diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia195.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia195.txt new file mode 100644 index 0000000000000000000000000000000000000000..0b5e3934bf1f58f625c5d8acc014865db8c4d387 --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia195.txt @@ -0,0 +1,137 @@ +ହରମୋନ୍ଥେରାପି, କେମୋଥେରାପି ଓ ରେଡିଓଥେରାପି +ହରମୋନ୍ଥେରାପି କ’ଣ +ହରମୋନ୍ଥେରାପି ପାଇଁ ଯେଉଁ ଔଷଧ ବ୍ୟବହାର କରାଯାଏ, ତା’ର ନାମ ଟାମୋକ୍ସିଫେନ୍ (Tamoxifen) । +ଏହା ଏକ ଅତ୍ୟନ୍ତ ନିରାପଦ ଔଷଧ । +ଏହାକୁ ଦିନରେ ୨୦ ମିଲିଗ୍ରାମ(20 mg.)କରି ପ୍ରତିଦିନ ଖିଆଯାଇଥାଏ । +ଚିକିତ୍ସକ ରୋଗୀକୁ ଏହି ଔଷଧ ୫ ବର୍ଷ ଖାଇବା ପାଇଁ ପରାମର୍ଶ ଦେଇଥାନ୍ତି । +ଏହି ଔଷଧ ସେବନ ଦ୍ଵାରା ରୋଗୀ ଶରୀରରେ ଉଷ୍ମତା ଅନୁଭବ କରିପାରନ୍ତି । +ସମୟେ ସମୟେ ଏହାର ପ୍ରଭାବରେ ଯୋନିରୁ ରକ୍ତସ୍ରାବ ହୋଇଥାଏ । +ଏହାହେଲେ ତୁରନ୍ତ ଚିକିତ୍ସକଙ୍କୁ ଜଣାଇବା ଉଚିତ୍ । +ଆଜିକାଲି ଆହୁରି ଉଚ୍ଚମାନର ଔଷଧ (aromatase inhibitors) ବାହାରିଲାଣି । +ବେଳେବେଳେ ରୋଗୀଙ୍କୁ ଦିଆଯାଉଛି । +ER, PR, her ର new test କରାଯାଇ ହରମୋନ୍ ଚିକିତ୍ସା କରାଯାଏ । +କେମୋଥେରାପି କ’ଣ ? +କର୍କଟ ରୋଗକୁ ଔଷଧ ଦ୍ଵାରା ଚିକିତ୍ସା କରିବା ପଦ୍ଧତିକୁ କେମୋଥେରାପି କୁହାଯାଏ । +ଏହା ସାଧାରଣତଃ ଇଞ୍ଜେକ୍ସନ । +ଏହାକୁ ଶରୀରରେ ପ୍ରୟୋଗ କରିବାର ବିଧି ଅତ୍ୟନ୍ତ କଠିନ ହୋଇଥିବାରୁ ଚିକିତ୍ସକ, ରୋଗୀକୁ ଏହି ଔଷଧ କିପରି ଓ କେତେବେଳେ ନେବ, ତାହା ପୂର୍ବରୁ ସୂଚନା ଦେଇଥାନ୍ତି । +ରୋଗୀ, ଏହି ଔଷଧ ନେବାର ସମୟ, ମାତ୍ରା ଏବଂ ବ୍ୟବଧାନ, ଚିକିତ୍ସକଙ୍କ ଠାରୁ ସ୍ପଷ୍ଟଭାବେ ବୁଝିନେବା ଉଚିତ୍ । +ବେଳେ ବେଳେ କେମୋଥେରାପି ଅତ୍ୟନ୍ତ ଖର୍ଚ୍ଚବହୁଳ ହୋଇଥାଏ । +ଯେଉଁମାନେ ଏହି ଔଷଧ କିଣିବା ପାଇଁ ସକ୍ଷମ ନୁହଁନ୍ତି, ସେମାନଙ୍କୁ ଦେଶରେ ଥିବା ବହୁ ସମାଜସେବୀ ସଂସ୍ଥା ସ୍ୱଳ୍ପ ମୂଲ୍ୟରେ ଏହି ଔଷଧ ଯୋଗାଇ ଦେଇଥାଆନ୍ତି । +ଏହି କ୍ଷେତ୍ରରେ ସମାଜସେବୀ ସଂସ୍ଥାମାନଙ୍କ ପାଖକୁ ଡାକ୍ତରଙ୍କ ସୁପାରିଶ ଦରକାର ପଡେ । +କେମୋଥେରାପି ଦ୍ଵାରା ପାର୍ଶ୍ଵପ୍ରତିକ୍ରିୟା +କେମୋଥେରାପି ପ୍ରୟୋଗ ଦ୍ଵାରା ରୋଗୀର ପାର୍ଶ୍ଵ ପ୍ରତିକ୍ରିୟା (side effect) ଭିନ୍ନ ଭିନ୍ନ ରୋଗୀଙ୍କର ଭିନ୍ନ ଭିନ୍ନ ଦେଖାଯାଏ । +ଏହା ନିରାନନ୍ଦ ପ୍ରତିକ୍ରିୟା ସୃଷ୍ଟି କରିପାରେ । +କେତେକ ରୋଗୀଙ୍କୁ ବାନ୍ତି ଓ କୋହି ଦେଖାଇବା, ତରଳ ଝାଡା ହେବା, ଦୁର୍ବଳ ଅନୁଭବ କରିବା ଏବଂ ତଳିପେଟରେ ଦରଜ ଇତ୍ୟାଦି ଅନୁଭବ କରିଥାଆନ୍ତି । +ମାତ୍ର ଏହି ଲକ୍ଷଣଗୁଡିକ ସାତ ଦିନ ମଧ୍ୟରେ ଚାଲିଯାଇଥାଏ । +ଦରକାର ପଡିଲେ ଏହି ଲକ୍ଷଣଗୁଡିକର ଚିକିତ୍ସା ପାଇଁ ଚିକିତ୍ସକ ଔଷଧ ଦେଇଥାଆନ୍ତି । +ଏତଦ୍ବ୍ୟତୀତ ରୋଗୀର ମୁଣ୍ଡରୁ ଚୂଳ ଉପୁଡିଯାଏ । +ମାତ୍ର କେମୋଥେରାପି ପଦ୍ଧତି ସଂପୂର୍ଣ୍ଣ ହେଲାପରେ ପୁଣି ଚୂଳ ଉଠିଯାଏ । +ଆହୁରି ମଧ୍ୟ ରୋଗୀର ପରିସ୍ରା ଗାଢ ହଳଦିଆ କିମ୍ବା ଲାଲ ହୋଇଥାଏ ଏବଂ ନଖଗୁଡିକ ନୀଳ କିମ୍ବା କଳା ବର୍ଣ୍ଣ ହୋଇଯାଇପାରେ । +ଏଥିପାଇଁ ରୋଗୀ ଭୟଭୀତ ହେବା ଉଚିତ ନୁହେଁ । +କେମୋଥେରାପି ବେଳେ ସାବଧାନତା +କେମୋଥେରାପି ପୂର୍ବରୁ ଚିକିତ୍ସକ, ରୋଗୀର ରକ୍ତରେ ଥିବା ହେମୋଗ୍ଲୋବିନ ଓ ଶ୍ଵେତ ରକ୍ତ କଣିକା (white blood cell)କୁ ପରୀକ୍ଷା କରିଥାଆନ୍ତି । +କାରଣ କେମୋଥେରାପି ଦ୍ଵାରା ଏହି ଉଭୟ ରକ୍ତ କଣିକା କମିଯାଆନ୍ତି । +ଯଦି ସବୁ ଠିକ୍ ଥାଏ କେମୋଥେରାପି ପଦ୍ଧତି ଚାଲୁ ରଖାଯାଏ । +ତଥାପି ରୋଗୀର ଅବସ୍ଥା ଦେଖି ଚିକିତ୍ସକ କେମୋଥେରାପି ଇଞ୍ଜେକ୍ସନକୁ କିଛି ଦିନ ପାଇଁ ବନ୍ଦ ରଖିଥାଆନ୍ତି । +କେମୋଥେରାପି ସମୟରେ ନିମ୍ନଲିଖିତ ସାବଧାନତା ଅବଲମ୍ବନ କରିବା ଉଚିତ୍ +ଜ୍ଵର : କେମୋଥେରାପି ନେବା ସମୟରେ ରୋଗୀର ଶରୀର ସଂକ୍ରମଣ (Infection)ହେବାର ସମ୍ଭାବନା ଥାଏ । +ଯଦି ରୋଗୀ ଅତ୍ୟଧିକ ଜ୍ଵରରେ ପୀଡିତ ହୁଏ, ସଙ୍ଗେ ସଙ୍ଗେ ଚିକିତ୍ସକଙ୍କ ପରାମର୍ଶ ନେବା ଉଚିତ୍ । +ସେତେବେଳେ ରୋଗୀକୁ ଡାକ୍ତରଖାନାରେ ରଖି ଆଣ୍ଟିବାଇଓଟିକ୍ ଇଞ୍ଜେକ୍ସନ୍ ଦେଇ ଚିକିତ୍ସା କରାଯାଏ । +ଏହି ସମୟରେ ଜ୍ଵର କ୍ଷତିକାରକ ସଙ୍କେତ ହୋଇଥିବାରୁ ଏହାକୁ ଶୀଘ୍ର ନିୟନ୍ତ୍ରଣାଧୀନ କରିବା ଉଚିତ୍ । +ନିମ୍ନଲିଖିତ ବିଷୟ ପ୍ରତି ରୋଗୀ ବିଶେଷକରି ଧ୍ୟାନ ଦେବା ଉଚିତ୍ । +କେମୋଥେରାପି ସମୟରେ ସାବଧାନତା : +ଘରେ ରନ୍ଧା ହୋଇଥିବା ଖାଦ୍ୟ ଖାଆନ୍ତୁ । +ଫଳଜାତୀୟ ଖାଦ୍ୟ ଖାଇବା ପୂର୍ବରୁ ଭଲଭାବେ ଧୋଇ ପରିଷ୍କାର କରି ଖାଆନ୍ତୁ । +/li> +ସିଝା କିମ୍ବା ବିଶୋଧିତ ପାଣି ପିଅନ୍ତୁ । +ଖାଇବା ପୂର୍ବରୁ ଭଲ ଭାବରେ ହାତ ମୁହଁ ପରିଷ୍କାର କରି ଖାଆନ୍ତୁ । +ନରମ ବ୍ରସ୍ ବ୍ୟବହାର କରି ଦାନ୍ତ ଓ ପାଟିରେ ଯତ୍ନ ନିଅନ୍ତୁ । +ଅଙ୍ଗୁଳିର ନଖ ବଢାନ୍ତୁ ନାହିଁ ଓ କାଟିଲାବେଳେ ସାବଧାନତା ଅବଲମ୍ବନ କରନ୍ତୁ । +ଲୋକଗହଳିକୁ ଯାଆନ୍ତୁ ନାହିଁ । +ତଦ୍ୱାରା ରୋଗୀ ସଂକ୍ରମିତ ହେବାର ଆଶଙ୍କା ଦୂର ହୋଇଥାଏ । +ଦେହକୁ ଅଯଥା ଅପରିଷ୍କାର ଲୋମ ଯଥା କାଖ ସନ୍ଧି, ଜଙ୍ଘ ସନ୍ଧି ଇତ୍ୟାଦି ସଫା କରିବା ପାଇଁ ବ୍ଲେଡ୍ ବଦଳରେ ଲୋସନ୍ ବ୍ୟବହାର କରନ୍ତୁ । +ଚର୍ମକୁ ନ ବାଧିଲାପରି ସରଳ ସ୍ନାନ ପଦ୍ଧତି ଅନୁସରଣ କରନ୍ତୁ । +ଦେହରେ କୌଣସି ଜାଗାରେ ବଥ ବା ବ୍ରଣ ହେଲେ ତାକୁ ଛିଡାନ୍ତୁ ନାହିଁ । +କର୍କଟ ରୋଗ ଚିକିତ୍ସା ସମୟରେ ଖାଦ୍ୟ +ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଉତ୍ତମ ଖାଦ୍ୟ ଖାଆନ୍ତୁ । +କର୍କଟ ରୋଗୀ ଖାଦ୍ୟ ଖାଇବା ସମୟରେ ବାନ୍ତି ଅନୁଭବ କଲେ, ଖାଇବାର ବ୍ୟବଧାନ କମାଇ ଅଳ୍ପ ଅଳ୍ପ କରି ବେଶିଥର ଖାଇବା ଉଚିତ୍ । +ତନ୍ମଧ୍ୟରେ ତରଳ ଖାଦ୍ୟର ପରିମାଣ ଅଧିକ ହେବା ବାଞ୍ଛନୀୟ । +ଯଦି ଚିକିତ୍ସକ କୌଣସି ନିର୍ଦ୍ଦିଷ୍ଟ ଖାଦ୍ୟ ନିର୍ଦ୍ଧାରିତ କରି ନଥାନ୍ତି ତାହାହେଲେ ଅଧିକ ପରିମାଣରେ ଫଳ, ଅଣ୍ଡା, କଞ୍ଚା ମଟର ଦାନା, ମାଛ, ମାଂସ ଏବଂ କ୍ଷୀର ଇତ୍ୟାଦି ଖାଇପାରନ୍ତି । +ଖାଦ୍ୟ ଖାଇବା ପୂର୍ବରୁ କିଛି ସମୟ ଚାଲିଲେ ରୋଗୀର କ୍ଷୁଧା ଓ ଖାଦ୍ୟ ରୁଚି ବଢିଥାଏ । +ଏପରି କୌଣସି ଖାଦ୍ୟ ଯାହା ଅରୁଚିକର ବୋଧହେବ, ତାହାକୁ କ୍ଷୀର କିମ୍ବା ଫଳରସ ସହିତ ଖାଇବେ । +ରୋଗୀ ପାଇଁ ମଦ୍ୟପାନ ସମ୍ପୂର୍ଣ୍ଣ ନିଷେଧ । +କେମୋଥେରାପି ସମୟରେ ମାସିକ ଋତୁସ୍ରାବ +କେମୋଥେରାପି ସମୟରେ ମାସିକ ଋତୁସ୍ରାବ ବନ୍ଦ ହୋଇଗଲେ କିମ୍ବା ଅନିୟମିତ ହେଲେ ଭୟ କରନ୍ତୁ ନାହିଁ । +କାରଣ କେମୋଥେରାପିରେ ଥିବା ଉପାଦାନଗୁଡିକ ବସ୍ତୁତଃ ମାସିକ ଋତୁସ୍ରାବକୁ ପ୍ରଭାବିତ କରିଥାଆନ୍ତି । +ଅଳ୍ପବୟସ୍କା ସ୍ତ୍ରୀଲୋକମାନଙ୍କର ପ୍ରାୟ କିଛି ମାସ ପରେ ପୁଣି ଋତୁସ୍ରାବ ନିୟମିତ ହୋଇଥାଏ । +ମାତ୍ର ବୟସ୍କା ଲୋକମାନଙ୍କ କ୍ଷେତ୍ରରେ ସାମାନ୍ୟ ବ୍ୟତିକ୍ରମ ଦେଖାଦେଇପାରେ । +କେମୋଥେରାପି ଦ୍ଵାରା କେଶ ଉପୁଡିବା +କେମୋଥେରାପି ନେବା ସମୟରେ କେଶ ଉପୁଡିବା ଏକ ସାଧାରଣ ପ୍ରତିକ୍ରିୟା ହୋଇଥିବା ବେଳେ ସବୁ ରୋଗୀଙ୍କ କ୍ଷେତ୍ରରେ ଏହା ହୋଇନପାରେ । +ମାତ୍ର କେଶ ଉପୁଡି ଗଲେ ମଧ୍ୟ ଚିକିତ୍ସାର ସମାପ୍ତି ପରେ ଏହା ପୁଣି ଉଠିଥାଏ । +ଏହି କେଶର ପରିଚର୍ଯ୍ୟା ପାଇଁ କମ୍ ପ୍ରତିକ୍ରିୟାଶୀଳ (mild sampo) ସାମ୍ପୋ ଓ ନରମ ପାନିଆ ବ୍ୟବହାର କରିବା ଉଚିତ୍ । +କେଶ ଉପୁଡୁଥିବା ସମୟରେ ନକଲି ପରଚୂଳା (wig) ବ୍ୟବହାର କଲେ ନିଜର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଷ୍ଟାଇଲ୍କୁ ରକ୍ଷାକରାଯାଇପାରେ । +କେମୋଥେରାପି ସମୟରେ ଦୈନଦିନ କାର୍ଯ୍ୟ +ସାଧାରଣତଃ ବହୁ ରୋଗୀ କେମୋଥେରାପି ସମୟରେ ମଧ୍ୟ ନିଜର ଦୈନଦିନ କାର୍ଯ୍ୟ ସୁରୁଖୁରୁରେ କରିପାରନ୍ତି । +ଏହା ରୋଗୀର ସାମର୍ଥ୍ୟ ଓ ଜୀବନଚର୍ଯ୍ୟା ଉପରେ ନିର୍ଭର କରେ । +ରୋଗୀ ନିଜେ ବାସକରୁଥିବା ସହରରେ ଏହି ଚିକିତ୍ସା କରିପାରନ୍ତି । +ଯଦି ସେଠାରେ ଅଭିଜ୍ଞ ଚିକିତ୍ସକଙ୍କର ଉପଲବ୍ଧି ନହୁଏ ଏଥିପାଇଁ ରୋଗୀକୁ ମୂଳ ଚିକିତ୍ସା କରୁଥିବା ଚିକିତ୍ସକଙ୍କ ପାଖରୁ ଏକ ପରାମର୍ଶ ପତ୍ର (prescription) ଆଣିବାକୁ ପଡିଥାଏ । +କାରଣ ରୋଗୀର ରୋଗ ବିଷୟରେ ବିଶଦ ଭାବେ ସେ ହିଁ ଜାଣିଥାଆନ୍ତି । +ପ୍ରଥମ କେମୋଥେରାପି ସମୟରେ ତା’ର ମାତ୍ରା ଓ ପାର୍ଶ୍ଵ ପ୍ରତିକ୍ରିୟା ସମ୍ପର୍କରେ ରୋଗୀ ନିଜେ ସଚେତନ ରହିବା ଆବଶ୍ୟକ । +ରକ୍ତ ପରୀକ୍ଷାର ସଠିକ୍ ଫଳାଫଳ ନିର୍ଣ୍ଣୟ ପରେ ହିଁ ରୋଗୀକୁ କେମୋଥେରାପି ଦିଆଯାଏ । +କେମୋଥେରାପିର ସମୟ ବ୍ୟବଧାନ +କେମୋଥେରାପିର ସମୟ ବ୍ୟବଧାନ, କର୍କଟ ରୋଗୀର ସ୍ଥିତି ଏବଂ ଦିଆଯାଉଥିବା ଔଷଧ ପରେ ନିର୍ଭର କରେ । +ସାଧାରଣତଃ କେମୋଥେରାପି ପ୍ରତି ତିନି ବା ଚାରି ସପ୍ତାହରେ କରାଯାଏ । +ଯଦି CMF କେମୋଥେରାପି ନିଆଯାଉଥାଏ, ତେବେ ଆଠଦିନ ଅନ୍ତରରେ ତିନି ସପ୍ତାହ ମଧ୍ୟରେ ଦୁଇଟି ଇଞ୍ଜେକ୍ସନ୍ ନେବା ଉଚିତ୍ । +ମାତ୍ର କେତେକ ରୋଗୀଙ୍କୁ ଅନ୍ୟ ବ୍ୟବସ୍ଥା ଅନୁଯାୟୀ କେମୋଥେରାପି ଦିଆଯାଇଥାଏ । +ଯାହାର ନାମ CAF । +ଏହି ବ୍ୟବସ୍ଥା ଅନୁଯାୟୀ କେମୋଥେରାପି ତିନି ସପ୍ତାହ ଅନ୍ତରରେ କେବଳ ଥରେ ଦିଆଯାଇଥାଏ । +ଯାହାର ପ୍ରତିକ୍ରିୟାରେ କେଶ ଗୁଡିକ ଅସ୍ଥାୟୀଭାବେ ସମ୍ପୂର୍ଣ୍ଣ ଉପୁଡିଯାଇଥାଏ । +ଏହି ପଦ୍ଧତିରେ ଚିକିତ୍ସକଙ୍କ ଦ୍ଵାରା ନିର୍ଦ୍ଧାରିତ କେମୋ ଠିକ୍ ସମୟରେ ନେବା ନିତାନ୍ତ ଜରୁରୀ । +ଯଦି ରୋଗୀ କୌଣସି କାରଣରୁ ଏଥିରେ ବ୍ୟତିକ୍ରମ କରେ ସଙ୍ଗେ ସଙ୍ଗେ ଚିକିତ୍ସକଙ୍କ ସହ ପରାମର୍ଶ କରିବା ଉଚିତ୍ । +ରେଡିଏସନ୍ ଥେରାପି କଣ +କର୍କଟ ରୋଗରେ ଆକ୍ରାନ୍ତ ସ୍ଥାନରେ ସ୍ଵତନ୍ତ୍ର ରଶ୍ମିକୁ ପ୍ରବେଶ କରାଇ କର୍କଟ ରୋଗସୃଷ୍ଟିକାରୀ କୋଷ ଗୁଡିକୁ ସମ୍ପୂର୍ଣ୍ଣ ନଷ୍ଟକରବା ପ୍ରଣାଳୀକୁ ରେଡିଏସନ୍ ଥେରାପି ବା ରଶ୍ମି ଚିକିତ୍ସା କୁହାଯାଏ । +ଏହି ପଦ୍ଧତି ଦ୍ଵାରା ରୋଗୀର ସଂକ୍ରମିତ ସ୍ଥାନରେ ମେସିନ୍ ସାହାଯ୍ୟରେ ଏକ ସ୍ଵତନ୍ତ୍ର ରଶ୍ମି ପକାଯାଏ । +ଚିକିତ୍ସାପାଇଁ ରୋଗୀକୁ ଏକ ସ୍ଵତନ୍ତ୍ର ଧରଣର ନିର୍ମିତ କୋଠରୀରେ ରଖାଯାଏ । +ତା’ ପାଖରେ କୌଣସି ଆତ୍ଜୀୟ ସ୍ଵଜନ ଏପରିକି ନିଜର ଚିକିତ୍ସକ ମଧ୍ୟ ରୁହନ୍ତି ନାହିଁ । +ମାତ୍ର ଚିକିତ୍ସକ ପାର୍ଶ୍ଵବର୍ତ୍ତୀ କୋଠରୀରେ ଥାଇ ରୋଗୀକୁ ଟି.ଭି. ରେ ଦେଖି ଚିକିତ୍ସା କରିଥାନ୍ତି । +ଏହି ପାର୍ଶ୍ଵବର୍ତ୍ତୀ କୋଠରୀଟି ରୋଗୀରହିବା କୋଠରୀଠାରୁ କାଚଦ୍ଵାରା ଅଲଗା କରାଯାଇଥାଏ । +ଯଦ୍ୱାରା ଚିକିତ୍ସକ ଚିକିତ୍ସା ସମୟରେ ରୋଗୀକୁ ଦେଖି ପାରନ୍ତି । +ଏହି ଚିକିତ୍ସା ପ୍ରତିଦିନ ପ୍ରାୟ ତିନି/ଚାରି ମିନିଟ୍ ଧରି ଚାଲିଥାଏ । +ଯେଉଁ ସବୁ ସ୍ତନ କର୍କଟ ରୋଗୀମାନଙ୍କର ସ୍ତନକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରାଯାଇଥାଏ, ସେମାନଙ୍କ ପାଇଁ ଏ ଚିକିତ୍ସା ପ୍ରାୟ ଛଅ ସାତ ସପ୍ତାହ ପର୍ଯ୍ୟନ୍ତ ଦରକାର ପଡିଥାଏ । +ସମୟେ ସମୟେ ସମ୍ପୂର୍ଣ୍ଣ ସ୍ତନ ଉଚ୍ଛେଦ ହୋଇଥବା ରୋଗୀ ପାଇଁ ରେଡିଏସନ୍ ଥେରାପି ଆବଶ୍ୟକ ହୋଇନଥାଏ । +ପୁନର୍ବାର ଦ୍ଵିତୀୟ ଥର ପାଇଁ ଯଦି ଏ ରୋଗ ଦେଖାଯାଏ ତେବେ ରେଡିଏସନ୍ ଥେରାପିର ଦରକାର ପଡିଥାଏ । +କାଖରେ ଗୁଳାପାଇଁ ଏହା ନିହାତି ଦରକାର । +ରେଡିଏସନ୍ ଥେରାପିର ବିଧି ବ୍ୟବସ୍ଥା +ସାଧାରଣତଃ ରେଡିଏସନ୍ ଥେରାପି ସପ୍ତାହରେ ପାଞ୍ଚ ଥର କରି ଛଅ ସପ୍ତାହ ପର୍ଯ୍ୟନ୍ତ ଚାଲିଥାଏ । +ରୋଗୀକୁ ଶନିବାର ଓ ରବିବାର ଦୁଇଟି ଦିନ ବିଶ୍ରାମ ଦିଆଯାଏ । +ଏଇଥି ପାଇଁ ରୋଗୀକୁ ପ୍ରତିସପ୍ତାହରେ ପାଞ୍ଚଦିନ ଚିକିତ୍ସିତ ହେବା ବାଧ୍ୟତାମୂଳକ ଅଟେ । +ସର୍ବୋପରି ଏହି ଚିକିତ୍ସା ସକାଳ ଆଠଟାରୁ ସନ୍ଧ୍ୟା ପାଞ୍ଚଟା ତିରିଶ ଭିତରେ ହୋଇଥାଏ । +ଏହି ଚିକିତ୍ସା ସମୟରେ ରୋଗୀକୁ କିଛି ମିନିଟ୍ ପାଇଁ ଚିକିତ୍ସିତ ହେଉଥିବା କୋଠରୀରେ ଏକୁଟିଆ ରହିବାକୁ ପଡିଥାଏ । +ସେଥିପାଇଁ ରୋଗୀ ଆଦୌ ଭୟଭୀତ ହେବାର କାରଣ ନାହିଁ । +ରେଡିଏସନ୍ ଥେରାପି ପରେ ପରେ ରୋଗୀ ସ୍ତନ ଉପରେ ସ୍ପର୍ଶଜନିତ ଭିନ୍ନ ଅନୁଭବ କରିଥାଆନ୍ତି ଓ ସ୍ତନଟି କଳା ପଡିଯାଇଥାଏ । +ଏହାଛଡା ରୋଗୀ ବାନ୍ତି ଓ ଦୁର୍ବଳତା ଅନୁଭବ କରିପାରେ । +ରେଡିଏସନ୍ ଥେରାପିର କାର୍ଯ୍ୟକାରିତା +ରେଡିଏସନ୍ ରଶ୍ମିଦ୍ଵାରା କର୍କଟ ରୋଗଗ୍ରସ୍ତ କୋଷ ଗୁଡିକ ନଷ୍ଟହେବା ସହିତ ସେମାନଙ୍କ ସଂଖ୍ୟା ବହୁପରିମାଣରେ କମିଯାଏ । +ଏଠାରେ କୁହାଯାଇପାରେ ଯେ ଶରୀରରେ ଥିବା ଯେକୌଣସି ସାଧାରଣ କୋଷ ଗୁଡିକରେ ଏହି ସ୍ଵତନ୍ତ୍ର ରଶ୍ମିକୁ ସହନ କରିବା ଶକ୍ତି ଥାଏ । +ତଥାପି ଏହାଦ୍ୱାରା କ୍ଷତିଗ୍ରସ୍ତ ହେଉଥିବା ସାଧାରଣ କୋଷଗୁଡିକ ଖୁବ୍ କମ୍ ଦିନରେ ପୂର୍ବାବସ୍ଥାକୁ ଫେରିଆସନ୍ତି । +ସେଇଥିପାଇଁ ରେଡିଏସନ୍ ଚିକିତ୍ସା ପାଞ୍ଚରୁ ସାତ ସପ୍ତାହ ପର୍ଯ୍ୟନ୍ତ ସୀମିତ ରଖାଯାଏ । +ରେଡିଏସନ୍ ଥେରାପିର ଯୋଜନା +ରେଡିଏସନ୍ ଚିକିତ୍ସକ ରୋଗୀକୁ ଭଲଭାବରେ ପରୀକ୍ଷା ନିରୀକ୍ଷା କରି ରେଡିଏସନ୍ ପଦ୍ଧତି, ପାର୍ଶ୍ଵପ୍ରତିକ୍ରିୟା, ସମୟ, ବ୍ୟବଧାନ ଓ ଉପକାରିତା ବିଷୟରେ ପ୍ରାଞ୍ଜଳଭାବେ ବୁଝାଇଥାନ୍ତି । +ଚିକିତ୍ସା ଆରମ୍ଭ ପୂର୍ବରୁ ସଂକ୍ରମିତ ସ୍ଥାନ ଠାରୁ ଅଧିକ କେତେ ସ୍ଥାନରେ ରେଡିଏସନ୍ ପ୍ରୟୋଗ କରାଯିବ, ତାହା ମପାଚୁପା ହୋଇ ସ୍ଥିର କରାଯାଏ । +ଏହାର ଉଦ୍ଦେଶ୍ୟ କମ୍ପ୍ୟୁଟରାଇଜଡ୍ ଚିକିତ୍ସା ପଦ୍ଧତି ଦ୍ଵାରା ସଂକ୍ରମିତ କୋଷ ଗୁଡିକୁ ଯଥାସମ୍ଭବ ନଷ୍ଟ କରିବା ସହିତ ଭଲଥିବା କୋଷଗୁଡିକୁ ସୁରକ୍ଷା ପ୍ରଦାନ କରିବା ଜଣାପଡିଥାଏ । +ଏହି ଚିକିତ୍ସାରେ ବ୍ୟବହାର ହେଉଥିବା ଯନ୍ତ୍ରପାତି ଗୁଡିକ ପୂରାପୂରି ସିଲ୍ କରାଯାଇଥାଏ । +ଯାହାଦ୍ୱାରା ଏହାର ପ୍ରଭାବ, ଚିକିତ୍ସକ, ନର୍ସ କିମ୍ବା ରୋଗୀର ସମ୍ପର୍କୀୟମାନଙ୍କ ଉପରେ ପଡିପାରେ ନାହିଁ । +ଏହି ଚିକିତ୍ସା ପଦ୍ଧତି ସମ୍ପୂର୍ଣ୍ଣ ଯନ୍ତ୍ରଣାବିହୀନ । +ଚିକିତ୍ସା ପରେ ରୋଗୀ, ଅନ୍ୟମାନଙ୍କ ସହିତ ମିଶିବା ପାଇଁ ବାରଣ ନଥାଏ । +ଚିକିତ୍ସକ ପ୍ରତି ସପ୍ତାହରେ ରୋଗୀକୁ ପରୀକ୍ଷା କରି ଚିକିତ୍ସାର ଅଗ୍ରଗତି ଓ ପାର୍ଶ୍ଵପ୍ରତିକ୍ରିୟା ବିଷୟରେ ଅନୁଧ୍ୟାନ କରିଥାନ୍ତି । +ରେଡିଏସନ୍ ଥେରାପି ସମୟରେ ସାବଧାନତା +ରେଡିଏସନ୍ ଥେରାପି ଦ୍ଵାରା କିଛିଟା ଚର୍ମରୋଗକୁ ଉପେକ୍ଷା କରାଯାଇପାରେନା । +ପ୍ରାରମ୍ଭିକଭାବେ ରୋଗୀର ଚର୍ମରେ ଉଷୁମ ରହିବା, ଲାଲ ପଡିବା, କୁଣ୍ଡେଇ ହେବା, ସ୍ପର୍ଶକାତରତା ଇତ୍ୟାଦି ହୋଇଥାଏ । +ତା’ପରେ ଏହାର ରଙ୍ଗ କଳା ପଡିଯାଏ । +କେତେକ ରୋଗୀଙ୍କ ପକ୍ଷରେ ଚର୍ମ ଶୁଖିଲା ଓ କଠିନ ହୋଇଯାଏ । +ସମୟେ ସମୟେ ଚର୍ମରୁ କାତି ଛାଡିଥାଏ । +ରେଡିଏସନ୍ ଚିକିତ୍ସାରେ ଥିବା ସମୟରେ ରୋଗୀ ସମ୍ପୂର୍ଣ୍ଣ ଗାଧୋଇ ପାରିବେ; କିନ୍ତୁ ସାବୁନ୍, ତେଲ, କ୍ରିମ୍ ବା ଅନ୍ୟ କୌଣସି ପ୍ରସାଧାନ ସମାଗ୍ରୀ ବ୍ୟବହାର କରିବେ ନାହିଁ । +ଗାଧୋଇବା ସମୟରେ ଆକ୍ରାନ୍ତ ଚର୍ମକୁ ଘଷିବା ଉଚିତ୍ ନୁହେଁ । +ଚିକିତ୍ସା ସମୟରେ ଢିଲା ବ୍ଲାଉଜ୍ ଓ ଢିଲା ବ୍ରା ପିନ୍ଧିବା ଉଚିତ୍ । +ରେଡିଏସନ୍ ଥେରାପି ଚିକିତ୍ସା ଚାଲୁ ରହିଥିବା ବେଳେ ସ୍ତନ ଭିତରେ ଥିବା ମାଂସପେଶୀ ଗୁଡିକ କଠିନ ଓ ସ୍ଥାଣୁ ହୋଇଯାଏ । +ଏହା ମାସ ମାସ ଧରି ଏପରିକି କେତେକବର୍ଷ ପର୍ଯ୍ୟନ୍ତ ମଧ୍ୟ ଏହି ଅବସ୍ଥାରେ ରହିଯାଏ ।