diff --git a/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_galpa_29 b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_galpa_29 new file mode 100644 index 0000000000000000000000000000000000000000..ef7fa832c7d730e779f30b1b73ba2baf12e5f0f9 --- /dev/null +++ b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_galpa_29 @@ -0,0 +1,171 @@ +ଛାଇ ଆଲୁଅ + ସ୍ନେହଲତା ନାୟକ, ରାଉରକେଲା +ତା: ମାର୍ଚ୍ଚ୍ ୫, ୨୦୧୧ +ମୂଳ ପୃଷ୍ଠା → ଗଳ୍ପ → ଆଧୁନିକ → +ବତାସୀ ଠେକିଟାକୁ ଖଜୁରୀ ଗଛରୁ ଓହ୍ଲାଇ ଖୁବ୍ ସନ୍ତର୍ପଣରେ ତଳକୁ ଆସିଲା । +ସଜ ତାଡ଼ି ପିଇବାକୁ ଢେର ଗରାଖ । +ହାଁ କରି ଉପରକୁ ଅନେଇ ଠିଆ ହେଇଛନ୍ତି କେତେବେଳୁ । +ଗରାଖଙ୍କ ଭିତରେ ଧନୀ, ଗରିବ, ଦୀନମଜୁରିଆଙ୍କଠୁ ଆରମ୍ଭ କରି ନେତାଙ୍କ ଚେଲାଚାମୁଣ୍ଡା ଆଉ ତାଙ୍କ ଛୁଆମାନେ ବି ଅଛନ୍ତି । +ଏଇ ଇଲେକ୍ସନ୍ ସମୟରେ ଗରାଖଙ୍କ ସଂଖ୍ୟା ବଢ଼ିଯାଏ । +ଗାଁ ଗଣ୍ଡାରେ ଯଦିଓ ଦେଶୀ ମାଲ ଅଧିକ ପରିମାଣରେ ବିକ୍ରୀ ତଥାପି ତାଡ଼ିର ଆଦର କମିନାହିଁ । +ଆଜି ଠାକୁରାଣୀ ଛକରେ ମିଟିଙ୍ଗ ଅଛି ଆମ୍ବଚି଼ହ୍ନ ବାଲାଙ୍କର । +ଦଶଟା ଖଜୁରୀ ଗଛରୁ ତାଡ଼ି ସଂଗ୍ରହ କରିଛି ସେ । +ବାସୀ ସହ ମିଶେଇ ବିକିଯିବ । +ଯେଉଁ ଗିଲାସକୁ ଦଶଟଙ୍କା ନିଏ ଆଜି ସେଇଟା ଡବଲରେ ଯିବ । +ଅତିକମ୍ରେ ଦି’ ହଜାର ପାଇବ । +ରାସ୍ତା କଡ଼େ କଡ଼େ ଖଜୁରୀ ଗଛ ଭର୍ତ୍ତି । +ସେ ଖଜୁରୀ ରସ ନେଲାବେଳେ ପିଞ୍ଛା ବି କାଟିନିଏ । +ସେଥିରେ କୁସୁମୀ ଝାଡୁ ଆଦି କ’ଣ କ’ଣ ବନାଏ । +ତା’ ବାଦେ ବାଉଁଶରେ ନାଳିଆ, କୁଲା, ପାଛିଆ ବୁଣେ । +ଏଇଥିରୁ ଗୁଜୁରାଣ ମେଣ୍ଟାନ୍ତି ପାଞ୍ଚ ପ୍ରାଣୀ କୁଟୁମ୍ବ । +ବତାସୀର ବାପ ହାଡ଼ିଆ କୋଉ କାଳରୁ ମଲାଣି । +ମାଆ ତ ଆହୁରି ଆଗରୁ ଯାଇଥିଲା । +ସାଆନ୍ତରାବାବୁ ଘର ତା’ ବାପାକୁ ଏଇ ଜାଗାଖଣ୍ଡକ ଦେଇଥିଲେ । +ଗାଁର ଶେଷ ମୁଣ୍ଡରେ ଆମ୍ବ, ଜାମୁ, ବରଗଛ, ଆହୁରି କେତେଟା ଜଣାଶୁଣା ଗଛ । +ସେଇ ଭିତରେ ବଡ଼ ବଡ଼ ଚାଳିଆ ଦି’ଖଣ୍ଡ ତାଙ୍କର । +ଗୋଟାକରେ ଛେଳି, ଜାଳକୁଟା, ଖଜୁରୀ ପିଞ୍ଛା, ଚୁଲୀ ଚଉକା, ଆରଟିରେ ସେମାନେ ଶୁଆବସା କରନ୍ତି । +ଖରାଦିନ ରାତିଟା ବାହାରେ ବିତେ । +ଫର୍ଚ୍ଚା ଜହ୍ନ ଆଲୁଅରେ କୁସୁମୀ ସବୁ କାମ କରିନିଏ । +ତାଙ୍କର ହାତ ପଙ୍ଖା ଲୋଡ଼ା ହୁଏନାହିଁ । +ବଢ଼ିଆ ସୁଲୁସୁଲିଆ ପବନ ପୋଖରୀ ଆଡୁ ହୁଲୁହୁଲୁ ହେଇ ମାଡ଼ିଆସେ । +ଆଉ ଶୀତ ମାସର ଦିନଟା ବିତେ ଖରାରେ । +ଚାଳିଆ ଆଗକୁ ଆଉ ଗୋଟେ ଚୁଲୀ ବିଛେଇ କୁସୁମୀ ସେଇଠି ରୋଷେଇବାସ କରେ । +ଗୋବରରେ ପୂରା ଦାଣ୍ଡଟାକୁ ଲିପିଦେଇଥାଏ । +ସେଇ ନରମ ଉଷୁମ ଖରାରେ ସମସ୍ତଙ୍କର ଖାଇବାପିଇବା କାମ ହୋଇଯାଏ । +ବର୍ଷା ଦିନରେ ଯାହା ଖାଲି ଚାଳିଆ ଭିତରେ ରନ୍ଧାବଢ଼ା ହୁଏ । +ଘର ବାହାରେ ଦି’ଖଣ୍ଡ ଦଉଡ଼ିଆ ଖଟ । +ଗରାଖ ସେଇ ଖଟରେ ବସନ୍ତି । +ବଡ଼ ବଡ଼ ସିଲ୍ଭର୍ ଗ୍ଲାସ୍ରେ ତାଡ଼ି ପିଅନ୍ତି । +ପରସ୍ପରକୁ ଅଶ୍ରାବ୍ୟ ଭାଷାରେ ଗାଳିଫଜିତ୍ କରନ୍ତି । +ଯେତେବେଳେ ନିଶାଟା ଗାଢ଼ ହୁଏ କିଏ କାହାକୁ କୁଣ୍ଢୋଉଥାଏ, ଗେଲ କରୁଥାଏ ତ ପୁଣି କେତେବେଳେ ମାଡ଼ପିଟ୍ ଲହୁଲୁହାଣ । +ଏ ସବୁକୁ ଦେଖିଦେଖି ବତାସୀର ଦିହ ପଥର ହେଇଯାଇଛି ସିନା କୁସୁମୀ ସେଇ ସମୟରେ ଘରୁ ବାହେରେନି । +ସେ ତା’ର ତିନି ଛୁଆଙ୍କୁ ନେଇ ଭିତରେ ବସିଥାଏ । +ସୋଲା, ରାଗ ମଟର, ମୁଢ଼ି ଓ କଞ୍ଚାଲଙ୍କା ସବୁ ଜିନିଷ ବତାସୀ ପାଖରେ ଥୋଇଦେଇଥାଏ ଆଗରୁ । +ବଡ଼ପୁଅ ଝିଅ ଦି’ଟା ଗାଁ ସ୍କୁଲରେ ପାଠ ପଢୁଛନ୍ତି । +ସାନଟି ମା’ କ୍ଷୀର ଛାଡ଼ିନି । +ବତାସୀ ସିନା ତାଡ଼ି ବିକୁଛି ହେଲେ କୁସୁମୀର ସ୍ବପ୍ନ ଅସରନ୍ତି । +ବାହାରେ ହୋ’ହାଲ୍ଲା ଚାଲିଥିବା ବେଳେ ସେ ତା’ର ଚାଳିଆ ଭିତରେ ବସି ବୁଣୁଥାଏ ସ୍ବପ୍ନର ବୁଢ଼ିଆଣୀ ଜାଲ । +ତା’ ପିଲାଏ ବଡ଼ ହେବେ । +ପାଠ ଦି’ଅକ୍ଷର ପଢ଼ି ସାଆନ୍ତରାବାବୁ ଘର ଛୁଆଙ୍କ ଭଳି ବଡ଼ ବଡ଼ ଅଫିସ୍ରେ ଚାକିରୀ କରିବେ । +ସହରରୁ ଚାରିଚକବାଲା ଗାଡ଼ି ଚଢ଼ି ଆସିବେ । +ସେ ନିଇତି ନୂଆ ନୂଆ ଶାଢ଼ୀ ପିନ୍ଧି ଗାଁ ଭିତରକୁ ଯିବ । +ଗାଁ ମାଇପେ ସବୁ ତାକୁ ଘେରିଯାଇ ପଚାରିବେ- ତୋ’ ପୁଅ ଆଣିଛି କିଲୋ ଏ ଶାଢ଼ୀ, ଢେରେ ଟଙ୍କା ପଡ଼ିଥିବ । +ସେ ତା’ ପୁଅଙ୍କ ସାଙ୍ଗରେ ଗାଡ଼ିରେ ବସି ସହରକୁ ଯିବ । +ଏ ଚାଳିଆ ଦି’ଖଣ୍ଡକୁ ଭାଙ୍ଗି କୋଠା ଘର ପାଞ୍ଚ ବଖରା ବନେଇବ । +ଗୋଟାକରେ ସେ ଓ ବତାସୀ ଆଉ ତିନିଟାରେ ପୁଅଝିଅ, ଗୋଟିଏରେ କୁଣିଆ ବନ୍ଧୁବାନ୍ଧବ ବସାଉଠା କରିବେ । +ଏଇମିତି ଭାବୁଭାବୁ ରାତି ମାଡ଼ିଆସେ । +ଗରାଖ ଫେରିଯାନ୍ତି ଆପଣା ବାଟରେ । +ବେଳେବେଳେ କିଏ କିଏ ପଡ଼ିଥାନ୍ତି ସେଇ ଦଉଡ଼ିଆ ଖଟରେ ନହେଲେ ତଳେ ରାତି ଅଧଯାଏ, ବିଳିବିଳେଇ ହଉଥାନ୍ତି । +ନେତାଙ୍କୁ, ଶ୍ବଶୁର ଘରକୁ, ପୁଅ ମାଇକିନାଙ୍କୁ ଶୋଧୁଥାନ୍ତି କାନ ନ ଶୁଣିଲା ଭଳିଆ ଭାଷାରେ । +ବତାସୀ ଭାରରେ ତାଡି ଠେକିଗୁଡ଼ାକ ବୋହିଆଣି ବାହାରୁ ଡାକ ପକେଇଲା- ଏ କୁସୁମୀ ! ଆଣ ଲୋ ପାଣି ଢାଳେ । +ଓଃ କି ଗରମ, ଚଇତରୁ ଏତେ ତାତି, ଆହୁରି ଦିନକାଳ ଅଛି । +ଉଚ୍ଛୁଣି ସୁଲୁସୁଲୁ ପବନରେ ଦିହମନ ଉଲୁସିଯାଉଥାନ୍ତା । +ଦକ୍ଷିଣା ବାଆ କାଇଁ ? ଗମଗମ ଝାଳ ବାହାରୁଛି ଦିହରୁ…. କୁସୁମୀ ପାଣି ଢାଳେ ଆଣି ଥୋଇଲା । +କହିଲା- ପଖାଳ ବାଢ଼ିଦେମି ? ଆଜି ନବା ମା ଆସିଥିଲା । +ଶିଳା ଶୁଖୁଆ ଅଧାକେଜି ରଖିଚି ତା’ଠୁ । +ବଡ଼ି, ଶୁଖୁଆପୋଡ଼ା ନଗେଇ ପଖାଳ ଖାଇଦିଅ । +ଗରାଖ ଆଇଲେ ଆଉ ତର ସହିବନି…. । +ଦେଖୁନ ଗାଡ଼ିଗୁଡ଼ାକ କେମିତି ଘାଉଁଘାଉଁ ହେଇ ଘୂରୁଛନ୍ତି । +– ହଁ.. ଇଲେକ୍ସନ୍ ବଜାର, ଘୂରିବେନି! ଦିନକୁଦିନ ଦଳ, ଚି଼ହ୍ନ ସବୁ ବଢ଼ିଚାଲିଛି । +ସମସ୍ତଙ୍କୁ ହଁ ହାଁ ମାରିଚାଲିବା କଥା । +ଆମଠୁ ସବୁ ତଳବାଲା ପିଉଛନ୍ତି । +ଆଜି ତ ଠାକୁରାଣୀ ଛକରେ ଆମ୍ବଚି଼ହ୍ନ ବାଲାଙ୍କର ମିଟିଙ୍ଗ୍ ଅଛି । +ଆଲୋ କୁସୁମୀ ଆମ ଆମ୍ବ ଗଛରେ କେତେ ବଉଳ, କଷି ଭର୍ତ୍ତି ହେଇଛି ଲୋ । +ଏସନ ଢେରେ ଆମ୍ବ ଫଳିବ । +– ସେ କଥା କ’ଣ କହିହବ । +ଆମ୍ବ ପାଚିବାକୁ କେତେ ବାଧା । +ବଇଶାଖୀ ଝଡ଼ ବତାସ ଆଗକୁ ଅଛି, କୁହୁଡ଼ିରେ ତ ଅଧା ଜଳିଗଲା । +ଏଇନେ କଷି ବାହାରୁଛି । +ପାଚିବାକୁ ଆଉରି କେତେ ବାଟ । +– ହଉ ତୁ ଛାଡ଼ ସେ କଥା । +ଶୁଖୁଆ ଯେବେ କିଣିଚୁ ଭାଜିଦେ । +ତାଡ଼ି ସାଙ୍ଗରେ ଶୁଖୁଆ ଜମିବ । +ମୁଁ ଆଉ ପାଞ୍ଚଟଙ୍କା ଲେଖାଏଁ ଅଧିକା ନେମି । +କୁସୁମୀ ସଞ୍ଜ ସଳିତା ଜାଳିଲା ବେଳକୁ ଠାକୁରାଣୀ ଛକ ଖାଲି ଉଠୁଥିଲା ପଡ଼ୁଥିଲା । +ବତାସୀ ଠେକିରେ ଟୋପାଟେ ହେଲେ ତାଡ଼ି ନାହିଁ । +ସବୁ ତା’ଉପରେ ଗରମ । +ଯଦି ତାଡ଼ି ନାଇଁ, ଯା… ଦେଶୀ ମାଲ୍ କୋଉଠୁଁ ଆଣେ । +ବତାସୀ ଟିକେ ଏପାଖସେପାଖ ହେଲା, ଦେଶୀ ମାଲ୍ ଉପରେ ଏବେ ଟିକେ କଟକଣା । +ପୁଲିସ୍ ଲାଗ୍ଲାଗ୍ ଦି’ତିନିଥର ଚଢ଼ଉ କଲାପରେ ନନ୍ଦିଆର ପଛପଟିଆ କାରବାର ବନ୍ଦ । +ଦେଶୀ ମାଲ, ତାଡ଼ି, ଭାଙ୍ଗ ଗଞ୍ଜେଇ ନହେଲେ କି ମିଟିଙ୍ଗ୍ ହୋ…. ଲୋକେ ନାକ ଛିଞ୍ଚାଡ଼ି ସଭା ଜାଗା ଛାଡ଼ି ବତାସୀ ଚାଳିଆ ଆଗରେ ଭିଡ଼ ଜମେଇଲେ । +କୁସୁମୀ ଆଗରୁ ସବୁବେଳେ ବତାସୀକୁ କହିଛି- ଏ ତାଡ଼ି ବିକା ଧନ୍ଦା ଛାଡ଼ିଦିଅ । +ସାଆନ୍ତରାବାବୁ ଘରେ ପଛେ ମଜୁରୀ ଖଟ, ଏ ଝାମେଲାରେ ପଡ଼ନା । +ମୋ କଥା ଛାଡ଼ । +ଝିଅଟା ଆମର ବଡ଼ ହେଲାଣି । +ନିଶାଡିଗୁଡ଼ାଙ୍କର ହୋସ୍ ରହୁନି । +କେତେବେଳେ କ’ଣ କରିବସିବେ । +ବତାସୀ ତାକୁ ହାଙ୍କେ- ମୋର ଏଇ ଧନ୍ଦା ଢେର ଭଲ । +କାହିଁକି କା’ ଘରେ ମୁଣ୍ଡ ବିକିମି ? ତୁ ତ ଝାଡୁଫାଡୁ ବାନ୍ଧୁଛୁ । +ଏ ବେପାରରେ ବି ଦି’ପଇସା ବାହାରୁଛି । +ଏତେ ଆଗକୁ କାହିଁକି ଭାବୁଛୁ । +ଝିଅଟା ଭୂଇଁରୁ ବାହାରିନି । +ପନ୍ଦର ବର୍ଷ ଆଗକୁ ମାଡ଼ି ଯାଉଛୁ । +ଆଜି ତାଡ଼ି ସରିଗଲାଣି ବୋଲି କେତେ ଗାଳିଫଜିତ୍ ଖାଇଲାଣି ବତାସୀ । +ଯେତକ ପିଇଛନ୍ତି କେହି ହୋସ୍ରେ ନାହାନ୍ତି । +ଆଉ ଗୋଟେ ଦଳର ନେତାଙ୍କ ମାଆଭଉଣୀ, ଚଉଦପୁରୁଷଙ୍କୁ ଦୁନିଆ ପ୍ରକାର ଅକଥା କହି ଗାଳି ଦେଉଛନ୍ତି । +ବତାସୀ ପଛପଟ ଦୁଆର ଦେଇ ନନ୍ଦିଆ ଦୋକାନରେ ପହଞ୍ଚିଲା । +ଆଗପଟେ ନ ଯାଇ ଟିକେ ବୁଲାଣିରେ ଯାଇ ପଛପଟେ ଢୁକିଲା । +ଡବଲ ଦାମ୍ ଦେଇ ଗୋଟେ ବେରେଲ୍ ଭର୍ତ୍ତି ମଦ ଧରି ଦୌଡ଼ିଲା ଘର ଆଡ଼େ । +ୟାକୁ ଆଜି ଚାରିଗୁଣାରେ ବିକିବ । +ଇଛୁଣି ସମସ୍ତଙ୍କ ପକେଟ ଗରମ । +ଯାହାକୁ ଯାହା ମାଗିଲେ ମିଳିବ । +ତା’ର ତ ଦଳଫଳ ନାହିଁ । +ସମସ୍ତଙ୍କୁ ଆଜ୍ଞା ହଜୁର୍ କରି ଦି’ପଇସା କମେଇଲେ ଗଲା । +ଆଉ ଦି’ଦିନପରେ ଡ଼ଙ୍ଗା ଚିହ୍ନ ବାଲାଙ୍କର ମିଟିଙ୍ଗ୍ । +ଏଇନେ ଭଲ କରି କମେଇଲେ ବରଷା ଚାରି ମାସକୁ ଆଉ ଝାମେଲା ନ ଥିବ । +ବତାସୀ ବାଡ଼ିପଟ ଦୁଆର ଦେଇ ଘର ଭିତରେ ପଶିଲା । +ଦାଣ୍ଡରେ ଲୋକେ ହୋହୋ ହଉଛନ୍ତି । +ବଗୁଲିଆ ଟୋକା ପିତେଇ ଗାଁ ର ଜଣେ ସାଆନ୍ତଙ୍କୁ କୁଣ୍ଢେଇ ଗୀତ ଗାଉଛି , ମୋ ରଙ୍ଗବତୀ ଲୋ ରଙ୍ଗବତୀ , ଆମ୍ବଚି଼ହ୍ନରେ ତୁ ଭୋଅଟ ଦେବୁ ଲୋ ଡଙ୍ଗାକୁ ମାରିବୁ କାତି । +କୁସୁମୀ ଛୁଆଙ୍କୁ ଧରି କୋଣରେ ପଶିଛି । +ତା’ଛାତି ଖାଲି ଦାଉଁଦାଉଁ ପଡୁଛି । +ଆଜି କ’ଣ ଏଇ ଚାଳିଆ ଭିତରେ ପ୍ରଳୟ ହେବ କି ? ବତାସୀ ମଦ ବେରେଲ ଓ ଗ୍ଲାସ୍ ଧରି ବାହାରକୁ ବାହାରିଗଲା । +ଥାଳିରେ ଥାଳିଏ ରାଗ ମଟର ଭଜା ପୁଅ ଆଣି ଥୋଇଦେଲା ତା’ପାଖରେ । +ବେରେଲ୍ଟା ଯାକ ମଦ ନିମିଷିକ ଭିତରେ ଖତମ୍ । +ପେଟେ ପେଟେ ପିଇ ନଗେନ୍ ଭାଇ ଜିନ୍ଦାବାଦ୍ କହି ଲୋକେ ଚାଲିଲେ ମିଟିଙ୍ଗ୍ ପାଖକୁ । +ବତାସୀର ଟଙ୍କା ବାକ୍ସ ପୁରା ଫୁଲ୍ । +ଜିନିଷ ପତ୍ର ଉଠାଉଠି କରିସାରିଲା ବେଳକୁ ଦୁଆର ଖୋଲି ବାହାରକୁ ଆସିଲା କୁସୁମୀ । +ଖଟ ତଳେ ଉପରେ ଆହୁରି ତିନିଚାରିଟା ଗଡୁଛନ୍ତି । +କିଏ କିଏ ଅସଭ୍ୟ ଭାଷାରେ ବିଳିବିଳେଉଛନ୍ତି । +ଗୋଟେ ତ ଆଉ ଗୋଟେ ନିଶାଡିକୁ ତା’ ମାଇକିନା ଭାବି ଟଣାଓଟରା କରୁଛି । +ଛି- ଏ ମର୍ଦ୍ଦଗୁଡ଼ାକ କ’ଣ ହଉଛନ୍ତି ଲୋ ମା । +ନିଶା ପିଇବ ବୋଲି ଇମିତି ହବ… ଘରଭିତରକୁ ପଶିଆସି କୁସୁମୀ କହିଲା ବତାସୀକୁ । +-ଏ… ତୁ ଚୁପ୍ଚାପ୍ ରହ । +ବାହାରକୁ ବାହାରେନା । +ଏଇଠି ଗଣ୍ଡେ ଫୁଟାଇଦେ । +ଯାଉ ଆଉ ପନ୍ଦର ଦିନ । +ସବୁ ଥଣ୍ଡା ପଡ଼ିଲେ ଯାଇ ବାହାରେ ରୋଷେଇ କରିବୁ । +ଦିନରେ ବଳିଥିବା ତିନି ଚାରୋଟି ଶୁଖୁଆକୁ ପୋଇ ସାରୁ ପକେଇ ଝୋଳ କଲା କୁସୁମୀ । +ଗରମ ଭାତ ତରକାରୀ ବାପଛୁଆ ଚାରିଜଣଙ୍କୁ ବାଢ଼ିଦେଲା । +ବାସନତକ ଘରର ଗୋଟେ କୋଣରେ ଥୋଇଦେଲା । +ସକାଳେ କୂଅରୁ ପାଣି କାଢ଼ି ମାଜିବ । +ବାହାରେ ଏ ଯାଏଁ ବି ଘୋଘୋ ଶବ୍ଦ, ଗାଳିଫଜିତ୍ । +ଆଉ ଥରେ ଥରେ ମାଲ୍ ପିଇବାକୁ ଲୋକେ ତାଙ୍କ ଦୁଆର ବାଡ଼େଇବାଡ଼େଇ ଫେରିଗଲେଣି । +ଛୁଆମାନଙ୍କୁ ଧରି ବତାସୀ ଓ କୁସୁମୀ ଭିତରୁ ଛିଟିକିଣି ଦେଇ ଶୋଇଗଲେ ନିଘୋଡ଼ ନିଦରେ । +ଟୋକା ତିନିଚାରିଟା ତଥାପି ଗଡୁଛନ୍ତି ସେଇଠି । +କୁଆ କା’ କରିବା ଆଗରୁ ନିଦ ଭାଙ୍ଗିଲା କୁସୁମୀର । +ଅଣ୍ଡାଳିପକେଇଲା ବିଛଣାକୁ । +ଏଁ ଝିଅଟା କୁଆଡ଼େ ଗଲା ? ଏଇଠି ତ ଶୋଇଥିଲା । +ଧଡ଼ପଡ଼ ହେଇ ଉଠିଲାବେଳକୁ ଦେଖିଲା ବାଡି ଦୁଆର ଠିଆ ମେଲା । +ତା ଛାତିରେ ଖାଲି ହାତୁଡି ପାହାର, ସେ ବତାସୀକୁ ହଲାଇଦେଲା ଜୋର୍ରେ । +ନିଦ ମଳ ମଳ ଆଖିରେ ଉଠି ବସିଲା ବତାସୀ । +– କ’ଣ ହେଲା ଇମିତି ଚିଲ୍ଲଉଚୁ କାହିଁକି ? +– ଝିଅ ତ ଘରେ ନାହିଁ । +– ଝିଅ ଘରେ ନାଇଁ ? କୁଆଡ଼େ ଗଲା ? ଏଇ ଝାଡ଼ାଝପଟ ଲାଗି ଯାଇଥିବ ବାଡିଆଡ଼େ, ଏଇଥିରେ ବ୍ୟସ୍ତ ହେଉଛୁ ! ବତାସୀ କୁସୁମୀର ହାତଧରି ଘର ଚାରିପଟେ ଅଣ୍ଡାଳିଲା । +କ’ଣ ପୋଖରୀ ଆଡ଼େ ପଳେଇଲା କି ? ଆକାଶ ଫର୍ଚ୍ଚା ଦିଶିଲାଣି । +ଦିହେଁ ଦି’ଦିଗକୁ ଖେଦିଗଲେ । +ତୋଟାର ଶେଷ ମୁଣ୍ଡରେ ଝିଅକୁ ଦେଖିଲା କୁସୁମୀ । +ତା’ପାଟିରେ ଲୁଗା ବିଣ୍ଡା । +ଦିହରେ କପଡ଼ା ନାହିଁ । + ନ ବର୍ଷର ଛୁଆକୁ…. +ଆହା କି ଚାଣ୍ଡାଳ କାମ….. ଝିଅକୁ କୁଣ୍ଢେଇଧରି ବଡ଼ ପାଟିକଲା କୁସୁମୀ । +ଦଉଡ଼ିଆସିଲା ବତାସୀ । +ଝିଅର ନିଃଶ୍ବାସ ଟିକେ ଟିକେ ଚାଲିଛି । +କୁସୁମୀ ତା’ଲୁଗା କାନି ଘୋଡ଼େଇ ଝିଅକୁ ଘରଯାଏ ଟେକିଆଣିଲା । +ଡାକ୍ତରଖାନାକୁ ବାହାରିଲା ବେଳକୁ ଦୁଆର ମୁହଁରେ ପୋଲିସ । +– ତୁ ବତାସୀ ନା, ଚାଲ ଥାନାକୁ । +ମଦରେ କ’ଣ ମିଶେଇ ବିକିଛୁ । +ରାତିସାରା ଲୋକେ ଡାକ୍ତରଖାନାକୁ ଧାଡ଼ି ଲଗେଇଛନ୍ତି । +ଚୋରା ମଦ କାରବାର କରୁଛୁ ନା, ତୋ ମଜ୍ଜା ଛଡ଼େଇବି ଆଜି, ଥାନା ବଡ଼ବାବୁ ଧମକେଇଲେ ବତାସୀକୁ…. । +କୁସୁମୀ ତାଙ୍କ ଗୋଡ଼ ତଳେ ଛୁଆକୁ ଗଡ଼େଇ ଦେଇ ଭେଁଭେଁ ହୋଇ କାନ୍ଦିଲା…. ବାବୁ ମୋ ଝିଅକୁ ବଞ୍ଚାନ୍ତୁ । +– ତାହେଲେ ଏଇଠି ଦିଇଟା କେସ୍ । +ପୋଲିସ୍ ବାପ ମାଆ ଛୁଆ ତିନିଜଣଙ୍କୁ ଗାଡ଼ିରେ ବସାଇ ନେଇଯାଇଥିଲା ବେଳେ ଆଉ ଦି’ପୁଅ ଗାଡ଼ି ପଛେ ପଛେ ଦଉଡୁଥିଲେ ଅଣନିଃଶ୍ବାସୀ ହେଇ ।