diff --git a/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_49 b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_49 new file mode 100644 index 0000000000000000000000000000000000000000..11f94d88f85b20193c916b54edfa2c4dc422b3df --- /dev/null +++ b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_49 @@ -0,0 +1,165 @@ +ଡକେଇତି +ଫତୁରାନନ୍ଦ +ତା: ସେପ୍ଟେମ୍ବର୍ ୧୫, ୨୦୧୨ +ମୂଳ ପୃଷ୍ଠା → ସ୍ମରଣୀୟ ଲେଖା → ଗଳ୍ପ → +ପଧାନ ଘରର ପୁରିଉଠିଥିବା ଶିରୀ ଦେଖି ଆଖପାଖରେ ଲୋକମାନେ ଅଥୟ ହୋଇପଡ଼ିଲେ । +ସମସ୍ତଙ୍କ ମୁହଁରେ ଖାଲି ହାଇ ହାଇ । +କାହାର ଛାତି କରତି ନ ହେଉଛି, ଏମିତି ଜଣେ ପାଇବନି । +ଚାରି ପାଞ୍ଚଜଣ ଏକାଠି ହେଲେ ଉଠିଲା ତା‘ରି କଥା । +ଦିନେ କହୁ କହୁ ଶଙ୍କରା କହିଲା, ‘ଲକ୍ଷ୍ମୀ ପଶିଲାବେଳେ ଏମିତି ପେଲି ପଶନ୍ତି । +କୋଉ ଶିରା ଦେଇ ନଡ଼ିଆରେ ପାଣି ପଶୁଛି କିଏ ଜାଣେ ? ସେମିତି ପଧାନ ଘରେ କୋଉବାଟେ ଲକ୍ଷ୍ମୀ ପଶୁଛନ୍ତି କିଏ କହିବ ?’ ଏହା ଶୁଣି ବନା କହିଲା, ମୁଁ କହିବି, ଗୋଟିଏ ବାଟ ନୁହେଁ, ଯେତେ ବାଟ ଅଛି ସବୁ କହିବି । +କାନ୍‌ତରାଟି, କେନ୍ଦୁପତ୍ର ଠିକାଦାରି, କଳା ବେପାର, ମହାଜନି ଆଦି ଏତେ ବାଟ । +ସବୁ ବାଟରେ ଲକ୍ଷ୍ମୀ ଧଇଁସଇଁ ହୋଇ ପଶୁଛନ୍ତି । +ବେଲୁନ ପରି ତା’ଘରଟା ଫୁଲିବାରେ ଲାଗିଛି । +ଜଣେ କହିଲା ‘ବେଶି ଫୁଲିଲେ ଠୋଃ ହୋଇଯିବ ।’ +ବନା କହିଲା, ‘ରାମ୍‌ବୋଲ-ଫାଟିବାର କିଛି ଲକ୍ଷଣ ଦିଶୁନାହିଁ । +ଆମ ପିଲାଏ ଅବା ତା ଠୋଃ କୁ ଦେଖିବେ । +ଏକ୍ଷଣି ତାର ଫୁଲିବାର ସମୟ ।’ +ଆଉ ଜଣେ କହିଲା, ‘ସେ ବ୍ରହ୍ମଶୋଷା ପଧାନ ଗଇଁଠା ପାଉଁଶ ପରି ଚାରିଆଡ଼ର ସମସ୍ତଙ୍କୁ ଶୋଷି ସିଠା କରିଦେଲାଣି ।’ +ଶଙ୍କରା କହିଲା, ‘ସେ କଅଣ ଖାଲି ଗଇଁଠା ପାଉଁଶ, ସେ ଗୋଟାଏ ଲକ୍ଷ୍ମୀ ଯନ୍ତା । +ଲକ୍ଷ୍ମୀ ତା’ ଘରକୁ ପଶିଯାଆନ୍ତି, କିନ୍ତୁ ବାହାରିବା ଦେଖିଛ ?’ ସମସ୍ତେ ଏକାବେଳକେ କହି ଉଠିଲେ, ‘ଆରେ ଯା ଯା କାଣିକଉଡ଼ିଟାଏ ତ ବାହାରିବ ନାହିଁ । +ପଇସା ତ ଦୂରର କଥା । +ଆଉ ବି ତା’ ପଇସା ହଉଛି ଗୋବର ଲେଣ୍ଡା; ଅକସ୍ମାତ ଯେଉଁଠି ପଡ଼ିବ, ସେଠୁ ମାଟି ନେଇ ଉଠିବ ।’ +କେତେଜଣ ଅତି ଅସହଣି ଟୋକା କହିଲେ, ‘ଶଳାର ଘରେ ଡକେଇତ ପୂରେଇଦେବା ।’ +ଡକେଇତଙ୍କୁ ଖୋଜି ପାଇବା ବଡ଼ କଷ୍ଟକର ବୋଲି ମତ ପ୍ରକାଶ ପାଇବାରୁ ଜଣେ ମୁରୁକିହସା ଦେଇ କହିଲା- ‘ଡକେଇତଙ୍କୁ ପାଇବା ସିନା ପୁଲିସ ପକ୍ଷରେ କଷ୍ଟ । +ଟିକିଏ ଇସାରା ଦେଲାମାତ୍ରେ ଦଶ, ପଚିଶ ଯେତେ ଚାହିଁବ ସେତେ ଆସି ହାଜର ହେବେ ।’ +ସମସ୍ତେ ଠିକ୍‌ କଲେ ପଧାନ ଘରେ ଡକେଇତ ପୂରାଇବେ । +ଖୋଜି ବସିଲେ ସବୁ କଥାକୁ ଯୁକ୍ତି ମିଳିଯାଏ । +ଏମାନଙ୍କର ଯୁକ୍ତି ହେଲା, ଯେହେତୁ ପଧାନ ସମସ୍ତଙ୍କୁ ଶୋଷି ନିଜର ଢୋଲ ବଢ଼େଇଛି ସମସ୍ତେ ତା’ ଘରେ ଡକେଇତ ପୂରେଇ ତାକୁ ଶୋଷିବେ । +ଯେସାକୁ ତେସା ନ ହେଲେ ଏ ଦୁନିଆରୁ ନପାରିଲା ଲୋକେ ପୋଛି ହୋଇଯିବେ । +କଥାଟା ପକ୍‌କା ହୋଇଗଲା । +ଡକେଇତଙ୍କୁ ନିମିତା କରିବାର ଭାର ଜଣକୁ ଦିଆଗଲା । +ବନା ଯେତେବେଳେ ଜାଣିଲା ସତକୁ ସତ ଡକେଇତି ବ୍ୟବସ୍ଥା ହେଉଛି ସେ କାନରେ ହାତ ଦେଲା । +ସମସ୍ତଙ୍କୁ ଡାକି କହିଲା, ’ଆରେ ଏ କି କଥା, ସମସ୍ତଙ୍କ ମୁଣ୍ଡ ବିଗିଡ଼ି ଗଲାଣି ନା କଅଣ ମ ? ଏମିତିଆ ମୂର୍ଖାମି ତ ମୁଁ କୋଉଠି ଦେଖିନି । +କଅଣ ତୁମ ମୁଣ୍ଡରେ ପଶିଛି ମୁଁ ବୁଝିପାରୁନି ।’ +ଜଣେ କହିଲା, ‘ଫେର୍‌ ବୁଝେଇବାକୁ ପଡ଼ିବ ? ସବୁ ବାଟରେ ଆମକୁ ଶୋଷି ସେ ଗଣ୍ଡି ବଢ଼େଇଛି । +ଆମେ ତାକୁ ଯଦି କୋଉ ବାଟରେ ଶୋଷି ପାରିଲୁ ତେବେ କି ମୁସ୍କିଲ ହୋଇଗଲା-’ ‘ସେ ଯେମିତି ଚାଲାଖିରେ ଶୋଷୁଛି ତମେ ସେମିତି ଚାଲାଖି କରି ଶୋଷୁନ-’ ‘ଶଳାଠୁ ତ ପଇସାଟାଏ ବି ନେଇ ହେଲାନାହିଁ । +ସବୁ ଉପାୟରେ ବିଫଳ ହେବାରୁ ସିନା ଏ ବାଟ ଧରିଲୁ ।’ +‘ଖବରଦାର୍‌ ଏ ବାଟ ଠିକ୍‌ ନୁହେଁ । +ଠିକ୍‌ ବାଟ ମୋତେ ଜଣା । +ତମର ଖାଲି ଶୋଷିବା ଯଦି ଲୋଡ଼ା ତେବେ ମୋ ବାଟରେ ଚାଲ । +ଟିକିଏ ଖାଲି ସମୟ ଦରକାର । +ଦେଖିବ ସେ ଛାଏଁ ଛାଏଁ ଆସି ତୁମମାନଙ୍କୁ ତା’ ଦେହରେ ଥଣ୍ଟ ଲଗାଇ ଶୋଷିବା ଲାଗି କାକୁତିମିନତି ହେବ । +ଏଇଟା ସୁବିଧା ହେବ ନା ଡକାଏତି ସୁବିଧା ହେବ ? ସେଥିରେ ପୁଲିସ୍‌ ବନ୍ଧୁକ, ଘୋଷରା, ମକଦ୍ଦମା, ତା’ ପରକୁ ଓଲଟି ଓକିଲ ଶୋଷା । +ଶୋଷିବାକୁ ଯାଇ ଓଲଟି ଶୋଷିତ ହେବ ।’ +ସମସ୍ତେ ଗୁଣୁଗୁଣେଇ ଉଠିଲେ- ଏଗୁଡ଼ାକ ଖାଲି ମନଗଢ଼ା କଥା । +ବରଜୁ ପଧାନ ଏଡ଼େ ଓଲୁ ନୁହେଁ । +ଜାଣିଥାଅ ବନା ବି ଓଲୁ ନୁହେଁ । +ପଧାନକୁ ସତର ଘଣାରେ ପାଣି ପିଆଇଲାବାଲା ମୁଁ । +ମୋତେ ଦୁଇଟି ମାସ ସମୟ ଦିଅ । +ଯଦି କିଛି ଫଳ ନ ହୁଏ ତେବେ ତୁମ ଦେଖିଲା କାମ ତୁମେ କରିବ । +ଆଉ ଦେଖ, ମୋ କଥା ଅନୁସାରେ ସମସ୍ତେ ଚଳିବ । +ମୋତେ ସର୍ଦ୍ଦାର ବୋଲି ଭାବିବ । +ବେଶି ନାହିଁ ମୋଟେ ଦୁଇଟା ମାସ, ସ୍ୟାଡ଼କୁ ପଚାରିଲେ ପଚାରିବ, ନ ପଚାରିଲେ ନାହିଁ । +ଏମିତିଆ କଥାରେ କିଏ ବା ରାଜି ନ ହେବ । +ପୁଲିସ, ବନ୍ଧୁକ, ଓକିଲ, କଥା ଶୁଣି କେତେଜଣ ଘାବରେଇ ଯାଇଥିଲେ । +ସେମାନେ ବି ଟିକିଏ ନିଃଶ୍ବାସ ମାରିଲେ । +ସର୍ବସମ୍ମତିକ୍ରମେ ପ୍ରସ୍ତାବଟି ଗୃହୀତ ହୋଇଗଲା । +ବନମାଳୀ ବରଜୁ ପଧାନଙ୍କର କାନକୁହା ସାଜିଲେ । +ମନ୍ତ୍ରୀ ହେବାରେ ଯେ, ଏତେ ଲାଭ ପଧାନେ ଭାବିପାରି ନ ଥିଲେ; ବନା ତାଙ୍କ ଆଖି ଝଲସେଇ ଦେଲା । +ତା’ଦ୍ବାରା ପ୍ରସ୍ତୁତ ଆୟବ୍ୟୟ ତାଲିକା ଦେଖି ପଧାନେ ଏକାବେଳକେ ଭୋଳ । +ପ୍ରଥମେ ମାତ୍ର ଚାରିଅଣା ଖର୍ଚ୍ଚ । +ଗୋଟିଏ କଂଗ୍ରେସ ମେମ୍ବର ହେବାକୁ ପଡ଼ିବ । +ଜିଲ୍ଲା ଓ ପ୍ରାଦେଶିକ ମେମ୍ବରଙ୍କ ମୁହଁ ଚିକଣେଇବାରେ ହଜାରେ ଦୁଇହଜାର ଯିବ । +ଟିକଟ ପାଇବାର ଗୁଞ୍ଜାଗୁଞ୍ଜି ରେ ଦି’ ହଜାର, ଭୋଟ ଲଢ଼େଇରେ ଅତି କମ୍‌ରେ ଦଶହଜାର, ଗାଏମୋଟ ଚଉଦ ବା ପନ୍ଦର ହଜାର ଖର୍ଚ୍ଚ । +ମନ୍ତ୍ରୀ ହେବା ପରେ ଗୋଟାଏ ଗୋଟାଏ ଥୋପରେ ୩୦/୪୦ ହଜାରରୁ କମ୍‌ ମିଳିବ ନାହିଁ । +ତା’ ଉପରେ ପୁଣି ଦରମା ୫ ବର୍ଷକୁ ମୋଟାମୋଟି ଦେଢ଼ ଲକ୍ଷ । +ତା’ ଉପରକୁ ପୁଣି ଗସ୍ତଖର୍ଚ୍ଚ ଅଛି । +ପଧାନଙ୍କ ଆଖି ଖୋସି ହୋଇଗଲା । +ସେ ବନାକୁ ଜକଟି ମକଟି ଧରିଲା । +ତଳିଆ ଆଡ଼ୁ ଦିହ ଉଲୁସି ଉଠିଲା । +ଅତି ବିଶ୍ବାସରେ ବନାକୁ ପଚାରିଲା- ‘ଆଛା ମୁଁ ତ ପାଠଶାଠ ସେମିତି କିଛି ପଢ଼ିନି ।’ +ବନା ଖେଁ ଖେଁ ହୋଇ ବହେ ହସିସାରିବା ପରେ କହିଲା, ‘ସେଥିପାଇଁ ତ ପାଠ ବିଲ୍‌କୁଲ୍‌ ଦରକାର ନାହିଁ । +ସବୁକାମ ସେକ୍ରେଟାରୀ, କିରାନିମାନେ କରିଦେବେ । + ତୁମେ ଖାଲି ମଞ୍ଜୁର କରି ଲେଖି ଦସ୍ତଖତ୍‌ ମାରିପାରିବନି ?’ +‘ହଁ ହଁ, ତା’ ପାରିବି । +ଇଂରେଜୀରେ ବି ଦସ୍ତଖତ୍‌ କରିଦେଇ ପାରିବି ।’ +‘ଏଁ ତମେ ୟା’ ଭିତରେ ଇଂରେଜୀରେ ଦସ୍ତଖତ୍‌ କରି ଶିଖିଲଣି ?’ +‘ହଁ ହଁ, ଚେକ୍‌ ଫେକ୍‌ରେ ବହୁତ ଦସ୍ତଖତ୍‌ ଦେବାକୁ ପଡ଼ିଲା । +ବହୁତ ପରିଶ୍ରମ କରି ସେଇଟା ଶିଖିନେଲି । +ସେତିକି ନୁହେଁ, ଚାରିଣିଆ ଉଆର୍ଡ଼୍‌-ବୁକ୍‌ଟା ଘୋଷି ମୁଖସ୍ଥ କରିଦେଇଛି ।’ +‘ତେବେ ତ କି କିସ୍ତୀମାତ୍‌ । +ଆଉ ଚିନ୍ତାନାହିଁ ! ସେଠି ଖାଲି ଟଙ୍କା କାରବାର । +ହିସାବ କିତାବରେ ତୁମକୁ କେହି ବଳିଯିବେ ନାହିଁ ।’ +‘ସେଥିରେ ପୁଣି ମୋତେ କିଏ ପାରିବ ? କେତେ ଇନ୍‌କମ୍‌ ଟିକସ ଅଫିସର, କେତେ ସେଲ୍‌ ଟିକସ ଅଫିସରଙ୍କୁ ଭୁଆଁ ବୁଲେଇ ଦେଇଛି । +ପୁଅମାନେ ସମସ୍ତେ କାନମୁଣ୍ଡା ଆଉଁସି ଫେରିଯାଇଛନ୍ତି । +‘ବାସ୍‌ ବାସ୍‌, ଆଉ କିଛି ଚିନ୍ତା ନାହିଁ । +ଆଉ ଦେଖ ମୁଁ କାମରେ ଲାଗିଲି । +ତୁମେ ତ ଜାଣ ବେପାରରେ କେମିତି ଟଙ୍କା ଲଗାଇବାକୁ ହୁଏ । +ବଖତ ବେଳକୁ ଗାଞ୍ଜିଆ ଚିପିଲେ ଚଳିବ ନାହିଁ । +ଚାଲିଲି ମୁଁ କଂଗ୍ରେସ ଅଫିସ ।’ +ତାଡ଼ାଏ ବାଘୁଆ ନୋଟ୍‌ ତା’ ହାତରେ ଗୁଞ୍ଜିଦେଇ ପଧାନ ତାକୁ ବିଦାୟ ଦେଲା । +ବନାକୁ ସଦଳବଳ କଂଗ୍ରେସ ଅଫିସ୍‌ରେ ଦେଖିବାମାତ୍ରେ ସମ୍ପାଦକ ତଥା ସଭାପତି ଏକାବେଳେକେ ଆନନ୍ଦରେ ଅଥୟ । +ପ୍ରଶ୍ନ ଉପରେ ପ୍ରଶ୍ନ- ଆଜ୍ଞା କେମିତି ଅଛନ୍ତି, ପିଲାପିଲି ଭଲ ତ । +ଆମ୍ଭମାନଙ୍କୁ ଭୁଲିଗଲେ କି, ଆପଣଙ୍କ ଥାନାର ହାଲଚାଲ କ’ଣ-ଅନୁରୋଧ ଉପରେ ଅନୁରୋଧ- ଏଠି କିଛିଦିନ ରହନ୍ତୁ । +କିଛି ଜଳଯୋଗ ନକରାଇ ଛାଡ଼ିବୁ ନାହିଁ । +ଏଇଟା ଆପଣଙ୍କ ଘର, ଏଇଠି ରହନ୍ତୁ, କାହିଁକି ଆଉ କାହା ଘରକୁ ଯିବେ, ଖିଆପିଆ ବନ୍ଦୋବସ୍ତଟା ଏଇଠି ହେଉ ଇତ୍ୟାଦି । +ଛଡ଼ିଦାରସହ ପଣ୍ଡାଏ ଯାତ୍ରୀଙ୍କୁ ପାକଳେଇବାଠାରୁ ଏମାନଙ୍କର ପାକଳାପାକଳି ଢେର୍‌ ଢେର୍‌ ବଳିଗଲା । +ବନା ଓ ତା’ ସଙ୍ଗୀମାନେ ମନେମନେ ଭାବୁଥାନ୍ତି ଆ-ହା-ହା-ହା କେତେ ଦରଦ, ଅଲାଜୁକଙ୍କ ଦରଦ ମୁଣି ଫାଟିଯାଇଛି । +ବର୍ଷେ ଦି’ ବର୍ଷ ତଳେ ୟାଙ୍କଠି ତେଲ ଲଗେଇ ଲଗେଇ ହାତ ବିନ୍ଧିଲା ପଛେ ଦୃଷ୍ଟି ଟିକଏ ପଡ଼ୁ ନଥିଲା । +ବେହିଆ, ଥୋବରା ଭାବିଛନ୍ତି ନିର୍ବାଚନ ଦୁଇମାସ ବୋଲି ଆମେ ଜାଣିନୁ । +ସୀମା ଆନ୍ଦୋଳନ ବେଳର ପୁଲିସ୍‌ ଠେଙ୍ଗୁଣି ଆମେ ଭୁଲିଯାଇଛୁ । +ବଚ୍ଚା, ତୁମେ ଡାଳେ ଡାଳେ ଗଲେ ଆମେ ପତ୍ରେପତ୍ରେ ଯିବୁ । +ପାଞ୍ଚବର୍ଷ ଅତ୍ୟାଚାରର ବଦଲା ଏଇ ଦୁଇ ମାସରେ ନେବୁ । +ମନକଥା ମନରେ କିନ୍ତୁ ବାହାର କଥାଟା ଠିକ୍‌ ଓଲଟା । +ବହୁ ବୁଝାବୁଝି ପରେ ସୁଦ୍ଧା ସଭାପତି ଟିକିଏ କୁନ୍ଥୁକୁନ୍ଥୁ ହେବାରୁ ବନା ତାଙ୍କୁ କଡ଼ ଘରକୁ ଡାକିନେଇ ସାଫ୍‌ ସାଫ୍‌ କହିଦେଲା- ଦେଖ ପଧାନକୁ ଟିକଟ ନ ଦେଲେ ସେ ସ୍ବାଧୀନ ଭାବରେ ଠିଆ ହେବ । +ଟଙ୍କା ଦେଇ ଭୋଟ୍‌ କିଣିବା ପାଇଁ ତା’ର ଅକଳନ୍ତି ଟଙ୍କା ଅଛି । +ତୁମେ ଖୁବ୍‌ ଦେଲେ ଛ’ହଜାର ଦେବ । +ତୁମେ କିଛି ନଦେଲେ ବି ସେ ଛ’ର ଛଅ ଗୁଣ ଖର୍ଚ୍ଚ କରିପାରିବ । +ତୁମେ ଟିକଟ ଦିଅ । +ସେ ଛ’ ହଜାର ଛାଡ଼ିଦେବ । +ମୋତେ ହଜାରେ ଦେଇ ତୁମେ ପାଞ୍ଚ ହଜାର ବାଣ୍ଟିନେବ । +ଏତକ ନ କଲେ ଆମେ ସମସ୍ତେ ପଧାନ ପାଇଁ କାମ କରିବୁ । +ସଭାପତି ଏକାବେଳେକେ ପାଣି ହୋଇଗଲେ । +ଗଡ଼ ଜୟକରି ବନା ସଦଳବଳ ଫେରିଲା । +ଭୋଟ୍‌ ଲଢ଼େଇ ଯହୁଁ ଯହୁଁ ଗରମ ହେଉଥାଏ, ପଧାନ ତହୁଁ ତହୁଁ ବନାକୁ ବେଶି ଜକଟି ମକଟି ଧରୁଥାଏ । +ଏଇ ବନା ଲାଗି ସିନା ତା’ର ଉନ୍ନତି । +ଆଜି ମୁତଫରକା କର୍ମୀଠାରୁ ଆରମ୍ଭ କର ପ୍ରଧାନମନ୍ତ୍ରୀ ପର୍ଯ୍ୟନ୍ତ ତା’ ଘରେ ଅତିଥି । +ନିତି ତା’ ଘରେ ବାହାଘର ମଉଛବ । +ବନା ଏକାବେଳେକେ ଦୁଇ ଫାଳ । +ଗୋଟିଏ ଫାଳ ପଧାନକୁ କହି ଲାଗେ- ଖୋଲ ମୁଣି ଖୋଲ । +ମନେରଖ ଖାଲି ଦରମା ଦେଢ଼ଲକ୍ଷ, ୟାର ବହୁଗୁଣ ଉପୁରି । +ଆଉ ଆର ଫାଳଟା ଫୁସ୍‌ଫୁସ୍‌ କରି ଲୋକଙ୍କ କାନରେ କହେ- ମେଘ ବରଷୁଛି ପିଇଯାଅ ପାଣି । +ମେଘ ତୁମରି ପରି ହ୍ରଦ, ପୋଖରୀ, ଗଡ଼ିଆ, ଟୁବରୁ ପାଣି ଶୋଷି ଶୋଷି ନେଇଥିଲା; ମୁଁ ତାକୁ କାଲୁଆ କରିଛି । +ସେ ଏବେ ବରଷୁଛି । +ପାଣି ଯେଉଁଠୁ ଯାଇଥିଲା, ଠିକ୍‌ ସେହିଠାକୁ ଫେରି ଆସିବ । +ହୁସିଆର ହୋଇ ପିଇଯାଅ । +କିନ୍ତୁ ଖବରଦାର, ପଇସା ଖାଇ ଇଜ୍ଜତ ବିକନା, ବୁଝି ସମଝି ଭୋଟ ଦିଅ । +ପଇସା ଲୋଭରେ ଯେମିତି ମା ଭଉଣୀଙ୍କୁ ନ ବିକ । +ଏ ବେପାରରେ ୪୦ ହଜାର ଟଙ୍କା ଖଟେଇ ସାରିବା ପରେ ପଧାନ ବନାମୁହଁକୁ ଚାହିଁଲା । +ବନା ଆଶ୍ବାସନା ଦେଇ କହିଲା ଭୟ ନାହିଁ ଭୋଟର ସଂଖ୍ୟା ଯେତେ ଆମର କର୍ମୀ ତା’ର ପାଖାପାଖି । +ବେପାରରେ ଟଙ୍କା ଲଗାଣ ମୁଁ କଅଣ ତୁମକୁ ଶିଖେଇବି । +ଲାଭକୁ ମନରେ ରଖି ଟଙ୍କା ଲଗାଅ । +ଏତେବେଳେ ଟିକିଏ ପଛେଇଲେ ଏ ଚାଳିଶି ହଜାର ପାଣିରେ ପଡ଼ିବ । +ଖବରଦାର୍‌ ! ପଧାନ ଡରିଯାଇ ଟ୍ରେଜେରି ମେଲା କରିଦେଲା । +ପାରାଭାଡ଼ି ଖୋଲିଦେଲେ ଯେପରି ପାରାଗୁଡ଼ିକ ଫଡ଼୍‌ଫାଡ଼୍‌ ହୋଇ ପଦାକୁ ଉଡ଼ି ଆସନ୍ତି, ଟ୍ରେଜେରି ଖୋଲା ହୋଇଯିବାରୁ ଅବରୁଦ୍ଧ ନୋଟ୍‌ଗୁଡ଼ାକ ପଡ଼୍‌ଫାଡ଼୍‌ ପଦାକୁ ଉଡ଼ି ଆସିଲେ । +ବନାଦଳିଆ ଟୋକାମାନେ କରୁଳି ଉଠିଲେ । +କାଳେ କେହି ବିରୁଦ୍ଧଦଳିଆ ପଧାନ କାନରେ ଫୋଡ଼ିଦେବ ଯେ ସେ ତାକୁ ଭଣ୍ଡେଇ ପଇସା ଲୁଟିବାରେ ଲାଗିଛି, ସେଥିଲାଗି ବନା ଆଗରୁ ସତର୍କ ହୋଇ ପଧାନକୁ ଜଣେଇଦେଲା, ‘ଦେଖ ବିରୁଦ୍ଧବାଲା ଏକାବେଳେକେ ଆଣ୍ଠେଇ ପଡ଼ିଲେଣି । +ତାଙ୍କର ଭୟ ହେଲାଣି ଯେ ଡ଼ିପୋଜିଟ୍‌ ଟଙ୍କା ବି ଉଡ଼ିଯିବ । +ସିଧା ବାଟରେ ନ ପାରି ସେମାନେ ବଙ୍କା ବାଟ ଧରିବେ ବୋଲି ମୁଁ ଶୁଣିପାରୁଛି । +ମୁଁ ତୁମ ଟଙ୍କାଗୁଡ଼ିକ ବିନର୍ବ୍ୟୟ କରିଦେଉଛି ବୋଲି କହି ତୁମକୁ ବିଗିଡ଼େଇ ଦେବାକୁ ବସିଲେଣି । +କିଏ କେଉଁ ଉଦ୍ଦେଶ୍ୟ ରଖି କଅଣ କହୁଛି ସେଥିପ୍ରତି ଟିକିଏ ହୁସିଆର ରହିବ । +ଏତିକିବେଳକୁ ଆଉ ଜଣେ ନସର ପସର ହୋଇ ଧାଇଁ ଆସି କହି ପକେଇଲା- ‘କାଲି ଆର ପାଖର ମୁଣ୍ଡିଆମାନେ ମନ୍ତ୍ରଣା କରୁଥିଲେ, କେମିତି ବନାକୁ ପଧାନଠାରୁ ଛଡ଼େଇ ନେବେ । +ଜଣେ କହିଲା ବନା ବିରୁଦ୍ଧରେ ଗୁଡ଼ାଏ ଲଗେଇଜୁଟେଇ କହିଲେ ତା’ର ନିଶ୍ଚୟ ଅବିଶ୍ବାସ ଜାତ ହେବ । +ଆଉ ବନା ଯେପରି ଖାଣ୍ଟି ଲୋକ, ସେ ପଧାନର ଟିକିଏ ଅବିଶ୍ବାସ ଦେଖିଲେ ସଙ୍ଗେ ସଙ୍ଗେ ଅଲଗା ହୋଇଯିବ । +ବନା ଅଲଗା ହେଲେ କାମ ଫତେ ।’ +ଶୁଣିଲାମାତ୍ରେ ପଧାନ ବନାକୁ ଜାବୁଡ଼ିଧରି, ମୁରୁକିହସା ଦେଇ କହିଲା- ‘ଓହୋ ! ମୋତେ କେଡ଼େ ଓଲୁ ବୋଲି ବିଚାରିଛନ୍ତି । +ବନୁକୁ ପୁଣି ମୋଠାରୁ ଛଡ଼େଇ ନେବେ । +ଦେଖି କାହାର ଦଉଡ଼ କେତେ ।’ +ଭୋଟ୍‌ ଦିଆହେବା ଦିନ, ପଧାନ ଛାମୁଡ଼ିଆ ତଳେ ସବୁ ଭୋଟରଦଳ ହାଜର । +ବିରୁଦ୍ଧଦଳିଆଙ୍କ ଥାନରେ କୁଆ ଉଡ଼ୁଥାଏ । +ସବୁ ଭୋଟନିଆ ଜାଗାରେ ଏକା କଥା । +ବନା ସବୁ ଥାନରେ ଶେଷ ଖିଆପିଆର ଧୁମ୍‌ ଲଗେଇ ଦେଇଥାଏ । +ବେଳେବେଳେ ଜଣ ଜଣକୁ ଆଖିଠାର ମାରି ଫୁସ୍‌ଫୁସ୍‌ କରି କହି ଦେଉଥାଏ ଭଲକରି ଖାଅ, ଖୁଆଅ, ଏଇ ଶେଷଖିଆ । +ନିର୍ବାଚନ ଫଳ ବାହାରିଲା । +ପଧାନ ଘର ଶୂନ୍‌ଶାନ ପଡ଼ିଗଲା । +ପଧାନ ବିଚରା କତରା ଧରିଲା । +କିନ୍ତୁ ଆଉ ଏକ ଗାଁରେ ଥିବା ଏକ ଘରେ ବନାକୁ ସମ୍ବର୍ଦ୍ଧନା କରିବାକୁ ଦଳେ ଟୋକା ଜମିଥାଆନ୍ତି । +ବନା ସେମାନଙ୍କୁ କହିଲା- ତୁମେ ଯେଉଁ ଡକେଇତି କରିବ ବୋଲି ବସିଥିଲ ସେଇଟା ଭଲ ନା ଏଇଟା ଭଲ । +ପଧାନ ଡାକିଡ଼ୁକି ତୁମ ସମସ୍ତଙ୍କୁ ନେଲା, ଡକେଇତି କରିବାକୁ ଟ୍ରେଜେରି ଖୋଲିଦେଲା । +ଡକେଇତି ସରିବା ପରେ ଦିବ୍ୟ ରାଜାଘର ଖାନା ଦେଇ ବିଦା କଲା । +ଏଥିରେ ପୁଲିସର ବଡ଼ବୋପା ବି କିଛି କରିପାରିବ ନାହିଁ । +ସବୁଠାରୁ ବଡ଼ ଭୟ ଥିଲା ଇଜ୍ଜତ୍‌ । +ତାହା ବି ଆମ ଗାଁଆ ଲୋକେ ବଜାଏ ରଖିଛନ୍ତି । +ପଇସା ଲୋଭରେ ନିଜିନିଜର ମାଇପ ବିକିନାହାନ୍ତି । +ଆନନ୍ଦର କୋଳାହଳ ଭିତରେ ବନାର କଥାଗୁଡ଼ାକ ଲୁଚିଗଲା ।