From 6f61e2a98fe13435002c670155c0884945f75a93 Mon Sep 17 00:00:00 2001 From: Nayan Ranjan Paul Date: Tue, 27 Sep 2022 12:09:17 +0530 Subject: [PATCH] Upload New File --- .../odiasahitya.com/sent_odiasahitya_lekha_41 | 188 ++++++++++++++++++ 1 file changed, 188 insertions(+) create mode 100644 Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_41 diff --git a/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_41 b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_41 new file mode 100644 index 0000000..1c3ddb4 --- /dev/null +++ b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_41 @@ -0,0 +1,188 @@ +ନାୟଗ୍ରା ଓ ଦେବଯାନୀ +କୃଷ୍ଣପ୍ରସାଦ ମିଶ୍ର +ତା: ନଭେମ୍ବର୍ ୨୮, ୨୦୧୨ +ମୂଳ ପୃଷ୍ଠା → ସ୍ମରଣୀୟ ଲେଖା → ଗଳ୍ପ → +ସମ୍ମୁଖରେ ଭୀମକାନ୍ତ ନାୟଗ୍ରା ପ୍ରପାତ ସ୍ବୟଂଭୁ ଶଙ୍କରଙ୍କ ମୌଳି ଉପରେ ଚତୁର୍ଥୀ ଚନ୍ଦ୍ର । +ଚତୁର୍ଥୀ ଚନ୍ଦ୍ରର ଆକାର ନାୟାଗ୍ରା ପ୍ରପାତର । +‘‘ପବନଃ ପବତାମସ୍ମି ରାମଃ ଶସ୍ତ୍ରଭୃତାମହମ୍‌ ଝଷାଣାଂ ମକଶ୍ଚାସ୍ମିଂ ସ୍ରୋତସାମସ୍ମି ଜାହ୍ନବୀ ।’’ +ଜାହ୍ନବୀ କିଏ ? ନାୟଗ୍ରା କିଏ ? +ଗୋଟିଏ ସୌନ୍ଦର୍ଯ୍ୟର ଗୋଟିଏ ପ୍ରକାଶ । +ନଚିକେତା ଓ ମୁଁ ଗଦ୍‌ଗଦ ଚିତ୍ତରେ ନମସ୍କାର କଲୁ । +ଗାଢ଼ ନୀଳ ରଙ୍ଗର ନାୟଗ୍ରା ପ୍ରସ୍ତର ଚଟାଣ ଉପରୁ ପରମ ଉଲ୍ଲାସରେ ଡେଉଁଛି । +କେତେ ତଳକୁ ? କାହିଁକି ? ଅଯଥା ପ୍ରଶ୍ନ । +ନଟରାଜର ନୃତ୍ୟରେ ଅର୍ଥ ନାହିଁ, ସୌନ୍ଦର୍ଯ୍ୟ ଅଛି । +ପ୍ରତ୍ୟେକ ପଦପାତରେ ତ ଲକ୍ଷ ବ୍ରହ୍ମାଣ୍ଡର ସୃଷ୍ଟି । +ଡିବିଡିବି ନାଦର ପରମ ସଙ୍ଗୀତ । +ହା ହା, ହୋ ହୋ, ହି ହି- ନାୟଗ୍ରାର ହସ, ଧାବବତୀ ନଦୀର ଉଚ୍ଛୃଙ୍ଖଳ ହସ । +କୋଟି କୋଟି ଜଳକଣା ମଲ୍ଲୀକଢ଼ ପରି ଶୁଭ୍ର । +ଫୁଲର ବାସ୍ନା, ଜଳକଣାର ସ୍ପର୍ଶ, ଅଧରାମୃତ ସ୍ବାଦୁ । +ମହାକାଳ ଶ୍ବାସରୁଦ୍ଧ ହୋଇ ଠିଆହୋଇ ଯାଇଛି । +ଅତ୍ୟଧିକ ଆନନ୍ଦରେ ପ୍ରମତ୍ତ ଦେବଦେବୀ – ଆକାଶ ବକ୍ଷରେ ଶ୍ବେତ ରଙ୍ଗର ଗୁଡ଼ାଏ ମେଘ । + ଗଙ୍ଗା, ନାୟଗ୍ରା ନୀଳ ଶାଢ଼ୀ ପିନ୍ଧି ଶିବ ଦର୍ଶନରେ ସିନା ଆସିଥିଲେ ! ସୃଷ୍ଟିବେଳେ, ଲୀଳାମୟର ଲୀଳାବେଳେ ଆନନ୍ଦମୟ ଚେତନାର ବଜ୍ରାଲିଙ୍ଗନ ସମୟରେ- +ନୀଳଶାଢ଼ୀ ଅଙ୍ଗ ଛାଡ଼ି ଆକାଶରେ ବ୍ୟାପିଯାଇଛି, +ଉଲଗ୍ନା ନାୟଗ୍ରାର ଶଙ୍ଖମର୍ମର ପରି ଅବୟବ । +ଅସଂଖ୍ୟ ଜନ୍ମର ଅବରୁଦ୍ଧ ଇଚ୍ଛା, ଆକାଂକ୍ଷା, କଳ୍ପନା, ଆବର୍ତ୍ତିତ ଜଳରାଶି- ନାୟଗ୍ରାର ବକ୍ଷ – ଲମ୍ଫ ପ୍ରଦାନ ପୂର୍ବରୁ ସ୍ଫୀତ ହୋଇଉଠିଛି କୋଣାର୍କର ମୃଦଙ୍ଗବାଦିକାର ସ୍ଫୀତ ବକ୍ଷପରି । +ସୃଷ୍ଟି, ସୃଷ୍ଟି !! ହର ପାର୍ବତୀଙ୍କର ମିଳନ ସ୍ଥାନ । +ଓଂ ନମଃ ଶିବାୟଃ !!! +ନଚିକେତା ଓ ମୁଁ ନମସ୍କାର କଲୁ । +ପାଖରେ ଠିଆ ହୋଇଥିବା ଟୁରିଷ୍ଟ୍‌ କେତେଜଣ ଆମ ଆଡ଼କୁ ଆଶ୍ଚର୍ଯ୍ୟ ହୋଇ ଚାହୁଁଥାନ୍ତି । +ପଚାରିବାକୁ ଅନେକ ପ୍ରଶ୍ନ ମନରେ । +ହୃଦୟରେ ସଙ୍କୋଚ ଓ ଲଜ୍ଜା । +କିଛି ସମୟ ଚାହିଁ ସେମାନେ ପୁଣି ନାୟଗ୍ରାର ଫଟୋ ଉଠାଇବେ । +ଯୋଷିକା, କନିକା, ଫୁଜିକା, ଆଗଫା – ଆଗରୁ ନିଧାର୍ଯ୍ୟ ସମୟ ଭିତରେ ଫିଲ୍ମ ସାରିବାକୁ ହେବ । +ପତ୍ନୀକୁ ତାଗିଦା, ରେଲିଂ ଉପରକୁ ଅଳ୍ପ ଆଉଜ, ବେଶୀ ନୁହେଁ-ଠିକ୍‌ ଅଛି । +ବର୍ତ୍ତମାନ ହସ । +ତା’ପରେ ହସ – କ୍ଲିକ୍‌ । +ନେକ୍‌ଷ୍ଟ – ପିଲାଏ ମା’ ପାଖକୁ ଦଉଡ଼, ଜଲଦି ଦଉଡ଼ । +ଡେରି ହୋଇଯାଉଛି, ବାଙ୍ଗ୍‌ଲୋ ଫେରିବାକୁ ହେବ । +ପିଲାଏ ଦଉଡ଼ୁଛନ୍ତି ହାୱାନି ଉପରେ ଟୁଇଷ୍ଟ୍‌ ନୃତ୍ୟର ଛବି – ପିଲାଏ ଠିଆହେଲେ । +କ୍ଲିକ୍‌ । +ସବୁ ଧରାବନ୍ଧା, ପୂର୍ବରୁ ନିଧାର୍ଯ୍ୟ । +ନାୟଗ୍ରାରେ ଦୁଇ ଘଣ୍ଟା, ଗୋଟିଏ ଫିଲ୍ମ । +ହୋଟେଲ୍‌ରେ ପଇଁଚାଳିଶ ମିନିଟ୍‌, ଡ୍ରାଇଭିଂ କରି ଘରେ ପହଁଚିବାକୁ ଦୁଇ ଘଣ୍ଟା । +ସ୍ତ୍ରୀକୁ ହନି ବା ଡାର୍ଲିଂ ସମ୍ବୋଧନ କରାଯିବ, ପ୍ରେମିକାକୁ ବେବି ବା ସେହିପରି କିଛି । +ସେହିପରି ଗିର୍ଜା ଭିତରେ ପ୍ରଭୁ, ବାହାରେ ସଂସାର । +ଈଶ୍ବର ନୁହେଁ । +ପ୍ରେମିକା, ପ୍ରେମିକ, ସ୍ତ୍ରୀ, ନାୟଗ୍ରା ନାୟଗ୍ରା; ପ୍ରଭୁ ଯିଶୁ ଯିଶୁ – ସବୁ ଅଲଗା, ଅଲଗା ସବୁରିର ସ୍ବତନ୍ତ୍ର ସ୍ଥାନ ନିଧାର୍ଯ୍ୟ । +ନଚିକେତା ଓ ମୁଁ ରାସ୍ତାଠୁ କିଛି ଦୂରରେ ଯାଇ ବସିଥିଲୁ ଘାସଗୁଡ଼ାକ ଉପରେ । +ନଚିକେତା ପଛଆଡ଼େ ଫ୍ଳୋରିଡ଼ା ଟାଇପ୍‌ ୱାଗେଲିଆ ଫୁଲ ଗଛର ଧାଡ଼ି, ତାକୁ ଲାଗି ପିଙ୍କ୍‌ ସ୍ଫିରିଆର ବେଦୀ । +ସବୁ ଗଛରେ ଫୁଲ । +ନଚିକେତା ! ପଛରେ ଫୁଲଗଛଗୁଡ଼ାକ, ଟିକିଏ ଆଗକୁ ଚାଲିଆ । +ନଚିକେତା ଆଗକୁ ଘୁଞ୍ଚି ଆସିଲା । +କିଛି ପଛରେ ମଟରକାର ପାର୍କିଂ ପାଇଁ ଜାଗା । +ମଟରକାର୍‌ ଗୁଡ଼ାକ ଅସଂଖ୍ୟ-ଧାଡ଼ିଧାଡ଼ି ହୋଇ ପାର୍କିଂ ହୋଇଛି । +ସାରା ବାତାମଣ୍ଡଳରେ ଯାତ୍ରା, ଉପଭୋଗର ଚେତନା । +ନାୟଗ୍ରାକୁ କ୍ୟାମେରା ଭିତରକୁ ଆଣିସାରିବା ପରେ ପରସ୍ପରର ମୁଖ, ଅବକ୍ଷୟ, ବକ୍ଷ, ବେଶଭୂଷାକୁ ଚାହିଁବା ବା ରେସ୍ତୋରାଁ ଭିତରକୁ ପଶି କଫି ପିଇବା, ନଚେତ୍‌ କିଛି ଖାଇବା ପାଇଁ ସମସ୍ତଙ୍କର ଉଦ୍‌ଯୋଗ । +ଦୁଇଜଣ ଆମେ ବ୍ୟତିକ୍ରମ ଥିଲୁ; ମୁଁ ଓ ମୋର ଏକମାତ୍ର ସନ୍ତାନ ନଚିକେତା । +ନଚିକେତାକୁ ମୁଁ ବୁଝାଉଥିଲି ଜଣେ ଶିକ୍ଷିତ ଭାରତୀୟର ଜୀବନଦର୍ଶନ । +ଆମମାନଙ୍କର ନମସ୍କାର ଏହି ପ୍ରପାତ – ଦୈର୍ଘ୍ୟ, ପ୍ରସ୍ଥ, ଉଚ୍ଚତାବିଶିଷ୍ଟ ଗୋଟିଏ ପ୍ରପାତ ପ୍ରତି ଉଦ୍ଦିଷ୍ଟ ନୁହେଁ । +ପ୍ରପାତରେ ପ୍ରକାଶିତ ଚିରନ୍ତନ ଯେଉଁ ସୌନ୍ଦର୍ଯ୍ୟ ତା’ରି ପ୍ରତି ଆମେ ସମ୍ମାନ, ଶ୍ରଦ୍ଧା ଓ ଭକ୍ତି ଜଣାଉଛୁ । +ସକଳ ସୌନ୍ଦର୍ଯ୍ୟର ଆଧାର ଈଶ୍ବର ବହୁ ରୂପରେ – ଉଷାରେ, ସନ୍ଧ୍ୟାରେ, ଅସୀମ ଆକାଶର ନୀଳିମାରେ, ଜ୍ୟୋତିର୍ମୟ ତାରକାପୁଞ୍ଜରେ ପ୍ରକାଶିତ । +ମନ୍ଦିର, ମସ୍‌ଜିଦ୍‌, ଗିର୍ଜା, ସିନାଗଗ୍‌ – ଏଗୁଡ଼ାକର ସୃଷ୍ଟିରେ ଈଶ୍ବର ନାହାନ୍ତି । +ଏଗୁଡ଼ାକର ସୃଷ୍ଟି ଯେବେଠୁ ଅସୀମକୁ ସସୀମ, ସୁନ୍ଦରକୁ ଅସୁନ୍ଦର କରିବାର ଚେଷ୍ଟା ସେଇଠୁଁ । +ଋଷି ପାଇଁ ମନ୍ଦିର ନଥିଲା, ଯିଶୁ ପାଇଁ ଗିର୍ଜା ନଥିଲା କି ମହମ୍ମଦ ପାଇଁ ନଥିଲା ମସ୍‌ଜିଦ୍‌ । +ନଚିକେତା – ତ୍ରୟୋଦଶ ବର୍ଷର ମୋର ସନ୍ତାନ, ମୋ କଥାକୁ ବୁଝିବାକୁ ଚେଷ୍ଟା କରୁଥିଲା । +ତା’ ମୁଖମଣ୍ଡଳରେ ମୁଁ ଦେବଯାନୀର ଆକୃତି ଦେଖୁଥିଲି । +ଦେବଯାନୀର ନାକ ପରି ଅବିକଳ, ଦାନ୍ତଗୁଡ଼ାକ ବି ତା’ରି ପରି । +ଦେବଯାନୀ ମରିଯାଇଚି, କିନ୍ତୁ ସେ ଥିଲାବେଳେ ବି ଠିକ୍‌ ଏହିପରି ବସି ଜୀବନଦର୍ଶନ ମୋର ଶୁଣୁଥିଲା, ମୁଁ କ୍ଳାନ୍ତ ହୋଇ ବନ୍ଦ କରିଦେଲେ କହୁଥିଲା – ଆଜି ଯେଉଁଠି ବନ୍ଦ କରୁଛ, କାଲି ସେହିଠାରୁ ଆରମ୍ଭ କରିବ । +ଆଜି ତୁମେ ଯାହାସବୁ କହିଲ ସେସବୁ ଉପରେ ମୁଁ ଚିନ୍ତା ବି କରିଥିବି, କାଲି ପଚାରିବି । +ତୁମର କଥା ଶୁଣିବାକୁ ମୋତେ ଭାରି ଭଲ ଲାଗୁଛି । +ଦେବଯାନୀ ବୁଦ୍ଧିମତୀ ଥିଲା । +ତା’ ପ୍ରଶ୍ନର ଉତ୍ତର ଦେବା ପାଇଁ ମୋତେ ବହୁ ସମୟରେ ଭାବିବାକୁ ପଡ଼ୁଥିଲା । +ଥରେ ସେ ପଚାରିଥିଲା – ମହୋଦଧିର ସୌନ୍ଦର୍ଯ୍ୟ ଓ ନରନାରୀର ଶରୀର-ସୁଷମା କ’ଣ ଏକ ଜାତୀୟ ? ସେ ତର୍କ କରିଥିଲା ସେ ଦୁଇଟିର ସୌନ୍ଦର୍ଯ୍ୟ ଏକ ଜାତୀୟ ନୁହେଁ ବୋଲି । +ଦେବଯାନୀ ମୋର କଥା ଶୁଣୁଥିଲା, ସବୁ ବୁଝୁଥିଲା; କିନ୍ତୁ କଥାଗୁଡ଼ାକୁ ପାଳୁଥିଲା ଖୁବ୍‌ କମ୍‌; ଦର୍ଶନକୁ ବ୍ୟବହାର କ୍ଷେତ୍ରକୁ ଆଣିବାକୁ ସେ ଆଦୌ ଯେପରି ଇଚ୍ଛୁକ ନଥିଲା । +ବୋଧହୁଏ ସେ ମୋଠୁ ବେଶୀ ଧାର୍ମିକ ଥିଲା ଓ ପ୍ରାକ୍‌ଟିକାଲ, ମୁଁ ତା’ ତୁଳନାରେ ସମ୍ଭବତଃ ପାପୀ, ଥିଓରେଟିକାଲ ତ ନିଶ୍ଚୟ, ମୁଁ ତାକୁ ବାରମ୍ବାର କହୁଥିଲି – ଯାନୀ ! +ପର୍ବପର୍ବାଣିରେ ତୁମେ ମନ୍ଦିରକୁ କାହିଁକି ଯାଉଛ ? +ସେ ଭୟଙ୍କର ଭିଡ଼ରେ, ଯେତେବେଳେ ତୁମ ପାଦର ଭୂମି ସ୍ପର୍ଶ କରିବାର ସମ୍ଭାବନା ରହେନାହିଁ, ସେ ଭିଡ଼ରେ ପଶି ତୁମେ କେଉଁ ଦେବସତ୍ତା ଉପଲବ୍ଧି କରିପାରୁଛ ? +ମଣିଷ ମନ୍ଦିରକୁ ନଯାଇ ପ୍ରାକୃତିକ ସୌନ୍ଦର୍ଯ୍ୟ ଥିବା ଜାଗାକୁ ଯିବା ଉଚିତ୍‌ – ସମୁଦ୍ରକୂଳ, ଗିରିପ୍ରପାତ, ଘୋର ଅରଣ୍ୟ, ନଦୀସଙ୍ଗମ ବା ଉତ୍ତୁଙ୍ଗ ଶିଖର । +ଦେବତା ସେହିସବୁ ସ୍ଥାନରେ ଥାଆନ୍ତି ଯାନୀ, ତୁମର ଶିଳା ସିମେଣ୍ଟର ମନ୍ଦିର କି ମସ୍‌ଜିଦ୍‌ରେ ନୁହେଁ । + ମହୋଦଧି ପାଖରେ ଥାଉ ଥାଉ… +ଦେବଯାନୀ ସବୁ ଶୁଣେ, ସମ୍ମତ ହୁଏ, ହସେ; କିନ୍ତୁ ଠିକ୍‌ବେଳକୁ ମୋତେ ନକହି ସେ ମନ୍ଦିରକୁ ଚାଲିଯାଇଥାଏ – ସବୁ ପର୍ବରେ ପ୍ରାୟ ଓ ସବୁ ଗୁରୁବାର ଦିନ । +ଶ୍ରୀମନ୍ଦିର ପ୍ରତି ତା’ର ମୋହ ଦେଖି ମୁଁ ଆଶ୍ଚର୍ଯ୍ୟ ହୁଏ, କିଛି ବୁଝିପାରେ ନାହିଁ । +ଦିନେ ତାକୁ ପଚାରିଲି – ଦେବଯାନୀ, ତୁମେ ମୋତେ କ’ଣ ବୋଲି ଭାବୁଛ । +ଦେବଯାନୀ କହିଲା – ତୁମେ ମୋର ଦେବତା । +ମୁଁ ଦେବଭକ୍ତ ନା ନୁହେଁ ? ମୁଁ ଆସ୍ତିକ ନା ନାସ୍ତିକ, ତୁମ ମତରେ ? +ଦେବଯାନୀ କିଛି ନକହି ଚୁପ୍‌ ହୋଇଗଲେ । +ମୁଁ ଉତ୍ତେଜିତ ହୋଇଗଲି । +ମୁ କହିଲି – ଦେବଯାନୀ, ମୁଁ ମନ୍ଦିରକୁ ନଗଲେ ମଧ୍ୟ ମୁଁ ଆସ୍ତିକ । +ମୁଁ ଶିବଭକ୍ତ, କୈଳାସ ଶିଖର ମୋର ଶିବଲିଙ୍ଗ । +ମୁଁ ପରମ ବୈଷ୍ଣବ, ଅନନ୍ତ ସାଗର ମୋର ନାରାୟଣ । +ମୁଁ ଗାଣପତ୍ୟ, ମୁଁ ବାଲ୍ମିକୀ, ବ୍ୟାସ, କାଳିଦାସ, ଭବଭୂତି, ସେକ୍ସ୍‌ପିୟରର ଲେଖା ପଢ଼ିଛି । + ଦିଗନ୍ତର ବିସ୍ତାରରେ ମୁଁ ଜଗନ୍ନାଥଙ୍କର ଭ୍ରୂଭଙ୍ଗୀ ଦେଖେ, ମୁଁ… +ଦେବଯାନୀର ଚୁମ୍ବନରେ ମୁଁ ଆଉ କିଛି କହିପାରିଲି ନାହିଁ । +ସେ ବ୍ୟାକୁଳ ହୋଇ ମୋତେ ଆଲିଙ୍ଗନ କରି ପକାଇ କହୁଥିଲା – ଆଉ କିଛି କହିବାର ଦରକାର ନାହିଁ । +ତୁମର ଆସ୍ତିକ କି ନାସ୍ତିକ କିଛି ହେବା ଦରକାର ନାହିଁ । + ତୁମେ ନିଜେ ତ ଦେବତା, ଦେବତା ପାଇଁ ପୁଣି ଆଉ ଦେବତା କ’ଣ ? +ଦିନେ ଥଟ୍ଟା କରି ତାକୁ ମୁଁ କହିଲି – ତମେ ବୋଧେ ମନ୍ଦିର ଗାତ୍ରରେ କୌଣସି ପିତୁଳା – ମଣିଷ ହୋଇଯାଇଛ କିପରି ? +ମନ୍ଦିରଭକ୍ତି ତୁମର ଯେପରି ପରଜନ୍ମରେ ଦେବ-ସାନ୍ନିଧ୍ୟ ପାଇବ ସେହିପରି ପିତୁଳା ହୋଇଯାଇଛ । +ମୋ କଥାରେ ତୀବ୍ର ବ୍ୟଙ୍ଗ ପ୍ରଚ୍ଛନ୍ନ ଥିଲା, କିନ୍ତୁ ମୋଠୁ ବ୍ୟଙ୍ଗ ଶୁଣିବା ଦେବଯାନୀର ଅଭ୍ୟାସ । +ସେ ହସିଦେଇ କହିଲା- ଈଶ୍ବର ଅଣୁ ଅଣୁରେ ବିଦ୍ୟମାନ । + ଜଡ଼ ଅଶିବ, ଅସୁନ୍ଦର କ’ଣ ତାଙ୍କଠୁ ଅଲଗା ? +ବାସ୍‌ ସେତିକି । +ମୋତେ ସେ ସ୍ଥାଣୁ କରିଦେଇ ଗୃହର ନିତ୍ୟକର୍ମ ସାରିବାକୁ ଚାଲିଗଲା । +ତାକୁ ମୁଁ ତ କିଛିଦିନ ତଳେ କହିଥିଲି ଓ ଯାହାକୁ ଶୁଣି ଖୁସିରେ କାନ୍ଦି ପକାଇଲା । + ‘‘ଯୋ ମାଂ ପଶ୍ୟତି ସର୍ବତ୍ର, ସର୍ବଞ୍ଚ ମୟି ପଶ୍ୟତି’’, ମୋତେ ଯିଏ ସବୁଠି ଦେଖେ ଏବଂ ମୁଁ ସବୁକୁ ମୋ ଭିତରେ ଦେଖେ ! +ନଚିକେତାର ଜନ୍ମ ପରେ ଦେବଯାନୀ ସହିତ ମୋର କଳହ ବଢ଼ିଲା ‘ମନ୍ଦିର ନା ମହୋଦଧିକୂଳ’ର ଅଛିଣ୍ଡା ତର୍କ ନେଇ । +ନଚିକେତାର ପ୍ରତି ଜନ୍ମଦିନେ ନିଶ୍ଚୟ, ଆଉ ବାକି ଦିନମାନଙ୍କରେ ସୁବିଧା ଦେଖି, ସେ ଜିଦ୍‌ କରି ତାକୁ ମନ୍ଦିରକୁ ନେଇଯାଏ ବଡ଼ ହେଲେ ସେ ଧାର୍ମିକ, ସତ୍‌ଚରିତ୍ର ଓ ନ୍ୟାୟପରାୟଣ ହେବ ବୋଲି ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବାକୁ । +ମୁଁ ଯୁକ୍ତି କରେ – ଛୋଟ ପିଲାକୁ ମନ୍ଦିରକୁ କାହିଁକି ନେଉଛ, ଚାଲ ତାକୁ ସମୁଦ୍ରକୂଳକୁ ନେବା । +ପୂର୍ଣ୍ଣମୀ ତିଥିରେ ଜନ୍ମ ହୋଇଛି, ପୌର୍ଣ୍ଣମାସୀ ସମୁଦ୍ରର ସୌନ୍ଦର୍ଯ୍ୟ ଅବର୍ଣ୍ଣନୀୟ । +ସେଇଠି ସେ ସୌନ୍ଦର୍ଯ୍ୟମୟ ଭଗବାନଙ୍କୁ ଦେଖିବ । +ଦେବଯାନୀ ହଁ କରେ । +କହେ, ସେ ତ ରାତି କଥା । +ବହୁତ ଡେରି ଅଛି ରାତି ହେବାକୁ । +ବନ୍ଦାପନା ସାରି ମୁଁ ତାକୁ ଆଗ ମନ୍ଦିରରୁ ବୁଲାଇ ଆଣେ । +ଦେବତା ଆଶୀର୍ବାଦ, ବ୍ରାହ୍ମଣ ଆଶୀର୍ବାଦ ତାକୁ ଦୀର୍ଘାୟୁଷ କରିବ । +ମୋର ବାରଣ ସତ୍ତ୍ବେ ସେ ତାକୁ ମନ୍ଦିରକୁ ନିଏ । +ମନ୍ଦିରରେ କ’ଣ କ’ଣ କରେ କେଜାଣି, ଫେରୁଫେରୁ ଦ୍ବିପ୍ରହର ହୋଇଯାଇଥାଏ । +ଲୋକଗହଳି- ରୁଗ୍‌ଣ, ଦୁଃଖୀ, ଦରିଦ୍ର, ଅଶାଳୀନ ଗୁଡ଼ାଏ ଲୋକଙ୍କ ସମାବେଶ । +ମୋତେ କେଶ୍‌ରେ ଜିତାଅ, ମୋତେ ସ୍ବାସ୍ଥ୍ୟବାନ କର, ମୋର ପ୍ରେମିକାର ସାନ୍ନିଧ୍ୟ ମୁଁ ପାଏ, ପରୀକ୍ଷାରେ ମୁଁ ପାସ୍‌ କରେ, ହେ ପ୍ରଭୁ, ମୋ ସ୍ବାମୀ ମୋତେ ଯେପରି ଭଲପାଆନ୍ତୁ – ଗୁଡ଼ାଏ କିମ୍ଭୂତକିମାକାର ପ୍ରାର୍ଥନା ଓ ଭକ୍ତଙ୍କ ଜମାଟ, ଅନ୍ଧକାର ହାଉଯାଉ, ସନ୍ତସନ୍ତିଆ ଭୂମିତଳ, ରୁଗ୍‌ଣ ଅସୁନ୍ଦର ଅଶିକ୍ଷିତ ପଣ୍ଡା ପଢ଼ିହାରୀ – ମୋର ମନ ବିଦ୍ରୋହ କରି ଉଠେ ଦେବଯାନୀର କାର୍ଯ୍ୟରେ । +ଛୋଟ ପିଲାଟାର ମନରେ କି ପ୍ରକାର ସଂସ୍କାର ପଡୁଥିବ କେଜାଣି । +ଦେବଯାନୀ ସହିତ କଜିଆ ହୁଏ ସେ ଫେରିବା ପରେ । +କଳହ ବେଶୀ ବଢ଼ିଲେ ସେ ପୁନଃର୍ବାର ମନ୍ଦିର ଚାଲିଯାଏ ନଚିକେତାକୁ ଶୁଆଇଦେଇ । + ନଚିକେତାକୁ ନିଦରୁ ମୁଁ ଉଠାଏ ନାହିଁ, ସମୁଦ୍ର କୂଳ ଯିବା କିପରି ବା ସମ୍ଭବ ହୁଅନ୍ତା ? +ନଚିକେତାର ଷଷ୍ଠ ଜନ୍ମୋତ୍ସବ ଦିନ କିନ୍ତୁ ଦେବଯାନୀ ସହିତ ମୋର କଳହ ହୋଇ ନଥିଲା । +ସକାଳର ବନ୍ଦାପନା ଓ ହୋମ ପରେ ସେ ନଚିକେତାକୁ ଧରି ମନ୍ଦିର ଗଲାନାହିଁ । + ମୁଁ ବିସ୍ମିତ ହେଲି, ପଚାରିଲି – ଦେବଯାନୀ, ଆଜି ତୁମର କ’ଣ ହୋଇଛି ? ମନ୍ଦିର ଯିବନାହିଁ ? +ନା, ମୁଁ ଆଜି ମନ୍ଦିର ଯାଉନାହିଁ । +ସ୍ତ୍ରୀ ହୋଇ କ’ଣ ସାରା ଜୀବନଟାଯାକ ସ୍ବାମୀର ଅବାଧ୍ୟ ହେଉଥିବି । +ଆଜି ସମସ୍ତେ ମହୋଦଧି ନିକଟକୁ ଯିବା । +ମୁଁ ଜଲ୍‌ଦି ଖିଆପିଆର ବନ୍ଦୋବସ୍ତ କରିଦେଉଛି । +ଦେବଯାନୀର କଥାରେ ମୁଁ ଖୁସିରେ ପାଗଳ ପରି ହୋଇଗଲି । +ଦେବଯାନୀକୁ ଆଲିଙ୍ଗନ କରି ବାରମ୍ବାର ଚୁମା ଦେଇ କହିଲି, ଦେଖିବ ଦେବଯାନୀ, ଆଜି ଚନ୍ଦ୍ର, ଆକାଶ, ସାଗର, ଉର୍ମି ସମସ୍ତେ କିପରି ତୁମକୁ ସ୍ବାଗତ କରିବେ । +ସାଗରରେ ଜୁଆର କିଛି ବଢ଼ିଯିବ, ଚନ୍ଦ୍ରରେ ଉଜ୍ଜ୍ବଳତା, ତରଙ୍ଗରେ ବିଶାଳତା । +ଦେବଯାନୀ ହସି କହିଲା – ତୁମେ ଏବେ ଅଧୀର ହୁଅନାହିଁ । +ମୁଁ କିବା ମଣିଷ ଯେ, ସାରା ପ୍ରକୃତି ମୋ ଉପସ୍ଥିତିରେ ଖୁସି ହେବ । +ପ୍ରକୃତି ନୁହେଁ ଯାନୀ, ପ୍ରକୃତି ତ ଜଡ଼ । +ଚେତନାମୟ ଈଶ୍ବର ଖୁସିହେବେ, ପ୍ରକୃତିରେ ପ୍ରକାଶିତ ଈଶ୍ବର ତାଙ୍କର ଭକ୍ତକୁ ଦେଖି ଖୁସିହେବେ । +ନଚିକେତା ବି ସମୁଦ୍ରକୂଳକୁ ଯିବ ବୋଲି ଶୁଣି ଖୁସି ହୋଇଗଲା । +ବାଲିରେ ଦଉଡ଼ାଦଉଡ଼ି କରି ଶାମୁକା ସଂଗ୍ରହ କରିବାରେ କ’ଣ କମ୍‌ ଆନନ୍ଦ ଅଛି ? ସେଦିନର ଆନନ୍ଦ, ଆମ ତିନି ପ୍ରାଣୀଙ୍କର ଆହ୍ଲାଦ ବର୍ଣ୍ଣନାତୀତ । +ନଚିକେତା ତ ଦଉଡ଼ାଦଉଡ଼ି ପରେ କ୍ଳାନ୍ତ ହୋଇ ଶୋଇଗଲା, କିନ୍ତୁ ଆମେ ଦୁହେଁ କଥାହେଲୁ, ଖୁସିରେ ଦଉଡ଼ିଲୁ, ନାଚିଲୁ, ଶେଷରେ ଅର୍ଦ୍ଧମୂର୍ଚ୍ଛିତ ପ୍ରାୟ ପଡ଼ିଯାଇ ଚନ୍ଦ୍ର, ସମୁଦ୍ରର ଘୋ ଘୋ ଶବ୍ଦ ଓ ସୁ ସୁ ହୋଇ ବହୁଥିବା ପବନ ସହିତ ନିଜକୁ ମିଶାଇବାକୁ ଚେଷ୍ଟା କଲୁ । +ଦେବଯାନୀ ସେହି ବର୍ଷଠୁ ଆଉ କେବେ ମୋର ଅବାଧ୍ୟ ହୋଇନାହିଁ । +କାରଣ ସେହି ବର୍ଷ ସେହି ଜନ୍ମଦିନ ପରେ ସେ ମୋତେ ଓ ନଚିକେତାକୁ ଛାଡ଼ି ଚାଲିଯାଇଛି । +ବାଧ୍ୟ ଅବାଧ୍ୟରେ ସେ ଅତୀତ ହୋଇଯାଇଛି । +ମୁଁ ଯଦି ଜାଣିଥାନ୍ତି ଆମର କଳହ ଶେଷରେ ଏହିପରି ଭାବେ ଶେଷ ହେବ, ତାହାହେଲେ ମୁଁ ଆଗରୁ ସାବଧାନ ହୋଇଥାଆନ୍ତି ନିଶ୍ଚୟ । +ହେଲା ନାହିଁ, ଉତ୍ସାହ ଆବେଗରେ ମୁଁ ଭୁଲିଗଲି ଯେ ଦୁଇ ତିନି ଦିନ ହେଲା ଦେବଯାନୀକୁ ଥଣ୍ଡା ହୋଇଛି, କାଶ ବି ହୋଇଛି । +ତା’ ସତ୍ତ୍ବେ ସେ ନଚିକେତାର ଜନ୍ମଦିନ ବୋଲି ସକାଳୁ ସକାଳୁ କେଶ ଧୋଇ ଖୁବ୍‌ ଗୁଡ଼ାଏ ଗାଧୋଇଛି । +ଦେବଯାନୀ ମୋତେ ଛାଡ଼ି ଚାଲିଗଲା । +ତେଣୁ ମୁଁ ତା’ର ଦେଶ ଛାଡ଼ି ଦେଇଛି । +ତା’ର ମୃତ୍ୟୁ ହିଁ ମୋର ଯାଯାବର ଜୀବନର କାରଣ । +ଇମିଗ୍ରାଣ୍ଟର ଜୀବନ ମୋର ସେହିଦିନୁ । +ମୋ ସହିତ ନଚିକେତା । +ଦେବଯାନୀକୁ ପୂରା ଛାଡ଼ନ୍ତି କିପରି । +ଦେବଯାନୀ ଯିବା ପରେ ନଚିକେତା ପାଇଁ ଆଉ କେହି ମନ୍ଦିର ଖୋଜିନାହାନ୍ତି, ତେଣୁ ନଚିକେତାର ଜନ୍ମଦିନ ପାଳିବାରେ କେବେ ଅସୁବିଧା ହୋଇନାହିଁ । +ସ୍ବିଜର୍‌ଲାଣ୍ଡର ଆଲ୍‌ପ୍ସ୍‌ ପର୍ବତମାଳା, ଫ୍ରାନ୍ସର ରାଇନ୍‌ ନଦୀ, ବିକ୍ଷୁବ୍‌ଧ ପ୍ରଶାନ୍ତ ମହାସାଗର, ସମୟ ସମୟରେ ମହାଶୂନ୍ୟ ଆକାଶ, ସବୁଠି ଆମେ ଈଶ୍ବରଙ୍କୁ ଦେଖିଛୁ, ନଚିକେତାର ଜନ୍ମଦିନ ଉପଲକ୍ଷେ ଦେବତାର ଅଶିଷ ମାଗିଛୁ । +ତାଙ୍କର ବନ୍ଦନା ଗାଇଛୁ । +ଆଜି ପୁଣି ନଚିକେତାର ଜନ୍ମଦିନ ଆସିଛି । +ଟରଣ୍ଟୋଠୁ ନାୟଗ୍ରା ଖୁବ୍‌ ପାଖ । +ନିଜର କାର୍‌ ଥିଲେ ଜମାରୁ ଘଣ୍ଟାଏ ଦେଢ଼ଘଣ୍ଟାର ଯାତ୍ରା । +ପବନ ତା’ର ଦିଗ ପରିବର୍ତ୍ତନ କରିଛି । +ମୁଁ ଜଳକଣାର ସ୍ପର୍ଶ ପାଇ ଶୀତ ଅନୁଭବ କଲି । +କେତେବେଳେ ସନ୍ଧ୍ୟା ଆସିଯାଇଛି । +ନାୟଗ୍ରା ବନାରସୀ ଶାଢ଼ୀ ପିନ୍ଧିଥିଲା ଯେପରି । +ନଚିକେତାକୁ ସମ୍ବୋଧନ କରି ସେ ବସିଥିବା ସ୍ଥାନକୁ ଚାହିଁଲି, ସ୍ଥାନ ତା’ର ଶୂନ୍ୟ ପଡ଼ିଥିଲା । +କୁଆଡ଼େ ଗଲା ସେ ? ମୋତେ ଭାବନାମଗ୍ନ ଦେଖି କେତେବେଳେ ସେ ଉଠି ଚାଲିଯାଇଛି । +ଚିନ୍ତିତ ହୋଇ ଏଣେତେଣେ ଚାହିଁଲି । +ଟୁରିଷ୍ଟ୍‌ମାନଙ୍କ ସଂଖ୍ୟା ବଢ଼ିଯାଇଥିବା ପରି ଲାଗିଲା । +ନଚିକେତା କାହିଁ ? ଦେଖିଲି, ଦୁଇଜଣ ପାଖ ରେସ୍ତୋରାଁରୁ ମୋ ପାଖକୁ ଦଉଡ଼ି ଆସୁଥିଲେ । +ଦଉଡ଼ୁଥିବା ଅବସ୍ଥାରେ ବି ଦୁହିଁଙ୍କ ହାତ ଛନ୍ଦାଛନ୍ଦି ହୋଇଥିଲା । +ଆଲୋକରେ ଦେଖିଲି, ନଚିକେତା ଜଣେ ପିଙ୍ଗଳକେଶା ସୁନ୍ଦରୀ ବାଳିକା ସହିତ ମୋ ଆଡ଼କୁ ଦଉଡ଼ି ଆସୁଛି । +ଦୁହିଁଙ୍କ ପଦପାତରେ ଜାଗ୍ରତ ହୋଇ ଆସୁଥିବା ଯୌବନର ଶକ୍ତି, ମୁଖମଣ୍ଡଳରେ ଆହ୍ଲାଦ ଓ ପରମ ଲାବଣ୍ୟ । +ନଚିକେତା ଉପରେ ବିରକ୍ତ ହେବାକୁ ପ୍ରଥମେ ଇଚ୍ଛା ହୋଇଥିଲା, କିନ୍ତୁ ଦେବଯାନୀର ସ୍ମୃତି ମୋତେ ସଂଯତ କଲା । +ବୋଧେ ଅସୀମ ସହିତ ମାନବ ମନର ତୃପ୍ତି ପାଇଁ ସସୀମର ଉପସ୍ଥିତି ମଧ୍ୟ ଆବଶ୍ୟକ ପଡ଼େ । +ବୋଧେ କେତେକଙ୍କ ପାଇଁ ଈଶ୍ବର ମନ୍ଦିର ଭିତରେ ଇ ପ୍ରକାଶିତ ହୁଅନ୍ତି । +ମୋ ପାଖରେ ପହଁଚିବା ପରେ ନଚିକେତା କହିଲା, ସେ ମୋର ଗାର୍ଲଫ୍ରେଣ୍ଡ୍‌ ଡାଡ଼ି । +ଯାହା କଥା କହୁଥିଲି । +ସେମାନେ ଇଂଲଣ୍ଡ୍‌ରୁ ଆସିଛନ୍ତି । +ବାଳିକାଟି ମୋତେ ଚାହିଁ ମୋର ମନକଥା କିଛି ଜାଣିବାକୁ ଯେପରି ଚେଷ୍ଟା କରୁଥିଲା । +ମୋର ପ୍ରଲମ୍ବିତ ଶ୍ମଶ୍ରୁ ଉପରେ ତା’ର ଦୃଷ୍ଟି ନିବଦ୍ଧ ରହିଗଲା । +ମୁଁ ହସି ବାଳିକାଟି ସହିତ କରମର୍ଦ୍ଦନ କଲି । +କହିଲି- ସୁଜେନ ମେନାଡ଼ । + ଠିକ୍‌ ମନେ ରଖିଛି ନା ? +ମୋ ଆଡ଼କୁ ପ୍ରଶଂସାମାନ ଦୃଷ୍ଟିରେ ଚାହିଁ ସୁଜେନ କହିଲା – ଆପଣଙ୍କ ପେଣ୍ଟିଂଗୁଡ଼ାକ କାଲିଠୁ ଟରଣ୍ଟୋ ଆର୍ଟ ଗ୍ୟାଲେରିରେ ମାସକ ପାଇଁ ପ୍ରଦର୍ଶନ କରାଯାଉଛି । +ମୁଁ ହସି କହିଲି – ହଁ । +ମୋର ଡାଡ଼ି, ମମି ଓ ମୁଁ ଆପଣଙ୍କ ପେଣ୍ଟିଂରେ ଭାରି ଆଗ୍ରହାନ୍ବିତ । +ଆମେ କାଲି ପାଇଁ ଟିକଟ୍‌ ବି କିଣିସାରିଛୁ । +ଡାଡ଼ି କହୁଥିଲେ ଆପଣ ଭାରତବର୍ଷର ପୌରାଣିକ ଚରିତ୍ରମାନଙ୍କୁ ପ୍ରାକୃତିକ ଦୃଶ୍ୟ ସହିତ ଅଭିନ୍ନାତ୍ମକ କରି ସେମାନଙ୍କୁ ନୂତନ ରୂପ ଦେଇଛନ୍ତି । +ମୋର ଦୃଷ୍ଟି ନାୟଗ୍ରା ଆଡ଼କୁ ଚାଲିଗଲା । +ବନାରସୀ ଶାଢ଼ୀ ଛାଡ଼ି ସେ ଗାଢ଼ ନୀଳରଙ୍ଗର କାଶ୍ମୀରୀ ସିଲ୍‌କ ଶାଢ଼ୀ ପିନ୍ଧୁଥିଲା । +ମୁଁ ସୁଜେନ୍‌ ପ୍ରଶ୍ନର କ’ଣ ଉତ୍ତର ଦେବି ଠିକ୍‌ କରି ନ ପାରି ଚୁପ୍‌ ରହିଗଲି । -- GitLab