Commit 23140ba9 authored by Nayan Ranjan Paul's avatar Nayan Ranjan Paul

Upload New File

parent 55bc1fab
ଓଡ଼ିଆ – ଏକ ଶାସ୍ତ୍ରୀୟ ଭାଷା
- ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର
ତା: ନଭେମ୍ବର୍ ୯, ୨୦୧୧
ମୂଳ ପୃଷ୍ଠା → ଭାଷା ଓ ସାହିତ୍ୟ ଆଲୋଚନା →
ଓଡ଼ିଆ ଭାଷା ଭାରତର ପୂର୍ବାଞ୍ଚଳ ଭାଷା ଗୋଷ୍ଠୀଭୁକ୍ତ ଏକ ପ୍ରାଚୀନ ଆର୍ଯ୍ୟଭାଷା ।
ଏହି ଭାଷାର ମୂଳଉତ୍ସ ସଂସ୍କୃତ ଓ ପ୍ରାକୃତ ଭାଷା ହେଲେହେଁ ସମୟକ୍ରମେ ଅନ୍ୟ ପ୍ରାଚୀନ ଭାଷାର ବିଭବକୁ ଶାସ୍ତ୍ରୀୟ ଶୈଳୀରେ ଆହରଣ କରି ଏହି ଭାଷା ସମୃଦ୍ଧ ହୋଇଛି ।
ଓଡ଼ିଆ ଭାଷାର ବର୍ଣ୍ଣମାଳା, ଲିପି ଓ ଲିପିତତ୍ତ୍ବ, ରୂପତତ୍ତ୍ବ ଧ୍ବନିବିଜ୍ଞାନ ଓ ଭାଷା ବିଜ୍ଞାନ ଅତ୍ୟନ୍ତ ଉଚ୍ଚକୋଟୀର ।
ଆଞ୍ଚଳିକତାର ପ୍ରଭାବରେ ଏହି ଭାଷାର ସୃଷ୍ଟି, ଶାସ୍ତ୍ରୀୟ ଶୈଳୀରେ ଆହରଣ ଓ ଆର୍ଯ୍ୟଭାଷା ପରମ୍ପରାରେ ଏହି ଭାଷାର ସମୃଦ୍ଧି ଘଟିଛି ।
ଏକ ସୃଜନଶୀଳ, ବଳିଷ୍ଠ ତଥା ପୂର୍ଣ୍ଣାଙ୍ଗ ଭାଷାରୂପେ ଓଡ଼ିଆ ଭାଷାର ନିଜସ୍ବ ଉଚ୍ଚାଙ୍ଗ ଭାଷାଶାସ୍ତ୍ର ରହିଥିବାରୁ ଏହା ଶାସ୍ତ୍ରୀୟ ଭାଷା ।
ଓଡ଼ିଆ ଭାଷା ପ୍ରାକୃତରୁ ଜନ୍ମ ନେଇ ସ୍ବକୀୟ ଉନ୍ନତ ଆହରଣ ଶୈଳୀରେ ସଂସ୍କୃତ, ସୌରସେନୀ, ମାଗଧୀ, ପୈଶାଚୀ, ଦ୍ରାବିଡ଼, ଆଦିବାସୀ, ପର୍ତ୍ତୃଗୀଜ, ପାର୍ଶୀ, ପଂରାସୀ ଓ ଇଂରାଜୀ ପ୍ରଭୃତି ଭାଷାର ବିଭବକୁ ଶାସ୍ତ୍ରୀୟ ଧାରାରେ ତଥା ପରମ୍ପରା ପରିଧିରେ ନିଜସ୍ବ କରି ସମୃଦ୍ଧ ହୋଇଛି ।
ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାବ୍ଦୀରେ ଭରତମୁନି ସ୍ବରଚିତ ନାଟ୍ୟଶାସ୍ତ୍ରରେ ଓଡ୍ରମାଗଧୀ ପ୍ରବୃତ୍ତି ଓ ଉଡ୍ରଜା ବିଭାଷା ସଂପର୍କରେ ଉଲ୍ଲେଖ କରିଥିବାରୁ ପ୍ରମାଣିତ ହୁଏ ଯେ ତତ୍‌କାଳୀନ ସଂସ୍କୃତ ନାଟକରେ ଓଡ଼ିଆ ସଂଳାପ ବିଦ୍ୟମାନ ଥିଲା ।
ଅଧିକନ୍ତୁ, ଭରତମୁନି ଏହି ଭାଷା, ଶ୍ରେଷ୍ଠୀ ବା ସାଧବ ମାନଙ୍କର ଭାଷା ଥିଲା ବୋଲି ଉଲ୍ଲେଖ କରିଛନ୍ତି ।
ସେହି ସମୟରେ ଓଡ଼ିଆମାନେ ସାମୁଦ୍ରିକ ବାଣିଜ୍ୟ ମାଧ୍ୟମରେ ଅସରନ୍ତି ଧନସମ୍ପଦ ଓଡ଼ିଶାକୁ ବୋହି ଆଣିଥିବାରୁ ବିଶ୍ବ ଦରବାରରେ ସାଧବ ଭାବରେ ପରିଚିତ ଥିଲେ ତଥା ଓଡ଼ିଆ ଭାଷା ବ୍ୟବହାର କରୁଥିଲେ ବୋଲି ଭରତଙ୍କ ଉକ୍ତିରୁ ପ୍ରତୀୟମାନ ହୁଏ ।
ଖ୍ରୀଷ୍ଟପୂର୍ବକାଳରେ ସମ୍ରାଟ୍‌ ଖାରବେଳ ଖଣ୍ଡଗିରି ଗୁମ୍ଫାରେ ଭରତଙ୍କ ବର୍ଣ୍ଣନାନୁସାରେ ନାଟମଣ୍ଡପ ନିର୍ମାଣ କରିଥିବାରୁ ପ୍ରମାଣିତ ହୁଏ ।
ସେତେବେଳେ ଓଡ଼ିଆ ନାଟକ ଓ ଓଡ଼ିଆ ସଂଳାପ ଥିବା ସଂସ୍କୃତ ନାଟକ ଓଡ଼ିଶାରେ ଅଭିନୀତ ହେଉଥିଲା ।
ପୁନଶ୍ଚ, ଅଶୋକ ଓ ଖାରବେଳଙ୍କ ଶିଳାଲେଖାରେ ଓଡ଼ିଆ ଲିପିର ସନ୍ଧାନ ମିଳିଥିବାରୁ ଓଡ଼ିଆ ଭାଷା ଖ୍ରୀଷ୍ଟପୂର୍ବକାଳୀନ ପ୍ରାଚୀନ ଆର୍ଯ୍ୟ ଭାଷା ରୂପେ ସ୍ବୀକୃତ ।
ଜୈନଧର୍ମାବଲମ୍ବୀ ପ୍ରାକୃତ ବୈୟାକରଣିକମାନେ ଓଡ୍ରମାଗଧୀକୁ “ଆର୍ଷୀପ୍ରାକୃତ” ବା ଋଷିଙ୍କ ଭାଷା ବୋଲି କହିଛନ୍ତି ଏବଂ ଏହାର ବ୍ୟାକରଣ ସଂସ୍କୃତସମ ବୋଲି ବିବେଚନା କରିଛନ୍ତି ।
ଏହି ଦୃଷ୍ଟିକୋଣରୁ ହୃଦ୍‌ବୋଧ ହୁଏ, ପ୍ରାଚୀନ ବୈଦିକ ସଂସ୍କୃତ ଭାଷା ସହିତ ଓଡ଼ିଆ ଭାଷା ସମାନ୍ତରାଳ ଭାବରେ କାୟା ବିସ୍ତାର କରିଥିଲା ।
ପ୍ରାଚୀନ ଶିଳାଲେଖ ଓ ତାମ୍ରପତ୍ର ତଥା ଚର୍ଯ୍ୟାଗୀତିକାରୁ ଓଡ଼ିଆ ଭାଷାର କ୍ରମବିକାଶ, କ୍ରମ ବିବର୍ତ୍ତନ, ପ୍ରବୃତ୍ତି ଓ ଲକ୍ଷଣ ପରିଦୃଷ୍ଟ ହୋଇଥାଏ ।
ପଞ୍ଚଦଶ ଶତାବ୍ଦୀରେ ରଚି଼ତ ସାରଳା ଦାସଙ୍କ ମହାଭାରତରୁ ଏହି ଭାଷାର ପରିପୂର୍ଣ୍ଣତା ଓ ସୌରଭ ଉପଲବ୍‌ଧ ।
ଷୋଡ଼ଶ ଶତାବ୍ଦୀରେ ଅତିବଡ଼ୀ ଜଗନ୍ନାଥ ଦାସ ମାନକ ଓଡ଼ିଆ ଭାଷାରେ ଭାଗବତ ରଚନା କରିବା ପରେ ଲକ୍ଷ ଲକ୍ଷ ଓଡ଼ିଆ ବିନା ବିଦ୍ୟାଳୟରେ ସାକ୍ଷର ହୋଇପାରିଥିଲେ ।
ଏହାପରେ ଭାଷାଶିକ୍ଷା ନିମିତ୍ତ ଓଡ଼ିଶା ଭୂଖଣ୍ଡରେ ହଜାର ହଜାର ଚାଟଶାଳୀ ପ୍ରତିଷ୍ଠିତ ହୋଇ “ମାଟିବଂଶ” ନାମକ ଏକ ସଂପ୍ରଦାୟ ଭାଷାଶିକ୍ଷକ ଭାବରେ ସାର୍ବଜନୀନ ସ୍ବୀକୃତୀ ଲାଭ କରିଥିଲେ, ଯାହାକି ଅନ୍ୟ ଭାଷାରେ ବିରଳ ।
ସେହି ସମୟରେ ଓ ପରବର୍ତ୍ତୀ କାଳରେ ଓଡ଼ିଆ ଭାଷାରେ ବହୁ ପୁରାଣ, ସଂହିତା, ରାମାୟଣ, ମହାଭାରତ, ଧର୍ମଶାସ୍ତ୍ର ରଚି଼ତ ହେବା ଦ୍ବାରା ଭାଷାର ମର୍ଯ୍ୟଦା ବୃଦ୍ଧି ପାଇଥିଲା ।
କ୍ରମେ ଓଡ଼ିଆ ଭାଷା ଆର୍ଯ୍ୟଭାଷାମାନଙ୍କ ମଧ୍ୟରେ ପ୍ରତିଷ୍ଠିତ ଓ ବଳିଷ୍ଠ ଭାଷା ରୂପେ ଗଣ୍ୟ ହେଲା ।
ସମ୍ପ୍ରତି ଓଡ଼ିଆ ଭାଷା ସ୍ବକୀୟ ପ୍ରାଚୀନତା, ଗୁଣାତ୍ମକ ଉତ୍କର୍ଷ, ଶବ୍ଦସମ୍ଭାର, ବୌଦ୍ଧିକ ସୃଜନଶୀଳତା ଓ ସୌଷ୍ଠବ ଯୋଗୁଁ ବିଶ୍ବ ଦରବାରରେ ସ୍ବତନ୍ତ୍ର ଆସନରେ ଅଧିଷ୍ଠିତ ।
ଭାରତ ଓ ଭାରତ ବାହାରେ ବିଭିନ୍ନ ବିଶ୍ବବିଦ୍ୟାଳୟରେ ଓଡ଼ିଆ ଭାଷାର ଅଧ୍ୟୟନ, ଅଧ୍ୟାପନା ଓ ଗବେଷଣା ଅବ୍ୟାହତ ରହିଛି ।
ସଂକ୍ଷେପରେ ଉଲ୍ଲେଖ କଲେ, ଓଡ଼ିଆ ଭାଷାର ଐତିହ୍ୟ ଯେପରି ଗୌରବୋଜ୍ଜଳ, ବର୍ତ୍ତମାନ ମଧ୍ୟ ସେହିପରି ସମୁଜ୍ଜଳ ।
ଓଡ଼ିଆ ଭାଷାର ବର୍ଣ୍ଣମାଳା ସଂସ୍କୃତ ଭାଷାରୁ ଆନୀତ ତଥା ଓଡ଼ିଆ ଲିପି ବ୍ରାହ୍ମୀ ଲିପିରୁ ଜାତ ଓ କ୍ରମବିକଶିତ ।
ଅନ୍ୟ ଭାଷାରେ କହିଲେ ଏହାର ବର୍ଣ୍ଣମାଳା ଓ ଲିପି ଶାସ୍ତ୍ରୀୟ ପରମ୍ପରା ପରିଧିରେ ଆତ୍ମିକ ସନନ୍ଦ ଭାବରେ ପ୍ରତିଭାତ ।
ଓଡ଼ିଆ ଧ୍ବନି ମଧ୍ୟ ସଂସ୍କୃତଧ୍ବନିରୁ ବିବର୍ତ୍ତିତ ।
ସଂସ୍କୃତଧ୍ବନି ସଦୃଶ ଓଡ଼ିଆଧ୍ବନି ନିର୍ଦ୍ଦିଷ୍ଟ ଶାସ୍ତ୍ରୀୟ ଶୃଙ୍ଖଳାରେ ଅର୍ଥପୂର୍ଣ୍ଣ ଶବ୍ଦ ଓ ବାକ୍ୟ ଆକାରରେ ପ୍ରକାଶିତ ।
ପ୍ରାଥମିକ ଅବସ୍ଥାରେ ଓଡ଼ିଆ ଭାଷା ସଂସ୍କୃତ ବ୍ୟାକରଣକୁ ଅନୁସରଣ କରିଥିବାରୁ ବିଶ୍ବର ପ୍ରଥମ ଶାସ୍ତ୍ରୀୟ ଭାଷା ସଂସ୍କୃତ ସହିତ ଏହାର ଘନିଷ୍ଠ ସଂପର୍କ ସ୍ଥାପିତ ହୋଇ ଶାସ୍ତ୍ରୀୟ ଧାରାରେ ଏହା ପଲ୍ଲବିତ, ପୁଷ୍ପିତ ଓ ସୁରଭିତ ।
ପରବର୍ତ୍ତୀ କାଳରେ ଓଡ଼ିଆ ବ୍ୟାକରଣ ସଂସ୍କୃତ ବ୍ୟାକରଣ ଆଦର୍ଶରେ ରଚି଼ତ ହୋଇ ଶାସ୍ତ୍ରୀୟ ମର୍ଯ୍ୟାଦାରେ ଅଧିଷ୍ଠିତ ।
ସଂସ୍କୃତ ବ୍ୟାକରଣର ଅନେକ ପ୍ରକ୍ରିୟା ଓଡ଼ିଆ ବ୍ୟାକରଣରେ ଅପରିବର୍ତ୍ତିତ ରହିଛି ।
ସଂସ୍କୃତ ଭାଷାର ଶବ୍ଦ ସଂରଚନାବିଧି ଓଡ଼ିଆ ଶବ୍ଦ ସର୍ଜନାରେ ଅନୁସୃଦ ।
ସଂସ୍କୃତ ଭାଷାରେ ବ୍ୟବହୃତ ଉପସର୍ଗ ସମୂହ ଓଡ଼ିଆ ଶବ୍ଦ ସହିତ ମିଳିତ ହୋଇ ତଦ୍ଧିତ ପଦ ସୃଷ୍ଟି ହୋଇଛି ।
ଓଡ଼ିଆ ପଦର ବିଭିନ୍ନ ବିଭକ୍ତିରେ ବ୍ୟବହୃତ ପ୍ରତ୍ୟୟଗୁଡ଼ିକ ମଧ୍ୟରୁ ଅଧିକାଂଶ ସଂସ୍କୃତ ପ୍ରତ୍ୟୟର କ୍ରମ ପରିବର୍ତ୍ତିତ ରୂପ ।
ଓଡ଼ିଆ ଭାଷାର ଧ୍ବନିତତ୍ତ୍ବ, ଶବ୍ଦତତ୍ତ୍ବ, ରୂପତତ୍ତ୍ବ, ଅର୍ଥତତ୍ତ୍ବ ମୂଖ୍ୟତଃ ସଂସ୍କୃତ ଭାଷାରୁ ଆହରିତ ହେଲେହେଁ ଏହାର ଅନେକ ମୌଳିକତା ରହିଛି, ଯାହା ଏକ ସ୍ବତନ୍ତ୍ର ଆଲୋଚନାର ଅପେକ୍ଷା ରଖେ ।
ଭାଷାର ଶାସ୍ତ୍ରୀୟତା ପ୍ରମାଣ କରିବା ନିମିତ୍ତ ଭାଷାବିଜ୍ଞାନ ଅଧ୍ୟୟନ ଏକାନ୍ତ ଅପରିହାର୍ଯ୍ୟ ।
ଓଡ଼ିଆ ଭାଷାର ଭାଷାବିଜ୍ଞାନ ଆଲୋଚନା ଉନବିଂଶ ଶତାବ୍ଦୀରୁ ଆରମ୍ଭ ହୋଇଛି ।
ଭାଷାତତ୍ତ୍ବବିତ୍‌ ଜନ୍‌ ବୀମ୍‌ସଙ୍କ ମତରେ ଓଡ଼ିଆ ବ୍ୟାକରଣ ସଂସ୍କୃତ ଅନୁସାରୀ ଏବଂ ଓଡ଼ିଆ ଧ୍ବନିରେ ଅଧିକାଂଶ ସଂସ୍କୃତଧ୍ବନି ଅପରିବର୍ତ୍ତିତ ରହିଛି ।
ତାଙ୍କ ବିବେଚ଼ନାରେ ଓଡ଼ିଆ ଭାଷା ସଂସ୍କୃତ ଭାଷାର ନିକଟତର ତଥା ଅନ୍ୟାନ୍ୟ ଆର୍ଯ୍ୟଭାଷା ସହିତ ଏହାର ଅନେକ ସାମଞ୍ଜସ୍ୟ ରହିଛି ।
ତେଣୁ ଏହା ଶାସ୍ତ୍ରାନୁମୋଦିତ ଆର୍ଯ୍ୟଭାଷା ।
ଜନ ବୀମ୍‌ସ ସଦୃଶ ସାର୍‌ ଜର୍ଜ ଆବ୍ରାହମ୍‌ ଗ୍ରୀୟରସନ ଆର୍ଯ୍ୟ ଭାଷାମାନଙ୍କ ମଧ୍ୟରେ ଓଡ଼ିଆ ଭାଷାକୁ ଏକ ମହତ୍ବପୂର୍ଣ୍ଣ ଆସନ ପ୍ରଦାନ କରିଅଛନ୍ତି ।
ସେ ଉଲ୍ଲେଖ କରିଛନ୍ତି ଯେ, “ଓଡ଼ିଆ ଭାଷା ଶାସ୍ତ୍ରୀୟ ଆହରଣ ଶୈଳୀରେ ସମୃଦ୍ଧ ହୋଇଥିବାରୁ ଓଡ଼ିଆ ଶବ୍ଦ ସମ୍ଭାର ବଙ୍ଗଳା, ହିନ୍ଦୀ, ଅସମୀୟା ଓ ତେଲୁଗୁ ପ୍ରଭୃତି ଭାଷାଠାରୁ ବୃହତ୍‌ ।
” ତାଙ୍କ ମତରେ ଓଡ଼ିଆ ଭାଷାର ବ୍ୟାକରଣ ପ୍ରାଚୀନ ସଂସ୍କୃତ ଭାଷାର ବ୍ୟାକରଣ ଠାରୁ ପ୍ରାଚୀନତର, ଅର୍ଥାତ୍‌ ବୈଦିକ ସଂସ୍କୃତସମ ।
ଏହି ଉକ୍ତିରୁ ଓଡ଼ିଆ ଭାଷାର ଶାସ୍ତ୍ରୀୟତା ସୁସ୍ପଷ୍ଟ ।
ବିଂଶ ଶିତାବ୍ଦୀର ପ୍ରାରମ୍ଭରେ ପଣ୍ଡିତ ଗୋପୀନାଥ ନନ୍ଦ ଓଡ଼ିଆ ଭାଷା ତତ୍ତ୍ବ ଆଲୋଚ଼ନା କ୍ଷେତ୍ରରେ ସ୍ମରଣୀୟ ଭୂମିକା ଗ୍ରହଣ କରିଥିଲେ ।
ତାଙ୍କର ସର୍ବଶ୍ରେଷ୍ଠକୃତି “ଓଡ଼ିଆ ଭାଷାତତ୍ତ୍ବ” ସର୍ବବୃହତ୍‌ ପୂର୍ଣ୍ଣାଙ୍ଗ ଓ ସର୍ବୋକୃଷ୍ଟ ବ୍ୟାକରଣ ଗ୍ରନ୍ଥ ।
ଏହି ଗ୍ରନ୍ଥରେ ଓଡ଼ିଆ ଭାଷାର ଧ୍ବନିତତ୍ତ୍ବ, ଶବ୍ଦତତ୍ତ୍ବ, ରୂପତତ୍ତ୍ବ, ବ୍ୟୁତ୍ପତ୍ତିତତ୍ତ୍ବ ମୌଳିକ ଦୃଷ୍ଟିରେ ପ୍ରତିପାଦିତ ।
ଏହି ପରମଗ୍ରନ୍ଥରେ ସକଳ ପ୍ରକାର ଓଡ଼ିଆ ଶବ୍ଦର ବୈୟାକରଣିକ ଦୃଷ୍ଟିଦର୍ଶନ ଉଲ୍ଲିଖିତ ।
ପଣ୍ଡିତ ମହୋଦୟ ଓଡ଼ିଆ ବ୍ୟୁତ୍ପତ୍ତିବିଜ୍ଞାନର ମୂଳଭିତ୍ତି ଏହି ଗ୍ରନ୍ଥରେ ଉପସ୍ଥାପନା କରିଛନ୍ତି ।
ତାଙ୍କର ଓଡ଼ିଆ ବାକ୍ୟବିଜ୍ଞାନ, ରୂପବିଜ୍ଞାନ, ଶବ୍ଦବିଜ୍ଞାନ, ଅର୍ଥବିଜ୍ଞାନ, ଧ୍ବନିବିଜ୍ଞାନ, ବ୍ୟୁତ୍ପତ୍ତିବିଜ୍ଞାନ, ତୁଳନାତ୍ମକ ଭାଷାବିଜ୍ଞାନ, ଦର୍ଶନାତ୍ମକ ଭାଷାବିଜ୍ଞାନ ଏବଂ ସଂରଚନାତ୍କକ ଭାଷାବିଜ୍ଞାନ ବର୍ଣ୍ଣନା ଅନନ୍ୟ ଓ ଅନୁପମ ।
ଓଡ଼ିଆ ଭାଷାର ଏହି ଶ୍ରେଷ୍ଠ ବ୍ୟାକରଣ ଗ୍ରନ୍ଥ ହିଁ ଓଡ଼ିଆ ଭାଷାଶାସ୍ତ୍ର ।
ଏହି ଓଡ଼ିଆ ଭାଷାଶାସ୍ତ୍ରର ଗ୍ରନ୍ଥ ପ୍ରବେଶ ଲେଖିଛନ୍ତି ପଣ୍ଡିତ ନୀଳକଣ୍ଠ ଦାଶ ।
ଆପଣା ପ୍ରଜ୍ଞାଚ଼କ୍ଷୁରେ ସେ ଓଡ଼ିଆ ଭାଷାବିଜ୍ଞାନକୁ ଅବଲୋକନ ପୂର୍ବକ ଓଡ଼ିଆ ଭାଷାତତ୍ତ୍ବର ଦାର୍ଶନିକ ଓ ସାଂସ୍କୃତିକ ବିବେଚ଼ନ, ଐତିହାସିକ ଓ ତୁଳନାତ୍ମକ ବିବେଚ଼ନ, ଧ୍ବନିତାତ୍ତ୍ବିକ ବିବେଚ଼ନ, ବ୍ୟୁତ୍ପତ୍ତି ବିଜ୍ଞାନ ବିବେଚ଼ନ ଏବଂ ବ୍ୟାକରଣ ବିବେଚ଼ନ ପ୍ରଭୃତି ପାଞ୍ଚଗୋଟି ପର୍ଯ୍ୟାୟରେ ମୌଳିକ ଦୃଷ୍ଟିରେ ଉପସ୍ଥାପନା କରିଛନ୍ତି ।
ତୁଳନାତ୍ମକ ଭାଷାବିଜ୍ଞାନ ଅଧ୍ୟୟନରେ ସେ ଓଡ଼ିଆ ଭାଷା ସହିତ ଇଣ୍ଡୋ-ୟୁରୋପୀୟ ଭାଷାର ସାମ୍ୟ ଅନୁଭବ କରିଛନ୍ତି ।
ତାଙ୍କ ପରେ ଓଡ଼ିଶା, ଓଡ଼ିଶା ବାହାରେ ଓ ଭାରତ ବାହାରେ ବହୁ ବିଜ୍ଞ, ପ୍ରାଜ୍ଞ, ବ୍ୟାକରଣବିଦ୍‌ ଓ ଭାଷାଶାସ୍ତ୍ରୀ ଓଡ଼ିଆ ଭାଷାର ପ୍ରାଚୀନତା, ମୌଳିକତା ଓ ଶାସ୍ତ୍ରୀୟତା ଅଲୋଚନା କରି ଭାଷାର ଗୌରବ ବୃଦ୍ଧି କରିଛନ୍ତି ।
ଓଡ଼ିଆ ଭାଷାର ପୂର୍ଣ୍ଣାଙ୍ଗ ଉପଲବ୍‌ଧି ନିମନ୍ତେ ଅଧିକରୁ ଅଧିକ ଗବେଷକ ଓଡ଼ିଆ ଭାଷା ଓ ଉପଭାଷା ସମୂହର ବୈଜ୍ଞାନିକ ଭିତ୍ତିଭୂମିର ପୁଙ୍ଖାନୁପୁଙ୍ଖ ବିଶ୍ଳେଷଣ ବ୍ୟାପକ କଲେଣି ।
ଓଡ଼ିଆ ଭାଷାର ପ୍ରତ୍ୟେକଟି ଶବ୍ଦର ବ୍ୟୁତ୍ପତ୍ତିକ୍ରମ ନିର୍ଣ୍ଣୟ, ଧ୍ବନିଗତ, ରୂପଗତ ଓ ଅର୍ଥଗତ ପରିବର୍ତ୍ତନ ସମ୍ବଳିତ ଭାଷାକୋଷ ପ୍ରଣୟନ ହେଲାଣି ।
ଭାରତର ବିଭିନ୍ନ ବିଶ୍ବବିଦ୍ୟାଳୟ, ଭାଷା ଶିକ୍ଷା କେନ୍ଦ୍ର, ଭାଷା ତତ୍ତ୍ବାନୁସନ୍ଧାନ କେନ୍ଦ୍ର ତଥା ଭାରତ ବାହାରେ କେତେକ ବିଶ୍ବବିଦ୍ୟାଳୟରେ ଓଡ଼ିଆ ଭାଷାର ଗବେଷଣାତ୍ମକ ଅନ୍ବେଷଣ ଓଡ଼ିଆ ଭାଷାର ଶାସ୍ତ୍ରୀୟ ଭିତ୍ତିଭୂମିକୁ ସୁଦୃଢ଼ କଲାଣି ।
ଏହି ଗବେଷଣା ଦ୍ବାରା ଓଡ଼ିଆ ଭାଷାର ବିଜ୍ଞାନ ଭିତ୍ତିକ ଅଧ୍ୟୟନ ତଥା ଶାସ୍ତ୍ରୀୟ ସୌରଭ ଗଭୀର ଓ ଗମ୍ଭୀର ହୋଇପାରିଛି ।
ଧ୍ବନିବିଜ୍ଞାନୀଙ୍କ ଦ୍ବାରା ଓଡ଼ିଆ ଧ୍ବନିବିଜ୍ଞାନର ଦିଗଦିଗନ୍ତ ଉନ୍ମୋଚି଼ତ ହୋଇ ଓଡ଼ିଆ ଭାଷା ଧ୍ବନିଶାସ୍ତ୍ର ସମ୍ମତ ଭାଷାର ମାନ୍ୟତା ଲାଭ କଲାଣି ।
ସଂକ୍ଷେପରେ ଉଲ୍ଲେଖ କଲେ ଉଚ୍ଚାଙ୍ଗ ଭାଷାବିଜ୍ଞାନ ଓ ଶୃଙ୍ଖଳିତ ଧ୍ବନିବିଜ୍ଞାନ ଓଡ଼ିଆ ଭାଷାକୁ ଏକ ପୂର୍ଣ୍ଣାଙ୍ଗ ଓ ଶାସ୍ତ୍ରୀୟ ଭାଷାର ଗୌରବ ପ୍ରଦାନ କରିଛି ।
ଋଗ୍‌ବେଦରେ କୁହାଯାଇଛି ଭାଷାହିଁ ରାଷ୍ଟ୍ରନିର୍ମାର୍ତ୍ତୀ ଓ ସ୍ଥାପୟିତ୍ରୀ ।
ଏହି ଦୃଷ୍ଟିକୋଣରୁ ବିଚାରକଲେ ଓଡ଼ିଆ ଭାଷା ଦ୍ବାରା ହିଁ ଜାତୀୟ ଚେତନା ଜାଗରିତ ହୋଇ ବିଶାଳ ଓଡ଼ିଆ ସାମ୍ରାଜ୍ୟର ପ୍ରତିଷ୍ଠା ସମ୍ଭବ ହୋଇଥିଲା ।
ରସାନନ୍ଦ ପରିପୂର୍ଣ୍ଣ ଓଡ଼ିଆ ଭାଷା ଏକ ମଧୁର ଭାଷା ।
ଏହାର ଅନ୍ତର୍ନିହିତ ସ୍ବରୂପ ସରଳ, ସୁବୋଧ ଓ ରସୋତ୍ତୀର୍ଣ୍ଣ ।
ଏହି ପ୍ରାଚୀନ ତଥା ଶାସ୍ତ୍ରୀୟ ଆର୍ଯ୍ୟଭାଷାର ଉନ୍ମେଷ ଓ ବିକାଶର ଧାରା, ବୌଦ୍ଧିକ ସୃଜନଶୀଳତା, ଗୁଣାତ୍ମକ ଉତ୍କର୍ଷ, ଅନ୍ତଃସ୍ବର, ବର୍ଣ୍ଣମାଳା, ଲିପିର ଉତ୍ପତ୍ତି ଓ କ୍ରମବିକାଶ, ଧ୍ବନିତତ୍ତ୍ବ, ଉଚ୍ଚାଙ୍ଗ ବ୍ୟାକରଣ, ରୂପତତ୍ତ୍ବ, ଭାଷାବିଜ୍ଞାନ ତଥା ଆନୁଷଙ୍ଗିକ ଶାସ୍ତ୍ରୀୟ ଲକ୍ଷଣ ଅନୁଧ୍ୟାନ ଓ ଅଧ୍ୟୟନ କଲେ ହୃଦ୍‌ବୋଧ ହୁଏ, ଓଡ଼ିଆ ଭାଷା ବାସ୍ତବିକ ଏକ ପ୍ରାଚୀନ ତଥା ପୂର୍ଣ୍ଣାଙ୍ଗ ଶାସ୍ତ୍ରୀୟ ଭାଷା ।
Markdown is supported
0% or
You are about to add 0 people to the discussion. Proceed with caution.
Finish editing this message first!
Please register or to comment