diff --git a/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_13 b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_13 new file mode 100644 index 0000000000000000000000000000000000000000..7f4b5edf2b3f5b78b16c215e8274f8bc2c526108 --- /dev/null +++ b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_13 @@ -0,0 +1,59 @@ +ଚାମେଲୀ +ଗୋବିନ୍ଦ ଦାସ +ତା: ଫେବୃଆରୀ ୬, ୨୦୧୭ +ମୂଳ ପୃଷ୍ଠା → ସ୍ମରଣୀୟ ଲେଖା → ଗଳ୍ପ → +ଦଶ ନୂଆ ପଇସିଆ ଖବର କାଗଜର ପୃଷ୍ଠାରେ ଯେ କେତେ ଲୁହ ଲହୁ ଥାଏ, ନିକିଟେଇ ନ ଦେଖିଲେ ଚଳନ୍ତି ଆଖିରେ ସହଜରେ ଧରା ପଡ଼େ ନାହିଁ । +କିଛିବର୍ଷ ତଳେ ଖବର କାଗଜରେ ବାହାରିଲା ଯେ, ସମୁଦ୍ର ଭିତରେ ଲଘୁଚାପ ସୃଷ୍ଟି ହେବା ଫଳରେ ପ୍ରବଳ ତୋଫାନ ହେଲା । +ଏ ତୋଫାନ ଘଣ୍ଟାଏ ପର୍ଯ୍ୟନ୍ତ ବଙ୍ଗୋପସାଗର ଭିତରେ ବୁଲି ଘୂର୍ଣ୍ଣବାୟୁ ସୃଷ୍ଟି କରିଥିଲା । +ସମୁଦ୍ର କୂଳରେ ଲାଙ୍ଗୁଡ଼ିଆ ପୋକ ପରି ଯେଉଁ ମେଞ୍ଚାଏ ନୋଳିଆ ବସବାସ କରନ୍ତି, ତାଙ୍କ ସଂକ୍ରାନ୍ତରେ କେହି କବିତା କି କେହି ଇତିହାସ ଲେଖନ୍ତି ନାହିଁ । +ଭୋଟ ପାଇଁ ହୁଏତ କେହି ପାଞ୍ଚବର୍ଷରେ ଥରେ ସେମାନଙ୍କୁ ମଦ ପିଆଇ ଦେଇ ଆସନ୍ତି । +ସବୁଦିନ ପରି ରାଜୁଆ ଡଙ୍ଗାନେଇ ସେଦିନ ବି ସମୁଦ୍ର ଭିତରକୁ ମାଛ ମାରିବାକୁ ଗଲା । +ଆଉ ସବୁଦିନ ପରି ଚାମେଲୀ ମୁଣ୍ଡରେ ଫୁଲ ଖୋସି ତା’ ଜାଲ ସଜାଡ଼ି ଦେଇ ଡଙ୍ଗାରେ ଥୋଇ ଦେଇ ଆସିଥାଏ । +ଚାମେଲୀକୁ ଅନାଇଁ ତା’ କାନ୍ଧକୁ ଛୁଇଁଲା ରାଜୁଆ । +ଲାଜରେ ମୁହଁ ତଳକୁ ପୋତି ଦେଲା ଚାମେଲୀ । +ଯେଉଁ ସାମଗ୍ରୀ ନେଇ ପ୍ରକୃତି ସୃଷ୍ଟି କରିଛି ପୁଷ୍ପର ଗନ୍ଧ, ଯାହାକୁ ନେଇ ତିଆର ହୁଏ ଚନ୍ଦ୍ରାଲୋକ, ଯାହାର ସଂଯୋଗରେ ଜନ୍ମ ନିଏ ଆକାଶର ନୀଳିମା, ସେଇ ଉପାଦାନର ସମଷ୍ଟିରେ ମଧ୍ୟ ଗଢ଼ା ହୋଇଛି ଆମର ଚାମେଲୀ- କୋମଳ ଅଥଚ ଚିରଞ୍ଜିବୀ । +ବାପା ମା କିଏ କେବେଠୁ କୁଆଡ଼େ ଗଲେଣି । +ସ୍ନେହ, ମମତା, ଭକ୍ତି ସବୁ ସମର୍ପି ଦେଇଛି ତା’ ରାଜୁଆ ପାଖରେ । +ସେ ଦିନ ଡଙ୍ଗା ସମୁଦ୍ର ମଝିରେ ହୋଇଥିବ କି ନାହିଁ, ଅଚାନକ ମେଘ କାଳିଆ ଭୂତ ପରି ସମୁଦ୍ରର ସେ କଡ଼ରୁ ଘୋଟି ଆସିଲା । +ହେଲା ଭୟଙ୍କର ଘଡ଼ଘଡ଼ି । +ମାରିଲା ବିଜୁଳି । +ଆକାଶ ପୃଥିବୀ ଏକାକାର ହୋଇଗଲା । +ଅନ୍ଧକାର ଘନେଇ ରାକ୍ଷସ ପରି ତୋଫାନ ମାଡ଼ି ଆସିଲା । +ସମୁଦ୍ର ଛାତି ଚିରି ଘୂର୍ଣ୍ଣିବାୟୁ ପାଣିକୁ ଉଠାଇ ନେଉଥାଏ ଶହେ ହାତ ଉପରକୁ । +ଦୁନିଆ ହୁଲସ୍ତୁଲ କମ୍ପୁଥାଏ । +ଧରିତ୍ରୀ ସାଗର ଉଚ୍ଛନ୍ନ ହୋଇଯାଉଥାନ୍ତି । +ଚାମେଲୀ ଘରଭିତରେ ଆଉ ଅପେକ୍ଷା କରିପାରିଲା ନାହିଁ । +କୁଡ଼ିଆ ଛାଡ଼ି ଦଉଡ଼ି ଆସିଲା ସମୁଦ୍ର କୂଳକୁ । +ସାହି ପଡ଼ିଶା ଯେତେ ବାରଣ କଲେ କିଛି ମାନିଲା ନାହିଁ । +ଯାଇଁ ଛିଡ଼ା ହେଲା ସମୁଦ୍ର ବାଲିରେ ସେ-ବତୀଖୁଣ୍ଟ ପରି । +ମଝିରେ ମଝିରେ ଉଚ୍ଚାଳିଆ ସମୁଦ୍ର ଲହରୀ କୁଳକୁ ପିଟି ହୋଇ ଆସୁଥାଏ । +ଥରକୁ ଥର ଧୋଇ ହୋଇ ଯାଉଥାଏ ଚାମେଲୀ, ତଥାପି ଛିଡ଼ା ହୋଇ ରହିଥାଏ । +ଘଣ୍ଟା ଘଣ୍ଟା ଧରି ଅନେକ ସମୟ ବିତିଗଲା । +ଆଉ ଛିଡ଼ା ହୋଇ ପାରିଲା ନାହିଁ । +ଥରକୁ ଥର ତଳେ କଚାଡ଼ି ହୋଇ ପଡ଼ୁଥାଏ । +ପୁଣି ଉଠୁଥାଏ । +ଅନେଇଥାଏ ସେ ସମୁଦ୍ର, ଅନ୍ଧାର, ବର୍ଷା ତୋଫାନ ଭିତରେ-ତା’ ରାଜୁଆ ପାଇଁ । +ଶେଷରେ ଅଚେତ ହୋଇ ପଡ଼ିରହିଲା । +ଅନେକ ସମୟ ପରେ ଆକାଶ ଶାନ୍ତ ହେଲା, ମେଘ ଛାଡ଼ିଲା, ତୋଫାନ କମିଲା । +ନୋଳିଆମାନେ ଫେରିଲେ । +କିନ୍ତୁ ଆସିଲା ନାହିଁ ରାଜୁ । +ଚେତା ପାଇଲା ପରେ ଚାମେଲୀ ପଚାରିଲା ‘‘ରାଜୁ’’ ? କେହି କିଛି ଜବାବ ଦେଇ ପାରିଲେ ନାହିଁ । +ଏଥି ଭିତରେ ପାଞ୍ଚ ବର୍ଷ ବିତିଗଲାଣି । +ଚାମେଲୀ ସେ ସମୁଦ୍ରକୂଳ ଏବେ ବି ଛାଡ଼ି ନାହିଁ । +ସେଇଠି ବୁଲୁଥାଏ । +ବେଳେ ବେଳେ ଡଙ୍ଗା ତଳେ ଶୁଏ । + ନୋଳିଆମାନେ ସଂଧ୍ୟାବେଳକୁ ଫେରିଆସିଲେ ତାଙ୍କୁ ପଚାରେ, ରାଜୁ? +ଏବେ ବି ନିଜକୁ ସେମିତି ସଜାଏ, ଆଖିରେ ସେଇ ଆଗ୍ରହ । +ସମୁଦ୍ରର ଦିଗ୍‌ବଳୟକୁ ଅନାଇଁ ଅନାଇଁ ତା’ ଆଖିରେ ଲୁହ ଭରିଯାଏ । + ରାତିର ଅନ୍ଧକାରରେ ସମୁଦ୍ରକୂଳରେ ଗୋଟିଏ ଛାଇ ଯଦି ଦିଶେ, ସଡ଼କ ଉପରରୁ ପୋଲିସ ପାଟିକରେ-କିଏ? +ଚାମେଲୀ? ଢେଉ ପାଖରୁ ଜବାବ ଆସେ, ହୁଁ । +ଏବେ ମଧ୍ୟ ସେ ଅପେକ୍ଷା କରିଛି ତା’ ରାଜୁଆକୁ । +ଗୋଟିଏ ଅୟେଷ୍ଟର ତା’ର ବକ୍ଷ ଉନ୍ମୁକ୍ତ କରି ଟୋପାଏ ସ୍ୱଚ୍ଛ ବାରିଦ ଜଳ ପାଇଁ ସମୁଦ୍ର ଛାତି ଉପରେ ଅନେକ ଦିନ ଭାସି ବୁଲୁଥିଲା । +ଅବଶେଷରେ ଆସିଲା ସେ ମୁହୂର୍ତ୍ତ । +ସେ ଜଳ ବିନ୍ଦୁକୁ ନିଜ ଭିତରେ ରଖି ସମୁଦ୍ରର ଅତଳାତଳ ଗର୍ଭରେ ଦିନେ ଲୀନ ହୋଇଗଲା । +ବର୍ଷ ବର୍ଷ ପରେ ଦିନେ ତା’ ଭିତରୁ ଆବିଷ୍କାର କରାଗଲା-ମୁକ୍ତା । +ଚାମେଲୀର ହୃଦୟ ଭିତରେ ରାଜୁର ଏ ସତ୍ତା ସେହିପରି ସମୟର ଗର୍ଭରେ ଲୀନ ହୋଇ ପରିଣତ ହୋଇଛି ଏକ ଅପୂର୍ବ-ଅମୂଲ୍ୟ ବସ୍ତୁରେ । +ଯାହା ପାଇଁ ମଣିଷ କରିଛି ଚରମ ତ୍ୟାଗ, ଗଢ଼ିଛି ଅକ୍ଷୟ ସୃଷ୍ଟି, ଦେଇଛି ପ୍ରଳୟ ହୁଙ୍କାର । +ଯୁଗେ ଯୁଗେ ଯାହା କବିର ଲେଖନୀ, ଶିଳ୍ପୀର ତୂଳିକୁ ସଙ୍ଗୀତର ମୂର୍ଚ୍ଛନାକୁ ଦେଇଛି ସାର୍ଥକତା । +ଯାହା ପାଇଁ ଗଢ଼ା ହୋଇଛି ସାମ୍ରାଜ୍ୟ, ଧ୍ୱଂସ ହୋଇଛି ସମାଜ, ଯେଉଁଥିପାଇଁ ମଣିଷ ହୋଇଛି ଦେବତା, ରାକ୍ଷସ ପାଲଟିଛି ମଧ୍ୟ । +ସେ ବିରାଟ, ମହନୀୟ ବସ୍ତୁଟି ହେଉଛି ମଣିଷର ଅନାବିଳ, ଅଖଣ୍ଡ, ଅମର, ଶାଶ୍ୱତ, ଚିରଞ୍ଜିବୀ ପ୍ରେମ ।