diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia173.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia173.txt new file mode 100644 index 0000000000000000000000000000000000000000..00d58a44c680a9459dd9ae4aa9509c81633afccb --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia173.txt @@ -0,0 +1,56 @@ +ମା ହେବା ବେଳ +ଉପକ୍ରମ +ଅତ୍ୟଧିକ ପିଲାଜନ୍ମ , କମ୍ ବ୍ୟବଧାନରେ ପିଲାଜନ୍ମ ଏବଂ କମ୍ ବୟସର କିଶୋରୀ ବା ୩୫ ବର୍ଷରୁ ଅଧିକ ବୟସ୍କା ସ୍ତ୍ରୀ ଲୋକର ପିଲାଜନ୍ମ କରିବା ତାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ ଏବଂ ଏହି ଜନ୍ମର ତିନିଭାଗରୁ ଏକ ଭାଗ ଶିଶୁ ମୃତ୍ୟୁ ମୁଖରେ ପଡନ୍ତି । +ମହିଳା ଓ ଶିଶୁଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ପାଇଁ ପରିବାର ନିୟୋଜନ ଗୋଟିଏ ଶକ୍ତିଶାଳୀ ପଦକ୍ଷେପ । +ବିକାଶମୁଖୀ ଦେଶଗୁଡିକରେ ପ୍ରାୟ ୧୦ କୋଟିରୁ ଅଧିକ ବିବାହିତ ବା ପୁରୁଷ ସହ ରହୁଥିବା ମହିଳାଙ୍କର ଆବଶ୍ୟକୀୟ ଜନ୍ମନିୟନ୍ତ୍ରଣ ସୁବିଧାର ଚାହିଦା ପୂରଣ କରାଯାଇ ପାରିନାହିଁ । +ଶିକ୍ଷା ଓ ପରିବାର ନିୟୋଜନ ବ୍ୟବସ୍ଥା ସମସ୍ତଙ୍କ ପାଖରେ , ବିଶେଷ କରି ଅଳ୍ପ ବୟସରେ ବିବାହ ପ୍ରଥା ଚାଲୁଥିବା ଦେଶଗୁଡିକର କିଶୋରୀଙ୍କ ପାଖରେ ପହଞ୍ଚିଲେ , ମାଆ ଓ ଶିଶୁଙ୍କ ମୃତ୍ୟୁ ତଥା ଅକ୍ଷମତାକୁ ରୋକା ଯାଇପାରନ୍ତା । +ମା ‘ ହେବା ବେଳ +୧୮ ବର୍ଷ ପୂର୍ବରୁ ଏବଂ ୩୫ ବର୍ଷ ବୟସ ପରେ ଗର୍ଭଧାରଣ କଲେ ତାହା ମାଆ ଓ ଶିଶୁ ପ୍ରତି ବିପଦ ସୃଷ୍ଟି କରିଥାଏ । +ଉଭୟ ମାଆ ଓ ଶିଶୁର ସ୍ୱାସ୍ଥ୍ୟ ଦୃଷ୍ଟିରୁ ଦୁଇଟି ଶିଶୁ ମଧ୍ୟରେ ଅତି କମରେ ଦୁଇ ବର୍ଷର ବ୍ୟବଧାନ ରହିବା ଜରୁରୀ । +ଚାରୋଟି ଗର୍ଭଧାରଣ ପରେ ପୁଣି ଗର୍ଭଧାରଣ ଓ ଶିଶୁଜନ୍ମ କରିବା ବିପଦର କଥା ହୋଇଥାଏ । +ପରିବାର ନିୟୋଜନ ମାଧ୍ୟମରେ ଲୋକମାନେ କେବେ ଗର୍ଭଧାରଣ କରିବା ଉଚିତ , କେତୋଟି ପିଲା ହେବା ଭଲ ଓ ତାଙ୍କ ଭିତରେ କେତେ ବର୍ଷର ବ୍ୟବଧାନ ରହିବା ଉଚିତ ତଥା କେବେ ଗର୍ଭଧାରଣ ବନ୍ଦ ହେବା ଜରୁରୀ ସେ ସମ୍ପର୍କରେ ଜ୍ଞାନ ପାଇପାରନ୍ତି । +ଗର୍ଭଧାରଣ ରୋକିବା ପାଇଁ ଅନେକ ନିରାପଦ ଓ ଗ୍ରହଣୀୟ ମାଧ୍ୟମ ରହିଛି । +ପରିବାର ନିୟୋଜନ ବିଷୟରେ ଜାଣିବା ଉଭୟ ପୁରୁଷ ଓ ସ୍ତ୍ରୀଙ୍କ ଦାୟିତ୍ଵ । +ମିଳୁଥିବା ବିଭିନ୍ନ ସ୍ୱାସ୍ଥ୍ୟ ସୁବିଧା ସମ୍ପର୍କରେ ପ୍ରତ୍ୟକ ବ୍ୟକ୍ତି ସଚେତନ ରହିବା ଦରକାର । +କିଛି ଜାଣିବା କଥା +୧୮ ବର୍ଷ ପୂର୍ବରୁ ଏବଂ ୩୫ ବର୍ଷ ପରେ ଗର୍ଭଧାରଣ କଲେ ମାଆ ଓ ଶିଶୁ ପ୍ରତି ବିପଦ ସୃଷ୍ଟି କରିଥାଏ । +ପ୍ରତିବର୍ଷ ଗର୍ଭଧାରଣ ପ୍ରସବ ଜନିତ କାରଣରୁ କାରଣରୁ ପ୍ରାୟ ୫,୧୫,୦୦୦ ମହିଳା ମୃତ୍ୟୁମୁଖରେ ପଡନ୍ତି । +ମୃତ୍ୟୁରେ ପଡୁଥିବା ଜଣେ ମହିଳାଙ୍କ ତୁଳନାରେ ପ୍ରାୟ ୩୦ ଜଣ ଗୁରୁତର , ଅକ୍ଷମତା ସମସ୍ୟାରେ ପଡନ୍ତି । +ପରିବାର ନିୟୋଜନ ଦ୍ଵାରା ଏହି ମୃତ୍ୟୁ ଏବଂ ଅକ୍ଷମତାକୁ ରୋକାଯାଇ ପାରିବ । +ଝିଅଟିଏ ଅତି କମରେ 18 ବର୍ଷର ନହେବା ଯାଏଁ ଗର୍ଭବତୀ ହେବା ଉଚିତ ନୁହେଁ । +୧୮ ବର୍ଷ ପରେ ଗର୍ଭଧାରଣ କଲେ ପ୍ରସବରେ ସୁବିଧା ହୁଏ ଏବଂ କମ୍ ଓଜନର ଶିଶୁ ଜନ୍ମ ହେବାର ସମ୍ଭାବନା କମିଥାଏ । +ଯେଉଁ ଦେଶମାନଙ୍କରେ ଅଳ୍ପ ବୟସରେ ବିବାହ ଗୋଟିଏ ପ୍ରଥା ଭାବରେ ଚଳି ଆସିଛି ସେଠାରେ ଏହା ବେଶୀ ଦରକାରୀ । +ଝିଅଟିକୁ ୧୮ ବର୍ଷ ବୟସ ନହେବା ଯାଏଁ ତା’ର ଦେହ ଶିଶୁ ଧାରଣ କରିବାକୁ ପ୍ରସ୍ତୁତ ହୋଇନଥାଏ । +ଜଣେ ପ୍ରାପ୍ତ ବୟସ୍କାଙ୍କ ତୁଳନାରେ କିଶୋରୀ ପାଇଁ ପିଲାଜନ୍ମ କରିବା ଅଧିକ କଷ୍ଟକର ଏବଂ ବିପଦଜନକ ହୋଇଥାଏ । +କମ ବୟସ୍କା ମାଆମାନଙ୍କର ଅଧିକାଂଶ ଶିଶୁ ଜନ୍ମର ବର୍ଷକ ମଧ୍ୟରେ ମୃତ୍ୟୁମୁଖରେ ପଡିଥାଆନ୍ତି । +ମାଆ ଯେତେ କମ ବୟସର ହେବ , ତା’ ନିଜର ଏବଂ ଶିଶୁ ପ୍ରତି ବିପଦ ସେତେ ଅଧିକ ରହିବ । +କମ ବୟସର ମହିଳାଙ୍କ କ୍ଷେତ୍ରରେ ଗର୍ଭସଞ୍ଚାରକୁ ଡେରି କରିବା ପାଇଁ ସ୍ଵତନ୍ତ୍ର ସହାୟତା ଦରକାର । +ସେହି ମହିଳା ଏବଂ ତାଙ୍କ ପରିବାରର ଲୋକମାନଙ୍କୁ ଶୀଘ୍ର ଗର୍ଭବତୀ ହେବାର ବିଭିନ୍ନ ସମସ୍ୟା ଏବଂ ଗର୍ଭଧାରଣକୁ ଡେରି କରିବାର ବାଟ ସମ୍ପର୍କରେ ବୁଝାଇବା ଜରୁରୀ । +ଉଭୟ ମାଆ ଓ ଶିଶୁର ସ୍ୱାସ୍ଥ୍ୟ ଦୃଷ୍ଟିରୁ ଦୁଇଟି ଶିଶୁ ମଧ୍ୟରେ ଅତି କମରେ ଦୁଇ ବର୍ଷର ବ୍ୟବଧାନ ରହିବା ଜରୁରୀ । +ଦୁଇଟି ଶିଶୁ ମଧ୍ୟରେ ବୟସର ବ୍ୟବଧାନ ଦୁଇ ବର୍ଷରୁ କମ ହେଲେ ଶିଶୁ ମୃତ୍ୟୁର ସମ୍ଭାବନା ପ୍ରାୟ ୫୦ ପ୍ରତିଶତ ବଢିଯାଏ । +ପ୍ରଥମ ଶିଶୁର ବୟସ ଦୁଇ ବର୍ଷରୁ କମ୍ ଥିବା ବେଳେ ଆଉ ଗୋଟିଏ ଶିଶୁ ଜନ୍ମ ହେଲେ ଏହା ପ୍ରଥମ ଶିଶୁର ସ୍ୱାସ୍ଥ୍ୟ ଓ ବୃଦ୍ଧି ପାଇଁ ସମସ୍ୟା ସୃଷ୍ଟି କରିଥାଏ । +ଖୁବ୍ ଶୀଘ୍ର ନୂଆ ପିଲାଟିଏ ଆସିଲେ ପ୍ରଥମ ଶିଶୁର ମା’କ୍ଷୀର ଖାଇବା ବନ୍ଦ ହୋଇଯାଏ ଏବଂ ତା’ପାଇଁ ଦରକାର ହେଉଥିବା ସ୍ଵତନ୍ତ୍ର ଖାଦ୍ୟ ତିଆରି କରିବା ପାଇଁ ମା’କୁ ଯଥେଷ୍ଟ ସମୟ ମିଳେ ନାହିଁ । +ଦୁଇ ବର୍ଷରୁ ଅଧିକ ବ୍ୟବଧାନ ଥିବା ଶିଶୁମାନଙ୍କ ତୁଳନାରେ କମ ବ୍ୟବଧାନ ଥିବା ଶିଶୁଙ୍କର ଶାରୀରିକ ଓ ମାନସିକ ବୃଦ୍ଧି ସାଧାରଣତଃ କମ ହୋଇଥାଏ । +ଗର୍ଭଧାରଣ ଓ ଶିଶୁ ଜନ୍ମ ପରେ ମା ତା’ର ପୂର୍ବ ସ୍ୱାସ୍ଥ୍ୟ ଫେରି ପାଇବାକୁ ପ୍ରାୟ ଦୁଇ ବର୍ଷ ଲାଗିଥାଏ । +ତେଣୁ ଖୁବ୍ ଶୀଘ୍ର ଆଉ ଥରେ ଗର୍ଭଧାରଣ କଲେ ମାଆର ସ୍ୱାସ୍ଥ୍ୟ ପ୍ରତି ବିପଦ ଦେଖାଦିଏ । +ପୁଣି ଥରେ ଗର୍ଭବତୀ ହେବା ଆଗରୁ ସେ ନିଜର ସ୍ୱାସ୍ଥ୍ୟ , ପୋଷଣ ସ୍ତର ଓ ଶକ୍ତି ଫେରି ପାଇବା ଜରୁରୀ । +ପୁରୁଷମାନେ ଦୁଇ ବର୍ଷ ବ୍ୟବଧାନରେ ଶିଶୁ ଜନ୍ମ କରିବାର ଗୁରୁତ୍ଵକୁ ବୁଝିବା ଏବଂ ଗର୍ଭଧାରଣର ସଂଖ୍ୟା ଉପରେ ନିୟନ୍ତ୍ରଣ ରଖି ନିଜ ପରିବାରର ସ୍ଵାସ୍ଥ୍ୟକୁ ସୁରକ୍ଷିତ ରଖିବା ଦରକାର । +ଯଦି କୌଣସି ମହିଳା ପୂର୍ବ ଗର୍ଭଧାରଣ ପରେ ସମ୍ପୂର୍ଣ୍ଣ ସୁସ୍ଥ ହେବା ପୂର୍ବରୁ ପୁଣି ଗର୍ଭଧାରଣ କରନ୍ତି , ତେବେ ଶିଶୁଟି ସମୟ ପୂର୍ବରୁ ବା କମ ଓଜନିଆ ହୋଇ ଜନ୍ମ ହୋଇପାରେ । +କମ ଓଜନିଆ ହୋଇ ଜନ୍ମ ହୋଇଥିବା ଶିଶୁର ବିକାଶ ଭଲ ଭାବରେ ହୁଏ ନାହିଁ । +ସେ ଅନେକ ସମୟରେ ଅସୁସ୍ଥ ରହେ ଏବଂ ସାଧାରଣ ଓଜନର ଶିଶୁ ତୁଳନାରେ ପ୍ରଥମ ବର୍ଷରେ ମୃତ୍ୟୁବରଣ କରିବାର ସମ୍ଭାବନା ଚାରିଗୁଣ ଅଧିକ ଥାଏ । +ଚାରୋଟି ଗର୍ଭଧାରଣ ପରେ ପୁଣି ଗର୍ଭଧାରଣ ଓ ଶିଶୁ ଜନ୍ମ କରିବା ବିପଦପୂର୍ଣ୍ଣ ହୋଇଥାଏ । +ବାରମ୍ବାର ଗର୍ଭବତୀ ହେବା , ପ୍ରସବ କରିବା , ସ୍ତନ୍ୟପାନ କରାଇବା ଏବଂ ଛୋଟ ଶିଶୁର ଯତ୍ନ ନେବା ଫଳରେ ସ୍ତ୍ରୀଲୋକଙ୍କର ସ୍ୱାସ୍ଥ୍ୟ ଶୀଘ୍ର ଖରାପ ହୋଇଯାଏ । +ଚାରିଥର ଗର୍ଭଧାରଣ ପରେ ଏବଂ ବିଶେଷ କରି ପ୍ରତି ଗର୍ଭ ମଧ୍ୟରେ ବ୍ୟବଧାନ ଦୁଇ ବର୍ଷରୁ କମ ହେଲେ ରକ୍ତହୀନତା ଏବଂ ପ୍ରବଳ ରକ୍ତସ୍ରାବ ଭଳି ରୋଗ ଦେଖାଯାଏ । +ଯଦି ମାଆର ଚାରି ବା ତା’ଠାରୁ ଅଧିକ ଗର୍ଭ ହୋଇସାରିଛି , ତେବେ ନୂଆ ଶିଶୁଟି ଜୀବନ ହରାଇବାର ସମ୍ଭାବନା ବେଶୀ । +ପରିବାର ନିୟୋଜନ ସେବା ମାଧ୍ୟମରେ ଲୋକମାନେ କେବେ ଗର୍ଭଧାରଣ କରିବା ଉଚିତ , କେତୋଟି ପିଲା ହେବା ଭଲ ଏବଂ ସେମାନଙ୍କ ମଧ୍ୟରେ କେତେ ବର୍ଷର ବ୍ୟବଧାନ ରହିବା ଉଚିତ ତଥା କେବେ ଗର୍ଭଧାରଣ ବନ୍ଦ ହେବା ଜରୁରୀ ସେ ସମ୍ପର୍କରେ ଜ୍ଞାନ ପାଇପାରନ୍ତି । +ଗର୍ଭଧାରଣ ରୋକିବା ପାଇଁ ଅନେକ ନିରାପଦ ଓ ଗ୍ରହଣୀୟ ମାଧ୍ୟମ ରହିଛି । +ଘରୋଇ ସ୍ୱାସ୍ଥ୍ୟକେନ୍ଦ୍ର ସବୁ ଗ୍ରହଣୀୟ , ସୁରକ୍ଷିତ , ସୁବିଧାଜନକ , ଫଳପ୍ରଦ ଏବଂ ସୁଲଭ ପରିବାର ନିୟୋଜନ ବ୍ୟବସ୍ଥା ବାଛିବାରେ ଜନସାଧାରଣଙ୍କୁ ପରାମର୍ଶ ଦେବା ଉଚିତ । +ବିଭିନ୍ନ ଗର୍ଭନିରୋଧକ ମଧ୍ୟରେ କେବଳ କଣ୍ଡୋମ ହିଁ ଉଭୟ ଗର୍ଭଧାରଣ ଏବଂ ଏଡସ୍ /ଏଚ.ଆଇ.ଭି . ସମେତ ବିଭିନ୍ନ ଯୌନ ରୋଗରୁ ସୁରକ୍ଷା ଦେଇଥାଏ । +କେବଳ ସ୍ତନ୍ୟପାନ କରାଇବା ଦ୍ଵାରା ହିଁ ମାଆର ଜନନକ୍ଷମତା ଫେରିବାକୁ ପ୍ରାୟ ଛଅ ମାସ ଯାଏଁ ଡେରି କରାଯାଇପାରେ । +ସ୍ତନ୍ୟପାନ କୌଣସି ମହିଳାକୁ ପ୍ରାୟ ୯୮ ଭାଗ ଗର୍ଭଧାରଣ ସମ୍ଭାବନାରୁ ସୁରକ୍ଷା ଦେଇପାରେ । +ଏଥିପାଇଁ କିନ୍ତୁ ତା’ ଶିଶୁ ଛଅ ମାସରୁ କମ୍ ବୟସର ହୋଇଥିବ , ମା’ର ଋତୁସ୍ରାବ ପୁଣି ଆରମ୍ଭ ହୋଇନଥିବ ଏବଂ ତା’ ଶିଶୁ ଅଲଗା କୌଣସି ଖାଦ୍ୟ ବା ପାନୀୟ ନଖାଇ କେବଳ ମାଆ କ୍ଷୀର ଖାଉଥିବା ଜରୁରୀ । +ପରିବାର ନିୟୋଜନ ବିଷୟରେ ଜାଣିବା ଉଭୟ ପୁରୁଷ ଓ ସ୍ତ୍ରୀଙ୍କ ଦାୟିତ୍ଵ । +ମିଳୁଥିବା ବିଭିନ୍ନ ସ୍ୱାସ୍ଥ୍ୟ ସୁବିଧା ବିଷୟରେ ପ୍ରତ୍ୟକ ବ୍ୟକ୍ତି ସଚେତନ ରହିବା ଉଚିତ । +ଉଭୟ ପୁରୁଷ ଓ ସ୍ତ୍ରୀ ଅବାଞ୍ଛିତ ଗର୍ଭଧାରଣ ପ୍ରତି ଦାୟିତ୍ଵବାନ ହେବା ନିହାତି ଜରୁରୀ । +ସେମାନେ ସ୍ୱାସ୍ଥ୍ୟକର୍ମୀଙ୍କଠାରୁ ସୂଚନା ଏବଂ ଆବଶ୍ୟକ ପରାମର୍ଶ ନେଲେ ପରିବାର ନିୟୋଜନର ବିଭିନ୍ନ ଉପାୟ ବିଷୟରେ ଜାଣିପାରିବେ । +ଆହୁରି ମଧ୍ୟ ଏହି ପ୍ରକାର ସୂଚନା ସବୁ କୌଣସି ଡାକ୍ତର , ନର୍ସ , ଶିକ୍ଷକ , ପରିବାର ନିୟୋଜନ କେନ୍ଦ୍ର ଏବଂ ଯୁବ ବା ମହିଳା ସଙ୍ଘଠାରୁ ମିଳିପାରିବ ।