diff --git a/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_68 b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_68 new file mode 100644 index 0000000000000000000000000000000000000000..7fc6fa83f90314a479930a1ef7ce0d71489f1907 --- /dev/null +++ b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_68 @@ -0,0 +1,114 @@ +ଯାତ୍ରା-ମଙ୍ଗଳ +- ରାଜକିଶୋର ରାୟ +ତା: ଫେବୃଆରୀ ୨୦, ୨୦୧୧ +ମୂଳ ପୃଷ୍ଠା → ସ୍ମରଣୀୟ ଲେଖା → ଗଳ୍ପ → +ଗାଁ ନାଁ କହି ଲାଭ ନାହିଁ । +ଜନବସତିର ପରିମଳ ଓ ସ୍ବାସ୍ଥ୍ୟତାର ବାସନ୍ତୀ ମଳୟ, ଦିନାର୍ଦ୍ଧ ସୂର୍ଯ୍ୟ, ଶ୍ରାବଣର ନୀରଧାରା, କୋଇଲିର କୁହୁବେଣୁ ଗୋଟିଏ ଅପ୍ରତିହତ ନାଗରିକ ନିଷ୍ଠୁରତାରେ କେଉଁକାଳରୁ ଅଚଳ ହୋଇଯାଇଛି । +ବୁଲା ଫକୀର କିମ୍ବା ବାରବୁଲା ଯୋଗୀର ଗୀତିରେ ପଲ୍ଲୀର ଶ୍ରୀହୀନତାର କୋହ – ମୂର୍ଚ୍ଛନା ପ୍ରତିଫଳି ଯାଇଛି । + କିଏ ବା ଶୁଣୁଛି ? କିଏ ବା ବୁଝୁଛି ? +ସହର – ! ସହର -! ବ୍ରଣସ୍ବାଦ ଚାଖିବା ପାଇଁ ମାଛିପଲର ଆନନ୍ଦରୁ ବଳି ଆନନ୍ଦ ପାଇବାକୁ ସେହି ସହରକୁ ଧାଇଁଛି ଧନୀ, ଧାଇଁଛି ମାନୀ । +ଜୀବନର କ୍ଷୀରାବ୍ଧି ଉପରେ ଶୋଇ ମୃତ୍ୟୁର ତପସ୍ୟା କରିବାକୁ ବି ଚାଲିଛି ରୂପସୀ ବାରବନିତା ସେହି ସହରକୁ । +ସେଠି ହସୁଛି ହର୍ମ୍ୟଶାଳା, ରହିଛି ପୂର୍ଣ୍ଣ ବିପଣୀ । +ଗହଳିଆ ଆଖୁକ୍ଷେତ, ପୁଣି ଅତି ସୁନ୍ଦର ଗାଁର ଉପାନ୍ତରେ ଦିମାଣ ଜମିରେ ଆଖୁ ଫଳେଇଛି ମକରନ୍ଦ । +ମକରନ୍ଦ ଜାତିରେ ଅଛବ; କିନ୍ତୁ ଯେତେବେଳେ ଛାତି ଉପରେ ଦୁଇଟା ବୁଦାଳିଆ ମାଂସପେଶୀ ନଚେଇ ନାକ ଫୁଲେଇ ଦି’ପୁଡା ହାବୁକିଆ ପବନଟାଣି ନେଇ ଆଖୁକ୍ଷେତ ମଝିରେ ସେ ଛିଡା ହୋଇଯାଏ ସେତେବେଳେ ଆଖୁଛୁଏଁ ମକରନ୍ଦକୁ, ମକରନ୍ଦ ଛୁଏଁ ଆଖୁବୁଦାକୁ । +ଏ ମିଳନରେ ବାରଣ କରିବାକୁ ନଥାଏ ସମାଜର ସ୍ଥାନାଧିପତି । +ମଣିଷ ମକରନ୍ଦକୁ ଛୁଏଁ ନାହିଁ ସତ; କିନ୍ତୁ ଗେଣ୍ଡା କୋଚିଆର ଗାଲିସି ପରାପାକରେ ଯାହାର ରକ୍ତର ବର୍ଣ୍ଣ ସରପୁଳି ଭୋଜ୍ୟରେ ନିତିନ୍ରତି ରସାୟିତ ଭଦ୍ରଲୋକର ରକ୍ତର ବର୍ଣ୍ଣ ସହିତ ସାମ୍ୟ ରଖିପାରିଛି, ତାର ସଂସ୍ରବ ପାଏ ଶ୍ୟାମଳା ପୃଥିବୀ । +ସେଇ ତାର ଉପାସକ, ନିତି ପୂଜାରୀ । +ମକରନ୍ଦ ଉପରକୁ ଚାହିଁଲା । +ନିରାଟ ଖରା । +ତାକୁ ଭୋକ କରୁଛି । + ହୁଡା ଉପରୁ ଡାକିଲା – +‘-ଯମୁନା, ଜାଉ ହେଲା ? ’ +ଗଛଗହଳିରେ ହୁଡାର ଅନ୍ୟପ୍ରାନ୍ତ ଅଦୃଶ୍ୟ ରହିଯାଇଛି । +ଦୃଶ୍ୟମାନ ଚକ୍ରବାଳର ଗୋଟାଏ ପ୍ରାନ୍ତରେ ଲାଖି ରହିଛି ଦୁଇ ଶୁଣ୍ଢରେ ଯୁଦ୍ଧ୍ୟମାନ ମତ୍ତକରୀ ରୂପର ଦୁଇଖଣ୍ଡ ମେଘ । +ଯମୁନା ! ସେ ତ ଅଠରରେ ଅଟକି ରହିଛି । +ବୟସ ଯେମିତି ତାକୁ ଛାଡିବାକୁ ଚାହେଁନା । +ଯେଉଁ ତନୁରେ ଲାବଣ୍ୟର କାନ୍ତିପାଟବ ଆହୁରି ଖର ହୋଇ ଉଠିଛି, ସେଠୁ ବୟସ ଖସିଯିବ କିପରି ? ପୁଣି ଅଛି ନାକରେ ଖଣ୍ଡିଗୁଣାଟିଏ । +ବାହିରେ ବାହୁଏ ପିତ୍ତଳ ସଜ, ନଖରେ ନଖପଚା ଲାକ୍ଷା, କପାଳରେ ଗୁଞ୍ଜପୋକର ଟିକିଲି । +‘-ମତେ ଏ ପବନ କଣ ରଖେଇ ଥୋଇ ଦଉଛି ? ତମେ ଆସ, ଏଇନାଗେ ହେଇଯିବ ଯେ ।’ +ଆଜି କ୍ଷେତଜାଉର ପର୍ବ । +ନୂଆ ଆଖୁ ଦୋରୁଅରେ ରନ୍ଧା କ୍ଷେତଜାଉ ଖାଇବେ ଦୁହେଁ । +ଆଉ ଶୁଭମନାସିବେ ଯେମିତି ବରଷ ବରଷ ଧରି ଏଇଭଳି କ୍ଷେତହେଉ । +ମା ଲକ୍ଷ୍ମୀ ସୁଦୟା କରନ୍ତୁ । +ପ୍ରଥମେ ଶୁଭିଲା ମଇଁଷି ବେକର ଟିପେଇ ଶବ୍ଦଭଳି । +ପରେ ଟିକିଏ ନିକଟ ହୋଇ ଆସିବାରୁ ମକରନ୍ଦ ବୁଝି ପାରିଲା ଏ ଟିପେଇ ନୁହେଁ, ବଳଦ ବେକର ଘଣ୍ଟି । +ଗାଡି ପଛେ ଗାଡି । +ଛୋଟରାୟ ଆମ୍ବତୋଟା ଶଗଡଗୁଳା ଉପରେ ବେକ ହଲେଇ ଚାଲିଛନ୍ତି ବଳଦ । +ଆଗ ଗାଡି ଦିଖଣ୍ଡ ତାଟ, ପଛ ଦଶଖଣ୍ଡ ଗାଡି ଓଦର । +ମକରନ୍ଦ ବଟୁଆରୁ ଗୁଆକାତି ଖଣ୍ଡି ବାହର କରୁ କରୁ କହିଲା – +‘ଯମୁନା ଆଜି ଅଭି ସାଆନ୍ତେ ଅଇଲେ ଲୋ ।’ +‘ସତେ?’ +‘ହଁ ଦେଖୁନୁ ଦଶ ଦଶ ଖଣ୍ଡ ଗାଡି । +ଗାଈ, ବାଛୁରୀ, ହାଣ୍ଡି, ପଥୂଲି, ଗୁଡ ମାଠିଆ, ପାରା ଭାଡି, ମେଜ, ଚଉକି, ଖଟ, ପଲଙ୍କ, ପିଲାଙ୍କ ଠେଲାଗାଡି ଇମିତି କେତେ କଅଣ ।’ +ଯମୁନା ଆବାକାବା ହୋଇ କହିଲା – ‘ଇଲୋ ମାଆ, ଇୟେ କଅଣ ଘରଭାଙ୍ଗି ପଳେଇ ଆସିଲେ କି ? +ଆମ ଗାଁରେ ଆଉ ପୁଣି କୁନି ମାଉସୀ ଝିଅ, ମୋ ବଉଳ ନାଁ କେମିତି କହିବି ମ, ସେ ଯୋଉ ଗାଁରେ ବାହା ହେଇଚି ସେ ଗାଁରେ ସିନା ବାଡି-ଠାକୁରାଣୀ ଉଭାହେଲେ ଲୋକେ ଗାଁ ଛାଡି ପଳେଇ ଯାଆନ୍ତି, ଆଉ ଇଏ କଅଣ ମ ! କଟକ ସହରରେ କଣ ଠାକୁରାଣୀ ହୁଅନ୍ତି ?’ +ମକରନ୍ଦ ସତକୁ ସତ ଭାବୁଛି କଥାଟା କଣ ? ଅଭି ସାଆନ୍ତେ ପନ୍ଦର ବରଷ ହେଲା ଗାଁ ମାଡି ନଥିଲେ ! କହିଲା – +‘ଆଲୋ, ସେ ତ ପନ୍ଦର ବରଷ ହେଲା ଗାଁ ମାଡି ନାହାନ୍ତି । +ଯେତେବେଳେ ମତେ ପନ୍ଦର ଷୋହଳ ବର୍ଷ ହୋଇଥିଲା, ରଥପୁର ପୋଖରୀ ଗୋଳିରେ ମୁଁ ମାଛ ଧରୁଥିଲି, ସେତେବେଳେ ତାଙ୍କୁ ଦେଖିଥିଲି । +ସେତିକି ତ ଦେଖା । +ନୂଆ ବାହାହେଇ ତ ଯାଇଛନ୍ତି କଟକ, ଆଉ ଫେରି ନଥିଲେ ।’ +ବିଲହୁଡାତଳ ଚୁଲିରୁ ଜାଉ ଆଟିକା ଖଣ୍ଡିକ ଓହ୍ଲେଇ ଆଣୁ ଆଣୁ ଯମୁନା କହିଲା – +‘ତାଙ୍କ ଭାରିଯା କେମିତି ମ ? ’ +‘ତୁ କଅଣ ବୋହୂ ହେଇ ସେତେବେଳକୁ ଆସିଥିଲୁ ଯେ ଜାଣିବୁ ? ପଠାଣ-ପିଟା ଜାମୁଗଛ ଉପରେ ଚଢି ପିଲାବେଳେ ତତେ କିଏ କୋଳି ପାରିଦେଉଥିଲା ? ପରିହାସରେ ପରା ମତେ ବାହା ହେବୁ କି ନାହିଁ ପଚାରିବାରୁ ମତେ କହିଥିଲୁ – ‘ବାଡିପଡା !’ +ଯମୁନା ଜିଭ କାଢି ପକାଇଲା । +‘କିମିତି ଅଲକ୍ଷଣା ମଣିଷ ମ, ମୁଁ ଏଇଆ କହିଥିଲି ?’ +ସରାଗରେ ମକରନ୍ଦ ଧରି ପକେଇଲା, ଯମୁନାର ହାତଟି । +ଅଭିରାମବାବୁଙ୍କୁ ପ୍ରଦକ୍ଷିଣ କରି ଯେଉଁ କେତୋଟି ପ୍ରାଣୀ ଗାଁ ସହିତ ସବୁ ସଂସର୍ଗ ଛିଣ୍ଡେଇ ସହରରେ ପ୍ରତିପାଳିତ ହୋଇ ଆସୁଥିଲେ, ସେମାନଙ୍କ ଭିତରେ +ଅଭିରାମବାବୁଙ୍କର ସହଧର୍ମିଣୀ କୁନ୍ତୀ ଦେବୀ, ବଡପୁଅ ପରିତୋଷ, ଝିଅ ନିର୍ମଳା । +ପରିତୋଷ ବି.ଏ. ପାଶ୍‌, ତେଣୁ ବେକାର । +କୁନ୍ତୀ ଦେବୀ ଗୋପୀଭାଷାରୁ ଡେଇଁ ବଜାର ସଉଦା ପାଇଁ ଚିଠା ଲେଖିବାରେ ହାତ ପଇଠ କରିଛନ୍ତି; ତେଣୁ ସାହିତ୍ୟ ଓ ଗଣିତ ମଧ୍ୟରେ ଉପଯୁକ୍ତ ଯୋଗାଯୋଗ ସେ ଆଣି ପାରିଛନ୍ତି । +ଝିଅ ନିର୍ମଳା ହେଉଛନ୍ତି ସାମାଜିକ ମହିଳା । +ତେଣୁ ମହିଳା ସଂଘର ଉନ୍ନତି ତାଙ୍କ ଭାବନାର ବସ୍ତୁ ହୋଇ ପଡିଛି । + କିନ୍ତୁ ଏ ଦୁର୍ଲଭ ଜୀବ ସବୁ ଆଜିସରିକି ଗାଁ ଆଡକୁ ମୁହଁ ଫେରାଇଛନ୍ତି କାହିଁକି ? +ଏଇ ପ୍ରସଙ୍ଗର ଚର୍ଚ୍ଚା ସେଦିନ ଭାଗବତ ଘରେ ବୈଦରାଜ ଭଟ୍ଟ ମିଶ୍ର, ସଣ୍ଡୁଆସୀ ପ୍ରଧାନ, ବୃଦ୍ଧ ଯୁଗଳ ମିଶ୍ର ଆଉ ଜଳଧର କମାର ଭିତରେ ଚାଲିଥିଲା । +ଦୂରରୁ ଅଭିରାମ ବାବୁଙ୍କର ପାଟି ଶୁଭିଲା । +ଭାଗବତଘର ପିଣ୍ଡା ଉପରକୁ ଚଢିଯାଇ ସାଆନ୍ତେ କହିଲେ – ‘ପ୍ରଣାମ ଯୁଗଳ ମିଶ୍ରେ । + ଗାଁ ଖବର ସବୁ ଭଲ ତ ?’ +ଗାଁ ମାଟିରେ ବୃଦ୍ଧଙ୍କର ଶରୀର ଜନ୍ମ ପାଇଛି, ସେଇଥିରେ ମିଳେଇ ଯିବାକୁ ବସିଲାଣି; ଅଥଚ ସେ ବୁଝି ପାରିଲେ ନାହିଁ ଅଭିରାମବାବୁଙ୍କର ଗାଁର କୁଶଳ ପଚାରିବା କଥା । +ସେଦିନ ଥିଲା ଧାରା ଶ୍ରାବଣର ରାତ୍ରି । +ଶ୍ବାସର ପ୍ରକୋପ କଷ୍ଟ ଦେଉଥିଲା ତାଙ୍କୁ । + ସେହି ବର୍ଷାପାତରେ କଟକ ଦଉଡିଯାଇ ମିଶ୍ରେ ଅଭିରାମ ବାବୁଙ୍କୁ ଜଣେଇଥିଲେ – +‘ବାବୁ, ସାରା ବ୍ରାହ୍ମଣକୁଳକୁ ଏ ଅପବାଦ ଢାଙ୍କିଦେଉଛି । +ରକ୍ଷାକରନ୍ତୁ । +କଣ୍ଠ ମିଶ୍ରଙ୍କର ବିଧବା ଝିଅ ଘରୁ ଗୋଡ କାଢି ଦେଇଛି ଗାଁ ଫାଣ୍ଡି କନେଷ୍ଟବଲର କୁଶିକ୍ଷାରେ । +ଆପଣ ଗାଁର ମୁଣ୍ଡ, ପୁଣି ଓକିଲ ।’ +କିନ୍ତୁ କାହିଁ । +ସାହାଯ୍ୟ ପରିବର୍ତ୍ତେ ବୃଦ୍ଧ ଶୁଣିଲେ – ‘ବିଧବାଗୁଡାଙ୍କୁ ଘରେ ସାଇତି ରଖିଲେ ଏଇଆ ହୁଏ । +ଏଥିରେ ନିୟମକାନୁନ କିଛି ଖାଟିବ ନାହିଁ ।’ +ବୃଦ୍ଧଙ୍କର ଆଖି ଜଳପୂର୍ଣ୍ଣ ହୋଗଲା । +ଜଳଧର କମାର ସାଆନ୍ତଙ୍କୁ ବସିବାକୁ ଦେଖେଇ ଦେଇ କହିଲା – ‘ସାଆନ୍ତେ, ପନ୍ଦର ବରଷ ହେଲା ଗାଁ କୁ ଆସିନଥିଲେ; ଭଲ କଲେ ଆସିଲେ ।’ +ଅଭିରାମ ବାବୁ ଟିକିଏ ଇତସ୍ତତଃ ହୋଇ କହିଲେ, ‘ହଁ’ ଆଛା ଗାଁରେ ଡାକଘର କରିବା ପ୍ରସ୍ତାବ କଣ ହେଲା? ଡାକଘର ପାଇଁ ମୁଁ ଚେଷ୍ଟା କରିବି । +ମୁଁ ଆସିଲାବେଳେ ଦେଖିଲି ମହାଦେବ ପୋଖରୀଟା ବିଲାତୀଦଳରେ ଭରି ରହିଛି ! ଏଥିରେ କିପରି ସ୍ବାସ୍ଥ୍ୟ ଭଲ ରହିବ ? କି ବୈଦ୍ୟରାଜେ, ନୁହେଁ ? ହେଇଟି, ମୁଁ କୋଡିଏ ଟଙ୍କା ଦେଉଛି । +କାଲି ଗାଁ ବାଲା ସବୁ ମିଳିଯିବା, ପୋଖରୀ ସଫାହେବ ।’ +ଶ୍ରୋତା ଭିତରେ ଏପରି କେହି ନଥିଲେ ଯେ ତାଙ୍କର ବକ୍ତୃତା ଖୁବ୍‌ ଶିଘ୍ର ବୁଝି ନେଇ ଗୋଟାଏ ମନ୍ତବ୍ୟ ଦେବେ । +କେବଳ ବୃଦ୍ଧ ଅଗାଧୁ ମିଶ୍ରେ ‘ନାରାୟଣ’ କହି ହାତଯୋଡିଲେ । + ଆଉ କହିଲେ – ‘ପ୍ରଭୁ ଏ କି ପରୀକ୍ଷା !’ +ଯୋଡିଏ ଦିନ ବିତି ଯାଇଛି । +ଯମୁନା ବେତକୋଳି ବାଉଁଶିଆଏ ଧରି ଫେରି ଆସୁଛି ଗାଁ ଦାଣ୍ଡରେ । +ଦିନ ଗୋଟାକଯାକର ଖରା ଖାଇ ମୁହଁ ତାର କଇଁଥା ପଡିଯାଇଛି । +ବୈଦ୍ୟରାଜେ ପିଣ୍ଡା ଉପରେ ବସିଥିଲେ । +କହିଲେ, – ‘କିଲୋ ଯମୁନା ! ଏତେ ଖରାରେ କୁଆଡେ ଯାଇଥିଲୁ ? ଟିକିଏ ପାହାଚ ଉପରେ ବସିଯା । + ପାଣି ପିଇବୁ ?’ +ଏମିତି କଥା ଗୋସେଇଁଠୁ ସେ କେବେ ଶୁଣି ନାହିଁ । +ପାଣି ଚଳେ ଟେକିଦେବା ତ ଦୂରର କଥା, ଗୋସେଇଁ ଯେ ତାକୁ ପାଟି ଫିଟେଇ ଆଜି କଥା କହିଲେ ସେ ତା ବିଶ୍ବାସ କରି ପାରିଲା ନାହିଁ । + ଯମୁନା ଚଳେ ପାଣି ପିଇଛି କି ନାହିଁ ମୁହଁ କାଢି ଆଣିଲା; କହିଲା – ‘ସାଆନ୍ତେ, ଏ ପାଣି କିଆଁ ଏମିତି ଗନ୍ଧଉଛି ?’ ବୃଦ୍ଧ ମିଶ୍ରେ ହସି ହସି ବୁଝେଇ ଦେଲେ – +‘ଆଲୋ, ଏ ପରା ପରିତୋଷ ବାବୁଙ୍କର ଭିଆଣ । +ବ୍ଲିଚିଂ ବୋଲି ଗୋଟାଏ ଓଷଧ ସବୁ ଗାଁ କୂଅରେ ପକାଇ ଦେଇଛନ୍ତି । +କୁଆଡେ ପୋକଯୋକ – ରାମ, ରାମ- ମରିଯିବେ ।’ +ଯମୁନାକୁ ସବୁ ନୂଆ ଲାଗୁଥାଏ । +ଓଢଣାଟି ଟାଣି ଦେଇ ବାଟ କାଟି ସେ ଚାଲିଗଲା । +ଆଉ ଯୋଡିଏ ଦିନ ବିତିଯାଇଛି । +ଡାହାଣିଆ ଖରା ମଉଳି ଯାଇନି । +ଯମୁନା ମୁଣ୍ଡରେ କାଠ ଗୋଛାଟିଏ ମୁଣ୍ଡେଇ ଦୁଃଖରୁ ଫେରୁଛି । +ଭାଇ ଦିଅ ସେ କେନ୍ଦୁ ଦିଇଟା- ସେଇ ଯେ ଉପର ଡାଳରେ ଅଛି ।’ + ନିର୍ମଳାର ଅଳି ପରିତୋଷ ଭାଙ୍ଗି ନପାରି ଯୋଡିକଯାକ ବଢେଇଦେଲା ନିର୍ମଳା ଆତକୁ । +ବେଶୀ ପାକଲାଟିକୁ ନିର୍ମଳା ତୁଣ୍ଡକୁ ପକେଇ ଦେଇଛି, ଯମୁନା ମୁଣ୍ଡରୁ ଭୁସ୍‌କିନା କାଠ ଗୋଛାଟା ତଳେ କଚାଡି ଦେଇ ନିଜ ଆଙ୍ଗୁଠିରେ ନିର୍ମଳା ମୁହଁରୁ ଦରଚୋବା ବିଷାକ୍ତ କୋଚିଳା ଫଳ ବାହାର କରି ଆଣିଲା । +ନିହାତି ଅପରାଧି ଭଳି ପରିତୋଷ ହାଁ କରି ଗଛ ଉପରେ ଚାହିଁରହିଥାଏ । +ଯମୁନା ଦୁଃଖ କରି କହିଲା – ‘ଦେଈ, କଅଣ କରୁଥିଲ ? ଏ ଯେ କୋଚିଲା, ବିଷ । + ଜୀବନରେ ଆଉ ଥାଆନ୍ତ ?’ +ସେହିଦିନଠାରୁ ଯମୁନା ନିର୍ମଳାର ସାଙ୍ଗ । +ଗାଁର ମହିଳା ସମିତିର ହେଲା ଯମୁନା ପ୍ରଧାନ କର୍ମୀ । +ଦୋଳଯାତ୍ରା ପର୍ବରେ ଦୁଇଶ’ କାଙ୍ଗାଳ ଭୋଜନ ତଦାରଖ କରୁ କରୁ ବୃଦ୍ଧ ଅଗାଧୁ ମିଶ୍ରେ ଅଭିବାବୁଙ୍କ ହାତ ଧରି ପକେଇ କହିଲେ – ‘ଆପଣଙ୍କର ଏଇ ମନ ଯଦି ନିଜ ଜନ୍ମଭୂମୀ ପ୍ରତି ଦଶବର୍ଷ ଆଗରୁ ଆମେ ଦେଖିଥାଆନ୍ତୁ ତେବେ ଆଜି ଏ ଗାଁ ସୁନା ପାଲଟି ଯାଆନ୍ତାଣି ।’ +ଅଭିରାମବାବୁ ହସି ହସି କହିଲେ – ‘ମିଶ୍ରେ, ମୋର ବାହାଦୂରୀ ଏଥିରେ କିଛି ନାହିଁ । +ଯୁଦ୍ଧ ଆଜି ଗାଁ ଆଡକୁ ସଭିଁଙ୍କର ମୁହଁ ଫେରାଇ ଦେଇଛି ।’ +ବୈଦ୍ୟରାଜ ଭଟ୍ଟ ମିଶ୍ରେ ଭଣିତା କରିଦେଲେ – ‘ଗାଁକୁ ଆପଣଙ୍କର ଏ ଯାତ୍ରା ଅତି ମଙ୍ଗଳ ହୋଇଛି…’