diff --git a/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_64 b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_64 new file mode 100644 index 0000000000000000000000000000000000000000..255d49d90b60212db2252cd9f275d2b1c3c24078 --- /dev/null +++ b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_64 @@ -0,0 +1,197 @@ +ଲକ୍ଷ ବିହଙ୍ଗ +- କିଶୋରୀ ଚରଣ ଦାସ +ତା: ମେ ୨୬, ୨୦୧୧ +ମୂଳ ପୃଷ୍ଠା → ସ୍ମରଣୀୟ ଲେଖା → ଗଳ୍ପ → +ତାଙ୍କ ଶାଢ଼ୀରେ ଲକ୍ଷ ବିହଙ୍ଗର ଶୋଭା । +ବିହଙ୍ଗମାନେ ଉନ୍ନୁଖ ଓ ସୁନ୍ଦର । +ମିସେସ୍‌ ପୁରୀ ସମୃଦ୍ଧା ଓ ସୁନ୍ଦରୀ । +ସୁନ୍ଦରୀ ବୋଲି ଧରିନେବାକୁ ହେଉଛି, କାରଣ ସୌନ୍ଦର୍ଯ୍ୟ ନ ଥିଲେ ତାଙ୍କ ଚାରିପାଖରେ ଏତେ କଳା ଓ କଳ୍ପନା, କୁଟୀର ଶିଳ୍ପ ଓ ଯନ୍ତ୍ର ଶିଳ୍ପର ସମ୍ଭାର ନ ଥାଆନ୍ତା । +ଯଥା:- ଯାମିନୀ ରାୟ, ଭେନସ୍‌ଙ୍କର ଜନ୍ମ ଅଖ୍ୟାତ ଶିଳ୍ପୀର ନଈ ଓ ଡଙ୍ଗା, ହାତୀଦାନ୍ତର ଶ୍ରୀକୃଷ୍ଣ, ବାଉଁଶ, ବେଣାଚେର ଖଦଡ଼ କାଗଜ ଇତ୍ୟାଦିରେ ଗଢ଼ା ବୋଝ ବୋହିଥିବା ଚାଷୀ ଓ ତା’ର ସ୍ତ୍ରୀ, କୃଷ୍ଣକାୟ ଆଦିବାସୀର ନାଚ, ସାପୁଆ କେଳା ଇତ୍ୟାଦି । +ତଦୁପରି ଇମ୍ପୋଟେଡ୍‌ ଉତ୍‌କୃଷ୍ଟ ଇଲେକ୍ଟ୍ରିକ୍‌ ଟୋଷ୍ଟର, ଟ୍ରାଞ୍ଜିଷ୍ଟର୍‌ ଓ କାଚ ଚାଇନା, ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ର ବିବିଧ ମନୋରମ ଦ୍ରବ୍ୟ, ଯାହାକୁ ଦେଖିବାକୁ ଭଲ ଲାଗେ, କିନ୍ତୁ ବ୍ୟବହାର କରିବା ମନା । +ମିସେସ୍‌ ପୁରୀଙ୍କର ବେଡ୍‌ରୁମ୍‌ । +ମିସେସ୍‌ ପୁରୀ ଶୋଇଛନ୍ତି । +ନିଦରେ ଶୋଇ ନାହାନ୍ତି, ବର୍ତ୍ତମାନ ଦିନ ଏଗାରଟା । +ତେଣୁ ବିଛଣା ଚାଦର ନୁହେଁ, ରଙ୍ଗିନ୍‌ ବେଡ୍‌କଭର ଉପରେ ଶୋଇଛନ୍ତି । +ରାତିପିନ୍ଧା ନୁହେଁ, ସିଲ୍‌କ୍‌ ଶାଢ଼ୀ ପିନ୍ଧି ଶୋଇଛନ୍ତି ଏବଂ ସେହି ଶାଢ଼ୀରେ ଲକ୍ଷ ବିହଙ୍ଗ ଉନ୍ନୁଖ, ଉଦ୍ୟତ ଓ ଆଗ୍ରହୀ । +ମନେହେଉଛି ସେମାନେ ମୁହୂର୍ତ୍ତକରେ ଡେଣା ମେଲି ଉଡ଼ିଯିବେ । +କିନ୍ତୁ ସେମାନେ ଉଡିଯିବାକୁ ଚାହୁଁ ନାହାନ୍ତି । +ବାହାରେ ନେଳି ଆକାଶର ଅସୀମତା ସୂଚନା ଦେବ ଯେ, ଜୀବନ ସରେ ନାହିଁ, ଆଶା ପୂରେ ନାହିଁ ଏବଂ ତଳକୁ ଅନାଇଲେ ଦେଖାଯିବ ଯେ, ପୃଥିବୀ ଅଯଥାରେ ପେଲିହେଉଛି, ଧଇଁସଇଁ ହେଉଛି, ଭାବୁଛି ଜୀବନର ଅର୍ଥ ଅଛି । +କେତେ ଝାଳ ଓ ନିଃଶ୍ବାସ, କେତେ ଧୂଆଁ ଓ ଧୂଳି ଜୀବନର ଅର୍ଥ ତିଆରି କରୁଛି, ପାରୁନାହିଁ । +ବାହାରେ ପୃଥିବୀର ତାତି । +ଉଦ୍ୟମ, ଯୁକ୍ତି କଳହର ତାତି । +କେତେ କାଗଜ ଲେଖାହେଉଛି ଛିଣ୍ଡାହେଉଛି । +କେତେ ସଭା ବସୁଛି, ଭାଙ୍ଗୁଛି । +କେତେ ଚକ ଜିନିଷ ବୋହୁଛି, ମଣିଷ ବୋହୁଛି । +ପ୍ରାଣୀମାନେ ଆଗଉଛନ୍ତି । +ଏବଂ ପୃଥିବୀର ଥଣ୍ଡା । +ଥଣ୍ଡା ମୂର୍ଦ୍ଦାର । +…ମଲା ପ୍ରେମ । +ଦରବୁଢ଼ୀ ସ୍ତ୍ରୀ ହାଣ୍ଡି ଗଡ଼େଇ ପେଜ ଗାଳୁଛି, ମଇଳା ଧଳା ପାଣି ପୁରୁଣା ପ୍ରେମକୁ ସାଙ୍ଗରେ ନେଇ ନଳାରେ ବହିଯାଉଛି । +ରାତି ଅନ୍ଧାରରେ ସ୍ବାମୀ ତା’ ଦେହକୁ ଅଣ୍ଡାଳିହେବ ଓ କାମ ସରିଲା ପରେ ଘୁଙ୍ଗୁଡ଼ି ମାରିବ । +…ମଲା ଜନ୍ମ । +ସେମାନେ ଥୋକେ ଅଛନ୍ତି ଯେଉଁମାନେ ଜନ୍ମ ହୋଇ ମରିଯାଇଛନ୍ତି ହେଲେ ବଞ୍ଚିବାକୁ ଚାହାନ୍ତି । +ସେମାନେ ବିକଳ ମନ ଓ ଲଙ୍ଗଳା ଦେହରେ ‘ମୁଁ ମଣିଷ, ମୁଁ ମଣିଷ ବୋଲି ଚିତ୍କାର କରୁଛନ୍ତି । +ହସିବା କଥା । +ସେମାନେ ସିଧା ହୋଇ ଚାଲି ଶିଖି ନାହାନ୍ତି, କଥା କହି ଜାଣି ନାହାନ୍ତି, ଧୋବପିନ୍ଧା ମଣିଷକୁ ଭଗବାନ୍‌ ବୋଲି ଭାବୁଛନ୍ତି ଓ ତଥାପି କହୁଛନ୍ତି- ଆମେ ବଞ୍ଚିବୁ ! …ମୃତ ଭଗବାନ । +ଭଗବାନ୍‌ର ହାତରେ ଖଣ୍ଡା ଚକ୍‌ଚକ୍‌ କରୁନାହିଁ, ଫୁଲ ମହକୁନାହିଁ, କ୍ରୁଶରୁ ରକ୍ତ ଝରୁନାହିଁ । +ଭଗବାନ୍‌ କାନ୍ଦୁନାହିଁ, ହସୁ ବି’ ନାହିଁ । +ସେଥିପାଇଁ ଏତେ ଧରାପରା ଠେଲାପେଲା । +-ଜୟ ହନୁମାନ ଜୀ ଜୟ ! ମୁଁ ମଲା ଭଗବାନ୍‌ଙ୍କୁ ଛୁଇଁଆସିଛି, ମୁଁ ଧଣ୍ଡା ପାଇଛି, ତେଣୁ ମୁଁ ବଞ୍ଚିବି । +ତାତି ଓ ହେମାଳ । +ଜ୍ଞାନ ଓ ଅଜ୍ଞାନ କ’ଣ ମିଳିବ ସେ ନିଉଛୁଣା ପୃଥିବୀକୁ ଚାହିଁ ? ଆଉ ଉପର ଆକାଶକୁ ଅନାଇଲେ ଶୋଷ, ଖାଲି ଶୋଷ । +ସେ ଶୋଷରେ ତଣ୍ଟି ଶୁଖିଯିବ, ଦିଗନ୍ତ ଧରା ଦେବ ନାହିଁ । +ବିହଙ୍ଗମାନେ ଉଡ଼ିବାକୁ ମନ କରୁନାହାନ୍ତି । +…ମିସେସ୍‌ ପୁରୀ ‘ଜୋକ୍‌’ ବହି ପଢୁଛନ୍ତି । +ବହିରେ ଅଛି ହଜାରଟି ଚିତ୍ର ସମ୍ବଳିତ ମଜା କଥା । +କେତେଗୁଡ଼ିଏ ଜୋକ୍‌ ପଢ଼ି କିଛି ଭାବାନ୍ତର ଆସୁନାହିଁ । +କେତେଗୁଡ଼ିକରେ ସାମାନ୍ୟ ହସିବାକୁ ଇଚ୍ଛା ହେଉଛି । +ଏବଂ ବେଳେ ବେଳେ ଗୋଟିଏ ଜୋକ୍‌ ଏତେ ସୃଷ୍ଟିଛଡ଼ା ଲାଗୁଛି ଯେ, ମନେ ହେଉଛି ବ୍ରହ୍ମାଙ୍କ ଆସନ ଟଳିଯିବ, ପାଟି ମେଲାଇ ନ ହସିଲେ ରହିହେଉ ନାହିଁ । +ଏହିପରି ଗୋଟିଏ ଜୋକ୍‌ ପଢ଼ି ମିସେସ୍‌ ପୁରୀ ପାଟି ମେଲାଇ ହସିଲେ । +ଅଧାଉଠା ହୋଇ ପାଖ ତକିଆଟାକୁ କୋଳରେ ଆଣି ରଖିଲେ, ଆନନ୍ଦରେ ଗୋଟିଏ ବିଧା ମାରିଲେ ଓ ହସିଲେ । +ହସରେ ପ୍ରଥମେ ଥିଲା ଉଦ୍‌ଗମର ଧ୍ବନି,- କଣ୍ଠଗତ ଓ ଗଭୀର । +ତା’ପରେ ନାଲି ରଙ୍ଗବୋଳା ଓଠ ଦୁଇଟି ଅଲଗା ହୋଇଗଲେ ଓ ଦୁଇ ପାଟି ଦାନ୍ତର ବିସ୍ତାର ଦିଶିଗଲା ଏବଂ ହସର ସ୍ତର ପରେ ସ୍ତର ଢାଳିହୋଇଗଲା । +ପ୍ରବାହ ଥମିଗଲାରୁ ମିସେସ୍‌ ପୁରୀ ମୁଣ୍ଡ ବାଳରେ ହାତ ଚଳେଇ, ଆନନ୍ଦକୁ ଚାକୁଳେଇ ପ୍ରସନ୍ନତା ଆଣିଲେ ଓ ପୁଣି ଖଟରେ ଲୋଟିଯାଇ ବହିର ପର ଜୋକ୍‌ଟିକୁ ଦେଖିଲେ । +ବିହଙ୍ଗମାନେ କହିଲେ, ଚମତ୍କାର ! ଚମତ୍କାରିତା ତାଙ୍କ ହସିବାର ଚେହେରାରେ ନ ଥିଲା, ଭଙ୍ଗୀରେ ଥିଲା କି ନାହିଁ କହିହେବ ନାହିଁ । +କିନ୍ତୁ ତାଙ୍କର ଭାବବ୍ୟଞ୍ଜନା ଅନୁପମ । +ଘର ଭିତରେ ଏହି ଏକୁଟିଆ ହସ, ଆପଣା ଉପଭୋଗର ହସ, ଅନ୍ୟ କେଉଁ ଅତିରିକ୍ତ ମଣିଷକୁ ଶୁଣାଇବା ପାଇଁ ନୁହେଁ- ଏହି ହେଉଛି ବଞ୍ଚିବାର ଉପଯୋଗୀ ଛନ୍ଦ । +ବିହଙ୍ଗମାନେ ମୁଗ୍ଧ ହେଲେ ଓ ଚାହିଁରହିଲେ । +ସାଢ଼େ ଏଗାରଟା । +କଫି ଖାଇବା ବେଳ ହେଲାଣି । +ମିସେସ୍‌ ପୁରୀ ଟାଇମ୍‌ପିସ୍‌କୁ ଅନାଇଲେ ଓ ବହି ପଢ଼ାରେ ମନ ଦେଲେ । +ଏଗାରଟା ବାଜି ପଇଁତିରିଶ୍‌ ମିନିଟ୍‌ । +ତଥାପି କଫି ଆସି ପହଞ୍ଚିନାହିଁ । +କିନ୍ତୁ ମିସେସ୍‌ ପୁରୀ ଉଦ୍‌ବିଗ୍ନ ନୁହନ୍ତି । +ଥରକୁଥର ଘଣ୍ଟା ଦେଖୁନାହାନ୍ତି । +କଫି ଖାଇବା ବେଳ ଦୈନିକ ଜୀବନର ଗୋଟିଏ ଅବସ୍ଥା, ବିନ୍ଦୁ ନୁହେଁ । +ଜଣାଶୁଣା ସମୟର ପରିସର ଭିତରେ ସେ ଘଟିବ, ସକାଳ ଦ୍ବିପ୍ରହର ସନ୍ଧ୍ୟା ପରି, ଘରେ ପୂଝାରୀ ଅଛି । +ଏଗାରଟା ଚାଳିଶ୍‌ରେ ପୂଝାରୀ କଫି ଆଣି ପହଞ୍ଚାଇଲା । +କଫି କପ୍‌ଟିକୁ ମିସେସ୍‌ ପୁରୀଙ୍କର ହାତ ପାହାନ୍ତାରେ ଟି-ପୟ ଉପରେ ରଖିଦେଲା । +ରଖିସାରି ଟିକିଏ ଦୂରେଇହୋଇ ଛିଡ଼ାହେଲା । +ମିସେସ୍‌ ପୁରୀ ଗୋଟିଏ ଜୋକ୍‌ର ଅଧାରେ ପହଞ୍ଚିଛନ୍ତି । +ତେଣୁ ସେ ଅନ୍ୟମନସ୍କ ଭାବରେ ହାତ ବଢ଼ାଇ ଚାମୁଚରେ କଫିକୁ ଗୋଳାଇଲେ । +କିଛି ସମୟ ଗୋଳାଇସାରିଲା ପରେ ଚାମୁଚେ କଫି ପାଟିକୁ ନେଲେ । +ତା’ପରେ କହିଲେ, “ଚିନି” । +ପୂଝାରୀ ବୁଝିଲା ଯେ ମାଲିକାଣୀ କହୁଛନ୍ତି ଚିନି କମ୍‌ ଅଛି । +ଚିନି ବେଶି ଥିବାବେଳେ ମଧ୍ୟ ସେ କେବଳ ସେହି ଶବ୍ଦ ଉଚ୍ଚାରଣ କରନ୍ତି, କିନ୍ତୁ ତାଙ୍କ ମୁହଁର ଭଙ୍ଗୀ ଅନ୍ୟପ୍ରକାର ହୋଇଯାଏ । +ପୂଝାରୀ ଚାଲିଗଲା ଆଉ ଚିନି ଆଣିବ ବୋଲି । +ଯଥାକ୍ରମେ କଫି ପୂର୍ଣ୍ଣାଙ୍ଗ ହେଲା ଓ ମିସେସ୍‌ ପୁରୀ ତାକୁ ଚାମୁଚେ ଚାମୁଚେ କରି ପାଟିକୁ ନେଲେ । +ଚାରି ପାଞ୍ଚ ଚାମୁଚ ଉତ୍ତାରୁ ଓ ଗୋଟିଏ ପୃଷ୍ଠାର ଜୋକ୍‌ ପରେ ସେ ଖଟ ଉପରେ ବସିଲେ ଓ କପ୍‌ଟିକୁ ହାତକୁ ଆଣି ସାଧାରଣ ଭାବରେ ଚୁମୁକି ଦେଲେ । +ଖୋଲା ବହି ଖଟରେ ଓଲଟା ହୋଇରହିଥାଏ । +ମିସେସ୍‌ ପୁରୀ କଫି ଖାଇବା ସାଙ୍ଗରେ କ’ଣ ମନେ ପକାଇଲା ପରି ଦେଖା ଯାଉଥାଆନ୍ତି । +ବିହଙ୍ଗମାନେ ତାଙ୍କର ସ୍ମୃତିବିକଶ ମୁହଁକୁ ଦେଖିଲେ ଓ କୁତୂହଳୀ ହେଲେ, -ତାଙ୍କର କ’ଣ ମନେ ପଡୁଛି ? +ତାଙ୍କର ମନେ ପଡ଼ିବା ବସ୍ତୁକୁ ବର୍ଣ୍ଣନା କରିହେବ ନାହିଁ । +କାରଣ ସ୍ମରଣିକା ଚଳନ୍ତା ଆଲୁଅ- ଛାଇ ପରି ଲାଗୁଛି, ସେଥିରେ ସଂହତି ନାହିଁ । +ବୋଧହୁଏ ତା’ର କାୟା ଗଢ଼ିଉଠିଲେ ସେ ଅସୁନ୍ଦର ହୋଇଯିବ । +ତେଣୁ ମିସେସ୍‌ ପୁରୀ ତା’ର ଅନିଶ୍ଚତପ୍ରବଣ ରୂପକୁ ଦେଖିବାକୁ ଭଲ ପାଉଛନ୍ତି ତାକୁ ଗଢ଼ିଉଠିବାକୁ ଦେଉନାହାନ୍ତି । +ମିସେସ୍‌ ପୁରୀ ପୂର୍ବରୁ ଗୋଟିଏ ସେକ୍ସ ଆମୋଦଗ୍ରସ୍ତ ଜୋକ୍‌ ପଢୁଥିଲେ । +ତାକୁ ହିଁ ପଢ଼ିସାରି ତାଙ୍କର ମନେ ପଡ଼ିଲା ସମ୍ପର୍କୀୟା ଜଣେ ନାରୀଙ୍କ ସହିତ ଜଣେ ଚିହ୍ନା ପରପୁରୁଷଙ୍କ ଚେହେରା । +ଏବଂ କଳ୍ପନାରେ ଚିତ୍ରିତ ହେଲା ସେ ଦୁଇଜଣଙ୍କ ପାରସ୍ପରିକ ବ୍ୟବହାର । +ସେ ଛବି ଅସ୍ପଷ୍ଟ; ସ୍ପଷ୍ଟ ହୋଇପାରନ୍ତା ନାହିଁ । +କିନ୍ତୁ ଦୁଇଟି ସମ୍ବନ୍ଧହୀନ ପୁରୁଷ ସ୍ତ୍ରୀଙ୍କୁ ଏପରି ଭାବରେ ଏକାଠି କରିବାର କୃତିତ୍ବ ଆଉ କେତେ ଜଣକର ଥାଇପାରେ ? ଏହାକୁ ହିଁ ତ ସୃଷ୍ଟି କହନ୍ତି । +ସୃଷ୍ଟିର ଜ୍ୟୋତି ତାଙ୍କ ମୁହଁରେ ଫୁଟିଉଠୁଥିଲା । +ବିହଙ୍ଗମାନେ ତାକୁ ଦେଖି ଆପ୍ୟାୟିତ ହେଉଥିଲେ । +ଏହି ସମୟରେ ପାଖରେ ଜୟରାମ ପହଞ୍ଚିଲା । +ତା’ ହାତରେ ପରିବା ଥଳି । +ଜୟରାମ ଷୋଳ ସତର ବର୍ଷର ଟୋକା । +କଳା ମଚମଚ ବଳିଷ୍ଠ ଦେହ । +ଖଣ୍ଡେ ଗେଞ୍ଜି ଓ ହାଫ୍‌ପ୍ୟାଣ୍ଟ୍‌ ପିନ୍ଧିଛି । +ମୁଣ୍ଡରେ ଗୋଛାଏ ବାଳ, କପାଳରେ କେତୋଟି ଛୋଟ ଝାଳବିନ୍ଦୁ । +ମୁହଁରେ ସ୍ପର୍ଦ୍ଧା ଓ ଅଭିମାନର ଇଙ୍ଗିତ, ଯେପରି କି ସେ କହିବାକୁ ଚାହେଁ ଯେ, ସେ ଜୟରାମ୍‌, ବୟସର ରଜା, ତା’ ହାତରେ ଥିବା ପରିବା ଥଳି ଅନ୍ୟ କିଛି ହୋଇପାରିଥାଆନ୍ତା । +ଜୟରାମ ଦୁଆରବନ୍ଧର ଏପାଖକୁ ଛିଡ଼ାହୋଇ କହିଲା, -ମୁଁ ଯାଉଛି । +ମିସେସ୍‌ ପୁରୀ କଳ୍ପନାରୁ ଫେରିଆସିଲେ, ଜୟରାମକୁ ଦେଖିପାରିଥିବାର ଅଙ୍ଗୀକାର ଜଣାଇଲେ ଓ କହିଲେ, ‘ଆଚ୍ଛା’ । +ତାଙ୍କ ଭଙ୍ଗୀରେ ଥିଲା ଦାତାର ଐଶ୍ବର୍ଯ୍ୟ ଓ ଉଦାରତା । +ମନେ ହେଉଥିଲା ଯେ ସେ କେବଳ ଜୟରାମକୁ ଉତ୍ତର ଦେଉନାହାନ୍ତି, ତା’ର କର୍ତ୍ତବ୍ୟର ଶୁଭକାମନା ଜଣାଉଛନ୍ତି । +ଜୟରାମ ଫେରିଯାଉଥିଲା । +ଏହି ସମୟରେ ମିସେସ୍‌ ପୁରୀ ତାକୁ ପଛରୁ ଡାକିଲେ । +କହିଲେ- “ଶୁଣ୍‌, ଆରଥର ପୋଟଳ ଖରାପ ପଡ଼ିଲା, ବିନ୍‌ଗୁଡ଼ାକ ବି ଶୁଖିଲା ଥିଲା । +ତୁ ସୋନାଚାନ୍ଦ୍‌ ବଜାରକୁ ଯାଉନୁ ? ମିସେସ୍‌ ମିତ୍ରା କହୁଥିଲେ ଯେ, ସେ ସେଠୁ ବଢ଼ିଆ ବିନ୍‌ ପାଇଛନ୍ତି, କିଲୋ ମୋଟେ ବାରଅଣା- ।” +ଜୟରାମ ଟିକିଏ ଭାବିଲା ପରି ହେଲା ଓ କହିଲା, “ସୋନାଚାନ୍ଦ୍‌ ବଜାର ? ସେ ତ ହେଉଛି ଯାଇ କଲେଜ ପାଖରେ, ରେଲ୍‌ଲାଇନ୍‌ ସେପାଖରେ ।” +ସେ ଚାଲିବା ରାସ୍ତାର ଦୂରତା କଳିଲା ପରି ଲାଗିଲା । + ତା’ ଚାହାଣୀରେ ପ୍ରଶ୍ନ ଥିଲା, -ସେଠିକୁ ଯିବା କ’ଣ ଦରକାର ? +ମିସେସ୍‌ ପୁରୀ ତା’ ଚାହାଣୀକୁ ଅବଜ୍ଞା କଲେ ନାହିଁ, ନିରୁତ୍ତର ରହିଲେ । +ମନେ ହେଉଥିଲା ଯେ, ସେ ତା’କୁ ତା’ ନିଜ ଦ୍ବିଧାର ସମାଧାନ କରିବାକୁ ଦେଉଛନ୍ତି । + କେତୋଟି ମୁହୂର୍ତ୍ତ ପରେ ସେ ପଚାରିଲେ “କ’ଣ ଯାଇପାରିବୁ ନାହିଁ ?” +ଭର୍ତ୍ସନା ନୁହେଁ, ଆଦେଶ ନୁହେଁ, କେବଳ ସାମାନ୍ୟ ଅବିଶ୍ବାସ । +ଜୟରାମର ଦ୍ବିଧା ତୁଟିଗଲା । +ସେ ମୁଣ୍ଡ ହଲାଇ ସମ୍ମତି ଜଣାଇଲା । +ତା’ ମୁଣ୍ଡର ଆଗୁଆ ବାଳ କେତୁଟା ଏ ପାଖରୁ ସେ ପାଖକୁ ଝୁଲିଗଲା । +ମିସେସ୍‌ ପୁରୀ ଜୟରାମର ଫେରନ୍ତା ଚେହେରାକୁ ଅନାଇଲେ । +ତା’ର ଛୋଟ ନିଦା ବେକ ଓ ହାତଗୋଡ଼ର ମାଂସପେଶୀ ତାଙ୍କ ଆଖିରେ ପଡ଼ିଲା । +ସେ ସ୍ବାଗତ ଅନୁମୋଦନ କଲେ, -ଟୋକା …ମଜବୁତ୍‌… । +ବିହଙ୍ଗମାନେ ଏହି ଦୃଶ୍ୟ ଦେଖୁଥିଲେ । +ସେମାନେ ଆଶ୍ଚର୍ଯ୍ୟ ହେଲେ ଓ ସମ୍ମାନର ଭାବ ଦେଇ ମିସେସ୍‌ ପୁରୀଙ୍କ ଆଡ଼କୁ ଚାହିଁଲେ । +ତା’ର କାରଣ ହେଉଛି ଯେ, ବିହଙ୍ଗମାନଙ୍କ ଦୃଷ୍ଟିକୋଣ ନିଆରା । +ସେମାନଙ୍କ ମନରେ ଆସିଥିଲା ଯେ, ଜୟରାମଠାରେ ଦେବତାର ଅଂଶ ଅଛି, କାହିଁକି ନା ସେ ପାରିବ, ତା’ର ଶକ୍ତି ଅଛି । +ସେ ତାତିଲା ଭୂଇଁରେ ଏତେ ବାଟ ଚାଲିଚାଲି ଯାଇ ତାଜା ପରିବା କିଣିପାରିବ । +କିନ୍ତୁ ସେହି ଶକ୍ତିକୁ ସଞ୍ଚାଳିତ କଲେ ମିସେସ୍‌ ପୁରୀ । +ଅଳ୍ପ କଥା, ସାମାନ୍ୟ ଇଙ୍ଗିତରେ ସେ ତା’ର ଦେବତ୍ବକୁ ଖଟାଇପାରିଲେ । + ମହୀୟସୀ ନାରୀ, – ଦେବତାଠୁଁ ବଡ଼ ! +ମିସେସ୍‌ ପୁରୀ ପୁଣି ଖଟ ଉପରେ ଲୋଟିପଡ଼ିଲେ । +ଜୋକ୍‌ ବହିଟିକୁ ରଖିଦେଇ ଖଟ ମୁଣ୍ଡରେ ଥିବା ରାତି ଟେବୁଲ୍‌ ଉପରୁ ଖଣ୍ଡେ ମ୍ୟାଗାଜିନ୍‌ ଆଣି ହାତରେ ଧରିଲେ । +ମ୍ୟାଗାଜିନ୍‌ଟି କେବଳ ସ୍ତ୍ରୀ ଲୋକମାନଙ୍କ ପାଇଁ । +ଚୋଲିର ନୂଆ ଢଙ୍ଗ, ଝାଳଗନ୍ଧରୁ ରକ୍ଷା ପାଇବା ପାଇଁ ନୂଆ ଉପାୟ, ପ୍ରାଚ୍ୟପାଶ୍ଚାତ୍ୟ ବିଭିନ୍ନ ରନ୍ଧନ କାରସାଦି, ଘରେ ରିଫ୍ରିଜେରେଟର୍‌ ଥିଲେ ହଠାତ୍‌ ପହଞ୍ଚୁଥିବା ଅତିଥିଙ୍କୁ କିପରି ଚର୍ଚ୍ଚା କରିବାକୁ ହୁଏ ଇତ୍ୟାଦି ଘରକରଣାର ଉପାଦେୟ ପ୍ରସଙ୍ଗ ସେଥିରେ ଥାଏ । +ମିସେସ୍‌ ପୁରୀ ପୃଷ୍ଠା ଓଲଟାଇଗଲେ । +ହଠାତ୍‌ ସେ ତାକୁ ଛାତି ଉପରେ ରଖି ଅନାଇଲେ ସାମ୍‌ନାର କାନ୍ଥ ଆଡ଼କୁ । +ଚାଷୀମାନଙ୍କ ମୁହଁରେ କ’ଣ ଏମିତିକା ହସ ଥାଏ ? ଓ ଗାଲ କ’ଣ ଏମିତି ଫୁଲୁକା ଦିଶୁଥାଏ ? +ବାଉଁଶ ଫ୍ରେମ ଓ ଝୋଟ କନା ଉପରେ ଚାଷୀର ଛବି । +ଚାଷୀର ଫୁଙ୍ଗୁଳା ଦେହ, ବଡ଼ ନିଶୁଆ ମୁହଁ ଓ ମୁଣ୍ଡ ଉପରେ ଶସ୍ୟ ଟୋକେଇ । +ମିସେସ୍‌ ପୁରୀ ତା’ ଓଠରେ ଥିବା ଈଷତ୍‌ ହସକୁ ନିଶ୍ଚୟ ଆଗରୁ ଦେଖିଥିଲେ । +ଚାଷୀମାନଙ୍କ ଓଠରେ ହସ ଦେଖିବାକୁ ତାଙ୍କୁ ଯେ ଭଲ ଲାଗେ ନାହିଁ, ତା’ ନୁହେଁ । +କିନ୍ତୁ ଆଜି ତାଙ୍କର ଇଚ୍ଛା ହେଲା ସମାଲୋଚନା କରିବାକୁ । +କାରଣ ତାଙ୍କର ମନରେ ଆସିଲା ଯେ ଜୟରାମ ବଡ଼ ହେଲେ ଓ ଗାଁରେ ରହିଲେ ଗୋଟିଏ ଉଚିତ ଧରଣର ଚାଷୀ ହୋଇପାରିବ । +ଜୟରାମର ମୁହଁ ହସିଲା ନୁହେଁ, ଦରକାର ନ ପଡ଼ିଲେ ସେ ହସେ ନାହିଁ । +ତା’ ମୁହଁରେ ଅଛି ଟାଣୁଆ ପଣ ଓ ଛପିଲା ରାଗ । +ବଡ଼ ହେଲେ ସେହି ଟାଣୁଆ ପଣ ତା’ ମୁହଁକୁ ରୁଗୁଡ଼ିଆ କରିଦେବ ଏବଂ ସେ ରାଗ ଆହୁରି ଦବିଯାଇ କପାଳକୁ କୁଞ୍ଚକୁଞ୍ଚିଆ କରିଦେବ । + ସେ ନିଶ ରଖିବ, -କେଜାଣି ! +ମିସେସ୍‌ ପୁରୀଙ୍କୁ ଭବିଷ୍ୟତର ଜୟରାମ କଥା ଭାବିବାକୁ ମଜା ଲାଗିଲା । +ଏବଂ ତା’ ସହିତ ସେ ଠିକ୍‌ କରିନେଲେ ଯେ ଆର୍ଟର ଚାଷୀଟି ଉପଯୁକ୍ତ ହୋଇନାହିଁ । +ହୁଏତ ସବୁ ଚଷାପୁଅ ଜୟରାମ୍‌ ପରି ହୋଇ ନ ଥିବେ, ହୁଏତ ହସିଲା ଫୁଲୁକା ମୁହାଁ ଚାଷୀ ଥାଇପାରନ୍ତି । +କିନ୍ତୁ ଆର୍ଟର ଚାଷୀ ଏପରି ହେବା ଉଚିତ ନୁହେଁ । +ଯେପରି କି ଶ୍ରୀକୃଷ୍ଣଙ୍କ ମୁହଁରେ ବଂଶୀ ନ ଥାଇ କାହାଳୀ ରହିବା କଥା ନୁହେଁ, ମାନିବ ନାହିଁ । +ସେ କଳ୍ପନାରେ ଛବିଟିକୁ ମନମୁତାବକ ସଜାଇଲେ । +ଚକଚକିଆ ଝାଳୁଆମୁହଁ, କପାଳରେ ଅସଂଖ୍ୟ ଗାର, ଚେଇଁଲା ଆଖି, କିନ୍ତୁ ସେଥିରେ ପ୍ରାପ୍ତିସ୍ବୀକାର ନାହିଁ । +ସତେ ଯେପରି ସେ କାମ କରିକରି ଥକିଗଲାଣି, କିନ୍ତୁ ହାରିଯିବାକୁ ଚାହେଁ ନାହିଁ ଓ ସବୁବେଳେ କ’ଣ ପ୍ରଶ୍ନ ପଚାରିବ ବୋଲି ହେଉଛି । +ସମାଲୋଚନାର ପଥରେ ଆଗେଇଯାଇ ମିସେସ୍‌ ପୁରୀ ଅନ୍ୟ ଆର୍ଟବସ୍ତୁମାନଙ୍କୁ ସଜାଇଲେ, -ଚାଷୁଣୀର ମୁହଁରେ ଅଧିକ ସ୍ଥୂଳତା ଆଣିଦେଲେ, ନାଚନ୍ତା ଆଦିବାସୀର ହସକୁ ଆହୁରି ଜନ୍ତୁବତ୍‌ ଚଉଡ଼ା କରିଦେଲେ, ଶ୍ରୀକୃଷ୍ଣଙ୍କ ସ୍ମିତହାସରେ ସାମାନ୍ୟ ବକ୍ରତା ଆଙ୍କିଦେଲେ, ଇତ୍ୟାଦି । +କଳା-ସମୀକ୍ଷା ସରିଗଲା ପରେ ମିସେସ୍‌ ପୁରୀ ଆଂଶିକ ହାଇ ମାରିଲେ ଓ ପୁଣି ସେହି ନାରୀ-ମ୍ୟାଗାଜିନ୍‌କୁ ପଢ଼ିବସିଲେ । +ବିହଙ୍ଗମାନେ ଆଶ୍ବସ୍ତ ହେଲେ । +ମିସେସ୍‌ ପୁରୀଙ୍କୁ ଭାବୁକା ରୂପରେ ଦେଖି ସେମାନେ ପ୍ରମାଦ ଗଣୁଥିଲେ, କାଳେ ସେ ଅନ୍ୟ ରକମର ହୋଇଯିବେ । +କିନ୍ତୁ ସେମାନଙ୍କ ଆଶଙ୍କାର କାରଣ ନ ଥିଲା । +ମିସେସ୍‌ ପୁରୀ ଭାବନାକୁ ଅନୁଧାବନ କରିବାକୁ ପସନ୍ଦ କରନ୍ତିନାହିଁ । +ସେହି ଫୁଲୁକାଗାଲିଆ ଚାଷୀ ବର୍ଷବର୍ଷ ଧରି ବିଦ୍ୟମାନ ରହିଛି, କାନ୍ଥର ସେହି କୋଣଟିରେ ବସା ବାନ୍ଧିଲାଣି, ସ୍ଥାନଚ୍ୟୁତ କରି ଲାଭ ନାହିଁ । +ବ୍ୟତିକ୍ରମଶୀଳ ସଂସାରରେ ହାତଦେଇ ନୂଆ ବ୍ୟତିକ୍ରମ ତିଆରି କରିବାରେ କିଛି ବାହାଦୂରୀ ନାହିଁ । +ମିସେସ୍‌ ପୁରୀ ମ୍ୟାଗାଜିନ୍‌ର ଛବି ଓ ଶିରୋନାମାଗୁଡ଼ିକ ଦେଖିଲେ । +ଆଗରୁ କେତେଥର ଦେଖିସାରିଛନ୍ତି, ତଥାପି ଦେଖିବାକୁ ଖରାପ ଲାଗୁନାହିଁ । +ଆଖି ଦେଖିଯାଉଛି, ଭାବନାର ପରିଶ୍ରମ ନାହିଁ । +ବମ୍ବେର ଜଣେ ଆଧୁନିକା ବିଭିନ୍ନ ଛାଞ୍ଚର ଶାଢ଼ୀ ପିନ୍ଧି ଓ ବିଭିନ୍ନ ଠାଣୀରେ ଗୋଟିଏ କାର୍‌କୁ ଆଉଜି ଛିଡ଼ା ହୋଇଛନ୍ତି…, ସାଲାଡ୍‌ର ବର୍ଣ୍ଣବିନ୍ୟାସ…, କାଞ୍ଜିକୁ ବେକ୍‌ରେ ବ୍ୟବହାର କରାଯାଇପାରେ…, ‘ମଧ୍ୟାହ୍ନରେ ପ୍ରେମ’ ନାମକ ଗୋଟିଏ ଗପ । +ସେତେବେଳକୁ ବାରଟା ବାଜି ପନ୍ଦର ମିନିଟ୍‌ । +ଘଣ୍ଟା ନ ଦେଖି ମଧ୍ୟ ମିସେସ୍‌ ପୁରୀଙ୍କର ଧାରଣା ହେଲା ଯେ ଦିନ ଅଧାରୁ ବଳିଗଲାଣି । +ସେହି ଧାରଣାର ପ୍ରଭାବରେ ତାଙ୍କ ମନରେ କେତେଗୁଡ଼ିଏ ବିକ୍ଷିପ୍ତ ଭାବନା ବିହରଣ କରି ଚାଲିଗଲା, ମ୍ୟାଗାଜିନ୍‌ ଦେଖାରେ ତ୍ରୁଟି ଆସିଲା ନାହିଁ । +ଜୟରାମ୍‌ ସୋନାଚାନ୍ଦ୍‌ ବଜାରର ଅଧାବାଟରେ ହେବଣି, ପହଞ୍ଚି ଦେଖିବ ଯେ ପୋଟଳ ଆହୁରି ସଢ଼ା, ବିନ୍‌ ଆହୁରି ଶୁଖିଲା !… ସେ କେତୁଟା ଫାଇଲ୍‌ ସାରିବେଣି ଏହା ଭିତରେ ? ଡାଇରେକ୍ଟର୍‌ ଜେନେରାଲ୍‌ ହେବାକୁ ଆଉ କେତେ ବାଟ ରହିଲା ? ଶୀଘ୍ର ହୋଇଯାଆନ୍ତା ଯେ, କିନ୍ତୁ ତାଙ୍କର କହିଲାପୋଛିଲା ଗୁଣ ନାହିଁ । +ଆଉ ଟିକିଏ ସ୍ମାର୍ଟ ହେଇଥିଲେ- । +…ପାଖ ଘରୁ ସେ ଛୋଟିଆ ପିଲାଟା କାନ୍ଦୁଛି, ବୋଧହୁଏ ମାଡ଼ ଖାଉଛି । +ତା’ ମାଆ ଭାରି ଜୋର୍‌ରେ ମାଡ଼ ମାରେ । +ତା’ ମାଉସୀ ସମାଜସେବା କରେ, ସବୁବେଳେ ଓ ଅଯଥା ହସୁଥାଏ । +ମନେହୁଏ ଯେ ଏ ବେଶୀ ରାଗେ, ବେଶି ମାଡ଼ ମାରେ, କାହିଁକିନା ତା’ ଭଉଣୀ ବାହାସାହା ନ ହୋଇ ସମାଜସେବା କରୁଛି । +ଏବଂ ସେ ବେଶୀ ହସେ, ହସିବାର ଢଙ୍ଗ କରେ କାହିଁକି ନା ସେ ନିଜର କାହାକୁ ଗାଳି ଦେଇପାରେ ନାହିଁ, ମାଡ଼ ମାରିପାରେ ନାହିଁ । +…ସଞ୍ଜ ହେବାକୁ ଆଉ ପାଞ୍ଚ ଛଅ ଘଣ୍ଟା ଅଛି । +ଆଜି ଶ୍ରୀବାସ୍ତବଙ୍କ ଘରକୁ ଯିବାର ଅଛି । +ମିସେସ୍‌ ଶ୍ରୀବାସ୍ତବ ସବୁ କଥା ଦୃଢ଼ ଭାବରେ କହନ୍ତି, ସତେକି ସେମିତି ନ କହିଲେ କେହି ବିଶ୍ବାସ କରିବେ ନାହିଁ ଏବଂ ପ୍ରତି କଥାରେ ନଜର୍‌ ଦିଅନ୍ତି, – ମୁଁ ଜାଣିଛି ଅମୁକ କହୁଥିଲେ, ମୁଁ ଦେଖିଛି ଅମୁକଙ୍କ ଘରେ, ଶାସ୍ତ୍ରରେ ଅଛି ପରା, ଇତ୍ୟାଦି । +ମିସେସ୍‌ ଶ୍ରୀବାସ୍ତବ ନିହାତି ଢିଲା ବଡ଼ିସ୍‌ ପିନ୍ଧନ୍ତି… । +ମ୍ୟାଗାଜିନ୍‌ ଦେଖା ସରିଲା । +ଭାବନା-ଛବି ସରିଆସିଲା । +ମିସେସ୍‌ ପୁରୀ ଉଠିପଡ଼ି ଟ୍ରାନ୍‌ଜିଷ୍ଟର ରେଡ଼ିଓ ଚଳାଇଦେଲେ । +ଏହିକ୍ଷଣି ୟୁରୋପୀୟ କ୍ଲାସିକାଲ୍‌ ସଙ୍ଗୀତର ସମୟ । +ସେ କ୍ଲାସିକାଲ୍‌ ସଙ୍ଗୀତରୁ କିଛି ବୁଝନ୍ତି ନାହିଁ, କିନ୍ତୁ ତାଙ୍କୁ ଭଲ ଲାଗେ । +ଆଜି ମୋଜାର୍ଟ୍‌, ମୋଜାର୍ଟ୍‌ ତାଙ୍କୁ ସବୁଠୁଁ ଭଲ ଲାଗେ । +ମନେ ହୁଏ ଯେ ସେ ପରୀ ରାଇଜରେ ବୁଲୁଛନ୍ତି ଓ ପରୀମାନେ ତାଙ୍କୁ କୁତୁକୁତୁ କରୁଛନ୍ତି । +ସେ ପୁଣି ବିଛଣାରେ ଶୋଇ ପଡ଼ିଲେ, ନିସ୍ପନ୍ଦ ହେଲେ ଓ ମନୋଯୋଗ ସହ ସଙ୍ଗୀତ ଶୁଣିଲେ । +ତତ୍‌ସହ ବିହଙ୍ଗମାନେ ବିଭୋର ହେଲେ ଓ ଭାବିଲେ ଯେ ସେମାନଙ୍କର ଡେଣା କଟିଯାଇଛି । +ସେମାନେ ଗୋଟିଏ ସୀମିତ ଓ ସୁରଭିତ ସ୍ବର୍ଗରେ ଖସିପଡ଼ିଛନ୍ତି । +ସେମାନେ ଛଟପଟ ହେଲେ ନାହିଁ । +ବରଂ ତାଙ୍କର ମନରେ ସନ୍ଦେହ ହେଲା, -ଏହି କ’ଣ ସଭ୍ୟତାର ସ୍ବର୍ଗ ? ହୋଇଥିବ । +କାହିଁକିନା ଏହି ଜ୍ଞାନର ଭାରୀପଣ ନାହିଁ ଓ ଅଜ୍ଞାନର ଜଡ଼ତା ନାହିଁ । +ଅସନ୍ତୋଷ ନାହିଁ, ଉଦ୍ୟମ ନାହିଁ । +ଅନୁକମ୍ପା ନାହିଁ, ହିଂସା ନାହିଁ । +ବେରସିକତା ନାହିଁ । +ମୋଜାର୍ଟ୍‌ ସରିଲା । +ମିସେସ୍‌ ପୁରୀ ଅନ୍ୟମନସ୍କ ଭାବରେ ଦୂରକୁ ଅନାଇଲେ, ଦେଖିଲେ ରିଫ୍ରିଜିରେଟର୍‌ ଉପରେ ଏକୁଟିଆ ମାଛିଟିଏ ବସିଛି ଓ କ୍ରମଶଃ ଆଖି ବୁଜିଆଣିଲେ ।