diff --git a/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_58 b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_58 new file mode 100644 index 0000000000000000000000000000000000000000..cc3a18df7f118a5ee82b2900cfd219d7f6f51d77 --- /dev/null +++ b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_58 @@ -0,0 +1,166 @@ +କଳିଙ୍ଗ ଶିଳ୍ପୀ + |- ରାଜକିଶୋର ରାୟ +ତା: ମେ ୨୫, ୨୦୧୨ +ମୂଳ ପୃଷ୍ଠା → ସ୍ମରଣୀୟ ଲେଖା → ଗଳ୍ପ → +ତେବେ ତମେ କହୁଛ ନେତ୍ର ଯୁଗଳରେ ନୀଳପଦ୍ମର ଠାଣି ଦେବ ? +‘ଆଜ୍ଞା, ମଣିମା ।’ +‘କର୍ଣ୍ଣଭୂଷା ପାଇଁ କିଛି ଅଳଙ୍କାର ଦେଇପାର ?’ +‘ତା ବି ଦେବି ।’ +‘ଆଚ୍ଛା, ଅଙ୍ଗୁଷ୍ଠିର ନଖ ପ୍ରାନ୍ତରେ ଗୋରୋଚନାର ବିନ୍ଦୁ କମନୀୟ ହେବ କି ?’ +‘ଗୋରୋଚନାର ବିନ୍ଦୁ ଭାଲପଟରେ ଆଙ୍କିଲେ ସୁନ୍ଦର ହେବ; କିନ୍ତୁ ସ୍ବର୍ଣ୍ଣ ପ୍ରତିମାର ଲଲାଟରେ ଗୋରୋଚନା ଚିତା ଅସ୍ପଷ୍ଟ ରହିଯିବ, ବରଂ ଲଲାଟରେ ସିନ୍ଦୂର ଗାରେ ଦେବି ।’ +‘ହୁଁ – ଭ୍ରୂଯୁଗଳର ଭଙ୍ଗୀ ଯେପରି ଭୀତବିହ୍ବଳ ନହୁଏ; ତା ପାଇଁ ଦୃଷ୍ଟି ଦେବ ।’ +‘ଦେବି, ମଣିମା ।’ +‘ଆଚ୍ଛା, ନାଭିବିନ୍ଦୁର କେତେ ତଳକୁ ଝିନବାସର ବେହରଣ ଦେବ ?’ +‘ନାଭିବିନ୍ଦୁ ଓ କଟୀବନ୍ଧ ମଧ୍ୟରେ ଯେତିକି ସ୍ଥାନ ମୁଁ ରେଖାଙ୍କିତ କରିବି, ତା’ର ଏକ ତୃତୀୟାଂଶ ପରିମିତ ସ୍ଥାନ ଊର୍ଦ୍ଧ୍ବକୁ ରଖି ମୁଁ ବେହରଣ ବସାଇବି । +ଆପଣ ସେ ବିଷୟରେ ନିଶ୍ଚିତ ଥାନ୍ତୁ ।’ +‘ଦେଖ ମହାରଣା, ମୋର ଚିନ୍ତାଧାରା ଆଉ ତୁମ ଚିନ୍ତାଧାରା ସମାନ ହେବ ତ ?’ +‘ମଣିମା, ଶିଳ୍ପୀକୁ ତା’ ବାଟରେ ଯିବାପାଇଁ ଛାଡ଼ି ଦିଅନ୍ତୁ, ଦେଖିବେ ଫଳ କ’ଣ ହେଉଛି ।’ +‘କୁହ, ଅନ୍ୟ କେଉଁ ବିବରଣର ପ୍ରୟୋଜନ ଅଛି ?’ +‘ମୂର୍ତ୍ତିଟି ନିର୍ଭୁଲ ହେବା ପାଇଁ ଏ ଅଧମ ଶିଳ୍ପୀ ମଣିମାଙ୍କର ଚରଣ ତଳେ ଶରଣ ଭିକ୍ଷା କରେ । +କୁହନ୍ତୁ, ବିନ୍ଧ୍ୟାକୁ ମୃତା ବା ଜୀବିତା ଭାବରେ ରୂପ ଦେବି ? ଅର୍ଥାତ୍‌ ପ୍ରତିମାକୁ ଦେଖିଲେ ହିଁ ମନେହେବ ମୂର୍ତ୍ତି ଜୀବନ୍ୟାସରେ ଅଛି-ଜଡ଼ ନୁହେଁ ।’ +‘ମହାରଣା, ତାହା ତୁମେ କରିପାର ?’ +‘ଦେବ, କଳିଙ୍ଗର କାରିଗର ପାଖେ ଏ ଯେ ବଡ଼ ତୁଚ୍ଛ ପରିପାଟି ! ପୁଣି ଏ ତ ଆମ ବାପଅଜାଙ୍କର ବ୍ୟବସାୟ ।’ +‘ଶ୍ରୀଧର ! ମୁଁ ତାହା ବିଶ୍ବାସ କରେ । + କହିପାର, ବିନ୍ଧ୍ୟାର ତନୁକାନ୍ତିକୁ କି ରଙ୍ଗରେ ତୁଳି ଦେବ ?’ +‘ସ୍ବର୍ଣ୍ଣଆଭା ହିଁ ତ ହରିଦ୍ରା ଗୌର ।’ +‘ନା ମହାରଣା, ସେ ଯେ ଶ୍ୟାମାଙ୍ଗୀ ଥିଲା ।’ +‘ଓହୋ ! ତାହେଲେ ସ୍ବର୍ଣ୍ଣପିଣ୍ଡ ପରିବର୍ତ୍ତେ କୃଷ୍ଣଶିଳା ହିଁ ଏ ସ୍ଥାନରେ ବେଶୀ ପ୍ରୟୋଜନ, ମହାରାଜ !’ +‘କୃଷ୍ଣଶିଳା ? ନା ଶ୍ରୀଧର, ସାମାନ୍ୟ ଶିଳାଖଣ୍ଡ ଉପରେ ବିନ୍ଧ୍ୟାର ବନ୍ଧୁରତ୍ବ ଆଣିବ ସିନା, ପ୍ରଭାମୟ ତ କରିପାରିବ ନାହିଁ ।’ +‘ମଣିମା, ଏଇକ୍ଷଣି ଯେ, କହିଲେ ସେ ଥିଲେ ଶ୍ୟାମାଙ୍ଗୀ ବୋଲି କିନ୍ତୁ ସ୍ବର୍ଣ୍ଣପିଣ୍ଡରେ ଘନବର୍ଣ୍ଣ ଫୁଟାଇବା ଅସାଧ୍ୟ ନହେଲେ ବି ସମୟସାପେକ୍ଷ ।’ +‘ଦେଖ, ସମୟ ବିଷୟ ଭାବ ନାହିଁ । +ଅନନ୍ତକାଳ ବହିଗଲେ ବି ଦୁଃଖର କାରଣ କିଛି ନାହିଁ ।’ +‘କିନ୍ତୁ, ମହାରାଜ….’ +‘କ’ଣ କୁହ ଶ୍ରୀଧର ।’ +‘ଆପଣଙ୍କୁ କଷ୍ଟ ହୋଇପାରେ, ଯଦି ଏତେ ସମୟ….’ +‘ଓଃ, ହବିଷାନ୍ନ କଥା କହୁଛ ? ସେ ତ ବିଧି-’ +‘ହଁ, ସେ ବିଧି । +ଅର୍ଥାତ୍‌ ଆପଣ ଉଦ୍ୟାନ ସମୀପ ତୁଳସୀ ବୃକ୍ଷ ଚଉତରା ଉପରେ ଏକ ବଂଶଦଣ୍ଡ ପ୍ରୋଥିତ କରାଇ ପ୍ରତି ରାତ୍ର ଅର୍ଦ୍ଧଯାମରେ ଗୋଟିଏ ତାମ୍ର ପେଟିକା ଭିତରେ ଦୀପାଳୀଟିଏ ତଥି ଉପରେ ଜଳାଇ ନମସ୍କାର ନ କରିବା ପର୍ଯ୍ୟନ୍ତ ଜଳ ସ୍ପର୍ଶ କରିପାରିବେ ନାହିଁ । +ଏହା ଶାସନ ଶିଳ୍ପଗ୍ରନ୍ଥରେ ଲିପିବଦ୍ଧ ରହିଅଛି । +ମୁଁ ସେଇ ଶାସନର ଶିଷ୍ୟ ଓ ସେବକ ମାତ୍ର ।’ +‘ତଥାସ୍ତୁ ।’ +ବିନ୍ଦୁ ସରୋବର ସ୍ବଚ୍ଛ ନୀର ଆସ୍ତରଣ ଉପରେ ଉଛୁଳି ପଡୁଛି ଅଷ୍ଟମୀର ସୂର୍ଯ୍ୟ । +ବିନ୍ଦୁ ବିନ୍ଦୁ ହୋଇ ସୌରକଣା ଜଳ ପ୍ରବାହରେ ତ୍ରିରଙ୍ଗ ସୃଷ୍ଟି କରୁଛି । + ଶ୍ରୀଧର ମହାରଣା ସ୍ନାନ ସାରି ତୁଳସୀ ବେଦୀ ପ୍ରଦକ୍ଷିଣ କରି ଓଁକାର ତୋଳି ନମସ୍କାର କଲେ- ‘ଜବାକୁସୁମ ସଂକାଶ କାଶ୍ୟପେୟଂ ମହାଦ୍ୟୁତିଂ -’ +ଅଦୂରରେ ଜଣେ ଗୈରିକବସନା ଯୋଗିନୀ ଆଚମନ କରୁକରୁ ସ୍ତୋତ୍ରର ମନ୍ତ୍ରୋଚ୍ଚାରଣ ଶୁଣିସାରି ଟିକିଏ ଅନ୍ତରାଳକୁ ଯାଇ ପଚାରିଲେ- ‘ଆପଣ କାହା ସ୍ତୋତ୍ର ଧ୍ୟାନ କରୁଛନ୍ତି ? +‘କାହିଁକି ମା, ଏ ଯେ ସୂର୍ଯ୍ୟ ସ୍ତୋତ୍ର !’ +‘ସୂର୍ଯ୍ୟ ସ୍ତୋତ୍ର? ଶୁଣିଛି, କଳିଙ୍ଗ ଶିଳ୍ପ ସାରା ଭାରତରେ ପ୍ରତିଷ୍ଠା ପାଇଛି । + କୋଣାର୍କ ପରା ସୂର୍ଯ୍ୟଦେବଙ୍କର ମନ୍ଦିର ?’ +‘ହଁ ମା, ପଚାରିପାରେ, କି ଅଭିପ୍ରାୟରେ ଆପଣ ତୀର୍ଥାଟନ କରୁଛନ୍ତି ? ଦେଖିଲେ ଜଣାଯାଏ, ଆପଣ ଜଣେ ବିଦୁଷୀ ।’ +‘ତୀର୍ଥାଟନର ଅଭିପ୍ରାୟ ? କଳିଙ୍ଗର ପ୍ରତି ଶିଳାଖଣ୍ଡ କି ମୁକ୍ତି ବାଣୀ ଜଗତକୁ ଶୁଣାଏ, ସେଇ କଥା ଶୁଣିବା ପାଇଁ ମୁଁ କଳିଙ୍ଗର ଦ୍ବାରରେ ଭିକ୍ଷାର୍ଥିନୀ ।’ +ଶ୍ରୀଧର ମହାରଣାଙ୍କ ରକ୍ତୋଜ୍ଜ୍ବଳ ମୁଖ ଆହୁରି ଦୀପ୍ତିମୟ ଦେଖାଗଲା । +ସେ ପୁଣି କୌତୂହଳୀ ହୋଇ ଯୋଗିନୀ ପ୍ରତି ଉନ୍ନୁଖ ହୋଇ ରହିଲେ । +‘ମା, ଏଠାରେ ବିଶ୍ରାମ କରିବାର ସମସ୍ତ ସୁବିଧା ପାଇଛନ୍ତି, ନା ମୁଁ କିଛି ସାହାଯ୍ୟ କରିପାରେ ?’ +‘ଭଦ୍ର, କହିଛି ପରା, କଳିଙ୍ଗର ପ୍ରତି ବୃକ୍ଷ, ପ୍ରତି ଲତା ଅନ୍ତରାଳରେ ବିମୋହନ ବିଶ୍ରାମ ସ୍ଥାନ ଅଛି, ମୁଁ ପ୍ରକୃତିର ପୂଜାରିଣୀ, ତେଣୁ ଖଣ୍ଡଗିରିର ନିର୍ଜନ ଗୁମ୍ଫାରେ ମୁଁ କିଛିଦିନ ପାଇଁ ଅବସ୍ଥାନ କରୁଛି ।’ +ଗୋଟି ଗୋଟି ହୋଇ ସ୍ନାନ ଶେଷ କରି ଲୋକେ ବାହାରି ଆସୁଥାନ୍ତି । +ଯୋଗିନୀ ମଧ୍ୟ କମଣ୍ଡଳୁଟି ଧରି ବାଟ ଛାଡ଼ି ଛିଡ଼ାହେଲେ । +‘ମା, ଗୁହା ନିକଟରେ ପହଞ୍ଚାଇ ଦେଇପାରେ, ଯଦି ଅନୁମତି ଦିଅନ୍ତି ।’ +ଶ୍ରୀଧରଙ୍କ ସ୍ବର ମିନତିପୂର୍ଣ୍ଣ । +‘ଆସ ତେବେ’ କହି ଯୋଗିନୀ ଜନତା ମଧ୍ୟରେ ଲୀନ ହୋଇଗଲେ । +କେଦାରଗୌରୀ ଦେବାଳୟ ନିକଟରେ ଶ୍ରୀଧର ମହାରଣାଙ୍କର କୁଟୀର । +ବେଳ ପ୍ରାୟ ଆଖର ହୋଇଛି । +ଗୋଧୂଳିର କ୍ଷୀଣ ଆଲୋକରେ ଶ୍ରୀଧର ଗୋଟିଏ ଶାର୍ଦ୍ଦୂଳର କେଶର ଗୁଚ୍ଛ ରୂପ ଦେଉଛନ୍ତି ନିହାଣ ମୁଗୁର ଧରି- ଅସ୍ପଷ୍ଟ ଆଲୋଚନାରେ କାହାର ଛବି ଦେଖି ସେ ଚମକି ପଡ଼ିଲେ, ଆଉ ସଙ୍ଗେ ସଙ୍ଗେ ଶୁଣିପାରିଲେ କିଏ ଯେପରି କହୁଛି- ‘ତେବେ ମୋର ଅନୁମାନ ସତ୍ୟ ।’ +‘କିଏ’ କହି ଶ୍ରୀଧର ଛବି ପ୍ରତି ଚାହିଁ ରହିଲେ । +ସେହି ଯୋଗିନୀ । +ସେ ଧୀରେ ଧୀରେ ମୂର୍ତ୍ତି ସମ୍ମୁଖରେ ବସି ପଡ଼ିଲେ ଓ ହଠାତ୍‌ କଥା ଆରମ୍ଭ କରି ପଚାରିଲେ- ‘ତେବେ ମୋର ଅନୁମାନ ସତ୍ୟ, ଆପଣ ଜଣେ ଶିଳ୍ପୀ, ଏଇ ଶାର୍ଦ୍ଦୂଳ ମୂର୍ତ୍ତି ତା’ର ସାକ୍ଷୀ ।’ +ଶ୍ରୀଧର ଟିକିଏ ସଲଜ୍ଜଭାବ ଦେଖାଇ କହିଲେ- ‘ମୋ, ଶିଳ୍ପ ସୂକ୍ଷ୍ମକଳା, ପ୍ରତିଦିନ ଟିକିଏ ଅଭ୍ୟାସ ନ କଲେ, ଚକ୍ଷୁ ଓ ହସ୍ତର ଶୈଳୀ ମୂର୍ତ୍ତି ଉପରେ ଠିକ୍‌ ରୂପ ଧରେ ନାହିଁ ।’ +‘ତାହାହେଲେ ଭଦ୍ର, ମୁଁ ବୁଝିଛି, ଭୁବନେଶ୍ବର ଓ ଖଣ୍ଡଗିରିର ଅଜସ୍ର ଶିଳା ଦେହରେ ଏ ହାତର ନୈପୁଣ୍ୟ-ସଙ୍କେତ ଅଛି, ନା ?’ +ଶ୍ରୀଧର ସସଂଭ୍ରମେ ସ୍ବୀକାରୋକ୍ତି ପ୍ରକାଶ କଲେ । +‘ବେଶ୍‌, ମୁଁ ଯାହା ଖୋଜୁଥିଲି ତା ପାଇଛି ବୋଧହୁଏ ।’ +‘ମା, ଅନୁମତି ଦିଅନ୍ତୁ କିଭଳି କାର୍ଯ୍ୟରେ ମୁଁ ଆପଣଙ୍କର ସହାୟତା କରିପାରିବି ?’ +ଶ୍ରୀଧର ଆସନ୍ତା ଉତ୍ତର ପ୍ରତୀକ୍ଷାରେ ବସି ରହିଲେ । +‘ଦେଖ ଭଦ୍ର, ଯୋଗିନୀ ପାଖରେ ମୂର୍ତ୍ତିପୂଜାର ମୂଲ୍ୟ ନାହିଁ । + ତଥାପି ମର୍ମେ ମର୍ମେ ଜୀବନର ଯେଉଁ ଶେଷ ଅଭିନୟଟିକୁ ବଡ଼ ଯତ୍ନରେ ହୃଦୟରେ ଧରି ଚାରିଣୀ ହୋଇଛି, ସେ ଛବିକୁ, ସେ ଧାରଣାକୁ ବା ସେ ଭାବକୁ ରୂପ ଦେଇପାରିବ କଳିଙ୍ଗ ଶିଳ୍ପୀ ?’ +‘ମା, ମୂର୍ତ୍ତି ଦେଖି ମୂର୍ତ୍ତି ଗଠନ ଶିଳ୍ପକଳାର ନିମ୍ନସ୍ତରର କଥା- କିନ୍ତୁ ଲିଙ୍ଗରାଜଙ୍କର ଆଶୀର୍ବାଦରୁ ମୋ ପକ୍ଷରେ ଛବିର ଭାବ ହିଁ ଯଥେଷ୍ଟ, ପ୍ରକାଶ କରନ୍ତୁ ।’ +ଯୋଗିନୀ ଟିକିଏ ଇତସ୍ତତଃ ହୋଇ କହିଲେ- ‘ଏ ସ୍ଥାନ ନିର୍ଜନ ତ ?’ +‘କେବଳ ସାକ୍ଷୀ ବିଶ୍ବବିଶ୍ରୁତ କେଦାର ଓ ପ୍ରେମଯୋଗିନୀ ଗୌରୀ ।’ +ତପସ୍ବିନୀର ସର୍ବାଙ୍ଗରେ ଶିହରଣ ଯେପରି ଖେଳିଗଲା । +‘ଆଚ୍ଛା ଶୁଣ -’ +‘ତମାଳ ଶାଖାରୁ ତ୍ରସ୍ତା ଶୁକପକ୍ଷୀଟିଏ ଗୋଟିଏ ରମଣୀର ଅଙ୍ଗଦେଶକୁ ଉଡ଼ିଆସିଲା । +ରମଣୀୟ କର୍ଣ୍ଣଭୂଷା ପଦ୍ମକୋରକକୁ ସେ ଚଞ୍ଚୁଦ୍ବାରା କ୍ଷତ କଲା । +ସେ ଚିତ୍କାର କରି ଅତି ନିକଟରେ ଏ ମଧୁର ଅଭିନୟ ଦେଖୁଥିବା ସୁଠାମ ଯୁବାକୁ ଏ ବିପଦରୁ ରକ୍ଷା କରିବା ପାଇଁ ଅନୁରୋଧ କଲା । + ସୁଶ୍ରୀ ପୁରୁଷଟି ଶୁକ ପକ୍ଷୀକୁ ରମଣୀର କାନ୍ଧରୁ ଛିନ୍ନ କରି ନେଇଯିବା ଅଭିପ୍ରାୟରେ ଆକର୍ଷଣ କରନ୍ତେ ତାହା ବିହ୍ବଳ ହୋଇ ଯୁବକର ପ୍ରଶସ୍ତ ବକ୍ଷ ଉପରେ ଚଞ୍ଚୁ ଓ ନଖ ଦ୍ବାରା ଏପରି ଆଘାତ କଲା, ଯାହ ଫଳରେ…’ +‘ମା, ଚୁପ୍‌ ହୋଇଗଲେ ଯେ !’ +ତପସ୍ବିନୀଙ୍କର ଅଧର ଥରି ଉଠିଲା । +ସେ ଆତ୍ମସମ୍ବରଣ କରି ଆରମ୍ଭ କଲେ- ‘ଫଳରେ ଏକ ରକ୍ତସ୍ରାବ ଦେଖାଗଲା । +ରମଣୀଟି ଏ ଆକସ୍ମିକ ବିପତ୍ତି ଦେଖି ନିଜ ଅଧର ବସାଇ କ୍ଷତସ୍ଥଳରୁ ରକ୍ତଧାର ବନ୍ଦ ହେବା ପର୍ଯ୍ୟନ୍ତ ଉଷ୍ଣରକ୍ତ ଟାଣି ଆଣୁଥାଏ । +ସେହି ଭଙ୍ଗୀ, ସେହି ହୃଦୟର ହୃଦୟମିଶା, ଯୁବତୀର ରକ୍ତାଧର, ଯୁବକର ବିସ୍ମୟ ଭାବାବେଶ, ପକ୍ଷୀର କୋରକ ଦଂଶନ ଇତ୍ୟାଦି ସବୁ ଯେପରି ଏକ ନିପୁଣ ଶିଳ୍ପଚାତୁରୀରେ ଜୀବନ୍ତ ହେବ । + କରିପାରିବ ଶିଳ୍ପୀ ?’ +ଶୁଣୁଥିଲେ ଶ୍ରୀଧର, ଏ ପ୍ରଗଳ୍ଭା ଯୋଗନୀର ଚିତ୍ର ପରିକଳ୍ପନା ବଡ଼ ମୁଗ୍‌ଧ ତନ୍ମୟ ଭାବରେ । +ଏ ଅସାଧାରଣ ଭାବ, ଯାହା କି ଏକା କବି ସୂଚନାର ମୋହନ ସଙ୍କେତକୋଟିରେ ସମ୍ଭବ, ତା’ ଏ ପ୍ରବ୍ରଜ୍ୟାର ରୂଢ଼ କଳ୍ପନା କେଉଁଠାରୁ ପାଇଲା ! ବ୍ୟସ୍ତଭାବ ଛାଡ଼ି ଶ୍ରୀଧର ସ୍ବୀକାର କଲେ- ‘ମା, ଆପଣଙ୍କ ସନ୍ତାନ ଏ ଚିତ୍ର ପରିବେଷଣ କରିପାରିବ ।’ +ଯୋଗିନୀର ଆନନ୍ଦ ଦୁଇଟି ଚକ୍ଷୁରେ ଘନ ହୋଇଉଠିଲା । +ସେ ଧୀରେ ଧୀରେ ଆସନ ଛାଡ଼ି, ଆମ୍ରବାଟିକା ଛାଡ଼ି, ଆମ୍ରବାଟିକା ତଳ ଘନାନ୍ଧକାରରେ ମିଳାଇଗଲେ । +ବିନ୍ଧ୍ୟାର ପ୍ରତିମୂର୍ତ୍ତିରେ ଶୁଭ ଦିଆ ହେବାର ଆଜି ଦ୍ବାଦଶ ଦିନ । +ରାଜା ବସୁଭୂମା ଉତ୍‌ଫୁଲ୍ଲ ପ୍ରାଣରେ ଆଜି ପୂର୍ଣ୍ଣାଙ୍ଗ ପ୍ରତିମାର ଶୋଭା ଦେଖିବେ ବୋଲି କକ୍ଷ ମଧ୍ୟରେ ପଦଚାରଣ କରୁଛନ୍ତି । +ଶ୍ରୀଧର ମହାରଣା କକ୍ଷର ଦ୍ବାର ଉନ୍ନୁକ୍ତ କରି ବିନ୍ଧ୍ୟାର ଶିଳ୍ପୀ ପ୍ରତିମା ରାଜାଙ୍କୁ ହାତ ବଢ଼ାଇ ଦେଖାଇ ଦିଅନ୍ତେ ରାଜା ଉଚ୍ଚସ୍ବରରେ- ‘ଏ ଯେ ନିଜେ ବିନ୍ଧ୍ୟା’ କହି ମୂର୍ତ୍ତି ପାଖକୁ ଝୁଙ୍କି ପଡ଼ିଲେ । +ଶ୍ରୀଧର ଶାନ୍ତ ଭାବରେ କହିଲେ- ‘ମଣିମା, ଆପଣଙ୍କର ଭ୍ରମ ହିଁ ମୋର ଯଥାଯୋଗ୍ୟ ପୁରସ୍କାର । +ଏ ବିନ୍ଧ୍ୟାର ପ୍ରତିମୂର୍ତ୍ତି କଳିଙ୍ଗ ଶିଳ୍ପୀ ଶ୍ରୀଧର ମହାରଣାର ରୁକ୍ଷ କର ଦୁଇଟିରେ ମୂର୍ତ୍ତିମନ୍ତ ହୋଇଛି ।’ +‘ଶ୍ରୀଧର, ଏ ପ୍ରତିମା ନୁହେଁ-ଏ ଜୀବନ୍ତ ବିନ୍ଧ୍ୟା । +କର୍ଣ୍ଣଭୂଷାରେ ଯେଉଁ ପଦ୍ମକୋରକ ଖଞ୍ଜିଛି, ତାହା ସେହି ଦୁଷ୍ଟ ‘ବିମ୍ବୋଷ୍ଠ’ ଦ୍ବାରା ଛିନ୍ନଭିନ୍ନ ହୋଇଥିଲା । +ମୋର ଠିକ୍‌ ସ୍ମରଣ ଅଛି । +କିନ୍ତୁ ହେ କଳିଙ୍ଗ ଶିଳ୍ପୀ ! ଅକ୍ଷୁର୍ଣ୍ଣ ଜୀବନ୍ତ ପ୍ରତିମାରେ ଚନ୍ଦ୍ରଠାରେ କଳଙ୍କ ନ୍ୟାୟରେ ଏ ଭୁଲ କଲ କାହିଁକି ? ବିନ୍ଧ୍ୟା ତାମ୍ବୁଳ ସେବନ କରେ ନାହିଁ, ଅନ୍ତତଃ ମୁଁ କେବେ ଦେଖିନାହିଁ । +ତା’ର ଅଧର ଯେ ରକ୍ତବର୍ଣ୍ଣ ଦେଖୁଛି ।’ +ଶ୍ରୀଧରଙ୍କ ବିସ୍ମୟାଭିଭୂତ ଅପଲକ ନେତ୍ର ଦେଖିଲେ ଜଣାଯିବ ସେ କେଉଁ ଅତୀତ-ସ୍ମୃତିକୁ ଜୋରକରି ଟାଣି ଆଣୁଛନ୍ତି । +‘କଳିଙ୍ଗ ଶିଳ୍ପୀର ଭୁଲ୍‌’ ଏତିକି ଶୁଣି ସେ ପାଗଳ ପରି କହିବସିଲେ- ‘ମଣିମା, ଶରଣ ପ୍ରାର୍ଥନା କରେ- ଏ ଭୁଲ୍‌କୁ ମୁଁ ଭୁଲ ବୋଲି ସ୍ବୀକାର କରିପାରିବି ନାହିଁ; ବିନ୍ଧ୍ୟାର ପ୍ରତିମା ଗଠନ ଯେଉଁଦିନ ଶେଷ କଲି ସେଦିନ ଘଟଣାଚକ୍ରରେ ଅନ୍ୟ ଏକ ଗ୍ରାହକଙ୍କଠାରୁ ଏକ ଶିଳ୍ପ-ଯୋଜନା ଭାବର ନମୁନା ପାଇଲି । +ସେ ଯାହା ଚିତ୍ରର ଭାବ ଦେଲେ, ତାହା ମତେ ଅସାମାନ୍ୟ ବୋଧ ହେଲା । +ତାଙ୍କର ଚିତ୍ର ପରିକଳ୍ପନା ମୋର ହୃଦୟରେ ଘନୀଭୂତ ହୋଇ ରୂପକାର ହେବା ସମୟରେ ମୁଁ ବିନ୍ଧ୍ୟା ପ୍ରତିମାର ଅଧରରେ ଶେଷ ତୂଳି ଦେଛି । +ଜାଣେନା, କାହିଁକି ତୁଳି ମୋର ଏକଧାର ରକ୍ତ ଏଭଳି ସୁଷମାଯୁକ୍ତ ଅଧରରେ ବୋଳିଦେଲା । +ଅପରାଧ କ୍ଷମା କରିବେ ।’ +ଏକ ନିଃଶ୍ବାସରେ ଏ ସମସ୍ତ କଥା କହି ଶ୍ରୀଧର କକ୍ଷ ଛାଡ଼ି ଚାଲିଗଲା ବେଳେ ଶୁଣିଲେ, ରାଜା ପାଗଳଙ୍କ ପରି କହୁଛନ୍ତି- +‘ରକ୍ତଗାର… +ବିନ୍ଧ୍ୟା ଅଧରରେ… +‘ପୁଣି ଶିଳ୍ପୀ ଦେଇଛି କର୍ଣ୍ଣଭୂଷା ପଦ୍ମକୋରକ !!’ +ପ୍ରଳାପ, କେବଳ ପ୍ରଳାପ ! +‘ଶୁଣ ଶ୍ରୀଧର, ଏଇ ବସନ୍ତ ସମୟ । +ପ୍ରାସାଦ କକ୍ଷରେ ଏକାକୀ ବସି ମୁଁ ବସନ୍ତୋତ୍ସବର ସଂଭୋଗଶିରୀ ଉପଭୋଗ କରୁଥିଲି । +ଏଇ ସମୟରେ ଦୁର୍ଗରକ୍ଷକ ଜଣାଇଲା, ଜଣେ ନାରୀ ମୋର ଦର୍ଶନପ୍ରାର୍ଥିନୀ । +ସାମାନ୍ୟ ନାରୀ ଜଣେ ଦ୍ବାରଦେଶରେ ମୋର ଅପେକ୍ଷା କରୁଛି, ଏ ସମ୍ବାଦରେ ମୁଁ ବିଚଳିତ ହେଲିନି । +ଜୀବନରେ ନାରୀ ପ୍ରତି ଅନୁରକ୍ତ ମୋର ବଡ଼ ବିସ୍ବାଦ ବିଷୟ । +ମୁଁ ଜାଣିଶୁଣି ତା’ର ଦୃଷ୍ଟିରେଖା ଭିତରକୁ ଯିବାପାଇଁ ଶଙ୍କା କରେ । +ଏ ମୋର ପ୍ରକୃତିଗତ ଭୀରୁତା ନୁହେଁ- ଦୁର୍ଦ୍ଦମ ଅଭିଳାଷ । +କିନ୍ତୁ କି ସମ୍ବାଦ ଘେନି ଜଣେ ନାରୀ ଦ୍ବୈତ୍ୟ ବ୍ୟାଜରେ ଆସିଛି, ତାହା ଜାଣିବା ପାଇଁ ମୁଁ ତାକୁ ଆଣିବାକୁ ଆଦେଶ ଦେଲି । +ଯେଉଁ ନାରୀ ଯୁଦ୍ଧବର୍ମ ପିନ୍ଧି, କାନ୍ଧରେ ତୂଣୀର ଝୁଲାଇ ସଶସ୍ତ୍ର ସୈନିକ ବେଶରେ ମୋ ସମ୍ମୁଖରେ ଛିଡ଼ିହେଲା, ସେ ବିନ୍ଧ୍ୟା । +ଶ୍ରୀଧର, ସେ ବିନ୍ଧ୍ୟା, ଅପୂର୍ବ ରମଣୀ ସେ । +ତାକୁ ଦେଖି ମୁଁ ଆତ୍ମବିସ୍ମୃତ ହେଲି । +ସେ ମୋର ଭାବାନ୍ତର ଯେପରି ଲକ୍ଷ୍ୟ କରିନାହିଁ, ଏଇ ରୀତିରେ ମୋର କୁଶଳ ଜିଜ୍ଞାସା କରି ନିଜର ପରିଚୟ ଦେଲା- ତା’ର ପରିଚୟ ବି ବଡ଼ ରହସ୍ୟମୟ । +ସେ କେଉଁଠି ବହୁ ଯୁଦ୍ଧରେ ସୈନିକ ବେଶରେ ରଣତାଣ୍ଡବ ଦେଖିଛି, କିନ୍ତୁ ମୋ ପାଖକୁ ଆସିଛି ଏଇ ମିନତି ନେଇ ଯେ, ସେ ମୋ’ରି ଅନ୍ତଃପୁରବାସିନୀ ହୋଇ କିଛିଦିନ ପାଇଁ ଯୁଦ୍ଧକ୍ଳେଶ ପାସୋରି ପକାଇବ । +ବେଶ୍‌ କଥା- ମୁଁ ଅବିବାହିତ ଥିବାରୁ ଓ ମୋର ଅନ୍ତଃପୁର ଶୂନ୍ୟ ପଡ଼ିଥିବାରୁ ମୁଁ ଏଇ ଯୁଦ୍ଧପ୍ରମତ୍ତା ରମଣୀକୁ ବିନା ଆପତ୍ତିରେ ଅନ୍ତଃପୁରବାସିନୀ ହେବାକୁ ଅନୁମତି ଦେଲି । +ଏଇ ଭାବ କିନ୍ତୁ ମୋର ହୃଦୟ ଅଧିକାର କଲା ଯେ, ନିଶ୍ଚୟ ଏଇ ସୁନ୍ଦରୀ ରମଣୀ କୌଣସି ଶତ୍ରୁପକ୍ଷ ଦ୍ବାରା କଳିଙ୍ଗର କଳଙ୍କ ରଟାଇବା ପାଇଁ ସନ୍ଧାନୀ ଭାବରେ ଛୁଟି ଆସିଛି; ମୋର ଅନ୍ତଃପୁରରେ ମତେ ହିଁ ଦଂଶନ କରିବାକୁ । +ସେ ଯାହାହେଉ, ନିର୍ବିଘ୍ନରେ କେତୋଟି ଦିନ କଟିଗଲା ।’ +କଞ୍ଚୁକୀକୁ ତା’ର ସୁବିଧା ଅସୁବିଧା କଥା ଦେଖିବାକୁ ନିଯୁକ୍ତ କଲି । +ତା’ର କଥାରେ ଯଦି ମୁଁ ବିଶ୍ବାସ କରେ, ତେବେ ଶ୍ରୀଧର, ଏଇଆ ଶୁଣ ଯେ, ବିନ୍ଧ୍ୟା ଆସିଲାବେଳେ ଯେଉଁ ଯୁଦ୍ଧବେଶରେ ମତେ ଅଭିବାଦନ କଲା, ସେ ତାହା ସବୁ କୁଆଡ଼େ ଭୁଲିଗଲା । +ବରଂ ସାଧାରଣ ନାରୀ ବେଶରେ ଉଦ୍ଦାମଲୋଳ ଯୌବନଜ୍ୟୋତିକୁ ବିକିରଣ କରି ଅନ୍ତଃପୁରସ୍ଥ ଉଦ୍ୟାନର ଏକ ପ୍ରାନ୍ତରରୁ ଅନ୍ୟ ପ୍ରାନ୍ତ ପର୍ଯ୍ୟନ୍ତ ଚିତ୍ରିତ ପ୍ରଜାପତି ଭଳି ଘୂରି ବୁଲିଲା । +ଅନାସକ୍ତ ଭାବରେ ମୁଁ ମୋର ରାଜକାର୍ଯ୍ୟ ନିର୍ବାହ କରୁଥାଏ । +ଦିନେ ‘ବିହଙ୍ଗ ବିହାର’ ପରିଦର୍ଶନ କରିବା ପାଇଁ ମୁଁ ରାଜପୋଷାକ ତ୍ୟାଗ କରି ମନ ବିନୋଦନ ନିମିତ୍ତ ଯାତ୍ରା କଲି । +ତାହା ଅନ୍ତଃପୁର ନିକଟସ୍ଥ ସ୍ଥାନ । +ଏଇ ‘ବିହଙ୍ଗ ବିହାର’ରେ ନାନାଜାତି ପକ୍ଷୀ ଅଛନ୍ତି, କିନ୍ତୁ ସେଥିମଧ୍ୟରୁ ‘ବିମ୍ବୋଷ୍ଠ’କୁ ମୁଁ ଭାରି ସୁଖ ପାଉଥିଲି । +‘ବିମ୍ବୋଷ୍ଠ’ ଗୋଟିଏ ଶୁକପକ୍ଷୀର ନାମ । +ସେଇଦିନର କଥା । +ପିଞ୍ଜରାମୁକ୍ତ କରି ମୁଁ ଯେତେବେଳେ ବିମ୍ବୋଷ୍ଠକୁ ଆଣି ତା’ ସୁନାଶିକୁଳିଟି ମୋ ବାମକର ତର୍ଜନୀରେ ବାନ୍ଧୁଥିଲି, ସେତେବେଳେ ବିମ୍ବୋଷ୍ଠ ଜୋର୍‌ରେ ଗୋଟାଏ ଝିଙ୍କା ଦେଇ ଉଡ଼ି ଚାଲିଗଲା- ସ୍ବର୍ଣ୍ଣଶିକୁଳି ବି ଖଣ୍ଡ ଖଣ୍ଡ ହୋଇ ଭୂତଳେ ନିକ୍ଷିପ୍ତ ହେଲା । +ଦେଖିଲି, ସେ ଅନ୍ତପୁରସ୍ଥ ଉଦ୍ୟାନର ତମାଳ ଶାଖାରେ ବସି ଆତ୍ମଗୋପନ କଲା । +ମୁଁ ବଡ଼ ଅନୁନୟ କରି ତାକୁ ଡାକିଲି, ମାତ୍ର ସେ କର୍ଣ୍ଣପାତ କଲା ନାହିଁ । +ବରଂ ତମାଳ ଶାଖାରେ ଚକ୍ଷୁତାରା ଦୁଇଟି ମୁଦି ଦେଇ ସୁଷୁପ୍ତିରେ ନିମଗ୍ନ ହେଲା । +ଅନ୍ତଃପୁରକୁ ଯିବା ବିନ୍ଧ୍ୟାର ଉଦୟ ହେବା ଦିନଠାରୁ ମୋ ପକ୍ଷରେ ସମ୍ଭବ ନୁହେଁ । +କିନ୍ତୁ ଯଦି ବିମ୍ବୋଷ୍ଠକୁ ଧରି ନପାରେ, ତେବେ ତାର ବିଚ୍ଛେଦ ଦୁଃଖରେ ମୁଁ ବଡ଼ କାତର ହୋଇପଡ଼ିବି, ଏହା ଭାବି ଆନ୍ତଃପୁର ଆଡ଼କୁ ଅଗ୍ରସର ହେଲି । +ଏକାକୀ ଉଦ୍ୟାନରେ ପୁଷ୍ପବାଟିକା ତଳେ ଯାଉଁ ଯାଉଁ ଦେଖିଲି ମରାଳଖଚିତ ‘ନୀଳସର’ର ସେପାନ ଶ୍ରେଣୀକୁ ଭରା ଦେଇ ବିନ୍ଧ୍ୟା ଗୋଟିଏ ନୀଳପଦ୍ମକୁ ନିଜ ମୁଦ୍ରିତ ଚକ୍ଷୁ ଦୁଇଟିରେ ଧୀରେ ଧୀରେ ସଞ୍ଚାର କରୁଛି । +ବକ୍ଷ ଅନାବୃତ, କର୍ଣ୍ଣାଳଙ୍କାର ପଦ୍ମକୋରକ, କଟୀଦେଶରେ କେବଳ ଝିନ ଉତ୍ତରୀୟ ଖଣ୍ଡେ । +ଏ ରୂପ-ଆଲୋକ ମତେ ମୁଗ୍ଧ କଲା । +ଚତୁରୀ ଦୂରରୁ ଦେଖିପାରି ସଲଜ୍ଜ ବଦନରେ ମୋତେ ସ୍ବାଗତ ଜଣାଇ ଅଭିବାଦନ କଲା । +ମୁଁ ନିରୁପାୟ ହୋଇ ଦୂରସ୍ଥ ତମାଳ ଶାଖାକୁ ହସ୍ତ ପ୍ରସାରଣ କରି ସଙ୍କେତ କଲି । +ବୁଦ୍ଧିମତୀ ବୁଝିପାରି ପଚାରିଲା- ‘ଓ ବିମ୍ବୋଷ୍ଠ ଉଡ଼ିଯାଉଛି, କିଛି ଚିନ୍ତା ନାହିଁ- ଆସନ୍ତୁ ।’ +ଦୁହେଁ ତମାଳଶାଖା ଉପରେ ଦୃଷ୍ଟି ରଖି ଯାଉଁ ଯାଉଁ ବିନ୍ଧ୍ୟା ପଚାରିଲା- ‘ମତେ ସ୍ମରଣ କଲେ ? ମୁଁ ଯେ ନିତି ଅପେକ୍ଷାରେ ଥାଏ ।’ +ବିନ୍ଧ୍ୟା କଥାକୁ ଆଦୌ ଭ୍ରୂକ୍ଷେପ ନକରି ଚିତ୍କାର କଲି- ‘ମୂର୍ଖ ଶୂକପକ୍ଷୀ, ଶୀଘ୍ର ଫେରିଆ ।’ +ବିମ୍ବୋଷ୍ଠ ମୋ କଥାକୁ ଖାତିର ନ କରି ବରଂ ଆହୁରି ଲତାନ୍ତରାଳରେ ଆତ୍ମଗୋପନ କଲା । +ମୁଁ ନିରୁପାୟ ଭାବରେ ବିନ୍ଧ୍ୟାର ମୁଖ ସୁଷମାକୁ ଚାହିଁରହିଲି । +ସେ ମତେ ‘ଅପେକ୍ଷା କରନ୍ତୁ’ କହି ଦୃପ୍ତା ଫଣି ପରି ହଠାତ୍‌ ପୁଣି ଅନ୍ତଃପୁର ମଧ୍ୟରେ ପ୍ରବେଶ କଲା । +ମୁଁ ଅତି ଦୀନ ଭାବରେ ଏକ ପାଖେ ବିମ୍ବୋଷ୍ଠ, ଅନ୍ୟ ପାଖେ ବିନ୍ଧ୍ୟାକୁ ଚାହିଁ ରହିଲି । +କ୍ଷିପ୍ର ଚରଣରେ ଅନ୍ୟ ଏକ ଶୁକପକ୍ଷୀ ଧରି ତମାଳ ବୃକ୍ଷ ତଳେ ଡାକ ଦେଲା- ‘ବିମ୍ବୋଷ୍ଠ, ତୋର ସାଥୀ ତଳେ କାତର ପ୍ରାଣରେ ଡାକୁଛି, ତୁ ଫେରିଆ ।’ +ଏଇ ଏକ କଥା ବାରମ୍ବାର ଉଦ୍ୟାନ ଗର୍ଭରେ ପ୍ରତିଧ୍ବନିତ ହେଲା ଓ ପ୍ରତି ଥର ବିନ୍ଧ୍ୟା ମୋ ଆଡ଼େ କଟାକ୍ଷ ନିକ୍ଷେପ କରି ମତେ ବ୍ରତଭଙ୍ଗ ଉଦ୍ଦେଶ୍ୟରେ ବିଚଳିତ କରୁଥାଏ । +ମୁହୂର୍ତ୍ତକ ପରେ ଦେଖିଲି ବିମ୍ବୋଷ୍ଠ ପକ୍ଷ ବିସ୍ତାର କରି ବିନ୍ଧ୍ୟାର କାନ୍ଧ ଉପରକୁ ଉଡ଼ି ଆସିଲା ଓ ବାରମ୍ବାର ତାର କର୍ଣ୍ଣଭୂଷା ପଦ୍ମକୋରକକୁ ଚଞ୍ଚୁରେ ଆଘାତ କଲା । +‘ମଣିମା, ଏତିକି ଶିଳ୍ପୀ ପକ୍ଷରେ ଯଥେଷ୍ଟ, ତା’ପରେ ଯାହା ଘଟିଛି ତା’ ଶିଳ୍ପରେ ହିଁ ଫୁଟି ଉଠିବ, ମତେ ବିଦାୟ ଦିଅନ୍ତୁ । +ମୁଁ କ୍ଷଣକ ମଧ୍ୟରେ ଫେରି ଆସିବି ।’ +କ୍ଷଣକର ଅବସାନ ନ ହେଉଣୁ ଶ୍ରୀଧର ଚଞ୍ଚଳ ପଦକ୍ଷେପରେ କକ୍ଷରେ ପ୍ରବେଶ କଲେ । +ତା’ପରେ ଗୋଟିଏ ପ୍ରସ୍ତରଖୋଦିତ ମୂର୍ତ୍ତିକୁ ରାଜାଙ୍କ ସମ୍ମୁଖରେ ଥୋଇ ଶ୍ରୀଧର ଯୋଡ଼ହସ୍ତରେ ଛିଡ଼ା ହେଲେ- ‘ପ୍ରଭୁ ତା’ପରେ ଘଟଣା ଏଇ ମୂଳ ପ୍ରସ୍ତରଖଣ୍ଡ ବ୍ୟକ୍ତ କରିବ ।’ +ବଜ୍ରପାତରେ ଚେତନାଲୁପ୍ତ ହେବା ଭଳି ଏ ଅସାଧାରଣ ରହସ୍ୟ ଦେଖି ରାଜାଙ୍କର ବାକସ୍ଫୂର୍ତ୍ତି ଅସମ୍ଭବ ହେଲା । +ସେ କେବଳ ଉନ୍ମାଦ ଭଳି ବିସ୍ଫାରିତ ନେତ୍ରରେ ପ୍ରତିମୂର୍ତ୍ତିଟିକୁ ଆଲିଙ୍ଗିନ କରି, ବକ୍ଷସ୍ଥଳରୁ ରକ୍ତ ଶୋଷି ନେଉଥିବା ଯୁବତୀର ରକ୍ତାଧରରେ ଚୁମ୍ବନ ଦେଇ ମୂର୍ଚ୍ଛା ଗଲେ…. । +ଖଣ୍ଡଗିରି ଗୁହା ଶୂନ୍ୟ, ଖଣ୍ଡେ ଶୈବାଳ ଗୁଳ୍ମପୂର୍ଣ୍ଣ ପ୍ରସ୍ତର ପରେ ବକ୍ରାଙ୍କିତ ହୋଇଛି କେତୋଟି ଲିପିମାତ୍ର- କଳିଙ୍ଗ ଶିଳ୍ପୀ ! +କଳିଙ୍ଗର ରାଜା ବସୁଭୂମାଙ୍କୁ ଯୋଗିନୀ ପାଇଁ ଉଦ୍ଦିଷ୍ଟ ‘ଶୁକପକ୍ଷୀ ଶିଳ୍ପ’କୁ ଉପହାର ଦିଅ ।