diff --git a/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_62 b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_62 new file mode 100644 index 0000000000000000000000000000000000000000..fb40ba94c7d2af8c07366aecd7c6f9d93c9ef02d --- /dev/null +++ b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_62 @@ -0,0 +1,89 @@ +ମାଗୁଣିର ଶଗଡ଼ +- ଗୋଦାବରୀଶ ମହାପାତ୍ର +ତା: ଅକ୍ଟୋବର୍ ୧୦, ୨୦୧୧ +ମୂଳ ପୃଷ୍ଠା → ସ୍ମରଣୀୟ ଲେଖା → ଗଳ୍ପ → +ଖଲିକୋଟର ଦୁଇଲକ୍ଷ ଲୋକଙ୍କ ଭିତରେ ପ୍ରତିଦିନ ଯିବା ଆସିବା ଚାଲିଛି । +କେତେ ସଂସାରରୁ ଯାଉଛନ୍ତି, କେତେ ସଂସାରକୁ ଆସୁଛନ୍ତି । +ଏ ଖବର ରଖୁଛନ୍ତି ଗୃହ-ପରିବାର ବା ସାଇପଡ଼ିଶାର ଲୋକେ । +କିନ୍ତୁ ଯେଉଁଦିନ ମାଗୁଣି ଏ ସଂସାର ଛାଡ଼ି ଚାଲିଗଲା, ସେଦିନ ଖବବରଟା ଖଲିକୋଟର ପୁରପଲ୍ଲୀ ସବୁଆଡ଼େ ବ୍ୟାପିଗଲା । +ଯେ ଶୁଣିଲା ସେ ମୁହୂର୍ତ୍ତେ ହେଲେ ନୀରବ ରହି ଦୁଃଖରେ କହିଲା, “ମାଗୁଣି ଚାଲିଗଲା ? ଆହା-ବିଚରା ଚାଲିଗଲା ।” +ମାଗୁଣି କିଏ ? ଖଲିକୋଟର ସେ ରାଜା ନୁହେଁ, ଏ କଥା ନିଶ୍ଚୟ । +ସେ ରାଜ୍ୟର ରଜା ନୁହେଁ, ଏ କଥା ସମସ୍ତେ କହିବେ । +ସେ କର୍ମୀ ନୁହେଁ, ଏ କଥା ସମସ୍ତେ ଜାଣନ୍ତି । +ସେ କେବେ ସତ୍ୟାଗ୍ରହରେ ଯୋଗ ଦେଇନାହିଁ କି ରଜାକୁ ଖଜଣା ଦେଇନାହିଁ । +ତା ବେକରେ କିଏ ଫୁଲମାଳ ଲମ୍ବାଇନାହିଁ କି ସେ କାହା ଗଳାରେ ମାଳା ଲମ୍ବାଇଦେବା ଦରକାର ପଡ଼ିନାହିଁ । +ଜନସମୁଦ୍ର ଭିତରେ କରତାଳି ଗହଳରେ ବକ୍ତୃତା ଦେଇନାହିଁ । +ସେ କେବଳ କରିଛି ଗୋଟିଏ କାମ-ମୁଣ୍ଡର ଝାଳ ତୁଣ୍ଡରେ ମାରି ଜୀବନପଥରେ ଲଢ଼େଇ କରିଛି । +ସେ ଲଢ଼େଇ ଦେଶ ପାଇଁ ନୁହେଁ, ଜାତି ପାଇଁ ନୁହେଁ, ତାହା ନିଜର ପେଟ ଚାଖଣ୍ଡକ ପାଇଁ । +ତଥାପି ମାଗୁଣିର ମୃତ୍ୟୁଖବର ପାଇ ସମସ୍ତେ କହିଲେ, “ଆହା-ବିଚରା ଚାଲିଗଲା ।” +ଗଡ଼ରେ ପଚାରିଲେ ସମସ୍ତେ କହିବେ ମାଗୁଣି କିଏ, ଦୂର ଜଙ୍ଗଲ ତଳ ପଲ୍ଲୀଗାଁରେ ମଧ୍ୟ ତାର ପରିଚୟ ମିଳିପାରିବ । +ମାଗୁଣି ଖଲିକୋଟର କେହି ନୁହେଁ- ସେ ଜଣେ ଶଗଡ଼ିଆ, ଦୁଇଟା ବଳଦ ଓ ସେ- ଏ ତିନି ମିଶି ଗୋଟାଏ ସଂଘ ଗଢ଼ିଥିଲା, ଯାହା କି ଦୁଇଲକ୍ଷ ଲୋକଙ୍କ ମନକୁ ଛୁଇଁଗଲା । +ପ୍ରତିଦିନ ଖଲିକୋଟ ଗଡ଼ରେ ସୂର୍ଯ୍ୟ ଉଏଁ ଓ ସୂର୍ଯ୍ୟ ଅସ୍ତ ହୁଏ । +ଘନଘୋର ବର୍ଷାଦିନେ ଲୋକେ ସୂର୍ଯ୍ୟ ନ ଦେଖି ମାଗୁଣିକି ଦେଖି ବେଳ ଜାଣନ୍ତି । +ମାଘ ମାସର ଜାଡ଼ରେ ପିଣ୍ଡାରେ ଘୋଡ଼ିଘାଡ଼ି ହୋଇ ଲୋକେ ବସିଥିବାବେଳେ ମାଗୁଣି ନିଜ ପରିଚିତ ସାଙ୍ଗ ଦୁଇଟିକୁ ଶଗଡ଼ରେ ଯୋଚି ପାହାଡ଼ତଳେ ଗୀତ ବୋଲି ଚାଲିଯାଏ । +ଲୋକେ କହନ୍ତି ମାଗୁଣି ସେମାନଙ୍କର ଗୋଟାଏ ଘଣ୍ଟା । +ବର୍ଷାଦିନେ ବର୍ଷା ଘୁଞ୍ଚିଯାଇ ପାରେ, ଖରାଦିନେ ଖରା ତାତି ଊଣା ହୋଇପାରେ, କିନ୍ତୁ ମାଗୁଣିର ଶଗଡ଼ ଦିନେ ହେଲେ ବନ୍ଦ ହୁଏ ନାହିଁ । +ସେ କହେ ରଜାଘରେ ଯୋଡ଼ା ମୋଟରକାର୍‌ ଅଛି ସତ, କିନ୍ତୁ ତା ପରି ଇଞ୍ଜିନିୟର ନାହାନ୍ତି । +ତା ଶଗଡ଼ ରଜାଘର ମୋଟରଠୁଁ ବଳେ । +ବାରବର୍ଷର ଅତି ପରିଚିତ ସାଥୀ କାଳିଆ ଓ କଷରା, ବଳଦ ଉପରେ ସେ ହାତ ମାରି ଆଉଁସିଦେଲେ ତା ଗାଡ଼ିରେ ପକ୍ଷ ଦିଆହୁଏ । +ଯେତେବେଳେ ସେ ଶଗଡ଼ ଉପରେ ହସି ଗୀତ ପଦେ ବୋଲିଦିଏ, “ରାମ ଯେ ଲଇକ୍ଷଣ ଗଲେ ମୃଗ ମାରି”, ତାର ମୋଟର ଚାଲେ । +ସେତେବେଳେ ଶ୍ୟାମଳ ତରୁ ପତ୍ରତଳେ, ଗିରି କନ୍ଦରା ଭିତରେ ପ୍ରତିଧ୍ବନି ଉଠେ । +ଅର୍ଦ୍ଧସୁପ୍ତ କୁକ୍‌କୁଟ କୁମ୍ଭାଟୁଆ ତାକୁ ଉତ୍ତର ଦିଅନ୍ତି, ପଲ୍ଲୀର ବୁଲା କୁକୁରଦଳ ଚମକି ଉଠି ଗାଁରେ ଚହଳ ପକାଇଦିଅନ୍ତି । +ଘଡ଼ ଘଡ଼ ଶବ୍ଦରେ ଶଗଡ଼ ଚାଲିଯାଏ ଷ୍ଟେସନ ଅଭିମୁଖେ । +ପଚାଶ ବର୍ଷର ମାଗୁଣି ବାରବର୍ଷର ସାଥୀ ବଳଦଙ୍କୁ ଧରି ଯେତେବେଳେ ଭଡ଼ା ବୋହି ଚାଲେ, ସତୁରି ଅଶୀବର୍ଷ ତଳର କାହାଣୀ ପରି ବହିଯାଏ । +ସେ କହେ ଆଗ ତା ନିଜ କଥା-ତାର କେବେ ବାପାମା’ ଥିଲେ, ସେ କେବେ ସୁଖରେ ବଢ଼ି ଖଟରେ ଶୋଉଥିଲା, ସେ କେବେ ଘରେ ବସି ଦୁଇଓଳି ପେଟ ପୂରାଇ ଖାଉଥିଲା, ଆଉ ଜଣଙ୍କର ମଧୁର ବଚନ ଶୁଣି ଜୀବନର ସକଳ ଦୁଃଖ ଭୁଲିଯାଇଥିଲା । +ସେ ଗଢ଼ିଥିଲା ଗୋଟେ ସ୍ବପ୍ନରାଜ୍ୟ । +ସେ ରାଜ୍ୟରେ ସେ ଥିଲା ରାଜା । +ରାଣୀ କରି ଯାହାକୁ ଆଣିଥିଲା, ଜୀବନଟାକୁ ସେ ହସାଇ ହସାଇ ନଚାଉଥିଲା । +ତାର ଅଧର ତଳେ ସେ ଅମୃତ ପିଉଥିଲା, ତାର ଚାହାଣୀ ଭିତରେ ସେ ଜଗତ ଦେଖୁଥିଲା, ତାର ନିଃଶ୍ବାସରେ ସେ ସୁବାସ ବାରୁଥିଲା ଓ ତାର ପାଦ ତଳେ ସେ ଫୁଲ ଫୁଟିବାର ଦେଖୁଥିଲା । +କିନ୍ତୁ ସେ ସ୍ବପ୍ନ ତାର ବେଶି ଦିନ ରହିଲା ନାହିଁ । +ସ୍ବପ୍ନମୟୀ ହସି ହସି ଚାଲିଗଲା ଏ ସଂସାରର ସେପାଖକୁ । +ଏପାଖେ ଏ ଦୁଇଟି ବଳଦ ଗାଁରୁ ଷ୍ଟେସନକୁ ଓ ଷ୍ଟେସନରୁ ଗାଁକୁ ଦିନକେ ଦୁଇଥର ଯାଇ ତାକୁ ଆର ଜନ୍ମରେ ଭେଟିବାକୁ ଚେଷ୍ଟା କରୁଥିଲା । +ଶଗଡ଼ ବୋହିଲାବେଳେ ଏ କଥା ସେ ସମସ୍ତଙ୍କୁ ଶୁଣାଇ କନ୍ଦାଇ ପକାଏ, ନିଜେ ଦୁଇଟୋପା ଲୁହ ନିଜର ଚିରା କାନିରେ ପୋଛିଦେଇ ବଳଦ ଉପରେ ହାତ ମାରି ପୁଣି କହେ ଆଉ ଗୋଟାଏ ଗଳ୍ପ । +ଲୋକଙ୍କ ବାଟ ସରିଯାଏ, କିନ୍ତୁ ତାର ଗଳ୍ପ ସରେ ନାହିଁ । +ସେ କହେ ତା ଶଗଡ଼ରେ ନ ବସିଚି କିଏ ? ବସି ନ ଥିଲେ, ବସି ନ ଥିବେ ଖଲିକୋଟର ରାଜା । +କିନ୍ତୁ ଦେବାନ୍‌ କହ, ମ୍ୟାନେଜର୍‌ କହ, ଓକିଲ କହ, ମହାଜନ କହ, ଏପରି କି ମହାତ୍ମାଙ୍କ ଭକ୍ତ ପର୍ଯ୍ୟନ୍ତ କହ ସମସ୍ତେ ବସିଛନ୍ତି ତା ଶଗଡ଼ରେ । +ଏସବୁ କଥା କହିଲାବେଳେ ସେ ଏଡ଼େ ଉତ୍ସାହରେ କହେ ଯେ, ବେଳେବେଳେ ବଳଦ ଦୁଇଟା ଠିଆ ହୋଇଗଲେ ମଧ୍ୟ ସେମାନଙ୍କୁ ଅଡ଼ାଏ ନାହିଁ । +ଜାଣି ପାରିଲେ କହେ-ଏ ପଶୁଗୁଡ଼ାକ ମଧ୍ୟ ଏ କଥା ଶୁଣିବାକୁ କାନଉଛନ୍ତି । +ମାଗୁଣିର ଶଗଡ଼ ଓ ବଳଦ ଖଲିକୋଟର ଗୋଟିଏ ବିରାଟ ଇତିହାସ ନ ହେଲେ ମଧ୍ୟ ସେ ଇତିହାସର କେତେଟା ପୃଷ୍ଠା । +ସେ ଇତିହାସ କହେ, ଏ ଶଗଡ଼ ରାଜ୍ୟର ସମସ୍ତିଙ୍କି ଚିହ୍ନିଛି । +କେତେ ବାଳବିଧବା ଏହାରି ଉପରେ ବସି ଶାଶୁଘରୁ ବାପଘରକୁ ଫେରିଛନ୍ତି । +କେତେ ସୁହାସିନୀ କୁଳବଧୂ ବାପଘରକୁ ଶାଶୁଘରକୁ ମଧ୍ୟ ଯାଇଛନ୍ତି । +ଖଜଣା ଗଣ୍ଡାକ ଦେଇ ନ ପାରି ଯେଉଁଦିନ ମଣ୍ଡଳ ଗାଁର ଗଦା ରାଉଳ ଜେଲ୍‌ ଗଲା, ସେଇଦିନ ତା ଘରର ଛାଞ୍ଚୁଣିମୁଣ୍ଡା ଆଦି ଏଇ ଶଗଡ଼ରେ ବୁହାହୋଇ ଆସି ରଜାଘର କଚିରି ଦୁଆରେ ଜମା ହୋଇଥିଲା । +ଯେଉଁଦିନ ବେନ୍ଦାଳିଆ ଗାଆଁର ମଧୁ ରଥେ ନରହତ୍ୟା ଅପରାଧରେ ଧରାହେଲେ, ସେଦିନ ସେ ଏଇ ଗାଡ଼ିରେ ବସି ଯାଇଥିଲେ । +ଏଇ ଗାଡ଼ିରେ ବସି ଓକିଲ ଆସି ରଜାଘର ପକ୍ଷ ନେଇଛନ୍ତି । +ଏଇ ଗାଡ଼ିରେ ରଇତ ନେତାଏ ହାତକଡ଼ା ପଡ଼ି କଚିରିକି ଯାଇଛନ୍ତି । +ଏଇ ଗାଡ଼ି ସୁଖ ଦେଖିଛି-ଦୁଃଖ ଦେଖିଛି । +ଲୁହ ବୋହି ଏଇ ଗାଡ଼ିର ଶୁଖିଲା ପାଳର ଗଦି ଓଦା ହୋଇଯାଇଛି, ହସରୋଳରେ ଏଇ ଗାଡ଼ି କେତେ କମ୍ପିଛି । +ଏଇସବୁ କଥା କହି ମାଗୁଣି ଯେତେବେଳେ ଗାଡ଼ି ଚଳାଏ, ମନେହୁଏ ମାଗୁଣି ଗୋଟାଏ ଜୀବନ୍ତ ଇତିହାସ । +ଏପରି ଦଶ ପାଞ୍ଚଟା ଇତିହାସକୁ ଏକାଠି କଲେ ଓଡ଼ିଶାର ଗୋଟାଏ କୋଣାର୍କ ତିଆରି ହୁଅନ୍ତା । +ଦିନେ ମାଗୁଣି ଶୁଣିଲା, ତା ଗାଡ଼ିରେ ଆଉ ଲୋକେ ବସିବେ ନାହିଁ; କାରଣ ସିଂହଘର ଗୋଟାଏ ମୋଟର ବାସ୍ ଆଣୁଛନ୍ତି । +ଶୁଣିଲାମାତ୍ରେ ସେ ହସି ହସି ଆକାଶ ଫଟାଇ ଦେଲା । +କହିଲା- “ମୋଟର ବାସ୍ ! ତା କଣ ମୋ କାଳିଆ କଷରାକୁ ଟପି ଯିବ ?” ଭଲ କରି ଆହାର ଦେଇ ଯେତେବେଳେ ହାତ ମାରିଦେବି ଲୋକେ କଣ ମୋ ଗାଡ଼ି ଛାଡ଼ି ସେ ଗାଡ଼ିକି ଯିବେ ? ଏ କଥା ଶୁଣି ସମସ୍ତେ ହସିଲେ ସତ, ମାତ୍ର ସେ ଖାତିରି କଲା ନାହିଁ । +ଦୁଇ ଚାରି ଦିନ ଗଲା । +ଦେଖୁ ଦେଖୁ ଗଡ଼ରେ ମୋଟର ବାସ୍‌ ପହଞ୍ଚିଲା । +ଲୋକେ କହିଲେ- ଏଥର ମାଗୁଣିର ବ୍ୟବସାୟ ବୁଡ଼ିଲା । +ଏକାବେଳେ କୋଡ଼ିଏ ଜଣଙ୍କୁ ଧରି ଘଣ୍ଟାକେ ଚାଳିଶ ମାଇଲ ଯିବ । + ମାଗୁଣି କି ତାକୁ ବଳିଯିବ ? +କଥା ସତ । +ଦୈତ୍ୟଦାନବ ପରି ଗଡ଼ରେ ମୋଟର ବସ୍ଟାକୁ ଦେଖି ମାଗୁଣିର ମନରେ ଛନକା ପଶିଗଲା । +ସେ କାନ୍ଦି ପାରିଲା ନାହିଁ ସତ, କିନ୍ତୁ କାନ୍ଦ କାନ୍ଦ ହୋଇ ଭାବିଲା- ସେଦିନ ଯାଇଥିଲି କୋଦଳା ସଭାକୁ । +କିଏ କହୁଥିଲେ- କଳ ଜିନିଷଠୁଁ ହାତଜିନିଷ ଭଲ । +ତାହେଲେ ମୋଟର କଳଠୁଁ କ’ଣ ମୋ ଶଗଡ଼ ଭଲ ନୁହେଁ ? ଏତେ ଲୋକ ତ ସଭାରେ ବସି ଶୁଣୁଥିଲେ, ସେମାନେ କ’ଣ ମୋର ଦୁଃଖ ବୁଝିବେ ନାହିଁ ? କର୍ମୀ ନ ବୁଝିଲେ ଯିବି ଗାନ୍ଧିଙ୍କ ପାଖକୁ । +ଦରିଦ୍ରର ସାଥୀ ସେ, ଗରିବଙ୍କ ବନ୍ଧୁ ସେ । + ସେ କଣ କହିବେ ମାଗୁଣି ମରିଯାଉ, ଆଉ ଏ ସିଂହେ ବଞ୍ଚନ୍ତୁ ? +ଷ୍ଟେସନରୁ ଗଡ଼କୁ ସିଂହଙ୍କ ବସ୍‌ ଚାଲିଲା । +ମାଗୁଣିର ଶଗଡ଼ ମଧ୍ୟ ଚାଲିଲା । +କିନ୍ତୁ ବସ୍‌ ପୂର୍ଣ୍ଣ, ଶଗଡ଼ ଖାଲି । +ମାଗୁଣି ଯେତେ ଆଗରୁ ରାତିଅଧରୁ ଉଠି ଷ୍ଟେସନରେ ଶଗଡ଼ ହାଜର କଲେ ମଧ୍ୟ ଲୋକେ ଗଲେ ବସ୍‌ରେ । +ଯେତେ ନୂଆ ଅଖାର ଗଦି ପକାଇଲେ ମଧ୍ୟ ଲୋକେ ଧାଇଁଲେ ବସ୍‌ ମୁହଁକୁ । +ଯେତେ ହାତ ଧରି ଡାକିଲେ ମଧ୍ୟ ଲୋକେ ଚାହିଁଲେ ବସ୍ ଆଡ଼କୁ । +ଦିନେ ଗଲା, ଦୁଇ ଦିନ ଗଲା । +ସେ ଦୁଇଓଳି ଖାଇକରି ଆସୁଥିଲା, ଓଳିଏ ଖାଇ ଆସିଲା । +ସେ ଭାତ ଖାଇ ଆସୁଥିଲା, ତୋରାଣି ପିଇ ଆସିଲା । +ସେ ଦୁଇ ଓଳିରେ ଥରେ ପିଇ ଆସୁଥିଲା- କ୍ରମେ ତିନି ଓଳି ଚୁଲି ଲାଗିଲା ନାହିଁ । +କାଳିଆ-କଷରା ଛାତି ହାଡ଼ ଦିଶିଲା । +ସେମାନଙ୍କୁ ଧରି ଯେତେବେଳେ କାନ୍ଦିଲା- କିଏ କହିଲା ପାଗଳ, କିଏ କହିଲା ବାୟା । +ତା ପରେ ଯେଉଁ ଦିନ ମାଗୁଣିର କୁଡ଼ିଆ ଦୁଆର ଭାଙ୍ଗି ଗାଁଲୋକେ ତା ଶବ କାଢ଼ିଲେ, ଦେଖିଲେ ଛିଣ୍ଡା କତରା ତଳେ ପାଞ୍ଚଣ ବାଡ଼ି ଖଣ୍ଡିକ ଶୁଆଇଦେଇ ମାଗୁଣି ଆଖି ବୁଜିଦେଇଛି । +ମଶାଣିରେ ନିଆଁ ଜଳିଲା, ଆକାଶରେ ପକ୍ଷୀ ଉଡ଼ି ଧୂଆଁ ପାର ହେଲେ । + ପୃଥିବୀର ଦୁଇଲକ୍ଷ ଲୋକ ସେ ଖବର ପାଇ ଦୁଃଖରେ କହିଲେ- “ଆହା, ମାଗୁଣି ଚାଲିଗଲା !”