Commit 1c437abe authored by Nayan Ranjan Paul's avatar Nayan Ranjan Paul

Upload New File

parent af357994
ବିଶେଷ ସମ୍ବାଦ
କହ୍ନେଇଲାଲ୍‌ ଦାସ
ତା: ଫେବୃଆରୀ ୨୬, ୨୦୧୩
ମୂଳ ପୃଷ୍ଠା → ସ୍ମରଣୀୟ ଲେଖା → ଗଳ୍ପ →
ମୁଁ ଶୋଇ ଶୋଇ ଖବର କାଗଜ ପଢ଼ୁଛି ।
ପ୍ରଶାନ୍ତି ଶୋଇ ଯାଇଛି ।
ମଶାମାନେ ମୋ କାନ ପାଖରେ ବିରକ୍ତିକର ଶବ୍ଦ କରୁଛନ୍ତି ।
କୋରାପୁଟ ଜିଲ୍ଲାରେ ସମସ୍ତ ବସ୍‌ ଅଚଳ, ନିଜ ପ୍ରତିନିଧିଙ୍କଠାରୁ ।
ଜୟପୁର ୧୦/୫, ଧର୍ମଘଟ ଫଳରେ କୋରାପୁଟ ଜୋନ୍‌ରେ ଯାତାୟତ କରୁଥିବା ସମସ୍ତ ବସ୍‌ ଗତ କାଲିଠାରୁ ଅଚଳ ହୋଇ ପଡ଼ିଛନ୍ତି ।
ଏଠାରୁ କୌଣସି ବସ୍‌ ଛାଡ଼ି ନାହିଁ କିନ୍ତୁ ଯେଉଁ ବସ୍‌ଗୁଡ଼ିକ ଅନ୍ୟତ୍ର ଯାଇ ରାତିରେ ଅଟକିଥିଲା ସେଗୁଡ଼ିକ ଗ୍ୟାରେଜକୁ ଫେରି ଆସିଛନ୍ତି ଧର୍ମଘଟ ଯୋଗୁଁ ।
ସାଧାରଣ ଯାତ୍ରୀ ବିଶେଷ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ବିଶେଷତଃ ବିବାହ ତିଥି ଭିତରେ ଧର୍ମଘଟ ହେଉଥିବାରୁ ବହୁ ବରଯାତ୍ରୀଦଳ ପ୍ରାୟ ପ୍ରତି ଗ୍ରାମରେ ଅଟକି ରହିଛନ୍ତି ।
ମୁଁ ଯେତେବେଳେ ପ୍ରଶାନ୍ତିକୁ ବାହା ହେଲି ସେତେବେଳେ ଏ ଧରଣର ଧର୍ମଘଟ ସବୁ ଏତେ ନଥିଲା ।
ମୁଁ ଦଳେ ବରଯାତ୍ରୀ ସହ ଗୋଟିଏ ଦ୍ରୁତଗାମୀ ବସ୍‌ରେ ଯେତେବେଳେ ପ୍ରଶାନ୍ତିର ସହରରେ ଓହ୍ଲାଇଲି, ମନେହେଲା ସେଠାରେ ସମସ୍ତେ ଯେପରି ପ୍ରଶାନ୍ତି ପରି ସୁନ୍ଦର, ସରଳ ଓ ଶାନ୍ତ ।
ସମସ୍ତଙ୍କ ଘର ସାମ୍ନାରେ ଚମତ୍କାର ଫୁଲ ବଗିଚା ।
ସମସ୍ତଙ୍କ ଘରେ ଧାନ ଚାଉଳ ଲୁଗାପଟା ଭର୍ତ୍ତି ।
ବେଦିରେ ପ୍ରଶାନ୍ତି ପାଖରେ ବସି ମନ୍ତ୍ର ଉଚ୍ଚାରଣ କରୁଥିବା ବେଳେ ଗୋଟିଏ ପାଖରେ ସବୁ ସୁନ୍ଦରୀ ତରୁଣୀଙ୍କ ଶାଢ଼ୀର ଫୁଲ ଦେଖି ଗୋଟିଏ ମୁହୂର୍ତ୍ତପାଇଁ ମୋର ଇଚ୍ଛା ହୋଇଥିଲା ଶାଢ଼ୀର ଫୁଲ ସବୁ ତୋଳି ଆଣି ସେଥିରେ ହାର ତିଆରି କରି ସମସ୍ତଙ୍କ ବେକରେ ପକାଇ ଦେବି ।
ଯାହାହେଉ ପ୍ରଶାନ୍ତି ମୋର ଫୁଲହାର ପିନ୍ଧି ଘରକୁ ଆସିଲା ।
ଘର ଆଗରେ ତିଆରି ହେଲା ଫୁଲ ବଗିଚା ।
ଧାନଚାଉଳ, ରଙ୍ଗୀନ ଫୁଲପକା ଲୁଗାପଟାରେ ଘର ଭର୍ତ୍ତି ହେଲା ।
ଗୋଟିଏ ବର୍ଷର ସୁନ୍ଦର ଫୁଲ ବଗିଚା ପାରିହେଲା ପରେ ପ୍ରଶାନ୍ତିର କୋଳ ଭର୍ତ୍ତି କରି ଆସିଲା ଆନନ୍ଦ ।
ସେତେବେଳେ ପ୍ରଶାନ୍ତି ଅନେକ ରାତି ପର୍ଯ୍ୟନ୍ତ ଶୋଇ ଶୋଇ ଏଣୁତେଣୁ ଗପୁଥିଲା ଆଉ ଲୁଗା କାନି ବିଞ୍ଚି ଆନନ୍ଦ ଦେହରୁ ମଝିରେ ମଝିରେ ମଶା ଘଉଡ଼ାଇ ଦେଉଥିଲା ।
ଏବେ ଆଉ ସେଦିନ ନାହିଁ ।
ପ୍ରଶାନ୍ତି ଶୋଇ ଯାଇଛି ।
ରାଣୀଗଞ୍ଜ ନିକଟରେ ଗୋଟିଏ ମାଲଗାଡ଼ି ଲାଇନ୍‌ଚ୍ୟୁତ ୧୦/୫, ରେଳ କର୍ମଚାରୀମାନଙ୍କ ଧର୍ମଘଟର ଦ୍ବିତୀୟ ଦିବସରେ ରାଣୀଗଞ୍ଜ ଠାରୁ ଦୁଇମାଇଲ ଦୂରରେ ରେଳ ଲାଇନର ଫିସ୍‌ପ୍ଲେଟ କାଢ଼ି ନିଆଯାଇଥିଲା ।
ରାଣୀଗଞ୍ଜ କୋଇଲା ଖଣିରୁ କୋଇଲା ଆଣୁଥିବା ମାଲଗାଡ଼ିର ଦୁଇଟି ଡବା ତଳକୁ ଖସି ଯାଇଥିଲା ।
ବର୍ତ୍ତମାନ ପୂର୍ବ ରେଳପଥର ବଡ଼ ବଡ଼ ଷ୍ଟେସନମାନଙ୍କରେ ବିକ୍ଷୋଭକାରୀମାନଙ୍କୁ ଘଉଡ଼ାଇବା ପାଇଁ ପୋଲିସ୍‌ ମୁତୟନ କରାଯାଇଛି ଏବଂ ଅବସ୍ଥା ଆୟତ୍ତାଧୀନ ରହିଛି ।
ମୋର ସବୁବେଳେ ରେଳଯାତ୍ରାର ନିଶା ଥିଲା ।
ପ୍ରଶାନ୍ତିକୁ ବାହା ହେବା ଆଗରୁ ମୁଁ ସମୟ ପାଇଲେ ଅନିର୍ଦ୍ଦିଷ୍ଟ ଭାବେ ପାସେଞ୍ଜର ଟ୍ରେନ୍‌ରେ ଘୂରି ବୁଲୁଥିଲି ।
ବିଭିନ୍ନ ଅଞ୍ଚଳର ଲୋକଙ୍କୁ ଦେଖିବା ନୂଆ ନୂଆ ସ୍ଥାନରେ ପାଦ ଦେବା ଥିଲା ମୋର ନିଶା ।
ଆନନ୍ଦର ଜନ୍ମ ପରେ ହଠାତ୍‌ ସେଇ ନିଶା ମୋ ଭିତରେ ଚେଇଁ ଉଠିଲା ।
ଦିନେ ପ୍ରଶାନ୍ତି ଓ ଆନନ୍ଦକୁ ନେଇ ଟ୍ରେନ୍‌ରେ ଚଢ଼ିଗଲି ।
ସୁନ୍ଦରଗଡ଼ରେ ଜଣେ ସମ୍ପର୍କୀୟ ଭାଇ ରହୁଥିଲେ ।
ଲକ୍ଷ୍ୟ ତାଙ୍କଠାରେ କିଛିଦିନ ବିତାଇ ଫେରି ଆସିବା ।
ରାତିର ଅନ୍ଧକାରରେ ଟ୍ରେନ୍‌ ଝୁକ୍‌ ଝୁକ୍‌ ଶବ୍ଦ କରି ଆଗେଇ ଯାଉଥାଏ ।
ଷ୍ଟେସନ ପରେ ଷ୍ଟେସନ ପାରି ହୋଇ ଯାଉଥିବାର ମୁଁ ଲକ୍ଷ୍ୟ କରୁଥାଏ ।
ଝର୍କା ପାଖରେ ମୁଁ ।
ଆନନ୍ଦ ମୋ ଆଡ଼େ ମୁଣ୍ଡ କରି ପ୍ରଶାନ୍ତିର କୋଳରେ ତାର ବଳିଲା ବଳିଲା ପାଦ ଦୁଇଟି ଟେକି ଆରାମରେ ଶୋଇ ଯାଇଥାଏ ।
ପ୍ରଶାନ୍ତି ଢ଼ୁଳାଉଥାଏ ।
ମୁଁ ତା’ ଆଡ଼େ ଜିରାଫ ଭଳି ମୁହଁ ବଢ଼ାଇ ମନେ ମନେ ଚୁମା ଖାଉଥାଏ ।
ହଠାତ୍‌ ଟ୍ରେନ୍‌ଟା ଯେମିତି ଖୁବ୍‌ ସ୍ପିଡ଼୍‌ ନେଲା ବୋଲି ମୋତେ ମନେ ହେଲା ।
ଝଙ୍କା ଝଙ୍କା ଶବ୍ଦଟା ଦ୍ରୁତତର ହୋଇ ଉଠିଲା ।
କିନ୍ତୁ ହଠାତ୍‌ ଦପ୍‌କରି ସବୁ ଆଲୁଅ ଲିଭିଗଲା ।
ସବୁ ଯେପରି ଓଲଟ ପାଲଟ ହୋଇଗଲା ।
ମୁଁ ହଠାତ୍‌ କିଛି ବୁଝିପାରିଲି ନାହିଁ ।
ନିଜକୁ ଠିକ୍‌ ଭାବେ ଯେତେବେଳେ ଅନୁଭବ କଲି ବୁଝିପାରିଲି ଟ୍ରେନ୍‌ଟା ଲାଇନ୍‌ଚ୍ୟୁତ ହୋଇଯାଇଛି ।
ମୁଁ ଅଣ୍ଡାଳି ଅଣ୍ଡାଳି ଅନେକ ବାକ୍ସ, ସୁଟ୍‌କେଶ ଓ ବେଡ଼ିଂ ଅତିକ୍ରମ କରି ପ୍ରଶାନ୍ତିର ପାଦଟା ଏବଂ କ୍ରମେ ଭଙ୍ଗାରୁଜା ଭିତରୁ ସମ୍ପୂର୍ଣ୍ଣ ପ୍ରଶାନ୍ତିକୁ ଖୋଜି ପାଇଲି ।
ଅବଶ୍ୟ ଦୁଇ ସପ୍ତାହ ପରେ ପ୍ରଶାନ୍ତି ଓ ମୁଁ ଡାକ୍ତରଖାନାରୁ ଘରକୁ ଫେରିଲୁ ।
ପ୍ରଶାନ୍ତି କେମିତି ଖୁବ୍‌ ଏକା ହୋଇଗଲା ।
ସେଦିନରୁ ତାର ଅସମ୍ଭବ ନିଦ ।
ବହୁତ ସମୟ ଶୋଇ ଶୋଇ କଟାଏ ।
ମନେହୁଏ ସେ ଯେପରି ଆନନ୍ଦକୁ ସ୍ବପ୍ନ ଦେଖୁଛି ।
ଏବେ ସେ ଶୋଇଯାଇଛି ।
ଚାଉଳ ଦର କମାଇ ଦିଆଯାଉ, ବରଗଡ଼ ୧୦/୫ ।
ଶ୍ରୀ ଶୁଭେନ୍ଦୁ ମୁଣ୍ଡ ଜଣାଇଛନ୍ତି ଯେ, ବର୍ଷ ଆରମ୍ଭରୁ ସରକାର ଚାଉଳ ଦର ବଢ଼ାଇ ଦେଇଥିବାରୁ ଦେଶର ଚାରିଆଡ଼େ କିଣିଖିଆ ଲୋକଙ୍କ ମଧ୍ୟରେ ଭୀଷଣ ଅସନ୍ତୋଷ ପ୍ରକାଶ ପାଇଛି ।
ନୂତନ ଧାନ ଫସଲ ଆଦାୟ ପର୍ଯ୍ୟନ୍ତ ଲୋକେ କିପରି ଚଳିବେ ତାହା ସବୁ ସ୍ଥାନରେ ଆଲୋଚନା କରାଯାଉଛି ।
ଏଥିର ପ୍ରତିକାର ସକାଶେ ଜନସାଧାରଣଙ୍କ ମଧ୍ୟରେ ପ୍ରତିବାଦ ସଭା ହୋଇ ବିକ୍ଷୋଭ କରାଯାଉଛି ।
ଏହି ଅବସ୍ଥାକୁ ନେଇ ଚାଉଳ ଦର ବଢ଼ାଇ ଦେବା ବର୍ତ୍ତମାନ ସରକାରଙ୍କ ପକ୍ଷେ ଉଚିତ୍‌ ନୁହେଁ ।
ଏପରି ଅବସ୍ଥାରେ ଧାନଚାଉଳ ଦର ବଢ଼ାଇ ଦେଇ କୃଷକଙ୍କ ମଙ୍ଗଳ କରିବା ଠିକ୍‌ ବୋଲି ଧରାଯାଉ ନାହିଁ ।
ସରକାର ଏଥିର ସୁବିଚାର କରି ଅତିଶୀଘ୍ର ଚାଉଳ ଦର କମାଇ ଦେଇ ଲୋକଙ୍କ ମଙ୍ଗଳ କରନ୍ତୁ ।
ସବୁଠିକ୍‌ ଥିଲା, ଚାଲିଥିଲା ।
ହଠାତ୍‌ ତା’ପରେ ଧୀରେ ଧୀରେ ଧାନ ଚାଉଳର ଦର ହୁ ହୁ ବଢ଼ିଗଲା ।
କ୍ରମେ କ୍ରମେ ମୁଁ ଅନୁଭବ କଲି ପ୍ରଶାନ୍ତି ଦୁର୍ବଳ ହୋଇଉଠିଛି ।
ଖାଦ୍ୟ ଓ ଖାଦ୍ୟସାର ବିହୀନ ହୋଇଗଲା ପରି ପ୍ରଶାନ୍ତିର ଅସ୍ଥି ମଜ୍ଜା ଶୂନ୍ୟ ହୋଇ ଉଠୁଛି ।
ମୁଁ ଦେଖେ ପ୍ରଶାନ୍ତି ଝାଳ ସରସର ହୋଇ ରୋଷେଇ ଘରୁ ବାହାରି ଆସେ ।
ଘର ଓଳେଇ ସାରି ଅସମ୍ଭବ ଧକେଇ ହୁଏ ।
ତା’ ଆଖି କୋଣ କ୍ରମେ କଳା ପଡ଼ି ଆସେ ।
ତା’ର ଓଠର ରଙ୍ଗ ଫିକା ହୋଇଯାଏ ।
କ୍ରମେ ପ୍ରଶାନ୍ତି ପ୍ରକାଶ କରେ ସେ ଅନ୍ତସତ୍ତ୍ବା ।
ମୁଁ ପୁଣି ଆନନ୍ଦର ହଳଦିଆ ତିକ୍ତତା ଉପରେ ସୁଗାର କୋଟିଂ ଦେଇ ପ୍ରଶାନ୍ତିକୁ ସ୍ନେହ କରେ, ଚୁମା ଖାଏ ।
ପୁଅ ହେଲେ ତା’ର ନାମ ସୁନ୍ଦର ଓ ଝିଅ ହେଲେ କଳ୍ପନା ଦିଆଯିବ ବୋଲି ଘୋଷଣା କରେ ।
ପ୍ରଶାନ୍ତି ଭାବହୀନ ଆଖିରେ ମୋତେ ଚାହେଁ ।
ବ୍ଲାକ୍‌ରେ ବେଶୀ ଦାମ୍‌ ଦେଇ ଅମୁଲ୍‌ ଆଣି ଘରର ଥାକ ଭର୍ତ୍ତି କରିଦିଏ ।
ପ୍ରଶାନ୍ତି ବି କେମିତି ହଠାତ୍‌ ଜୀବନ୍ତ ହୋଇ ଉଠେ ।
ସେ ହୁଏତ ବୁଝିପାରେ ତାର ଏଥର ଝିଅ ହେବ ।
ସେ ଦ୍ବିପ୍ରହରରେ ବାଳ ମୁକୁଳା କରି ଗୋଡ଼ ଲମ୍ବାଇ ବସି କୁନି କୁନି ଫ୍ରକ୍‌ ତିଆରି କରେ ।
ସେ ଦିନମାନଙ୍କରେ ପ୍ରଶାନ୍ତି ରାତିରେ ଶୋଇ ଶୋଇ ମୋ ସହ ଗପୁଥିଲା, ମୋ ପିଠି ଆଉଁଷି ଦେଉଥିଲା ଏବଂ ମୋ ଛାତି ବାଳରେ ତା’ର ସୁନ୍ଦର ନରମ ଆଙ୍ଗୁଳିରେ ସିଆରି କାଟୁଥିଲା ।
କିନ୍ତୁ ଏବେ ଆଉ ସେଦିନ ନାହିଁ ।
ପ୍ରଶାନ୍ତି ବହୁତ ବେଳୁ ଶୋଇଯାଇଛି ।
ପ୍ରୋଭିଡେଣ୍ଟ୍‌ ଫଣ୍ଡ କର୍ମଚାରୀମାନଙ୍କ ବିକ୍ଷୋଭ, ଭୁବନେଶ୍ବର ୧୦/୫, ପ୍ରୋଭିଡ଼େଣ୍ଟ ଫଣ୍ଡ ଅଫିସ୍‌ କର୍ମଚାରୀ ୟୁନିୟନର ସାଧାରଣ ସମ୍ପାଦକଙ୍କ ଆହ୍ବାନକ୍ରମେ ଅଫିସ୍‌ର ସମସ୍ତ କର୍ମଚାରୀ କମିଶନରଙ୍କ ଅଫିସ୍‌ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
ବେତନ ବୃଦ୍ଧି, ନୂତନ ବେତନ ହାର ସ୍ଥିରୀକରଣ ପ୍ରଭୃତି ଆଠଟି ଦାବି ଉପରେ ମହାସଂଘର ନିର୍ଦ୍ଦେଶାନୁଯାୟୀ ବିକ୍ଷୋଭ କରାଯାଇଥିଲା ।
ଚଳିତ ମାସ ମଧ୍ୟରେ ଦାବିଗୁଡ଼ିକର ନିଷ୍ପତ୍ତି କରା ନ ଗଲେ ସର୍ବଭାରତୀୟ ସ୍ତରରେ ବିକ୍ଷୋଭ, ଧର୍ମଘଟ ଓ ଅନଶନ ଆଦି କରାଯିବ ବୋଲି ସଂଘ ତରଫରୁ ଘୋଷଣା କରାଯାଇଛି ।
ମୋର ମନେ ଅଛି ସେଦିନ ଏହିପରି ଦରମା ହାର ଇତ୍ୟାଦି ନେଇ ଅଫିସ୍‌ରେ ବିକ୍ଷୋଭ ପ୍ରଦର୍ଶନ କରାଯିବାର ଥିଲା ।
ସେଦିନର ଲେବର ରୁମ୍‌ରେ ପ୍ରଶାନ୍ତି ।
ମୁଁ ବିକ୍ଷୋଭ ଇତ୍ୟାଦି ଛାଡ଼ି ଲେବର ରୁମ୍‌ ବାହାରେ ଚାର୍‌ମିନାର୍‌ ଟାଣି ଏପଟ ସେପଟ ହେଉଥିଲି ।
ପୁଅ ହେଲେ ତା’ ନାଁ ସୁନ୍ଦର ଓ ଝିଅ ହେଲେ କଳ୍ପନା ।
ମୋର କଳ୍ପନାର ହାବେଳିଟା ସୁଁ ସୁଁ ଉପରକୁ ଉଠି ଯେତେବେଳେ ତଳକୁ ତଳକୁ ଖସିଲା, ସେତିକିବେଳେ ନର୍ସ ଆସିଲା ।
ମୁଁ ଭିତରକୁ ଗଲି ।
ପ୍ରଶାନ୍ତିର ମୁଣ୍ଡରେ ସାନ୍ତ୍ବନାମୂଳକ ହାତଟା ଥାପି ବାହାରକୁ ବାହାରି ଆସିଲି ।
ତା’ପରେ ବିକ୍ଷୋଭରେ ଗଳା ଫଟାଇ ଚିତ୍କାର କଲି ।
କଳ୍ପନା ଜନ୍ମ ହୋଇଥଲା ସତ, କିନ୍ତୁ ନିଷ୍ପ୍ରାଣ ଦେହ ନେଇ ପୃଥିବୀର ଆଲୁଅକୁ ବାହାରି ଆସିଥିଲା ।
ପ୍ରଶାନ୍ତି ସେଦିନରୁ କେମିତି ନିଷ୍ପ୍ରାଣ ହୋଇଗଲା ।
କାହାରି ସହ ପ୍ରାୟ କଥା କହେ ନାହିଁ ।
କେବଳ ଗଣ୍ଡେ ଖାଏ, ରଙ୍ଗ ବେରଙ୍ଗର ଔଷଧ ପିଏ ଓ ଶୁଏ ।
ସେଇ ଔଷଧ ପିଇ ପିଇ ସେ ଆଜିକାଲି ସବୁବେଳେ ଶୋଉଛି ।
ଚୋରି ଅଭିଯୋଗରେ ଜଣେ ଆସାମୀ ଗିରଫ ।
ନିଜ ପ୍ରତିନିଧିଙ୍କ ଠାରୁ, ବାଲେଶ୍ବର ୧୦/୫, ମେ ଆଠ ତାରିଖ ପାହାନ୍ତିଆ ତିନିଟା ବେଳେ ।
ଶ୍ରୀ ଅଶୋକ ମାଇତି ନାମରେ ଜଣେ ଲୋକ ମାଣିଖମ୍ବ ଅଞ୍ଚଳରୁ ଚୋରି କରିବାକୁ ଉଦ୍ୟମ କରୁଥିଲା ବେଳେ ସ୍ଥାନୀୟ ଟାଉନ୍‌ ଥାନାର ଏ.ଏସ୍‌.ଆଇ. ଖୁବ୍‌ ତତ୍ପରତାର ସହିତ ଆସାମୀକୁ ଧରି ହାଜତକୁ ପଠାଇଛନ୍ତି ।
ଏହି ଆସାମୀର ଘର ଖାନଖୋଲା, ହୁଗୁଳି ବୋଲି ଜଣାଯାଇଛି ଏବଂ ସେ ବଡ଼ ବଡ଼ ଚୋରି ଅପରାଧରେ ସଂପୃକ୍ତ ବୋଲି ସନ୍ଦେହ କରାଯାଉଛି ।
ସବୁ ଘଟଣା ଦୁର୍ଘଟଣା ଅତିକ୍ରମ କରି ପ୍ରଶାନ୍ତିର ସୁଖ ଫେରାଇ ଆଣିବାକୁ ଅନେକ ଚେଷ୍ଟା କରିଥିଲି ।
ଋଣ କରି ପ୍ରଶାନ୍ତି ପାଇଁ ସୁନ୍ଦର ସୁନ୍ଦର ଶାଢ଼ୀ କିଣିଲି ।
ନୂଆ ଡିଜାଇନର ଗହଣା ତିଆରି କରିଦେଲି ।
ମୁଁ ଦେଖିଲି ପ୍ରଶାନ୍ତି ସେଗୁଡ଼ା କିଛି ବ୍ୟବହାର କରୁନାହିଁ ।
କେବଳ ଆଲମିରାରେ ସାଇତି ରଖୁଛି ।
ଦିନେ ସକାଳେ ବିଛଣାରୁ ଉଠି ଦେଖିଲି ପ୍ରଶାନ୍ତି ଆଲୁଳାୟିତ ବେଶବାସରେ ନିଷ୍ପଲକ ଆଖିରେ ବସିଛି ।
ଆଲମିରା ଖୋଲା ।
ମୁଁ ହଠାତ୍‌ କିଛି ବୁଝିପାରିଲି ନାହିଁ ।
ପ୍ରଶାନ୍ତି ବାରିପଟ କବାଟ ଆଡ଼େ ଆଙ୍ଗୁଠି ଦେଖାଇଲା ।
ମୁଁ ଦେଖିଲି ବାରିପଟ ମେଲା ।
କିଛି ସମୟ ପରେ ବୁଝିପାରିଲି ଋଣ କରି ପ୍ରଶାନ୍ତି ପାଇଁ ଦୋକାନମାନଙ୍କରୁ ଯେଉଁ ସୁଖ ସବୁ ଆଣି ଆଲମିରାରେ ସାଇତି ଥିଲି, ସେଗୁଡ଼ା କେଉଁ ଏକ ଅଜଣା ଆସାମୀ ହାତରେ ରାତିର ଅନ୍ଧକାରରେ ଚାଲାଣ ହୋଇଯାଇଛି ।
କାରଣ ପ୍ରଶାନ୍ତି ସବୁବେଳେ ନିଘୋଡ଼ ନିଦରେ ଶୁଏ, ଯେମିତି ସେ ବର୍ତ୍ତମାନ ଶୋଇଯାଇଛି ।
ଉତ୍କଟ ଖାଦ୍ୟ ଓ କିରାସିନି ଅଭାବ ।
ନିଜ ପ୍ରତିନିଧିଙ୍କଠାରୁ, ଆଳି ୧୦/୫, ବର୍ତ୍ତମାନ ଏ ଅଞ୍ଚଳରେ ଉତ୍କଟ ଖାଦ୍ୟାଭାବ ସାଙ୍ଗକୁ କିରାସିନି ଅଭାବ ମଧ୍ୟ ଦେଖାଦେଇଛି ।
ଏଠାରେ ଚାଉଳ କିଲୋପ୍ରତି ଟ.୨.୫୦ ପଇସା, ଅଟା କିଲୋପ୍ରତି ଟ.୨.୫୦ ପଇସାରେ ବିକ୍ରୟ ହେଲାଣି ।
ଏହା ବ୍ୟତୀତ କିଲୋପ୍ରତି ସୁଜି ଟ.୩.୦୦, ଡାଲଡ଼ା ଟ.୧୪.୦୦ ଦରରେ ବିକ୍ରୀ ହେଉଛି ।
ଗତ ୨ ମାସ ଧରି କିରାସିନି ଲିଟର ଟ.୧.୫୦ ଦରରେ ମଧ୍ୟ ମିଳୁନି ।
ଏଠାକାର ଶତକଡ଼ା ୯୫ ଭାଗ ଲୋକ ଖଟିଖିଆ ।
ସେମାନେ କୌଣସି କାମଧନ୍ଦା ନ ପାଇ ଭୋକ ଉପାସରେ ଦିନ କାଟୁଛନ୍ତି ।
ସରକାର ତୁରନ୍ତ ପ୍ରତି ପଞ୍ଚାୟତରେ ୨/୩ଟି କରି ବିକ୍ରୟ କେନ୍ଦ୍ର ଖୋଲି ଖାଦ୍ୟଦ୍ରବ୍ୟ ଓ କିରାସିନି ଯୋଗାଇ ଦେବାକୁ ଦାବି ହେଉଛି ।
ମୁଁ ଏଥର ଖବରକାଗଜ ମୋଡ଼ିମାଡ଼ି ମୁଣ୍ଡ ଆଡ଼େ ଫିଙ୍ଗିଦେଲି ।
ଆଉ ଖବର କାଗଜ କିଣିବି ନାହିଁ ।
ସବୁଦିନେ ସେଇ ଏକ ପ୍ରକାର ଖବର ।
ବିକ୍ଷୋଭ, ଆନ୍ଦୋଳନ, ଧର୍ମଘଟ, ଚୋରି, ଘରପୋଡ଼ି, ଆତ୍ମହତ୍ୟା, ଦରବୃଦ୍ଧି, ଅନାହାର ମୃତ୍ୟୁ ।
ବିଶେଷ ସମ୍ବାଦ ଆଉ କ’ଣ ? ପ୍ରଶାନ୍ତି ଦିନରେ ତା ବେକ କୁଣ୍ଡାଇ ହେଲା ।
ବେକରେ ମଶା ବସିଥିଲା ବୋଧହୁଏ ।
ପ୍ରଶାନ୍ତି ଦେହରେ ରକ୍ତ ନାହିଁ ।
ଗୋରା ଦେହ ଶେତା ପଡ଼ିଗଲାଣି ।
ତା’ ଉପରେ ମଶାର ଶୋଷଣ ।
ପ୍ରଶାନ୍ତି ଚମତ୍କାର ଭଙ୍ଗିରେ ମୋ ଆଡ଼େ ବୁଲି ଶୋଇଲା ।
ମୁଁ ଦେଖିଲି ତା’ ବ୍ଲାଉଜର ଉପର ବୋତାମ ଖୋଲା ।
ମୁଁ ଭିତରେ ଭିତରେ ଖୁବ୍‌ ସୂକ୍ଷ୍ମ ଭାବରେ ଶୃଙ୍ଗାରର ଉତ୍କଣ୍ଠା ଅନୁଭବ କଲି ।
ମୋ କାନ ପାଖ ଦେଇ ସୁଁ କରି ଗୋଟିଏ ମଶା ଉଡ଼ିଗଲା ।
ମୁଁ ଉଠି ମଶାରି ପକାଇ ଦେଲି ।
ଏବେ ମୁଁ ଓ ପ୍ରଶାନ୍ତି ବେଶ୍‌ ସୁରକ୍ଷିତ ।
ପ୍ରଶାନ୍ତିକୁ ଡାକିଲି ।
ସେ କ୍ଷୀଣ ସ୍ବରରେ କେବଳ ଉଁ ଉଁ ହେଲା ।
କିନ୍ତୁ ଉଠିଲା ନାହିଁ ।
ମୁଁ ଆଲୁଅ ଲିଭାଇ ଦେଲି ।
ତା’ ଆଡ଼େ ମୁହଁ କରି ଶୋଇଲି ।
ମୋ ଦେହ ଆଉ ତା’ ଦେହ ମଝିରେ ପଡ଼ିଥିବା ତା’ର ଦୁର୍ବଳ ହାତଟା ଉଠାଇ ଧରି ମୁଁ ତା’ ପାଖକୁ ଘୋଷାରି ଗଲି ଏବଂ ତା’ ହାତଟା ମୋ ଅଣ୍ଟାରେ ପକାଇ ଦେଲି ।
ରୋଗୀର ନିଃଶ୍ବାସ ଭଳି ତା’ର ତାତିଲା ନିଃଶ୍ବାସ ମୋ ଗାଲରେ ବାଜିଲା ।
ଠିକ୍‌ ସେଇ ସମୟରେ ଅନୁଭବ କଲି ଅନ୍ଧକାରରେ ମଶାରି ଭିତରେ ବି ଗୋଟିଏ ମଶା ବିରକ୍ତିକର ଶବ୍ଦ କରି ଉଡ଼ି ବୁଲୁଛି ।
ହାତଟାକୁ ଶବ୍ଦଭେଦୀ ଅସ୍ତ୍ର କରି ଘୂରାଇ ଆଣିଲି ।
ଡାହାଣ ହାତରେ ବ୍ଲାଉଜର ବୋତାମ ଖୋଲିଲା ବେଳେ ମନେ ହେଲା ମଶାଟା ଡାହାଣ ହାତ ପାପୁଲିରେ ପିଠି ଉପରେ ବସିଛି ।
ହାତଟା ଯୋର୍‌ରେ ବିଞ୍ଚି ଦେଲା ମାତ୍ରେ ସେଇଟା ଉଡ଼ିଗଲା ।
ମୁଁ ପ୍ରଶାନ୍ତିକୁ ଆଉଥରେ ଡାକିଲି ।
ସେ ସେମିତି ନିର୍ଜୀବ ଭାବରେ ପଡ଼ି ରହିଥିଲା ।
ମୋର ଇଚ୍ଛା ହେଲା ପ୍ରଶାନ୍ତି ହଠାତ୍‌ ଉଠି ମୋର କଣ୍ଠ ସଂଲଗ୍ନା ହୋଇ କାନ ପାଖରେ କହନ୍ତା କି-ପୃଥିବୀରେ ଯେତେ ବିପ୍ଳବ ହେଉ ପଛକେ ମୁଁ ତୁମକୁ ଭଲ ପାଏ ।
ହଠାତ୍‌ ମଶାଟା ମୋ କାନ ପାଖରେ ସେଇ ବିରକ୍ତିରେ ଶବ୍ଦ କରି ଦୂରକୁ ଉଡ଼ିଗଲା ।
ପ୍ରଶାନ୍ତିର ନରମ ଗାଲରେ ଓଠ ଲଗାଇଲା ବେଳେ ମୋର ଇଛା ହେଲା ସେ ନିଦରୁ ଉଠି ମୋ ଗାଲରେ ଓଠ ଲଗାନ୍ତା କି ! ଠିକ୍‌ ସେଇ ସମୟରେ ମଶାଟା ମୋ ଗାଲରେ ତା’ର ଶୁଣ୍ଢ ପୂରାଇ କିଛି ରକ୍ତ ଶୋଷି ନେଲା ।
ମୁଁ ନିଜ ଗାଲରେ ଖୁବ୍‌ ଜୋରରେ ଚାପୁଡ଼ାଟାଏ ମାରିଲି ଏବଂ ଉଠି ଆଲୁଅ ଜଳାଇଲି ।
ତଥାପି ମଶାମାନେ କେଉଁଠି କେଉଁ ଏକ ସନ୍ଧିରେ ରହି ବିରକ୍ତିକର ଆୱାଜ୍‌ କରୁଥିଲେ ।
ମୁଁ ଚୁପ୍‌ଚାପ୍‌ ମଶାରି ଭିତରେ ବସିରହି ପ୍ରଶାନ୍ତିକୁ ଦେଖିଗଲି ।
ମୁଁ ଜାଣେ ଆଉ ଗୋଟିଏ ନୂଆ ସୂର୍ଯ୍ୟୋଦୟ ନ ହେଲା ପର୍ଯ୍ୟନ୍ତ ସେ କେବେହେଲେ ଉଠିବ ନାହିଁ ।
ତାକୁ ଆଉ ଡାକିବା ବୃଥା ।
ମୁଁ ଧୀରେ ଧୀରେ ତାକୁ ବିବସ୍ତ୍ର କଲି ଏବଂ ଚିତ୍‌ କରି ଶୁଆଇ ଦେଲି ।
ହଠାତ୍‌ ମନେ ହେଲା ମଶାରି କୋଣରେ କେଉଁ ଏକ ଅଜଣା ରାସ୍ତା ଦେଇ ଗୋଟିକ ପରେ ଗୋଟିଏ ମଶା ପଶି ଆସୁଛନ୍ତି ।
ଗୋଟିକୁ ଦେଖିଲି ମୁଣ୍ଡ ଆଡ଼େ ମଶାରି ଦେହରେ ବସି ରହିଛି ।
ମୁଁ ଖୁବ୍‌ ରାଗରେ ତାକୁ ଦୁଇ ପାପୁଲି ଘେରକୁ ଆଣି ଚାପିଦେଲି ।
ତାଳି ମାରିବାର ଶବ୍ଦ ହେଲା ଓ ହାତକୁ କେବଳ କାଟିଲା ।
ଆଉ ଗୋଟାକୁ ଦେଖିଲି ପ୍ରଶାନ୍ତିର ଖୋଲା ଛାତିରେ ଆରାମ୍‌ରେ ବସି ତାର ଶୁଣ୍ଢ ଭିତରକୁ ରକ୍ତ ଚାଲାଣ କରି ଦେଉଛି ।
ସେଇ ଆଡ଼କୁ ଲକ୍ଷ୍ୟ କରି ହାତ ଉଠାଇଲା ମାତ୍ରେ ସେଠାରୁ ଅଦୃଶ୍ୟ ।
ତା’ପରେ ଏକ ସମୟରେ ମନେହେଲା ମୋ ପିଠିରେ ଗୋଟିଏ ମଶା ତା’ର ଶୁଣ୍ଢ ପୂରାଇ ଦେଉଛି ଏବଂ ଆଉ ଗୋଟିଏ ମଶା ତିଳ ଚିହ୍ନ ଭଳି ପ୍ରଶାନ୍ତିର ଗାଲ ଉପରେ ବସି ଯାଇଛି ଏବଂ ମୋ କାନ ପାଖରେ ଆଉ ଗୋଟିଏ ବିକ୍ଷୋଭ କରୁଛି ଏବଂ ପ୍ରଶାନ୍ତିର ପେଟ ଉପରେ ଏବଂ ମୋ ବାହୁରେ ଏବଂ ପ୍ରଶାନ୍ତିର ଜଙ୍ଘରେ ଏବଂ ମୋ ଗାଲରେ ଏବଂ ପ୍ରଶାନ୍ତିର ପାଦରେ ଏବଂ ମୋ କପାଳରେ ଏବଂ ପ୍ରଶାନ୍ତିର ଧଳା ଦେହରେ ସର୍ବତ୍ର ଅସଂଖ୍ୟ ତିଳଚିହ୍ନ ଭଳି ମଶାମାନେ ବସି ଯାଉଛନ୍ତି ।
ମୁଁ ନିରୁପାୟ ହୋଇ ଆଲୁଅ ଲିଭାଇ ଶୋଇଯିବା ପୂର୍ବରୁ ଦେଖିଲି ପ୍ରଶାନ୍ତିର ସୁନ୍ଦର ଗୋରା ଦେହ ଗୋଟିଏ ଖବର କାଗଜ ହୋଇ ଯାଇଛି ଏବଂ ଅସଂଖ୍ୟ ତିଳଚିହ୍ନ ଭଳି ବସିଥିବା ମଶାମାନେ ଅକ୍ଷର ହୋଇ ଯାଇଛନ୍ତି ଏବଂ ପରିଷ୍କାର ପଢ଼ିଗଲି ବିଶେଷ ସମ୍ବାଦ ସବୁ- ରେଳ ବସ୍‌ କର୍ମଚାରୀ ଓ ସମସ୍ତ ଶ୍ରମିକ ଧର୍ମଘଟ, ବିକ୍ଷୋଭ, ଧାନ, ଚାଉଳ, କିରାସିନି, ପେଟ୍ରୋଲ, ଲୁଗାପଟା, କାଗଜ ଇତ୍ୟାଦିର ଅସମ୍ଭବ ଦରବୃଦ୍ଧି, ଚୋରି, ଘରପୋଡ଼ି, ଆତ୍ମହତ୍ୟା, ଅନାହାର ମୃତ୍ୟୁ ଏବଂ ପୃଥିବୀରୁ ଭୀଷଣ ବେଗରେ ଏକ ଅବଶ୍ୟମ୍ଭାବୀ ବିପ୍ଳବ ମାଡ଼ି ଆସିବାର ସୂଚନା ।
Markdown is supported
0% or
You are about to add 0 people to the discussion. Proceed with caution.
Finish editing this message first!
Please register or to comment