From bf03441f9441d6fee7d5fe0b049f60e7df834e3b Mon Sep 17 00:00:00 2001 From: Nayan Ranjan Paul Date: Sat, 17 Sep 2022 12:09:32 +0530 Subject: [PATCH] Upload New File --- .../sent_odiasahitya_anubada_3 | 170 ++++++++++++++++++ 1 file changed, 170 insertions(+) create mode 100644 Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_anubada_3 diff --git a/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_anubada_3 b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_anubada_3 new file mode 100644 index 0000000..f0e9257 --- /dev/null +++ b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_anubada_3 @@ -0,0 +1,170 @@ +ସିସିଫସ୍‌ +- ଅମିୟବାଳା ପଟ୍ଟନାୟକ +ତା: ଜୁଲାଇ ୪, ୨୦୧୨ +ମୂଳ ପୃଷ୍ଠା → ପ୍ରତିବେଶୀ ସାହିତ୍ୟ (ଅନୁବାଦ) → +ମୂଳ ବଙ୍ଗଳା ରଚନା – ବିମଳ ମିତ୍ର +ସେଦିନ ମୁଁ ବସିଥିଲି ଜବଲପୁରର ଗୋଟାଏ ଡାକ ବଙ୍ଗଳାରେ ! ପ୍ରକୃତରେ ସେ ସ୍ଥାନଟା ଅସଲ ଜବଲପୁର ନଥିଲା । + ବରଂ ଥିଲା ହାଓବାଗ-ଜବଲପୁରରେ ଏବେ ସେ ଡାକ ବଙ୍ଗଳାର ଚେହେରା କେମିତି ଦେଖାଯାଉଥିବା କେଜାଣି ? +କିନ୍ତୁ ମୁଁ ଯେତେବେଳେ ସେଠାକାର ଡାକ ବଙ୍ଗଳାକୁ ଯାଉଥିଲି, ତା’ର କମ୍ପାଉଣ୍ଡ୍‌ ଭିତରେ ପଚିଶ-ତିରିଶଟି ଆମ୍ବଗଛ ଥିଲା, ଥିଲା ତିନୋଟି ମେହେବାନି ଗଛ ଏବଂ ଥିଲା ସାତୋଟି ଅଶ୍ବସ୍ଥ ଗଛ ! ଦିନରେ ମଧ୍ୟ ସ୍ଥାନଟି ଅନ୍ଧକାରରେ ଆଚ୍ଛାଦିତ ହୋଇ ରହୁଥିଲା । +ଡାକବଙ୍ଗଳାଟି ଥିଲା ଗୋଟାଏ ବିରାଟ ହତା ଭିତରେ । +ଏହି ବଡ଼ ବଡ଼ ଗଛଗୁଡ଼ିକ ଛଡ଼ା ଆଉ କିଛି ଫୁଲର କିଆରୀ ମଧ୍ୟ ସେଠି ଥିଲା । +ଥିଲା କେତୋଟି ଗୋଲାପ ଫୁଲର ଏବଂ କିଛି ସିଜନ୍‌ ଫ୍ଲାୱାରର ବେଢ଼ା । +ତେବେ ଆବଶ୍ୟକ ଲୋକବାକ ଅଭାବରୁ ଫୁଲଗୁଡ଼ିକର କେହି ଯତ୍ନ ନେଉ ନଥିଲେ ଭଲ ଭାବରେ । +ପ୍ରତି ମାସରେ ପ୍ରାୟ ଥରେ ଦୁଇଥର ମତେ ଏଇ ଡାକ ବଙ୍ଗଳାକୁ ସରକାରୀ କାର୍ଯ୍ୟରେ ଯିବାକୁ ପଡ଼ୁଥିଲା । +ଭୋର ଭୋରରୁ ନ୍ୟାରୋଗଜ୍‌ ଟ୍ରେନ୍‌ଟା ମତେ ନେଇ ସେଠାରେ ପହଞ୍ଚାଇ ଦେଉଥିଲା ! ଡାକ ବଙ୍ଗଳାରେ ଜିନିଷପତ୍ରଗୁଡ଼ିକ ଫୋପାଡ଼ି ଦେଇ ମୁଁ ଟାଉନ୍‌ ଭିତରେ ଥିବା ମୋ ଅଫିସ୍‌କୁ ଚାଲି ଯାଉଥିଲି । +ପୁଣି ଦୁଇଘଣ୍ଟା ପରେ ଅଫିସ୍‌ କାମ ସାରି ଫେରିଆସି ବସୁଥିଲି ବଙ୍ଗଳା ବାରଣ୍ଡାରେ ଏବଂ ଫୁଲଗଛଗୁଡ଼ିକୁ ଅନାଇ ରହୁଥିଲି । +ସେହି ଡାକ ବଙ୍ଗଳାଟିରେ ଦୁଇଟି ବଡ଼ ବଡ଼ କୋଠରୀ ଥିଲା, ସାମନାରେ ଥିଲା ଖପରୁଲି ଛାଉଣି ଦିଆ ଲମ୍ବା ବାରଣ୍ଡା । +ମୁଁ ଆରାମ ଚେୟାରଟା ଟାଣି ଆଣି ସେଠାରେ ବସିଯାଉଥିଲି । +ଅଫିସ୍‌ କାମ ବ୍ୟତୀତ ମୋର ଆଉ ସେଠି ବିଶେଷ କାର୍ଯ୍ୟ ନଥିଲା । +ମୁଁ ସେମିତି ଭାବରେ ବସୁଥିଲି ଅନେକ ରାତି ପର୍ଯ୍ୟନ୍ତ! ଦୁନିଚାନ୍ଦ ଆସି ନୈଶ ଭୋଜନ ଦେଇଯାଉଥିଲା ଏବଂ ମୁଁ ଖାଇପିଇ ଶୋଇ ପଡ଼ୁଥିଲି ! ପ୍ରାୟ ପ୍ରତିମାସ ଏଇ ଅଫିସ୍‌ରେ ମତେ ଦିନେ ଦୁଇଦିନ ରହି କାମ କରିବାକୁ ପଡ଼ୁଥିଲା ଏବଂ ତା’ପରେ ମୁଁ ଫେରି ଆସୁଥିଲି ମୋର ପ୍ରିୟ ସହର ବିଳାସପୁରକୁ । +ମୁଁ ସେଦିନ ମଧ୍ୟ ସେମିତି ଆନମନା ଭାବରେ ସେହି ବଙ୍ଗଳା ବାରଣ୍ଡାରେ ବସିଥିଲି । +ବାହାରେ ସମ୍ପୂର୍ଣ୍ଣ ନହେଲେ ମଧ୍ୟ ଅନ୍ଧକାରର ରାଜତ୍ବ । +ହତା ମଧ୍ୟରେ ଦୁଇ ତିନୋଟି ବତୀଖୁଣ୍ଟ ଥିଲେ ମଧ୍ୟ ଶୀତଦିନର ପ୍ରବଳ କୁହୁଡ଼ି ପାଇଁ ଆଲୋକଗୁଡ଼ିକ ଖୁବ୍‌ ନିଷ୍ପ୍ରଭ ଦିଶୁଥିଲେ । +ଦରକାର ମୁତାବକ କିଛି ମାଛ ଆଉ ଅଣ୍ଡା ଆଣିବା ପାଇଁ ଦୁନିଚାନ୍ଦକୁ ମୁଁ କିଛି ଟଙ୍କା ଦେଇ ବଜାରକୁ ପଠାଇଥିଲି । +ସେଗୁଡ଼ିକ ଆଣିବା ପରେ ସେ ରୋଷେଇ କରିବା ଏବଂ ଯଥାରୀତି ରାତ୍ରିଭୋଜନ ପରଷିବା- ଏହାହିଁ ଥିଲା ସେ ରାତିର କାର୍ଯ୍ୟକ୍ରମ । +ମୁଁ ସେମିତି ସେହି ବାରଣ୍ଡାରେ ବସି ବସି କେତେ ଆକାଶ ପାତାଳ ଚିନ୍ତା କରୁଥିଲି । + ହଠାତ୍‌ ଭୟରେ ଚମକିପଡ଼ି ଦଶହାତ ପଛେଇଯାଇ ବିକଳରେ ଚିତ୍କାର କରି ଡାକିଲି ଦୁନିଚାନ୍ଦ … ଦୁନିଚାନ୍ଦ ! +ଆଖି ସାମନାରେ ଏକ ବିରାଟକାୟ ସାପ ନିଃଶବ୍ଦରେ ଫୁଲ ବଗିଚା ପାରିହୋଇ ମୋ ଆଡ଼କୁ ଲକ୍ଷ୍ୟକରି ଆଗେଇ ଆସୁଥିଲା । +ଦୁନିଚାନ୍ଦ ରହିବା ଆଉଟ୍‌ ହାଉସ୍‌ଟା ମୁଁ ରହୁଥିବା ବଙ୍ଗଳାଠାରୁ ଦୂରରେ ବିପରୀତ ଦିଗରେ । +ସେଠାରେ ରହୁଥାନ୍ତି ଦୁନିଚାନ୍ଦ ଆଉ ତା’ର ସ୍ତ୍ରୀ ! ଆଉ ସେଠାରେ ରହନ୍ତି ବଙ୍ଗଳାର ମେହେନ୍ତର ! ତେବେ ସବୁବେଳେ ଆସି ଏଠାରେ ରହୁଥିଲେ ମଧ୍ୟ ମୁଁ ସେପଟକୁ କେବେ ଯାଇନି । +ମୋ ପରି ଭଦ୍ରଲୋକକୁ ସେଠାକୁ ଯିବାର ଆବଶ୍ୟକତା ମଧ୍ୟ ପଡ଼ିନି ! ଏ ଭିତରେ ମୁଁ ଚିତ୍କାର କରି ଲୋକ ଡାକିଲାବେଳକୁ ସାପଟି ମୋ ଶୋଇବା ଘର ଭିତରକୁ ପଶିଯାଇଥିଲା । + ଆଉ ତା’ପରର କଥା ଭାବି ମୁଁ ଭିତରେ ଭିତରେ ଥରି ଉଠୁଥିଲି ! +ସାପଟା ସେତେବେଳେ ତା’ର ଫାଳିକିଆ ଜିଭକୁ ହଲାଇ ମୋ ଆଡ଼କୁ ମାଡ଼ି ମାଡ଼ି ଆସୁଥିଲା ଏବଂ ମୁଁ ଆହୁରି ଜୋରରେ ଜୋରରେ ଚିତ୍କାର କରି ଡାକୁଥିଲି ଦୁନିଚାନ୍ଦ…. ଦୁନିଚାନ୍ଦ ! କିନ୍ତୁ ସୌଭାଗ୍ୟକ୍ରମେ ଦୁନିଚାନ୍ଦ ମୋ ଡାକ ଶୁଣି ନଥିଲା ସିନା, ଭଗବାନ ମୋ ଡାକ ଶୁଣି ପାରିଥିଲେ । +ଦୁନିଚାନ୍ଦ ଏତେ ଶୀଘ୍ର ଫେରିଆସିବା କଥା ନଥିଲେ ମଧ୍ୟ କାହିଁକି କେଜାଣି ଦୌଡ଼ି ଦୌଡ଼ି ଆସି ମୋ ନିକଟରେ ପହଞ୍ଚି ଯାଇଥିଲା । +ମୁଁ ବିକଳରେ କହିଥିଲି- ମୋ ଶୋଇବା ଘରେ ଗୋଟାଏ ବଡ଼ ସାପ ପଶିଯାଇଛି ଦୁନିଚାନ୍ଦ, ତମେ ଶୀଘ୍ର ଯାଇ ଗୋଟାଏ ବଡ଼ ଠେଙ୍ଗା ନେଇଆସ ! +ଦୁନିଚାନ୍ଦ କୁଆଡ଼ୁ ଗୋଟାଏ ବଡ଼ ଠେଙ୍ଗା ଧରି ଆସି ଘର ଭିତରକୁ ଟିକିଏ ଉଙ୍କିମାରି ଦେଖିଲା ଏବଂ ଥମିଗଲା । +ମୋ ପାଖକୁ ଆସି କହିଲା, ଆରେ ଏ ତ ଏଜରା ମେମ୍‌ସାହେବଙ୍କ ସାପ ! ତା’ପରେ ସେ ଠେଙ୍ଗାଟିକୁ କାନ୍ଥରେ ଆଉଜାଇ ଦେଇ ବାରଣ୍ଡାରେ ଆସି ନିଶ୍ଚିନ୍ତରେ ଛିଡ଼ା ହେଲା । +ସାପଟି ଘର ଭିତରେ ପଶିଯାଇଥିବା କଥା ଯେମିତି ସେ ସମ୍ପୂର୍ଣ୍ଣ ଭାବେ ପାଶୋରି ପକାଇଥିଲା । +ମୁଁ ଆଶ୍ଚର୍ଯ୍ୟରେ ତାକୁ ଚାହିଁ ରହିଥିଲି । + ଏଜରା ମେମ୍‌ସାହେବଙ୍କ ସାପର କ’ଣ ବିଷ ନାହିଁ ? ସେ କ’ଣ ମଣିଷଙ୍କୁ କାମୁଡ଼େ ନାହିଁ ? ତାକୁ ନେଇ ଭାବିବାର କ’ଣ କିଛି କାରଣ ନାହିଁ ? ତା’ଛଡ଼ା ଏଇ ଏଜରା ମେମ୍‌ସାହେବ ଟି ବା କିଏ ? +ଦୁନିଚାନ୍ଦ ମୋ ପାଖକୁ ଆସି କହିଲା- ଆପଣ ଟିକିଏ ଅପେକ୍ଷା କରନ୍ତୁ ! ମୁଁ ଯାଇ ତାଙ୍କୁ ଡାକି ଆଣୁଚି ! +ଦୁନିଚାନ୍ଦ ବଗିଚା ଆଡ଼କୁ ଆଗେଇ ଯାଉଥିଲା । + ମୁଁ ପୁଣିଥରେ ଦୁନିଚାନ୍ଦକୁ ଡାକିଲି…. କହିଲି-ଆରେ ତମେ କୁଆଡ଼େ ଯାଉଚ ? ତମର ଏ ମେମ୍‌ସାହେବଙ୍କ ଘର କୋଉଁଠି ? +ଦୁନିଚାନ୍ଦ ଯାଉ ଯାଉ ଉତ୍ତର ଦେଲା- ଆରେ ହଜୁର, ଏଇ ପାଖ ଘର…. ଏଇ ସତର ନମ୍ବର କୋଠିଟା ତାଙ୍କର ! ମୁଁ ଖାଲି ଯିବି ଆଉ ଆସିବି ! +ଏତେ ବର୍ଷ ହେଲା ମୁଁ ଜବଲପୁର ଆସୁଛି…. ଏଇ ରେଷ୍ଟ ହାଉସ୍‌ରେ ରହୁଛି । +ବହୁତ ସମୟ ଏଇ ବାରଣ୍ଡାରେ ମଧ୍ୟ ବସୁଛି…. ଅଥଚ କୌଣସି ଦିନ ଏଇ ବିରାଟ ସାପର ସାମନା ସାମନି ହୋଇନି । +ଆଉ ଏଇ ବିରାଟ ସାପକୁ ପୋଷିଥିବା ସତର ନମ୍ବର କୋଠିର ଏଜରା ମେମ୍‌ସାହେବଙ୍କ କଥା ମଧ୍ୟ ତ ଶୁଣିନି ! ନାରୀମାନେ ଯେ ସାପକୁ ମଧ୍ୟ ପୋଷିପାରନ୍ତି- ଏ କଥା ଆଜି ନୂଆ କରି ଜାଣିଲି । +ଦୁନିଚାନ୍ଦଙ୍କ ସହ ଏଜରା ମେମସାହେବ ମଧ୍ୟ ଆସୁଥିଲେ । +ମେଦବହୁଳ ପୃଥୁଳାକାୟା ନାରୀ । +ବୋଧହୁଏ ବୟସ ସତୁରୀ ପାଖାପାଖି ହେବ ! ଦେହରେ ଢିଲା ଗାଉନ । +ଘରେ ଯେମିତି ଅବସ୍ଥାରେ ଥିଲେ ସେମିତି ହିଁ ଚାଲି ଆସିଛନ୍ତି ! ଜୋତା କି ଟୋପି ମଧ୍ୟ ପିନ୍ଧିନାହାନ୍ତି । +ସତେ ଯେମିତି ତାଙ୍କର କୁନି ପୁଅଟି ହଜିଯାଇଛି- ଏମିତି ଅସ୍ତବ୍ୟସ୍ତ ଭାବରେ ସେ ମୋର ଶୋଇବା ଘରେ ପ୍ରବେଶ କଲେ ! ଆଉ ବଡ଼ ନରମ ଗଳାରେ ଡାକିଲେ- ସିସି… ସିସି… ମାଇଁ ଡାର୍ଲିଂ । +ମେମ୍‌ସାହେବଙ୍କ ସହିତ ତାଙ୍କର ଚାକର-ବାକର ଏବଂ ଆୟା ମଧ୍ୟ ଚାଲି ଆସିଥିଲେ ! ସେ ମତେ ଦେଖୁଦେଖୁ ପାଗଳ ପରି ପଚାରି ଉଠିଲେ- ସିସି କାଇଁ ? ସେ କେଉଁଠି ଅଛି ବାବା ? +ଦୁନିଚାନ୍ଦ ତାଙ୍କୁ ଘର ଭିତରକୁ ନିର୍ଦ୍ଦେଶ କରି ଦେଖାଇଦେଲେ । +ମେମ୍‌ସାହେବ ନିର୍ଭୟରେ ଘର ଭିତରକୁ ପଶିଗଲେ ଏବଂ ଛୁଆକୁ ଡାକିଲା ପରି ଡାକିଲେ ସିସି… ସିସି ମାଇଁ ଡାର୍ଲିଂ । +ସବୁଠାରୁ ଆଶ୍ଚର୍ଯ୍ୟର କଥା, ମିସେସ୍‌ ଏଜରାଙ୍କ ସହିତ ଆସିଥିବା ତାଙ୍କ ପରିଚାରକମାନେ ମଧ୍ୟ ମୋର କୋଠରୀ ଭିତରକୁ ପଶିଗଲେ ଏବଂ ସମସ୍ତେ ମିଶି ସେହି ସାପକୁ ଧରିବାରେ ସକ୍ଷମ ହେଲେ । +ଗୋଟାଏ ଲୋକ ସାପଟିକୁ କାନ୍ଧ ଉପରକୁ ଉଠାଇ ନେଲା ଏବଂ ସାପଟି ମଧ୍ୟ ବେଶ୍‌ ଆରାମରେ ଲୋକଟିର କାନ୍ଧରେ ମୁହଁଟିକୁ ଉଠାଇ ବସି ରହିଲା । +ତା’ପରେ ଆରମ୍ଭ ହେଲା ତାଙ୍କର ଫେରିବାର ପର୍ବ ! ସାପ ଧରିଥିବା ସେହି ଲୋକଟିର ପଛେ ପଛେ ପ୍ରଥମେ ଏଜରା ମେମ୍‌ସାହେବ ଏବଂ ଅନ୍ୟମାନେ ଶୋଭାଯାତ୍ରା କଲାପରି ଚାଲୁଚାଲୁ ସାପଟିକୁ ଡାକୁଥିଲେ …. ସିସି…. ମାଇଁ…. ଡାର୍ଲିଂ ! +ଯାଉ ଯାଉ ତାଙ୍କର ବୋଧେ ମୋ କଥା ମନେ ପଡ଼ିଯାଇଥିଲା- +ଅଧାରାସ୍ତାରୁ ସେ ପୁଣି ମୋ ନିକଟକୁ ଫେରିଆସି କହିଲେ- ଆପଣଙ୍କୁ ବହୁତ ଧନ୍ୟବାଦ ବାବା, ସେ ଅନ୍ୟ କେଉଁଠିକୁ ଚାଲିଯାଇଥିଲେ, ମୁଁ ତାକୁ ଖୋଜି ଖୋଜି ପାଇ ନଥାନ୍ତି । +ହି ଇଜ୍‌ ସୋ ନଟି- କହୁ କହୁ ସେ ସାପଟି ନିକଟକୁ ମୁହଁନେଇ ଚୁମା ଖାଇଲେ । +ମୁଁ ପରମ ଆଶ୍ଚର୍ଯ୍ୟରେ ଏହି ଅଦ୍ଭୁତପୂର୍ବ ଦୃଶ୍ୟ ଦେଖିବାରେ ଲାଗିଥିଲି । +ମିସେସ୍‌ ଏଜରା ପୁଣି ମୋ ପାଖକୁ ଫେରି ଆସିଲେ । +ତାଙ୍କର ବୋଧହୁଏ ମନେହେଲା ମତେ ସେ ଯଥେଷ୍ଟ କୃତଜ୍ଞତା ଜ୍ଞାପନ କରିନାହାନ୍ତି । +କହିଲେ- ହ୍ବାଟ୍‌ କେନ୍‌ ଆଇ ଡୁ ଫର ୟୁ, ବାବା । +ମୁଁ ଆପଣଙ୍କ ପାଇଁ କ’ଣ କରିପାରିବି ? ମୁଁ ଉତ୍ତର ଦେଲି- ନା ନା ମୋ ପାଇଁ ଆପଣଙ୍କୁ କିଛି ବି କରିବାକୁ ପଡ଼ିବ ନାହିଁ । +ସେ ପୁଣି ମତେ ପଚାରିଲେ- ଆର୍‌ ୟୁ ଏ ରେଲୱେ ଏମ୍ପ୍ଲୋୟୀ । +ତୁମି କି ରେଲୱେ…! ମିସେସ୍‌ ଏଜ୍‌ରାଙ୍କର ବୋଧହୁଏ ଧାରଣା ଥିଲା କେବଳ ରେଲୱେ ଏମ୍ପ୍ଲୋୟୀମାନେ ଏହି ଡାକବଙ୍ଗଳାରେ ରହନ୍ତି । +ସେ ଅନୁରୋଧ କଲା ଭଙ୍ଗୀରେ କହିଲେ- ଆପଣ କାଲି ଦୟାକରି ମୋ ସହିତ ଲଞ୍ଚ ଖାଇବାକୁ ଆମ ଘରକୁ ଆସିବେ ? ଅବଶ୍ୟ ସେଥିପାଇଁ ଯଦି ଆପଣଙ୍କର କୌଣସି ଆପତ୍ତି ନଥାଏ- କହୁକହୁ ସେ ପୁଣି ସିସି… ସିସି ମାଇଁ ଡାର୍ଲିଂ ଡାକି ଚାଲିଗଲେ । +ମୋର ସମ୍ପୂର୍ଣ୍ଣ ମନେ ଅଛି ସେଦିନ ରାତିରେ ଡାକବଙ୍ଗଳାର ସେହି କୋଠରୀରେ ମୁଁ ଭଲଭାବେ ଶୋଇ ପାରି ନଥିଲି । +ଦୁନିଚାନ୍ଦ ମତେ ସାନ୍ତ୍ବନା ଦେବା ସ୍ବରରେ କହିଥିଲା, ସେଇଟା ପୋଷା ସାପ ହଜୁର ! ସେ ମାରିବ ନାହିଁ, ଆପଣ ମିଛଟାରେ ଖାଲି ଡରିଯାଉଛନ୍ତି । +ତଥାପି ମୁଁ କହିଥିଲି- ନା ଏହାପରେ ମୁଁ ଆଉ ତମର ଏ ଡାକବଙ୍ଗଳାରେ ରହିବି ନାହିଁ । +କିନ୍ତୁ ମୁଁ ଏଠାରେ ନ ରହିଲେ ଦୁନିଚାନ୍ଦର ହିଁ କ୍ଷତି ! ମୋ ପାଇଁ ଜିନିଷ ଆଣିଲାବେଳେ ବଜାରରୁ ତାକୁ ଯେଉଁ ଉପୁରି ଦି ପଇସା ମିଳୁଥିଲା ତାହା ଆଉ ମିଳିବ ନାହିଁ । +ଦୁନିଚାନ୍ଦ ଯେତେ ପୋଷାସାପ ବୋଲି କହିଲେ ମଧ୍ୟ ମୋ ମନରୁ ଭୟ ମୋଟେ ଯାଉ ନଥିଲା । + ସାପ କ’ଣ କେବେ ପୋଷାମାନେ ? ସାପକୁ କ’ଣ କେହି ଘରେ ପୋଷିପାରେ ? +ସେଦିନ ଖାଇବା ବେଳକୁ ଅନେକ ରାତି ହୋଇଯାଇଥିଲା । +ସେଥିପାଇଁ କଥାବାର୍ତ୍ତା ଆଉ ବେଶି ଆଗେଇଲା ନାହିଁ । +ଦୁନିଚାନ୍ଦ ମଧ୍ୟ ମୋ ସହିତ ଆଉ କଥା ନହୋଇ ଅଇଁଠା ବାସନତକ ଉଠାଇ ନେଇ ଭିତରକୁ ଚାଲିଯାଇଥିଲା । +ତା’ପରଦିନ ଭୋରରୁ ଲୋକଟିଏ ଚିଠିଟିଏ ଧରି ଆସି ମୋ ନିକଟରେ ପହଞ୍ଚିଲା । +ଚିଠିଟିକୁ ଲେଖିଥିଲେ ନିଜେ ଏଜ୍‌ରା ମେମ୍‌ସାହେବ । +ଲେଖିଥିଲେ- କାଲି ଆପଣଙ୍କୁ ଭଲଭାବେ ଥ୍ୟାଙ୍କସ୍‌ ଦେଇପାରିନାହିଁ । +ମୁଁ ସେତେବେଳେ ଖୁବ୍‌ ଏଜିଟେଟେଡ଼ ଥିଲି । +ସିସିକୁ ଯେ ଆପଣ ବଞ୍ଚାଇ ଦେଇଛନ୍ତି, ସେଥିପାଇଁ ମୁଁ ଆପଣଙ୍କୁ ଧନ୍ୟବାଦ ଦେଉଛି ପୁଣିଥରେ । +ହି ଇଜ୍‌ ମାଇଁ ସୋ ନାଇସ ଡାର୍ଲିଂ । + ଆଜି ଯଦି ଆପଣ ଲଞ୍ଚ ଖାଇବାକୁ ମୋ ଘରକୁ ଆସନ୍ତି ତେବେ ମୁଁ ଖୁବ୍‌ ଖୁସି ହେବି;- ୟୁୟୋର୍‌ସ ଟ୍ରୁଲି- ମିସେସ୍‌ ଏଜ୍‌ରା ! +ଚିଠିର ଉତ୍ତରରେ ମୁଁ ପତ୍ର ବାହକକୁ ଜଣାଇ ଦେଇଥିଲି ମୁଁ ତାଙ୍କ ସହିତ ଆଜି ଲଞ୍ଚ ଖାଇବି । +ସେଥିପାଇଁ ଦୁନିଚାନ୍ଦକୁ ଦ୍ବିପହର ପାଇଁ ଭୋଜନ ବ୍ୟବସ୍ଥା କରିବାକୁ ମନା ମଧ୍ୟ କରି ଦେଇଥିଲେ । +ଅଫିସ୍‌ କାମସାରି ମୁଁ ସିଧାଯାଇ ପହଞ୍ଚିଲି ଏଜ୍‌ରା ମେମ୍‌ସାହେବଙ୍କ ଘରେ ! ଘରଟା ଖୋଜିବା ପାଇଁ ମତେ ବିଶେଷ କଷ୍ଟ ହୋଇ ନଥିଲା । +ତାଙ୍କ ଘରଟି ଡାକବଙ୍ଗଳାକୁ ଲାଗି ରହିଥିଲା । +ଏଜ୍‌ରା ମେମ୍‌ସାହେବଙ୍କ ଘରଟି ମଧ୍ୟ ଡାକବଙ୍ଗଳା-ପରି ବିରାଟ ଥିଲା । +ବିରାଟ କମ୍ପାଉଣ୍ଡ । +ମିସେସ୍‌ ଏଜ୍‌ରା ସତୁରୀ ବର୍ଷର ବୃଦ୍ଧା ହେଲେ କ’ଣ ହେଲା ତାଙ୍କୁ ପରିବେଷ୍ଟନ କରି ବହୁ ଚାକର ଖାନସମା ରହୁଥିଲେ । + ମିସେସ୍‌ ଏଜ୍‌ରା ତାଙ୍କର ପ୍ରକାଣ୍ଡକାୟ ଦେହକୁ ବୋହି ବୋହି ମୋ ପାଖକୁ ଆସି କହିଲେ- ଗୁଡ଼୍‌ ମର୍ଣ୍ଣିଂ ତା’ପରେ ପୁଣି କହିଲେ- କ’ଣ ତ ଆପଣଙ୍କର ନା ? +ଆଳାପ ପରିଚୟ ହେବା ପରେ ଗୋଟାଏ ସୋଫାରେ ମତେ ବସାଇ ଆଉ ଗୋଟାଏ ପାଖରେ ସେ ବସିଲେ । +ଖାଇବା ପିଇବା ଆୟୋଜନ ଖୁବ୍‌ ବଡ଼ ଭାବେ କରାଯାଇଥିଲା । +ଖାଉ ଖାଉ ସେ ଅନେକ କଥା କହୁଥିଲେ । +ସେ ସବୁ କଥା ଥିଲା ତାଙ୍କ ନିଜ ଜୀବନର କଥା ! ତାଙ୍କର ସ୍ବାମୀଙ୍କର କଥା ! ଏକଦା ମିଷ୍ଟର ଏଜ୍‌ରା ଥିଲେ ଜଣେ ଦକ୍ଷ ଶିକାରୀ ! ସେ ସାରା ଭାରତ ବୁଲି ବୁଲି ବାଘ-ଭାଲୁ କୁମ୍ଭୀର, ହରିଣ ଶିକାର କରୁଥିଲେ ଏବଂ ତାର ପ୍ରମାଣ ମଧ୍ୟ ଦିଆଲରେ ଚମଡ଼ା ହୋଇ ଟଙ୍ଗା ଯାଇଥିଲା । +-ନିଅନ୍ତୁ ଏଇ ରୋଷ୍ଟ୍‌ ଟା ଭଲଲାଗିବ…. ଖାଇନିଅନ୍ତୁ…. ମିଷ୍ଟର +-ମିଷ୍ଟର ମିତ୍ର- ମୁଁ ଉତ୍ତର ଦେଇଥିଲି । +ବୋଧେ ବୟସାଧିକ୍ୟ ପାଇଁ ବୃଦ୍ଧା ମଝିରେ ମଝିରେ ମୋ ନାଁ ଟିକୁ ଭୁଲି ଯାଉଥିଲେ । + ଏପରିକି ଗପଗୁଡ଼ିକ କହୁକହୁ ବହୁ ନାମ ସ୍ଥାନ ଓ ବର୍ଷ ମଧ୍ୟ ଭୁଲି ଯାଉଥିଲେ ! +-ଆପଣ କାଲି ମୋର ଯେଉଁ ଉପକାର କରିଛନ୍ତି….. ତା’ ପାଇଁ ମୁଁ ସତରେ ଆପଣଙ୍କ ନିକଟରେ ଋଣୀ । +ଆପଣ ଜାଣନ୍ତି ନାହିଁ, ଏଇ ସିସି ଆଗରୁ ବଡ଼ ଦୁଷ୍ଟ ଥିଲା । +ଆଗରୁ ସେ ଖାଲି ମିଲ୍କ(ଦୁଧ) ଖାଇ ରହୁଥିଲା, ସ୍ୟାଟିସ୍‌ଫାୟେଡ଼ ବି ହେଉଥିଲା । +କିନ୍ତୁ ଏବେ ଦେଖୁଛି ସେ ଆଉ ଦୁଧ ଖାଇବାକୁ ଚାହୁଁନାହିଁ । +ଏଠି ଏହି ରେଷ୍ଟହାଉସ୍‌ ହତାରେ ଅନେକ ଫ୍ରଗ୍‌ ଅଛନ୍ତି…. ସେମାନେ ବେଳେ ବେଳେ ଡାକ ପକାନ୍ତି ଏବଂ ଇଏ ଯାଏ ସେମାନଙ୍କୁ ! ମୁଁ କିନ୍ତୁ ୟେକୁ କେବଳ ମିଲ୍କ ଖୁଆଇ ରଖିବାକୁ ଚାହେଁ । +ଡ୍ରଇଂରୁମ୍‌ ସାମନା ଦିଆଲରେ ମିଷ୍ଟର ଏଜ୍‌ରାଙ୍କର ଏକ ବିରାଟ ଅୟେଲ ପେଣ୍ଟିଂ ଟଙ୍ଗା ହୋଇଥିଲା । +ଦାଢ଼ି ନିଶ ଭର୍ତ୍ତି ସୁନ୍ଦର ମୁହଁ । +ପୁରୁଷ ପୁରୁଷ ଚେହେରା । +ଏକଦା ଇହୁଦୀମାନଙ୍କ ସମାଜରେ ତାଙ୍କର ପ୍ରତିପତ୍ତି ଓ ସମ୍ମାନ ଥିଲା । +ସେ ବ୍ୟବସାୟ କରି ପ୍ରଚୁର ଟଙ୍କା ଉପାର୍ଜନ କରୁଥିଲେ । +ସେ ବ୍ୟବସାୟ ଥିଲା ପୁଣି ମଦ ବ୍ୟବସାୟ । +ଅନାୟାସରେ ଲାଇସେନସ୍‌ ପାଇ ସେ ଅନେକଗୁଡ଼ିଏ ମଦ ଦୋକାନ ଖୋଲିଥିଲେ ! ମଦ ଦୋକାନ ଚଳାଇବା ପାଇଁ ସାଧାରଣତଃ ବେଶୀ ଲୋକ ଦରକାର ହୁଅନ୍ତି ନାହିଁ । +ଫଳରେ ତାଙ୍କୁ ପ୍ରଚୁର ସମୟ ମିଳୁଥିଲା ଏବଂ ଏହି ଅବସର ସମୟ କାଟିବା ପାଇଁ ସେ ବେଳେବେଳେ ଜଙ୍ଗଲକୁ ଯାଉଥିଲେ, ମୁଁ ମଧ୍ୟ ତାଙ୍କ ସହିତ ଶିକାର କରିବାକୁ ଯାଉଥିଲି । +କ୍ୟାମ୍ପ କରି ଆମେ ରାତିରେ ବି ଜଙ୍ଗଲ ଭିତରେ ରହୁଥିଲୁ । +ଦେଖନ୍ତୁ ନା କି ଚମତ୍କାର ଚେହେରା ଥିଲା ମିଷ୍ଟର ଏଜ୍‌ରାଙ୍କର । +ଏଡ଼େ ସୁନ୍ଦର ଚେହେରା ଆପଣ କେଉଁଠି ବି ପାଇବେ ନାହିଁ ଆମ ଇହୁଦୀ କମ୍ୟୁନିଟିରେ । + ମୁଁ କ’ଣ ଠିକ୍‌ କଥା କହୁନାହିଁ ? +ମୁଁ ଉତ୍ତର ଦେଲି- ହଁ ଆପଣ ଠିକ୍‌ କଥା କହୁଛନ୍ତି ! +ମତେ ସେ ଖୁବ୍‌ ଭଲ ପାଉଥିଲେ ! ଉଇ ୱେର ଏ ହାପି କପଲ ! ଜାଣନ୍ତି ଏଠିକାର ସମସ୍ତେ ଆମକୁ ଇର୍ଷା କରୁଥିଲେ… ହିଂସା କରୁଥିଲେ ! +ଏଇ ଦେଖନ୍ତୁ ଏଇ ଛବିଟି ତାଙ୍କର ୟଙ୍ଗ ଏଜ୍‌ର ! ଦେଖୁଛନ୍ତି କେମିତି ଚମତ୍କାର ଚେହେରା । + ଏମିତି ହଜ୍‌ବ୍ୟାଣ୍ଡ୍‌ ସବୁବେଳେ ସବୁ ନାରୀଙ୍କୁ ମିଳେନାହିଁ ମିଷ୍ଟର ମିତ୍ର ! +ଖାଇବା ପିଇବା ସରି ଆସୁଥିଲା, ଆଉ ଏ ସମସ୍ତ ସମୟ ବୁଢ଼ୀ କେବଳ ଅନବରତ ବକ୍‌ ବକ୍‌ କରି ଚାଲିଥିଲେ । +ତା’ପରେ ସେ ମତେ ନେଇଯାଇଥିଲେ ତାଙ୍କର ଐଶ୍ବର୍ଯ୍ୟ ଦେଖାଇବା ପାଇଁ । +ସଜା ଯାଇଥିବା ଧାଡ଼ି ଧାଡ଼ି କୋଠରୀ ଗୁଡ଼ିକରେ କେବଳ ମିଷ୍ଟର ଓ ମିସେସ୍‌ ଏଜ୍‌ରାଙ୍କର ଯଗ୍ମ ଫଟୋ ବହୁ ଭଙ୍ଗୀରେ ରଖାଯାଇଥିଲା । +ତାଙ୍କର ଦାମ୍ପତ୍ୟଜୀବନ ହୁଏତ ଥିଲା ଖୁବ୍‌ ରୋମାଣ୍ଟିକ୍‌ । +ଶେଷରେ ଆମେ ଆଉ ଗୋଟିଏ କୋଠରୀ ପହଞ୍ଚିଲୁ ସେଇଟା ଥିଲା ସିସି… ଡାର୍ଲିଂ କୋଠରୀ ! ସେଠି ସିସି ଗୋଟାଏ ଡବଲ ବେଡ଼ରେ ଶୁଏ ! ଘରସାରା ବୁଲୁଥାଏ । +ତା’ ପାଇଁ ବିଛଣା ଚାଦର ସୋଫା ବ୍ୟତୀତ ଗୋଟାଏ ବଡ଼ କାଚର କେସ୍‌ଟିଏ ମଧ୍ୟ ଥିଲା । +ସେତେବେଳେ ସିସି ବୋଧହୁଏ ଶୋଇଥିଲା । + ତା’ ଦେହର ଅର୍ଦ୍ଧେକ ଅଂଶ ଥିଲା କାଚକେସ୍‌ରେ, ଆଉ ଅର୍ଦ୍ଧେକ ଥିଲା ବିଛଣା ଉପରେ ! +-ଏ ଘର ଭିତରକୁ ଆସନ୍ତୁ…. ଡରନ୍ତୁ ନାହିଁ ! ସେ କାହାକୁ କାମୁଡ଼େ ନାହିଁ ! ବଡ଼ ଭଲ ମୋର ଏଇ ସିସି ଡାର୍ଲିଂ । +ମିସେସ୍‌ ଏଜ୍‌ରା ସାପଟି ନିକଟକୁ ଗଲେ, ସିସି ଆଡ଼କୁ ହାତ ବଢ଼ାଇ ଆଦର କଲେ ଏବଂ ତା’ ମୁହଁରେ ମୁହଁ ଲଗାଇ ପୁଣିଥରେ ଚୁମା ଦେଲେ ! +ସେତେବେଳେକୁ ଭୟରେ… ଘୃଣାରେ ମୋ ଦେହ ଶିହରି ଉଠୁଥିଲା । +ମୁଁ କହିଲି- ମୁଁ ଏଥର ତାହାହେଲେ ଆସେ ମିସେସ୍‌ ଏଜ୍‌ରା ! +ବୁଢ଼ୀ ବଡ଼ ଉତ୍ସୁକତାର ସହ କହିଲେ- କିନ୍ତୁ ଆପଣତ ଏ ପର୍ଯ୍ୟନ୍ତ ମୋର ଆଲ୍‌ବମ ଦେଖି ନାହାନ୍ତି । + ଆସନ୍ତୁ….. ଆସନ୍ତୁ ମୁଁ ଆପଣଙ୍କୁ ମୋର ଆଲ୍‌ବମ ଦେଖାଇବି ! +ସେଦିନ ବାଧ୍ୟହୋଇ ଶେଷ ପର୍ଯ୍ୟନ୍ତ ମୁଁ ତାଙ୍କର ଆଲ୍‌ବମ ଦେଖିଲି ! ଆଲ୍‌ବମ ଭିତରେ ମଧ୍ୟ ସିସିର ଫଟୋ ଥିଲା । +ତା’ର ନାନା ଭଙ୍ଗୀରେ ଫଟୋ ମଧ୍ୟ ଉଠାଯାଇଥିଲା । +ବୁଢ଼ୀ ଫଟୋ ଦେଖୁ ଦେଖୁ ସିସି ସମ୍ପର୍କରେ ଅନେକ ପ୍ରଶଂସାସୂଚକ ଶବ୍ଦ ପ୍ରୟୋଗ କରୁଥିଲେ । +ହେଲେ ମୋ କାନରେ ମୁଣ୍ଡରେ ଆଉ କିଛି କଥା ପଶୁ ନଥିଲା । + ହଠାତ୍‌ ବୁଢ଼ୀ ପଚାରିଲେ-କହନ୍ତୁ ତ ? ମୁଁ ଏହାର ନାମ ସିସି ରଖିଛି କାହିଁକି ? ତା’ପରେ ସେ ନିଜ ତରଫରୁ ହିଁ ଉତ୍ତର ଦେଲେ- ଆପଣ ସିସିଫସ୍‌ର ନାମ ଶୁଣିଛନ୍ତି ? ଗ୍ରୀକ୍‌ ମାଇଥୋଲୋଜିର ସିସିଫସ୍‌ ! ସିସିଫସ୍‌ ମର୍ତ୍ତ୍ୟକୁ ଆସିଥିଲେ ଦେବତାମାନଙ୍କ ଅଭିଶାପରେ ଶାନ୍ତି ଭୋଗ କରିବା ପାଇଁ ! ତାଙ୍କର ପାପର ଶାସ୍ତି….. ଅନ୍ୟାୟ ଶାସ୍ତି ! +ସେ ଶାସ୍ତିଥିଲା- ସେ ଗୋଟାଏ ପ୍ରକାଣ୍ଡ ପଥରକୁ ସେ ପାହାଡ଼ର ଶୀର୍ଷ ଦେଶରେ ରଖିବାକୁ ଚେଷ୍ଟା କରିବେ, ଏବଂ ସେ ପଥରଟା….. ବାରମ୍ବାର ତଳକୁ ଖସି ପଡ଼ୁଥିବ । +ଏହା ହିଁ ଶାସ୍ତି- ଏ କାହାଣୀଟିକୁ ମୁଁ ଛୋଟବେଳେ ପଢ଼ିଥିଲି । +-ତେବେ ମୋର କ’ଣ ମନେହୁଏ ଜାଣନ୍ତି ମିଷ୍ଟର ମିତ୍ର- ଏ ହେଉଛି ସେଇ ସିସିଫସ୍‌ ! +-ଆପଣ କାହିଁକି ଏମିତି ଭାବୁଛନ୍ତି ? +-ପୂର୍ବ ଜନ୍ମରେ ଇଏ କେବେବି ସାପହୋଇ ଜନ୍ମି ନଥିଲା । +ନିଶ୍ଚୟ କାହାର ଅଭିଶାପରେ ସାପ ହୋଇ ଏବେ ଜନ୍ମ ହୋଇଛି ! ଜାଣନ୍ତି ଇଏ ମୋ କଥା କେତେ ବୁଝେ । +ମୁଁ ଶୋଇବାକୁ କହିଲେ ସେ ଶୋଇପଡ଼େ, ଖାଇବାକୁ କହିଲେ ଖାଇ ପକାଏ । + ଗାଳି ଦେଲେ ମଧ୍ୟ ମୁଣ୍ଡ ତଳକୁ କରି ଶୁଣେ ! – ଆଉ ଦିନେ ଆପଣ ଆସିଲେ- ମୁଁ ଏହାର ସବୁ କଥା ଆପଣଙ୍କୁ କହିବି ! +-ତେବେ ଆପଣ କେଉଁଠାରୁ ପାଇଲେ ଏ ସିସିଫସ୍‌କୁ ? +-ସେ ଏକ ମଜାର ହିଷ୍ଟ୍ରି, ମିଷ୍ଟର ମିତ୍ର ! ଲର୍ଡ଼ ଜେହୋବାଇ ୟାକୁ ପଠାଇ ଦେଇଥିଲେ, କିନ୍ତୁ ସେସବୁ କଥା ମୁଁ ଆଉ ଦିନେ ଆପଣଙ୍କୁ କହିବି ! +ବୋଧହୁଏ ଆକଣ୍ଠ ଭୋଜନ ପରେ ସେଦିନ ସେ କ୍ଲାନ୍ତ ହୋଇ ପଡ଼ିଥିଲେ । + ମୁଁ ମଧ୍ୟ ସେଦିନ ସେଠାରେ ଆଉ ବେଶୀ ସମୟ ରହିବା ପାଇଁ ଚାହୁଁ ନଥିଲି ! ଆସିବା ବେଳେ ମିସେସ୍‌ ଏଜରା କହିଥିଲେ- ଆପଣ ଆଉଦିନେ ନିଶ୍ଚୟ ଆସିବେ ମିଷ୍ଟର ମିତ୍ର ! ମୁଁ ବହୁ କାହାଣୀ ଆପଣଙ୍କୁ କହିବି ! +ତା’ପରେ ମୁଁ ଡାକବଙ୍ଗଳାକୁ ଫେରି ଦୀର୍ଘ ସମୟ ପାଇଁ ବିଶ୍ରାମ ନେଇଥିଲି । +ସେତେବେଳେ ମୁଁ କିନ୍ତୁ ଜାଣି ନଥିଲି ଏହି ନାରୀ ଦିନେ ମୋ ଗପର ବଡ଼ ଚରିତ୍ରଟିଏ ହୋଇ ଲେଖାହେବ ବୋଲି । +ଉପରବେଳା ଦୁନିଚାନ୍ଦ ମତେ ମୋର କୋଠରୀରେ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ, କହିଲେ କେତେବେଳେ ଆସିଲେ ? ରାତିରେ ଏଠି ଖାଇବେ ତ ? ନା ପୁଣି ଡିନର ଖାଇବାକୁ ତାଙ୍କୁ ଘରକୁ ଯିବେ ! +-ନା ମୁଁ ଏଠି ଖାଇବି । +-ତାଙ୍କ ଘରେ ପୁଣି ଥରେ ସାପକୁ ଦେଖିଲେ ନା ! +-ହଁ ଦେଖିଲି ତ…. ତେବେ ସେ କଥା ପଚାରୁଛ କାହିଁକି ? +-ନା ସେ ସାପକୁ ସମସ୍ତଙ୍କୁ ମେମ୍‌ସାହେବ ଦେଖାନ୍ତି ତ ! ଆପଣ ଜାଣନ୍ତି ତ ଏଇ ସାପଟା ତାଙ୍କ ସ୍ବାମୀ ଏଜ୍‌ରା ସାହେବଙ୍କୁ ଗିଳି ଖାଇଦେଇଥିଲା । +କଥାଟାକୁ ଶୁଣି ମୁଁ ଯେମିତି ସ୍ତବ୍ଧ ହୋଇ ଯାଇଥିଲି ! +ଦୁନିଚାନ୍ଦ ପୁଣି କହିଲେ, ହଁ ସେ ଜଙ୍ଗଲକୁ ଶିକାର କରିବା ପାଇଁ ଯାଇଥିଲେ ଏବଂ ସେଠାରେ ହିଁ ଏହି ସାପଟି ତାଙ୍କୁ ଗିଳି ଖାଇଦେଇଥିଲା । +ତା’ପରେ ସମସ୍ତେ ମିସେସ୍‌ ଏଜ୍‌ରାଙ୍କୁ ଅନେକ ପ୍ରକାର ବୁଝାଇଥିଲେ ସାପଟିକୁ ମାରି ଫୋପାଡ଼ିଦେବା ପାଇଁ । +କିନ୍ତୁ ମେମ୍‌ ସାହେବ କାହା କଥା ଶୁଣି ନଥିଲେ । +କାହିଁକି କେଜାଣି ସାପଟିକୁ ଏବେ ନିଜେ ପୋଷିଛନ୍ତି । +ଖୁଆଇ ପିଆଇ ରଖିଛନ୍ତି । +ତା’ ପାଇଁ ମାସକୁ ମାସ ମୁଠା ମୁଠା ଟଙ୍କା ଖର୍ଚ୍ଚ କରୁଛନ୍ତି ! ଆଉ ସବୁଠାରୁ ଆଶ୍ଚର୍ଯ୍ୟ କଥା କ’ଣ ଜାଣନ୍ତି ସାର୍‌, ସେହି ସାପଟି ସହିତ ବୁଢ଼ୀ ଏକତ୍ର ଗୋଟାଏ ବିଛଣାରେ ଶୁଅନ୍ତି ମଧ୍ୟ । +ମୁଁ ହତ୍‌ବାକ୍‌ ହୋଇ ଦୁନିଚାନ୍ଦର ମୁହଁକୁ ଚାହିଁ ରହିଥିଲି ! ଭାବିଥିଲି ପୁଣି ଥରେ ଯାଇ ମେମ୍‌ ସାହେବଙ୍କୁ ଦେଖା କରିବି, କିନ୍ତୁ ଆଉ ଯିବା ସମ୍ଭବ ହୋଇ ନଥିଲା । +ଏକଥା ଶୁଣିବାକୁ ମଧ୍ୟ ମତେ ଭଲ ଲାଗୁ ନଥିଲା । +ମିସେସ୍‌ ଏଜ୍‌ରା କାହିଁକି ଏମିତି ଅଦ୍ଭୁତ ଅସ୍ବାଭାବିକ ଆଚରଣ ଦେଖାଉଛନ୍ତି । +ତା’ପରେ ପୁଣିଥରେ ସେହି ଘଟଣା ପରେ ମୁଁ ଜବଲପୁର ଯାଇଥିଲି ଏବଂ ଶୁଣିଲି କିଛିଦିନ ଆଗରୁ ଏଜରା ହାର୍ଟ୍‌ ଫେଲ୍‌ କରି ମରିଯାଇଛନ୍ତି ! ତେବେ ସେ……. ? -- GitLab