diff --git a/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_43 b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_43 new file mode 100644 index 0000000000000000000000000000000000000000..c20c0ddc7713f0a72a7206af3626a0584fbabac3 --- /dev/null +++ b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_43 @@ -0,0 +1,223 @@ +ମୁଣ୍ଡି ସାହାଡ଼ା +କାହ୍ନୁଚରଣ ମହାନ୍ତି +ତା: ଅକ୍ଟୋବର୍ ୨୯, ୨୦୧୨ +ମୂଳ ପୃଷ୍ଠା → ସ୍ମରଣୀୟ ଲେଖା → ଗଳ୍ପ → +ଗାଁ ମଝିରେ ରାଧାର ଛୋଟ କୁଡ଼ିଆଟି । +ଦୂରେଇ ଦୂରେଇ ଗୋଟି ଗୋଟିକା ଅନେକ ଘର । +ତେଣିକି ଗାଁ ଦାଣ୍ଡ । +ଛୋଟ ଗାଁଟିର ନାମ ବିକ୍ରମପୁର । +ବାହୁଦା ନଈର କୂଳରେ । +ଗାଁ ମଝିରେ ମାନ୍ଦ୍ରାଜ ଓ ଓଡ଼ିଶାର ସୀମା । + ଇଚ୍ଛାପୁରକୁ ବାଟ ତିନି କୋଶ ହେବ କି ନାହିଁ? +ରାଜନୀତି ସେ ବୁଝେ ନାହିଁ । +ଇଚ୍ଛାପୁର କି ବିଜୟନଗର ଓଡ଼ିଶାରେ ମିଶିବା ଉଚିତ୍‌ କି ନୁହେଁ, ବ୍ରହ୍ମପୁର କି କଟକ ଆନ୍ଧ୍ର ପ୍ରଦେଶରେ ମିଶିବି କି ନାହିଁ ସେ କଥା ସେ କେବେ ବିଚାର କରି ନାହିଁ । +ସେ ଜାଣେ, ସେ ଇଚ୍ଛାପୁରର ଝିଅ, ବିକ୍ରମପୁରର ବୋହୂ । +ଇଚ୍ଛାପୁର ତା’ର ଜନ୍ମଭୂମି । +ବିକ୍ରମପୁର ତା’ର କର୍ମଭୂମି । +ପୂରା ପଚିଶଟି ବର୍ଷ କଟିଗଲା । +ଘର ଆଗରେ ରାସ୍ତା କଡ଼ରେ ଯେଉଁ ମୁଣ୍ଡି ସାହାଡ଼ା ଗଛ, ସେଇ ତା’ର ସାକ୍ଷୀ । +ବାହୁଦା ନଈର ବାଲି, ନଈ ସେପାରି ପାହାଡ଼ ଧାଡ଼ି, ଆଉ ଶେଷକୁ ତା’ର ଆଖି ଦୁଇଟା-ଏମାନେ ବି ତା’ର ସାକ୍ଷୀ । +ଚଷାଘରର ଝିଅ । +ବୋହୂ ହୋଇ ଯେତେବେଳେ ପନ୍ଦର ବର୍ଷର ଝିଅ ବିକ୍ରମପୁରରେ ଗୋଡ଼ ଦେଲା, ସେତେବେଳେ ଗାଁ ମଝିରେ ତା’ର ଦରଭଙ୍ଗା କୁଡ଼ିଆ ନଥିଲା । +ଶାଶୁ ଶଶୁର, ଗେରସ୍ତ ଦିଅର ନଣନ୍ଦ ସମସ୍ତେ ଥିଲେ । +ହଳ, ବଳଦ, ଗାଈ ମଇଁଷି, ଛେଳି, କୁକୁର ସମସ୍ତେ ସେ ଘରେ ଆଶ୍ରା ନେଇଥିଲେ । +ଜମି ବାଡ଼ି ଧାନ ଅମାର । +ରାଧାକୁ ଦେଖି ସମସ୍ତେ ଭାରି ଖୁସି ହୋଇଥିଲେ । +ତା’ର ରୂପରେ କିଛି ବିଶେଷତ୍ବ ନ ଥିଲା, ଢଙ୍ଗରେ ବି । +ଶ୍ୟାମଳ ବର୍ଣ୍ଣ- ପୁରପଲ୍ଲୀର ଶହ ଶହ ଝିଅ ବୋହୂଙ୍କ ପରି ସ୍ବାସ୍ଥ୍ୟଟି ଭଲ । +ଘରକାମ କରିବାରେ ନିପୁଣ । +କ୍ଲାନ୍ତି ଜାଣେ ନାହିଁ । +ଖିଆ ପିଆରେ ଆପତ୍ତି ଓଜର ନ ଥାଏ । +ଘରର ବୋହୂ, ପେଜ ପାଣି ଯାହା ମିଳେ ଖାଇଦେଇ ସମସ୍ତଙ୍କ ସଙ୍ଗେ ଯୋଗ ଦେଇ କାମ କରେ- ଘରର ମଙ୍ଗଳ ପାଇଁ । +ଘର ଆଗରେ ସେ ଯେଉଁ ମୁଣ୍ଡି ସାହାଡ଼ା- ବଢ଼େ ନାହିଁ କି ଛିଡ଼େ ନାହିଁ । +ପୁରୁଷେ ଉଞ୍ଚା ଝଙ୍କାଳିଆ । +ଟିକି ଟିକି ପତର । +ତା’ରି ଗଣ୍ଡିର ଗୋଟିଏ ଜାଗାରେ ସିନ୍ଦୂର ଲାଗିଛି । +ସେଇ ଗଛରେ ଠାକୁରାଣୀ ଆଶ୍ରା କରିଛନ୍ତି । +ଗଛ ପଛକୁ ତିନି ଶାଖିଆ ହୁଙ୍କା । +ଛଅ ମାସ ସେ ବଢ଼ି ବଢ଼ି ଉପରକୁ ଉଠେ । +ମୁଣ୍ଡି-ସାହାଡ଼ାର ମଥା ଛୁଏଁ । +ବର୍ଷା କାଳରେ ପୁଣି ଛିଡ଼ି ଛିଡ଼ି ଯାଏ । +ମୁଣ୍ଡି ସାହାଡ଼ର ଅଧାଯାଏ ଖସି ଆସେ । +ହୁଙ୍କା ମୂଳରେ ଗାଡ଼ । +ବେଳେ ବେଳେ ନାଗସାପ ବାହାରି ଠାକୁରାଣୀଙ୍କୁ ପ୍ରଦକ୍ଷିଣ କରେ । +ପୁଣି ଗାଡ଼ରେ ପଶେ । +ବାସୁକିର ପ୍ର-ପଣ-ନାତି ସେ । +ଶିବଙ୍କର ପଇତା । +ମୁଣ୍ଡିସାହାଡ଼ାରେ ହରପ୍ରିୟା ଠାକୁରାଣୀ କି ତାଙ୍କର କେଉଁ ପୋଇଲି-ପରିବାରର ଅଂଶ ବିରାଜମାନ । +ତାଙ୍କର ଦେହ-ରକ୍ଷୀ ରୂପେ ଶିବଙ୍କ ନାଗର ଚାକର ବାକର କେଉଁ ହରିଜନ-ନାଗ ପିଲାର ନାତି-ପଣନାତି ନାଗ ବଚ୍ଚା ଠାକୁରାଣୀଙ୍କୁ ଜଗି ରହିଛି । +ପଛରେ ପୁଣି କୈଳାସପର୍ବତର ନମୂନା । +ରାଧା ଯେଉଁଦିନ ବୋହୂ ହୋଇ ଆସିଥିଲା, ମୁଣ୍ଡି-ସାହାଡ଼ାକୁ ପ୍ରଣାମ କରିଥିଲା । +ଠାକୁରାଣୀଙ୍କ ପାଖରେ ପୂଜା, ବାଜା, ଭୋଗରାଗ ମଧ୍ୟ ହୋଇଥିଲା । +ପଚିଶ ବର୍ଷ କାଳ ସେ ଏଇଆ ଦେଖି ଆସିଛି । +ଭଲ ମନ୍ଦ ସବୁ କାମରେ । +ହିସାବ କଲେ ଜଣା ପଡ଼ିବ-କେତେ ଛେଳି, ମେଣ୍ଢା, କୁକୁଡ଼ାର ରକ୍ତ ମୁଣ୍ଡି-ସାହାଡ଼ା ତଳେ ଢଳା ହୋଇଛି । +ଠାକୁରାଣୀଙ୍କୁ ସନ୍ତୋଷ କରା ହୋଇଚି । +ଗଛରେ ଯେତେ ପତର ସେତିକି ଆତ୍ମା ସେଥିରେ ଆଶ୍ରା ନେଇଛନ୍ତି । +ସମସ୍ତେ କଲ୍ୟାଣ କରୁଛନ୍ତି-ବିକ୍ରମପୁରର ମଙ୍ଗଳ ହେଉ । +କାହାର କ’ଣ ମଙ୍ଗଳ ହୋଇଛି କି ନାହିଁ; ରାଧିର ମଙ୍ଗଳ ତା’ର ଖଣ୍ଡିଆ କୁଡ଼ିଆରୁ ଜଣାଯାଏ । +ମୁଣ୍ଡରେ କେରା କେରା ବାଳ ପାଚିଲାଣି । +ଦାନ୍ତ କେତୋଟି ହଲିଲାଣି । +ଦେହ ହେଲାଣି ପଥୁରିଆ । +ମନ ହେଲାଣି ଟାଣ-ଠିକ୍‌ ଯେମିତି ନଈ ସେପାରୀ ପାହାଡ଼ ଉପରର ପଥର । +ଜୀବନଟା ଏଇ ବାହୁଦା ନଈର ରୁକ୍ଷ ବାଲି ପନ୍ତାର ପରି ନିରସ, ଅନୁର୍ବର, ଅନାବଶ୍ୟକ । +ପଚିଶି ବର୍ଷର ଇତିହାସ-ଆଜି ରାଧିକୁ କରିଛି ମୂଲିଆଣୀ । +ସେ ବି ହୋଇଛି ଠିକ୍‌ ଏଇ ମୁଣ୍ଡି-ସାହାଡ଼ା ପରି । +ଦୁଇ କୂଳରେ ତା’ର ଆଉ କେହି ନାହିଁ । +ସବୁ ସେ ସହିଛି । +ତଥାପି ସେ ବଞ୍ଚିଛି । +ବଞ୍ଚିବା ପାଇଁ ମୁଲ ଲାଗୁଛି । +ଭବିଷ୍ୟତ ପାଇଁ ପୁଣି ସଞ୍ଚି ରଖୁଛି । +ଭବିଷ୍ୟତ । +ଆହୁରି ତହିଁରେ ଆସ୍ଥା । +ପଚିଶ ବର୍ଷର କରୁଣ ଇତିହାସ । +ସମସ୍ତେ ତା’ର ମରି ହଜିଗଲେ । +ଗୋଟିକ ପରେ ଗୋଟିଏ । +ଠାକୁରାଣୀଙ୍କୁ ସନ୍ତୋଷ କରିବାକୁ ଜଣକର ମରଣ ପରେ ସେଇ ମୁଣ୍ଡି-ସାହାଡ଼ା ତଳେ ବୋଦା ରକ୍ତ ଢାଳିଛି । +କାକୁତି ମିନତି ହୋଇ ଆଖିର ଲୁହ ନିଗାଡ଼ିଛି । +ତଥାପି ଦେବତା ଶୁଣିନାହିଁ । +କିଏ ଆଗରେ ଗଲା । +କିଏ କାହା ପଛରେ । +କ’ଣ ହୋଇଥିଲା, କାହିଁରେ ଗଲେ, ଏସବୁ ବର୍ଣ୍ଣନା କରି ଲାଭ ନାହିଁ । +ସମସ୍ତେ ଗଲେ । +ଦଶବର୍ଷ ତଳେ ସେଇ ଅଲକ୍ଷଣୀ । +ଘରେ ରହିଗଲେ ଦିଓଟି ବିଧବା-ରାଧା ଓ ତା’ର ଜା’ ମୋତି ସତର ବର୍ଷର ଟୋକୀ । +ସେଇ ବର୍ଷ ବିକ୍ରମପୁରରେ ଲାଗିଲା ନିଆଁ । +ଅନେକ ଘର ପୋଡ଼ି ଜଳି ପାଉଁଶ ହେଲା । +ରାଧିର ଘର ବି । +ସମସ୍ତେ ଭଲ ଘର ତୋଳିଲେ । +ରାଧି ତୋଳିଲା ଦୁଇବଖରା କୁଡ଼ିଆ । +ବଡ଼ଘର ତା’ର ହେବ କ’ଣ ? କିଏ ଭୋଗ କରିବେ ? ଶଶୁର ଇପାରି କୃଷ୍ଣମୂର୍ତ୍ତ କୁମୁଟି ଠାରୁ କରଜ ଆଣି ଦୁଇ ପୁଅଙ୍କର ବାହାଘର କରିଥିଲେ । +ଗେରସ୍ତ ଓ ଦିଅର ବିଶି ପାତ୍ରଠାରୁ କରଜ ଆଣି ବାପ ମା’ଙ୍କର ଶୁଦ୍ଧି ଓ ଭଉଣୀର ବାହାଘର କଲେ । +ସ୍ବାମୀ ଓ ଦିଅରଙ୍କର ଚିକିତ୍ସା ପାଇଁ ଓ ପୁଣି ପ୍ରେତ କ୍ରିୟା ପାଇଁ ରାମ ପଟ୍ଟନାୟକ ଘରେ କାଗଜ ସନ୍ତକ କରି ରାଧି ଓ ମୋତି ଟଙ୍କା ଆଣିଥିଲେ । +କୁମୁଟି, ବ୍ରାହ୍ମଣ ଓ କରଣ ତିନିହେଁ ବିଚାର କରି ରାଧି ମୋତିଙ୍କର ସମ୍ପତ୍ତି ବାଡ଼ି ବଣ୍ଟାବଣ୍ଟି କରି ନେଲେ । +ଖାଲି ଘର ଡିହ ଓ ଏଇ ଦରଭଙ୍ଗା କୁଡ଼ିଆ ଖଣ୍ଡ ଛାଡ଼ି ଦେଲେ । +ଭବିଷ୍ୟତରେ ନେବେ ବୋଲି ଆଶା ଥାଏ । +ସବୁ ଦଶବରଷ ତଳର ଘଟଣା । +ଦିନେ ରାତିରେ- +ସେଇ କୁଡ଼ିଆ ଘରେ । +ମୋତିର ମୁଣ୍ଡକୁ କୋଳରେ ପୁରେଇ ରାଧା ଶୋଇ ସପନ ଦେଖୁଛି । +ସବୁ ଦୁଃଖର ସପନ । +ଅଙ୍ଗେ ନିଭେଇଲା କଥା । +ନିଦ ଭାଙ୍ଗିଲା । +ଆଖିରୁ ଗଡ଼ି ଆସୁଥିବା ଲୁହ ପୋଛିଲା । +ଅନ୍ଧାରରେ ମୋତିର ମୁଣ୍ଡ ଆଉଁଷିଲା । +ମୋତିର ନିଦ ଭାଙ୍ଗିଲା । + ପଚାରିଲା, କ’ଣ ଅପା ? +ରାଧା ତା’ର ହାତଧରି ଥଙ୍ଗେଇ ଥଙ୍ଗେଇ କହିଲା, ମୋତି ଲୋ, ଅବିଗୁଣ ପାଇବୁ ନାହିଁ । +ତୋ’ରି କଥା ଭାବୁଥିଲି । +ସବୁତ ଗଲା । +ସାହା ସମ୍ବଳ କିଛି ନାହିଁ । +ଟୋକୀ ବୟସ ତୋ’ର । +ତୁ ଦୁତିଆ ହୋଇ ଯା । +ମୋତି ଚମକି ଉଠିଲା । +ରାଧି ହାତରୁ ହାତ ଟାଣି ନେଲା । +ରାଧା ତା’ମନ କଥା ବୁଝିଲା । +କହିଲା ରାଗିଲୁ କି ? ରାଗନା ମୋତି । +ତୋର ଭଲକୁ କହୁଛି । +ଲୋକେ ପଙ୍କକୁ ସିନା ଠେଲି ଦେବେ, ବୁଡ଼ିଗଲା ମଣିଷକୁ ଉଧାରିବାକୁ କେହି ହାତ ବଢ଼େଇବେ ନାହିଁ । +କୃଷ୍ଣମୂର୍ତ୍ତି ଅନ୍ଧାରରେ ଆସି ଅନ୍ଧାରରେ ଯାଉଛି ସିନା, ହିନୀମାନିଆଁ କପାଳକୁ କିଛି ଅଛପା ରହିବ ନାହିଁ । +ସାପ ପରି ଫଁ ଫଁ ହେଲା ମୋତି । + ତିହିଁକା ଛାତିରେ ହାତ ଚାପି କହିଲା, ଭାରି ସତୀ ସୁଲକ୍ଷଣୀଟା ତ ! +ତା’ପାଟିରେ ହାତଦେଇ ରାଧା କହିଲା, ପାଟି କର ନାଁ । +ଚିଡ଼ି ମାଡ଼ୁଛି ଯଦି ମୋ’ ପିଠିରେ ଦି’ପୁଞ୍ଜା ବସେଇ ଦେ । +ତୋର ଦୋଷ ମୁଁ ଦଉ ନାହିଁ । +ନିଜକୁ ସତୀ ସୁଲକ୍ଷଣୀ ବୋଲି କହୁନାହିଁ, ଅଙ୍ଗେ ଯାହା ନିଭେଇଛି, ସେଇ କଥା ତତେ କହୁଛି । +ମୋ’ ସାନ କୁହା ମାନ । +ମୋ କଥାରେ ହଁ ଭର । +ମା’ ହେବାକୁ ସମସ୍ତଙ୍କ ମନ ହୁଏ । +ମା’ ହେବାକୁ ଦଶଦିଗ ଅନ୍ଧାର ଦିଶେ ଲୋ ମୋତି । +ତୋ’ ଦୋଷ ଦଉ ନାହିଁ କି ମୋର ଚହଲା ମନ ପାଇଁ ମୋ’ ଦୋଷ ମୁଁ ଦେଉ ନାହିଁ । +ତୋ’ର ବୟସ ଅଛି । +ତୋ’ ପାଇଁ ମୁଁ ଅଛି । +ଦୂରରେ ଥାଇ ହେଲେ, ତୋରି ସୁଖ ଟିକେ ଦେଖେଁ । +ମୋତି ଲୋ- +ରାଧା ତୁନି ହେଲା । +ମୋତି ଥକ୍କା ହୋଇ ଭାବିଲା । +ଖରାଦିନ । +ବାହାରେ ଉଜ୍ଜ୍ବଳ ଜହ୍ନ ଆଲୁଅ । +ନିଶବଦ ରାତି । +କୁଡ଼ିଆ କଡ଼ ଆମ୍ବ ଗଛ ଛାଇ ଆଡୁ ଖଣ୍ଡିକାଶ ଶୁଭିଲା । +ମୋତି ଚମକି ଉଠିଲା । +ରାଧାର ବେକ କୁଣ୍ଢେଇ ଧରି କାନ୍ଧ ଉପରେ ମୁଣ୍ଡ ନଦି ଦେଲା । +ଗୋଟା ଛାଏଁ ଥରୁ ଥାଏ । +ଆମ୍ବଗଛ ଛାଇ ତଳୁ ତାଳି ଶବ୍ଦ । +ମୋତି କିଟି ମିଟି କରି କୁଣ୍ଢେଇ ଧରିଲା ରାଧାକୁ । + ଥରିଲା ଗଲାରେ କହିଲା, ତୋ ଇଚ୍ଛା- +ମୋତି ଦୁତିଆ ହୋଇଗଲା ନୂଆପଡ଼ା । +ରାଧା ଘର ଢିଅ ବନ୍ଧା ପକେଇଲା । +ମୋତିର ହେଲା ପୁଅ । +ସାତ ବର୍ଷ ତାକୁ ପୁରିଲା । +ରାଧା କେବେ ମୋତି ଘରକୁ ଯାଇ ନାହିଁ । +ସେ ଜାଣେ, ତା’ର ଖର ନିଶ୍ବାସରେ ସବୁ ଜଳି ଯାଇଛି । +ମୋତି ପୁଅ ଗେରସ୍ତ ନେଇ ସୁଖରେ ରହୁ । +ଆଇଷ ପାଇ ସଂସାରରେ ବଞ୍ଚି ରହନ୍ତୁ । +ମୋତି ଖବର ପଠାଏ । +ରାଧା ମନା କରେ । +ରାଧା ଯାଇଥିଲା ନୂଆପଡ଼ା । +ଆଠ ବର୍ଷ ପରେ ମୋତି ସଙ୍ଗେ ଦେଖା । +ଦୁଇ ଜା’ଙ୍କର ଆଖିରୁ ଝରିଲା ଲୁହ । +ସାତ ବର୍ଷର ପୁଅ ଜଟିଆ ମୁଣ୍ଡରେ ହାତ ବୁଲେଇଲା ରାଧା । +ଆଠ ବର୍ଷର ସଞ୍ଚିତ ଧନ ଟଙ୍କା କେଇଟି ମୋତି ହାତରେ ଦେଇ ଆସିଲା । +ପନ୍ଦର ଦିନ ପରେ- +ସଞ୍ଜବେଳେ ମୋତି ଘରୁ ଲୋକ ଖବର ନେଇ ଆସିଲା ଜଟିଆର ଦେହ ବଡ଼ ଖରାପ । +ଜର । +ଆଖି ଫିଟୁନାହିଁ । +ହତଜ୍ଞାନ ହୋଇ ପଡ଼ିଛି । +ମୋତି ତାକୁ ଥରେ ଯିବାକୁ ଖବର ପଠେଇଛି । +ରାଧା ମନା କରି ପଠେଇଲା । +ଖବର ଦେଲା, କୋଉ ଠାକୁର ନାମରେ ପାଣି ଛଡ଼େଇ ଦେ । +ମୁଁ ଯିବିନାହିଁ । +ଲୋକଟି ଫେରିଗଲା ରାତିରେ । +ସେଇ ଅନ୍ଧାର ରାତିରେ- +ରାତି ଅଧ । +ଆକାଶ ମେଘାଚ୍ଛନ୍ନ । +ଗୋଟିଏ ହୋଇ ନକ୍ଷତ୍ର ଦିଶୁନାହିଁ । +ନିଥର ପ୍ରକୃତି । +ପବନର ହିଲ୍ଲୋଳ ନାହିଁ । +ନିଶବ୍ଦ । +ରାଧାର ଆଖିକୁ ନିଦ ନାହିଁ । +ଯନ୍ତ୍ରଣାରେ ଛଟପଟ ମନ । +କେଡ଼େ ଭୁଲ୍‌ ସେ ନ କଲା ସତେ । +ମନ ମାରି ଏତେ ଦିନ ତ ସେ ରହିଥିଲା । +କାହିଁକି ବାଆଁରେଇ ହୋଇ ଗଲା ସେ ମୋତି ଘରକୁ । +କାହିଁକି ତା’ର ପୁଅ ଜଟିଆର ମୁଣ୍ଡରେ ହାତ ବୁଲେଇଲା ? ଦୁନିଆରେ ଜନ୍ମ ହୋଇ କାହାରିକୁ ସ୍ନେହ କରିବାର ଅଧିକାର ତା’ର ନାହିଁ । +ଯାହାକୁ ସେ ସ୍ନେହ କରିଛି ତା’ର ହୋଇଛି ଅମଙ୍ଗଳ । +ସତେ କ’ଣ ଜଟିଆ ବଞ୍ଚିବ ? ଜଟିଆକୁ ସେ ସ୍ନେହ ଭରା ଆଖିରେ ଚାହିଁଥିଲା । +ତାକୁ ସେ ଆଦର କରିଥିଲା । +ପେଟ ତାର ପୁରି ଉଠିଥିଲା । +ଦଇବ କ’ଣ ସହିବ ? ଠାକୁର ଠାକୁରାଣୀଙ୍କୁ ସେ ଆଉ ଡାକିବ ନାହିଁ । +କେତେ ତ ଡାକିଛି । +କେହି କେବେତ ଶୁଣି ନାହାଁନ୍ତି । +ମୁଣ୍ଡି ସାହାଡ଼ା ତଳେ ଉପାଧିଆ ପଡ଼ି ରାତି ରାତି କଟେଇଛି । +ତଳେ ମୁଣ୍ଡ କୋଡ଼ି ରକ୍ତ ବାହାର କରିଛି । +ତଥାପି ଠାକୁରାଣୀ ଶୁଣି ନାହାଁନ୍ତି । +ରାତି ପାହିଲେ ଅଶୁଭ ଖବର ଆସିବ । +କେତେ ଅଶୁଭ ଖବର ତ ତା’ ମନରେ ଭେଦିଛି । +ଜଟିଆର ମରଣ ଖବର ବି ସେମିତି ତା’ କାନରେ ବାଜିବ । +ମନରେ ପଶିବ । +ହୁଏତ ଥକ୍‌କା ହୋଇ ଘଣ୍ଟାଏ ବସିବ । +ଆଖିରୁ ଲୁହ ଗଡ଼େଇବ । +ପେଟ ତାତିଲେ ସବୁ ଦୁଃଖ ଛାତି ତଳେ ଛପେଇ ଗଲା କଥା ପଛକୁ ପକାଇ ପୁଣି ବାହାରି ପଡ଼ିବ ସେ ମୂଲ ଲାଗିବାକୁ । +ମନର କୋହ ରାଧା ସହି ପାରିଲା ନାହିଁ । +ଦେବତାକୁ ସେ ଆଉ ପୂଜା କରିବ ନାହିଁ । +ଦେବତା କେବେ ମଣିଷର କଥା ଭାବେ ନାହିଁ । +ଏଇ ଯେଉଁ ମୁଣ୍ଡି-ସାହାଡ଼ା, ଯାହାର ମୂଳରେ ମଣିଷ ତା’ର ଭକ୍ତି ଅଜାଡ଼ି ଦେଇ ଗୁହାରି କରିଛି । +ତାହାରି ଦେହରେ ଠାକୁରାଣୀ ବିଜେ କରିଛନ୍ତି, ଜୁଳୁଜୁଳୁ କରି ସବୁ ଦେଖୁଛି । +କାହିଁକି ସେ ରହିବ ? ପୂଜା ପାଣି ପାଇବ ? ସବୁ ତ ଗଲା । +ସେ ବି ଯାଉ । +ଠାକୁରାଣୀ ତା’ର ସର୍ବନାଶ କରିଛି । +ସେ ତା’କୁ ଛାଡ଼ିବ କାହିଁକି ? ରାଧା ମନ ଉଲ୍ଲାସରେ ହସିଲା । +ସେ ଦୁର୍ବଳ ମଣିଷ ଉପରେ ଦାଉ ସାଧି ପାରିବ ନାହିଁ । +ଦେବତାକୁ ନିଜର କରାମତି ଦେଖାଇବ । +ଲୋକେ ତା’ର ଯାହା କରିବାର କରନ୍ତୁ । +ରାଧା ଉଠିଲା । +ଅନ୍ଧାରରେ ଦରାଣ୍ଡି ଦରାଣ୍ଡି କ’ଣ ଖୋଜିଲା । +ରାତି ପହିଲା । +ମୁଣ୍ଡି ସାହାଡ଼ା ମୂଳରେ ଲୋକ ଜମା ହୋଇଛନ୍ତି । +ରାଧା ଜିଭ କାମୁଡ଼ି ପଡ଼ିଛି । +ଦୂରରେ ଛିରିକି ପଡ଼ିଛି ଟାଙ୍ଗିଆ ଖଣ୍ଡେ । +ମୁଣ୍ଡି ସାହାଡ଼ା ମୂଳରେ ଦି’ ଚାରି ଚୋଟ କୁରାଢ଼ି ଦାଗ, କ୍ଷୀର ନିଗିଡ଼ି ପଡୁଛି । +ରାଧାର ପାଦ ଉପରେ ନାଗ ଦଂଶନର ଚିହ୍ନ । +ଛୋଟ ଛୋଟ ଦିଓଟି ଦାଗ । +ଠାକୁରାଣୀର ପ୍ରତାପ !