diff --git a/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_9 b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_9 new file mode 100644 index 0000000000000000000000000000000000000000..7520e5a1c857f1c9f73276010061ba1faa29b11b --- /dev/null +++ b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_9 @@ -0,0 +1,52 @@ +ଆଡ଼ମ୍ବର +ମୃତ୍ୟୁଞ୍ଜୟ ରଥ +ତା: ମେ ୫, ୨୦୧୮ +ମୂଳ ପୃଷ୍ଠା → ସ୍ମରଣୀୟ ଲେଖା → ଗଳ୍ପ → +ଆଡ଼ମ୍ବରପ୍ରିୟତା ଏ ଯୁଗର ଗୋଟିଏ ଲକ୍ଷଣ । +କି ରାଜନୀତି, କି ଧର୍ମନୀତି, କି ସମାଜନୀତି, ସର୍ବତ୍ର କିଛି ହେଲେ ଆଡ଼ମ୍ବର ରହିଅଛି । +ସମସ୍ତଙ୍କ ଦୃଷ୍ଟିଟା ଯେପରିକି ବାହାରେ ପଡ଼ୁଅଛି । +ବାହାରର ଉନ୍ନତିରେ ସମସ୍ତେ ପ୍ରବୃତ୍ତ । +ନୀଚ ଉଚ୍ଚପଦସ୍ଥଠାରୁ ପ୍ରଥମେ ବାହ୍ୟ ବିଷୟ କେବଳ ଅନୁକରଣ କରୁଅଛି । +ବହିର୍ବସ୍ତୁ ଅନୁକରଣରେ କାହାର ବି ଦିବ୍ୟଦୃଷ୍ଟି ନାହିଁ । +କିନ୍ତୁ ଏହିପରି ବାହାର ଦୃଷ୍ଟିରେ ଭିତରର କି ଦୁରବସ୍ଥା ହେଉଅଛି, ତାହା ଲୋକେ ଚକ୍ଷୁ ଥାଇ ସୁଦ୍ଧା ପ୍ରତ୍ୟକ୍ଷ କରିପାରୁ ନାହାନ୍ତି । +ମନ ଏହି ଆଡ଼ମ୍ବର ସ୍ରୋତରେ ସଦା ଭାସମାନ ହୋଇ ବେଳେ ବେଳେ ମୂଳ ବା ଆଶ୍ରୟସ୍ଥଳରେ ବିଚ୍ୟୁତ ହୋଇ ଯାଉଅଛି । +ଯେ କୌଣସି ବିଷୟରେ ବିଚାର କଲେ, ଦେଖାଯିବ, ମୂଳ ଦୃଢ଼ ନ ଥିଲେ ସମଗ୍ର ବସ୍ତୁଟି କଦାପି ସ୍ଥିର ହୋଇ ରହିପାରିବ ନାହିଁ । + ସମସ୍ତେ ଯଦି ଏହି ସ୍ରୋତରେ ଭାସି ମୂଳକୁ ଅବହେଳି ଯାନ୍ତି, ତାହାହେଲେ ପରିଣାମ ଅଧଃପତନ ବିନା ଆଉ କଅଣ ହୋଇପାରେ ? +ଲୋକେ ଏହି ଛଳନାର ବଶବର୍ତ୍ତୀ ହୋଇ ପ୍ରକୃତ କଥା ପ୍ରାୟ ଗୋପନ କରିଥାନ୍ତି । +ଫଳତଃ ଏହି ଛଳନାରୁ ମିଥ୍ୟାପ୍ରଚାର ଏବଂ ପ୍ରତାରଣା ସମାଜରେ ବୃଦ୍ଧି ଲାଭ କରେ । +ଯେ ଯାହା ଥାଏ, ସେ ତଦପେକ୍ଷା ଆପଣାକୁ ବଡ଼ ବୋଲି ଦେଖାଇ ହେଲେ, ଲାଭ ଅପେକ୍ଷା କ୍ଷତି ଅଧିକ । +ବାହାବା ନେବା କିମ୍ବା କେବଳ ପଦପ୍ରାପ୍ତିରେ ଦୃଷ୍ଟି ରହିଲେ ଆଉ ତଦୁପଯୁକ୍ତ ଯୋଗ୍ୟତା ଉପାର୍ଜନରେ ଲୋକଙ୍କର ମନ ବଳେ ନାହିଁ । +କେବଳ ଉପରେ ଉପରେ ଭାସିଲେ ରତ୍ନଲାଭ ଅସମ୍ଭବ । +ଆଉ ଯାହା ଅଭ୍ୟନ୍ତର ପ୍ରଦେଶରୁ ଆସି ନାହିଁ, ତାହା ସ୍ଥାୟୀ ବା ଦୃଢ଼ ନୁହେଁ ଏବଂ ତଦ୍ଦ୍ୱାରା କୌଣସି କାର୍ଯ୍ୟ ସୁସାଧିତ ହୋଇ ନ ପାରେ । +ଲୋକମାନଙ୍କର ଦୃଷ୍ଟି ଆଗେ ପଦାର୍ଥର ବାହାରେ ପଡ଼େ ; ପଛେ ତାହାର ଭିତରେ- ଗୋଟିଏ ଜାତି ଅପର ସଭ୍ୟତର ଜାତିଠାରୁ କେବଳ ବହିର୍ବିଷୟ ଆଗେ ଅନୁକରମ କରେ । +କିନ୍ତୁ ଅଭ୍ୟନ୍ତର ସମାନ ବା ଏକ ନ ହେଲେ ବାହାରକୁ ସଦୃଶ କରିବା ସୁସଙ୍ଗତ ନୁହେ । +ଆଡ଼ମ୍ବରପ୍ରିୟତା ଦ୍ୱାରା ଏହି ଅନୁକୃତି ପରତନ୍ତ୍ରତା ଗତି କ୍ରମେ ସମାଜରେ ପ୍ରବେଶ କରିଅଛି । +କ୍ରିୟାନୁରୂପ ଆଡ଼ମ୍ବର ଆବଶ୍ୟକ । +କିନ୍ତୁ ଲଘୁକ୍ରିୟହୋଇ ଆପଣାକୁ ସୀମାତିରିକ୍ତ ପ୍ରଖ୍ୟାପନ କରିବା କଦାପି ଭଲ ନୁହେ । +ଚାକଚକ୍ୟପ୍ରିୟତା ହେତୁରୁ ଆମ୍ଭେମାନେ ଅନେକ ମସୟରେ ଦ୍ରବ୍ୟର ପ୍ରକୃତ ମହତ୍ୱ ବୁଝିପାରୁ ନାହିଁ । +ଏହାର ଦୃଷ୍ଟାନ୍ତ ବହୁଳଭାବରେ ଆମ୍ଭମାନଙ୍କର ନିତ୍ୟ ପ୍ରତ୍ୟକ୍ଷୀଭୂତ ହେଉଅଛି । +ଅନେକ ସ୍ଥାୟୀ ଦେଶୀୟ ଦ୍ରବ୍ୟ ପରିବର୍ତ୍ତରେ ସଦୃଶ୍ୟ ବୈଦେଶିକ ଦ୍ରବ୍ୟ ବ୍ୟବହାରରର ବାହୁଲ୍ୟ କ’ଣ ତନ୍ମମଧ୍ୟରେ ଗୋଟିଏ ପ୍ରଧାନ ନୁହେଁ ? +ଦେଶୀୟ ଦ୍ରବ୍ୟ ଉପଯୋଗୀ ନ ହେଲେ ତାହାକୁ ଉନ୍ନତ ଏବଂ ଯୁଗଜନୋଚିତ କରିବା ଉଚିତ । +କିନ୍ତୁ ଆମ୍ଭମାନଙ୍କର ବିକୃତ ରୁଚି ତେଣିକି ଅଗ୍ରସର ନ ହୋଇ ମନୋହର ବୈଦେଶିକ ଦ୍ରବ୍ୟ ପ୍ରତି ଧାବିତ । +ଫଳତଃ ଏହି ଆପାତ-ମଧୁର ଚାକଚକ୍ୟପ୍ରିୟତାର ପରିଣାମ କିପରି ଭୟଙ୍କର ଏବଂ ଅଶୁଭପ୍ରଦ, ତାହା ଚିନ୍ତାଶୀଳ ବ୍ୟକ୍ତିମାତ୍ରକେ ପ୍ରତ୍ୟକ୍ଷ କରି ପାରିବେ । +ଛଳନା ଯୋଗୁଁ ଧର୍ମର ମଧ୍ୟ ଉନ୍ନତି ହୋଇପାରୁ ନାହିଁ । +ଶିଖା ତିଳକାଦି ଧାରଣ ଯଥାର୍ଥ ଧର୍ମ ନୁହେଁ । +ଅନ୍ତର ଶୁଦ୍ଧ ଥିଲେ କୌଣସି ପ୍ରକାର ବାହ୍ୟ ଆଡ଼ମ୍ବର ବା ଛଳନା ସ୍ପର୍ଶ କରିପାରେ ନାହିଁ । +ବାହ୍ୟ ଆଡ଼ମ୍ବରରେ ଅଧିକାଂଶ ସମୟ ନଷ୍ଟକରି ବର୍ତ୍ତମାନ ଆମ୍ଭମାନଙ୍କର ଉପରଟି ଚିକ୍‌କଣ, କିନ୍ତୁ କଳୁଷିତ ଏବଂ କୀଟଦଂଷ୍ଟ ଭିତରଟି । +ଐନ୍ଦ୍ରଜାଲିକ ପରି ପ୍ରକୃତିକୁ ଅନ୍ୟ ପ୍ରକାର ପ୍ରଦର୍ଶନ କରିବା କଦାପି ଭଲ ନୁହେଁ । +ପ୍ରାଣ ସର୍ବଦା ନୂତନ ଲଭିବା ପାଇଁ ବ୍ୟାକୁଳ, ହୀନଗୌରବ ପୁରାତନରେ ଆଉ ତାହାର ତୃପ୍ତି ହୁଏ ନାହିଁ, କିନ୍ତୁ ଏହି ମାନସନିହିତ ବାସନାକୁ ଅବଶ୍ୟ ଆଡ଼ମ୍ୱର ବୋଲାଯିବ ନାହିଁ । +ଉଲ୍ଲିଖିତ ପ୍ରସଙ୍ଗ ବ୍ୟତୀତ ଆଧୁନିକ ରୀତିନୀତି ମଧ୍ୟ କିଞ୍ଚିତ୍‌ ଛଳନାଯୁକ୍ତ । +ସାହିତ୍ୟ ସମ୍ବନ୍ଧରେ ମଧ୍ୟ ଆଲୋଚନା କଲେ ଦେଖାଯିବ, ତାହା ଘୋର ଛଳନାବୃତ । +ଆଜିକାଲି ସାହିତ୍ୟ-କ୍ଷେତ୍ରରେ ବିଶେଷତଃ ଉପନ୍ୟାସ ପ୍ରହସନାଦିର ସଂଖ୍ୟା ଯେପରି ବୃଦ୍ଧି ଲାଭ କରୁଅଛି, ସେଥିରୁ ସ୍ପଷ୍ଟ ପ୍ରତୀତି ହେଉଅଛି ଯେ, ଲୋକେ ସୁଲଭ କଳ୍ପନାରାଜ୍ୟରେ ବିଚରଣ କରିବାକୁ ଉଦ୍ୟତ । +ପ୍ରାଚୀନ ଆର୍ଯ୍ୟମାନେ ଗଣିତ, ଜ୍ୟୋତିଷ, ଦର୍ଶନ, ନ୍ୟାୟ, ସ୍ମୃତି ପ୍ରଭୃତି ଚିନ୍ତା ଓ ଗବେଷଣାସାଧ୍ୟ ଜଟିଳ ଶାସ୍ତ୍ର ପ୍ରଣୟନରେ ଅଧିକ ନିବିଷ୍ଟ ଥାଇ ତହିଁର ପୁଷ୍ଟିସାଧନ କରୁଥିଲେ, କିନ୍ତୁ ବର୍ତ୍ତମାନ ତାଦୃଶ କଠିନ ଶ୍ରମସାଧ୍ୟ ତତ୍ତ୍ୱଚିନ୍ତା ପ୍ରାୟ ନାହିଁ । +ରଚକବୃନ୍ଦ ସ୍ୱୀୟ ରଚନାକୁ ଭାଷାରେ ଚାକଚକ୍ୟଶାଳୀ କରିବା ବିଷୟରେ ସମଧିକ ଯତ୍ନବାନ୍‌ । +ଲେଖାରେ ସାରବତ୍ତା ଥାଉ ବା ନ ଥାଉ, ବାକ୍ୟଗୁଡ଼ିକ ଆପାତତଃ ଶ୍ରୁତିମଧୁର ଏବଂ ସାଧାରଣ ଚିତ୍ତରଞ୍ଜକ ହେଲେ ଉଦ୍ଦେଶ୍ୟ ସିଦ୍ଧ ହେଲା । +ଏପରି ଆହାର୍ଯ୍ୟକାରିତା ଦ୍ୱାରା କଣ ସାହିତ୍ୟର ନିଃସର୍ଗ ଲାବଣ୍ୟ ନଷ୍ଟ ହେଉନାହିଁ ? ଯେଉଁ ସାହିତ୍ୟରେ ସତ୍ୟକଥା ବା ବିଶ୍ୱଜନୀନ ବିଷୟ ଯେତେ ଅଧିକ ଥାଏ, ତାହା ତେତେ ଅଧିକ କାଳ ସ୍ଥାୟୀ । +ବାକ୍‌ଛଟାପୂର୍ଣ୍ଣ ସାହିତ୍ୟ କଦାପି ଚିରସ୍ଥାୟୀ ହେବ ନାହିଁ । +ପ୍ରସ୍ତର ଏବଂ ତଦୁପରି କୃତ ରଞ୍ଜନକାର୍ଯ୍ୟ ମଧ୍ୟରେ ଯେପରି ସମ୍ବନ୍ଧ, ସ୍ଥାୟୀ ସାହିତ୍ୟ ଏବଂ ବାକ୍‌ଛଟା ମଧ୍ୟରେ ସେହିପରି । +ପ୍ରସ୍ତରର ରଙ୍ଗ ତାହାର ସୌନ୍ଦର୍ଯ୍ୟ ବୃଦ୍ଧିରେ ସାହାଯ୍ୟ କରେ ସତ୍ୟ ; ମାତ୍ର ସ୍ଥାୟିତ୍ୱ ସମ୍ବନ୍ଧରେ ତାହାର କିଛିମାତ୍ର ଶକ୍ତି ନାହିଁ । +ଯାହା ମୂଳରୁ ସୁନ୍ଦର ନୁହଁ, ତାହାକୁ କ୍ରିୟାଦ୍ୱାରା ସୁନ୍ଦର କରିବାକୁ ଗଲେ ସୁଦ୍ଧା ନୈସର୍ଗିକ ସୌନ୍ଦର୍ଯ୍ୟଶାଳୀ ହୋଇ ନ ପାରେ, କିନ୍ତୁ ସମସ୍ତେ ଏହି ନିଃସର୍ଗ ସୌନ୍ଦର୍ଯ୍ୟର ପକ୍ଷପାତୀ । +ଅତଏବ ସମସ୍ତଙ୍କର ବାହ୍ୟ ଚାକଚକ୍ୟ ଆଡ଼କୁ ଦୃଷ୍ଟି ନ ଦେଇ ଅନ୍ତଃସାର ପ୍ରତି ଦୃଷ୍ଟିଦେବା ଉଚିତ । +ଛଳନାକୁ ମନୋମଧ୍ୟରୁ ଶୀଘ୍ର ଦୂରକରିବା ବୁଦ୍ଧିମାନ୍‌ର ସର୍ବଥା କର୍ତ୍ତବ୍ୟ । +‘ଆଡ଼ମ୍ବର’ ଲେଖକଙ୍କର ଏକ ବହୁ ଚର୍ଚ୍ଚିତ ପ୍ରବନ୍ଧ । +ଲେଖକ ଏଥିରେ ସରଳ ଓ ପାଣ୍ଡିତ୍ୟପୂର୍ଣ୍ଣ ଭାଷାରେ ବାହ୍ୟ ଆଡ଼ମ୍ବରର ଅସାରତା ଦର୍ଶାଇ ସମାଜକୁ ନୂତନ ଦିଗ ଦର୍ଶନ ଦେବାପାଇଁ ପ୍ରୟାସ କରିଛନ୍ତି ।