଥିଲା, ଖିଆପିଆ ବି ବେଶ୍‌ କରିଥିଲି । +ଔଷଧପତ୍ର ଯାହା ଖାଇବା କଥା, ସେସବୁ ବି ଖାଇଥିଲି, ପତ୍ନୀ ସୁରମାଙ୍କ ଶତ ବାରଣ ସତ୍ତ୍ବେ ରାତି ଅଧ ଯାଏଁ ବହି ପଢ଼ିଥିଲି । +ତାଙ୍କ ସହିତ ସାମାନ୍ୟ ଯୁକ୍ତିତର୍କ (ଯାହାକୁ ସେ ଝଗଡ଼ା ବୋଲି କୁହନ୍ତି) ବି କରିଥିଲି । +ସବୁକିଛି ନିତିଦିନର କଥା ପରି ନିହାତି ସ୍ବାଭାବିକ ଥିଲା, କିନ୍ତୁ ଆଜି ସକାଳୁ ଉଠୁଉଠୁ ଲାଗିଲା ସତେ ଯେମିତି ମୋ ଭିତରୁ କିଛି ଗୋଟାଏ ବାହାରି ଯାଉଛି । +ଛାତି ଭିତରଟାକୁ କିଏ ଯେମିତି ଶକ୍ତ ହାତରେ ଦଳିଚକଟି ପକାଉଛି । +ସୁରମାଙ୍କୁ ଅତର୍ଚ୍ଛା ଡାକ ଛାଡ଼ିଲି, ମାତ୍ର ଡାକଟା ପାଟି ବାଟ ଦେଇ ବାହାକୁ ବାହାରି ପାରିଲା ନାହିଁ । +ଆଉ ସେଇ ଶୋଇବା ଅବସ୍ଥାରେ ହିଁ ମୁଁ ଟଳିପଡ଼ିଲି । +ଏକପ୍ରକାର କହିବାକୁ ଗଲେ ଭଲ ହିଁ ହେଲା । +କାହାକୁ ହଇରାଣ କରିନି, କାହାରି ବିରକ୍ତି ସହିଲିନି, ରୋଗରେ ପଡ଼ି ଘୁଅମୁତରେ ଘାଣ୍ଟି ବି ହେଲିନି, ଶୁଖିଲାଟାରେ ହାତଗୋଡ଼ ଚାଲୁ ଚାଲୁ ଚାଲିଗଲି । +ଦୀର୍ଘଶ୍ବାସଟିଏ ବାହାରି ଆସିଲା । +ଆଶ୍ବସ୍ତିର କି ଅବସୋସର କହିପାରିବିନି, ତେବେ ବୋଝ ଉତୁରିଯିବାର ଅନୁଭବଟା କାହିଁକି କେଜାଣି ତୀବ୍ର ଭାବରେ ଅନୁଭୂତ ହେଉଥିଲା । +ବେଶ୍‌ ସମୟ ପର୍ଯ୍ୟନ୍ତ ମୋ ଅସାଡ଼ ଶରୀରଟା ସେମିତି ଖଟ ଉପରେ ଏକୁଟିଆ ହୋଇ ପଡ଼ି ରହିଲା । +ସବୁଦିନ ଏ ସମୟଟାରେ ମତେ କେହି ବିବ୍ରତ କରିବାର ସାହସ କରନ୍ତିନି କେବେ । +ଡ଼େରିରେ ଉଠିବା ମୋର ସବୁଦିନର ଅଭ୍ୟାସ । +ତା’ଛଡ଼ା ସୁରମାର ଏଇଲେ ପୂଜାପାଠ ଚାଲିଥିବ । +ଆଉ ଘଣ୍ଟାଏ ଲାଗିବ ତାକୁ ମୋ ପାଖକୁ ଚା’ ନେଇ ଆସିବାକୁ । +ବାହାହେବା ଦିନରୁ ହିଁ ସକାଳର ଚା’ ମୁଁ ସୁରମାଙ୍କ ହାତରୁ ପିଏ । +ତାଙ୍କ ପରି ଚା’ ଆଉ କେହି ବନାନ୍ତିନି । +ଦିନର ଶୁଭାରମ୍ଭ ତାଙ୍କ ହାତ ତିଆରି ଚା’ରୁ କରିସାରିଲା ପରେ ଯାଇ ଅନ୍ୟ କିଛି ମୁଁ କରେ । +ନଚେତ୍‌ ପୁରା ଦିନଟା ମୋର ଖରାପ ଯାଏ । +(ଏଇଟା ମୋର ନିହାତି ବ୍ୟକ୍ତିଗତ ଅନୁଭୂତି, ଏ ବିଷୟରେ ସୁରମାଙ୍କୁ କିଛି ବି ଜଣାନାହିଁ । +ତାହା ହିଁ ଠିକ୍‌, ନହେଲେ ସ୍ତ୍ରୀ ଲୋକମାନେ ଏସବୁ ବିଷୟରେ ଜାଣିଯିବା ପରେ ବେଶ ଗୋଡ଼ ଲମ୍ବେଇ ଥାଆନ୍ତି ।) +ଅଜି ସୁରମା ଚା’କରି ଆଣିବେ, ମାତ୍ର ତାକୁ ଉପଭୋଗ କରିବାକୁ ମୁଁ ଆଉ ନାହିଁ । +ମନ ବିଚଳିତ ହୋଇଉଠିଲା । +ଲାଗିଲା ଏମିତି ସକାଳୁ ସକାଳୁ ନ ମରି ଆଉ କିଛି ସମୟ ପରେ ମରିଥିଲେ, ଭଲ ହୋଇଥାଆନ୍ତା । +କମ୍‌ ସେ କମ୍‌ ସୁରମାଙ୍କ ପରିଶ୍ରମ ବ୍ୟର୍ଥ ଯାଇ ନଥାନ୍ତା । +ପାଖଆଖରେ କେହି ଜଣେ ବି ନାହାନ୍ତି ଦେଖିବାକୁ । +ମୋର କିଛି ହେଲା ନହେଲାର ଧ୍ୟାନ ଦେବାର ଆବଶ୍ୟକତା କେହି ଜଣେ ବି ମଣୁ ନାହାନ୍ତି । + ବଡ଼ ବିରକ୍ତି ଲାଗିଲା, କେତେ ଦାୟିତ୍ବହୀନ ପରିବାର ମୋର ସତରେ ! ବୟସ୍କ ଲୋକଙ୍କୁ କ’ଣ ଏମିତି ଏକୁଟିଆ ଏତେ ସମୟ ପାଇଁ କେହି ଛାଡ଼େ ! ମଝିରେ ମଝିରେ ଆସି କ’ଣ ଦେଖାପରଖା କରିବା କଥା ନୁହେଁ ! +ପୁଣି ମନେ ପଡ଼ିଲା, କେମିତି କିଏ ବା ଆସିବ ଏପଟକୁ । +ମୋ ନିଦ ଖୁବ୍‌ ପତଳା । +ସାମାନ୍ୟ ଖଡ଼୍‌ଖାଡ଼୍‌ ହେଲେ ନିଦ ଭାଙ୍ଗିଯାଏ ବୋଲି ସମସ୍ତଙ୍କୁ ବାରଣ କରି ରଖିଥାନ୍ତି ସୁରମା । +ତା’ ଛଡ଼ା ଘରର ଏପଟ କଣରେ ଥିବା ଏହି ଘର ଭିତରକୁ ବିନା କାରଣରେ କିଏ ବା କାହିଁକି ଏ ଅସମୟଟାରେ ଆସିବାକୁ ଯିବ । + ଏମିତି ବି ମୋ ମଲାଗଲାକୁ କିଏ ବା ଚାହିଁ ବସିଛି ଯେ ! +ସୁରମା ଆସିବା ସମୟ ହେଇଗଲା । +ମୁଁ ପ୍ରସ୍ତୁତ ହେଇଗଲି ତାଙ୍କ ବ୍ୟାକୁଳତା ଦେଖିବାକୁ (ଖୁସି ବି ଦେଖିପାରେ) । +ଖୁବ୍‌ ଦୟା ଆସୁଥିଲା ମୋରି, ତାଙ୍କ ଉପରେ କି ନିଜ ଉପରେ କହିପାରିବିନି । +ଜୀବନସାରା ମୋର ଉପରେ ନିର୍ଭର କରି ଆସିଛନ୍ତି ସେ । +ମୋରି ଭଲମନ୍ଦ ଦେଖିବାରେ ସାରା ଜୀବନ ତାଙ୍କ ବ୍ୟତୀତ ହୋଇଛି କହିଲେ ଅତ୍ୟୁକ୍ତି ହେବନି । + କେତେ ଶରଧାରେ ଚା’ କରି ଆଣିଛନ୍ତି, ଆଉ ଏଇଲେ ଦେଖିବେ… +ଖଡ଼୍‌ କରି କିଛି ଗୋଟାଏ ପଡ଼ିଗଲା ବୋଧେ, ଚମକିଉଠିଲି ମୁଁ । +ଦରଜା ଆଡ଼କୁ ନଜର ଚାଲିଗଲା । +ଧଳାରେ ନାଲିଧଡ଼ି ବାଲା ଶାଢ଼ୀ ପିନ୍ଧି ସୁରମା ଘର ଭିତରକୁ ଧୀରେ ପଶି ଆସୁଆସୁ କିଛି ଗୋଟାଏ ଝୁଣ୍ଟିପଡ଼ିଲେ ବୋଧେ । +କ୍ଷଣିକ ପାଇଁ ଅଟକି ଯାଇ ଏକଡ଼ ସେକଡ଼ ଚାହିଁ ପୁଣି ଭିତରକୁ ଆସିଲେ । +ଅପୂର୍ବ ସୁନ୍ଦର ଦିଶୁଛନ୍ତି ସେ । +ଓଦାବାଳରୁ ଟୋପେ ଟୋପେ ଜଳକଣା ଝରିପଡ଼ୁଛି । +ମଥାର ସିନ୍ଦୂରଟୋପା ଦାଉ ଦାଉ ଦିଶୁଛି । +ପାଟିରେ ଏପର୍ଯ୍ୟନ୍ତ ବି ଗୁଣୁଗୁଣୁ କରି ମନ୍ତ୍ର ଗାଇ ଚାଲିଛନ୍ତି, ହାତରେ ଅଛି ବାମ୍ଫଉଠା ଚା’ କପ୍‌ । +ମୋ ପାଖକୁ ଆଗେଇ ଆସୁଛନ୍ତି ସେ । +ଚାଦର ଖୋଲି ମତେ ଡାକିଲେ । +… ଥରେ ଦି’ଥର… ମୋ ନିଶ୍ଚଳ ଶରୀର ଗୋଟେ ପଟକୁ ଗଡ଼ିପଡ଼ିଲା । +ତା’ ପରେ ପରେ ତାଙ୍କ ଆକୁଳ ଚିତ୍କାରରେ ଘରର କଡ଼ିବରଗା ଦୋହଲିଗଲା । +କାନ୍ଦବୋବା, ଛାତିଫଟା, ମୁଣ୍ଡବାଡ଼ା…ସବୁକିଛି ଗୋଟିକ ପରେ ଗୋଟିଏ ଚାଲିଲା ପ୍ରାୟୋଜିତ କାର୍ଯ୍ୟକ୍ରମ ପରି । +ସନ୍ତୋଷରେ ମନ ଭାରି ଭାରି ଲାଗୁଥିଲା । +ଯାହାହେଉ ମୋର ଅବର୍ତ୍ତମାନ ଘର ଉପରେ, ପରିବାର ଉପରେ, ଖାସ୍‌ କରି ସୁରମାଙ୍କ ପରେ ଗଭୀର ପ୍ରଭାବ ପକେଇଛି । +ଖୁବ୍‌ ବିଚଳିତ ଲାଗୁଛନ୍ତି ସମସ୍ତେ । +ହଁ, ଏତିକିର ଆଶା ତ ମୋର ବି ଥିଲା । +ଚାହୁଁ ଚାହୁଁ କିଛି ସମୟ ଆମ ଘରର ଶାନ୍ତ ପରିବେଶ ପୁଅବୋହୂ, ଝିଅଜୋଇଁ, ଶଳାଶାଳୀ, ବନ୍ଧୁବାନ୍ଧବଙ୍କ କଳରବରେ ଗହଳଚହଳ ହେଇଉଠିଲା । +ରବିବାରର ସକାଳ, ତେଣୁ ପହଞ୍ଚିବାରେ କାହାର ବିଳମ୍ବ ହେଲାନାହିଁ । +ଅବଶ୍ୟ କେହି କେହି ନିଶ୍ଚୟ ମନେ ମନେ ଭାବୁଥିବ, ଗଲା, ଆଜି ଏ ବୁଢ଼ା ପାଇଁ ପୂରା ରବିବାରଟା ଖରାପ ହୋଇଗଲା । +କେତେ ନିଶ୍ଚିତରେ ବସିବସି ଦିନଯାକର କାର୍ଯ୍ୟକ୍ରମ ସ୍ଥିର କରାଯାଇଥିଲା, ସବୁ ମାଟିରେ ମିଶିଗଲା । +ୟାକୁ କଣ ଆଉ କେଉଁଦିନ ମରିବାକୁ ହେଲାନାହିଁ । +ମଲା ତ ମଲା, ରବିବାର, ପୁଣି ସକାଳୁ ସକାଳୁ । +ନା, ନା, ସେମିତି କେହି ଭାବୁ ନଥାଇ ପାରନ୍ତି ଏଇଲେ, ସମସ୍ତଙ୍କ ମନ ଦୁଃଖରେ ଭାରି ଭାରି ହୋଇଗଲା ପରି ଲାଗୁଛି । +ଅବଶ୍ୟ ମୁଁ ସେମାନଙ୍କ ପାଇଁ ଅଲୋଡ଼ା ଅଖୋଜା ଥିଲି, ତଥାପି ଥିଲି ତ । +ପ୍ରଥମରୁ ମୁଁ ଏତେଟା ସାମାଜିକ ପ୍ରାଣୀ ନୁହେଁ । +ଯାହା ସାମାନ୍ୟ ବା ଥିଲି, ଏଇ କିଛି ବର୍ଷ ହେଲାଣି ସମସ୍ତଙ୍କଠାରୁ ଏକଦମ୍‌ କଟିଯାଇ ସବୁଥିରେ ପୂର୍ଣ୍ଣଚ୍ଛେଦ ମାରି ଦେଇଛି । +ନା କୁଆଡ଼େ ଯାଉଥିଲି, ନା କେହି ଆସିଲେ ମତେ ଖୋଜୁଥିଲେ । +ଯେ କେହି ବି ଆସୁଥିଲେ ସେମାନେ ସେପଟୁ ସେପଟୁ ବିଦା ହେଉ ଯାଉଥିଲେ । +ଘରର ଏପଟକୁ, ମାନେ ମୋ ପାଖକୁ ସୁରମାଙ୍କ ବ୍ୟତୀତ ଆଉ କେହି କେବେ ଆସିବାର ମୋର କାହିଁ ମନେ ପଡ଼ୁନି । +ସତ କହିବାକୁ ଗଲେ କାହାର ନଆସିବାଟା ହିଁ ମତେ ଭଲ ଲାଗୁଥିଲା । +ସେପଟ ଘର ଏଇଲେ ହୋ ହୋ ଶବ୍ଦ ଜୋରରେ ଶୁଭୁଛି । +ସମସ୍ତେ ସୁରମାକୁ ବୋଧ ଦେଉଛନ୍ତି…ବୋଧ ଦେଉଛନ୍ତି କି ମୋ ମୃତ୍ୟୁ ପାଇଁ ବଧେଇ ଜଣାଉଛନ୍ତି କେଜାଣି ! ନିଶ୍ଚୟ ସୁରମାଙ୍କ ଉପରେ ମୁଁ ବୋଝ ଥିଲି । +ମୋ ଲାଗି ସେ କୁଆଡ଼େ ଯାଇ ଆସି ପାରୁ ନଥିଲେ । +ସେଇଥିପାଇଁ ତ ସେଦିନ ବିରକ୍ତ ହେଇ କହିଥିଲେ, ‘ଆଚ୍ଛା ଲୋକ ହେଇଛି, ଟିକିଏ କାହା ସଙ୍ଗେ ଯାଇ ମିଳାମିଶା କଲେ କଣ ହୁଅନ୍ତାନି । + ବାହାର ଦୁନିଆରେ କଣ ଚାଲିଛି, କେମିତି ଚାଲିଛି, ଯଦି ଏଠୁ ନବାହାରିବ, ତେବେ ଜାଣିବ କେମିତି ? ସମସ୍ତେ ତମ କଥା ପଚାରି ପଚାରି ମତେ ହାଲିଆ କରୁଛନ୍ତି, କାହିଁକି ଯାଉନ ବୋଲି ଫୋନ୍‌ କରୁଛନ୍ତି, ଏମିତି ହେଲେ କେମିତି ଚଳିବ ? +ଏଇଟା ତାଙ୍କର ମୋ ପ୍ରତି ପ୍ରଶ୍ନ ନା ଅଭିଯୋଗ, ମୁଁ ବୁଝିପାରି ନଥିଲି ପ୍ରଥମେ । +ଏତେ ବର୍ଷ ହେଲାଣି ଘରସଂସାର କରିବା ମୋ ସହିତ । +ସେ କ’ଣ ଆଜିଯାଏ ଜାଣିନାହାନ୍ତି ମତେ ଲୋକବାକଙ୍କ ସହିତ ଅଯଥାରେ ମିଳାମିଶା କରିବା ପସନ୍ଦ ନୁହେଁ ବୋଲି । +ତେବେ ଆଜି ହଠାତ୍‌ କାହିଁ ଏ ପ୍ରଶ୍ନ ! ନିଶ୍ଚୟ ବିରକ୍ତ ହେଇଯିବେଣି । +ମୁହଁରେ ନ କହିଲେ ବି ମନେ ମନେ ଭାବୁଥିବେ କେବେ ମୁଁ ଏ ସଂସାର ତ୍ୟାଗ କରିବି, ଆଉ ସେ ଶାନ୍ତିରେ ନିଶ୍ବାସ ମାରିବେ । +ଅବଶ୍ୟ ମୁଁ ତାଙ୍କୁ କେବେ ବାନ୍ଧି ରଖିନାହିଁ କି କୁଆଡ଼େ ଯିବାକୁ ବାରଣ କରିନାହିଁ । +ସେ ନିଜେ ନିଜେ ହିଁ ମୋ ପଛରେ ବାନ୍ଧି ହୋଇଯାଇଛନ୍ତି । +ମୁଁ ଜାଣିଛି, ବାହାରେ ବୁଲାବୁଲି କରିବାଟା ତାଙ୍କୁ ଭାରି ପସନ୍ଦ । +କିନ୍ତୁ ମୋରି ପାଇଁ କେବେ କୁଆଡ଼େ ଯାଇ ପାରୁନାହାଁନ୍ତି ବୋଲି ପ୍ରକାରାନ୍ତରେ ଅନେକ ଥର ଏଇ ଭିତରେ ଜଣେଇ ଦେଇ ସାରିଲେଣି । +ପ୍ରତ୍ୟକ୍ଷରେ ବି ଥରେ ଦି’ଥର କହିଦେବା କଥା ମୋର ମନେ ପଡ଼ିଯାଉଛି । +ଭଲହେଲା ମୁଁ ଆଜି ମରିଗଲି । +ସ୍ବାଧୀନ ହେଇଗଲେ ସେ । +ଯୁଆଡ଼େ ଇଚ୍ଛା ସିଆଡ଼େ ଯାଇ ବୁଲିବେ, ମଉଜ କରିବେ, ସାଙ୍ଗଦୋସ୍ତି ବଢ଼େଇ ସିନେମା ଥିଏଟର ଯିବେ, ପାର୍ଟି ପିକ୍‌ନିକ୍‌ କରିବେ । +ସେପଟ ବାରଣ୍ଡା ଉପରେ ଠିଆହୋଇ ଲୋକମାନଙ୍କୁ ସ୍ବାଗତ କରିବା ସାଥେ ସାଥେ ବଡ଼ ବିକଳ ସ୍ବରରେ କାନ୍ଦି ଚାଲିଛନ୍ତି ପୁଅ ଦୁଇଜଣ । +ଦୁଃଖରେ କାନ୍ଦୁଛନ୍ତି କି ସୁଖରେ, କିଏ କହିପାରିବ ! ରାଇଜଯାକର ଲୋକଙ୍କୁ ଯୋଉ ଏକାଠି କରିଛନ୍ତି, ସମସ୍ତେ ତ ସେଇମାନଙ୍କ ଚିହ୍ନା ପରିଚିତ, ଆଉ ତାଙ୍କ ଆଗରେ ଲୁହ ଗଡ଼େଇ ନ କାନ୍ଦିଲେ କେମିତି ଚଳିବ ! ନିଜ ସମ୍ମାନ ବଞ୍ଚେଇବାକୁ ହେଲେ ଖୁସି ହେବାର ପ୍ରଦର୍ଶନ କେମିତି କରିପାରିବେ ! ହେଲେ ମୁଁ କ’ଣ ଜାଣିନି… ଏ ବୁଢ଼ାବାପା ତାଙ୍କ ପାଇଁ କେତେ ବୋଝ ଥିଲା । + ହେଇ ସେଦିନ ପରା ଶୁଣେଇ ଶୁଣେଇ ନିଜ ମାଇପକୁ କହୁଥିଲା, ‘ଡାକ୍ତର କହିବା ଅନୁସାରେ ବାପାଙ୍କ ଦେହ ସେମିତି କିଛି ତ ହୋଇନି… କିନ୍ତୁ କ’ଣ କରାଯିବ, ସେ ମାନିଲେ ତ ! ଅଯଥାରେ ଗୁଡ଼ାଏ ପଇସା ଖର୍ଚ୍ଚ ହେଉଛି…’ +ହଁ, ବାପାଙ୍କ ଚିକିତ୍ସା ଖର୍ଚ୍ଚ ତ ପୁଅ ପାଇଁ ସବୁବେଳେ ଅଯଥା ହିଁ ହୋଇଥାଏ… ଦୁନିଆରେ ନିୟମ ଏଇଟା । +ଆଉ ସେ କାହିଁ ସେ ନିୟମ ଭଙ୍ଗ କରିବ । +ଯଦି ସବୁ ଖର୍ଚ୍ଚରେ ପୂର୍ଣ୍ଣଚ୍ଛେଦ ପଡ଼ିଗଲା, ତାହାହେଲେ କାହିଁ ଆଉ ଏ ଲୁହଝରାର ନାଟକ । +ଏବେଠୁ ତ ପ୍ରତି ମାସରେ ସଞ୍ଚୟ ବଢ଼ିବଢ଼ି ଯିବ । + ହଁ, ମୁଁ ଦେଖିବିନି କି…କେତେ ପଇସା ରଖି କୋଠାବାଡ଼ି ବାଡ଼େଇ ପକାଉଛି ! +ସାନଟା ବି କୋଉ କମ୍‌ ! ସୁରମାଙ୍କ ସହିତ ସେଦିନ ପରା ଘାମାଘୋଟ ଯୁକ୍ତିତର୍କ କରୁଥିଲା…କ’ଣ ନା ଏଥର ଘରଦ୍ବାର ବାଣ୍ଟ କରିଦେବା ଠିକ୍‌ ରହିବ । +ଭାଇ ତା’ ସଂସାର ଚଳଉ, ମୁଁ ଚଳେଇବି ମୋର । +ରାଗ ମାଡ଼ିଥିଲା ମତେ । +ବାପା ମାଆ ଦିଇଟା ବଞ୍ଚି ଥାଉ ଥାଉ କେମିତି ଭାବି ପାରୁଛି ସେ ସମ୍ପତ୍ତିର ଭାଗବଣ୍ଟୁରା କଥା! ଏ ସମ୍ପତ୍ତି କ’ଣ ସରଗରୁ ଓହ୍ଲାଇଥିଲା, ସବୁ ମୋରି ରକ୍ତ ଆଉ ଝାଳରେ ଗଢ଼ା । + କୋଉ ହିସାବରେ କହି ଦଉଛି ଭାଗବଣ୍ଟରା କରିଦିଅ ବୋଲି ! +ଚଢ଼ା ଗଳାରେ ପଚାରି ଦେଇଥିଲି, ‘ସବୁକିଛି ତୁମ ଦୁଇଜଣଙ୍କ ଭିତରେ ବାଣ୍ଟ କରିଦବୁ ଯଦି ଆମେ ଚଳିବୁ କେମିତି ! ରହିବୁ କୋଉଁଠି ? ମୋର ଗମ୍ଭୀର ସ୍ବର ସମସ୍ତଙ୍କୁ ଚମକେଇ ଦେଇଥିଲା । +ଥ ଥ ମ ମ ହୋଇ ଉଠିଥିଲେ ଦୁହେଁ । +ସାଧାରଣତଃ ମୋ ପରିକା ସଂସାର ବିରାଗୀ ଲୋକ ପାଖରୁ ଏହି ଏକ ପ୍ରଶ୍ନର ଆଶା ସେମାନେ କରି ନଥିଲେ । +କିନ୍ତୁ ବଡ଼ର ବୁଦ୍ଧିକୁ ମାନିବାକୁ ପଡ଼ିବ । +ଚଟ୍‌ କରି କହିଦେଲା, ‘ତୁମେମାନେ ମୋ ପାଖରେ ରହିବ । +ମୁଁ ଘରର ବଡ଼ପୁଅ, ତୁମମାନଙ୍କର ଦାୟିତ୍ବ ମୋର । +ସାନ ଯଦି କହୁଛି, ତେବେ ତୁମେ ଥାଉ ଥାଉ ସବୁକିଛି ବାଣ୍ଟି ଦବାଟା ଠିକ୍‌ ରହିବ ।’ +ଶେଷ ଧାଡ଼ିଟା ମନ ଉଚ୍ଚାଟ କରିପକେଇଲା । +ମୁଁ ଥାଉ ଥାଉ ମାନେ ? ସମସ୍ତେ କ’ଣ ଭାବିନେଲେଣି ମୁଁ ଆଉ ବେଶୀ ଦିନର ନୁହେଁ । +ନିରାଶ ହେଇଗଲି ମୁଁ । +ଅବଶ୍ୟ ସବୁ ନୈରାଶ୍ୟ ଭିତରେ ବି ବଡ଼ର ଆଶ୍ବାସନା ଯେ ଆମର ଦାୟିତ୍ବ ସେ ନିଜେ ନେବ, ଭଲ ଲାଗିଥିଲା ମତେ । + କିନ୍ତୁ କିଏ ଜାଣେ, ସେଥିରେ କେତେ ଆତ୍ମୀୟତା ରହିଛି ! ଯୋଉଁ ପିଲାମାନେ ବାପା ମା’ ଥାଉ ଥାଉ ଘର ମଝିରେ କାନ୍ଥ ଠିଆ କରିଦେବାକୁ ମନ ପକ୍‌କା କରିନେଲେଣି, ସିଏ ପରେ ବାପାମାଆଙ୍କ ଭିତରେ ଭାଗ ବାଣ୍ଟୁରା କରିନେବେନି ତ ! +ସ୍ବାର୍ଥପର ! ସମସ୍ତେ ସ୍ବାର୍ଥପର ! ସମସ୍ତେ କେବଳ ନିଜ ନିଜର ସୁଖସୁବିଧା କଥା ଚିନ୍ତା କରିବାରେ ବ୍ୟସ୍ତ ଏଠି । +ଭଲ ହେଲା, ଏମାନଙ୍କଠୁ ପିଛା ଛଡ଼େଇ ନେଲି ମୁଁ । +ଆଉ କିଛିଦିନ ଆଗରୁ ଚାଲି ଯାଇଥିଲେ ବେଶୀ ଭଲ ହୋଇଥାଆନ୍ତା । +ସେମାନେ ନୁହେଁ, ମୁଁ ହିଁ ମୁକ୍ତି ପାଇ ଯାଇଥାନ୍ତି । +ମୁଁ କୁଆଡ଼େ ବଦ୍‌ରାଗୀ, ଅସଂସାରୀ, କଞ୍ଜୁସ୍‌, କାହା ପ୍ରତି ମାୟା ମମତା ନାହିଁ ମୋର… ଏଇ ଜୀବନକାଳ ଭିତରେ ଥରଥର କରି ଅନେକ ଥର ମୋରି ଉଦ୍ଦେଶ୍ୟରେ କୁହାଯାଇଛି ଏସବୁ । +ମୋ ପରିକା ଲୋକ ସତରେ ଶୀଘ୍ର ମରିଯିବା କଥା । +ଯେତେ ବେଶୀ ବଞ୍ଚିରହିବି, ସେତେ ଅସୁବିଧା ସୃଷ୍ଟି କରିବି ସମସ୍ତଙ୍କ ପାଇଁ । +ହଁ, ସମସ୍ତେ ନିଶ୍ଚୟ ଏଇଆ ଚାହୁଁଥିବେ, କିନ୍ତୁ ପାଟି ଫିଟେଇ କହିପାରୁ ନଥିବେ । +ଯାହାହେଉ ଏତେ ଦିନ ପରେ ସେମାନଙ୍କ ଈପ୍‌ଷିତ ସ୍ବପ୍ନ ଅଚିରେ ସଫଳ ହେଇଗଲା । +ଗୁଡ଼ାଏ ଦୀର୍ଘଶ୍ବାସ ଅନେକ ଦିନରୁ ଛାତି ଭିତରେ ଜମା କରି ରଖିଥିଲି । +ଆଜି ସେମାନଙ୍କୁ ମୁକ୍ତ କଲାବେଳେ ଭାରି ଆଶ୍ବସ୍ତ ଲାଗୁଥିଲା ମତେ । +କେହି ଜାଣିବେ ନାହିଁ କି ପଚାରିବେ ବି ନାହିଁ… କିଛି କହିପାରିବେ ବି ନାହିଁ । +ମୁଁ ମରିଯାଇଛି… ଖୁବ୍‌ ଭଲ ହେଲା… ମୋ ପାଇଁ ଆଉ ଅନ୍ୟମାନଙ୍କ ପାଇଁ ବି । +ଘରର ଅଗଣାରେ ଧଳା ଚାଦରଟିଏ ଢାଙ୍କି ମତେ ଶୁଆଇ ଦେଇଛନ୍ତି । +ସମସ୍ତଙ୍କୁ ସେ ଚାଦର ଭିତରୁ ଭଲ ଭାବରେ ମୁଁ ଦେଖିପାରୁଛି, ଶୁଣି ପାରୁଛି ସେମାନଙ୍କ କଥା । +ଅବଶ୍ୟ ଆଉ ସେସବୁ ଶୁଣିବାର ଆଗ୍ରହ ମୋର ନାହିଁ । +ଏବେ ଖାଲି ମୁଁ ଭାବୁଛି ମୋ ଘର କଥା । +କେତେ ଯତ୍ନରେ, କେତେ ଶ୍ରଦ୍ଧାରେ ବନେଇଥିଲି ତାକୁ ! କେତେ ଅଭାବ, ଅସୁବିଧା, କଷ୍ଟ ଯନ୍ତ୍ରଣା ସହି ଏ ଘରର କାନ୍ଥବାଡ଼ ଠିଆ କରିଥିଲି । +କୋଉଠୁ ଟାଇଲ୍‌ ତ ଆଉ କୋଉଠୁ ସିମେଣ୍ଟ ବାଲି ଇଟା ଯୋଗାଡ଼ କରି ଆଣିଥିଲି । +ଖରାତରାରେ ନିଜକୁ ସିଝେଇ ଘର ତିଆରି କଲି, କିନ୍ତୁ କି ଲାଭ ! ନିଶ୍ଚିନ୍ତରେ ଦଶଟା ବର୍ଷ ବି ତ ରହିପାରିଲି ନାହିଁ । +ରୋଗବଇରାଗ ଗୋଟାକ ପରେ ଗୋଟାଏ କରି ବେଢ଼ିଗଲା ମତେ । + କହିଲା ଲୋକ କହିଗଲେ, ତମକୁ ଏ ଘର ସୁହାଇଲାନି ! +ରାଗରେ ଥରି ଉଠିଥିଲି । +ବୟସ ହେଲେ ତ ସମସ୍ତଙ୍କ ଦେହ ମୁଣ୍ଡ ଜବାବ ଦେବ, ଏଥିରେ ଘର ସୁହାଇବା ନସୁହାଇବା କଥା କ’ଣ ଅଛି ! ଈର୍ଷାରେ ତ ଜଳିପୋଡ଼ି ଯାଉଛନ୍ତି ସମସ୍ତେ ! କାହିଁକି କେଜାଣି ମୋ ହାତ ତିଆରି ଏ ମନ୍ଦିର ବିଷୟରେ କେହି କିଛି ବି କହିଲେ ମୋ ଦେହରେ ନିଆଁ ଚେଙ୍କ ଲାଗିଯାଏ । +ସେଇଥିପାଇଁ ସୁରମା କେବେ କେବେ ରାଗରେ ହେଉ କି ଚିଡ଼େଇବାକୁ ହେଉ କହିପକାନ୍ତି, ‘ତୁମ ପାଇଁ କ’ଣ ଆମେ ବଡ଼ କି, ଏ ଘର ହିଁ ତମ ପାଇଁ ସବୁକିଛି । +କୋଉଦିନ ଖାଲି ୟାକୁ ହିଁ ଜାବୁଡ଼ି ଧରି ପଡ଼ି ରହିଥିବ, ଗୋଟି ଗୋଟି ହେଇ ଆମେ ସମସ୍ତେ କୁଆଡ଼େ ଚାଲି ଯାଇଥିବୁ ।’ +ସତକଥା, ଏ ଘରକୁ ମୁଁ ଖୁବ୍‌ ଭଲ ପାଏ । +ଏ ଘରର ଅନ୍ଧିସନ୍ଧି, ବାଡ଼ିବଗିଚା, ବାରଣ୍ଡା, ଅଗଣା, ସବୁଆଡ଼େ ନିଜର ଛାପ ରଖିବାକୁ ଚାହେଁ । +ଏ ସହରର ସବୁଠୁ ସୁନ୍ଦର ଘର କହିଲେ, ମୋରି ଘରକୁ ହିଁ ଲୋକମାନେ ଜାଣନ୍ତି । +ଏହାକୁ ସର୍ବାଙ୍ଗ ସୁନ୍ଦର କରିବା ପାଇଁ ଯେତେ ପରିଶ୍ରମ ମୁଁ କରିଛି, ତାକୁ କେହି କେବେ ଚିନ୍ତା ବି କରିପାରିବେ ନାହିଁ । +ବାହାର କାନ୍ଥରେ ଲଗା ଯାଇଥିବା ନାମ ଫଳକରେ ସେଥିପାଇଁ କେବଳ ମୋରି ନାଁ ମୁଁ ଲେଖିଛି । +କେତେଜଣ ପଚାରନ୍ତି ସୁରମାଙ୍କ ନାମ କାହିଁ ରଖିନାହିଁ ସେଠି । +କିଛି ଉତ୍ତର ଦିଏନି ମୁଁ । +ସେସବୁ ମୋର ନିହାତି ବ୍ୟକ୍ତିଗତ ଇଚ୍ଛା, ସେଥିରେ କାହାର ମୁଣ୍ଡ ଖେଳେଇବାକୁ ମୁଁ ପସନ୍ଦ କରେନା । +ଏ ଘରକୁ ଭଲ ପାଏ ମୁଁ, ଆଉ ଘର ବି ଭଲପାଏ ମତେ । +ଏଇଟା ମୋର ବିଶ୍ବାସ । +କିଏ ସେକଥାକୁ ମାନୁ କି ନମାନୁ, ସେଥିରେ ମୋର କିଛି ଯାଏଆସେ ନାହିଁ । +ଆମ ଭଲପାଇବାରେ ଅଛି ନିସ୍ବାର୍ଥପରତା । +ତା’ ବିନା ମୁଁ, ଆଉ ମୋ ବିନା ସିଏ… କେତେ ଅସମ୍ପୂର୍ଣ୍ଣ ସତରେ ! କାଲିଠାରୁ ସବୁକିଛି ଶୂନ୍‌ଶାନ୍‌ ହୋଇଯିବ ଏଠି । +ଏ ଘରତ ଥିବ, କିନ୍ତୁ ମୁଁ ନଥିବି । +କିଏ ଜାଣେ ମୋ ନାଁ ବି ଆଉ କେହି ଉଚ୍ଚାରଣ କରିବ ଏଠି କି ନା ! ଗୁମ୍‌ସୁମ୍‌ ହେଇଗଲି ମୁଁ । +ଆଖିରୁ ଦୁଇଧାର ଲୁହ ଗଡ଼ିଆସି ଓଦାକରି ପକେଇଲା ମୋ ଛାତି । +ସନ୍ଧ୍ୟା ପୂର୍ବରୁ ଦାହକାର୍ଯ୍ୟ ଶେଷ କରିଦେଇ ନିଜ ନିଜ ବାଟରେ ସମସ୍ତେ ଚାଲିଯାଇଥିଲେ । +ଭାରି ଖାଁ ଖାଁ ଲାଗୁଥିଲା ଘର ଭିତରଟା । +ମୋ ଶରୀରରେ ନିଆଁ ଲଗେଇ ତାକୁ ପୋଡ଼ି ଦିଆଗଲା ସିନା, ହେଲେ ମୁଁ ରହିଗଲି ଏଇଠି, ଘରର ନାମଫଳକ ରେ । +ସେତିକିରେ ବି ମୁଁ ସନ୍ତୁଷ୍ଟ ଥିଲି । +ହେଲେ ରହି ରହି ଭୟଟିଏ ମୋ ଭିତରେ କଡ଼ ଲେଉଟଉ ଥିଲା । +ଆଉ କେତେ ସମୟ ରହିପାରିବି ଏଠି ମୁଁ ! ନିଶ୍ଚୟ କିଛି ନା କିଛି ଯୋଜନା କରୁଥିବେ, ସମସ୍ତେ ଏଠୁ ବି ମତେ ବାହାର କହିଦେବା ପାଇଁ । +ସବୁଦିନ ପାଇଁ ମତେ ଏ ଘରୁ ବିଦା କରିଦେଇ ନିଷ୍କଳଙ୍କ ଭାବେ ଏହାର ଉତ୍ତରାଧିକାରୀ ହୋଇଯିବା ପାଇଁ । +ନା, ନା, ସେମିତି ହେବାକୁ ଦେବିନି ମୁଁ । +ମତେ ଏଠୁ କେହି ବି ବାହାର କରିଦେଇ ପାରିବେନି । +ଏ ଘର ମୋର, ୟାକୁ ମୁଁ ଗଢ଼ିଛି ମୋ ନିଜ ହାତରେ, ଲୁହ ଲହୁ ସିଞ୍ଚି । +ତୁମେମାନେ ଯେତେ ଚେଷ୍ଟା କର, ହେଲେ ମୁଁ ୟାକୁ ଛାଡ଼ିଯାଇ ପାରିବିନି । +ଦୟାକର ମୋ ଉପରେ । +ମତେ ଏଇଠି, କେବଳ ଏଇଠି ତ ରହିବାକୁ ଦିଅ । +କାନ୍ଦି ପକେଇଲି ମୁଁ କଇଁ କଇଁ ହୋଇ । +‘ମୋ ଘର… ମୋ ଘର…’ ବୋଲି ଚିତ୍କାର କରିଉଠିଲି । +କିନ୍ତୁ କୋଉଁଠି ବି ପ୍ରତିଧ୍ବନିତ ହେଲା ନାହିଁ ସେ ସ୍ବର । +ବାର କାର୍ଯ୍ୟ ସରିଗଲା । +ବହୁତ ଲୋକ ଡାକି ସବୁକିଛି ଯୋଜନାବଦ୍ଧ ଭାବରେ ସମ୍ପନ୍ନ କରିଦିଆଗଲା । +ଯେଉଁମାନେ ଆସିଥିଲେ, ପିଲାଙ୍କୁ ସାନ୍ତ୍ବନା ଦେଉଥିଲେ ଯେତିକି ଏ ଘରକୁ ଶୋଷି ଯାଉଥିଲେ ସେତିକି । +ସମସ୍ତଙ୍କ ଦୃଷ୍ଟିରେ କେମିତି ଗୋଟିଏ ଈର୍ଷାଳିଆ ଭାବ ଦେଖିପାରିଥିଲି । +ହେଲେ ମତେ ଆଉ ସେ ସବୁ ଖରାପ ଲାଗୁ ନଥିଲା । +କ’ଣ ପାଇଁ ଆଉ ଲାଗିବ ଯେ ! ସେମାନଙ୍କ ପରି ମୁଁ ବି ତ ଏ ଘରେ ଆଉ ମାତ୍ର କେଇଘଣ୍ଟା କି ଦିନ ପାଇଁ ହିଁ ରହିବାର ସୁଯୋଗ ପାଇବି । +ତା’ପରେ ସେମାନଙ୍କ ପରି ମୋ ନଜରରେ ବି ଭରି ରହିଯିବ ସବୁଦିନ ପାଇଁ ଗୋଟିଏ ବ୍ୟାକୁଳତା ! ନଥିବାର ଅବଶୋଷ । +ଦିନ ପନ୍ଦରଟା ଯାଉ ନଯାଉଣୁ, ସମସ୍ତେ ଫେରି ଆସିଲେ ନିଜ ନିଜ ରୁଟିନ୍‌ ଭିତରକୁ । +ସୁରମାଙ୍କ ରୁଟିନ୍‌ ଯେହେତୁ ମୋ ସହିତ ବନ୍ଧା ରହିଥିଲା, ସେଥିରେ ବହୁତ କିଛି ପରିବର୍ତ୍ତନ ଆସିଗଲା । +ମୋ କଥା ମନେ ପକେଇବାକୁ କି ମୋ ପାଇଁ ଘଡ଼ିଏ ଦି’ ଘଡ଼ି ଶୋକ କରିବାକୁ ଆଉ କାହା ପାଖରେ ବି ସମୟ ନଥିଲା । +ଏ ଘରର ସବୁ ସ୍ଥାନରୁ ମୋ ଅସ୍ତିତ୍ବ ପୋଛା ହୋଇଯାଇଥିଲା, କେବଳ ରହିଯାଇଥିଲି ସେଇ ନାମଫଳକ ଭିତରେ ମୁଁ । +ସେତିକି ସାନ୍ତ୍ବନା ମୋ ପାଇଁ ଯଥେଷ୍ଟ ଥିଲା । +କିନ୍ତୁ ଦିନ କେଇଟା ଭିତରେ ସେ ସାନ୍ତ୍ବନା ସରିଯିବାର ସମୟ ଆସିଗଲା । +ପୁଅ ବୋହୂ ନାତିନାତୁଣୀ କିଛି ଦିନ ଧରି ଭାରି ଗୋଟାଏ ଗୁରୁତର ଆଲୋଚନା କରିବାରେ ଲାଗିପଡ଼ିଛନ୍ତି । +ସୁରମା ସେ ବିଷୟରେ କିଛି ଜାଣିଥିଲେ କି ନଜାଣିଥିଲେ, କହିପାରିବିନି । +ଏମିତି ବି ତାଙ୍କ ଜାଣିବା ନ ଜାଣିବାରେ ଆଉ କିଛି ନଥିଲା । +ଏବେ ସଂସାରର ଡୋର ତାଙ୍କ ହାତରୁ ଯାଇ ପୁଅବୋହୂଙ୍କ ହାତରେ ରହିଗଲାଣି । +ସେମାନେ ଯାହା ଚାହୁଁଛନ୍ତି, ନିଜ ହିସାବରେ ହିଁ ସବୁକିଛି କରୁଛନ୍ତି । +ସେମାନଙ୍କୁ ଏମିତି ଫୁଟୁରଫାଟର ହେଉଥିବାର ଦେଖି ମୁଁ ଆତଙ୍କିତ ହୋଇପଡ଼ିଲି । +ଏ ଘର ଉପରୁ ମୋର ଶେଷ ଅଧିକାର ବି ସମାପ୍ତ ହେଇଯିବାର ସମୟ ଆସିଗଲା । +କେତେ କଷ୍ଟରେ କରିଥିଲି ୟାକୁ, କେତେ ଶ୍ରଦ୍ଧାରେ ସଜେଇଥିଲି… ଆଖିର ଲୁହ ବନ୍ଧବାଡ଼ ନମାନି ବହିଚାଲିଗଲା । +ସେମାନେ ସମସ୍ତେ ଆସି ବାହାର ବାରଣ୍ଡାରେ ଠିଆହେଲେ । +ଏପଟସେପଟ କରି ଚାହିଁଲେ । +ଧଡ଼୍‌କରି କାନ୍ଥରୁ ନାତି ଟୋକାଟା ଭିଡ଼ିଆଣିଲା ମୋର ଅସ୍ତିତ୍ବକୁ । +ଜରିରେ ପୂରେଇ ରଖିଦେଲା ପରେ ଆଉ ଗୋଟାଏ କାଢ଼ିଲା । +ମପାମପି କରି ଦେଖିଲା । +ମୁଁ ଆଉ ଚାହିଁ ପାରିଲିନି ସେ ଆଡ଼େ । +ମଝି ଆଷାଢ଼ର ବର୍ଷା ବେଗଠାରୁ ବି ଅଧିକ ଥିଲା ମୋର ଆଖିର ଲୁହ । +ଅସରନ୍ତି ଅଭିମାନ ନେଇ ଗେଟ୍‌ ଖୋଲି ବାହାରକୁ ଚାଲିଆସିଲି ମୁଁ । +ସବୁ ମୋହମାୟା ମୋର ଛିଡ଼ିଗଲା ଆଜିଠୁ । +ମୁଁ ଏବେ ପ୍ରକୃତରେ ମରିଗଲି । +ଆଉ ଏ ସହରରେ ମତେ କେହି ବି ଚିହ୍ନିବେ ନାହିଁ, କେହି ବି ଜାଣିବେ ନାହିଁ । +ମୋର ଶେଷ ଅସ୍ତିତ୍ବର ବି ମୃତ୍ୟୁ ହେଇଗଲା । +କିନ୍ତୁ ଦୁଃଖର ବିଷୟ ସେ ମୃତ୍ୟୁ ହେଲା ମୋ ଘରଲୋକଙ୍କ ଦ୍ବାରା । +ଆଉ ଏଠି ମୋର କିଛି ନାହିଁ, କି ମୋ ପାଇଁ କେହି ନାହିଁ । +ଏ ଜାଗା ଛାଡ଼ି ଚାଲିଯିବି ବହୁ ଦୂରକୁ । +ଚାଲିଗଲା ପୂର୍ବରୁ ଆଉ ଥରେ ମୋ ସ୍ବପ୍ନର ମନ୍ଦିରକୁ ଆଖି ପୂରେଇ ଦେଖିନେବି କି ? ମନଭରି ଆଉଁସି ଦେବି କି । +କିଏ ଜାଣେ, ଆଉ କେବେ ସିଏ ମତେ ଚିହ୍ନିବ କି ନ ଚିହ୍ନିବ ! ଏବେ ତ ଛାତିରେ ତାର ନୂତନ ମାଲିକର ନାଁ । +ଆଖି ଛଳଛଳ ହେଇଆସିଲା । +ସବୁକିଛି କେତେ ଶୀଘ୍ର ଶେଷ ହୋଇଗଲା ଜୀବନରୁ ! ନା ଜୀବନ ହାରିଲା, ନା ରହିଲା ଭାବପ୍ରବଣତା । +ହଉ, ଯାହା ହେବା କଥା ହେଇସାରିଲାଣି । +ଆଉ ସେ ସବୁକୁ ଭାବିବସିଲେ କଣ ବା ମିଳିବ ଦୁଃଖ ଛଡ଼ା ! ଯେତିକି ଭାଗ୍ୟରେ ଥିଲା ସେତିକି ଭୋଗ କଲି, ଏବେ ଅନ୍ୟମାନେ କରନ୍ତୁ । +ମନକୁ ବୁଝାଇଥିଲି ସତ, ହେଲେ ମନ କହୁଥିଲା, ଚାଲ ଥରେ ଆମେ ଯିବା । +ଏତେ ଦିନର ସମ୍ପର୍କ । +ଏତେ ଶୀଘ୍ର ଛାଡ଼ିଯିବାକୁ କଷ୍ଟ ଲାଗୁଛି । +ମନ କଥା ଶୁଣିଲି । +ଫେରିଆସିଲି । +ଦରଜା ଖୋଲି ଭିତରକୁ ପ୍ରବେଶ କଲି । +ସବୁକିଛି ଥିଲା ଯେମିତି ସେମିତି । +ବହୁ ବର୍ଷ ପୂର୍ବରୁ ଯେମିତି ଗଢ଼େଇଥିଲି ମୁଁ, ଯେମିତି ସଜେଇ ଥିଲେ ସୁରମା, ଠିକ୍‌ ସେମିତି । +ଖାଲି ଯାହା ବଦଳି ଯାଇଛି ତାର ମାଲିକ, ଆଉ ବଦଳି ଯାଇଛି ନାମଫଳକ । + କାହାର ନାଁ ଲେଖିଲେ ସେମାନେ ! ବଡ଼ର…ସାନର…ନା ସୁରମାଙ୍କର ! ଯାହାର ଲେଖନ୍ତୁ, ମୋର ସେଥିରେ କି ଯାଏ ଆସେ ! କି ଫରକ ପଡ଼ିଯିବ ସେଥିରେ ! ଭଲ ପାଇବାର କୋଉ ସେତୁଟା ବାନ୍ଧି ହୋଇଯିବ ସେମାନଙ୍କ ସହିତ ମୋର ! +ଏତେସବୁ କହିବା ପରେ ବି କେଉଁ ମୋହରେ ପଡ଼ି ଜଣାନାହିଁ ମୁଖ୍ୟ ଦରଜାର ସେପଟ କାନ୍ଥକୁ ଚାହିଁଦେଲି ମୁଁ । +ଆରେ ଇଏ କ’ଣ ? ସନ୍ଧ୍ୟାବେଳେ ବଡ଼ ନାତିଟା ଯୋଉଠୁ ପୁରୁଣା ନାମଫଳକ ଭିଡ଼ିଆଣିଥିଲା, ସେଠି ଲଗାହୋଇ ଯାଇଛି ନୂଆ ଚକ୍‌ଚକ୍‌ କରୁଥିବା ନାମଫଳକ ଟେ, ଯାହା ମତେ ବି ଜଣା ଥିଲା, କିନ୍ତୁ ସେଥିରେ ଲେଖାହେଇଛି ମୋର ନାଁ ! ମୋର ନାଁ ? ହଁ, ମୋର ହିଁ ନାଁ, ଯାହାର ସାମାନ୍ୟ ଆଶା ବି ମୋର ନଥିଲା । +ତାହାହେଲେ ପୁରୁଣାଟା କାଢ଼ୁଥିଲେ କାହିଁକି ? ପାଖକୁ ଦଉଡ଼ିଗଲି ମୁଁ । +ଓଃ, ଆଗରୁ ମୋ ନାଁ ପୂର୍ବରୁ ଯେଉଁ ଶ୍ରୀ ଲେଖା ଯାଇଥିଲା ସେଠି ଏବେ ସ୍ବର୍ଗତ ଲେଖିଛନ୍ତି । + କେବଳ ଏତିକି ପାଇଁ ଏତେ ପରିଶ୍ରମ, ଏତେ ଖର୍ଚ୍ଚ ! ତା ମାନେ… ତା ମାନେ ଏ ଘର ଏବେ ବି ମୋର ଅଛି ! କେହି ଭୁଲିନାହିଁ ମୋ ଅବଦାନକୁ ! +କୁଣ୍ଢେଇ ପକେଇଲି ସେ ନାମଫଳକ କୁ । +ଏତେ ଭଲ ପାଇବା ମୋ ପ୍ରତି ! ଏତେ ଭାବପ୍ରବଣତା ! ଆଖିରୁ ମୋର ଧାର ଧାର ଲୁହ ଗଡ଼ି ଯାଉଥିଲା, ହେଲେ ମୁଁ କାନ୍ଦୁ ନଥିଲି, ବରଂ ଆକାଶକୁ ଚାହିଁ ପ୍ରାର୍ଥନା କରୁଥିଲି, ମୋ ନିଜ ପାଇଁ ନୁହେଁ… ମୋ ପିଲାମାନଙ୍କ ପାଇଁ । +ସୁରମାଙ୍କ ପାଇଁ ଆଉ ସାରା ଜଗତପାଇଁ… ଶେଷରେ ଏ ନୂଆ ନାମଫଳକ ଟା ପାଇଁ ।